୧୭. ସର୍ବଦା ପ୍ରେରଣାଯୁକ୍ତ ରହିବାର ରହସ୍ୟ

 

ଜୀବନ ରୂପାନ୍ତରଣର ଏହି ଯେଉଁ ଯାତ୍ରାରେ ଆମ୍ଭେମାନେ ପାଦ ଦେଇଅଛେ, ତାହା ସହଜ କି କଠିନ ଅଟେ ? ବାସ୍ତବରେ, ତାହା ଆମ ଉତ୍ସାହର ମାତ୍ରା ଉପରେ ନିର୍ଭର କରିଥାଏ | ଆମର ଯଦି ଉତ୍ସାହ ନ ଥିବ, ପ୍ରତ୍ୟେକ ସାଧନ ଆମକୁ ସଂଘର୍ଷ ପରି ମନେହେବ | ଅନ୍ୟ ପକ୍ଷରେ, ଆମ ଭିତରେ ଯଦି ଉତ୍ସାହ ଭାରୀ ରହିଥିବ ତେବେ ଆମେ ଆରାମରେ ପବନ ପରି ଆଗକୁ ବଢି ଚାଲିବା | ଅତଏବ, ନିଜକୁ ଉତ୍ସାହିତ ରଖିବା ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ | ଜଗନ୍ନାଥ ମହାପ୍ରଭୁଙ୍କର ଜଣେ ଭକ୍ତ ଥରେ ଭାବିଲେ ଏହି ବର୍ଷ ସେ ରଥଯାତ୍ରା ଦେଖିବାକୁ ନିଶ୍ଚିତ ଭାବରେ ପୁରୀ ଯିବେ | କିନ୍ତୁ ସମୟ ଆସିଲା ବେଳକୁ ଏପରି ଏକ ସମସ୍ୟା ଉପଗତ ହେଲା ଯେ ସେ ଯାତ୍ରା ସ୍ଥଗିତ କରିବାକୁ ବାଧ୍ୟ ହେଲେ | ସେଥିରେ ନିରାଶ ନ ହୋଇ ସେ ଭାବିଲେ, “ଠିକ୍ ଅଛି, ଆସନ୍ତା ବର୍ଷ ମୁଁ ନିଶ୍ଚିତ ଭାବରେ ଯିବି |” ତେବେ ଦ୍ବିତୀୟ ବର୍ଷ ସେ ଯିବାକୁ ଯୋଗାଡ କରୁଥିବା ସମୟରେ ଅନ୍ୟ ଏକ ସମସ୍ୟା ଉପସ୍ଥିତ ହେଲା ଏବଂ ତାଙ୍କୁ ଯାତ୍ରା ରବ୍ଦ କରିବାକୁ ପଡିଲା | ଏହିପରି ଭାବରେ ବର୍ଷ ବର୍ଷ ବିତିଗଲା ଏବଂ ପ୍ରତ୍ୟେକ ବର୍ଷ କୌଣସି କାରଣରୁ ତାଙ୍କୁ ଯାତ୍ରା ସ୍ଥଗିତ କରିବାକୁ ପଡିଲା | ଶେଷରେ, ଚାଳିଶତମ ଥର ପାଇଁ ଯେତେବେଳେ ତାଙ୍କୁ ଯାତ୍ରା ରବ୍ଦ କରିବାକୁ ପଡିଲା, ସେ ଅତିଶୟ ମର୍ମାହତ ହୋଇ ଛୋଟ ଛୁଆଟିଏ ପରି ରୋଦନ କରିବାରେ ଲାଗିଲେ | ତାହା ଦେଖି ଜଣେ ପଣ୍ଡିତ ତାଙ୍କୁ ପଚାରିଲେ, “ ତୁମେ ଏତେ ଅଧୀର ଭାବରେ କାନ୍ଦୁଛ କାହିଁକି ?” ସେ କହିଲେ, “ପଣ୍ଡିତ ମହାଶୟ, ଗତ ଚାଳିଶ ବର୍ଷ ଧରି ଲଗାତାର ମୁଁ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ଦେଖିବାକୁ ପୁରୀ ଯିବାକୁ ଯୋଜନା କରୁଛି, କିନ୍ତୁ ପ୍ରତ୍ୟେକ ଥର କୌଣସି ନା କୌଣସି କାରଣରୁ ମୁଁ ଯାତ୍ରା କରି ପାରୁନାହିଁ | ଭଗବାନ ମୋ ପ୍ରତି କୃପା କରୁନାହାଁନ୍ତି |” ପଣ୍ଡିତ ମହାଶୟ କହିଲେ, “ବନ୍ଧୁ, ମୁଁ ଗତ ଚାଳିଶ ବର୍ଷ ଧରି ପ୍ରତ୍ୟେକ ବର୍ଷ ଜଗନ୍ନାଥଙ୍କର ରଥଯାତ୍ରା ଦେଖିବାକୁ ପୁରୀ ଯାଉଛି | ସେହି ଯାତ୍ରା କରି ମୁଁ ଯେତିକି ପୁଣ୍ୟ ଅର୍ଜନ କରିଛି, ତୁମେ ସେହି ସବୁ ପୁଣ୍ୟ ଗ୍ରହଣ କରି ପ୍ରତିବଦଳରେ ତୁମ ଭିତରେ ଥିବା ବ୍ୟାକୁଳତା ମୋତେ ଦେଇ ଦିଅ |” ବାସ୍ତବରେ ଆମ ହୃଦୟର ଗଭୀର ବ୍ୟାକୁଳତା ହିଁ  କୃପାର ସଂକେତ ଅଟେ | ଏହା ଶୁଦ୍ଧ ଅନ୍ତଃକରଣରେ ଆସିଥାଏ ଏବଂ ସେହି ବ୍ୟାକୁଳତା ଆମକୁ ସବୁ ବାଧାବିଘ୍ନ ଅତିକ୍ରମ କରି ଆମ ପ୍ରୟାସର ଚରମ ଲକ୍ଷ୍ୟକୁ ପ୍ରାପ୍ତ କରିବାରେ ଆମର ସହାୟକ ହୋଇଥାଏ |

