ଜୀବନରେ ବାଧା ଅସୁବିଧାର ସମ୍ମୁଖୀନ ହେବା କିପରି ---

ନ୍ୟୁୟର୍କସ୍ଥିତ ଗୋଟିଏ କମ୍ପାନୀର ଜଣେ ସେବା ଯନ୍ତ୍ରୀ ଦିନେ ସନ୍ଧ୍ୟାରେ ନିଜର ଇମେଲ୍ ଯାଞ୍ଚ କରିବାକୁ ଯାଇ ଦେଖିଲେ ତାଙ୍କ ପାଖକୁ ଜାକସନଭିଲେ, ଫ୍ଲୋରିଡାର ଏକ କମ୍ପାନୀରୁ ଗୋଟିଏ ଅଧିଯାଚନା ଆସିଛି, “ ଆସନ୍ତା କାଲି ଏଠାକୁ ଆସି ଆପଣଙ୍କ କମ୍ପାନୀରୁ କ୍ରୟ କରାଯାଇଥିବା ମେସିନ୍ ମରାମତି କରନ୍ତୁ |” ଅନ୍ୟ ଏକ ଇମେଲ୍ ବାକସର୍ଫିଲଡ୍, କାଲିଫର୍ନିଆରୁ ଆସିଥିଲା ଯେଉଁଥିରେ ସେମାନେ ଅତ୍ୟାଗ୍ରହ କରିଥିଲେ, “ଆମର କାରଖାନା ପ୍ରାୟତଃ ଅଚଳ ଅବସ୍ଥାକୁ ଆସିଯାଇଛି | ଯେପରି ହେଉ ଆପଣ ଆସନ୍ତା କାଲି ଆସି ଆପଣଙ୍କର ମେସିନକୁ ଠିକ୍ କରି ଯାଆନ୍ତୁ |” ଏକ ସମୟରେ ଦୁଇଟିଯାକ ସମସ୍ୟାର ସମାଧାନ କିପରି କରିବେ, ସେହି କଥା ଭାବି ଭାବି ବ୍ୟକ୍ତି ଜଣକ ସେଦିନ ରାତିରେ ଶୋଇବାକୁ ଗଲେ | ପରଦିନ ସକାଳେ ସେ ମିଡଫିଲଡ଼ରୁ ଅନ୍ୟ ଏକ ବାର୍ତ୍ତା ପାଇଲେ ଯେ ଯେତେ ଶୀଘ୍ର ସମ୍ଭବ ଏଠାକୁ ଆସି ଆପଣଙ୍କର ମେସିନକୁ ଠିକ୍ କରି ଯାଆନ୍ତୁ, ନଚେତ୍ ଆମେ ଆପଣଙ୍କ କମ୍ପାନୀକୁ ଦେଇଥିବା ଅର୍ଡର୍ ବାତିଲ୍ କରିଦେବୁ | ବ୍ୟକ୍ତି ଜଣକ ତରବରରେ ଜଳଖିଆକୁ ପାଟିରେ ପୂରାଇ, ନିଜ ବ୍ୟାଗ୍ ସଜାଡି ଘରୁ ବାହାରି ଗଲେ ଏବଂ ରାସ୍ତାରେ ଟ୍ୟାକ୍ସିକୁ ଅଟକାଇଲେ | ଟ୍ୟାକ୍ସି ଚାଳକ ପଚାରିଲେ, “ସାହେବ ! କେଉଁଠିକୁ ଯିବେ ?” ବ୍ୟକ୍ତି ଜଣକ ଅସ୍ତବ୍ୟସ୍ତ ହୋଇ କହିଲେ, “ତୁମର ଯେଉଁଠିକୁ ଇଚ୍ଛା, ମୋତେ ନେଇଚାଲ | ସର୍ବତ୍ର ମୋ ଆଗରେ କେବଳ ସମସ୍ୟା ହିଁ ସମସ୍ୟା ରହିଛି |” ଜୀବନରେ ଅଧିକାଂଶତଃ ଆମ୍ଭମାନଙ୍କର ଏହିପରି ଅନୁଭବ ହୋଇ ନ ଥାଏ କି ? କିନ୍ତୁ କଣ କରାଯିବ ? ସମସ୍ୟା ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ଅଟେ, ଆମେ କେହି ମଧ୍ୟ ତାହାକୁ ସମ୍ପୂର୍ଣ୍ଣ ଭାବରେ ଏଡାଇ ପାରିବା ନାହିଁ | ତେଣୁ ତାହା ସହିତ ଉପଯୋଜନ କରିବା ନିମନ୍ତେ ଆମକୁ କିଛି ସମାଧାନର ସୂତ୍ର ଖୋଜିବାକୁ ପଡିବ | ଆନନ୍ଦ ଅଭିଯାନ ଶୃଂଖଳାର ଉନବିଂଶ ଦିବସରେ ଆଜି ଆମେ ଆଲୋଚନା କରିବା, ନିଜର ଆନନ୍ଦକୁ ଜଳାଞ୍ଜଳୖ ନ ଦେଇ କିପରି ଭାବରେ ଆମେ ଜୀବନରେ ଆସୁଥିବା ବାଧାବିଘ୍ନ ଏବଂ ଅସୁବିଧାର ସମ୍ମୁଖୀନ ହୋଇପାରିବା |

