ଧ୍ୟାନ ମାଧ୍ୟମରେ ଆତ୍ମସଂଯମ ଏବଂ ଇଚ୍ଛାଶକ୍ତିରେ ବୃଦ୍ଧି ---
ଏପରି କୁହାଯାଏ, ମହତ୍ ଜ୍ଞାନ ଅପ୍ରଚୁର ନୁହେଁ, କିନ୍ତୁ ବ୍ୟବହାରିକ କ୍ଷେତ୍ରରେ
ଉପଯୋଗରେ ନ ଆସିଲେ ତାହାର ମୂଲ୍ୟ କଣା ପଇସାକର ମଧ୍ୟ ନୁହେଁ | ଦୁନିଆର ସବୁ ଗ୍ରନ୍ଥାଗାରର
ଜ୍ଞାନ ଆମ ପାଖରେ ଥାଇପାରେ, କିନ୍ତୁ କାର୍ଯ୍ୟତଃ ଆମେ ଯଦି ତାହାର
ଉପଯୋଗ ନ କରିବା ତେବେ ତାହା ଆମର କୌଣସି ଉପକାରରେ ଆସିବ ନାହିଁ | ଜ୍ଞାନ ଏବଂ ତାହାର ଉପଯୋଗ
ମଧ୍ୟରେ ଥିବା ବ୍ୟବଧାନକୁ ଗୋଟିଏ ଶବ୍ଦ ମାଧ୍ୟମରେ ଲାଘବ କରାଯାଇ ପାରେ ଏବଂ ତାହା ହେଉଛି
‘ଅନୁଶାସନ’ | ଆନନ୍ଦ ଅଭିଯାନ ଶୃଂଖଳାର ସପ୍ତଦଶ ଦିବସରେ ଆଜି ଆମେ ଜୀବନରେ ଅନୁଶାସନ ଏବଂ ଆତ୍ମସଂଯମର
ମହତ୍ତ୍ବ ଉପରେ ବିଚାର କରିବା |
୧୯୫୦ ଦଶକରେ ଷ୍ଟାନଫୋର୍ଡର ୱାଲଟର
ମିସେଲ୍ ନାମକ ଜଣେ ଗବେଷକ ଚାରି ବର୍ଷର ଛୋଟ ପିଲାମାନଙ୍କର ଆତ୍ମସଂଯମ ଅଧ୍ୟୟନ କରିବା ନିମନ୍ତେ
ଏକ ପରୀକ୍ଷଣ କରିଥିଲେ | ତାଙ୍କର ପରୀକ୍ଷଣ ଅତ୍ୟନ୍ତ ଉଦ୍ଭାବକ ଥିଲା | ପ୍ରତି ପିଲାଙ୍କ
ସମ୍ମୁଖରେ ଗୋଟିଏ ଗୋଟିଏ ମିଷ୍ଟାନ୍ନ ପଦାର୍ଥ ରଖି ସେ ସେମାନଙ୍କୁ କହିଥିଲେ, “ଇଚ୍ଛା କଲେ ତୁମେ ବର୍ତ୍ତମାନ ଏହି ମିଠାଈକୁ ଖାଇ ପାରିବ | କିନ୍ତୁ ବର୍ତ୍ତମାନ ନ ଖାଇ
ଯଦି ତୁମେ ୨୦ ମିନିଟ୍ ଅପେକ୍ଷା କରିବ ତେବେ ଗୋଟିଏ ପରିବର୍ତ୍ତେ ମୁଁ ତୁମକୁ ଦୁଇଟି ମିଠାଈ
ଦେବି |” ଏତିକି କହି ପରୀକ୍ଷକ ସେହି କୋଠରୀ ଚାଲିଗଲେ ଏବଂ ବାହାରେ ଛପି ରହି ପିଲାମାନଙ୍କର
କାର୍ଯ୍ୟକଲାପକୁ ନିରୀକ୍ଷଣ କଲେ | ସେହି ପରିସ୍ଥିତିରେ, କିଛି ପିଲାଙ୍କ ପାଇଁ ଅପେକ୍ଷା କରିବାର
କୌଣସି କାରଣ ନ ଥିଲା – ସମ୍ମୁଖରେ ମିଠାଈ ରହିଛି, ବିଳମ୍ବ ନ କରି ତାହାକୁ ଖାଇ ଚାଲ | ଆଉ କିଛି ପିଲା ଦୁଇ-ତିନି ମିନିଟ୍ ନିଜକୁ ସଂଯତ କରି
ରଖିଲେ, ତାପରେ ଆଉ ସମ୍ଭାଳି ନ ପାରି ମିଠାଈଟି ଖାଇଦେଲେ | କିଛି ପିଲା ସାତ-ଆଠ ମିନିଟ୍ କାଳ ମନକୁ
