୧୨. ଆମର ବିଶ୍ବାସ କିପରି ଆମ ଭାଗ୍ୟର ନିର୍ମାଣ କରିଥାଏ ?

ଆମେ ଯଦି ନିଜର ବ୍ୟକ୍ତିତ୍ବକୁ ଚେତନାର ଉର୍ଦ୍ଧ୍ବ ସ୍ତରକୁ ଉନ୍ନୀତ କରିବାକୁ ଇଚ୍ଛା କରୁଥାଏ, ଜୀବନକୁ ପବିତ୍ର କରିବାକୁ ଇଚ୍ଛା କରିଥାଏ, ଆମେ ନିଜ ଭିତରେ ଶକ୍ତିଶାଳୀ, ହିତକାରୀ ଏବଂ ମହତ୍ ପ୍ରତ୍ୟୟ ବା ଧାରଣା ଦୃଢ ଭାବରେ ସ୍ଥାପନ କରିବା ଆବଶ୍ୟକ | ତାହା କିପରି ସମ୍ଭବ ?

            ଆଜି ଆମେ ବିଶ୍ବାସର ଶକ୍ତି ବିଷୟରେ ଆଲୋଚନା କରିବା | ବହୁତ ଲୋକ ଭ୍ରମବଶତଃ ବିଶ୍ବାସକୁ କୌଣସି ପ୍ରଥା ବା ଧର୍ମ ସହିତ ସମାନ ମନେକରି ଥାଆନ୍ତି | କିନ୍ତୁ ବାସ୍ତବରେ ତାହା ଠିକ୍ ନୁହେଁ | ଏହି ସଂସାର ଅତିଶୟ ଜଟିଳ ଅଟେ | ତାହାକୁ ବୁଝିବା ପାଇଁ ଆମର ବୁଦ୍ଧି ଅନେକ ପ୍ରକାରର ବିଶ୍ବାସ ଦ୍ବାରା ତାହାର ଶୋଧନ କରିଥାଏ | ସେହି ବିଶ୍ବାସ ସଂସାର ସମ୍ବନ୍ଧୀୟ ହୋଇପାରେ | କେହି କେହି ବିଶ୍ବାସ କରନ୍ତି, ସଂସାର ବିଶେଷତଃ ଖରାପ ଅଟେ ଏବଂ ଏଠାରେ ସମସ୍ତେ ମୋର କ୍ଷତି କରିବାକୁ ଆଗଭର | ଅନ୍ୟ କେହି କେହି ବିଶ୍ବାସ କରନ୍ତି ଯେ ସଂସାରର ସମସ୍ତେ ସ୍ବାଭାବିକ ରୂପରେ ଭଲ ଅଟନ୍ତି ଏବଂ ସେମାନଙ୍କ ସହିତ ଉଚିତ୍ ବ୍ୟବହାର କରି ଆମେ ସେମାନଙ୍କର ଭଲ ସ୍ବଭାବକୁ ଉଜାଗର କରିପାରିବା | ସେହି ବିଶ୍ବାସ ଆମ ନିଜ ସମ୍ବନ୍ଧରେ ମଧ୍ୟ ହୋଇପାରେ | ହେନରୀ ଫୋର୍ଡଙ୍କର କହିବା ପ୍ରକାରେ,”ଆପଣ ସଫଳ ହେବେ ବୋଲି ବିଶ୍ବାସ କରିପାରନ୍ତି, ନଚେତ୍ ବିଫଳ ହେବେ ବୋଲି ବିଶ୍ବାସ କରିପାରନ୍ତି, ଆପଣଙ୍କର ଉଭୟ ବିଶ୍ବାସ ସମୀଚିନ ଅଟେ |” ଅର୍ଥାତ୍, ଆପଣଙ୍କର ବିଶ୍ବାସ ଆପଣଙ୍କ ବ୍ୟକ୍ତିତ୍ବକୁ ବହୁଳ ମାତ୍ରାରେ ପ୍ରଭାବିତ କରିଥାଏ | ସ୍କିଜୋଫ୍ରେନିଆ ନାମକ ଏକ ମନୋବୈଜ୍ଞାନିକ ବିକାରରେ ବ୍ୟକ୍ତିର ବ୍ୟକ୍ତିତ୍ବ ଖଣ୍ଡିତ ହୋଇ ଯାଇଥାଏ, ଯାହା ଫଳରେ ବ୍ୟକ୍ତି ଗୋଟିଏ ସମୟରେ ନିଜକୁ ଅମୁକ ବ୍ୟକ୍ତି ଭାବିଥାଏ ଏବଂ ପର ମୁହୂର୍ତ୍ତରେ ନିଜକୁ ଭିନ୍ନ ଜଣେ ବ୍ୟକ୍ତି ମନେ କରିଥାଏ | ଡାକ୍ତରମାନେ ପରୀକ୍ଷା କରି ପାଆନ୍ତି ଯେ ଗୋଟିଏ ବ୍ୟକ୍ତିତ୍ବରେ ସେ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ରହିଥିବା ବେଳେ ଭିନ୍ନ ବ୍ୟକ୍ତିତ୍ବରେ ତାଙ୍କଠାରେ ଡାଇବେଟିସ୍ ର କୌଣସି ଲକ୍ଷଣ ନ ଥାଏ | ସୁତରାଂ ଆମର ବିଶ୍ବାସ ଆମ ଶାରୀରିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଥାଏ | ସେଥିପାଇଁ ଆୟୁର୍ବିଜ୍ଞାନରେ ଆମେ ପ୍ଲାସିବୋ ପ୍ରଭାବ ବିଷୟରେ ଶୁଣିବାକୁ ପାଇଥାଏ |

