୧୬. ଅଭ୍ୟାସ
ଓ ବୈରାଗ୍ୟ ବଳରେ ମନକୁ ଭଗବାନଙ୍କଠାରେ କେନ୍ଦ୍ରିତ କରିବା
ପ୍ରତ୍ୟେକ କ୍ଷେତ୍ରରେ ଦକ୍ଷତା ଅଭ୍ୟାସ ବଳରେ ହାସଲ ହୋଇଥାଏ | ପିଲାଦିନେ ଆମେ ଯେତେବେଳେ
ପ୍ରଥମ ଥର ଠିଆ ହେବା ପାଇଁ ଚେଷ୍ଟା କରିଥାଏ, ଆମର ଶତ ଚେଷ୍ଟା ସତ୍ତ୍ବେ ଆମେ ପଡି ଯାଇଥାଏ |
କିନ୍ତୁ ନିରାଶ ହୋଇ ଆମେ ଚେଷ୍ଟାରୁ ବିରତ ହୋଇ ନ ଥାଏ | ଆମେ ବାରମ୍ବାର ଚେଷ୍ଟା କରିଥାଏ ଏବଂ
ଶେଷରେ ଠିଆ ହେବାରେ ସଫଳ ହୋଇଥାଏ | ସେହିପରି, ଆଧ୍ୟାତ୍ମିକ ମାର୍ଗରେ ମଧ୍ୟ ଅଗ୍ରଗତି କରି ନିଜ
ଠାରେ ସୁଧାର ମୂଳକ ପରିବର୍ତ୍ତନ ଆଣିବା ପାଇଁ ବାରମ୍ବାର ଅଭ୍ୟାସର ଆବଶ୍ୟକତା ରହିଛି |
ଗତକାଲି, ମୁଁ ମନରେ ଭଗବାନଙ୍କର
ରୂପର ଧ୍ୟାନ କରିବା, ଅର୍ଥାତ୍ ରୂପଧ୍ୟାନ ପ୍ରକ୍ରିୟାର ବର୍ଣ୍ଣନା କରିଥିଲି | ଏବେ କେହି କେହି
କହିପାରନ୍ତି ଯେ ମୁଁ ସେପରି କରିବାକୁ ପ୍ରଯତ୍ନ କରିଥିଲି, କିନ୍ତୁ ସଫଳ ହେଲିନାହିଁ | କାହିଁକି
? ମନକୁ ମୁଁ ଭଗବାନଙ୍କ ପାଖକୁ ନେଲି, କିନ୍ତୁ ତାହା ପୁନର୍ବାର ସଂସାର ପାଖକୁ ଫେରି ଆସିଲା |
ହଁ, ସେପରି ହେବ, କିନ୍ତୁ ଆମେ ସେଥିରେ ବିଚଳିତ ହେବା ଉଚିତ୍ ନୁହେଁ | ଅର୍ଜୁନ, ଭଗବଦ୍ ଗୀତାର
ଶ୍ରୋତା, ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରି ଥିଲେ –
ଚଞ୍ଚଲଂ
ହୀ ମନ କୃଷ୍ଣଃ ପ୍ରମାଥି ବଲବତ୍ ଦୃଢମ୍ |
ତସ୍ୟାऽହଂ ନିଗ୍ରହଂ ମନ୍ୟେ ବାୟୋରିବ
ସୁଦୁଷ୍କରମ୍ ||
“ହେ ଶ୍ରୀକୃଷ୍ଣ ! ଏହି ମନ ଅତିଶୟ ଚଂଚଳ ଅଟେ | ଏହାକୁ ନିୟନ୍ତ୍ରଣ କରିବା ବାୟୁର ଗତିକୁ
ନିୟନ୍ତ୍ରଣ କରିବା ଠାରୁ ମଧ୍ୟ କଠିନ ଅଟେ |” ଅର୍ଜୁନଙ୍କର ସମସ୍ୟାକୁ ଶ୍ରୀକୃଷ୍ଣ ଅସ୍ବୀକାର ନ
କରି କହିଲେ –
ଅଶଂସୟଂ
ମହାବାହୋ ମନୋ ଦୁର୍ନିଗ୍ରହଂଚଲମ୍ |
ଅଭ୍ୟାସେନ
ତୁ କୌନ୍ତେୟ ବୈରାଗ୍ୟେଣ ଚ ଗୃହ୍ୟତେ ||
ହେ ଅର୍ଜୁନ ! ତୁମେ ଯାହା କହୁଅଛ ତାହା ନିର୍ବିବାଦରେ ସତ୍ୟ ଅଟେ | ମନକୁ ନିୟନ୍ତ୍ରଣ
କରିବା ବାସ୍ତବରେ କଠିନ ଅଟେ; କିନ୍ତୁ ଅଭ୍ୟାସ ଏବଂ ବୈରାଗ୍ୟ ବଳରେ ତୁମେ ତାହାକୁ ବଶୀଭୂତ
