୧୪. ଅନ୍ତଃକରଣ ଶୁଦ୍ଧି ନିମନ୍ତେ ଯୋଗୀମାନଙ୍କର ଶକ୍ତିଶାଳୀ ଦିନଚର୍ଯ୍ୟା

ମନର ନିଜସ୍ବ ଏକ ସଂସାର ରହିଛି | ସେ ଇଚ୍ଛା କଲେ ସ୍ବର୍ଗକୁ ନର୍କରେ ପରିଣତ କରିପାରେ ଏବଂ ନର୍କରେ ମଧ୍ୟ ସ୍ବର୍ଗ ସୁଖର ଆନନ୍ଦ ଅନୁଭବ କରାଇ ପାରେ | ସେଥିପାଇଁ ଜୀବନକୁ ସମୁନ୍ନତ କରିବା ଅଭିଯାନରେ ମନ ପ୍ରତି ବିଶେଷ ଧ୍ୟାନ ଦେଇ ତାହାକୁ ଶୁଦ୍ଧ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ |

            ତବ୍ରିତ ଏବଂ ସୁବ୍ରତ ଦୁଇ ଭାଇ ଦିନେ ଭାଗବତ କଥା ଶୁଣିବା ଉଦ୍ଦେଶ୍ୟରେ ଘରୁ ବାହାରି ମନ୍ଦିରକୁ ଯାଉଥାଆନ୍ତି | ଅଚାନକ ରାସ୍ତାରେ ପ୍ରବଳ ଝଡ ବର୍ଷା ଆରମ୍ଭ ହୋଇଗଲା | ଆଶ୍ରୟ ନେବା ପାଇଁ ସେମାନେ ନିକଟରେ ଥିବା ଗୋଟିଏ କୋଠା ଘରକୁ ପ୍ରବେଶ କରିଗଲେ | କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ଗୋଟିଏ ବେଶ୍ୟାଳୟ ଥିଲା | ବେଶ୍ୟାମାନେ ସେମାନଙ୍କର ଗ୍ରାହକମାନଙ୍କୁ ଆମୋଦିତ କରିବା ପାଇଁ ନୃତ୍ୟ କରୁଥାଆନ୍ତି | ତାହା ଦେଖି ଭୟରେ ତବ୍ରିତର ଆଖି ଖୋସି ହୋଇଗଲା | ସେ ଭାବିଲା ଯେତେ ଶୀଘ୍ର ସମ୍ଭବ ଏହି ପାପ ନିଳୟରୁ ବାହାରକୁ ଚାଲିଯିବା ଦରକାର | ସୁବ୍ରତ ତାକୁ ଶାନ୍ତ କରାଇବା ଉଦ୍ଦେଶ୍ୟରେ କହିଲା,”ଦେଖ ଭାଇ, ବାହାରେ ପ୍ରବଳ ବର୍ଷା ହେଉଛି | ଅନ୍ତତଃ ବର୍ଷା ଛାଡିବା ଯାଏଁ ଆମେ ଏଠାରେ ଟିକିଏ ଅପେକ୍ଷା କରିବା |” ତାହା ଶୁଣି ତବ୍ରିତ କ୍ରୋଧରେ ନିଆଁବାଣ ହୋଇ କହିଲା, “ତୋର ମନ ପାପ ପ୍ରତି ଲାଳାୟିତ ହେଉଛି, ସେଥିପାଇଁ ତୁ ଏପରି କହୁଛୁ |” ଏତିକି କହି ତବ୍ରିତ ଡିଆଁ ମାରି ବାହାରକୁ ଚାଲିଗଲା ଏବଂ ବର୍ଷାକୁ ଖାତିର ନ କରି ମନ୍ଦିରକୁ ଯାଇ ଭାଗବତ କଥା ଶୁଣିବା ପାଇଁ ବସିଲା | କିନ୍ତୁ କିଛି ସମୟ ପରେ ସେ ଉଚାଟ ହୋଇ ଭାବିଲା, “ଏଠାକୁ ଆସି ମୁଁ ବହୁତ ବଡ ଭୁଲ୍ କଲି | ମୋ ଭାଇ ସେଠାରେ ମଜାରେ ବସି ନାଚ ଦେଖୁଥିବ |” ଏପଟେ ସୁବ୍ରତ ମନେ ମନେ ଅନୁତାପ କରିବାରେ ଲାଗିଥାଏ, “ମୁଁ ଭାଇ ସାଙ୍ଗରେ କାହିଁକି ଗଲି ନାହିଁ | ମୋର ଶରୀର ତ ଚିନି କି ଲୁଣରେ ଗଢା ନୁହେଁ ଯେ ପାଣି ପଡିଲେ ତରଳି ଯାଇ ଥାଆନ୍ତା |” ଏହିପରି ଭାବରେ ସୁବ୍ରତ ବେଶ୍ୟାଳୟରେ ବସି ଭାଗବତ ରସର ଚିନ୍ତନ କରୁଥାଏ, ଅଥଚ ତବ୍ରିତ ମନ୍ଦିରରେ ବସି ବେଶ୍ୟାଳୟର ଧ୍ୟାନ କରିବାରେ ଲାଗିଥାଏ | ପୁରାଣର ବର୍ଣ୍ଣନା ଅନୁଯାୟୀ କିଛି ସମୟ ପରେ ବର୍ଷା ଛାଡି ଗଲା ଏବଂ ମନ୍ଦିରରେ ଭାଗବତ କଥା ମଧ୍ୟ ସରିଗଲା | ଦୁଇ ଭାଇ ନିଜ ନିଜ ସ୍ଥାନରୁ ଉଠି ପରସ୍ପର ଅଭିମୁଖରେ ଚାଲିଲେ | ଦୁହେଁ ଦୁହିଁଙ୍କ ସହିତ ମିଳିତ ହେବା ମାତ୍ରେ ଅଚାନକ ବଜ୍ରପାତ ହେଲା ଏବଂ ଦୁହେଁ ଏକ ସମୟରେ ମୃତ୍ୟୁ ବରଣ କଲେ | ଯମଦୂତମାନେ ତବ୍ରିତକୁ ନେବାକୁ ଆସୁଥିବା ଦେଖି ସେ କହିଲା, “ଆପଣମାନେ ବୋଧହୁଏ ଭୁଲରେ ମୋ ପାଖକୁ ଆସି ଯାଇଛନ୍ତି | ମୁଁ ତ ମନ୍ଦିରରେ ବସି ଭାଗବତ ଶୁଣୁଥିଲି, ମୋ ଭାଇ ସୁବ୍ରତ ବେଶ୍ୟାଳୟରେ ବସିଥିଲା |” ଯମଦୂତମାନେ ଉତ୍ତର ଦେଲେ, “ଆମେ ଆଦୌ ଭୁଲ୍ କରିନାହୁଁ | ବାହ୍ୟତଃ ଯଦିଓ ତୁମେ ମନ୍ଦିରରେ ବସିଥିଲ, ତୁମର ମନ ପାପ କ୍ଷେତ୍ରରେ ଥିଲା |”