ଏହି ପରିପ୍ରେକ୍ଷୀରେ ମୁଁ ଆପଣମାନଙ୍କ ସମ୍ମୁଖରେ ଗୋଟିଏ ବଳିଷ୍ଠ ଉଦାହରଣ ଉପସ୍ଥାପିତ କରିବାକୁ ଇଚ୍ଛା କରୁଛି | ଅଷ୍ଟ୍ରେଲିଆର ଆଦିମ ଅଧିବାସୀମାନଙ୍କର ଏହି ବିଶ୍ବାସ ରହିଥାଏ ଯେ ଭୂତ-ପ୍ରେତଙ୍କୁ ଝାଡୁଥିବା ଗୁଣିଆମାନେ ବହୁତ ଶକ୍ତିଶାଳୀ ଅଟନ୍ତି | ସେମାନେ ଯଦି ମନ୍ତ୍ର ଉଚ୍ଚାରଣ କରି ହାତରେ ଧରିଥିବା ହାଡକୁ ଆକାଶ ଅଭିମୁଖରେ ଉତ୍ତୋଳନ କରିବା ପରେ କାହାର ମସ୍ତକ ଉପରେ ଘୂରାଇ ଦେବେ, ତେବେ ସେହି ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ | ବାସ୍ତବରେ ତାହା ହିଁ ହୋଇଥାଏ | ଜଣେ ବ୍ୟକ୍ତି ପୁରାପୁରି ସୁସ୍ଥ ଥିଲେ | କିନ୍ତୁ କୌଣସି କାରଣରୁ ଗୁଣିଆର ତାଙ୍କ ପ୍ରତି ଦ୍ବେଷ ଭାବ ଥିଲା | ସେ ନିଜ ହାତର ହାଡକୁ ଉପରକୁ ଉଠାଇ ମନ୍ତ୍ର ବୋଲିଲା ଏବଂ ହାଡକୁ ବ୍ୟକ୍ତି ଜଣଙ୍କର ମୁଣ୍ଡ ଉପରେ ଘୂରାଇ ଆଣିଲା | ବ୍ୟକ୍ତି ଜଣକ ଛାନିଆ ହୋଇ ଭାବିଲେ, “ଆଜି ମୁଁ ଗଲି” | ସତକୁ ସତ କିଛି ସମୟ ପରେ ତାଙ୍କର ଶ୍ବାସରୁଦ୍ଧ ହୋଇଗଲା ଏବଂ ସେ ଭୀଷଣ ବିମାର ହୋଇଗଲେ ଏବଂ ମୁହୂର୍ତ୍ତକ ପରେ ତାଙ୍କର ମୃତ୍ୟୁ ଘଟିଲା | କଥାଟି ଅତ୍ୟନ୍ତ ଅସ୍ବାଭାବିକ ମନେ ହୋଇପାରେ, କିନ୍ତୁ ଏହା ଆମ ଜୀବନରେ ବିଶ୍ବାସର ମହତ୍ତ୍ବ ପ୍ରତିପାଦିତ କରିଥାଏ |

