କିଏ ଆପଣ ? ସୁଖୀ ମଣିଷ କି ଭଲ ମଣିଷ ?
ମାନବ ଇତିହାସର ଗତ ଏକ ଶତ ବର୍ଷ ମଧ୍ୟରେ
ବିଶ୍ବରେ କୋଟିପତିମାନଙ୍କର ସଂଖ୍ୟା ହଜାର ଗୁଣ ବୃଦ୍ଧି ଲାଭ କରିଛି | କିନ୍ତୁ ସେହି ସମୟରେ
ପୃଥିବୀରେ ସୁଖୀ ମଣିଷଙ୍କର ସଂଖ୍ୟା ଅନ୍ତତଃ ଦଶ ଗୁଣ ବୃଦ୍ଧି ଲାଭ କରିଥିବା କଥା ଆପଣଙ୍କ କାନରେ
ପଡିଛି ବା ଆପଣ କେଉଁଠାରେ ପଢିଛନ୍ତି କି ? ଯଦି ନୁହେଁ, ତେବେ ଏହା ସାବ୍ୟସ୍ତ କରେନାହିଁ କି ବହିରଙ୍ଗ ବିଳାସ ଓ ଐଶ୍ବର୍ଯ୍ୟର ଆନ୍ତରିକ
ସୁଖାନୁଭୂତି ସହିତ କୌଣସି ସମ୍ବନ୍ଧ ନାହିଁ ? ଆଜି, ଆନନ୍ଦ ଅଭିଯାନ ଶୃଂଖଳାର ଏକାଦଶ ଦିବସରେ, ସୁଖୀ ହେବାର କଳା
ଶିକ୍ଷା କରିବା କ୍ରମରେ ଆମେ ଏହି ବିଷୟର ଟିକିଏ ଗଭୀର ମନ୍ଥନ କରିବା | ଏହି ପ୍ରସଂଗରେ ମୁଁ ଆଜି
ଆଲୋଚନା କରିବାକୁ ଯାଉଛି, ସୁଖୀ ହେବା ଏବଂ ଭଲ ହେବା ମଧ୍ୟରେ ସମ୍ବନ୍ଧ କ’ଣ ?
ସଫଳତା, ଯଶ ଏବଂ ଲୋକପ୍ରିୟତା ହାସଲ କରିବା ଦ୍ବାରା ଯଦି ସୁଖ ମିଳୁଥାଆନ୍ତା, ତେବେ ଏଲବିସ୍ ପ୍ରିସଲୀ ଏତେ ଦୁଃଖୀ ଥିଲେ କାହିଁକି ? ଇତିହାସରେ ପ୍ରକାଶିତ ସଙ୍ଗୀତର
ସର୍ବାଧିକ ସଂଖ୍ୟକ ଆଲବମ୍ ବିକ୍ରୀ ହେବାର ରେକର୍ଡ଼ ତାଙ୍କର ଥିଲା | ୧୯୬୦ ଦଶକରେ ସେ ସଙ୍ଗୀତ
ଜଗତର ଯୁଗ ପୁରୁଷ ଥିଲେ | ତାଙ୍କୁ ରକ୍ ଏବଂ ରୋଲର ସମ୍ରାଟ କୁହାଯାଉଥିଲା | କିନ୍ତୁ ଏତେ
ଲୋକପ୍ରିୟତା ସତ୍ତ୍ବେ ତାଙ୍କର ବ୍ୟକ୍ତିଗତ ଜୀବନ କିପରି ଥିଲା ? ଜୀବନର ଶେଷ କିଛି ବର୍ଷରେ
ତାଙ୍କର ଜୀବନ ଶୈଳୀ ଏହିପରି ଥିଲା – ସାୟଂ କାଳୀନ ସଙ୍ଗୀତ କାର୍ଯ୍ୟକ୍ରମ ଶେଷ ହେବା ପରେ ଘରକୁ
ଫେରି ସେ ନିଜ ସେବକମାନଙ୍କୁ ତାଙ୍କ ପାଇଁ ନିଶା ସେବନର ବ୍ୟବସ୍ଥା କରିବାକୁ କହୁଥିଲେ |
ସେବକମାନେ ତାଙ୍କ କାନ୍ଧ ତଳେ ନିଶା ଇଂଜେକସନ୍ ଦେବା ସହିତ ତାଙ୍କୁ ବିଭିନ୍ନ ପ୍ରକାରର ନିଶା
