୧୫. ଭଗବାନଙ୍କଠାରେ ମନୋନିବେଶ କରିବା ନିମନ୍ତେ ଏକ ସରଳ ଧ୍ୟାନ ପଦ୍ଧତି

ମନ କାହା ବିଷୟରେ ଚିନ୍ତା କରିବାକୁ ଗଲାବେଳେ ତାହାର ଏକ ଛବି କଳନା କରିଥାଏ | ଏହା ମନର ସ୍ବଭାବ ଅଟେ | ମୁଁ ଯଦି ଆପଣଙ୍କୁ କହିବି, ନିଜ ବାପାଙ୍କର ଧ୍ୟାନ କରନ୍ତୁ, ତେବେ ଆପଣଙ୍କର ମନକୁ ତତକ୍ଷଣାତ୍ ବାପାଙ୍କର ଛବି ଆସିଯିବ |

            ଗତକାଲି ଆମ୍ଭେମାନେ ମନକୁ ଶୁଦ୍ଧ କରିବା ପାଇଁ ଭଗବାନଙ୍କ ଠାରେ ମନୋନିବେଶ କରିବା ପ୍ରକରଣରେ ଏକାନ୍ତ ସାଧନାର ଦିନଚର୍ଯ୍ୟା ସମ୍ପର୍କରେ ଆଲୋଚନା କରିଥିଲେ | କିନ୍ତୁ ଏହି ସାଧନା ଆମେ କରିବା କିପରି ? ଗୋଟିଏ ସାଧାରଣ ସାଧନା ପଦ୍ଧତି ଭଗବାନଙ୍କର ନାମ ଜପ କରିବା ଅଟେ | ଏହା ଗୋଟିଏ ସୁନ୍ଦର ପଦ୍ଧତି ଅଟେ ଏବଂ ଏହାକୁ ମୁଁ ନିଶ୍ଚିତ ଭାବରେ ପ୍ରୋତ୍ସାହିତ କରିବି |

