ପ୍ରତ୍ୟେକ ସମସ୍ୟାରେ ସୁଯୋଗର ଅନୁସନ୍ଧାନ କରିବା ----

ଇଂରାଜୀରେ ଏକ ପ୍ରବାଦ ଅଛି,A smooth sea never maketh a skillful sailor.” – ଶାନ୍ତ ସମୁଦ୍ରରେ ନାବ ଚଳାଇ କେହି କୁଶଳୀ ନାବିକ ହୁଅନ୍ତି ନାହିଁ | ସେହି ଦୃଷ୍ଟିରୁ ବିଚାର କଲେ, ଜୀବନରେ ଦେଖା ଦେଉଥିବା ଉତ୍ପାତ ଏବଂ ଅଶାନ୍ତି ହିଁ ଆନ୍ତରିକ ସ୍ତରରେ ଆମକୁ ବିକସିତ ଏବଂ ଉନ୍ନତ ହେବାକୁ ସକ୍ଷମ କରିଥାଆନ୍ତି | ଆମେ ଯଦି ସର୍ବୋଚ୍ଚ ମାନର ଇସ୍ପାତ ଉତ୍ପାଦନ କରିବାକୁ ଇଚ୍ଛା କରିବା ତେବେ ଲୁହାକୁ ଆମେ ଉତ୍ତପ୍ତ ଅଗ୍ନିରେ ରଖିବା ଆବଶ୍ୟକ | ସେହିପରି, ଏହା ଜୀବନର ତିକ୍ତ ଅନୁଭବ ହିଁ ଅଟେ ଯାହା ଆମକୁ ଯେତେ ଦୂର ସମ୍ଭବ ସର୍ବୋତ୍ତମ ମନୁଷ୍ୟ ହେବାକୁ ସମର୍ଥ କରିଥାଏ | କିନ୍ତୁ ଏହା ସେତେବେଳେ ସମ୍ଭବ ହୁଏ, ଯେତେବେଳେ ଆମେ ଜୀବନରେ ସମ୍ମୁଖୀନ ହେଉଥିବା ବାଧାରୁ କିଛି ଲାଭ ଆଦାୟ କରିବାକୁ ଚେଷ୍ଟା କରେ | ଆନନ୍ଦ ଅଭିଯାନ ଶୃଂଖଳାର ଆଜି ବିଂଶତମ ପ୍ରକରଣରେ ଆମେ ଆଲୋଚନା କରିବା ଜୀବନରେ ସମସ୍ୟାର ସମ୍ମୁଖୀନ ହେବା କ୍ରମରେ ଆମେ କିପରି ଭାବରେ ଭିତରୁ ଉନ୍ନତ ହୋଇପାରିବା |

