ଆମ ଆନନ୍ଦ ଆମ ହାତରେ -- 

ଜୀବନରେ ଆପଣଙ୍କର ଏପରି ଅନୁଭୂତି କେବେ ହୋଇଛି କି ସକାଳେ ଆପଣ କେଉଁଠିକୁ ଯିବା ଉଦ୍ଦେଶ୍ୟରେ ନିଜ ଗାଡିରେ ବସି ଇଗନିସନ୍ ସ୍ବିଚ୍ ଅନ କଲେ, ଆକସିଲରେଟର୍ ଦବାଇଲେ, କିନ୍ତୁ ଗାଡି ଆଗକୁ ଗଡିଲା ନାହିଁ ? କିଛି ସମୟ ପରେ ଆପଣଙ୍କର ମନେ ପଡିଲା ଯେ ଆପଣ ହାଣ୍ଡ୍ ବ୍ରେକକୁ ଖୋଲି ନାହାଁନ୍ତି | ହାଣ୍ଡ୍ ବ୍ରେକ୍ ନ ଖୋଲି ଆକସିଲରେଟର୍ ଦବାଇଲେ ହୁଏତ ଅତ୍ୟଧିକ ଗରମ ହୋଇ ଆପଣଙ୍କ ଗାଡିର ଇଂଜିନ୍ ଅଚଳ ହୋଇଯିବ, ନଚେତ୍ ହାଣ୍ଡ୍ ବ୍ରେକ୍ ତରଳି ଯିବ | ସେହିପରି, ସଂସାରରେ ଚଳପ୍ରଚଳ ହେବାକୁ ଯାଇ ଅଧିକାଂଶତଃ ଆମେ ନିଜର ହାଣ୍ଡ୍ ବ୍ରେକ୍ ଚାଲୁ ରଖିଥାଏ | ଆମ ଭିତରର ବିଚାର, ଭାବନା, ଆବେଗ, ଚିନ୍ତା, ଭୟ, ଶୋକ ଇତ୍ୟାଦି ଏହି ହାଣ୍ଡ୍ ବ୍ରେକ୍ ସଦୃଶ ଅଟନ୍ତି | ସେହି ସବୁ ବ୍ରେକକୁ ଆମେ ବିଛିନ୍ନ କରିବା କିପରି, ତାହାର କଳା ଆଜି ଆମେ ଶିଖିବା |