ଏଣେତେଣେ ଲଗାଇ ମିଠା ଖାଇବାରୁ ନିଜକୁ ନିବୃତ୍ତ ରଖିବାକୁ ଚେଷ୍ଟା କଲେ | ତାପରେ ଆଉ ଅଧିକ ସମୟ
ଅପେକ୍ଷା କରି ନ ପାରି ମିଠାଈଟିକୁ ଖାଇବାରେ ଲାଗିଲେ | ଅଳ୍ପ କେତେ ଜଣ ଦୁଇଟି ମିଠାଈ ପାଇବା
ଆଶାରେ ଧୈର୍ଯ୍ୟର ସହିତ ଦୀର୍ଘ ୨୦ ମିନିଟ୍ ଅପେକ୍ଷା କଲେ ଏବଂ ଶେଷରେ ସେମାନେ ଦୁଇଟି ମିଠା
ଦ୍ବାରା ପୁରଷ୍କୃତ ହେଲେ |
ସେହି ପିଲାମାନେ ନିଜ ନିଜ ଜୀବନରେ
କିପରି ପ୍ରଦର୍ଶନ କରୁଛନ୍ତି, ତାହା ଜାଣିବା ପାଇଁ ଗବେଷକଙ୍କର
ଅଧ୍ୟୟନ ବହୁ ବର୍ଷ ପର୍ଯ୍ୟନ୍ତ ଜାରି ରହିଲା | ଏହି ଦୀର୍ଘକାଳୀନ ଅଧ୍ୟୟନର ଫଳସ୍ବରୂପ କିଛି
ମାଜାଦାର ତଥ୍ୟ ହସ୍ତଗତ ହେଲା | ଦେଖାଗଲା, ପରୀକ୍ଷଣରେ ଯେଉଁ
ପିଲାମାନେ ସର୍ବାଧିକ ଆତ୍ମସଂଯମ ପ୍ରଦର୍ଶନ କରିଥିଲେ, ସେମାନେ ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ଉତ୍କର୍ଷତା ହାସଲ କରିଥିଲେ | ସେମାନଙ୍କର ଉତ୍ତମ
ସ୍ବାସ୍ଥ୍ୟ ଥିଲା, ଶରୀରରେ ମେଦ ବହୁଳତା ପରିଲକ୍ଷିତ ହେଉ ନ ଥିଲା | ପାରସ୍ପରିକ ସମ୍ବନ୍ଧ କ୍ଷେତ୍ରରେ
ସେମାନଙ୍କର ଉପଯୋଜନ ଉତ୍ତମ ଥିଲା କାରଣ ସେମାନେ ନିଜର ଭାବନା ତଥା ମନୋଦଶାକୁ ନିୟନ୍ତ୍ରଣ କରି
ପାରୁଥିଲେ | ବିବାହ ବିଚ୍ଛେଦ, ଚାକିରୀରୁ ବରଖାସ୍ତ ଆଦି ଘଟଣା ସେମାନଙ୍କ ଜୀବନରେ କ୍ବଚିତ୍
ଦୃଷ୍ଟିଗୋଚର ହେଉଥିଲା ଏବଂ କୌଣସି ଅପରାଧିକ ରେକର୍ଡ଼ ମଧ୍ୟ ସେମାନଙ୍କର ନ ଥିଲା | ଅନ୍ୟ
ପକ୍ଷରେ, ଆତ୍ମସଂଯମର ସିଢିରେ ଯେଉଁ ପିଲାମାନେ ନିମ୍ନ ସୋପାନରେ ଥିଲେ, ଜୀବନରେ ସେମାନେ ସବୁ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିଲେ | ଅଧ୍ୟୟନରେ ମନୋନିବେଶ
କରି ନ ପାରି ସେମାନେ ପାଠ୍ୟକ୍ରମର ମଧ୍ୟ ଭାଗରେ ସ୍କୁଲ୍/କଲେଜ ଛାଡି ଦେଉଥିଲେ |
କର୍ମକ୍ଷେତ୍ରରେ ଉପଯୋଜନ କରି ନ ପାରି ଚାକିରୀ ହରାଇ ବସୁଥିଲେ | ବିବାହ ବିଚ୍ଛେଦ ସେମାନଙ୍କ
