୨୦. ଜୀବନରେ ନିରାଶ ହେବା ନାହିଁ .......
ସଫଳ ଏବଂ ବିଫଳ ବ୍ୟକ୍ତିଙ୍କ
ମଧ୍ୟରେ ପ୍ରଭେଦ କ’ଣ ? ଆପଣ ଯଦି କୌଣସି ଦୀର୍ଘଡିଆଁ ପ୍ରତିଯୋଗିତା ଦେଖିଥିବେ, ତେବେ ଆପଣ
ନିଶ୍ଚିତ ଭାବରେ ଲକ୍ଷ୍ୟ କରିଥିବେ ଯେ କେହି କେହି ଖେଳାଳୀ ଡେଇଁବା ରେଖାକୁ ସ୍ପର୍ଶ କରି କୁଦ
ଲଗାଇବା ପରିବର୍ତ୍ତେ ଆଗକୁ ଦୌଡି ଚାଲି ଯାଉଛନ୍ତି | ସେପରି କାହିଁକି ହୁଏ, ଆପଣ ଜାଣିଛନ୍ତି କି
? ଦୌଡାଳି ଜଣକ ମନେ ମନେ ଭାବୁଥାଆନ୍ତି, “ମୁଁ ଏତେ ଦୂର ଡେଇଁ ପାରିବି ନାହିଁ |” ତାଙ୍କର ସେହି
ନକାରାତ୍ମକ ଚିନ୍ତନ ତାଙ୍କୁ ସେ ଦିଗରେ ପ୍ରୟାସ କରିବାକୁ ମଧ୍ୟ ଦିଏ ନାହିଁ | “ଆମେ ଏହା କରିପାରିବା” – ଏହି ବିଶ୍ବାସ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଅଟେ | ବର୍ତ୍ତମାନ
ସୁଦ୍ଧା ଆମେ ଜୀବନ ରୂପାନ୍ତରଣର ଅନେକ ଗୁଡିଏ ସୁନ୍ଦର ସୁନ୍ଦର ଉପକରଣ ସମ୍ପର୍କରେ ଆଲୋଚନା
କରିଅଛେ | ଆଗକୁ ଯାତ୍ରା ଟିକିଏ କଷ୍ଟଦାୟକ ହେବାକୁ ଯାଉଛି | ରାସ୍ତାରେ ଆପଣ ବାରମ୍ବାର
ଝୁଣ୍ଟିବା ସ୍ବାଭାବିକ | କିନ୍ତୁ ଝୁଣ୍ଟି ପଡିଯିବାର ଅର୍ଥ ଭଲ ଭାବରେ ଚାଲି ଶିଖିବାର କଳା
ଆୟତ୍ତ କରିବା ହେବା ଉଚିତ୍ | ମନେରଖନ୍ତୁ, ଯେଉଁମାନେ ଜୀବନରେ ସଫଳ ହୁଅନ୍ତି ଏବଂ ଯେଉଁମାନେ
ବିଫଳ ହୁଅନ୍ତି, ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ? ସଫଳ ବ୍ୟକ୍ତିମାନେ ମଧ୍ୟ ବିଫଳ ହୁଅନ୍ତି,
କିନ୍ତୁ ତା ସତ୍ତ୍ବେ ବି ସେମାନେ ଲକ୍ଷ୍ୟସ୍ଥଳରେ ପହଂଚିବା ପର୍ଯ୍ୟନ୍ତ ନିଜର ଚେଷ୍ଟା ଜାରି
ରଖନ୍ତି | ଅଥଚ ବିଫଳ ବ୍ୟକ୍ତିମାନେ ଅଳ୍ପ କେତେ ଥର ଅସଫଳ ହେବା ପରେ ସେହି ଦିଗରେ ପ୍ରୟାସ