ତାତ୍ପର୍ଯ୍ୟ ଏହା ଯେ ଈଶ୍ବରୀୟ ରାଜ୍ୟରେ ମନର ମହତ୍ବ ସର୍ବାଧିକ ଅଟେ | ବସ୍ତୁତଃ, ଆମର ମନ ଯେଉଁଠି ଥାଏ, ଆମେ ସେହିଠାରେ ଥାଏ | ଭୌତିକ କ୍ଷେତ୍ରରେ ବାହ୍ୟ ଆଡମ୍ବର ଏବଂ ମର୍ଯ୍ୟାଦା ଆଦିକୁ ମହତ୍ବ ଦିଆ ଯାଇଥାଏ | ସେଥିପାଇଁ ଆମେ ନିଜ ଆଚରଣରେ ‘ଧନ୍ୟବାଦ’, ‘କ୍ଷମା କରିବେ’ ଆଦି ଶିଷ୍ଠତା ପ୍ରଦର୍ଶନ କରିଥାଏ | କିନ୍ତୁ ସଂସାର ବାହ୍ୟ ବ୍ୟବହାରକୁ ଦେଖୁଥିବା ବେଲ ଭଗବାନ ଆମ ଭିତରକୁ ଦେଖୁ ଥାଆନ୍ତି | ସେଥିପାଇଁ, ଆମ୍ଭମାନଙ୍କର ଏହି ଆଧ୍ୟାତ୍ମିକ ଯାତ୍ରାରେ ଆମେ ଅନ୍ତରଙ୍ଗ ସ୍ତରରେ ନିଜକୁ ଶୁଦ୍ଧ କରିବା ଦିଗରେ ଯତ୍ନବାନ୍ ହେବା ଆବଶ୍ୟକ | ପାଶ୍ଚାତ୍ୟ ଦାର୍ଶନିକ ଜନ ମିଲଟନ୍ ଏହାକୁ ଅତି ସୁନ୍ଦର ଭାବରେ ଉପସ୍ଥାପିତ କରିବାକୁ ଯାଇ କହନ୍ତି, “ମନର ଏକ ସ୍ବତନ୍ତ୍ର ସୃଷ୍ଟି ରହିଛି | ସେହି ସୃଷ୍ଟିରେ ସେ ଇଚ୍ଛା କଲେ ସ୍ବର୍ଗକୁ ନର୍କ କରି ଦେଇପାରେ ଏବଂ ନର୍କରେ ସ୍ବର୍ଗ ସୁଖର ଅନୁଭବ କରାଇ ଥାଏ |” ଜୀବନକୁ ସୁଧାରିବା ପାଇଁ ଅନ୍ତଃକରଣ ଶୁଦ୍ଧି ଅତ୍ୟନ୍ତ ଆବଶ୍ୟକ ଅଟେ | ଆମେ ତାହା କିପରି କରିବା ? ଭଗବଦ୍ ଗୀତା କହେ –