ଔଷଧ ଖାଇବାକୁ ଦେଉଥିଲେ | ପରଦିନ ସାୟଂ କାଳରେ ସଙ୍ଗୀତ ପରିବେଷଣ କରିବାକୁ ମଞ୍ଚ ଉପରକୁ ଯିବା
ପର୍ଯ୍ୟନ୍ତ ସେ ଥରକୁ ଥର ନିଶା ସେବନ କରି ବେହୋଶ ଅବସ୍ଥାରେ ପଡି ରହୁଥିଲେ | ଏହା ତାଙ୍କର
ଦୈନନ୍ଦିନ ଦିନଚର୍ଯ୍ୟା ଥିଲା | ଶେଷରେ ଯେତେବେଳେ ସେ ମୃତ୍ୟୁବରଣ କଲେ, କେହି ମଧ୍ୟ ଠିକରେ କହିପାରିଲେ ନାହିଁ ଯେ ଅତ୍ୟଧିକ ନିଶାସେବନ ଯୋଗୁଁ ତାଙ୍କର ଅକାଳରେ
ମୃତ୍ୟୁ ହେଲା ବା ମାନସିକ ଅବସାଦ କାରଣରୁ ସେ ଆତ୍ମହତ୍ୟା କରିଥିଲେ | ବ୍ୟକ୍ତି ଜଣଙ୍କର ବହୁତ
ସୁନ୍ଦର ଚେହେରା, ଏକ ସୁବର୍ଣ୍ଣ ଲାବଣ୍ୟଯୁକ୍ତ ସ୍ବର, ଅପାର ଲୋକପ୍ରିୟତା ଏବଂ ବିପୁଳ
ପରିମାଣର ଧନ ଥିଲା | ତଥାପି, ଅନ୍ତରଙ୍ଗ ସ୍ତରରେ ସେ ସମ୍ପୂର୍ଣ୍ଣ
ନିଃସ୍ବ ଥିଲେ |
ଅନ୍ୟ ପକ୍ଷରେ, ଏପରି ଜଣେ ବ୍ୟକ୍ତିଙ୍କର
ଦୃଷ୍ଟାନ୍ତ ଦିଆ ଯାଇପାରେ ଯାହା ପାଖରେ କହିବାକୁ ଗଲେ କିଛି ନ ଥିଲା, କିନ୍ତୁ ସେ ସୁଖୀ ହେବାର
କଳା ଜାଣିଥିଲେ | ସେ ହେଉଛନ୍ତି ଗତ ଶତାବ୍ଦୀର ବିଖ୍ୟାତ ସମାଜ ସେବୀ ହେଲେନ୍ କେଲର୍ |
ହେଲେନଙ୍କର ବୟସ ଯେତେବେଳେ ମାତ୍ର ଅଠର ମାସ, ଏକ ସଂକ୍ରମଣର ଶୀକାର
ହୋଇ ସେ ନିଜର ଦୁଇଟି ଇନ୍ଦ୍ରିୟ ହରାଇ ବସିଲେ : ଦର୍ଶନେନ୍ଦ୍ରିୟ ଏବଂ ଶ୍ରବଣେନ୍ଦ୍ରିୟ | ନିଜର
ସେହି ଅକ୍ଷମତା ଯୋଗୁଁ ତାଙ୍କ ସ୍ବଭାବରେ ଅତିଶୟ ରୁକ୍ଷତା ପରିଲକ୍ଷିତ ହେଉଥିଲା | କେହି ତାଙ୍କୁ
ସ୍ପର୍ଶ କଲେ, ସେ କ୍ରୋଧିତ ହୋଇ ଉଠୁଥିଲେ | ତାଙ୍କର ବୟସ ଯେତେବେଳେ ଛଅ ବର୍ଷ, ମା’ ତାଙ୍କୁ ନିକଟସ୍ଥ ଶାରୀରିକ ଅକ୍ଷମମାନଙ୍କର ଏକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ନେଇ ଗଲେ
| ବିଦ୍ୟାଳୟର ଅଧ୍ୟକ୍ଷା ଆନି ସୁଲିବାନ୍ ଯେତେବେଳେ ହେଲେନଙ୍କୁ ସ୍ପର୍ଶ କଲେ, ସେ ତାଙ୍କର ଚିରାଚରିତ କ୍ରୋଧପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିଥିଲେ | ତାହା ଦେଖି ଆନି