ଜଣେ ଭୂତତ୍ତ୍ବବିତ୍ ଗଙ୍ଗା ନଦୀର ସର୍ବେକ୍ଷଣ କରିବାକୁ ଇଚ୍ଛା କରି ନଦୀର ଗୋଟିଏ ନକ୍ସା ହାତରେ ଧରି ଋଷିକେଶ ଠାରୁ ତଳକୁ ନଈ କୂଳେ କୂଳେ ଚାଲିବାକୁ ଆରମ୍ଭ କଲେ | ହାତରେ ଧରିଥିବା ନକ୍ସା ସହିତ ସେ ନଦୀର ଗତିକୁ ମିଳାଇ ଚାଲି ଥାଆନ୍ତି | ନକ୍ସା ଅନୁଯାୟୀ ଏଠାରେ ନଦୀ ଦକ୍ଷିଣାଭିମୁଖୀ ହେବା ଆବଶ୍ୟକ | ହଁ, ଦକ୍ଷିଣମୁଖୀ ହୋଇଛି | ଏଠାରେ ନଦୀର ଗତି ନିମ୍ନାଭିମୁଖୀ ହେବା ଆବଶ୍ୟକ | ହଁ, ନିମ୍ନକୁ ପ୍ରବାହିତ ହେଉଛି | ତାପରେ ନଦୀର ଗତି ବାମାଭିମୁଖୀ ହେବା ଆବଶ୍ୟକ | କିନ୍ତୁ ଏଠାରେ ତ ନଦୀ ବାମକୁ ଘୂରିବା ପରିବର୍ତ୍ତେ ସିଧା ଆଗକୁ ପ୍ରବାହିତ ହେଉଛି ! ଭୁତତ୍ତ୍ବବିତ୍ ଜଣକ ଭାବିଲେ, ଯଦି ଗଙ୍ଗା ନଦୀ ମୋ ନକ୍ସାର ଅନୁସରଣ କରୁନାହିଁ, ତେବେ ମୋର ସର୍ବେକ୍ଷଣ ଅର୍ଥହୀନ ଅଟେ | କ୍ରୋଧରେ ସେ ନକ୍ସାଟିକୁ ଫିଙ୍ଗିଦେଲେ | ଦେଖନ୍ତୁ, ଗବେଷକ ଜଣଙ୍କର ଦୃଷ୍ଟିକୋଣ କିପରି ଭ୍ରମାତ୍ମକ ଅଟେ | ନକସାକୁ ନଦୀର ପ୍ରବାହ ଅନୁଯାୟୀ ସଂଶୋଧିତ କରିବା ପରିବର୍ତ୍ତେ ସେ ଇଚ୍ଛା କରୁଛନ୍ତି ଗଙ୍ଗା ନଦୀ ତାଙ୍କ ନକ୍ସାର ଅନୁସରଣ କରୁ | ସଂସାରରେ ଆମ୍ଭେମାନେ ଠିକ୍ ଏହି ଭୁଲ୍ କରିଥାଏ | ଆମ୍ଭେମାନେ ସଂସାର ଠାରୁ କିଛି ଆଶା ରଖିଥାଏ ଏବଂ ସଂସାର ଯେତେବେଳେ ତାହା ପୂରଣ କରେନାହିଁ, ଆମେ ନିରାଶ ହୋଇଯାଏ | ସଂସାରର କେନ୍ଦ୍ର ବିନ୍ଦୁ ଆମ୍ଭମାନଙ୍କର ଇଚ୍ଛା ନୁହେଁ, ଏହା ଆମେ ଭୁଲି ଯାଇଥାଏ | ସେହି କ୍ଷେତ୍ରରେ ଆମେ ଯଦି ନିଜର ଇଚ୍ଛାମାନଙ୍କୁ କିଂଚିତ୍ ନମନୀୟ କରିଦେବା, ତେବେ ଆମେ ଦେଖିବା ସଂସାରର ପ୍ରତ୍ୟେକ ପରିସ୍ଥିତି ଆମ ସମ୍ମୁଖରେ କିଛି ବିକଳ୍ପ ପ୍ରସ୍ତୁତ କରୁଛି | ସମାନ ପରିସ୍ଥିତିରେ ଇଚ୍ଛା କଲେ ଆମେ ନିଜ ଭିତରେ ସକାରାତ୍ମକ ବା ସୁଖକର ବିଚାର ଆଣିପାରିବା, ନଚେତ୍ ନକାରାତ୍ମକ ବା ଦୁଃଖକର ବିଚାର ଆଣିପାରିବା | ଦୁଇ ଜଣ ରୋଗୀଙ୍କର ମନୋଭାବକୁ ଲକ୍ଷ କରି ଆମେ ଏହା ବିଷୟରେ ଜାଣିବା |

