ଜୀବନ ପରିବର୍ତ୍ତନ ଅଭିଯାନ 

୧. ବିଚାରକୁ ଉନ୍ନତ କରିବା 

ଆମ୍ଭମାନଙ୍କର ମନ ନିରନ୍ତର ବିଚାର ଉତ୍ପନ୍ନ କରିବାରେ ଲାଗିଥାଏ | ମନର ସେହି ଶକ୍ତିର ଉପଯୋଗ ଆମେ ଯଦି ଉଚିତ୍ ଦିଗରେ କରିପାରିବା, ତେବେ ତାହା ଆମକୁ ସୁଖ, ଶାନ୍ତି, ସଫଳତା ପ୍ରଦାନ କରି ଆମ ଜୀବନକୁ ଉତ୍କର୍ଷତା ଅଭିମୁଖରେ ପ୍ରେରିତ କରିବ | ଅନ୍ୟ ପକ୍ଷରେ, ସେହି ଶକ୍ତିକୁ ଆମେ ଯଦି ଅନିୟନ୍ତ୍ରିତ ଭାବରେ ଛାଡି ଦେବା, ତେବେ ତାହା ଆମ ଜୀବନକୁ ଘୋର ପତନ ଆଡକୁ ଟାଣିନେବ |

 ଜୀବନରେ ଆମେ ସମସ୍ତେ ସଫଳ ହେବାକୁ ଇଚ୍ଛା କରିଥାଏ | ନିଜ ଭିତରେ କେହି ମଧ୍ୟ କ୍ରୋଧ, ଲୋଭ, କାମ, ଘୃଣା, ଈର୍ଷା ଆଦି ପୋଷଣ କରିବାକୁ ଇଚ୍ଛା କରନ୍ତି ନାହିଁ | ଏହା ଆମ ସ୍ବଭାବର ବିପରୀତ ଅଟେ | ଜୀବନରେ ଅଗ୍ରଗତି କରିବା, ନିଜକୁ ଉନ୍ନତ କରିବା, ଜୀବନକୁ ପରିବର୍ତ୍ତିତ କରିବା ଏବଂ ଯେତିକି ଉପରକୁ ଉଠିବା ଆମ ପକ୍ଷରେ ସମ୍ଭବ, ସେତିକି ପ୍ରାପ୍ତ କରିବାର ଇଚ୍ଛା ଆମର ସ୍ବାଭାବିକ ପ୍ରବୃତ୍ତି ଅଟେ |  

କିଛି ଜ୍ଞାନ ବର୍ଦ୍ଧକ ପୁସ୍ତକ ଅଧ୍ୟୟନ କରିବା ପରେ ଜଣେ ବ୍ୟକ୍ତି ସଂକଳ୍ପ କଲେ ଯେ ସେ ନିଜ ଜୀବନକୁ ଉନ୍ନତ କରିବେ | ପର ଦିନ ସକାଳୁ ଉଠି ସାଧନା କରିବେ ଚିନ୍ତା କରି ସେ ନିଜ ଘଡ଼ିରେ ଭୋର ଚାରିଟାରେ ଆଲାର୍ମ ଲଗାଇ ସେଦିନ ରାତି ଦଶଟାରେ ଶୋଇବାକୁ ଗଲେ | କିନ୍ତୁ ଭୋର ଚାରିଟାରେ ଯେତେବେଳେ ଆଲାର୍ମ ବାଜିଲା, ସେ “ଇଏ ମୋ ନିଦରେ ବ୍ୟାଘାତ ଘଟାଉଛି” ଭାବି ବିରକ୍ତ ହୋଇ ଆଲାର୍ମକୁ ବନ୍ଦ କରିଦେଲେ ଏବଂ ପୁନର୍ବାର ଶୋଇଗଲେ | ସକାଳେ ତାଙ୍କର ଆଖି ଖୋଲିବା ବେଳକୁ ଘଣ୍ଟାରେ ଆଠଟା ବାଜିଲାଣି – “ହାୟ ! ଇଏ କଣ ହେଲା ? ମୋର ଉଠିବାରେ ଏତେ ବିଳମ୍ବ ହୋଇଗଲା ! କାଲି ମୁଁ ସଂକଳ୍ପ କରିଥିଲି ଭୋରରୁ ଉଠି ସାଧନା କରିବି | ମୁଁ ଯଦି ଏତେ ଆଳସ୍ୟ ପରାୟଣ ହେବି, ତେବେ ଜୀବନରେ ମୁଁ ଉନ୍ନତି କରିବି କିପରି ?” – ଏହିପରି ଭାବି ଦିନସାରା ବ୍ୟକ୍ତି ଜଣକ ଅନୁତାପ ଏବଂ ପଶ୍ଚାତାପ କରିବାରେ ଲାଗିଲେ | ସେଦିନ ରାତି ଦଶଟାରେ ସେ ପୁନର୍ବାର ଭୋର ଚାରିଟାରେ ଆଲାର୍ମ ଲଗାଇ ଶୋଇବାକୁ ଗଲେ | ଆଲାର୍ମ ଠିକ୍ ସମୟରେ ବାଜିଲା, ଅଥଚ ଆଜି ମଧ୍ୟ ସେ ବିରକ୍ତିରେ ଆଲାର୍ମ ବନ୍ଦ କରିଦେଇ ଶୋଇଗଲେ | ଭୋର ଚାରିଟା ବାଜି ପାଂଚ ମିନିଟ୍ ହୋଇଛି କେହିଜଣେ ଜୋର୍ ଜୋରରେ ତାଙ୍କ ଦୁଆର ବାଡ଼େଇଲା – “ଦୁଆର ଖୋଲ” | ସେହି ଶବ୍ଦକୁ ବନ୍ଦ କରିବାର ତ କୌଣସି ଉପାୟ ନ ଥିଲା | ତେଣୁ ବ୍ୟକ୍ତି ଜଣକ ବାଧ୍ୟ ହୋଇ ଉଠିଲେ ଏବଂ ନିଦ ମଳମଳ ଆଖିରେ ଦ୍ଵାର ଖୋଲି ଦେଖିଲେ କଳା ରଙ୍ଗର ଜଣେ ବିକଟକାୟ ବ୍ୟକ୍ତି ଠିଆ ହୋଇଛି | ମୁଣ୍ଡରେ ସେ ଗୋଟିଏ କଳା ଟୋପି ପିନ୍ଧିଛି | ତା’ର ଆଖି ଲାଲ ଲାଲ ଦେଖାଯାଉଛି | କପାଳର ଦୁଇ ପାର୍ଶ୍ବରେ ଧଳା ରଙ୍ଗର  ଛୋଟ ଛୋଟ ଦୁଇଟି ଶିଂଘ, ଶରୀରର ପୃଷ୍ଠ ଦେଶରେ ଛୋଟ ଗୋଟିଏ ଲାଞ୍ଜ ଏବଂ ହାତରେ ସେ ଗୋଟିଏ ତ୍ରିଶୂଳ ଧରିଛି | ସେ କହିଲା, “ତୁମେ ଭୋର ଚାରିଟାରେ ଆଲାର୍ମ ଲଗାଇ ଥିଲ, ବର୍ତ୍ତମାନ ସମୟ ଚାରିଟା ବାଜି ପାଂଚ ମିନିଟ୍ ହେଲାଣି | ଉଠି ପଡ |” ତା କଥା ଶୁଣି ବ୍ୟକ୍ତି ଜଣକ କହିଲେ, “ଧନ୍ୟବାଦ, ଆପଣ ମୋର ଜଣେ ଶୁଭଚିନ୍ତକ ଅଟନ୍ତି | କିନ୍ତୁ ଆପଣ କେମିତି ଜାଣିଲେ ଯେ ମୁଁ ଚାରିଟାରେ ଆଲାର୍ମ ଲଗାଇ ଥିଲି ? କିଏ ଆପଣ ?” ଆଗନ୍ତୁକ ଅଜଣା ଲୋକଟି କହିଲା, “ମୁଁ ପାପ ପୁରୁଷ ଅଟେ |” “ ବାସ୍ତବରେ ? ହଁ, ଦେଖିବାକୁ ମଧ୍ୟ ଆପଣ ସେପରି ଅଟନ୍ତି | କିନ୍ତୁ ଆପଣ ଯଦି ସତରେ ପାପ ପୁରୁଷ ଅଟନ୍ତି, ତେବେ ଆପଣ ମୋତେ ଉଠାଇଲେ କାହିଁକି ? ଆପଣ ତ ଇଚ୍ଛା କରିବା କଥା ମୁଁ ଆଳସ୍ୟ ପରାୟଣ ହୋଇ ଶୋଇରହେ !” ପାପ ପୁରୁଷ କହିଲା, “ତୁମେ ଜାଣିନ, ଗତକାଲି ଭୋର ଚାରିଟାରୁ ଉଠି ନ ପାରିବା ଯୋଗୁଁ ତୁମେ ଏତେ ପଶ୍ଚାତାପ କଲ, ଏତେ ଗଭୀର ଭାବରେ ସେହି ଦୋଷର ଚିନ୍ତନ କଲ ଯେ ତୁମ ହୃଦୟରେ ବାସ କରୁଥିବା ମୋର କାମ, କ୍ରୋଧ ଆଦି ସବୁ ପରିବାର ବର୍ଗ ମରିଗଲେ | ଆଜି ଯଦି ତୁମେ ଉଠି ନ ପାରିବ, ତେବେ ପୁନର୍ବାର ତୁମେ ତାହାର ଚିନ୍ତନ କରିବ ଯାହା ଫଳରେ ତୁମ ହୃଦୟରେ ମୋର ମଧ୍ୟ ସ୍ଥାନ ରହିବ ନାହିଁ | ସେଥିପାଇଁ ମୁଁ ଚିନ୍ତିତ |”  ଉଦାହରଣଟି ଚିନ୍ତନ ଶକ୍ତିର ମହତ୍ବକୁ ଉଜାଗର କରିଥାଏ | ଆମର ମନ ନିରନ୍ତର ବିଚାର ଉତ୍ପନ୍ନ କରିବାରେ ଲାଗିଥାଏ | ମନର ସେହି ଶକ୍ତିର ଉପଯୋଗ ଆମେ ଯଦି ଉପଯୁକ୍ତ ଦିଗରେ କରି ପାରିବା, ତେବେ ତାହା ଆମ ଜୀବନରେ ପୂର୍ଣ୍ଣ ପରିବର୍ତ୍ତନ ଆଣି ଆମକୁ ଅତ୍ୟୁଚ ସୋପାନକୁ ନେଇଯିବ | ଅନ୍ୟ ପକ୍ଷରେ, ସେହି ଶକ୍ତିର ଯଦି ଦୁରୁପଯୋଗ କରାଯାଏ ଏବଂ ତାହାକୁ ଅନିୟନ୍ତ୍ରିତ ଛାଡି ଦିଆଯାଏ, ତେବେ ତାହା ଆମକୁ ଘୋର ଅନ୍ଧକାରକୁ ଟାଣି ନେବ |


Comments

Popular posts from this blog