ଗୋଟିଏ ଝିଅ, ନୂଆ ନୂଆ କଲେଜରେ ପଢିବାକୁ ଯାଇ, କଲେଜ ଛାତ୍ରୀନିବାସରେ ରହିଲା | ସେଠାରେ ରହିବାର ତିନି ମାସ ପରେ ସେ ନିଜ ମାଙ୍କୁ ଗୋଟିଏ ଚିଠି ଲେଖିଲା | ଚିଠିରେ ଝିଅଟି ଲେଖିଥିଲା, ମମ୍ମୀ ! ଆଜି ମୁଁ ତୁମ ଆଗରେ ଏହି ସ୍ବୀକାରୋକ୍ତି ପ୍ରସ୍ତୁତ କରିବାକୁ ଇଚ୍ଛା କରୁଛି ଯେ ହଷ୍ଟେଲରେ ରହିବାର ଗୋଟିଏ ମାସ ପରେ ମୁଁ ନିଜ ରୁମରେ ରହୁଥିବା ସହପାଠୀର ଆଲମାରୀରୁ ୧୦୦ ଟଙ୍କା ଚୋରୀ କରି ଗୋଟିଏ ମୋଟୋର୍ ସାଇକେଲ୍ ଭଡାରେ ନେଲି | ଦୁର୍ଭାଗ୍ୟବଶତଃ, ସେହି ମୋଟୋର୍ ସାଇକେଲଟି ଚଳାଇ ଯାଉଥିବା ବେଳେ ତାହା ଏକ ବତୀଖୁଣ୍ଟରେ ଧକ୍କା ହୋଇ ମୋର ଗୋଟିଏ ଗୋଡ ଭାଙ୍ଗିଗଲା | କିନ୍ତୁ ମମ୍ମୀ ! ସେହି ବିଷୟକୁ ନେଇ ବେଶୀ ଚିନ୍ତିତ ହେବାର ଆବଶ୍ୟକତା ନାହିଁ କାରଣ ତାପରେ ପାଖ ଗଳିର ଜଣେ ସୁନ୍ଦର ଯୁବା ଡାକ୍ତର ମୋତେ ତାଙ୍କ ଘରକୁ ନେଇ ମୋର ସେବା ଯତ୍ନ କରିଥିଲେ | ମମ୍ମୀ ! ମୁଁ ତୁମକୁ ଏହା ଜଣାଇବାକୁ ଇଚ୍ଛା କରୁଛି ଯେ ତାଙ୍କ ଘରେ ରହିବା ଭିତରେ ଆମେ ଦୁହେଁ ପରସ୍ପରକୁ ଭଲ ପାଇ ବସିଲୁ ଏବଂ ଆମେ ବିବାହ କରିବାକୁ ସ୍ଥିର କଲୁ | ଏଥିରେ କେବଳ ଛୋଟ ଗୋଟିଏ ସମସ୍ୟା ରହିଛି ଯେ ରକ୍ତ ପରୀକ୍ଷଣରୁ ତାଙ୍କଠାରେ ଏକ ବ୍ୟାଧି ଥିବା କଥା ଜଣାପଡିଲା | ତେବେ ଆମେ ଦୁହେଁ ଆଶା କରୁଅଛୁ, ଗର୍ଭାଧାନ ପୂର୍ବରୁ ସେହି ସମସ୍ୟାର ସମାଧାନ ହୋଇଯିବ |

