୨. ପରଚର୍ଚ୍ଚାର ଦୁଷ୍ପରିଣାମ
ସବୁଠାରୁ ହାନିକାରକ ଏବଂ ବିନାଶକାରୀ କାର୍ଯ୍ୟ ଯାହା ଆମେ ସମସ୍ତେ
ଅଳ୍ପ ବହୁତ କରିଥାଏ, ତାହା ପରଚର୍ଚ୍ଚା ଅଟେ | ମାୟିକ ମନ ସେଥିରେ ଲିପ୍ତ ହେବାକୁ ଭଲ ପାଏ |
କେହି ଜଣେ ଆପଣଙ୍କୁ କହିଲେ, “ ଆପଣଙ୍କର ସେହି ବନ୍ଧୁ ଯାହାକୁ ଆପଣ ଏତେ ଭଲ ଭାବୁଥିଲେ....”
“ହଁ ହଁ, କଣ ହେଲା ?” “ତାଙ୍କ ବିଷୟରେ ମୁଁ ଗୋଟିଏ କଥା କହିବି ?” – ଏହା ଗପସପ ଅଟେ | ଏହା
ଏପରି ବିନାଶକାରୀ ଯେ ଆମ୍ଭେମାନେ ଦେଖିବାକୁ ପାଇଥାଏ ବଡ ବଡ ସଂସ୍ଥା ଏହା ଯୋଗୁଁ
ଧ୍ବସ୍ତବିଧ୍ବସ୍ତ ହୋଇଯାଏ, ପରିବାରରେ କଳହ ଉତ୍ପନ୍ନ ହୋଇଥାଏ ଏବଂ ଘନିଷ୍ଠ ସମ୍ପର୍କ ଭାଙ୍ଗି
ଛାରଖାର ହୋଇଯାଏ, ତଥାପି ଆମେ ସେଥିରୁ ନିବୃତ୍ତ ହୁଏନାହିଁ | ଏଥିରେ ସବୁଠାରୁ ବଡ ଅନ୍ୟାୟ ଏହା
ଯେ ଯାହା ବିଷୟରେ ଆଲୋଚନା କରାଯାଉଥାଏ, ସେ ସେଠାରେ ଉପସ୍ଥିତ ନ ଥାଏ, ଅର୍ଥାତ୍ ନିଜକୁ ସ୍ପଷ୍ଟ କରିବାର ସୁଯୋଗ ତାକୁ ଦିଆ ଯାଇ
ନ ଥାଏ | ପାଟି ଦ୍ବାରା ଆମେ ଯେପରି ଶରୀରକୁ ଖାଦ୍ୟ ଯୋଗାଇ ଥାଏ, ସେହିପରି କାନରେ ଆମେ ଯାହା
ଶୁଣେ ତାହା ମନ ପାଇଁ ଖାଦ୍ୟ ଅଟେ ଏବଂ ଗପସପ ଦ୍ବାରା ମାନସିକ ସ୍ବାସ୍ଥ୍ୟ ହ୍ରାସ ପାଇଥାଏ | ଏହା
ଯେହେତୁ ଏକ ପ୍ରକାରର ମାୟିକ ରସ ପ୍ରଦାନ କରିଥାଏ, ଲୋକେ ବାରମ୍ବାର ଏଥିରେ ଲିପ୍ତ ରହିବାକୁ ଭଲ
ପାଆନ୍ତି | ପରିସଂଖ୍ୟାନରୁ ଜଣାପଡିଛି, ଅଫିସ୍ ମାନଙ୍କରେ କର୍ମଚାରୀମାନେ ଯାହା ଆଲୋଚନା
କରନ୍ତି, ସେଥିରୁ ପ୍ରାୟ ପଚାଶ ଭାଗ ଆଲୋଚନା ପରଚର୍ଚ୍ଚା ଅଟେ | ସେଥିରୁ ଆମକୁ କଣ ମିଳିଥାଏ ? ସେହି
ସବୁ ଚର୍ଚ୍ଚା କାହାର ସଫଳତା ବା ପ୍ରାପ୍ତି ବିଷୟକ ଅଟେ କି ? ଯଦି ତାହା ହୋଇଥାଏ ତେବେ ଅତି
ଉତ୍ତମ | କିନ୍ତୁ ଦୁର୍ଭାଗ୍ୟବଶତଃ, ସେହି ସବୁ ଚର୍ଚ୍ଚା ଅନ୍ୟମାନଙ୍କର ଦୋଷ ଏବଂ ଦୁର୍ଗୁଣ
ସମ୍ବନ୍ଧୀୟ ହୋଇଥାଏ, ଯାହାର ସତ୍ୟତା ସନ୍ଦିଗ୍ଧ
ଅଟେ | ଗପସପ କରି ବ୍ୟକ୍ତି କେବଳ ନିଜର ସମୟ ବରବାଦ୍ କରିଥାଏ | ମନୁଷ୍ୟ ଜୀବନ ଅମୂଲ୍ୟ ଅଟେ ଏବଂ
ଏହାର ପ୍ରତ୍ୟେକ ମୁହୂର୍ତ୍ତ ଅତ୍ୟନ୍ତ ମୂଲ୍ୟବାନ | ତେଣୁ ଅଯଥା କଥାରେ ସମୟ ବରବାଦ କରିବା
କାହିଁକି ?
ରତ୍ନଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଆମ୍ଭମାନଙ୍କୁ ପ୍ରାପ୍ତ ହୋଇଥିବା ଏହି ମାନବ ଶରୀର, ଯେଉଁ ଶରୀରରେ ଆମେ ନିଜର ସ୍ବଭାବକୁ ପରିବର୍ତ୍ତିତ କରି ଚରମ ସଫଳତା ହାସଲ କରିବାର ସାମର୍ଥ୍ୟ ରହିଛି | ସେପରି ମୂଲ୍ୟବାନ ଶରୀରକୁ ଆମେ ଯଦି ପରଚର୍ଚ୍ଚା ଆଦି ପରି ତୁଚ୍ଛ କର୍ମରେ ଲିପ୍ତ ରହି ବରବାଦ କରୁଥାଏ, ତେବେ ଜାଣିବାକୁ ହେବ ଯେ ଜୀବନକୁ ପରିବର୍ତ୍ତିତ କରିବାର ଆମର ଇଚ୍ଛା ପ୍ରବଳ ନୁହେଁ | ପରଚର୍ଚ୍ଚାରେ ଅନ୍ୟ ଏକ ଦୋଷ ମଧ୍ୟ ରହିଛି | ଆମେ ଆଜି ଯାହା ଆଗରେ ଜଣେ ତୃତୀୟ ବ୍ୟକ୍ତିର ନିନ୍ଦା କରୁଅଛେ, କାଲି ଆମେ ତାହାର ନିନ୍ଦା ଅନ୍ୟ କାହା ଆଗରେ କରିପାରେ, ଯାହା ଆମ ନିଜ ଚରିତ୍ରର ଦୁର୍ବଳତା ଦର୍ଶାଇ ଥାଏ | ଅତଏବ, ଆସନ୍ତୁ ଆମେ ଆତ୍ମସଂଯମ ଦ୍ବାରା ପରଚର୍ଚ୍ଚାରୁ ନିବୃତ୍ତ ରହି ନିଜ ଚରିତ୍ରକୁ ଉନ୍ନତ କରିବା | କେହି ଯଦି ଆମକୁ ସେଥିରେ ପ୍ରବୃତ୍ତ କରାଇବାକୁ ଉଦ୍ୟମ କରୁଥାଆନ୍ତି, ତେବେ “କ୍ଷମା କରିବେ, ମୁଁ ଆଜି ଟିକିଏ ବ୍ୟସ୍ତ ଅଛି” ଏପରି କହି ଆମେ ତାଙ୍କୁ ଟାଳି ଦେଇପାରିବା | ସେଥିରୁ ଜଣା ପଡିବ, ଆମେ ଗପସପ କରି ସମୟ ବରବାଦ୍ କରିବାକୁ ଇଚ୍ଛା କରୁନାହୁଁ | ବାକ୍ ସଂଯମ ମନକୁ ସଂଯମିତ କରିବା ଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଅଟେ ଏବଂ ଆମର ଚରିତ୍ର ତଥା ବ୍ୟକ୍ତିତ୍ବ ବିକାଶର ଆଧାର ଅଟେ | ତେଣୁ ଆସନ୍ତୁ, ଜୀବନ ପରିବର୍ତ୍ତନର ଏହି ଅଭିଯାନରେ ଆମେ ଏହାର ଅଭ୍ୟାସ କରିବା | ଆସନ୍ତା କାଲି ଆମେ ଅନ୍ୟ ଏକ ଜ୍ଞାନ ରତ୍ନ ସମ୍ପର୍କରେ ଆଲୋଚନା କରିବା |
***** ***** *****

Comments
Post a Comment