୧୧. ଜୀବନରେ ଉଚିତ୍ ନିର୍ଣ୍ଣୟ ଗ୍ରହଣ କରିବା କିପରି

ଉତ୍ତମ ଜ୍ଞାନ କେବଳ ଶ୍ରବଣ ବା ଅଧ୍ୟୟନ ଦ୍ବାରା ଆହରଣ କରିବା ଯଥେଷ୍ଟ ନୁହେଁ , ସେହି ଜ୍ଞାନ ଆମର ମନ-ମସ୍ତିଷ୍କରେ ଉତ୍ତମ ରୂପେ ରୋପିତ ହୋଇଛି କି ନାହିଁ ସେହି ବିଷୟରେ ଆମେ ନିଶ୍ଚିତ ହେବା ଆବଶ୍ୟକ, ଯଦ୍ବାରା ଆବଶ୍ୟକ ସ୍ଥଳେ ଆମେ ତାହାର ଉପଯୋଗ କରିପାରିବା | ସେଥିପାଇଁ ଶାସ୍ତ୍ରମାନେ କହନ୍ତି, ଅଧ୍ୟୟନ ଅଥବା ଶ୍ରବଣ କରି ଯେଉଁ ଦିବ୍ୟ ଜ୍ଞାନ ତୁମେ ପ୍ରାପ୍ତ କରୁଅଛ, ତାହାର ବାରମ୍ବାର ଚିନ୍ତନ ବା ମନନ କର |

            ଗତକାଲି ଆମ୍ଭେମାନେ ଆଲୋଚନା କରିଥିଲେ ଯେ ଅନ୍ତଃକରଣ ଅନ୍ତର୍ଭୁକ୍ତ ଉପକରଣମାନଙ୍କର ଯେଉଁ ଅନୁକ୍ରମ ରହିଛି, ସେଥିରେ ବୁଦ୍ଧିର ମନର ଉର୍ଦ୍ଧ୍ବରେ ଥାଏ | ମନୁଷ୍ୟର ବୁଦ୍ଧିକୁ ଭଗବାନ ଏହି କ୍ଷମତା ପ୍ରଦାନ କରିଛନ୍ତି ଯେ ସେ ଇଚ୍ଛା କଲେ ମନକୁ ନିୟନ୍ତ୍ରଣ କରିପାରିବ | ସେଥିପାଇଁ ଶାସ୍ତ୍ର ଏବଂ ମହାପୁରୁଷଙ୍କଠାରୁ ପ୍ରାପ୍ତ ଦିବ୍ୟ ଜ୍ଞାନ ଦ୍ବାରା ଆମେ ନିଜର ବୁଦ୍ଧିକୁ ସଶକ୍ତ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ | କେବଳ ଅଧ୍ୟୟନ ଏବଂ ଶ୍ରବଣ କରି ଜ୍ଞାନ ଆହରଣ କରିଦେଲେ ଯଥେଷ୍ଟ ନୁହେଁ, ଆମ୍ଭମାନଙ୍କର ମନ-ମସ୍ତିଷ୍କରେ ସେହି ଜ୍ଞାନ ଉତ୍ତମ ରୂପେ ରୋପିତ ହେବା ଆବଶ୍ୟକ ଯଦ୍ବାରା କି ଆବଶ୍ୟକ ସ୍ଥଳେ ଆମେ ତାହାର ଉପଯୋଗ କରିପାରିବା |