କରିବା ଛାଡି ଦିଅନ୍ତି |
ନିରୁତ୍ସାହସ୍ୟ ଦୀନସ୍ୟ
ଶୋକପର୍ଯ୍ୟାକୁଲାତ୍ମନଃ
ନିଜ ପ୍ରୟାସରେ ଆମେ ଯଦି
ନିରାଶ ହୋଇଯିବା, ତେବେ ଅନ୍ୟ ସମସ୍ତ ସମ୍ଭାବିତ ଲାଭ ଆମର ହାତଛଡା ହୋଇଯିବ | ଗୋଟିଏ ଛୋଟ
ରାଜ୍ୟର କଥା, ଯାହା ପାଖରେ ମାତ୍ର ତିନି ଶହ ଯୋଦ୍ଧାଙ୍କର ସୈନ୍ୟ ବଳ ଥିଲା | ସେମାନେ ଖବର
ପାଇଲେ ଯେ ପଡୋଶୀ ରାଜ୍ୟର ସେନା ସେମାନଙ୍କୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି | ପଡୋଶୀ
ରାଜ୍ୟର ସୈନ୍ୟବାହିନୀରେ ସାତ ଶହ ଜଣ ଯୋଦ୍ଧା ଥିଲେ | ତେଣୁ ସେମାନେ ପରସ୍ପର ମଧ୍ୟରେ ଆଲୋଚନା
କରିବାରେ ଲାଗିଲେ ଯେ ଏହି ପରିସ୍ଥିତିରେ ସେମାନେ କ’ଣ କରିବା ଉଚିତ୍ – ଯୁଦ୍ଧ କରିବେ ନା ପରାଜୟ
ସ୍ବୀକାର କରିନେବେ ? ପରାମର୍ଶ କରିବା ପାଇଁ ସେମାନେ ତାଙ୍କ ରାଜ୍ୟର ଜଣେ ଅବସରପ୍ରାପ୍ତ
ସେନାଧ୍ୟକ୍ଷଙ୍କ ପାଖକୁ ଗଲେ | ସବୁ ଶୁଣି ସେ କହିଲେ, “ଏହି ପ୍ରଶ୍ନର ସମାଧାନ ପାଇବା ନିମନ୍ତେ
ଚାଲ, ଆମେ ସମସ୍ତେ ମନ୍ଦିରକୁ ଯାଇ ଗ୍ରାମ୍ୟଦେବତାଙ୍କୁ ପଚାରିବା |” ଲୋକମାନେ ପଚାରିଲେ,
“ଦେବତା ଆମକୁ ନିର୍ଦ୍ଦେଶ ଦେବେ କିପରି ?” ସେନାଧ୍ୟକ୍ଷ କହିଲେ, “ଆମେ ତାଙ୍କ ସମ୍ମୁଖରେ ଗୋଟିଏ
ମୁଦ୍ରା ଉପରକୁ ଫିଙ୍ଗିବା | ଯଦି ତାହା ମୁଣ୍ଡ ଆସିବ, ତା’ର ଅର୍ଥ ଦେବତା ଆମକୁ କହୁଛନ୍ତି,
“ଯାଅ, ଯୁଦ୍ଧ କର, ତୁମର ବିଜୟ ସୁନିଶ୍ଚିତ |” ନାହିଁ ଯଦି ଲାଞ୍ଜ ଆସିବ, ତେବେ ସ୍ପଷ୍ଟ ହୋଇଯିବ
ଯେ ଦେବତା କହୁଛନ୍ତି, ଯୁଦ୍ଧ କରି କିଛି ଲାଭ ନାହିଁ |” ସେନାଧ୍ୟକ୍ଷଙ୍କର ପ୍ରସ୍ତାବରେ ସମସ୍ତେ
ରାଜି ହେଲେ | ମୁଦ୍ରା ଉପରକୁ ଫିଙ୍ଗାଗଲା ଏବଂ ମୁଣ୍ଡ ପଡିଲା | ସେନାଧ୍ୟକ୍ଷ କହିଲେ, “ଦେଖ,
