. ପରଚର୍ଚ୍ଚାର ଦୁଷ୍ପରିଣାମ  

ସବୁଠାରୁ ହାନିକାରକ ଏବଂ ବିନାଶକାରୀ କାର୍ଯ୍ୟ ଯାହା ଆମେ ସମସ୍ତେ ଅଳ୍ପ ବହୁତ କରିଥାଏ, ତାହା ପରଚର୍ଚ୍ଚା ଅଟେ | ମାୟିକ ମନ ସେଥିରେ ଲିପ୍ତ ହେବାକୁ ଭଲ ପାଏ | କେହି ଜଣେ ଆପଣଙ୍କୁ କହିଲେ, “ ଆପଣଙ୍କର ସେହି ବନ୍ଧୁ ଯାହାକୁ ଆପଣ ଏତେ ଭଲ ଭାବୁଥିଲେ....” “ହଁ ହଁ, କଣ ହେଲା ?” “ତାଙ୍କ ବିଷୟରେ ମୁଁ ଗୋଟିଏ କଥା କହିବି ?” – ଏହା ଗପସପ ଅଟେ | ଏହା ଏପରି ବିନାଶକାରୀ ଯେ ଆମ୍ଭେମାନେ ଦେଖିବାକୁ ପାଇଥାଏ ବଡ ବଡ ସଂସ୍ଥା ଏହା ଯୋଗୁଁ ଧ୍ବସ୍ତବିଧ୍ବସ୍ତ ହୋଇଯାଏ, ପରିବାରରେ କଳହ ଉତ୍ପନ୍ନ ହୋଇଥାଏ ଏବଂ ଘନିଷ୍ଠ ସମ୍ପର୍କ ଭାଙ୍ଗି ଛାରଖାର ହୋଇଯାଏ, ତଥାପି ଆମେ ସେଥିରୁ ନିବୃତ୍ତ ହୁଏନାହିଁ | ଏଥିରେ ସବୁଠାରୁ ବଡ ଅନ୍ୟାୟ ଏହା ଯେ ଯାହା ବିଷୟରେ ଆଲୋଚନା କରାଯାଉଥାଏ, ସେ ସେଠାରେ ଉପସ୍ଥିତ ନ ଥାଏ,  ଅର୍ଥାତ୍ ନିଜକୁ ସ୍ପଷ୍ଟ କରିବାର ସୁଯୋଗ ତାକୁ ଦିଆ ଯାଇ ନ ଥାଏ | ପାଟି ଦ୍ବାରା ଆମେ ଯେପରି ଶରୀରକୁ ଖାଦ୍ୟ ଯୋଗାଇ ଥାଏ, ସେହିପରି କାନରେ ଆମେ ଯାହା ଶୁଣେ ତାହା ମନ ପାଇଁ ଖାଦ୍ୟ ଅଟେ ଏବଂ ଗପସପ ଦ୍ବାରା ମାନସିକ ସ୍ବାସ୍ଥ୍ୟ ହ୍ରାସ ପାଇଥାଏ | ଏହା ଯେହେତୁ ଏକ ପ୍ରକାରର ମାୟିକ ରସ ପ୍ରଦାନ କରିଥାଏ, ଲୋକେ ବାରମ୍ବାର ଏଥିରେ ଲିପ୍ତ ରହିବାକୁ ଭଲ ପାଆନ୍ତି | ପରିସଂଖ୍ୟାନରୁ ଜଣାପଡିଛି, ଅଫିସ୍ ମାନଙ୍କରେ କର୍ମଚାରୀମାନେ ଯାହା ଆଲୋଚନା କରନ୍ତି, ସେଥିରୁ ପ୍ରାୟ ପଚାଶ ଭାଗ ଆଲୋଚନା ପରଚର୍ଚ୍ଚା ଅଟେ | ସେଥିରୁ ଆମକୁ କଣ ମିଳିଥାଏ ? ସେହି ସବୁ ଚର୍ଚ୍ଚା କାହାର ସଫଳତା ବା ପ୍ରାପ୍ତି ବିଷୟକ ଅଟେ କି ? ଯଦି ତାହା ହୋଇଥାଏ ତେବେ ଅତି ଉତ୍ତମ | କିନ୍ତୁ ଦୁର୍ଭାଗ୍ୟବଶତଃ, ସେହି ସବୁ ଚର୍ଚ୍ଚା ଅନ୍ୟମାନଙ୍କର ଦୋଷ ଏବଂ ଦୁର୍ଗୁଣ ସମ୍ବନ୍ଧୀୟ ହୋଇଥାଏ,  ଯାହାର ସତ୍ୟତା ସନ୍ଦିଗ୍ଧ ଅଟେ | ଗପସପ କରି ବ୍ୟକ୍ତି କେବଳ ନିଜର ସମୟ ବରବାଦ୍ କରିଥାଏ | ମନୁଷ୍ୟ ଜୀବନ ଅମୂଲ୍ୟ ଅଟେ ଏବଂ ଏହାର ପ୍ରତ୍ୟେକ ମୁହୂର୍ତ୍ତ ଅତ୍ୟନ୍ତ ମୂଲ୍ୟବାନ | ତେଣୁ ଅଯଥା କଥାରେ ସମୟ ବରବାଦ କରିବା କାହିଁକି ?  

