ଅଭ୍ୟାସ ପରିବର୍ତ୍ତନ କରି ଜୀବନକୁ ପରିବର୍ତ୍ତିତ କରିବା----
ଅଭ୍ୟାସ କ’ଣ ? ଏହାକୁ ଏକ କେବୁଲ୍ ସହିତ ତୁଳନା କରାଯାଇ ପାରେ | ଗୋଟିଏ ଗୋଟିଏ ତାର ଯୋଡି କେବୁଲ୍ ବା
ଏକ ତାରଗୁଚ୍ଛ ସୃଷ୍ଟି ହୋଇଥାଏ ଯାହା ଏତେ ଶକ୍ତ ଯେ ଆପଣ ତାହାକୁ ହାତରେ ଭାଙ୍ଗିପାରିବେ ନାହିଁ
| ସେହିପରି, ଭଲ ହେଉ କି ମନ୍ଦ ହେଉ ଛୋଟ ଛୋଟ କ୍ରିୟା, ଯାହାର ପୁନରାବୃତ୍ତି
ଆମେ ଦିନ ଦିନ ଧରି ବାରମ୍ବାର କରିଥାଏ, ତାହା ଆମର ଅଭ୍ୟାସରେ ପରିଣତ ହୋଇଯାଏ |
ଭଲ ଅଭ୍ୟାସ ଆମକୁ ଶୀର୍ଷକୁ ଉନ୍ନୀତ କରିପାରେ, ଯେତେବେଳେ କି ମନ୍ଦ
ଅଭ୍ୟାସ ଆମକୁ ନିମ୍ନତମ ପାତାଳକୁ ନିକ୍ଷେପ କରିପାରେ | ଆନନ୍ଦ ଅଭିଯାନ ଶୃଂଖଳାର ଅଷ୍ଟାଦଶ
ଦିବସରେ ଆଜି ଆମେ ଆଲୋଚନା କରିବା ଅଭ୍ୟାସଟିଏ ବିକଶିତ ହେବାର ପ୍ରକ୍ରିୟା କ’ଣ ଏବଂ ତାହା କିପରି ଭାବରେ ଆମ ଜୀବନର ଗୁଣବତ୍ତା ଉନ୍ନତ କରିବା ଦିଗରେ ସହାୟକ ହୋଇଥାଏ |
ଆମ୍ଭମାନଙ୍କର ମସ୍ତିଷ୍କ ଗୋଟିଏ ଅତି
ଆଶ୍ଚର୍ଯ୍ୟ ଧରଣର ଯାନ୍ତ୍ରିକ ବ୍ୟବସ୍ଥା ଅଟେ | ଆମେ ଯେତେବେଳେ କୌଣସି ଶାରୀରିକ ଅଥବା ମାନସିକ
କାର୍ଯ୍ୟ କରିଥାଏ, ଆମ ସ୍ନାୟୁ ମଣ୍ଡଳର ସମ୍ବେଦୀ-ପ୍ରେରକ ଅଂଚଳ, ନୂତନ ବହିରାବରଣ, ଏବଂ ବହିରାବରଣର ଅଗ୍ର ସମ୍ମୁଖ ଭାଗରେ ଥିବା ସ୍ନାୟୁମାନେ ସକ୍ରିୟ ହୋଇଥାଆନ୍ତି | କାର୍ଯ୍ୟଟିର
ବାରମ୍ବାର ପୁନରାବୃତ୍ତି ଘଟିଲେ ମସ୍ତିଷ୍କରେ ସେହି କାର୍ଯ୍ୟଟି ପାଇଁ ଏକ ସ୍ନାୟୁ ପରିପଥ
ସ୍ଥାପିତ ହୋଇଯାଏ, ଯାହାକୁ ଆମେ ପ୍ରୋଗ୍ରାମ୍ କହିଥାଏ | ସେହି ପ୍ରୋଗ୍ରାମ୍ ସମ୍ବନ୍ଧୀୟ ତଥ୍ୟ ମସ୍ତିଷ୍କର
ବେସାଲ୍ ଗାଙ୍ଗଲିଆ ଅଂଚଳରେ ଗଚ୍ଛିତ ରହିଥାଏ | ତାପରେ କାର୍ଯ୍ୟଟି ସ୍ବତଃ ହେବାରେ ଲାଗେ |
ପ୍ରତ୍ୟେକ ଅଭ୍ୟାସର ତିନୋଟି ଅଙ୍ଗ ରହିଛି – ସୂତ୍ର ବା ଉଦ୍ଦୀପକ, ପ୍ରୋଗ୍ରାମ୍ ହୋଇଥିବା କ୍ରିୟା ଏବଂ ପୁରଷ୍କାର | ମନେକରନ୍ତୁ, ଏକ ମାସ ଧରି ଆପଣ ଦୈନିକ ଅଫିସରୁ ଫେରିବା ପରେ ନିଜ ବୈଠକ ଖାନାର ସୋଫାରେ ବସି ଟି.ଭି.