ଗୋଟିଏ ହସ୍ପିଟାଲର ଆଇସିୟୁରେ ଦୁଇ ଜଣ ରୋଗୀ ଶଯ୍ୟାଗ୍ରସ୍ତ ଥିଲେ | କିଛି ଦିନ ସେଠାରେ ଅବସ୍ଥାନ କରିବା ପରେ ଦୁହିଁଙ୍କ ମଧ୍ୟରେ ମିତ୍ରତା ଘନିଷ୍ଠ ହୋଇଗଲା | ସେମାନେ ପରସ୍ପର ସହିତ ନିଜ ନିଜର ପରିବାର, ବ୍ୟାପାର ବା ଚାକିରୀ ବିଷୟରେ ବାର୍ତ୍ତାଳାପ କରିବାରେ ଲାଗିଲେ | ସେମାନଙ୍କ ମଧ୍ୟରୁ ପ୍ରଥମ ରୋଗୀଟିକୁ ନର୍ସମାନେ ପ୍ରତିଦିନ ଘଣ୍ଟାକ ପାଇଁ ଶେଯରୁ ଉଠାଇ ବସାଇ ଦେଉଥିଲେ ଯଦ୍ବାରା ତାଙ୍କ ଫୁସଫୁସରୁ କଫ-ପିତ ବାହାରକୁ ନିଷ୍କାସିତ ହୋଇପାରିବ | ସେହି ଘଣ୍ତାକ ମଧ୍ୟରେ ରୋଗୀ ଜଣକ ରୁମର ଏକମାତ୍ର ଝରକା ଦେଇ ବାହାରର ଦୃଶ୍ୟ ଦେଖି ପାରୁଥିଲେ ଏବଂ ତାହାର ବର୍ଣ୍ଣନା କରି ଅନ୍ୟ ରୋଗୀ ଜଣଙ୍କୁ ଶୁଣାଉଥିଲେ | ବାହାରେ ଗୋଟିଏ ସୁନ୍ଦର ବଗିଚା ଥିଲା ଯାହାର ମଧ୍ୟ ଭାଗରେ ଗୋଟିଏ ଜଳ ଫୁଆରା ଏବଂ ତାହାକୁ ଘେରି ଗୋଟିଏ ଛୋଟ ପୁଷ୍କରିଣୀ ଥିଲା | ନାନା ଜାତିର ପକ୍ଷୀ ସେଥିରେ ସ୍ନାନ କରୁଥିଲେ | ପୁଷ୍କରିଣୀର ଚତୁର୍ପାର୍ଶ୍ବରେ ପଡିଥିବା ବେଞ୍ଚରେ ବୃଦ୍ଧା ମହିଳାମାନେ ବସି କଅଁଳ ସୂର୍ଯ୍ୟ କିରଣରୁ ଗରମ ସେକ ନେବା ସହିତ ଖୁସୀ ଗପ କରୁଥାଆନ୍ତି | ପାଖରେ ଛୋଟ ପିଲାମାନେ ତିନି- ଚକିଆ ସାଇକେଲ୍ ଚଳାଇ ଘୂରି ବୁଲୁଥାଆନ୍ତି | ସାରା ବଗିଚା ସୁନ୍ଦର ସୁନ୍ଦର ଫୁଲରେ ସୁଶୋଭିତ ହୋଇ ଅତ୍ୟନ୍ତ ରମଣୀକ ପ୍ରତୀତ ହେଉଥାଏ | ପ୍ରଥମ ରୋଗୀ ଠାରୁ ଏହିସବୁ ଦୃଶ୍ୟର ବର୍ଣ୍ଣନା ଶୁଣି ଦ୍ବିତୀୟ ରୋଗୀଟି ମଧ୍ୟ ଆମୋଦିତ ଅନୁଭବ କରୁଥାଏ ଏବଂ ପ୍ରତ୍ୟହ ଦିନର ସେ ସେହି ସମୟଟିକୁ ଅପେକ୍ଷା କରୁଥାଏ ଯେତେବେଳେ ତାର ବନ୍ଧୁ ଝରକା ବାହାରର ଦୃଶ୍ୟ ବର୍ଣ୍ଣନା କରି ତାକୁ ଶୁଣାଇବ | କିନ୍ତୁ ଦିନେ ତା ମନରେ ଈର୍ଷା ଜାତ ହେଲା ଯେ ବାହାର ଦୃଶ୍ୟ ଦର୍ଶନ କରିବାର ସୌଭାଗ୍ୟ ମୋର ବନ୍ଧୁଙ୍କୁ କାହିଁକି ପ୍ରାପ୍ତ ହେଉଛି, ଭଗବାନ ମୋ ପ୍ରତି ଏପରି ପକ୍ଷପାତ କାହିଁକି କରୁଛନ୍ତି | କ୍ରମଶଃ ତାର ସେହି ଈର୍ଷା ଭାବ ଅଧିକ ଘନ ହୋଇ ଦ୍ବେଷ ରୂପ ଧାରଣ କଲା |

