୧୩. ନମ୍ରତା ଆଧ୍ୟାତ୍ମିକ
ସମ୍ପଦର ପ୍ରବେଶ ଦ୍ବାର ଅଟେ
ଏହି ବିଶାଳ ସୃଷ୍ଟିରେ ଆମର ସ୍ଥିତି କ’ଣ ଯାହାକୁ ନେଇ ଆମେ ଗର୍ବ କରିବା ? ଆମର ଅନନ୍ତ ଜନ୍ମ ବିତି ଗଲାଣି ଅଥଚ ଆଜି ପର୍ଯ୍ୟନ୍ତ ଆମେ କାମ, କ୍ରୋଧ, ଲୋଭ, ମୋହ, ଈର୍ଷା, ଘୃଣା ଆଦି କବଳରୁ ନିଜକୁ ମୁକ୍ତ କରି ପାରିଲେ ନାହିଁ | ଏବେ ମଧ୍ୟ ଆମ ଭିତରେ ଅଜ୍ଞାନ ରହିଛି | ତେଣୁ କାହାକୁ ନେଇ ଆମେ ଗର୍ବ କରିବା ?
ରବିନ୍ଦ୍ରନାଥ ଟାଗୋର୍, ପ୍ରଖ୍ୟାତ ବଙ୍ଗୀୟ କବି, ସମୁଦ୍ର ତଟବର୍ତ୍ତୀ ଗୋଟିଏ ଛୋଟ କୁଟୀରରେ ବସି କବିତା ରଚନା କରୁଥାଆନ୍ତି | କୋଠରୀ ବାହାରେ ଉଜ୍ଜଳ ଚନ୍ଦ୍ର କିରଣ ବିଛାଡି ହୋଇ ପଡିଛି, ଅଥଚ କୋଠରୀର ଭିତର ଭାଗ କେବଳ ଗୋଟିଏ ଛୋଟ ବତୀର ଆଲୋକ ବ୍ୟତିତ ଅପେକ୍ଷାକୃତ ଭାବରେ ଅନ୍ଧାର ରହିଛି | କିଛି ସମୟ ପରେ ସେହି ବତୀଟି ମଧ୍ୟ ଲିଭିଗଲା | ଏବେ କବି ନିଜ କୋଠରୀର ଝରକା ଖୋଲିଦେଲେ ଏବଂ ଘର ଭିତର ଚନ୍ଦ୍ରଲୋକରେ ଉଦ୍ଭାସିତ ହୋଇ ଉଠିଲା | ଚନ୍ଦ୍ର କିରଣ ପରି ଭଗବାନଙ୍କର କୃପା ଚତୁର୍ଦ୍ଦିଗରେ ବିଚ୍ଛୁରିତ | ଘର ଭିତରେ ଜଳୁଥିବା ଛୋଟ ବତୀଟି ପରି ଆମ୍ଭମାନଙ୍କର ଅହଂକାର ଯାହା ଆମକୁ ସେହି କୃପାରୁ ବଂଚିତ ରଖିଛି | ଆମେ ଯଦି ନିଜ ଜୀବନକୁ ସୁଧାରିବାକୁ ଇଚ୍ଛା କରୁଥାଏ ତେବେ ଆମେ ଭିତରେ ବସିଥିବା ସେହି ଅହଂ ରୂପୀ ଶତ୍ରୁର ନିପାତ କରିବା ଆବଶ୍ୟକ | ଆମ ପାଖରେ ଏପରି କ’ଣ ଅଛି ଯାହାକୁ ନେଇ ଆମେ ଅହଂକାର କରିବା ? କୁବେରଙ୍କ ପରି ଆମେ ଧନବାନ ନୁହେଁ କି ଇନ୍ଦ୍ରଙ୍କ ପରି ଯଶସ୍ବୀ ନୁହେଁ | ଜଣେ ବ୍ୟାପାରୀ ଥରେ ଜଣେ ସନ୍ଥଙ୍କର ଦର୍ଶନ କରିବାକୁ ଗଲେ | ତାଙ୍କର ଗୋଟିଏ ବିଶାଳ ପ୍ରାସାଦ ଥିଲା ଯାହାର ବଖାଣ ସେ ସମସ୍ତଙ୍କ ଆଗରେ କରୁଥିଲେ | ସନ୍ଥ ଜଣକ ତାଙ୍କ ସମ୍ମୁଖରେ ଗୋଟିଏ ମାନଚିତ୍ର ରଖି ପଚାରିଲେ, “ଆପଣ ଯେଉଁ ସହରରେ ନିବାସ କରୁଛନ୍ତି, ତାହା ଏହି ମାନଚିତ୍ରରେ କେଉଁଠି ଅଛି ?” ତାହା ଗୋଟିଏ ବିନ୍ଦୁ ସଦୃଶ ଥିଲା | “ସହରର ଯେଉଁ ଗଳିରେ ଆପଣ ରହୁଛନ୍ତି, ତାହାର ସ୍ଥାନ କେଉଁଠି ?” ତାହା ବିନ୍ଦୁ ମଧ୍ୟରେ ଗୋଟିଏ ଛୋଟ ବିନ୍ଦୁ ଥିଲା | “ସେହି ଗଳିରେ ଆପଣଙ୍କର ପ୍ରାସାଦ କେଉଁଠି ?” ତାହା ବିନ୍ଦୁ ମଧ୍ୟରେ ଥିବା କ୍ଷୁଦ୍ର ବିନ୍ଦୁ ମଧ୍ୟରେ ତା’ଠାରୁ କ୍ଷୁଦ୍ର ଏକ ବିନ୍ଦୁ ଥିଲା | ସେହିପରି ଏହି ବିଶାଳ ସୃଷ୍ଟିରେ ଆମର ସ୍ଥିତି କ’ଣ ଯାହାକୁ ନେଇ ଆମେ ଗର୍ବ କରିବା ? ତା ସତ୍ତ୍ବେ ବି ଆମର କର୍ତ୍ତୁତ୍ବାଭିମାନ ରିହିଥାଏ ଯାହା ଆମର ଅନ୍ତଃକରଣକୁ ମଳୀନ କରିଦିଏ | ଆମେ ଯଦି କିଛି ଆଧ୍ୟାତ୍ମିକ ଲାଭ ପାଇବାକୁ ଇଚ୍ଛା କରୁଥାଏ, ତେବେ ଆମେ ନିଜ ଭିତରର ସେହି ଅହଂକାରକୁ ନାଶ କରିବା ଦିଗରେ ପ୍ରୟାସ କରିବା ଆବଶ୍ୟକ |
ଜଣେ ବିଦ୍ବାନ ବ୍ୟକ୍ତି ଜଣେ ଭଗବତ୍ ପ୍ରାପ୍ତ ମହାପୁରୁଷଙ୍କ ପାଖକୁ ଯାଇ କହିଲେ, “ମୁଁ ଅନେକ ଶାସ୍ତ୍ର ଅଧ୍ୟୟନ କରିଛି, ଅନେକ ଜ୍ଞାନ ଉପଦେଶ ଶ୍ରବଣ କରିଛି, ତଥାପି ମୁଁ ଆଜି ଯାଏଁ ବାସ୍ତବିକ ଭଗବତ୍ ଉପଲବଧିରୁ ବଂଚିତ ରହିଛି | ଭଗବାନଙ୍କର କିଂଚିତ ଆଭାସ ମଧ୍ୟ ମୁଁ ପ୍ରାପ୍ତ କରିପାରି ନାହିଁ | ଦୟାକରି ଏପରି କୌଣସି ଆଧ୍ୟାତ୍ମିକ ସାଧନା ସମ୍ବନ୍ଧରେ ମୋର ମାର୍ଗଦର୍ଶନ କରନ୍ତୁ ଯଦ୍ବାରା ମୁଁ କିଛି ଦିବ୍ୟ ଉପଲବଧି ପ୍ରାପ୍ତ କରି ପାରିବି |” ସାଧୁ ଜଣକ ଇଷତ୍ ହସି କହିଲେ, “ବାହାରକୁ ଯାଅ ଏବଂ ନିଜର ଦୁଇ ହାତ ଉପରକୁ ଉଠାଇ ଭଗବାନଙ୍କ ଉଦ୍ଦେଶ୍ୟରେ ରୋଦନ କର | ତୁମର ପ୍ରଥମ ଆଧ୍ୟାତ୍ମିକ ଉପଲବଧି ହୋଇଯିବ |” ବିଦ୍ବାନ ଜଣକ ଆଜ୍ଞାବହ ଭାବରେ ସାଧୁଙ୍କର ନିର୍ଦ୍ଦେଶ ଅନୁସରଣ କଲେ | ଦୁର୍ଭାଗ୍ୟବଶତଃ, ବାହାରେ ସେତେବେଳେ ଭୀଷଣ ବର୍ଷା ହେଉଥାଏ | ତଥାପି ବିଦ୍ବାନ ଜଣକ ସାଧୁଙ୍କର ଆଜ୍ଞା ମାନି ଦୁଇ ହାତ ଉପରକୁ ଉଠାଇ ଦୀର୍ଘ ଦୁଇ ଘଣ୍ଟା ଯାଏଁ ଚିତ୍କାର କରି ଭଗବାନଙ୍କୁ ଡାକିଲେ | ସାଧୁ ତାଙ୍କୁ ଭିତରକୁ ଡାକି ପଚାରିଲେ, “କେମିତି ଲାଗିଲା ?” ବିଦ୍ବାନ ଜଣକ ଉତ୍ତର ଦେଲେ, “ମହାରାଜ ! ସମ୍ପୂର୍ଣ୍ଣ ଆକାଶ ଘନ ବାଦଲରେ ଛାଇ ହୋଇ ରହିଥିଲା | ବର୍ଷା ଜଳ ମୋ ମୁହଁ ଉପରେ ପଡୁଥିଲା | ମୋର ବସ୍ତ୍ର ଏବଂ କେଶ ବର୍ଷା ଜଳରେ ସିକ୍ତ ହେବାରେ ଲାଗିଥିଲା ଏବଂ ମୋର ପାଦ ପଙ୍କ-କାଦୁଅରେ ବୁଡି ରହିଥିଲା | ମୋର ମନେ ହେଉଥିଲା ମୁଁ ଜଣେ ମହାମୁର୍ଖ ଅଟେ |” ସାଧୁ କହିଲେ, “ତୁମେ ନିଜର ପ୍ରଥମ ଆଧ୍ୟାତ୍ମିକ ଉପଲବଧି ପ୍ରାପ୍ତ କରିଅଛ |” ବାସ୍ତବରେ, ଏହା ଆମର ଦୀନତା ହିଁ ଅଟେ ଯାହା ଆମ ପାଇଁ ଆଧ୍ୟାତ୍ମିକ ଗନ୍ତାଘରର ଦ୍ବାର ଉନ୍ମୁକ୍ତ କରି ଦେଇଥାଏ | ସେଥିପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁ କହନ୍ତି -
ତୃଣାଦପି
ସୁନୀଚେନ ତରୋରପି ସହିଷ୍ଣୁନା |
ଅମାନିନାମାନଦେନ
କୀର୍ତ୍ତନୀୟ ସଦା ହରିଃ ||
“ନିଜକୁ ତୃଣ ଠାରୁ ମଧ୍ୟ
ନଗଣ୍ୟ ମନେକର ଏବଂ ବୃକ୍ଷ ଠାରୁ ଅଧିକ ସହିଷ୍ଣୁ ମନେକର | ଅନ୍ୟମାନଙ୍କର ସମ୍ମାନ କର, ଅଥଚ ନିଜ
ପାଇଁ ସମ୍ମାନର ଲାଳସା ରଖନାହିଁ | ଏହିପରି ଦୈନ୍ୟ ଭାବଯୁକ୍ତ ହୋଇ ସଦା ସର୍ବଦା ଶ୍ରୀ ହରି ନାମ
ସଂକୀର୍ତ୍ତନ କର |” ତେବେ ନିଜ ଭିତରେ ଆମେ ଏହି ବିନମ୍ରତା ଗୁଣର ବିକାଶ କେମିତି କରିବା ?