ଦେଖିବା ସହିତ କଫି ପିଅନ୍ତି | ଏହି ଅଭ୍ୟାସରେ ଆପଣ ଘରକୁ ଫେରି ସୋଫାରେ ବସିବା ଉଦ୍ଦୀପକ ବା
ସୂତ୍ର ଅଟେ, ଯାହା ଆପଣଙ୍କ ମସ୍ତିଷ୍କରେ ପୂର୍ବରୁ ପ୍ରୋଗ୍ରାମ୍ ହୋଇଥିବା କ୍ରିୟାର ଉଦ୍ରେକ କଲା ଏବଂ
ଆପଣ କଫି ପିଇବାକୁ ଇଚ୍ଛା କଲେ | ତାପରେ ଯେତେବେଳେ ଆପଣ କଫି ପିଇଲେ, ଆପଣଙ୍କୁ ଆନନ୍ଦ ମିଳିଲା ବା ଏପରି
କୁହାଯାଇ ପାରେ ଯେ ଆପଣଙ୍କୁ ଆନନ୍ଦ-ପ୍ରାପ୍ତି ରୂପୀ ପୁରଷ୍କାର ମିଳିଲା | ପୁରଷ୍କାରଟି
ଆପଣଙ୍କର ଅଭ୍ୟାସ ବଳୟ (ସୂତ୍ର-କ୍ରିୟା-ପୁରଷ୍କାର) କୁ ପରିପୁଷ୍ଟ କଲା | ମସ୍ତିଷ୍କ ଏପରି ଏକ
ଚମତ୍କାର ଯନ୍ତ୍ର, ଯାହା ବାହ୍ୟ ପୁରଷ୍କାର ଅଭାବରେ ମଧ୍ୟ ଭିତରେ ନିଜ ପାଇଁ ପୁରଷ୍କାର ସୃଷ୍ଟି କରିପାରେ |
ଅଭ୍ୟାସ ବଳୟକୁ ପରିପୁଷ୍ଟ କରିବାକୁ ଯାଇ ମସ୍ତିଷ୍କରେ ଡୋପାମାଇନ୍, ଏଣ୍ଡୋର୍ଫିନ୍, ସେରୋଟୋନିନ୍
ଆଦି ରସ କ୍ଷରଣ ହୋଇଥାଏ ଯାହା ସ୍ବତଃ ଆମକୁ ଆନନ୍ଦର ଅନୁଭବ କରାଇ ଥାଏ | ଅଭ୍ୟାସଟି ଭଲ କି ମନ୍ଦ, ମସ୍ତିଷ୍କ ସେଥିପ୍ରତି ଧ୍ୟାନ ଦେଇ ନ ଥାଏ | ମସ୍ତିଷ୍କରେ ଯଦି ଗୋଟିଏ ମନ୍ଦ ଅଭ୍ୟାସ
ପ୍ରୋଗ୍ରାମ ହୋଇଥିବ ତେବେ ଅନୁରୂପ ମନ୍ଦ ବିଚାର ଏବଂ ମନ୍ଦ କାର୍ଯ୍ୟ ସହଜରେ ହେବାରେ ଲାଗିବ |
ଉଦ୍ଦୀପକର ଉପସ୍ଥିତିରେ ମସ୍ତିଷ୍କରେ ପ୍ରୋଗ୍ରାମ ହୋଇଥିବା ବିଚାର ବା କ୍ରିୟା ସହଜରେ ଉଦ୍ରେକ
ହୋଇଥାଏ | ବାରମ୍ବାର ସେହି ବିଚାର ବା କ୍ରିୟାଟିକୁ ଦୋହରାଇବାର ପରିଣତି ସ୍ବରୂପ ଅଭ୍ୟାସ ବଳୟ
ଅଧିକରୁ ଅଧିକ ପରିପୁଷ୍ଟ ହୋଇଥାଏ ଏବଂ କ୍ରିୟାଟି ସ୍ବତଃ ହେବାରେ ଲାଗେ |
ଏହା ଆମ ସମସ୍ତଙ୍କର ଅନୁଭବ ଯେ ମନ୍ଦ
ଅଭ୍ୟାସଟିଏ ଅତି ସହଜରେ ସୃଷ୍ଟି ହୋଇଯାଏ, କିନ୍ତୁ ତାହା ସହିତ ଜୀବନ ନିର୍ବାହ କରିବା ଅତ୍ୟନ୍ତ ଦୁଃଖଦାୟୀ ହୋଇଥାଏ | ଅନ୍ୟ ପକ୍ଷରେ, ବ୍ୟକ୍ତିତ୍ବରେ ଉତ୍ତମ ଅଭ୍ୟାସଟିଏ ପ୍ରତିଷ୍ଠିତ କରିବା ପାଇଁ କଠିନ ସାଧନା କରିବାକୁ
ପଡିଥାଏ, କିନ୍ତୁ ତାହା ସହିତ ଜୀବନ ନିର୍ବାହ କରିବା ଅତ୍ୟନ୍ତ ସୁଖକର ହୋଇଥାଏ | ଏତଦ୍ ବ୍ୟତିତ, ଉତ୍ତମ ଅଭ୍ୟାସର ଅନ୍ୟ ଏକ ଉପକାରିତା ମଧ୍ୟ ରହିଛି | ଆମର ଇଚ୍ଛାଶକ୍ତିକୁ ଅଧିକ ଆଲୋଡିତ ନ