କ୍ଷେତ୍ରରେ ଅତି ସାଧାରଣ ଥିଲା ଏବଂ ସେମାନଙ୍କ ମଧ୍ୟରୁ ଅନେକ ବାରମ୍ବାର ଜେଲ୍ ଯାଉଥିବାର
ଦୃଷ୍ଟାନ୍ତ ମଧ୍ୟ ରହିଥିଲା | ଅତଏବ, ପରୀକ୍ଷଣର ପରବର୍ତ୍ତୀ ପର୍ଯ୍ୟବେକ୍ଷଣରୁ
ଏହା ସ୍ପଷ୍ଟ ହୋଇଥିଲା ଯେ ମାନବ ପ୍ରୟାସର ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସମ୍ବନ୍ଧ ପ୍ରତ୍ୟକ୍ଷ
ରୂପରେ ଇଚ୍ଛାଶକ୍ତି-ଆଧାରିତ ଅନୁଶାସନ ଏବଂ ଆତ୍ମସଂଯମ ସହିତ ରହିଛି |
ପରୀକ୍ଷଣ ଫଳାଫଳର ବିଶ୍ଳେଷଣାତ୍ମକ
ଅନୁଧ୍ୟାନ କରି ସାମାଜିକ ଅନୁସନ୍ଧାନକାରୀମାନେ ଏହା ପାଇଥିଲେ ଯେ ପ୍ରତ୍ୟେକ କ୍ଷେତ୍ରରେ
ମନୁଷ୍ୟର ଦକ୍ଷତା ସହିତ ସେମାନଙ୍କ ବ୍ୟକ୍ତିତ୍ବର ଦୁଇଟି ଗୁଣ ପ୍ରତ୍ୟକ୍ଷ ଭାବରେ ସମ୍ବନ୍ଧିତ
ଅଟନ୍ତି – ବୁଦ୍ଧି ବା ପ୍ରଜ୍ଞା ଏବଂ ଇଚ୍ଛାଶକ୍ତି | ବୁଦ୍ଧି ସାଧାରଣତଃ ଜନ୍ମଜାତ ଅଟେ, ତେଣୁ ଏହାକୁ ଅଧିକ ବିକଶିତ କରିବା ଦିଗରେ ବ୍ୟକ୍ତି ବେଶୀ କିଛି କରି ପାରେନାହିଁ |
କିନ୍ତୁ ଇଚ୍ଛାଶକ୍ତିରେ ତାରତମ୍ୟ କରିବା ଆମ ହାତର କଥା ଅଟେ | ଆଧୁନିକ ସମାଜ ବ୍ୟବସ୍ଥାରେ
ଇଚ୍ଛାଶକ୍ତିର ପ୍ରଭାବ ବହୁତ ଅଧିକ ଅନୁଭୂତ ହୋଇଥାଏ | କିଛି ଶତାବ୍ଦୀ ପୂର୍ବରୁ, ଆମର ପୂର୍ବଜମାନଙ୍କ କ୍ଷେତ୍ରରେ ଇଚ୍ଛାଶକ୍ତିକୁ ପ୍ରଭାବିତ କରିବା ପରି ବିଶେଷ ବିକଳ୍ପର
ଉପସ୍ଥିତି ନ ଥିଲା | ଆଜିକାଲି କିନ୍ତୁ ଅଫିସରେ ଆମର ଯଦି ଉଚ୍ଚ ଅଧିକାରୀଙ୍କ ପାଇଁ ମେମୋ
ପ୍ରସ୍ତୁତ କରିବା ପରି ନୀରସ କାମରେ ମନ ଥକି ଯାଏ, ତେବେ ମାଉସରେ ସାମାନ୍ୟ ଚାପ ଦେଇ ଇଣ୍ଟରନେଟ୍
ଖୋଲି ଆମେ ସାରା ବିଶ୍ବ ଭ୍ରମଣ କରି ଆସିପାରିବା | ଅତଏବ, ଇଣ୍ଟରନେଟରେ ବିଭିନ୍ନ ପ୍ରକାରର ସାମାଜିକ ମାଧ୍ୟମ, ଭିଡିଓ ଗେମ୍ ଇତ୍ୟାଦି ଏବଂ ଦୂରଦର୍ଶନରେ ଚାନେଲମାନଙ୍କର ବୃଦ୍ଧି ଯୋଗୁଁ ଆଜିକାଲି ଆମ