                        ମାମ୍ ଚ ୟୋବ୍ୟଭିଚାରେଣ ଭକ୍ତିଯୋଗେନ ସେବତେ |

               ସଗୁଣୈସମତୀତ୍ୟୈତାନ୍ ବ୍ରହ୍ମଭୂୟାୟ କଲ୍ପତେ ||

ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, “ହେ ଅର୍ଜୁନ, ତୁମର ମନ ମାୟିକ ସ୍ଥିତିର ତ୍ରିଗୁଣ: ସତ୍ତ୍ବ, ରଜ ଏବଂ ତମ ଗୁଣରେ କାର୍ଯ୍ୟ କରିଥାଏ, ଅଥଚ ମୁଁ ତ୍ରିଗୁଣାତୀତ ଏବଂ ଦିବ୍ୟ ଅଟେ | ତେଣୁ ମୋ ସହିତ ତୁମେ ଯେତେବେଳେ ନିଜର ମନକୁ ସଂଲଗ୍ନ କରିଦେବ, ତୁମର ମନ ଶୁଦ୍ଧ ହେବାରେ ଲାଗିଯିବ |” ତେବେ ଭଗବାନଙ୍କ ସହିତ ଆମେ ମନକୁ ସଂଲଗ୍ନ କରିବା କିପରି ? ସେଥିପାଇଁ ଆମକୁ ଏକ ଦୈନିକ ସାଧନା ସାରଣୀ ପ୍ରସ୍ତୁତ କରିବାକୁ ପଡିବ |

