୧୯. କୁସଂଗରୁ
ଦୂରେଇ ରହିବା -
ଜୀବନ ରୂପାନ୍ତରଣ
ପ୍ରକ୍ରିୟାରେ ନିଜକୁ ନିୟୋଜିତ କରିବା ଫଳରେ ଆମର ମନ ଏବଂ ବୁଦ୍ଧି ସଦଗୁଣରେ ବିଭୂଷିତ ହେବାରେ
ଲାଗେ | କିନ୍ତୁ ସେତେବେଳେ ଆମେ ଯଦି ସାଂସାରିକ ସଂଗତିରୁ ଦୂରତା ରକ୍ଷା କରିବା ପ୍ରତି ଯତ୍ନବାନ
ନ ହୁଏ ତେବେ ଆମକୁ ବହୁତ ବଡ ହାନିର ସମ୍ମୁଖୀନ ହେବାକୁ ପଡିପାରେ | ଆମେ ଯେତେବେଳେ କୁସଂଗର
ସଂସ୍ପର୍ଶରେ ଆସିଥାଏ, ଆମେ ଜାଣିପାରେ ନାହିଁ ଯେ ଇନ୍ଦ୍ରିୟମାନେ ସେଥିରୁ ଯେଉଁ ଆଶୁ ସନ୍ତୋଷ
ଲାଭ କରୁଛନ୍ତି, ବୁଦ୍ଧି ସେଥିରେ ଅଭିଭୂତ ହୋଇଯାଇଛି | ଆମେ ନିଜେ ଜାଣିବା ପୂର୍ବରୁ କୁସଂଗର
ପ୍ରଭାବରେ ଆମର ସମୟ ବରବାଦ୍ ହୋଇ ଯାଇଥାଏ, ଚେତନା ନିମ୍ନଗାମୀ ହୋଇ ସାରିଥାଏ ଏବଂ ମନ ଦୁଷିତ
ହୋଇ ଯାଇଥାଏ | ଅତଏବ, ସାଧନା କରିବା ଯେତିକି ମହତ୍ତ୍ବପୂର୍ଣ୍ଣ, କୁସଂଗ ଠାରୁ ଦୂରେଇ ରହିବା
ମଧ୍ୟ ସେତିକି ମହତ୍ତ୍ବପୂର୍ଣ୍ଣ ଅଟେ |
କୁସଂଗ କ’ଣ ? ଯାହାର ସଂଗତି ମନକୁ ମାୟିକ/ସାଂସାରିକ/ପାର୍ଥିବ କରି ଦେଇଥାଏ | କିନ୍ତୁ ତାହା ହାନିକାରକ କାହିଁକି ? କାରଣ ତାହା ଆମର ଆଧ୍ୟାତ୍ମିକ ପ୍ରାପ୍ତିକୁ ଆତ୍ମସାତ୍ କରିନିଏ | ଜଣେ ବ୍ୟକ୍ତି ଘାସରେ ଗୋଟିଏ ରସି ତିଆରି କରୁଛନ୍ତି | ତାଙ୍କ ପଛରେ ଗୋଟିଏ ବଳଦ ଠିଆ ହୋଇ ରସିଟିକୁ ଚର୍ବଣ କରିବାରେ ଲାଗିଛି, ଯାହା ବିଷୟରେ ବ୍ୟକ୍ତି ଜଣକ କିଛି ଜାଣନ୍ତି ନାହିଁ | ଦୀର୍ଘ ଏକ ଘଣ୍ଟା ରସି ବଳିଲା ପରେ ସେ ଭାବିଲେ ଏବେ ରସିର ଆକାର ହାରାହାରି ୫୦ ଗଜ ହୋଇ ଯାଇଥିବ | କିନ୍ତୁ ପଛକୁ ଚାହିଁ ସେ ଦେଖିଲେ ଯେଉଁ ତିନି ଫୁଟ୍ ଲମ୍ବର ରସି ସେ ନିଜ ହାତରେ ଧରିଛନ୍ତି, ସେତିକି ଛଡା ବାକି ସବୁ ରସି ପଛରେ ଠିଆ ହୋଇ ବଳଦ ଖାଇ ଦେଇଛି | ଠିକ୍ ସେହିପରି, ଜୀବନକୁ ସୁଧାରିବା ପାଇଁ ସାଧନାରେ ନିଜକୁ ନିୟୋଜିତ କରିବା ଦ୍ବାରା ଆମର ମନ ଏବଂ ବୁଦ୍ଧି ସଦଗୁଣ ମାନଙ୍କରେ ସୁଶୋଭିତ ହେବାରେ ଲାଗେ | କିନ୍ତୁ ଏକଧାରାରେ ଆମେ ଯଦି କୁସଂଗ ଠାରୁ ଦୂରେଇ ରହିବା ଦିଗରେ ଯତ୍ନବାନ ନ ହେବା ତେବେ ସେହି କୁସଂଗ ଆମର ସବୁ ସାଧନାକୁ ନଷ୍ଟ କରିଦେବ | ଉପାର୍ଜନ କମ୍ ହେଉ ପଛକେ, ଆମେ ଯଦି ହାନି ପ୍ରତି ସତର୍କ ରହିବା ତେବେ ଅଳ୍ପ ଦିନରେ ଆମେ ଧନୀ ହୋଇଯିବା | ଜଣେ ବ୍ୟକ୍ତି ମୋତେ କହିଲେ, “ସ୍ବାମିଜୀ, ମୁଁ ଋଣ ଭାରରେ ବୁଡି ରହିଛି |” ମୁଁ ପଚାରିଲି, “ତୁମର ରୋଜଗାର କେତେ ?” ସେ କହିଲେ, “ଦୈନିକ ୧୦୦୦ ଟଙ୍କା |” ମୁଁ କହିଲି, “ତାହାହେଲେ ମାସକୁ ତ ତୁମର ଉପାର୍ଜନ ୩୦୦୦୦ ହେଉଥିବ; ତୁମେ ଋଣ କଲ କାହିଁକି ?” ସେ କହିଲେ, “ମୋର ଖର୍ଚ୍ଚ ଦୈନିକ ୫୦୦୦ଟଙ୍କା |” ଅତଏବ, ଉପାର୍ଜନ କମ୍ ହୋଇଥାଇ ପାରେ, କିନ୍ତୁ ଖର୍ଚ୍ଚ ରୋକି ଦେଇ ବ୍ୟକ୍ତି ଆଗକୁ ବଢ଼ିଯାଏ | ଅନ୍ୟ ପକ୍ଷରେ ଉପାର୍ଜନ ଅପେକ୍ଷା ହାନି ଯଦି ଅଧିକ ହୋଇଥାଏ ତେବେ ଆଗେଇବାର ଅବକାଶ ହିଁ ନ ଥାଏ | ସେହିପରି ସାଧନା କରିବା ସହିତ ଅନାବଶ୍ୟକ କୁସଂଗ ଠାରୁ ଦୂରେଇ ରହିବା ମଧ୍ୟ ମହତ୍ତ୍ବପୂର୍ଣ୍ଣ ଅଟେ | ଅଥଚ ମାୟିକ ମନକୁ ସେଥିରୁ ରସ ମିଳିଥାଏ | ଚଳଚିତ୍ର କିମ୍ବା ଦୂରଦର୍ଶନ ଶୋ ଦେଖିବା, ଅଯଥାରେ ମ୍ୟାଗାଜିନ୍ ପଢିବା, ଗପସପ କରିବା – ଏସବୁ କୁସଂଗ ସଦୃଶ ଅଟନ୍ତି |
ଶାସ୍ତ୍ରମାନଙ୍କରେ ଦୁଇ ପ୍ରକାରର ସଂଗ ସମ୍ପର୍କରେ ବର୍ଣ୍ଣନା କରାଯାଇଛି – ସତସଂଗ, ଯାହା ମନକୁ ଈଶ୍ବରୀୟ କ୍ଷେତ୍ରକୁ ଉନ୍ନୀତ କରିଥାଏ ଏବଂ କୁସଂଗ, ଯାହା ମନକୁ ନିମ୍ନତମ ସୋପାନକୁ ଟାଣି ନେଇଥାଏ | ପୂର୍ବ ଅପେକ୍ଷା ଆଜିକାଲି ସଂସାରରେ କୁସଂଗରେ ପଡିବାର ମାତ୍ରା ଅଧିକ ଅଟେ | ଆଜିକାଲି ବିଜ୍ଞାପନ ଏବଂ ଗଣମାଧ୍ୟମ ଆଦି ଦ୍ବାରା ଆମ ଉପରେ ସବୁ ଦିଗରୁ ଲଗାତାର କୁସଂଗର ବର୍ଷା ହେଉଛି | ଆମେ ଯଦି ନିଜକୁ ସଂଯତ ନ ରଖିବା ତେବେ ତାହା ଆମର ବହୁତ ହାନି କରିପାରେ | କିନ୍ତୁ ସମସ୍ୟା ଏହା ଯେ ଆମେ ଯେତେବେଳେ କୁସଂଗରେ ଲିପ୍ତ ରହିଥାଏ, ସାମୟିକ ହେଉ ପଛେ, ଯେଉଁ ସୁଖ ଆମକୁ ମିଳିଥାଏ, ସେଥିରେ ଆମର ବୁଦ୍ଧି ମୋହିତ ହୋଇଯାଏ ଏବଂ ସେହି କୁସଂଗର ଦୀର୍ଘକାଳୀନ ପରିଣାମ ଯେ କେତେ ହାନିକାରକ ତାହା ସେ ବୁଝି ପାରେନାହିଁ |
ମୋଗୋଲ ସମ୍ରାଟ ଆକବର ଦିନେ
ହାତୀ ଚଢି ଦିଲ୍ଲୀ ସହର ପରିକ୍ରମା କରୁଥିଲେ | ରାସ୍ତା କଡରେ ଜଣେ ମଦ୍ୟପ ଠିଆ ହୋଇଥିଲା |
ଆକବରଙ୍କୁ ଦେଖି ସେ ପଚାରିଲା, “ହେ ! ତୁମର ହାତୀ ମୋତେ ବିକ୍ରି କରିବ ?” ଆକବର ଖୁବ୍ ବେଶୀ
ଅପମାନିତ ଅନୁଭବ କଲେ – ଜଣେ ସାଧାରଣ ନାଗରିକ ହିନ୍ଦୁସ୍ଥାନର ବାଦଶାହଙ୍କ ସହିତ ଏପରି ଧୃଷ୍ଟତା
କଲା କିପରି ? ଆକବର ବୀରବଲଙ୍କୁ ଆଦେଶ ଦେଲେ, “ଆସନ୍ତାକାଲି ଏହି ବ୍ୟକ୍ତିଙ୍କୁ ରାଜସଭାରେ ହାଜର
କରାଅ |” ମଦ୍ୟପ ଜଣକ ପରେ ଯେତେବେଳେ ହୋଶକୁ ଆସିଲେ, ସେ ନିଜର ମୁର୍ଖତା ବୁଝିପାରି ବୀରବଲଙ୍କର
ସହାୟତା ଲୋଡିଲେ | ବୀରବଲ୍ କହିଲେ, “ଚିନ୍ତା କର ନାହିଁ , ମୁଁ କିଛି ଯୋଜନା କରୁଛି |” ପରଦିନ
ବ୍ୟକ୍ତି ଜଣକ ଯେତେବେଳେ ରାଜ ଦରବାରରେ ପହଂଚିଲେ, ଆକବର ତାଙ୍କୁ ପଚାରିଲେ, “ଗତକାଲି ତୁମେ
ମୋତେ ହାତୀ ବିକ୍ରି କରିବା କଥା ପଚାରି ଥିଲ ନା ?” ବ୍ୟକ୍ତି ଜଣକ ଉତ୍ତର ଦେଲା, “ମଣିମା,
ଆପଣଙ୍କ ପରି ରାଜାଧିରାଜଙ୍କୁ ଏପରି ପ୍ରଶ୍ନ ପଚାରିବାର ଧୃଷ୍ଟତା ମୁଁ କରିବି କିପରି ?” ହାତୀ
କିଣିବା ପାଇଁ ମୋ ପାଖରେ ଧନ ଆସିବ କେଉଁଠାରୁ ? ଯଦି ଅବା ମୁଁ କିଣିବାକୁ ଇଚ୍ଛା କରିବି ତେବେ
ଆପଣଙ୍କଠାରୁ କିଣିବି କାହିଁକି ?” ଆକବର ପଚାରିଲେ, “ତାହାହେଲେ କିଏ ସେପରି ଧୃଷ୍ଟତା କଲା ?”