 ଆମ୍ଭେମାନେ ଏପରି ମନେକରି ଥାଏ ଯେ ଦୃଷ୍ଟି ଆମର ପଥ ନିର୍ଦ୍ଦେଶ କରିଥାଏ, କିନ୍ତୁ ବାସ୍ତବରେ ଆମ୍ଭମାନଙ୍କର ବିଶ୍ବାସ ହିଁ ଆମ ଜୀବନର ଗତିପଥ ନିର୍ଦ୍ଧାରିତ କରିଥାଏ | ଆମ ବ୍ୟକ୍ତିତ୍ବର ବିଶ୍ବାସ ରୂପୀ ଏହି ଉପାଦାନଟିକୁ ଆମେ ଇଚ୍ଛାକୃତ ଭାବରେ ସୃଷ୍ଟି କରି ନ ଥାଏ, ଏହା ଆପେ ଆପେ ଆମ ଭିତରେ ସୃଷ୍ଟି ହୋଇଯାଏ | ଜଣେ ବ୍ୟକ୍ତି ତିନି ଜଣ ଜମି ଦଲାଲଙ୍କ ଦ୍ବାରା ଠକି ଯିବା ପରେ ତାଙ୍କ ମନରେ ଗୋଟିଏ ଧାରଣା ସୃଷ୍ଟି ହେଲା ସବୁ ଦଲାଲ୍ ଠକ ଅଟନ୍ତି | ହୁଏତ ତାହା ଠିକ୍ ହୋଇ ନ ଥାଇ ପାରେ, କିନ୍ତୁ ବ୍ୟକ୍ତି ଜଣକର ନିଜସ୍ବ ଅନୁଭବ ଯୋଗୁଁ ତାଙ୍କ ମନରେ ସେପରି ଏକ ଧାରଣା ସୃଷ୍ଟି ହୋଇଗଲା | ଅନ୍ୟ କେତେକ ବିଶ୍ବାସ ବଂଶାନୁକ୍ରମିକ ଭାବରେ ଆସିଥାଏ | ତାଛଡା, କେତେକ ବିଶ୍ବାସ ଆମେ ସାଙ୍ଗମାନଙ୍କଠାରୁ ମଧ୍ୟ ଗ୍ରହଣ କରିଥାଏ | କଥାରେ ଅଛି, “ସଙ୍ଗ କା ରଙ୍ଗ ପଡତା ହୈ” | ଅର୍ଥାତ୍, ବ୍ୟକ୍ତି ଯାହା ସହିତ ରହେ, ତାହାର ଛାପ ବ୍ୟକ୍ତିର ଚରିତ୍ର ଉପରେ ପଡିଥାଏ | ମା-ବାପା ଯେତେବେଳେ ମୋତେ କହନ୍ତି, “ସ୍ବାମିଜୀ, କିଶୋର ଅବସ୍ଥାରେ ଆମ ପୁଅ ଅବାଟରେ ଯିବାକୁ ଲାଗିଲାଣି”, ମୁଁ ସେମାନଙ୍କୁ କହେ, “ତାହାର ସାଙ୍ଗସାଥୀଙ୍କର ଚରିତ୍ର ଉପରେ ନଜର ରଖନ୍ତୁ କାରଣ ସେହି ବୟସରେ ଯେକୌଣସି ଧାରଣା ସେ ସାଙ୍ଗସାଥୀମାନଙ୍କଠାରୁ ସହଜରେ ଗ୍ରହଣ କରିଥାଏ |” ଅତଏବ ଏହି ସବୁ ଧାରଣା ଯାହା ଆମ ଜୀବନର ଦିଶା ନିର୍ଦ୍ଧାରଣ କରିପାରେ, ଆମ ଅଜାଣତରେ ଆପେ ଆପେ ସୃଷ୍ଟି ହୋଇଯାଏ | କିନ୍ତୁ ଆମେ ଯଦି ନିଜର ବ୍ୟକ୍ତିତ୍ବକୁ ଏକ ଉର୍ଦ୍ଧ୍ବ ଚେତନାର ସ୍ତରକୁ ଉନ୍ନୀତ କରିବାକୁ ଇଚ୍ଛା କରୁଥାଏ, ତାହାକୁ ପବିତ୍ର କରିବାକୁ ଇଚ୍ଛା କରୁଥାଏ, ତେବେ ଆମେ ନିଜ ଭିତରେ ମହତ୍, ହିତକାରୀ ଏବଂ ଦୃଢ ଧାରଣା ସୃଷ୍ଟି କରିବା ଆବଶ୍ୟକ | ତାହା ଆମେ କିପରି କରିବା ?