ଇଚ୍ଛାଶକ୍ତି ଉପରେ ଚାପ ବହୁଗୁଣିତ ହୋଇ ଯାଇଛି | ସେ କ୍ଷେତ୍ରରେ ଇଚ୍ଛାଶକ୍ତିକୁ ଦୃଢ କରିବା
ପାଇଁ ଆମେ କ’ଣ କରିବା ଆବଶ୍ୟକ | ସୌଭାଗ୍ୟବଶତଃ, ଆମ ଶରୀରର ମାଂସପେଶୀ ପରି
ଇଚ୍ଛାଶକ୍ତିକୁ ମଧ୍ୟ ଅଭ୍ୟାସ ଦ୍ବାରା ଦୃଢ କରାଯାଇ ପାରିବ | ଉଦାହରଣ ସ୍ବରୂପ, ଆମେ ଯଦି ବହୁତ ସମୟ ଟାଇପ୍ କରୁଥିବା, ତେବେ ଆମ ମସ୍ତିଷ୍କର
ଯେଉଁ ଭାଗ ଟାଇପ୍ କରିବାରେ ନିୟୋଜିତ ହୋଇଥାଏ, ତାହାର କ୍ଷେତ୍ର ଅଧିକ
ବିକଶିତ ହେବ | ସେହିପରି, ଇଚ୍ଛାଶକ୍ତିର କେନ୍ଦ୍ର ଆମ ମସ୍ତିଷ୍କର ଅଗ୍ର ସମ୍ମୁଖ ଭାଗ ଅଟେ | ଇଚ୍ଛାଶକ୍ତିର ଅଧିକ
ଉପଯୋଗ କରିବା ଦ୍ବାରା ଏହା ଅଧିକ ବିକଶିତ ହୋଇଥାଏ |
ଏତଦ୍ ବ୍ୟତିତ, ଆତ୍ମସଂଯମ ଏବଂ
ଇଚ୍ଛାଶକ୍ତିକୁ ବୃଦ୍ଧି କରିବାର ସର୍ବୋତ୍ତମ ସାଧନ ଧ୍ୟାନ ଅଟେ | ଧ୍ୟାନ ଏପରି ଏକ ଅଭ୍ୟାସ ଅଟେ,
ଯେଉଁଥିରେ ଆମେ ଆନନ୍ଦଦାୟକ ହୋଇଥିଲେ ବି ବିଭ୍ରାନ୍ତିକର ବିଷୟରୁ ମନକୁ ହଟାଇ ଏକମାତ୍ର
ଧ୍ୟାନସ୍ଥ ବିଷୟରେ ମନକୁ କେନ୍ଦ୍ରିତ କରିଥାଏ | ଗବେଷଣାତ୍ମକ ଅନୁଧୟନରୁ ଜଣାପଡିଛି, କେବଳ ତିନି ଘଣ୍ଟା ଧ୍ୟାନ କରିବାର ଫଳ ସ୍ବରୂପ ମସ୍ତିଷ୍କର କାର୍ଯ୍ୟକାରିତାରେ
ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଥାଏ ଏବଂ ସେହି ଧ୍ୟାନ ଯଦି ଅବାରିତ ଏଗାର ଘଣ୍ଟା ଧରି କରାଯାଏ, ତେବେ ମସ୍ତିଷ୍କର କ୍ରିୟା ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇଯାଏ | ସୁତରାଂ, ଧ୍ୟାନ ରୂପୀ ଉପକରଣ ସାହାଯ୍ୟରେ ଆମେ ନିଜ ଆତ୍ମସଂଯମ ଏବଂ ଇଚ୍ଛାଶକ୍ତିର ଅଭିବୃଦ୍ଧି
କରିବା ଆବଶ୍ୟକ, ଯଦ୍ବାରା ଜୀବନର ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ କର୍ମରେ ଆମେ
ନିଜର ଦକ୍ଷତା ବୃଦ୍ଧି କରିପାରିବା |
------------xxxxxx-----------
Happiness
Challenge Day 17
Swami
Mukundananda
Comments
Post a Comment