କରି ଏହା ଆମକୁ ଜୀବନର ମାନ ବୃଦ୍ଧି କରିବାକୁ ସକ୍ଷମ କରିଥାଏ | କିନ୍ତୁ ଏହା ଅସ୍ବୀକାର କରାଯାଇ
ପାରିବ ନାହିଁ ଯେ ଉତ୍ତମ ଅଭ୍ୟାସଟିଏ ସୃଷ୍ଟି କରିବା ପାଇଁ ସର୍ବପ୍ରଥମେ ଆମକୁ ଇଚ୍ଛାଶକ୍ତି
ବିନିଯୋଗ କରି ସେଥିପାଇଁ ଆବଶ୍ୟକୀୟ ସଂଯମ ଆଚରଣ କରିବାକୁ ପଡିଥାଏ | ଯେପରି କି, କିଛି ଲୋକ ଅଛନ୍ତି ଯେଉଁମାନେ ଯେତିକି ଉପାର୍ଜନ କରନ୍ତି, ସେତିକି ଖର୍ଚ୍ଚ କରିଦିଅନ୍ତି | ଯେଉଁମାନେ ଅପେକ୍ଷାକୃତ ବୁଦ୍ଧିମାନ ଅଟନ୍ତି, ସେମାନେ ନିଜ ଆୟର କିଛି ଅଂଶ ସଞ୍ଚୟ କରିବା ସହିତ ଏକ ଆରାମଦାୟକ ଭବିଷ୍ୟତକୁ ଦୃଷ୍ଟିରେ
ରଖି ତାହାକୁ ପୁଞ୍ଜି ଭାବରେ ବିନିଯୋଗ କରିଥାଆନ୍ତି | ସେହିପରି, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆମେ ହୁଏତ
ପ୍ରତ୍ୟେକ ଥର ପ୍ରଲୋଭନରୁ ମୁକ୍ତ ରହିବା ପାଇଁ ଏବଂ ସଫଳତା ହାସଲ କରିବା ପାଇଁ ଇଚ୍ଛାଶକ୍ତିର
ପ୍ରୟୋଗ କରି ଆବଶ୍ୟକୀୟ ସଂଯମ ଆଚରଣ କରିପାରେ | ଅଥବା ପ୍ରତ୍ୟେକ ଦିନ କିଛି ସମୟ ଇଚ୍ଛାଶକ୍ତିର
ଉପଯୋଗ ଦ୍ବାରା ସଂଯମ ଆଚରଣ କରି ନିଜ ଭିତରେ ସେହିପରି ଏକ ଉତ୍ତମ ଅଭ୍ୟାସ ବିକଶିତ କରିବା ଯାହା
ଫଳରେ ପ୍ରତ୍ୟେକ କ୍ଷେତ୍ରରେ ସଂଯମିତ ରହିବା ପାଇଁ ଆମକୁ ଚେଷ୍ଟା କରିବାକୁ ପଡିବ ନାହିଁ, ତାହା ସ୍ବତଃ ହେବାରେ ଲାଗିବ | ଅତଏବ, ନିଜ ଭିତରେ ମନ୍ଦ
ଅହିତକର ଅଭ୍ୟାସର ବିଲୋପନ କରି ଏବଂ ଉନ୍ନତ ଅଭ୍ୟାସ ପ୍ରତିଷ୍ଠିତ କରି ଆମେ କିପରି ଭାବରେ ନିଜର
କଲ୍ୟାଣ କରିପାରିବା, ସେହି ଦିଗରେ ଆମେ ଚିନ୍ତା କରିବା ଆବଶ୍ୟକ | ସେଥିପାଇଁ ନିଜ ଭିତରେ ଆମେ ଯେଉଁସବୁ ଉତ୍ତମ
ଅଭ୍ୟାସକୁ ପ୍ରତିଷ୍ଠିତ କରିବାକୁ ଇଚ୍ଛା କରୁଅଛେ, ତାହାର ଏକ ତାଲିକା ପ୍ରସ୍ତୁତ କରିବା ଏବଂ ନିଜ ଇଚ୍ଛାଶକ୍ତିର ପ୍ରୟୋଗ କରି ସେହି ଦିଗରେ
ପ୍ରୟାସ କରିବା |
------------xxxxxx-----------
Happiness Challenge Day 18
Swami
Mukundananda
Comments
Post a Comment