                           ନାମ ଚିନ୍ତାମଣି କୃଷ୍ନଃ ଚୈତନ୍ୟ ରସ ବିଗ୍ରହଃ |

                                    ପୂର୍ଣ୍ଣଃ ଶୁଦ୍ଧ ନିତ୍ୟ ମୁକ୍ତୋ ଭିନ୍ନତ୍ବାତ୍ ନାମ ନାମୀ ନୋ ||

ଭଗବାନଙ୍କର ନାମ ଭଗବାନଙ୍କଠାରୁ ଅଭିନ୍ନ ଅଟେ | ତେଣୁ ଭଗବାନଙ୍କର ନାମ ଜପ କରି ଆମେ ଭଗବାନଙ୍କ ଠାରେ ମନୋନିବେଶ କରି ପାରିବା | କିନ୍ତୁ ମନକୁ ବଶୀଭୂତ କରିବା ପାଇଁ କେବଳ ନାମ ଜପ ଯଥେଷ୍ଟ ନୁହେଁ | ସେଥିପାଇଁ ଆମ୍ଭେମାନେ ଦେଖିବାକୁ ପାଇଥାଏ ବହୁତ ଲୋକ ମନର ସଂଯୋଗ ନ ଥାଇ କେବଳ ଏକ ଯାନ୍ତ୍ରିକ ପ୍ରକ୍ରିୟା ଭାବରେ ମୁହଁରେ ନାମ ଉଚ୍ଚାରଣ କରୁଥାଆନ୍ତି | ହାତରେ ଜପ ମାଳା ଗଡାଇ କହୁଥାଆନ୍ତି – “ବୋହୂ ! ପୁଅକୁ ଉଠାଇଲୁ ନା ନାହିଁ ? ତା’ର ସ୍କୁଲ୍ ଯିବାକୁ ଡେରି ହୋଇଯିବ |”....ଇତ୍ୟାଦି ଇତ୍ୟାଦି | ଏପରି ଯାନ୍ତ୍ରିକ ଆବୃତ୍ତି ଦ୍ବାରା କିଛି ହୁଏ ନାହିଁ କାରଣ ଆମର ଲକ୍ଷ୍ୟ ମନର ଶୁଦ୍ଧିକରଣ ଅଟେ | ସେଥିପାଇଁ ମୁଁ ଏକ ସାଧନା ପଦ୍ଧତି ସୁପାରିଶ୍ କରିବି ଏବଂ ତାହା ରୂପଧ୍ୟାନ ସାଧନା ଅଟେ – ମନକୁ ଭଗବାନଙ୍କର ରୂପରେ ମଗ୍ନ କରିବା | ଛବିକୁ ନେଇ ଭାବିବା ମନର ସ୍ବଭାବ ଅଟେ | ମୁଁ ଯଦି ଆପଣଙ୍କୁ କହିବି ଆପଣଙ୍କ ବାପାଙ୍କ ବିଷୟରେ ଭାବନ୍ତୁ, ଆପଣଙ୍କର ମନକୁ ପ୍ରଥମେ ବାପାଙ୍କର ଛବି ଆସିବ | ଆମ ମସ୍ତିସ୍କ ଏହିପରି ଭାବରେ କାର୍ଯ୍ୟ କରିଥାଏ | ଆପଣ ଯେତେବେଳେ ପାର୍କିଂ ଜାଗାରୁ ନିଜ କାର୍ ଆଣିବାକୁ ଯାଆନ୍ତି, ଆପଣ କାରର ନମ୍ବର୍ ଦେଖନ୍ତି ନାହିଁ | ଆପଣ କାରର ରଂଗ ଏବଂ ଆକାର ମନେ ପକାଇ ତାହାକୁ ଖୋଜନ୍ତି | ସେହିପରି ଭଗବାନଙ୍କର ସ୍ମରଣ କରିବାକୁ ଯାଇ ଆମେ ଯଦି କେବଳ ତାଙ୍କର ନାମ ଉଚ୍ଚାରଣ କରିବା, ତେବେ ତାହା ମନକୁ ସ୍ଥିର ରଖି ପାରିବ ନାହିଁ | ତା ସହିତ ମନକୁ ଆମେ ଯଦି ଭଗବାନଙ୍କର ଗୋଟିଏ ସୁନ୍ଦର ରୂପ ଦେଇପାରିବା, ତେବେ ମନକୁ ସ୍ଥିର ରହିବା ପାଇଁ ଗୋଟିଏ ପକ୍କା ଆଧାର ମିଳିଯିବ | ମହାପୁରୁଷମାନେ ତ ଧ୍ୟାନର ଏତେ ଉଚ୍ଚ ଅବସ୍ଥାରେ ପହଂଚି ଯାଆନ୍ତି ଯେ ଭଗବାନଙ୍କର ରୂପ ସେମାନଙ୍କ ଆଖିରେ ଲାଖି ରହିଥାଏ ଏବଂ ସର୍ବତ୍ର ସେମାନେ ସେହି ରୂପର ଦର୍ଶନ ହିଁ କରିଥାଆନ୍ତି | ଗୋପୀମାନେ କହନ୍ତି : ଜିତ ଦେଖୁଁ ତିତ ଶ୍ୟାମମୟୀ ହୈ | ଭଗବଦ୍ ଗୀତା ଅନୁଯାୟୀ – ବାସୁଦେବଃ ସର୍ବମିତି  | ରାମାୟଣ ଅନୁଯାୟୀ – ସିୟରାମମୟ ସବ ଜଗ ଜାନୀ | ହନୁମାନ ସର୍ବତ୍ର ସୀତାରାମଙ୍କର ଦର୍ଶନ କରୁଥିଲେ | ଏହା ଭକ୍ତିର ସିଦ୍ଧ ଅବସ୍ଥା, ଯେଉଁ ଅବସ୍ଥାରେ ସାରା ସଂସାର ଭଗବନ୍ମୟ ପ୍ରତୀତ ହୋଇଥାଏ |