            ଜଣେ କେଉଟ ହାତରେ ମାଛଧରା ଜାଲ ଧରି ଭୋର ସାଢ଼େ ଚାରିଟାରେ ଘରୁ ବାହାରିଲା | ସେ ନଈ କୂଳରେ ପହଂଚିଲା ବେଳକୁ ଅନ୍ଧାର ଥିଲା, ତେଣୁ ସକାଳ ହେବାକୁ ଅପେକ୍ଷା କରି ସେ ପାଣିରେ ଗୋଡ ବୁଡାଇ କୂଳର ଗୋଟିଏ ପଥର ଉପରେ ବସିଗଲା | କିଛି ସମୟ ପରେ ସେ ଅନୁଭବ କଲା ତା ପାଦ ତଳେ ପାଣି ଭିତରେ ଗୋଟିଏ ଥଳି ପଡିଛି | ଥଳିଟିକୁ ଉଠାଇ ଆଣି ସେ ଦେଖିଲା ସେଥିରେ କିଛି ଗୋଲାକାର ବସ୍ତୁ ରହିଛି | ଅନ୍ଧାରରେ ତାକୁ ସ୍ପଷ୍ଟ ଭାବରେ କିଛି ଦେଖା ଯାଉ ନ ଥାଏ, ତେଣୁ ସେଗୁଡିକୁ ପଥର ମନେକରି ସେ ମଜାରେ ଗୋଟି ଗୋଟି କରି ତାହାକୁ ନଦୀ ଗର୍ଭକୁ ଫିଙ୍ଗିବାରେ ଲାଗିଲା | ପଥରଟି ପାଣିରେ ପଡି ଯେଉଁ ଶବ୍ଦ ସୃଷ୍ଟି କରୁଥାଏ, ତାହା ତାକୁ ଶ୍ରୁତିମଧୁର ମନେ ହେଉଥାଏ | ତେବେ ଶେଷ ପଥରଟିକୁ ଫିଙ୍ଗିବାକୁ ଗଲା ବେଳକୁ ଆଲୁଅ ହୋଇ ଆସୁଥାଏ ଏବଂ ଆଲୁଅରେ ସେ ଦେଖିଲା ହାତରେ ସେ ଗୋଟିଏ ଅମୂଲ୍ୟ ରତ୍ନ ଧରିଛି | ସେ ଛାତିରେ ହାତ ବାଡେଇ ନିଜ ଭାଗ୍ୟକୁ ନିନ୍ଦା କରିବାରେ ଲାଗିଲା – “ ହାୟ ! ଭଗବାନ ମୋତେ ପଚିଶଟି ଅମୂଲ୍ୟ ରତ୍ନ ଦେଇଥିଲେ | ଅଜ୍ଞତାବଶତଃ ମୁଁ ସେଥିରୁ ଚବିଶଟି ରତ୍ନ ପାଣିରେ ଫିଙ୍ଗି ଦେଲି | ମୁଁ ସତରେ କେଡେ ଅଭାଗା !!” କିନ୍ତୁ ବ୍ୟକ୍ତି ଜଣକ ତଥାପି ବି ଭାଗ୍ୟବାନ ଅଟନ୍ତି କାରଣ ତାଙ୍କ ପାଖରେ ଅନ୍ତତଃ ଗୋଟିଏ ରତ୍ନ ତ ଅଛି !