ଦିନେ ରାତିରେ ଅଚାନକ ପ୍ରଥମ ରୋଗୀ ଜଣକ ଖୁବ୍ ଜୋରରେ କାଶିବାରେ ଲାଗିଲେ | ମନେ ହେଉଥିଲା ସତେ ଯେପରି ଶ୍ବାସ ଗ୍ରହଣ କରିବାରେ ତାଙ୍କୁ ଖୁବ୍ କଷ୍ଟ ହେଉଛି | ସେହି ପରିସ୍ଥିତିରେ ସେ ତୁରନ୍ତ ଜରୁରୀକାଳୀନ ଘଣ୍ଟି ବଜାଇବା ଆବଶ୍ୟକ ଥିଲା | କିନ୍ତୁ ହୁଏତ ଅତ୍ୟଧିକ କଷ୍ଟ ଅନୁଭବ କରୁଥିବା କାରଣରୁ ସେଥିପ୍ରତି ସେ ଧ୍ୟାନ ଦେଇ ନ ଥିଲେ | ସେହି କ୍ଷେତ୍ରରେ ଦ୍ବିତୀୟ ବିକଳ୍ପ ଏହା ଥିଲା ଯେ ରୁମରେ ଥିବା ଅନ୍ୟ ରୋଗୀ ଜଣକ ଜରୁରିକାଳୀନ ଘଣ୍ଟି ବଜାଇ ଡାକ୍ତରଖାନା କର୍ମଚାରୀଙ୍କୁ ତାର ସୂଚନା ଦେଇପାରି ଥାଆନ୍ତେ | କିନ୍ତୁ ଦ୍ବିତୀୟ ରୋଗୀଙ୍କର ମନ ପ୍ରଥମ ରୋଗୀଙ୍କ ପ୍ରତି ଏତେ ଦ୍ବେଷଯୁକ୍ତ ଥିଲା ଯେ ସେ ଜାଣିଶୁଣି ଘଣ୍ଟି ବଜାଇଲେ ନାହିଁ | ପ୍ରଥମ ରୋଗୀ ଜଣକ କିଛି ସମୟ ସେହିପରି କାଶି କାଶି ଚୁପ୍ ହୋଇଗଲେ | ପରଦିନ ସକାଳେ ନର୍ସ୍ ଆସି ଦେଖିଲେ ଯେ ସେ ଆଉ ନାହାନ୍ତି ଏବଂ ସେ ଶବକୁ ବାହାରକୁ କାଢିଦେଲେ | ଝରକା ପାଖ ବେଡଟି ଖାଲି ହୋଇଯିବାର ଦେଖି ସେହିଟିକୁ ଅକ୍ତିଆର କରିବା ପାଇଁ ଦ୍ବିତୀୟ ରୋଗୀଙ୍କର ମନ ଉଚ୍ଚାଟ ହେଉଥାଏ | କିନ୍ତୁ କାଲେ କିଏ ତାଙ୍କୁ ସନ୍ଦେହ କରିବ ଭାବି ସେ ଦୁଇ-ତିନି ଦିନ ଚୁପ୍ ରହିଲେ | ତାପରେ ସେ ଦାୟିତ୍ବରେ ଥିବା ନର୍ସଙ୍କୁ ପଚାରିଲେ, “ମୋର ବେଡ଼କୁ ଝରକା ପାଖକୁ ସ୍ଥାନାନ୍ତରିତ କରାଯାଇ ପାରିବ କି ?” ଅର୍ସ୍ ରାଜି ହୋଇଗଲେ | ତାପରେ ରୋଗୀ ଜଣକ କହିଲେ, “ମୁଁ ଏବେ ଟିକିଏ ସୁସ୍ଥ ଅନୁଭବ କରୁଛି, ଦିନର କିଛି ସମୟ ମୁଁ ବେଡ଼ ଉପରେ ବସି ପାରିବି କି ?” ନର୍ସ୍ ସେଥିରେ ମଧ୍ୟ ରାଜି ହୋଇଗଲେ | ଏବେ ସେହି ଦ୍ବିତୀୟ ରୋଗୀ ଜଣକ ବେଡ଼ରେ ବସି ଝରକା ବାଟ ଦେଇ ବାହାରକୁ ଚାହିଁ ଦେଖିଲେ | କିନ୍ତୁ ବାହାରେ ସେ ଏ କଣ ଦେଖୁଛନ୍ତି ! ପୂର୍ବ ରୋଗୀ ଜଣକ ବର୍ଣ୍ଣନା କରୁଥିବା ପ୍ରକାରେ ବାହାରେ ବଗିଚାର କୌଣସି ଚିହ୍ନ-ବର୍ଣ୍ଣ ସୁଦ୍ଧା ସେ ଦେଖିବାକୁ ପାଉନାହାଁନ୍ତି | ବାହାରେ କେବଳ ଗୋଟିଏ ଗୋଦାମ ଘରର ବାଦ ବାଦ କାନ୍ଥ ତାଙ୍କ ଆଖିରେ ପଡୁଛି | ବ୍ୟସ୍ତ ହୋଇ ସେ ହସପିଟାଲର ଜଣେ କର୍ମଚାରୀଙ୍କୁ ପଚାରିଲେ, “ବାହାରେ ଯେଉଁ ବଗିଚାଟି ଥିଲା, ତାହା କେଉଁଆଡେ ଗଲା ? ଏଠାରେ ଏହି ଗୋଦାମ ଘର କେବେ ତିଆରି ହେଲା ?” କର୍ମଚାରୀ ଜଣକ କହିଲେ, “ଗୋଦାମ ଘର ତ ବହୁତ ଦିନରୁ ଅଛି |” “ତାହାହେଲେ ପୂର୍ବ ରୋଗୀ ଜଣକ ଏଠାରେ ବଗିଚା ଦେଖୁଥିଲେ କିପରି ?” କର୍ମଚାରୀ ଜଣକ ଉତ୍ତର ଦେଲେ, “ତାହା ତାଙ୍କ ମନର ସୁନ୍ଦରତା ଥିଲା ଏବଂ ନିଜ ମନଃ-ଚକ୍ଷୁରେ ସେ ତାହା ଦେଖୁଥିଲେ |”