 କିନ୍ତୁ ଆମ୍ଭେମାନେ ବର୍ତ୍ତମାନ ପ୍ରାରମ୍ଭିକ ଅବସ୍ଥାରେ ରହିଅଛେ; ସୁତରାଂ ଆମ୍ଭେମାନେ ଭଗବାନଙ୍କର ଦିବ୍ୟ ରୂପରେ ମନକୁ କେନ୍ଦ୍ରିତ କରିବା ନିମନ୍ତେ ଉଦ୍ୟମ କରିବା | ଆପଣମାନେ କହିପାରନ୍ତି ଯେ ଆମ୍ଭେମାନେ ତ ଭଗବାନଙ୍କୁ ଦେଖିନାହୁଁ, ମନରେ ତାଙ୍କର ରୂପର ସ୍ମରଣ ଆମେ କରିବୁ କିପରି ? କିନ୍ତୁ ବାସ୍ତବରେ ଭଗବାନଙ୍କର ରୂପ ଦିବ୍ୟ ଅଟେ ଏବଂ ମାୟିକ ମନ ଦ୍ବାରା ଅଗ୍ରାହ୍ୟ ଅଟେ | ସେଥିପାଇଁ ବଡ ବଡ ଯୋଗୀ, ମୁନି, ତପସ୍ବୀମାନେ ମଧ୍ୟ ମନରେ ଭଗବାନଙ୍କର ବାସ୍ତବ ରୂପର ଚିତ୍ରଣ କରିପାରନ୍ତି ନାହିଁ | ତେବେ ଆମେ କ’ଣ କରିବା ? ଭଗବାନ କହନ୍ତି, ବର୍ତ୍ତମାନ ସ୍ଥିତିରେ ତୁମେ ମୋର ଯେପରି ରୂପ ଇଚ୍ଛା କରୁଅଛ, ମନରେ ସେହି ରୂପର ଚିତ୍ରଣ କର ଏବଂ ତା’ ପ୍ରତି ମନର ପ୍ରେମମୟୀ ସମର୍ପଣ ଭାବ ବୃଦ୍ଧି କର | ତାପରେ ଯେତେବେଳେ ତୁମେ “ମାମେକଂ ଶରଣ ବ୍ରଜ” ସ୍ଥିତିରେ ଉପନୀତ ହୋଇଯିବ, ଅର୍ଥାତ୍ ତୁମର ଶରଣାଗତି ଅନନ୍ୟ ଏବଂ ପରିପୂର୍ଣ୍ଣ ହୋଇଯିବ, ମୁଁ ନିଜର କୃପା ପ୍ରଦାନ କରି ତୁମର ମନକୁ ଦିବ୍ୟ କରିଦେବି ଏବଂ ତୁମେ ସ୍ବଚକ୍ଷୁରେ ମୋର ବାସ୍ତବ ରୂପରେ ଦର୍ଶନ କରିପାରିବ | କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆପଣ ଭଗବାନଙ୍କର ଯେପରି ରୂପ ଇଚ୍ଛା କରୁଛନ୍ତି, ମନରେ ଦିବ୍ୟ ଭାବନା ରଖି ସେହି ରୂପର ଧ୍ୟାନ କରନ୍ତୁ | ସେଥିରେ ଆପଣ ସ୍ବତନ୍ତ୍ର ଅଟନ୍ତି | ତେଣୁ ଏବେ ଆମେ ଯଦି କେବଳ ଏତିକି କରିପାରିବା ଯେ ଆଖି ବନ୍ଦ କରି, ମନରେ ଦିବ୍ୟ ଭାବନା ରଖି ଭଗବାନଙ୍କର ଗୋଟିଏ ସୁନ୍ଦର ରୂପର ପରିକଳ୍ପନା କରିବା ଏବଂ ଧ୍ୟାନ ଦ୍ବାରା ତହିଁରେ ମନକୁ ଲଗାଇ ରଖିବାକୁ ଚେଷ୍ଟା କରିବା, ଆମେ ଦେଖିବା ମନକୁ ଶୁଦ୍ଧ ତଥା ଉନ୍ନତ କରିବାରେ ତାହା ପ୍ରଚୁର ମାତ୍ରାରେ ଆମର ସହାୟକ ହେବ | ଏକ ଦୃଷ୍ଟାନ୍ତ ଭାବରେ ଏବେ ଆସନ୍ତୁ ଆମେ କିଛି ସମୟ ଭଗବାନଙ୍କର ଧ୍ୟାନ କରିବା –