ଚିଠିଟିକୁ ପଢି ମାଙ୍କର ମନ ଅଧୀର ହୋଇ ଉଠିଲା – “ମୋ ଝିଅ ଜୀବନରେ ଏପରି ଘଟଣା କାହିଁକି ଘଟିଲା ?”  ତାପରେ ଚିଠିଟିକୁ ଶେଷ କରିବାକୁ ଯାଇ ଝିଅଟି ଲେଖିଥିଲା – ମମ୍ମୀ ! ବାସ୍ତବରେ ଚିଠିରେ ଏ ପର୍ଯ୍ୟନ୍ତ ମୁଁ ଯାହା ସବୁ ଲେଖିଲି, ତାହା ସମ୍ପୂର୍ଣ ମିଥ୍ୟା ଅଟେ | ସତ କେବଳ ଏତିକି ଯେ ଗଣିତରେ ମୁଁ ‘ଏଫ୍ ଗ୍ରେଡ୍ ପାଇଛି, ଅର୍ଥାତ୍ ଫେଲ୍ ହୋଇଯାଇଛି | (ମା ଶାନ୍ତିରେ ନିଃଶ୍ବାସ ମାରିଲେ |) ଝିଅଟି ଲେଖିଲା, ମମ୍ମୀ ! ଚିଠିରେ ଏତେ ସବୁ ମିଥ୍ୟା ଆଖ୍ୟାନ ବର୍ଣ୍ଣନା କରିବା ପଛରେ ମୋର ଉଦ୍ଦେଶ୍ୟ କେବଳ ଏତିକି ଥିଲା ଯେ ବାସ୍ତବ ଘଟଣାର ତର୍ଜମା ତୁମେ ଉପଯୁକ୍ତ ଦୃଷ୍ଟିକୋଣରୁ କରିବ – ଏହା କେବଳ ଏକ ‘ଏଫ୍ ଅଟେ, ସଂସାରର ଅନ୍ତ ନୁହେଁ | ଉପର ବର୍ଣ୍ଣନା ପ୍ରକାରେ, ସମସ୍ୟାଟି ଏହାଠାରୁ ମାତ୍ରାଧିକ ଗୁରୁତ୍ତର ହୋଇପାରି ଥାଆନ୍ତା | ଠିକ୍ ସେହିପରି, ଚତୁର୍ଦ୍ଦିଗରୁ ସମସ୍ୟାମାନେ ଯେତେବେଳେ ଆମ ଉପରେ ଅଜାଡି ହୋଇ ପଡନ୍ତି, ସେତେବେଳେ ଆମେ ଟିକିଏ ରହିଯାଇ ଉପଯୁକ୍ତ ଦୃଷ୍ଟିକୋଣରୁ ତାହାର ସମୀକ୍ଷା କରିବା ଆବଶ୍ୟକ – ବାସ୍ତବରେ ମୁଁ ଯେପରି ଭାବୁଛି, ଏହା କଣ ସେତେ ବଡ ଏକ ସମସ୍ୟା ଅଟେ ? ତାପରେ ଆମେ ବୁଝିପାରିବା, ସଂସାରରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ସମସ୍ୟା ଏହାଠାରୁ ବହୁତ ବଡ ଅଟେ | ତା ତୁଳନାରେ ଆମର ସମସ୍ୟା ଅତି ନଗଣ୍ୟ ଅଟେ |