            ରତ୍ନଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଆମ୍ଭମାନଙ୍କୁ ପ୍ରାପ୍ତ ହୋଇଥିବା ଏହି ମାନବ ଶରୀର, ଯେଉଁ ଶରୀରରେ ଆମେ ନିଜର ସ୍ବଭାବକୁ ପରିବର୍ତ୍ତିତ କରି ଚରମ ସଫଳତା ହାସଲ କରିବାର ସାମର୍ଥ୍ୟ ରହିଛି | ସେପରି ମୂଲ୍ୟବାନ ଶରୀରକୁ ଆମେ ଯଦି ପରଚର୍ଚ୍ଚା ଆଦି ପରି ତୁଚ୍ଛ କର୍ମରେ ଲିପ୍ତ ରହି ବରବାଦ କରୁଥାଏ, ତେବେ ଜାଣିବାକୁ ହେବ ଯେ ଜୀବନକୁ ପରିବର୍ତ୍ତିତ କରିବାର ଆମର ଇଚ୍ଛା ପ୍ରବଳ ନୁହେଁ | ପରଚର୍ଚ୍ଚାରେ ଅନ୍ୟ ଏକ ଦୋଷ ମଧ୍ୟ ରହିଛି | ଆମେ ଆଜି ଯାହା ଆଗରେ ଜଣେ ତୃତୀୟ ବ୍ୟକ୍ତିର ନିନ୍ଦା କରୁଅଛେ, କାଲି ଆମେ ତାହାର ନିନ୍ଦା ଅନ୍ୟ କାହା ଆଗରେ କରିପାରେ, ଯାହା ଆମ ନିଜ ଚରିତ୍ରର ଦୁର୍ବଳତା ଦର୍ଶାଇ ଥାଏ | ଅତଏବ, ଆସନ୍ତୁ ଆମେ ଆତ୍ମସଂଯମ ଦ୍ବାରା ପରଚର୍ଚ୍ଚାରୁ ନିବୃତ୍ତ ରହି ନିଜ ଚରିତ୍ରକୁ ଉନ୍ନତ କରିବା | କେହି ଯଦି ଆମକୁ ସେଥିରେ ପ୍ରବୃତ୍ତ କରାଇବାକୁ ଉଦ୍ୟମ କରୁଥାଆନ୍ତି, ତେବେ “କ୍ଷମା କରିବେ, ମୁଁ ଆଜି ଟିକିଏ ବ୍ୟସ୍ତ ଅଛି” ଏପରି କହି ଆମେ ତାଙ୍କୁ ଟାଳି ଦେଇପାରିବା | ସେଥିରୁ ଜଣା ପଡିବ, ଆମେ ଗପସପ କରି ସମୟ ବରବାଦ୍ କରିବାକୁ ଇଚ୍ଛା କରୁନାହୁଁ | ବାକ୍ ସଂଯମ ମନକୁ ସଂଯମିତ କରିବା ଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଅଟେ ଏବଂ ଆମର ଚରିତ୍ର ତଥା ବ୍ୟକ୍ତିତ୍ବ ବିକାଶର ଆଧାର ଅଟେ | ତେଣୁ ଆସନ୍ତୁ, ଜୀବନ ପରିବର୍ତ୍ତନର ଏହି ଅଭିଯାନରେ ଆମେ ଏହାର ଅଭ୍ୟାସ କରିବା | ଆସନ୍ତା କାଲି ଆମେ ଅନ୍ୟ ଏକ ଜ୍ଞାନ ରତ୍ନ ସମ୍ପର୍କରେ ଆଲୋଚନା କରିବା | 

                                                             *****   *****   *****  

Comments

Popular posts from this blog