ଏହି ପରିପ୍ରେକ୍ଷୀରେ, ପ୍ରଥମେ ଆସନ୍ତୁ ଜାଣିବା ଦୟାମୟ ଭଗବାନ ଆମକୁ ଏତେ ସବୁ ସମସ୍ୟାରେ ପକାନ୍ତି କାହିଁକି | ଜଣେ ସ୍କୁଲ୍ ଛାତ୍ର ତାର ବିଜ୍ଞାନ ଶ୍ରେଣୀର ପାଠରୁ ଜାଣିବାକୁ ପାଇଲା କିପରି ଭାବରେ ସଁବାଳୁଆଟିଏ ନିଜ ଚତୁର୍ପାର୍ଶ୍ବରେ କୋଷାଟିଏ ସୃଷ୍ଟି କରି କିଛି ଦିନ ତା ଭିତରେ ନିଷ୍କ୍ରିୟ ରହିବା ପରେ ସୁନ୍ଦର ପ୍ରଜାପତିଟିଏ ହୋଇ ବାହାରକୁ ଆସିଥାଏ | ଦିନେ ସ୍କୁଲକୁ ଯିବା ଉଦ୍ଦେଶ୍ୟରେ ଘରୁ ବାହାରି ସେ ଦେଖିଲା ତାଙ୍କ ବଗିଚାର ଗୋଲାପ ବୁଦାରେ ସେହିପରି ଏକ କୋଷା ଝୁଲୁଛି | ବାଳକଟିର ମନ ଖୁସିରେ ଉଚ୍ଚାଟ ହୋଇ ଉଠିଲା – ପ୍ରକୃତିର ଏହି ଚମତ୍କାର ପରିପ୍ରକାଶ ସେ ସ୍ବଚକ୍ଷୁରେ ଦର୍ଶନ କରିପାରିବ | ସେହିଦିନ ଠାରୁ ପ୍ରତ୍ୟହ ସ୍କୁଲ୍ ଯିବା-ଆସିବା ସମୟରେ ସେ କୋଷାଟିକୁ ନିରୀକ୍ଷଣ କରିବାରେ ଲାଗିଲା | ଦିନେ ସେ ଲକ୍ଷ୍ୟ କଲା, କୋଷାରେ ଗୋଟିଏ ଛୋଟ ଫାଟ ସୃଷ୍ଟି ହୋଇଛି | ସେଦିନ ସ୍କୁଲ୍ ଛୁଟୀ ଥିଲା, ସେଥିପାଇଁ ସେ ପ୍ରତି ଏକ ଘଣ୍ଟା ବ୍ୟବଧାନରେ ବଗିଚାକୁ ଆସି କୋଷାଟିକୁ ନିରୀକ୍ଷଣ କରୁଥାଏ | ମଧ୍ୟାହ୍ନ ବେଳକୁ ଦେଖାଗଲା କୋଷା ଭିତରୁ ପ୍ରଜାପତିଟି ଧୀରେ ଧୀରେ ବାହାରକୁ ମୁଣ୍ଡ କାଢୁଛି | ସେହି ଦୃଶ୍ୟ ଦେଖି ବାଳକଟି ହତଚକିତ ହୋଇଗଲା | ପ୍ରଜାପତିଟି କୋଷାକୁ ଫଟାଇ ବାହାରକୁ ଆସିବାକୁ ଚେଷ୍ଟା କରୁଛି | କିନ୍ତୁ ତାହାର ଅର୍ଦ୍ଧେକ ଶରୀର ବାହାରକୁ ଆସିବା ପରେ ଏପରି ପ୍ରତୀତ ହେଲା ସତେ ଯେମିତି ସେ ଭିତରେ କେଉଁଠି ଲାଖି ଯାଇଛି, ଆଉ ବାହାରି ପାରୁନାହିଁ | ସମ୍ପୂର୍ଣ୍ଣ ଭାବରେ ବାହାରକୁ ଆସିବା ପାଇଁ ପ୍ରଜାପତିଟି ନିଜର ସଂଘର୍ଷ ଜାରି ରଖିଛି ଏବଂ ସେହି କ୍ରମରେ କୋଷାଟି ଖୁବ୍ ଜୋରରେ ତଳ-ଉପର ହେବାରେ ଲାଗିଛି | ବାଳକଟି ମନରେ ଦୟା ଜାତ ହେଲା | ଘର ଭିତରକୁ ଧାଇଁ ଯାଇ ସେ ଗୋଟିଏ କତୁରୀ ନେଇ ଆସିଲା ଏବଂ ସେଥିରେ କୋଷାର ଫାଟଟିକୁ ଚିରି ବଡ କରିଦେଲା | ପ୍ରଜାପତିଟି କୋଷାରୁ ତଳକୁ ଖସି ପଡି ଛଟପଟ ହେବାରେ ଲାଗିଲା | ବାଳକଟି ଦେଖିଲା, ପ୍ରଜାପତିର ପେଟ ଫୁଲି ବହୁତ ବଡ ଦେଖାଯାଉଛି ଏବଂ ତାର ଡେଣା ଦୁଇଟି ଅତି କ୍ଷୀଣ ଓ ନିର୍ଜୀବ ରହିଛି | ସେ ଭାବିଲା, କିଛି ସମୟ ପରେ ସବୁକିଛି ଆପେ ଆପେ ଠିକ୍ ହୋଇଯିବ – ପ୍ରଜାପତିର ପେଟ ଶୁଖି ଯାଇ ଡେଣା ଦୁଇଟି ସବଳ ଏବଂ ସତେଜ ହୋଇଯିବ | କିନ୍ତୁ ଆଉ ସେପରି କିଛି ହେବ ନାହିଁ, ବାଳକଟି ତାହା ଜାଣି ନ ଥିଲା | ବାସ୍ତବରେ କୋଷା ଭିତରୁ ସଂଘର୍ଷ କରି ବାହାରକୁ ଆସିବା କ୍ରମରେ ପ୍ରଜାପତିର ଉଦରରେ ଥିବା ରସ ତାହାର ଡେଣା ଅଭିମୁଖରେ ପ୍ରବାହିତ ହୋଇଥାଏ | ସେହି ସଂଘର୍ଷର ଅଭାବରେ ଏବେ ପ୍ରଜାପତିଟି ସାରା ଜୀବନ ଅକ୍ଷମ ହୋଇ ରହିବ | ସେ ଆଉ କେବେ ବି ଉଡି ପାରିବ ନାହିଁ | ସେହିପରି, ଆମ୍ଭେମାନେ ଯେତେବେଳେ କୌଣସି ବାଧା ବା ସମସ୍ୟାର ସମ୍ମୁଖୀନ ହୋଇଥାଏ, ତାହାର ମୁକାବିଲା କରିବାକୁ ଚେଷ୍ଟା ନ କରି, ଆମେ ଇଚ୍ଛା କରିଥାଏ କେହି ଜଣେ ଆମ ସମସ୍ୟାର ସମାଧାନ କରିଦିଅନ୍ତା କି | ଆମେ ଏହା ବୁଝିପାରେ ନାହିଁ ଯେ କିଛି ବିଶେଷ ପ୍ରୟୋଜନ ସାଧିତ କରିବା ପାଇଁ ଭଗବାନଙ୍କ ଇଚ୍ଛାରେ ହିଁ ଏହିସବୁ ପ୍ରତିକୂଳତା ଆମ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି | ଜୀବନରେ ଚରମ ସିଦ୍ଧି ଅଭିମୁଖରେ ଈଶ୍ବରୀୟ ଉଡାଣ ଭରିବା ନିମନ୍ତେ ଆମର ଡେଣାକୁ ଶକ୍ତ କରିବା ପାଇଁ ଏହା ଭଗବାନଙ୍କ ସହାୟତାର ଏକ ଅଦ୍ଭୁତ ଶୈଳୀ ଅଟେ | ସେହିସବୁ ପ୍ରତିକୂଳତାର ସମ୍ମୁଖୀନ ହୋଇ ନ ଥିଲେ ଆମେ ପଙ୍ଗୁ ହୋଇ ରହିଥାଆନ୍ତେ | ଅତଏବ, ଜୀବନରେ ସମସ୍ୟମାନେ ଏକ ଉଦ୍ଦେଶ୍ୟ ନେଇ ଆସିଥାଆନ୍ତି | କେହି ଜଣେ କହିଥିଲେ – ଜୀବନ ପ୍ରତିକୂଳ ପରିସ୍ଥିତିରେ ବ୍ୟକ୍ତିତ୍ବର ନିରନ୍ତର ପରିପ୍ରକାଶର ଏକ କ୍ରମ ଅଟେ | ଜୀବନରେ ବାଧା ଏବଂ ସମସ୍ୟମାନେ ସର୍ବଦା ଆମକୁ ତଳକୁ ଠେଲିବାକୁ ପ୍ରୟାସ କରିଥାଆନ୍ତି | କିନ୍ତୁ ସେମାନଙ୍କର ମୁକାବିଲା କରିବାକୁ ଯାଇ ଆମେ ଆବେଗାତ୍ମକ, ଜ୍ଞାନାତ୍ମକ, ଆଧ୍ୟାତ୍ମିକ, ବୌଦ୍ଧିକ ତଥା ମାନସିକ ସ୍ତରରେ ଅଭିବୃଦ୍ଧି ହାସଲ କରିଥାଏ | ଏ ସମ୍ପର୍କରେ ଏକ ସୁନ୍ଦର ପ୍ରାର୍ଥନା –