            ଜଣେ ମହିଳା ମୋ ପାଖକୁ ଆସି କହିଲେ, “ସ୍ବାମିଜୀ ! ମୋର ଗୋଟିଏ ମାତ୍ର ଦୋଷ ରହିଛି ଏବଂ ତାହା ହେଉଛି କ୍ରୋଧ | ଆପଣ ମୋତେ ଏପରି କିଛି ଉପଦେଶ ପ୍ରଦାନ କରନ୍ତୁ ଯଦ୍ବାରା ମୁଁ ସେହି ଦୋଷକୁ ଦୂର କରିପାରିବି |” ମୁଁ କହିଲି, “ମନେକରନ୍ତୁ ମୁଁ ଆପଣଙ୍କୁ ଗୋଟିଏ କଣ୍ଟା ଦେଇ କହିବି ଆପଣ ଏହା ଦ୍ବାରା ନିଜ ହାତକୁ ଫୋଡନ୍ତୁ, ଆପଣ ଫୋଡ଼ିବେ କି ?” “ନା |” “କାହିଁକି ?” “କାରଣ ତଦ୍ବାରା ମୁଁ ଆହତ ହେବି |” “ହଁ, କେହି ମଧ୍ୟ ନିଜକୁ ଆହତ କରିବାକୁ ଇଚ୍ଛା କରିବେ ନାହିଁ | ଆପଣ ଯେତେବେଳେ କାହା ଉପରେ କ୍ରୋଧିତ ହୁଅନ୍ତି, ସେହି କ୍ରୋଧ ଆପଣଙ୍କ ଭିତରେ ରହି ଆପଣଙ୍କୁ ମଧ୍ୟ ଆହତ କରିଥାଏ | ତେଣୁ ନିଜର ହିତ ପାଇଁ ଆପଣ କ୍ରୋଧ କରିବା ଉଚିତ୍ ନୁହେଁ |” ମହିଳା ଜଣକ କୃତକୃତ୍ୟ ହୋଇ କହିଲେ, “ସ୍ବାମିଜୀ, ଆଜି ଆପଣ ଗୋଟିଏ ବହୁତ ସୁନ୍ଦର ଜ୍ଞାନ ମୋତେ ପ୍ରଦାନ କଲେ |” ମୁଁ କହିଲି, “କିନ୍ତୁ ଏହି ଜ୍ଞାନ ଆପଣଙ୍କର କାମରେ ଆସିବ ନାହିଁ |” କାହିଁକି ? କାରଣ କ୍ରୋଧ ଆସିବା ମୁହୂର୍ତ୍ତରେ ଆପଣଙ୍କ ବୁଦ୍ଧିରୁ ଏହି ଜ୍ଞାନ ହଜିଯିବ | ତାପରେ ଆପଣ ଅବଶ୍ୟ ଅନୁତାପ କରିବେ, “ମୋର ଏ କ’ଣ ହୋଇଗଲା ? ମୁଁ ଜାଣିଛି କ୍ରୋଧ ମୋ ପାଇଁ ହାନିକାରକ ଅଟେ, ତଥାପି ଏ ଭୁଲ୍ ମୁଁ କାହିଁକି କଲି ?” କାରଣ ଆପଣଙ୍କ ବୁଦ୍ଧିରୁ ସେହି ଜ୍ଞାନ ହଜିଗଲା | ଶାସ୍ତ୍ରମାନେ କହନ୍ତି, ଜ୍ଞାନର ବିସ୍ମରଣ ହୋଇଯିବା ମାତ୍ରେ ମନୁଷ୍ୟ ପଶୁ ସ୍ତରକୁ ଖସିଯାଏ | ଅତଏବ, ବିବେକ ଅର୍ଥାତ୍ ଉଚିତ୍-ଅନୁଚିତ୍ ମଧ୍ୟରେ ପାର୍ଥକ୍ୟ ବାରିବାର କ୍ଷମତା ଯୋଗୁଁ ହିଁ ଆମ ମନୁଷ୍ୟତ୍ବର ରକ୍ଷା ହୋଇଥାଏ | ଏହି ସିଦ୍ଧାନ୍ତର ପୁଷ୍ଟି ମୁଁ ଅନ୍ୟ ଏକ ଦୃଷ୍ଟାନ୍ତ ମାଧ୍ୟମରେ କରିବାକୁ ଯାଉଛି |