ଆଖି ବନ୍ଦ କରନ୍ତୁ | ମେରୁଦଣ୍ଡକୁ ସିଧା କରି ବସନ୍ତୁ | ଦୀର୍ଘଶ୍ବାସ ନିଅନ୍ତୁ | ମନରେ ନିଜ ନିଶ୍ବାସ ଏବଂ ପ୍ରଶ୍ବାସର ଗତିକୁ ନିରୀକ୍ଷଣ କରନ୍ତୁ | ତଦନୁସାରେ ଆପଣଙ୍କର ବକ୍ଷ ତଥା ଉଦର କିପରି ସଂକୁଚିତ ଏବଂ ସମ୍ପ୍ରସାରିତ ହେଉଛି ତାହା ମଧ୍ୟ ମନରେ ଲକ୍ଷ୍ୟ କରନ୍ତୁ | ମନରେ ଭିତର-ବାହାର ଆପଣଙ୍କର ସମ୍ପୂର୍ଣ୍ଣ ଶରୀରକୁ ଦେଖନ୍ତୁ ଏବଂ ହୃଦୟରେ ଏକ ଜ୍ୟୋତି ରୂପରେ ନିଜକୁ ଆତ୍ମା ଭାବରେ ଅନୁଭବ କରନ୍ତୁ | ଆତ୍ମା ଭାବରେ ଆପଣ ପରମାତ୍ମାଙ୍କର ଏକ କ୍ଷୁଦ୍ର ଅଂଶ ଅଟନ୍ତି  ଏବଂ ସେଥିପାଇଁ ଆପଣ ତାଙ୍କର ପ୍ରେମମୟୀ ଭକ୍ତିରେ ନିଜକୁ ନିୟୋଜିତ କରିବାକୁ ଇଚ୍ଛା କରୁଛନ୍ତି | ଧ୍ୟାନ କରନ୍ତୁ, ଆପଣଙ୍କର ଇଷ୍ଟଦେବ ଆପଣଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି ଏବଂ ତାଙ୍କ ଚରଣରେ ନତ ମସ୍ତକ ହୋଇ ଆପଣ ତାଙ୍କର କୃପା ଭିକ୍ଷା କରୁଛନ୍ତି – ତାଙ୍କର ଦିବ୍ୟଜ୍ଞାନ ଏବଂ ଅହୈତୁକୀ ଭକ୍ତି ଭିକ୍ଷା କରୁଛନ୍ତି  | ତାପରେ ଆପଣ ଉଠି ତାଙ୍କ ଗଳାରେ ଗୋଟିଏ ସୁନ୍ଦର ଫୁଲମାଳ ପିନ୍ଧାଇ ଦେଲେ, ତାଙ୍କର କପାଳରେ ଚନ୍ଦନ ତିଲକ କଲେ, ଏବଂ ତାଙ୍କ ଚରଣ ଯୁଗଳରେ ଗୋଲାପ ପାଖୁଡା ଅର୍ପଣ କଲେ | ନିଜ ଇଷ୍ଟଦେବଙ୍କର ପୂଜା କରିବାକୁ ଯାଇ ଆପଣ ଧୂପକାଠି ଜଳାଇ ତାଙ୍କୁ ତାହାର ସୁଗନ୍ଧ ଅର୍ପଣ କଲେ | ଆରତୀ ଥାଳିରେ ଦୀପ ପ୍ରଜ୍ବଳିତ କରି ତାଙ୍କର ବନ୍ଦନା କରିବା ଉଦ୍ଦେଶ୍ୟରେ ଆରତୀ ଥାଳିକୁ ତାଙ୍କ ସମ୍ମୁଖରେ ତଳୁ ଉପରକୁ ଏବଂ ଉପରୁ ତଳକୁ ଘୂରାଇ ଆରତୀ କଲେ | ଏବେ ଆରତୀ ଥାଳିକୁ ଗୋଟିଏ ପାର୍ଶ୍ବରେ ରଖି ଦେଇ ଆପଣ ପୁନର୍ବାର ଭଗବାନଙ୍କୁ ପ୍ରଣାମ କରି ତାଙ୍କଠାରୁ ଭକ୍ତି ଯାଚନା କଲେ | ଶ୍ରୀକୃଷ୍ଣ ଆପଣଙ୍କ ମସ୍ତକରେ ହାତ ରଖି ଆପଣଙ୍କୁ ଆଶୀର୍ବାଦ କଲେ | ମନରେ ନିଜ ଇଷ୍ଟଦେବଙ୍କର ଛବିକୁ ଧାରଣ କରି ଧ୍ୟାନ ଶେଷ କରନ୍ତୁ | ଆଖି ସେହିପରି ବନ୍ଦ ରହିଥାଉ | ନିଜର ଦୁଇ ହାତ ପାପୁଲିକୁ ଭଲ ଭାବରେ ମଳି ତାହାକୁ ଆଖି ଉପରେ ଆସ୍ତେ କରି ରଖନ୍ତୁ | ଆଖିପତାକୁ ଆରାମ ଦିଅନ୍ତୁ, ମନକୁ ଶାନ୍ତ କରନ୍ତୁ ଏବଂ ଅଙ୍ଗୁଳିରେ ଧୀରେ ଧୀରେ ଆଖିକୁ ମଳି ଏବଂ ଆଖି ଝପକାଇ ଆଖି ଖୋଲନ୍ତୁ | ରୂପଧ୍ୟାନ ସାଧନାର ଏହା ଛୋଟ ଏକ ନମୁନା ଅଟେ | ଆଶା କରୁଛି, ଆପଣମାନେ ଉତ୍ତମ ରୂପେ ଏହାର ଅନୁସରଣ କରିଥିବେ |

                                      **********************



 

Comments

Popular posts from this blog