କରିପାରିବ | ଏହା କିପରି କରାଯାଇଥାଏ ଆସନ୍ତୁ ତାହା ଦେଖିବା | ମନକୁ ସଂସାରରୁ ହଟାଇବା, ଏହା
ବୈରାଗ୍ୟ ଅଟେ | ମନକୁ ଭଗବାନଙ୍କ ଠାରେ ଲଗାଇ ରଖିବାକୁ ଚେଷ୍ଟା କରିବା, ଏହା ଅଭ୍ୟାସ ଅଟେ |
ଏହି ଦୁଇଟିଯାକ ପ୍ରକ୍ରିୟାରେ ଆମକୁ ପ୍ରୟାସ କରିବାକୁ ପଡିଥାଏ | କିନ୍ତୁ ତୃତୀୟ ପ୍ରକ୍ରିୟାଟି
ସ୍ବତଃ ହୋଇଯାଏ | କ’ଣ ସେହି ପ୍ରକ୍ରିୟା ? ମନ ଭଗବାନଙ୍କଠାରୁ ଫେରି ଆସି ସଂସାରରେ ଲାଗିଯିବା |
ସେପରି କାହିଁକି ହୁଏ ? କାରଣ ସ୍ପଷ୍ଟ ଅଟେ – ମନ ମାୟିକ ଅଟେ ଏବଂ ମାୟିକ ମନ ସ୍ବାଭାବିକ ଭାବରେ
ମାୟାର ସଂସାର ପ୍ରତି ଉନ୍ମୁଖ ହୋଇଥାଏ | ତାହାକୁ ଭଗବତ୍ ଅଭିମୁଖୀ କରିବା ନିମନ୍ତେ ପ୍ରୟାସ
କରିବାକୁ ପଡିଥାଏ | ହାତରେ ଧରିଥିବା କୌଣସି ବସ୍ତୁକୁ ତଳକୁ ଫିଙ୍ଗିବା ପାଇଁ କିଛି ଚେଷ୍ଟା
କରିବାକୁ ପଡି ନ ଥାଏ | କିନ୍ତୁ ତାହାକୁ ଉପରକୁ ଫିଙ୍ଗିବା ପାଇଁ ଶକ୍ତି ପ୍ରୟୋଗ କରିବାକୁ
ପଡିଥାଏ | ତେବେ ମନ ସଂସାରକୁ ଫେରି ଆସିବା ଦେଖି ଆପଣ ହତୋତ୍ସାହିତ ହେବା ଉଚିତ୍ ନୁହେଁ |
ପୁନର୍ବାର ତାହାକୁ ସଂସାରରୁ ହଟାଇ ଭଗବାନଙ୍କ ଠାରେ ଲଗାନ୍ତୁ | ଏଥର ମଧ୍ୟ ସେ ଫେରି ଆସିବ |
ଠିକ୍ ଅଛି ପୁନର୍ବାର ସେପରି କରନ୍ତୁ | ଆଧ୍ୟାତ୍ମିକ ଉନ୍ନତି ଦ୍ବାରା ଜୀବନକୁ ସୁଧାରିବା ପାଇଁ
ଆମର ସଂକଳ୍ପ ଯଦି ଦୃଢ ହୋଇଥାଏ, ତେବେ ଆମକୁ ଏହିପରି ପୁନରାବର୍ତ୍ତ ଅଭ୍ୟାସ କରିବାକୁ ପଡିବ |
ବାଲ୍ୟକାଳରେ ଆମେ ଯେତେବେଳେ ପ୍ରଥମ ଥର ଠିଆ ହେବା ପାଇଁ ଚେଷ୍ଟା କରିଥିଲେ, ସେତେବେଳେ ଆମକୁ ମଧ୍ୟ
ଏହିପରି ସଂଗ୍ରାମ କରିବାକୁ ପଡିଥିଲା | କିନ୍ତୁ ଆମର ଶତ ଚେଷ୍ଟା ସତ୍ତ୍ବେ ଆମେ ପଡି ଯାଇଥିଲେ | ତଥାପି ଆମେ ଚେଷ୍ଟାରୁ ବିରତ ହୋଇ
ନ ଥିଲେ | ଠିଆ ହେବାରେ ପୂର୍ଣ୍ଣ ଦକ୍ଷତା ହାସଲ କରିବା ପର୍ଯ୍ୟନ୍ତ ଆମେ ବାରମ୍ବାର ପ୍ରୟାସ
କରିଥିଲେ | ତାପରେ ଚାଲିବାକୁ ଚେଷ୍ଟା କରି ଆମେ ପୁନର୍ବାର ଅସଫଳ ହୋଇଥିଲେ, କିନ୍ତୁ ଆମେ ନିଜର
ପ୍ରୟାସ ଜାରି ରଖିଥିଲେ ଏବଂ ଦିନକୁ ଦିନ ଅଗ୍ରଗତି କରି କେବଳ ଚାଲିବା ନୁହେଁ, ଦୌଡିବାରେ