            ମଧ୍ୟଯୁଗୀୟ ଭାରତ ବର୍ଷରେ ରାଜା ଭୋଜଙ୍କ ରାଜ୍ୟରେ ଜଣେ ବିଦ୍ବାନ ବାସ କରୁଥିଲେ | ବୃଦ୍ଧାବସ୍ଥାରେ ସେ ଅତ୍ୟନ୍ତ ଦରିଦ୍ର ହୋଇଗଲେ ଏବଂ ଦାରିଦ୍ର୍ୟର ଦୁଃଖ ଦୂର କରିବା ଉଦ୍ଦେଶ୍ୟରେ ସେ ଚୋରୀ କରିବା ପାଇଁ ରାଜା ଭୋଜଙ୍କର ଉଆସକୁ ଗଲେ | ରାତି ହେବାରୁ ସବୁ ସଭାସଦ ଚାଲିଗଲେ, କିନ୍ତୁ ସେ ଗୋଟିଏ ଆସବାବ ପଛରେ ନିଜକୁ ଲୁଚାଇ ରଖିଲେ | ଯେତେବେଳେ ତାଙ୍କର ବିଶ୍ବାସ ହୋଇଗଲା ଯେ ଏବେ ଆଉ କେହି ନାହାଁନ୍ତି, ସେ ଏକାକୀ ଅଛନ୍ତି, ସେ ନିଜର ଚୋରୀ କରିବା ଅଭିଯାନ ଆରମ୍ଭ କଲେ | କିନ୍ତୁ ଚୋରୀ କରିବା ଉଦ୍ଦେଶ୍ୟରେ ସେ ଯେତେବେଳେ କୌଣସି ମୂଲ୍ୟବାନ ବସ୍ତୁକୁ ସ୍ପର୍ଶ କଲେ, ତାଙ୍କର ଜ୍ଞାନ ଫେରି ଆସିଲା | ସେ ଭାବିଲେ, ସୁନା-ରୂପା ଆଦି ମୂଲ୍ୟବାନ ପଦାର୍ଥ ଚୋରୀ କରିବା ପଂଚ ପାପ ଅନ୍ତର୍ଗତ ଅଟେ | ମୁଁ ଗରୁଡ଼ ପୁରାଣରେ ପଢିଛି ଏହାର ପରିଣାମ ଭୟାନକ ‘କୁମ୍ଭୀପାକ’ ନର୍କ ହୋଇପାରେ | ସେ ନିଶ୍ଚୟ କଲେ, “ନା, ମୁଁ ଚୋରୀ କରିପାରିବି ନାହିଁ | କିନ୍ତୁ ଏବେ ତ ମୁଁ ବାହାରକୁ ଯାଇ ପାରିବି ନାହି, ଦ୍ବାରଦେଶରେ ସଶସ୍ତ୍ର ପ୍ରହରୀ ଜଗିଛନ୍ତି | ତେବେ ମୁଁ ଲୁଚିବି କେଉଁଠି ? ପ୍ରହରୀମାନେ ଉଆସ ସାରା ଘୂରି ବୁଲୁଛନ୍ତି, କେତେବେଳେ କାହାର ନଜର ମୋ ଉପରେ ପଡିଯିବ | ସେ ବିଚାର କରି ଦେଖିଲେ ଉଆସ ଭିତରେ ସବୁଠାରୁ ନିରାପଦ ସ୍ଥାନ ହେଉଛି ରାଜା ଭୋଜଙ୍କର ଶୟନ କକ୍ଷ, ତା ଭିତରକୁ କେହି ଯିବେ ନାହିଁ | ମୁଁ ସେହିଠାରେ ଲୁଚି ରହିବି ଏବଂ ସକାଳେ ଯେତେବେଳେ ଗହଳି ବଢିଯିବ, ସମସ୍ତଙ୍କ ଭିତରେ ମିଶି ମୁଁ ଅକ୍ଲେଶରେ ବାହାରକୁ ଚାଲିଯିବି | ଏହିପରି ଚିନ୍ତା କରି ସେ ଯାଇ ରାଜାଙ୍କର ପଲଙ୍କ ତଳେ ଲୁଚିଗଲେ | ସକାଳ ହେଲା ଏବଂ ରାଜାଙ୍କୁ ଉଠାଇବାର ଉପକ୍ରମ କରାଗଲା | ପଣ୍ଡିତମାନେ ବେଦସ୍ତୁତି କରିବାରେ ଲାଗିଲେ, ନର୍ତ୍ତକୀମାନେ ନୃତ୍ୟ କଲେ, ବାଦ୍ୟକାରମାନେ ଭିନ୍ନ ଭିନ୍ନ ବାଜଣା ବଜାଇଲେ | ରାଜା ଧୀରେ ଧୀରେ ସୁଷୁପ୍ତି ଅବସ୍ଥାରୁ ଜାଗ୍ରତ ଅବସ୍ଥାକୁ ଫେରି ଆସିଲେ | ସେ ଦୁଇ ହାତ ଉପରକୁ ଉଠାଇ ଅଳସ ଭାଙ୍ଗିଲେ | ହଠାତ୍ ତାଙ୍କର ମନ ନିଜ ପ୍ରାଚୁର୍ଯ୍ୟର କଳନା କରି ଭାବ ବିହ୍ବଳ ହୋଇ ଉଠିଲା ଏବଂ ଯଦିଓ ସେ ଜଣେ ପ୍ରଖ୍ୟାତ କବି ନ ଥିଲେ, ତାଙ୍କ ମୁହଁରୁ ଅଚାନକ କେତୋଟି ପଂକ୍ତି ନିଃସୃତ ହୋଇଗଲା :

                        ଚେତୋହରା ଯୁବତୟୋଃ ସୁହୃଦାନୁକୁଲା

                        ସଦ୍ ବାନ୍ଧଵ ପ୍ରଣୟଗର୍ଭ ଗିରା ଶ୍ଚ ଭୃତ୍ୟା

                        ବଲ୍ଗନ୍ତି ଦନ୍ତୀନିବହାସ୍ତରଲାସ୍ତୁରଙ୍ଗା .....