ସୁଲିବାନ୍ ହେଲେନଙ୍କର ମା’ଙ୍କୁ କହିଲେ, “ଆଜି ରାତିରେ ଝିଅକୁ ମୋ ପାଖରେ
ରହିବାକୁ ଦିଅନ୍ତୁ, ମୁଁ ତା’ ସହିତ ବାର୍ତ୍ତାଳାପ କରିବାକୁ ଚେଷ୍ଟା କରିବି |” ସେ ଗୋଟିଏ ପାଣି ଟ୍ୟାପ୍ ଖୋଲି ପାଣିର
ଧାରାରେ ହେଲେନଙ୍କର ଗୋଟିଏ ହାତକୁ ରଖିଲେ ଏବଂ ଅନ୍ୟ ହାତଟି ଉପରେ w-a-t-e-r ଲେଖିବାରେ ଲାଗିଲେ | ସେହି ଅନୁଭୂତି ହେଲେନଙ୍କ ମସ୍ତିଷ୍କରେ ଏକ ଆକସ୍ମିକ ସ୍ଫୁରଣ
ଉତ୍ପନ୍ନ କଲା ଏବଂ ସେ ହୃଦୟଙ୍ଗମ କଲେ ଯେ ପ୍ରତ୍ୟେକ ବସ୍ତୁର ଗୋଟିଏ ନାମ ରହିଛି | ତାଙ୍କର
ଇଚ୍ଛା ହେଲା ସେ ଆହୁରି କିଛି ନାମ ଶିଖିବେ | ସେଦିନ ରାତିକ ଭିତରେ ହେଲେନ୍ ତିରିଶଟି ବସ୍ତୁର
ନାମ ଶିଖିନେଲେ | ତାପରେ ଶିକ୍ଷା କରିବାରେ କୌଣସି ଶକ୍ତି ମଧ୍ୟ ହେଲେନଙ୍କର ଗତିରୋଧ କରିପାରିଲେ
ନାହିଁ, ତୀବ୍ର ବେଗରେ ସେ ଆଗକୁ ଆଗକୁ ବଢି ଚାଲିଲେ ଏବଂ ଅନ୍ଧମାନଙ୍କ ପାଇଁ ଉଦ୍ଦିଷ୍ଟ ବ୍ରେଲୀ
ବୁକ୍ ସାହାଯ୍ୟରେ ସେ ପୁସ୍ତକ ଅଧ୍ୟୟନ କରିବାରେ ଲାଗିଲେ | ଉଚ୍ଚ ଶିକ୍ଷା ପ୍ରାପ୍ତ କରିବାକୁ
ଯାଇ ହେଲେନ୍ ହାଭାର୍ଡ଼ ବିଶ୍ବ ବିଦ୍ୟାଳୟ ଅନ୍ତର୍ଗତ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରେଡକ୍ଲିଫ୍
କଲେଜରେ ଅଧ୍ୟୟନ କରିଥିଲେ | ତାପରେ ସାରା ବିଶ୍ବରେ ଭ୍ରମଣ କରି ସେ ଅନେକ ଲୋକ ହିତକର କାର୍ଯ୍ୟ
କରିଥିଲେ | କିନ୍ତୁ ସେଥିରେ ସେ ସନ୍ତୁଷ୍ଟ ହେଲେ ନାହିଁ , ସେ ଭାଷଣ ଦେବାକୁ ଇଚ୍ଛା କରୁଥିଲେ |
ସେଥିପାଇଁ, ଆନି ସୁଲିବାନ୍ କଥା କହୁଥିବା ବେଳେ ହେଲେନ୍ ତାଙ୍କର ଗଳା ଏବଂ ଓଠକୁ ସ୍ପର୍ଶ କରି ଶବ୍ଦ ଠଉରାଇବାକୁ
ଚେଷ୍ଟା କରୁଥିଲେ | ଆଶ୍ଚର୍ଯ୍ୟଜନକ ଭାବରେ, ସେଥିରେ ମଧ୍ୟ ସେ ସଫଳତା
