ଧୈର୍ଯ୍ୟ ଏବଂ ଅଧ୍ୟବସାୟ ବଳରେ ଚିରସ୍ଥାୟୀ ସୁଖ ପ୍ରାପ୍ତ କରିବା ---

ସୁଖୀ ହେବାର କଳା ବିଷୟକ ଆଲୋଚନାର ଗତ ବିଂଶ ଦିବସୀୟ ଯାତ୍ରାରେ, ଅଧିକାଂଶତଃ ଆମ ସମସ୍ତଙ୍କର ଏପରି ଅନୁଭବ ହୋଇଥିବ ଯେ ଆମେ ଯେପରି ହେବାକୁ ଇଚ୍ଛା କରୁଅଛେ ଏବଂ ବାସ୍ତବରେ ବର୍ତ୍ତମାନ ଆମେ ଯେପରି ଅଟେ, ସେହି ଦୁଇଟି ସ୍ଥିତି ମଧ୍ୟରେ ଏକ ବିରାଟ ବ୍ୟବଧାନ ରହିଛି | କିନ୍ତୁ ସେହି ଅନୁଭବକୁ ନେଇ ଆମେ ନିରାଶ ହେବା ଉଚିତ୍ ନୁହେଁ | ଗୋଟିଏ ବଳଦକୁ ଦେଖନ୍ତୁ | ପ୍ରାଚୀନ କାଳରେ ଚାଷ-ବାସ ବଳଦ ସାହାଯ୍ୟରେ ହଳ-ଲଙ୍ଗଳ ଦ୍ବାରା କରା ଯାଉଥିଲା | ବଳଦଟି ବାଛୁରୀ ଅବସ୍ଥାରେ ଥିବା ବେଳେ ଚାଷୀ ଯଦି ତା କାନ୍ଧରେ ହଳ ରଖିଦିଏ, ତେବେ ପ୍ରତିବାଦ କରିବାକୁ ଯାଇ ବାଛୁରୀଟି ଇତସ୍ତତଃ ଡେଇଁବାରେ ଲାଗେ – ଇଏ କଣ ? ଆଜିଯାଏଁ ତ ହସି-ଖେଳି ମୋର ଦିନ କଟୁଥିଲା, ହଠାତ୍ ମୋ ଉପରେ ଏତେ ବୋଝ ଲଦି ଦିଆଯାଉଛି କାହିଁକି ? ମୁଁ କଣ ଏଥିପାଇଁ ଜନ୍ମ ହୋଇଥିଲି ? ତାପରେ ଚାଷୀ କଣ କରେ, ଦୁଇଟି ବାଛୁରୀଙ୍କ ବେକରେ ଗୋଟିଏ ପଘା ବାନ୍ଧିଦେଇ ସେହି ପଘା ମଝିରେ ଖଣ୍ଡିଏ ବଡ କାଠପଟା ଝୁଲାଇ ଦେଇଥାଏ | ପ୍ରଥମେ ବାଛୁରୀ ଦୁଇଟି ସେହି କାଠପଟା ସହ ଧାଇଁବାକୁ ଚେଷ୍ଟା କରନ୍ତି | କିନ୍ତୁ ମାତ୍ର କିଛି ବାଟ ଧାଇଁଵା ପରେ ସେମାନେ ଥକି ଯାଇ ଧୀରେ ଧୀରେ ଚାଲିବାରେ ଲାଗନ୍ତି | କିଛି ଦିନ ଏହିପରି ଅଭ୍ୟାସ କରିବା ପରେ, ଚାଷୀ ଯେତେବେଳେ ସେମାନଙ୍କ କାନ୍ଧରେ ହଳ ରଖିଥାଏ, ସେମାନେ କୌଣସି ଆପତ୍ତି ନ କରି ଧୀରେ ଧୀରେ ଚାଲିଥାଆନ୍ତି | ପରିଣାମ ସ୍ବରୂପ ଆମେ ଦେଖିବାକୁ ପାଇଥାଏ କିପରି ଭାବରେ ସେମାନେ ଜମିରେ ହଳ ଚଳାଇ ସୁନ୍ଦର ସାମନ୍ତରାଳ ଧାଡି ସବୁ ସୃଷ୍ଟି କରିଥାଆନ୍ତି | ହଜାର ହଜାର ବର୍ଷ ସାରା ବିଶ୍ବରେ ଚାଷ-ବାସ ଏହିପରି ଭାବରେ କର ଯାଉଥିଲା |