 ଗତ ଦୁଇ ଦିନ ଧରି ଆମେ ଜ୍ଞାନର ମହତ୍ତ୍ବ ଉପରେ ବିଚାର କଲେ | ସେଥିପାଇଁ ପ୍ରଥମତଃ ଆମେ ଶ୍ରବଣ ଅଥବା ଅଧ୍ୟୟନ ଦ୍ବାରା ଜ୍ଞାନ ଆହରଣ କରିବା ଏବଂ ଦ୍ବିତୀୟ ସୋପାନରେ ତାହାର ଚିନ୍ତନ ଏବଂ ମନନ କରିବା | ବର୍ତ୍ତମାନ ଆମେ ତାହା ସହିତ ତୃତୀୟ ସୋପାନଟି ଯୋଡିବା ଯାହାକୁ ଶାସ୍ତ୍ରମାନେ ‘ନିଦିଧ୍ୟାଶନ’ କହିଥାଆନ୍ତି – ଗୁରୁ ଏବଂ ଶାସ୍ତ୍ରମାନଙ୍କଠାରୁ ପ୍ରାପ୍ତ କରିଥିବା ଜ୍ଞାନର ଆଧାରରେ ଏକ ନିର୍ଣ୍ଣୟରେ ଉପନୀତ ହେବା | କଠୋପନିଷଦର ଏକ ଶକ୍ତିଶାଳୀ ଉଦଘୋଷ:

             ଅସ୍ତିତ୍ବୋପଲବଧସ୍ୟ ତତ୍ତ୍ଵଭାବଃ ପ୍ରସିଦତୀ |

ଏହି ମନ୍ତ୍ର କହେ, ଭଗବାନଙ୍କର ପରିଭାଷା ଉପରେ କେବଳ ବିଶ୍ବାସ କରିନେବା ମାତ୍ରେ ଭଗବତ୍ ପ୍ରାପ୍ତି ହୋଇଯିବ | ଏହାର ଅଭିପ୍ରାୟ କ’ଣ ? ଦେଖନ୍ତୁ, ଭଗବାନଙ୍କର ପରିଭାଷା ଆମେ ସମସ୍ତେ ଜାଣେ – ସେ ଚରାଚର ଜଗତର ସ୍ରଷ୍ଟା ଅଟନ୍ତି, ସେ ଆମ ହୃଦୟରେ ନିବାସ କରିଛନ୍ତି, ସେ ସଦା ସର୍ବଦା ଆମ ସହିତ ରହିଛନ୍ତି, ସେ ଆନନ୍ଦ ସିନ୍ଧୁ ଅଟନ୍ତି ଏବଂ ଆମର ବାସ୍ତବ ସମ୍ବନ୍ଧୀ ଅଟନ୍ତି  ଇତ୍ୟାଦି | ମନ୍ଦିରକୁ ଯାଇ ଆମେ ସମସ୍ତେ କହିଥାଏ, “ହେ ପ୍ରଭୁ ! ଏକମାତ୍ର ଆପଣ ହିଁ ମୋର ମା, ମୋର ବାପା ଏବଂ ମୋର ସର୍ବସ୍ବ ଅଟନ୍ତି |” କିନ୍ତୁ ବାସ୍ତବରେ ଆମେ କ’ଣ ତାହା ବିଶ୍ବାସ କରିଥାଏ ? ଅତଏବ ଆମ ପାଇଁ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ଏହା ଯେ ଶାଶ୍ବତ ଦିବ୍ୟ ଜ୍ଞାନ ଆହରଣ କରିବା ପରେ ବାରମ୍ବାର ଚିନ୍ତନ-ମନନ ଦ୍ବାରା ବୁଦ୍ଧିରେ ତାହାକୁ ସ୍ଥାପିତ କରିବା ଏବଂ ସେହି ଜ୍ଞାନର ଆଧାରରେ ଦୃଢ ନିଶ୍ଚୟ କରିବା ଆବଶ୍ୟକ – “ହଁ, ଏହା ହିଁ ଅଟେ’ | ଏହିପରି ଦୃଢ ନିଶ୍ଚୟ ଆମକୁ କଳ୍ପନାତୀତ ଭାବରେ ମଜବୁତ୍ କରିଥାଏ | ବିଶ୍ବାସ ଏପରି ଶକ୍ତିଶାଳୀ ଅଟେ !!

        ****************************




 

Comments

Popular posts from this blog