ମୁଁ ଭଗବାନଙ୍କୁ ଜ୍ଞାନ ମାଗିଲି,

ସେ ମୋତେ ସମସ୍ୟା ଦେଲେ, ଯାହାର ସମାଧାନ ଖୋଜି ଖୋଜି ମୁଁ ଜ୍ଞାନୀ ହୋଇଯିବି |

ମୁଁ ତାଙ୍କୁ ସାହସ ମାଗିଲି,

ସେ ମୋତେ ବିପଦ ଦେଲେ, ଯାହାକୁ ଅତିକ୍ରମ କରିବାକୁ ଯାଇ ମୁଁ ସାହସୀ ହୋଇଯିବି |

ମୁଁ ତାଙ୍କୁ ବଳ ମାଗିଲି,

ସେ ମୋତେ ବାଧାବିଘ୍ନ ଦେଲେ, ଯାହା ଉପରେ ବିଜୟ ପ୍ରାପ୍ତ କରି ମୁଁ ବଳଶାଳୀ ହୋଇଯିବି |

ମୁଁ ଭଗବାନଙ୍କୁ ପ୍ରେମ ମାଗିଲି,

ସେ ମୋତେ ଦରିଦ୍ର-ନିଃସ୍ବ ବ୍ୟକ୍ତିଙ୍କର ସେବା କରିବାର ସୁଯୋଗ ଦେଲେ, ଯଦ୍ବାରା ମୋ ହୃଦୟରେ ପ୍ରେମ ଭାବ ବିକଶିତ ହେବ |

ଭଗବାନ ମୋର ସବୁ ପ୍ରାର୍ଥନାର ଜବାବ ଦେଲେ |

ସମସ୍ୟାମାନଙ୍କ ପ୍ରତି ଆମେ ଯଦି ଏହି ମନୋଭାବ ରଖିପାରିବା ଏବଂ ସେମାନଙ୍କୁ ନିଜର ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ସମ୍ବଳର ବିକାଶ ଦିଗରେ ଏକ ସୁଯୋଗ ଭାବରେ ଗ୍ରହଣ କରିପାରିବା, ତେବେ ସମସ୍ୟାର ମୁକାବିଲା କରିବା କ୍ରମରେ ଆମେ ଶ୍ରେଷ୍ଠ ମନୁଷ୍ୟ ହେବା ସହିତ ଅଧିକ କର୍ମ କୁଶଳୀ ଭାବରେ ଶ୍ରେଷ୍ଠ କର୍ମ କରି ଅଧିକ ସୁଖୀ ହୋଇପାରିବା |

                  -----------xxxxxx-----------

                                                                                    Happiness Challenge Day 20

                                                                                    Swami Mukundananda

   

 

 

 


 

Comments

Popular posts from this blog