ଇଂରାଜୀରେ ଗୋଟିଏ ଉକ୍ତି ଅଛି – Two men looked out from the prison bars; one saw the mud, the other saw the stars. ଜେଲ୍ ଫାଟକ ଦେଇ ଦୁଇ ଜଣ କଏଦୀ ବାହାରକୁ ଚାହିଁ ଦେଖିଲେ; ଜଣକୁ ବାହାରେ ନର୍ଦ୍ଦମା ଦେଖାଗଲା ଏବଂ ଅନ୍ୟ ଜଣଙ୍କୁ ବାହାରେ ତାରା ଦେଖାଗଲା | ଅତଏବ, ବାହ୍ୟ ସଂସାର ସମସ୍ତଙ୍କ ପାଇଁ ଏକାପରି ଅଟେ | ସେଠାରେ ଆମେ କଣ ଦେଖିବା,ଣ ଅନୁଭବ କରିବା, ସେଥିପାଇଁ ଆମେ ସ୍ବତନ୍ତ୍ର | ମନରେ ଯଦି ଆମେ ଦୁଃଖମୟ  ବିଚାର ପୋଷଣ କରିଥିବା, ତେବେ ସଂସାର ଆମକୁ ଦୁଃଖମୟ ପ୍ରତୀତ ହେବ | ଅନ୍ୟ ପକ୍ଷରେ ଆମର ଭାବନା ଯଦି ସୁଖକର ହୋଇଥିବ, ତେବେ ଯେ କୌଣସି ପରିବେଶରେ ଆମେ ନିଜ ପାଇଁ ଆନନ୍ଦ ଖୋଜିନେବା |

ଅତଏବ, ଆନନ୍ଦ ଅଭିଯାନ ଶୃଂଖଳାର ଆଜି ପ୍ରଥମ ଦିବସରେ ଆମେ ଜାଣିବାକୁ ପାଇଲେ ଯେ ପରିସ୍ଥିତି ସହିତ ଆମ ଭାବନାର କୌଣସି ସମ୍ବନ୍ଧ ନାହିଁ | କୌଣସି ଏକ ପରିସ୍ଥିତିରେ ଆମେ କଣ ଅନୁଭବ କରିବା, ତାହା ଚୟନ କରିବାରେ ଆମେ ସ୍ବତନ୍ତ୍ର ଅଟେ | ପରିସ୍ଥିତି ଯାହା ହୋଇ ଥାଉ ନା କାହିଁକି, ମନରେ ସୁଖକର ବିଚାର ଆଣି ଆମେ ସୁଖୀ ହୋଇପାରିବା |

                                                                                                Happiness Challenge Day 1
                                                                                                 Swami Mukundananda

Comments

Popular posts from this blog