ଦେବତାଙ୍କର ନିର୍ଦ୍ଦେଶ ଅତ୍ୟନ୍ତ ସ୍ପଷ୍ଟ | ଆଗେଇ ଚାଲ, ବିଜୟ ତୁମ ହାତରେ |” ଦୃଢ ବିଶ୍ବାସ
ଏବଂ ନିଷ୍ଠାର ସହିତ ସେନାବାହିନୀର ତିନି ଶହ ବୀର ଯୋଦ୍ଧା ନିଜ ଜନ୍ମଭୂମିକୁ ରକ୍ଷା କରିବା
ଉଦ୍ଦେଶ୍ୟରେ ଅଗ୍ରସର ହେଲେ | ପ୍ରବଳ ପରାକ୍ରମର ସହିତ ଯୁଦ୍ଧ କରି ସେମାନେ ଶତ୍ରୁ ସେନାକୁ
ପରାଭୁତ କଲେ | ତାପରେ ସେମାନେ ପୂର୍ବତନ ସେନାଧ୍ୟକ୍ଷଙ୍କ ପାଖକୁ ଯାଇ କହିଲେ, “ଠାକୁରଙ୍କର
ଭବିଷ୍ୟବାଣୀ ପୁରାପୁରି ଠିକ୍ ଥିଲା |” ସେନାଧ୍ୟକ୍ଷ ସେମାନଙ୍କୁ ପୁନର୍ବାର ସେହି ମୁଦ୍ରାଟି
ଦେଖାଇଲେ | ମୁଦ୍ରାର ଦୁଇ ପାର୍ଶ୍ବରେ ମୁଣ୍ଡ ଚିହ୍ନ ଥିଲା | ଲୋକମାନେ ବିସ୍ମିତ ହୋଇ ପଚାରିଲେ,
“ତାହାହେଲେ ଦେବତାଙ୍କର ଭବିଷ୍ୟବାଣୀ ଫଳୀଭୂତ ହେଲା କିପରି ?” ସେନାଧ୍ୟକ୍ଷ କହିଲେ,
“ଦେବତାଙ୍କର ବାର୍ତ୍ତା କେବଳ ଏତିକି ଥିଲା ଯେ ‘ଆମେ ସଫଳ ହେବା’ - ଏହି ବିଶ୍ବାସ ଯଦି ତୁମର
ଥିବ, ତେବେ ତୁମେ ନିଶ୍ଚିତ ଭାବରେ ସଫଳ ହେବ |” ଯେଉଁମାନେ ପୂର୍ଣ୍ଣ ନିଷ୍ଠାର ସହିତ ପ୍ରୟାସ
କରିଥାଆନ୍ତି, ଲକ୍ଷ୍ୟ ପ୍ରାପ୍ତିକୁ ନେଇ ଯେଉଁମାନଙ୍କର ବିଶ୍ବାସ ଦୃଢ, ସେମାନଙ୍କର ସଫଳତା
ଅବଶ୍ୟମ୍ଭାବୀ | ଅତଏବ, ଆଜିର ବାର୍ତ୍ତା ହେଉଛି – ପୂର୍ଣ୍ଣ ବିଶ୍ବାସ ରଖିବା; ଶୀଘ୍ର ହେଉ
କିମ୍ବା ବିଳମ୍ବରେ ହେଉ, ଆମେ ନିଶ୍ଚିତ ଭାବରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା |
ଅତଏବ, ନିଜ ହୃଦୟରେ ଆମେ
ନିରାଶାକୁ ସ୍ଥାନ ଦେବା ନାହିଁ | ଆସନ୍ତାକାଲି, ଆମେ ଜୀବନ ରୂପାନ୍ତରଣ ସମ୍ବନ୍ଧୀୟ ଶେଷ ଉପକରଣର
ଆଲୋଚନା କରି ଏହି ଏକବିଂଶ ଦିବସୀୟ ଅଭିଯାନକୁ ବିରାମ ଦେବା |

Comments
Post a Comment