ଏପରି ଏକ ଆଖ୍ୟାନ ଶୁଣିବାକୁ ମିଳିଥାଏ ଯେ ଜଣେ ବ୍ୟକ୍ତି ଗ୍ରୀସ୍ ଦେଶର ପରମ ଜ୍ଞାନୀ ସକ୍ରେଟିସଙ୍କ ପାଖକୁ ଯାଇ କହିଲେ, “ଆଧ୍ୟାତ୍ମିକ ଦୃଷ୍ଟିରୁ ଜୀବନରେ ମୁଁ କିଛି ରୂପାନ୍ତରଣ ଇଚ୍ଛା କରୁଛି, ତାହା ମୁଁ ହାସଲ କରିବି କିପରି ?” ସକ୍ରେଟିସ୍ ତାଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ତାଙ୍କୁ କହିଲେ, “ମୋ ସହିତ ନଈ କୂଳକୁ ଚାଲ |” ଦୁହେଁ ନଈ କୂଳରେ ପହଂଚିବା ପରେ ସକ୍ରେଟିସ୍ ପ୍ରଥମେ ପାଣି ଭିତରକୁ ଡେଇଁ ବ୍ୟକ୍ତି ଜଣଙ୍କୁ ମଧ୍ୟ ସେହିପରି କରିବାକୁ କହିଲେ | ବ୍ୟକ୍ତି ଜଣଙ୍କର ମୁଣ୍ଡ ପାଣି ଭିତରେ ରହିଥିବା ବେଳେ ସକ୍ରେଟିସ୍ ତାହାକୁ ଉପରୁ ଚାପି ଧରିଲେ | କିଛି କ୍ଷଣ ବ୍ୟକ୍ତି ଜଣକ କୌଣସି ପ୍ରତିବାଦ କଲେ ନାହିଁ | କିନ୍ତୁ ଅଧ ମିନିଟ୍ ପରେ ଶ୍ବାସରୁଦ୍ଧ ହୋଇ ସେ ବାହାରକୁ ଆସିବାକୁ ଛଟପଟ ହେବାରେ ଲାଗିଲେ | ସକ୍ରେଟିସ୍ ତଥାପି ମଧ୍ୟ ତାଙ୍କର ଚାପକୁ ଢିଲା କରୁ ନ ଥାଆନ୍ତି | ୪୫ ସେକେଣ୍ଡ୍ ପାଣି ଭିତରେ ରହି ବ୍ୟକ୍ତି ଜଣଙ୍କୁ ଚତୁର୍ଦିଗ ଅନ୍ଧାର ଦେଖାଗଲା | ଯାହାହେଉ, ଏକ ମିନିଟ୍ ପରେ ସକ୍ରେଟିସ୍ ତାଙ୍କର ଚାପ ଢିଲା କରିଦେଲେ ଏବଂ ବ୍ୟକ୍ତି ଜଣକ ତତ୍ କ୍ଷଣାତ ପାଣି ଭିତରୁ ବାହାରି ଆସିଲେ | ସକ୍ରେଟିସ୍ ପଚାରିଲେ, “କ’ଣ ହେଲା ?” ବ୍ୟକ୍ତି ଜଣକ କହିଲେ, “ଆଉ ଏକ ସେକେଣ୍ଡ୍ ଯଦି ମୁଁ ପାଣି ଭିତରେ ରହିଥାଆନ୍ତି, ତେବେ ମୋର ପ୍ରାଣ ବାୟୁ ଚାଲିଯାଇ ଥାଆନ୍ତା |”  ସକ୍ରେଟିସ୍ କହିଲେ, “ଏହା ତୁମ ପ୍ରଶ୍ନର ଉତ୍ତର ଅଟେ | ତୁମେ ଜାଣିବାକୁ ଇଚ୍ଛା କରିଥିଲ ଜୀବନକୁ ତୁମେ ରୂପାନ୍ତରିତ କରିପାରିବ କିପରି | ତା’ର ଉତ୍ତର ହେଲା, ତୁମର ବର୍ତ୍ତମାନ ସ୍ଥିତି ଏବଂ ତୁମର ଇପ୍ସିତ ସ୍ଥିତି ମଧ୍ୟରେ ଥିବା ତାରତମ୍ୟ ଯେତେବେଳେ ତୁମକୁ ଅସହ୍ୟ ମନେହେବ, ତୁମ ଭିତରେ ଏକ ମହତ୍ବାକାଂକ୍ଷା ବିକଶିତ ହେବ ଯାହା ତୁମକୁ ଉନ୍ନତିର ସୁଉଚ୍ଚ ସ୍ତରକୁ ପ୍ରେରିତ କରିବ | ସେଥିପାଇଁ ଚାଣକ୍ୟ ପଣ୍ଡିତ କହନ୍ତି, ତୁମେ ବହୁତ ବଡ ଭାଗ୍ୟ ନେଇ ଜନ୍ମ ଗ୍ରହଣ କରିଥାଇ ପାର, କିନ୍ତୁ ତୁମର ଯଦି ଉତ୍ସାହ ନ ଥିବ ତେବେ ତୁମେ ଆଳସ୍ୟ ପରାୟଣ ହୋଇ ସବୁ କିଛି ହରାଇ ବସିବ | ଅପର ପକ୍ଷରେ, ତୁମେ ଯଦି ତୀବ୍ର ଉତ୍ସାହର ସହ ପ୍ରଯତ୍ନ କରିବ କେତେ ବଡ ମନ୍ଦ ଭାଗ୍ୟକୁ ମଧ୍ୟ ତୁମେ ଉଜ୍ଜ୍ବଳ ଭବିଷ୍ୟତରେ ରୂପାନ୍ତରିତ କରିପାରିବ | ମହର୍ଷି ପତଞ୍ଜଳି ନିଜ ଯୋଗ ଦର୍ଶନରେ କହନ୍ତି – 