ବାସ୍ତବରେ, ଯେତେ ଅଧିକ ଆମେ ଭଗବାନଙ୍କର ସମୀପସ୍ଥ ହେବା, ଆମ ଭିତରେ ଦୀନତା ସେତେ ଅଧିକ ସ୍ବତଃ
ବୃଦ୍ଧି ଲାଭ କରିବ | ପାହାଡକୁ ବହୁ ଦୂରରୁ ଦେଖି ଆମେ ଭାବିଥାଏ, ଏହାର ଉଚ୍ଚତା ଆମ ଉଚ୍ଚତା
ସହିତ ସମାନ ହୋଇଥିବ | କିନ୍ତୁ ତାହାକୁ ଯେତେବେଳେ ଆମେ ଅତି ପାଖରେ ଦେଖିଥାଏ, ତାହାର ଉଚ୍ଚତା
ସମ୍ମୁଖରେ ଆମେ ନିଜକୁ ଅତି ହେୟ ମନେ କରିଥାଏ – କାହିଁ ପାହାଡ, କାହିଁ ମୁଁ !! ଠିକ୍ ସେହିପରି,
ଭଗବାନଙ୍କ ମହିମାର ବିସ୍ମୃତି ଯୋଗୁଁ ଆମେ ନିଜର
ତୁଚ୍ଛ ଗୌରବକୁ ନେଇ ଅହଂକାର କରିଥାଏ | ରାତିରେ ଯେତେବେଳେ ଆକାଶରେ ସୂର୍ଯ୍ୟ ନ ଥାଆନ୍ତି,
ଖଦ୍ୟୋତର କ୍ଷୀଣ ଆଲୋକ ଅନ୍ୟ କାହାକୁ ଆଲୋକିତ କରି ନ ପାରିଲେ ମଧ୍ୟ ଅନ୍ତତଃ ସ୍ବୟଂ ଦୃଶ୍ୟମାନ
ହୋଇଥାଏ | କିନ୍ତୁ ସକାଳେ ସୂର୍ଯ୍ୟ ଉଦୟ ହେବା ମାତ୍ରେ ତା’ର ଅସ୍ତିତ୍ତ୍ବ ହିଁ ଲୋପ ପାଇଯାଏ |
କାହାକୁ ନେଇ ସେ ଗର୍ବ କରିବ ? ସେହିପରି, ଆମ୍ଭେମାନେ ମଧ୍ୟ ନିଜ ବ୍ୟକ୍ତିତ୍ବର ଲଘୁତା ପ୍ରତି
ସଚେତନ ରହିବା ଆବଶ୍ୟକ |
ଆମର ଅନନ୍ତ ଜନ୍ମ ବିତି
ଯାଇଛି, ଅଥଚ ଏଯାବତ୍ ଆମେ ନିଜକୁ କାମ, କ୍ରୋଧ, ଲୋଭ, ମୋହ, ଈର୍ଷା, ଦ୍ବେଷ ଆଦିଙ୍କ କବଳରୁ
ମୁକ୍ତ କରି ପାରିନାହେଁ | ଆମ ଭିତରେ ଏବେ ବି ଭରପୁର୍ ଅଜ୍ଞାନ ରହିଛି | ତେଣୁ ଆମେ କାହାକୁ ନେଇ
ଗର୍ବ କରିବା ? ବାରମ୍ବାର ଏହିପରି ଅନ୍ତର୍ନୀରିକ୍ଷଣ ଆମ ଭିତରେ ନମ୍ରତା ବୃଦ୍ଧି କରି ଆମକୁ
ଅହଂକାର ଶୂନ୍ୟ ହେବାରେସହାୟକ ହୋଇଥାଏ |
***********************

Comments
Post a Comment