ସେହିପରି ଭାବରେ, ମନକୁ ନିୟନ୍ତ୍ରଣ କରିବା ପ୍ରଥମରୁ ଅତ୍ୟନ୍ତ କଠିନ ପ୍ରତୀତ ହୋଇପାରେ, କିନ୍ତୁ ତାର ଅର୍ଥ ଏହା ନୁହେଁ ଯେ ସେହି ଦିଗରେ ପ୍ରୟାସ କରିବା ଆମେ ବନ୍ଦ କରିଦେବା | ଆତ୍ମୋନ୍ନତି ବା ଆତ୍ମବିକାଶ ସମ୍ବନ୍ଧୀୟ ଯେଉଁ ସବୁ ଜ୍ଞାନ ଆପଣମାନେ ଏତେ ଦିନ ଧରି ପ୍ରାପ୍ତ କଲେ, ଜୀବନରେ ତାହାର ଉପଯୋଗ କରିବା ଦିଗରେ ପ୍ରୟାସ କରନ୍ତୁ, ଦିନେ ନା ଦିନେ ତାହାର ଫଳ ଆପଣମାନଙ୍କୁ ନିଶ୍ଚୟ ମିଳିବ | କିନ୍ତୁ ମନେରଖନ୍ତୁ, ସେଥିପାଇଁ ଅଧ୍ୟବସାୟ ସହିତ ଧୈର୍ଯ୍ୟର ମଧ୍ୟ ଆବଶ୍ୟକତା ରହିଛି | ସେହି ପ୍ରୟାସରେ ମଝି ରାସ୍ତାରେ ଆପଣ ହୁଏତ ଝୁଣ୍ଟି ପଡିଯାଇ ପାରନ୍ତି, ଅବାଞ୍ଛିତ ବିଚାର ଏବଂ ଘୃଣ୍ୟ ମନୋଭାବ ଆପଣଙ୍କର ମନକୁ କଳୁଷିତ କରି ପୁନର୍ବାର ତାହାକୁ ଅନିୟନ୍ତ୍ରିତ କରିଦେଇ ପାରେ | କିନ୍ତୁ ଯେତେ ଥର ଆପଣଙ୍କର ପାଦ ତଳକୁ ଖସୁଥିବ, ସେଥିରୁ କିଛି ଶିକ୍ଷା ପ୍ରାପ୍ତ କରି ଆପଣଙ୍କର ଗତି ଅଧିକରୁ ଅଧିକ ଉନ୍ନତ ହେବା ଆବଶ୍ୟକ | ଜାପାନ ଅଧିବାସୀମାନଙ୍କର କହିବା ପ୍ରକାରେ, “ଉଣିଶ ଥର ପଡି କୋଡିଏ ଥର ଉଠିବା |” ଅତଏବ, ଯେଉଁ ସବୁ କଳା ଆମେ ଶିକ୍ଷା କଲେ, ଧୈର୍ଯ୍ୟ ଏବଂ ନିଷ୍ଠାର ସହିତ ଆମେ ତାହାର ଉପଯୋଗ କରିବାକୁ ଚେଶା କରିବା, ତାହାହେଲେ ଭଗବାନଙ୍କର କୃପାକୁ ଆକର୍ଷିତ କରି ନିଜ ପ୍ରୟାସରେ ଆମେ ନିଶ୍ଚୟ ସଫଳତା ହାସଲ କରିବା | ଶେଷରେ, ଗୋଟିଏ ସୁନ୍ଦର କାହାଣୀର ଉପସ୍ଥାପନା କରି ମୁଁ ଏହି ଏକବିଂଶ-ଦିବସୀୟ ଆନନ୍ଦ ଅଭିଯାନ ଶୃଂଖଳାର ପରିସମାପ୍ତି କରିବାକୁ ଯାଉଛି |