ଲାଗିଲେ; କେହି କେହି ତ ଏପରି ଦକ୍ଷତା ହାସଲ କରିନେଲେ ଯେ ଦୌଡରେ ଅଲମ୍ପିକ୍ ମେଡାଲ୍ ମଧ୍ୟ
ପ୍ରାପ୍ତ କରିନେଲେ | ଯେ କୌଣସି କ୍ଷେତ୍ରରେ, ଅଭ୍ୟାସ ବଳରେ ହିଁ ଦକ୍ଷତା ହାସଲ ହୋଇଥାଏ |
କଥାରେ କହନ୍ତି, ଅଭ୍ୟାସ ବ୍ୟକ୍ତିକୁ ସିଦ୍ଧ କରିଥାଏ | ପ୍ରଥମେ ଯେତେବେଳେ ଆମେ ଟାଇପ୍ କରିବାକୁ
ଆରମ୍ଭ କରିଥିଲେ, ଛୋଟ ଗୋଟିଏ ବାକ୍ୟ ଟାଇପ୍ କରିବାକୁ ଆମକୁ କେତେ ସମୟ ଲାଗିଥିଲା ! କିନ୍ତୁ
ଲାଗାତାର ଅଭ୍ୟାସର ପରିଣାମ ସ୍ବରୁପ, ବର୍ଷକରେ ଆମେ ଏକ ମିନିଟରେ ୮୦ଟି ଶବ୍ଦ ଟାଇପ୍ କରିପାରିଲେ
| ଏହାର ରହସ୍ୟ ଜାଣି ନ ଥିବା ବ୍ୟକ୍ତି ଦେଖି ଆଶ୍ଚର୍ଯ୍ୟ ହେବେ, “ହେ ଭଗବାନ ! ଏହି
ଟାଇପିଷ୍ଟଙ୍କର ଆଙ୍ଗୁଠି ତ ସତେ ଯେମିତି ମେସିନ୍ ଉପରେ ଉଡୁଛି | ଇଏ କିଛି ଯୋଗିକ ସିଦ୍ଧି ଲାଭ
କରିଛନ୍ତି କି ?” ନା କୌଣସି ଏହା କୌଣସି ଯୋଗିକ ସିଦ୍ଧି ନୁହେଁ; ଏହା କେବଳ ଅଭ୍ୟାସର ଫଳ ଅଟେ |
ସର୍କସରେ ଆମ୍ଭେମାନେ ଅନେକ ଆଶ୍ଚର୍ଯ୍ୟଜନକ ଖେଳ ଦେଖିବାକୁ ପାଇଥାଏ – ଜୋକରମାନେ ମୁଣ୍ଡ ଉପରେ
ଧାଡି ବାନ୍ଧି ପ୍ଲେଟ୍ ଉପରେ କପ୍, ତା’ ଉପରେ ପ୍ଲେଟ୍, ତା’ ଉପରେ କପ୍ .....ରଖି ଅତି ଉଚ୍ଚରେ
ବନ୍ଧା ହୋଇଥିବା ଦଉଡି ଉପରେ ଚାଲୁ ଥାଆନ୍ତି | ଏହା ମଧ୍ୟ ବାରମ୍ବାର ଅଭ୍ୟାସ ଦ୍ବାରା ସମ୍ଭବ
ହୋଇଥାଏ | ସେଥିପାଇଁ ଯୋଗ ଦର୍ଶନ ମଧ୍ୟ କହିଥାଏ –
ଅଭ୍ୟାସ ବୈରାଗ୍ୟାଭ୍ୟାମ୍ ତନ୍ନିରୋଧଃ
ବୈରାଗ୍ୟ ଏବଂ ଅଭ୍ୟାସ ଦ୍ବାରା ହିଁ ସିଦ୍ଧି ପ୍ରାପ୍ତ ହୋଇଥାଏ | ଅତଏବ, ଅଭ୍ୟାସର ଅନ୍ୟ
କୌଣସି ବିକଳ୍ପ ନାହିଁ | ଅଭ୍ୟାସ କରିବାକୁ ଯାଇ ଆମେ ଯେଉଁ ଲଗାତାର ପ୍ରୟାସ କରେ, ତାହା
ଭଗବାନଙ୍କର କୃପାକୁ ଆକର୍ଷିତ କରିଥାଏ, ଯାହା ଆମର ପ୍ରୟାସକୁ ପରିପୂର୍ଣ୍ଣ କରିଥାଏ | ଅତଏବ,
ଜୀବନ ରୂପାନ୍ତରଣ ଅଭିଯାନ ଶୃଂଖଳାରେ ଆଜି ପର୍ଯ୍ୟନ୍ତ ଆମେ ଯେତେ ସବୁ ସାଧନ ସମ୍ପର୍କରେ
ଜାଣିବାକୁ ପାଇଲେ, ଆମେ ଧୈର୍ଯ୍ୟର ସହିତ ତାହାର ଅଭ୍ୟାସ କରିବା ଆବଶ୍ୟକ କାରଣ ସିଦ୍ଧି ଅଭ୍ୟାସ
ଦ୍ବାରା ହିଁ ପ୍ରାପ୍ତ ହୋଇଥାଏ |
***************************

Comments
Post a Comment