ମୃଦୁମଧ୍ୟାଧିମାତ୍ରତ୍ବାତ୍  ତତ୍ରୋପି ବିଶେଷଃ

ସାଧକ ମାନଙ୍କ ମଧ୍ୟରେ ତିନୋଟି ସ୍ତର ରହିଛି | ଯେଉଁମାନେ ମନ୍ଦ ସ୍ବଭାବର ଅଟନ୍ତି, ସେମାନେ କହନ୍ତି, “ଯଦି ହେଲା, ତେବେ ଠିକ୍ ଅଛି; ଯଦି ନ ହେଲା, ତେବେ ବ୍ୟସ୍ତ ହେବାରେ କିଛି ନାହିଁ |” ଯେଉଁମାନେ ମଧ୍ୟମ ଶ୍ରେଣୀୟ, ସେମାନେ ଚେଷ୍ଟା କରନ୍ତି , କିନ୍ତୁ ବିଫଳ ହେଲେ ସମସ୍ୟାକୁ କଠିନ ମନେ କରି ଚେଷ୍ଟାରୁ ବିରତ ହୋଇଯାଆନ୍ତି | ଅଥଚ ଯେଉଁମାନେ ଅଧିମାତ୍ର ସ୍ତରର ଅଟନ୍ତି, ସେମାନେ ନିଷ୍ଠାପୂର୍ବକ ଉଦ୍ୟମ କରିଚାଲନ୍ତି | ମହର୍ଷି ପତଞ୍ଜଳିଙ୍କ ଭାଷାରେ – 

ତୀବ୍ରସଂବେଗାନାମ୍ ଆସନ୍ନଃ | 

ଅତଏବ ନିଜର ସବୁ ଶକ୍ତି ବିନିଯୋଗ କରି ପୂର୍ଣ୍ଣ ଉତ୍ସାହର ସହିତ ନିଜର ଉତଥାନ ନିମନ୍ତେ ପ୍ରଯତ୍ନ କରନ୍ତୁ |

    ************************ 




 

Comments

Popular posts from this blog