ନିଜ ପ୍ରାଚୁର୍ଯ୍ୟ ଏବଂ ଯଶ ସମ୍ବନ୍ଧୀୟ ତିନୋଟି ପଂକ୍ତି ଆବୃତି କରି ରାଜା ନୀରବ ହୋଇଗଲେ | ଚତୁର୍ଥ ପଂକ୍ତିଟି କ’ଣ ହୋଇପାରେ ତାହା ସେ ଚିନ୍ତା କରିପାରିଲେ ନାହିଁ | ସେତେବେଳକୁ ପଲଙ୍କ ତଳେ ଲୁଚି ରହିଥିବା ପଣ୍ଡିତଙ୍କର ନିଦ ମଧ୍ୟ ଭାଙ୍ଗି ଯାଇଥିଲା | ରାଜା ସାହେବ ଏହି ସବୁ ନଶ୍ବର ପ୍ରାପ୍ତିରେ ବିଭୋର ହେଉଥିବା ଶୁଣି ଅଜାଣତରେ ତାଙ୍କ ମୁହଁରୁ ଗୋଟିଏ ପଂକ୍ତି ନିଃସୃତ ହୋଇଗଲା -

                    ସମ୍ମୀଲନେ ନୟନୟୋଃ ନହିଁ କିଂଚିଦସ୍ତି ||

 ଅନ୍ତକାଳରେ ଆଖି ମୁଦିବା ମାତ୍ରେ ଏହାର ଅସ୍ତିତ୍ବ ସମାପ୍ତ ହୋଇଯିବ, ସାଙ୍ଗରେ କିଛି ଯିବ ନାହିଁ | ରାଜା ଚମକି ପଡିଲେ – “ଆରେ, ମୁଁ ତ ଭାବିଥିଲି ଏହି କକ୍ଷରେ ମୁଁ ଏକାକୀ ଅଛି | ଏହି ଶବ୍ଦ କେଉଁଠାରୁ ଆସିଲା ! ଏତେ ମାର୍ମିକ ବିଦ୍ବତାପୂର୍ଣ୍ଣ ଶବ୍ଦ !! ମୋ ସହିତ କିଛି ଯିବ ନାହିଁ ? ଏହା ଆକାଶବାଣୀ ନୁହେଁ ତ ? ସ୍ବୟଂ ଭଗବାନଙ୍କର ବାଣୀ ନୁହେଁ ତ ? କିନ୍ତୁ ଶବ୍ଦ ତ ତଳ ଆଡୁ ଆସିଲା, ତାହାହେଲେ ଏହା କ’ଣ ପାତାଳବାଣୀ ?” ରାଜା ତାଙ୍କର ପ୍ରହରୀମାନଙ୍କୁ ଡାକି କକ୍ଷ ଭିତରେ ଖୋଜି ଦେଖିବାକୁ ନିର୍ଦ୍ଦେଶ ଦେଲେ | ପଲଙ୍କ ତଳେ ଲୁଚି ରହିଥିବା ପଣ୍ଡିତ ଭାବିଲେ, “ଏବେ ତ ଧରା ପଡିଯିବା ସୁନିଶ୍ଚିତ | ତେଣୁ ପ୍ରହରୀମାନେ କାହିଁକି ମୋତେ ଘୋଷାରି କାଢ଼ିବେ, ମୁଁ ନିଜେ ନିଜେ ବାହାରକୁ ବାହାରି ଯିବା ଉଚିତ୍ |” ଏହିପରି ଭାବି ପଣ୍ଡିତେ ପଲଙ୍କ ତଳୁ ଉଙ୍କି ମାରିଲେ | ତାଙ୍କୁ ଦେଖି ରାଜା ସାହେବ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “କିଏ ତୁମେ ?” ପଣ୍ଡିତେ ଉତ୍ତର ଦେଲେ, “ହେ ରାଜାଧିରାଜ, ଆପଣଙ୍କ ରାଜ୍ୟର ମୁଁ ଜଣେ ପ୍ରଖ୍ୟାତ ବିଦ୍ବାନ ଅଟେ | ଦାରିଦ୍ର୍ୟ ମୋତେ ଏତେ ନିମ୍ନଗାମୀ କରିଦେଲା ଯେ ଚୋରୀ କରିବା ଉଦ୍ଦେଶ୍ୟରେ ମୁଁ ଆପଣଙ୍କ ଉଆସରେ ପ୍ରବେଶ କଲି | କିନ୍ତୁ ଚୋରୀ କରିବାକୁ ଗଲାବେଳକୁ ମୋର ହଜି ଯାଇଥିବା ଜ୍ଞାନ ଫେରି ଆସି ମୋତେ ବାଧା ଦେଲା ଏବଂ ମୁଁ କୌଣସି ବସ୍ତୁ ଚୋରୀ କରି ପାରିଲି ନାହିଁ |” ସବୁ କଥା ଶୁଣି ରାଜା କହିଲେ, “ଯାହାହେଉ, ଆପଣଙ୍କ ଦ୍ବାରା ରଚିତ ପଂକ୍ତିଟି ମୋ ପାଇଁ ଅତ୍ୟନ୍ତ ମୂଲ୍ୟବାନ୍ ଅଟେ | ବୈରାଗ୍ୟ ଧାରଣ କରିବା ପାଇଁ ତାହା ମୋତେ ବହୁତ ସାହାଯ୍ୟ କଲା | ସଂସାରର କୌଣସି ବିଭବ ଯଦି ଆମ ସହିତ ଯିବ ନାହିଁ, ତେବେ ତାହାକୁ ଏତେ ମହତ୍ବ ଦେବାର ଆବଶ୍ୟକତା କ’ଣ ? ଆପଣ ମୋର ଗୁରୁତୁଲ୍ୟ ଅଟନ୍ତି |” ପଣ୍ଡିତଙ୍କୁ ରାଜା ପ୍ରଚୁର ଧନ ଦ୍ବାରା ପୁରଷ୍କୃତ କଲେ |