ଅର୍ଜନ କରିଥିଲେ ଏବଂ ନିଜ ଭ୍ରମଣ ଯାତ୍ରାରେ ସ୍ଥାନେ ସ୍ଥାନେ ଭାଷଣ ଦେବାରେ ଲାଗିଲେ | ସତାଅଶୀ
ବର୍ଷର ଉତ୍ତୀର୍ଣ୍ଣ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା | ମୃତ୍ୟୁ ପୂର୍ବରୁ ସେ କହିଥିଲେ, “ ଏହି ସୃଷ୍ଟି କେତେ ସୁନ୍ଦର୍ ! ମୋ
ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ମୁଁ ଉପଭୋଗ କରିଛି |”
ହେଲେନ୍ କେଲରଙ୍କର ଜୀବନକୁ ଏଲବିସ୍
ପ୍ରିସଲୀଙ୍କର ଜୀବନ ସହିତ ତୁଳନା କରନ୍ତୁ | ହେଲେନଙ୍କ ପାଖରେ ଏପରି କ’ଣ ଥିଲା, ଯାହା ଏଲବିସ୍ ପ୍ରିସଲୀଙ୍କ ପାଖରେ ନ ଥିଲା ? ଜଣେ ପାଶ୍ଚାତ୍ୟ ଦାର୍ଶନିକ, ଜନ୍ ମିଲଟନ୍, ଏହାକୁ ଅତି ସୁନ୍ଦର ଭାବରେ ଅଭିବ୍ୟକ୍ତ କରିବାକୁ ଯାଇ କହିଥିଲେ, The mind is a
place of its own and in itself it can make heaven out of hell and hell out of
heaven. ମନ ଏକ ସ୍ବତନ୍ତ୍ର ଜଗତ ଅଟେ | ନିଜ
ବଳରେ ସେ ନର୍କରେ ସ୍ବର୍ଗ ସୃଷ୍ଟି କରିପାରେ ଏବଂ ସ୍ବର୍ଗରେ ନର୍କ ସୃଷ୍ଟି କରିପାରେ | ଆମର ଏହି
ମନ ଏତେ ଶକ୍ତିଶାଳୀ ଅଟେ ! ସ୍ବର୍ଗୀୟ ପ୍ରାଚୁର୍ଯ୍ୟ ମଧ୍ୟରେ ଅବସ୍ଥାନ କରି ଆମେ ନାରକୀୟ ଯାତନା
ଭୋଗ କରିପାରେ | କିମ୍ବା ମନ ଯଦି ନିଶ୍ଚଳ ଏବଂ ଶାନ୍ତ ହୋଇଥାଏ, ତେବେ ନର୍କରେ ରହି ମଧ୍ୟ ଆମେ ସ୍ବର୍ଗୀୟ ଆନନ୍ଦ ଅନୁଭବ କରିପାରେ | ଅତଏବ, ଆନନ୍ଦ ବାହ୍ୟ-ସମ୍ଭୂତ ନୁହେଁ, ଏହା ଆମ ନିଜ ମନର ଅବସ୍ଥା ଉପରେ
ନିର୍ଭରଶୀଳ ଅଟେ | ସୁଖ ପ୍ରାପ୍ତିର ଭ୍ରାନ୍ତିରେ ଯେଉଁମାନେ ବାହ୍ୟ ଉନ୍ନତି ଉଦ୍ଦେଶ୍ୟରେ
ଧଇଁବାରେ ଲାଗିଥାଆନ୍ତି, ସେମାନେ ବାସ୍ତବରେ ଏକ ମିଥ୍ୟା ମରୀଚିକାର ପଶ୍ଚାତ୍ ଧାବନ କରୁଥାଆନ୍ତି |
-----------xxxxx----------
Happiness
Challenge Day 11
Swami
Mukundananda
Comments
Post a Comment