ଛୋଟ ଗୋଟିଏ ପକ୍ଷୀ ସମୁଦ୍ର କୂଳରେ ସ୍ଥିତ ପାହାଡ ପାଦଦେଶରେ ବସାଟିଏ ବାନ୍ଧିଥିଲା | ଦିନେ ସମୁଦ୍ରର ଉତ୍ତାଳ ତରଙ୍ଗ ବସା ସହିତ ସେଥିରେ ଥିବା ପକ୍ଷୀର ଅଣ୍ଡାକୁ ମଧ୍ୟ ଭସାଇ ନେଲା | ସେକଥା ଜାଣି ସମୁଦ୍ର ପ୍ରତି ପକ୍ଷୀଟି ମନରେ ଘୋର ଆକ୍ରୋଶ ଜାତ ହେଲା ଏବଂ ସମୁଦ୍ରକୁ ଶୁଖାଇବା ପଣ ନେଇ ପକ୍ଷୀ ତାର ଛୋଟ ଚଞ୍ଚୁରେ ସମୁଦ୍ର ପାଣି ନେଇ ବାହାରେ ଫିଙ୍ଗିବାରେ ଲାଗିଲା | ତାର ସେହି ଆଚରଣ ଦେଖି କୌତୁହଳବଶତଃ ଅନ୍ୟ ପକ୍ଷୀମାନେ ତାହାକୁ ପଚାରିଲେ, “ଭାଇ ! ତୁମେ ଏପରି କାହିଁକି କରୁଅଛ ? ପକ୍ଷୀ ଉତ୍ତର ଦେଲା, “ ସମୁଦ୍ର ମୋର ଅଣ୍ଡାକୁ ଚୋରେଇ ନେଇଛି, ତେଣୁ ମୁଁ ତାହାକୁ ନିଃଶେଷ କରିଦେବି |” ଏହା ଶୁଣି ଅନ୍ୟ ପକ୍ଷୀମାନେ କହିଲେ, “ଠିକ୍ ଅଛି, ଆମେ ତୁମର ସହାୟତା କରିବୁ | ତାପରେ ଖୁବ୍ ଶୀଘ୍ର ହଜାର ହଜାର ସଂଖ୍ୟାରେ ପକ୍ଷୀ ନିଜ ନିଜ ଥଣ୍ଟରେ ସମୁଦ୍ର ପାଣି ନେଇ ବାହାରେ ଫିଙ୍ଗିବାରେ ଲାଗିଲେ | ଖବର ଭଗବାନ ବିଷ୍ଣୁଙ୍କର ବାହନ ପକ୍ଷୀରାଜ ଗରୁଡ଼ଙ୍କ ପାଖରେ ପହଞ୍ଚିଲା ଯେ ତାଙ୍କର ଜାତି ଭାଇମାନେ ସମୁଦ୍ର ସହିତ ଲଢାଇ କରୁଛନ୍ତି | ଗରୁଡ଼ ସେଠାକୁ ଆସି ସବୁ ଶୁଣିବା ପରେ ସମୁଦ୍ରକୁ ଧମକାଇ କହିଲେ, “ଅତି ଶୀଘ୍ର ଏହାର ଅଣ୍ଡା ଫେରାଅ, ନଚେତ୍ ମୁଁ ତୁମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବି |” ସମୁଦ୍ର ଭୟଭୀତ ହୋଇ ସଙ୍ଗେ ସଙ୍ଗେ ବସା ସହିତ ଅଣ୍ଡାକୁ ଭସାଇ ଆଣି କୂଳରେ ପହଞ୍ଚାଇ ଦେଲା | ଦେଖନ୍ତୁ, ଛୋଟ ପକ୍ଷୀଟିର ଶକ୍ତି କେତେ ଯେ ନିଜ ଚେଷ୍ଟାରେ ସେ ସମୁଦ୍ରକୁ ଶୁଖାଇ ଦେଇଥାଆନ୍ତା ! କିନ୍ତୁ ତାର ସେହି ନିଷ୍ଠାପର ପ୍ରୟାସ ଈଶ୍ବରୀୟ କୃପାକୁ ଆକର୍ଷିତ କଳା | ସେହିପରି, ଜୀବନରେ ଶ୍ରେଷ୍ଠ ହେବା, ଶ୍ରେଷ୍ଠ କର୍ମ କରିବା ଦିଗରେ ଆମେ ଯଦି ନିଷ୍ଠାପର ଭାବରେ ନିଜକୁ ନିୟୋଜିତ କରିବା, ତେବେ ଭଗବାନଙ୍କର କୃପା ପ୍ରାପ୍ତ କରି ଆମର ପ୍ରୟାସ ଅଧିକ ଉନ୍ନତ ହେବ, ଯାହା ଜୀବନରେ ଆମକୁ ସଫଳତା ପ୍ରଦାନ କରିବ | ତାପରେ ଅନନ୍ତ ଜନ୍ମ ଧରି ଆମର ଆତ୍ମା ଯେଉଁ ଅସୀମ ଆନନ୍ଦ ଅନ୍ବେଷଣ କରୁଥିଲା, ତାହାର ଆମେ ରସାସ୍ବାଦନ କରିପାରିବା ଏବଂ ଆମ ପକ୍ଷରେ ଯେତିକି ଶ୍ରେଷ୍ଠ ହେବା ସମ୍ଭବ, ସେତିକି ଶ୍ରେଷ୍ଠ ଆମେ ହୋଇପାରିବା | ଏହା ସୁଖୀ ହେବାର କଳା ଅଟେ | ପରିଶେଷରେ, ଆଜି ଆପଣମାନଙ୍କୁ ମୁଁ ଏହି ଉପଦେଶ ଦେବି ଯେ ଦୃଢ ସଂକଳ୍ପ କରନ୍ତୁ, ନିଜ ଭିତରେ ଧୈର୍ଯ୍ୟ ଏବଂ ଅଧ୍ୟବସାୟର ଗୁଣ ବିକଶିତ କରି ଆପଣ ଏହି ଯାତ୍ରାରେ ନିଶ୍ଚୟ ସଫଳ ହେବେ |

                                    --------------xxxxxx-------------

                                                                                    Happiness Challenge Day 21

                                                                                    Swami Mukundananda

   

 

 


 

Comments

Popular posts from this blog