ଜୀବନ ଯାତ୍ରାରେ ସମସ୍ୟା ନିଶ୍ଚୟ ଆସିବ | ଆପଣ ଯଦି ପର୍ବତାରୋହଣ କରିବାକୁ ଇଚ୍ଛା କରୁଥିବେ, ଆପଣଙ୍କର ରାସ୍ତା କେଉଁ ପ୍ରକାରର ହୋଇଥିବ ବୋଲି ଆପଣ ଅନୁମାନ କରୁଛନ୍ତି ? ନିଶ୍ଚିତ ଭାବରେ ସେଥିରେ ଉଠାଣି ହିଁ ଉଠାଣି ରହିଥିବ | ଆପଣ ସେଥିରେ ଗଡାଣି ଆଶା କରିବା ବୃଥା | ସେହିପରି, ଜୀବନରେ ଆପଣ ଯଦି ଉନ୍ନତି ପଥରେ ଅଗ୍ରସର ହେଉଛନ୍ତି, ଆପଣଙ୍କ ମାର୍ଗରେ ସମସ୍ୟା ଆସିବ ହିଁ ଆସିବ ବା ଏପରି କୁହା ଯାଇପାରେ ଯେ ମାର୍ଗରେ ସମସ୍ୟା ଆଶା କରିବା ସ୍ବାଭାବିକ | ମୁଁ ଗୋଟିଏ କାର୍ଟୁନ୍ ଦୃଶ୍ୟ ଦେଖିଥିଲି, ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତାରେ ତାଙ୍କର ଫାଟି ଯାଇଥିବା କାର୍ ଚକ ବଦଳ କରୁଥିଲେ | କାର୍ ଭିତରେ ବସି ତାଙ୍କ ପୁଅ ପଚାରୁଥିଲା, “ପାପା ! ଆମ ରାସ୍ତାରେ ସବୁବେଳେ ଏପରି ଅସୁବିଧା କାହିଁକି ହୋଇଥାଏ ?” ପାପା କହିଲେ, “ପୁଅ ରେ ! ଏହା ଜୀବନ ଅଟେ | ଏହା କୌଣସି ଟି.ଭି. ସେଟ୍ ନୁହେଁ ଯେ ଇଚ୍ଛା ମୁତାବକ ଆମେ ତାହାର ଚ୍ୟାନେଲ୍ ବଦଳାଇ ଦେବା |” ଅତଏବ, ଜୀବନରେ ଅସୁବିଧା ଏବଂ କଠିନତା ନିଶ୍ଚୟ ଆସିବ, ଏହାର ପୂର୍ବାନୁମାନ ଆମେ କରିବା ଆବଶ୍ୟକ | ବକ୍ସିଂ ପ୍ରତିଯୋଗିତାରେ ଯେଉଁ ମୁଷ୍ଟି ଆଘାତ ପ୍ରତିଦ୍ବନ୍ଦୀକୁ ଧରାଶାୟୀ କରିଦେଇ ଥାଏ, ତାହା ସର୍ବାଧିକ ଶକ୍ତ ଆଘାତ ନୁହେଁ, ବରଂ ଯେଉଁ ଆଘାତ ସମ୍ପର୍କରେ ସେ ପୂର୍ବରୁ ଅନୁମାନ କରିପାରି ନ ଥାନ୍ତି, ତାହା ହିଁ ତାଙ୍କ ପାଇଁ ସର୍ବାଧିକ ଶକ୍ତ ଆଘାତ ହୋଇଥାଏ | ସୁତରାଂ, ସର୍ବପ୍ରଥମେ ଆମେ ସଠିକ୍ ଦୃଷ୍ଟିକୋଣ ରଖି ପ୍ରତ୍ୟେକ ସମସ୍ୟାର ସମୀକ୍ଷା କରିବା ଏବଂ ନିଜର ଆଭ୍ୟନ୍ତରୀଣ ଶକ୍ତି ବୃଦ୍ଧି କରି ସାହସର ସହିତ ତାହାର ସମ୍ମୁଖୀନ ହେବା ଆବଶ୍ୟକ |  

                                    ------------xxxxxx-----------

                                                                                    Happiness Challenge Day 19

                                                                                    Swami Mukundananda

   

 

 

 

 

 



 

Comments

Popular posts from this blog