ବ୍ୟକ୍ତି ଜଣକ କହିଲା, “ମହାରାଜ, ସେ କିଏ ମୁଁ ତାହା ଜାଣିଛି | ଆପଣ ଯଦି ଅନୁମତି ଦେବେ ତେବେ
କାଲି ତାକୁ ମୁଁ ରାଜ ଦରବାରରେ ହାଜର କରାଇବି |” ପରଦିନ ବ୍ୟକ୍ତି ଜଣକ ଗୋଟିଏ ମଦ ବୋତଲ ସହିତ
ରାଜସଭାରେ ଉପସ୍ଥିତ ହୋଇ କହିଲେ, “ମହାରାଜ, ପ୍ରକୃତ ଆସାମୀ ଏହି ବୋତଲ ଅଟେ |” ରାଜା ପଚାରିଲେ,
“କ’ଣ ତୁମର ଅଭିପ୍ରାୟ ?” “ ମହାରାଜ, ଆପଣଙ୍କୁ ଯେତେବେଳେ ମୁଁ ହାତୀ ବିକିବା କଥା ପଚାରିଲି,
ସେତେବେଳେ ମୁଁ ମଦନିଶାରେ ଚେତା ଚୈତନ୍ୟ ହରାଇ ବସିଥିଲି | ମୋର ବୁଦ୍ଧି ଲୋପ ପାଇ ଯାଇଥିଲା ଏବଂ
ମୁଁ କାହାକୁ କ’ଣ କହୁଛି ତାହାର ଜ୍ଞାନ ମୋର ନ ଥିଲା | ନିଶା ଛାଡି ଯିବା ପରେ ମୁଁ ବୁଝିପାରିଲି
କେତେବଡ ଭୁଲ୍ ମୁଁ କରିଛି |” ଠିକ୍ ସେହିପରି, ଆମେ ଯେତେବେଳେ କୁସଂଗର ସଂସ୍ପର୍ଶରେ ଆସିଥାଏ,
ସେଥିରୁ ଯେଉଁ ତତ୍କାଳୀନ ଇନ୍ଦ୍ରିୟ ସୁଖ ଆମକୁ ପ୍ରାପ୍ତ ହୋଇଥାଏ, ଆମର ବୁଦ୍ଧି ତଦ୍ବାରା ମୋହିତ
ହୋଇଯାଏ | ତା’ର କୁପରିଣାମ ବିଷୟରେ ଜାଣିବା ବେଳକୁ ବହୁତ ସମୟ ବୃଥାରେ ନଷ୍ଟ ହୋଇ ଯାଇଥାଏ, ଆମର
ଚେତନା ନିମ୍ନଗାମୀ ହେବା ସହିତ ମନ ଦୁଷିତ ହୋଇ ଯାଇଥାଏ | ସେଥିପାଇଁ ସାଧନା କରିବା ସହିତ କୁସଂଗ
ଠାରୁ ଦୂରେଇ ରହିବା ମଧ୍ୟ ଅତି ଆବଶ୍ୟକ ଅଟେ |
****************************

Comments
Post a Comment