            ଉଦାହରଣ ସ୍ବରୂପ କ୍ଷୀର ଏବଂ ପାଣିକୁ ନିଅନ୍ତୁ | ଆପଣ ଯଦି କ୍ଷୀରରେ ପାଣି ମିଶାଇବେ, ତେବେ ପାଣି ସହିତ ମିଶି ସେ ନିଜର ଶୁଦ୍ଧ ଅସ୍ତିତ୍ବ ହରାଇବ | କିନ୍ତୁ ଆପଣ ପାଣି ମିଶାଇବା ପୂର୍ବରୁ ଯଦି ତାହାକୁ ଦହିରେ ପରିଣତ କରିଦେବେ ଏବଂ ଦହିକୁ ମନ୍ଥନ କରି ସେଥିରୁ ଲହୁଣୀ କାଢ଼ିବେ, ସେହି ଲହୁଣୀ ପାଣି ସହିତ ବାଜି ଲଗାଇ ପାରିବ – ରେ ପାଣି ! ଏବେ ମୁଁ ତୋର ମସ୍ତକ ଉପରେ ବସି ଆନନ୍ଦରେ ପହଁରିବି, ତୁ ମୋର କିଛି ବିଗାଡି ପାରିବୁ ନାହିଁ | ସେହି କ୍ଷୀର ଏବେ ପାଣି ଦ୍ବାରା ପ୍ରଭାବିତ ହେଲା ନାହିଁ କିପରି ? କାରଣ ପାଣି ଠାରୁ ଦୂରରେ ରହି ପ୍ରଥମେ ସେ ନିଜର ଶକ୍ତିକୁ ବର୍ଦ୍ଧିତ କରିନେଲା | କ୍ଷୀର ପରି ଆମର ମନ ଅଟେ ଏବଂ ସଂସାର ପାଣି ସଦୃଶ ଅଟେ | ସାଂସାରିକ କର୍ତ୍ତବ୍ୟ ପାଳନ କରିବାକୁ ଗଲାବେଳେ, ମନକୁ ସଂଯତ ରଖିବାର ଆମର ଶତଚେଷ୍ଟା ସତ୍ତ୍ବେ, ଅନେକ ପ୍ରକାରର ସାଂସାରିକ ବିକର୍ଷଣ ଦ୍ବାରା ତାହା ପଥଭ୍ରଷ୍ଟ ହୋଇଯାଏ | ସେଥିପାଇଁ ଶାସ୍ତ୍ରମାନେ କହନ୍ତି, ବିବିକ୍ତସେବୀ ଲଘ୍ଵାସି, ଅର୍ଥାତ୍ ନିୟମିତ ଭାବରେ ପ୍ରତ୍ୟେକ ଦିନ କିଛି ସମୟ ଏକାନ୍ତ ସାଧନା ନିମନ୍ତେ ଉଦ୍ଦିଷ୍ଟ କରନ୍ତୁ, ଯେତେବେଳେ ଆପଣ ସମ୍ପୂର୍ଣ୍ଣ ସଂସାରକୁ ପାଶୋରି ଦେଇ ଏକମାତ୍ର ଭଗବାନଙ୍କ ଠାରେ ନିଜର ଧ୍ୟାନ କେନ୍ଦ୍ରିତ କରିବେ | ସେହି ଏକାନ୍ତ ସାଧନା ଆପଣଙ୍କୁ ଦିନସାରା ସାହାଯ୍ୟ କରିବ | ଆପଣ ଯଦି ଦିନକରେ କେବଳ ଏକ ଘଣ୍ଟା ସାଧନା ନିମନ୍ତେ ବ୍ୟୟ କରିବେ, ଆପଣ ଦେଖିବେ ଦିନର ବାକି ସମୟ ଆପଣଙ୍କର ଚେତନା ସମୃଦ୍ଧ ରହିବ | ଅତଏବ, ମନକୁ ଶୁଦ୍ଧ କରିବା ପାଇଁ ଆମେ ତାହାକୁ ପରମ ଶୁଦ୍ଧ ଭଗବାନଙ୍କ ସହିତ ସଂଯୁକ୍ତ କରିବା ଆବଶ୍ୟକ ଏବଂ ସେଥିପାଇଁ ଆମେ ନିଜର ଦିନଚର୍ଯ୍ୟାରେ ଏକାନ୍ତ ସାଧନା ନିମନ୍ତେ କିଛି ସମୟ ନିର୍ଦ୍ଦିଷ୍ଟ କରିବା ଆବଶ୍ୟକ | ବାଇବେଲ୍ ମଧ୍ୟ କହେ, ପ୍ରାର୍ଥନା କରିବା ସମୟରେ କୌଣସି ଏକ ଛୋଟ କୋଠରୀରେ  ବସି ଦ୍ବାରକୁ ରୁଦ୍ଧ କରିଦିଅନ୍ତୁ |

        ***************************




 

Comments

Popular posts from this blog