            ଦେଖନ୍ତୁ, ଜ୍ଞାନ କିପରି ଆମର ମାନସିକତାକୁ ପ୍ରଭାବିତ କରିଥାଏ | ଜ୍ଞାନର ବିସ୍ମୃତି ପଣ୍ଡିତଙ୍କୁ ଜଣେ ଚୋର ସ୍ତରକୁ ନେଇଗଲା | ଅଥଚ ସେହି ଜ୍ଞାନର ପ୍ରତ୍ୟାହାର ବା ପୁନଃ ସ୍ମରଣ ତାଙ୍କୁ ପାପମୁକ୍ତ କରିଦେଲା | ସେଥିପାଇଁ ଶାସ୍ତ୍ରମାନେ କହନ୍ତି, ଅଧ୍ୟୟନ କରି ଅଥବା ଶ୍ରବଣ କରି ଯେଉଁ ଦିବ୍ୟ ଜ୍ଞାନ ତୁମେ ପ୍ରାପ୍ତ କରୁଛ, ବାରମ୍ବାର ତାହାର ମନନ କର | ଗାଈମାନେ ଘାସ ଖାଇ ପରେ ତାହାକୁ ଚର୍ବଣ କରିବା ପରି ମନରେ ତାହାର ପୁନରାବୃତ୍ତି କର | ମୁଁ ଆପଣମାନଙ୍କ ସମ୍ମୁଖରେ ବାରମ୍ବାର ଏହି ତଥ୍ୟକୁ ଦୋହରାଇବାକୁ ଇଚ୍ଛା କରୁଛି ଯେ ଗୋଟିଏ  ମାତ୍ର ଜ୍ଞାନ ରତ୍ନ ଆପଣଙ୍କର ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତିତ କରି ଦେଇପାରେ ଯଦି ଆପଣ ତାହା ଉପରେ ଗଭୀର ଚିନ୍ତନ କରିବେ | ଆଜିର ଏହି ବାର୍ତ୍ତା ସହିତ ଆସନ୍ତାକାଲି ଆମେ ଜୀବନ ରୂପାନ୍ତରଣ ଅଭିଯାନରେ ଆଗକୁ ଅଗ୍ରସର ହେବା |

                                                            **************

Comments

Popular posts from this blog