୨୧. ତସ୍ମୈ ଶ୍ରୀ ଗୁରବେ ନମଃ --

ଏହା ଆମ ଭିତରେ ଥିବା ଅଜ୍ଞାନ ଯାହା ଆମକୁ ବିସ୍ମରଣ କରାଇ ଦିଏ ଯେ ଆମେ ଦିବ୍ୟ ଆତ୍ମା ଅଟେ ଏବଂ ଆମକୁ ଅନେକ ପ୍ରକାରର ଭ୍ରମରେ ପକାଇ ଥାଏ | ଜଣେ ଆଧ୍ୟାତ୍ମିକ ଗୁରୁ ହେଉଛନ୍ତି ସେହି ବିଭୂତି ଯିଏ ଆମ ଭିତରର ଅଜ୍ଞାନ ଅନ୍ଧକାରକୁ ଅପସାରିତ କରି ତାହାକୁ ଜ୍ଞାନର ଉଜ୍ଜଳ ଆଲୋକରେ ଉଦ୍ଭାସିତ କରିଥାଆନ୍ତି |

ସଂସାରରେ ରହି ଆମେ କାମ, କ୍ରୋଧ, ଲୋଭ, ମୋହ, ଈର୍ଷା, ଦ୍ବେଷ ଆଦି ଅନେକ ପ୍ରକାରର ମାନସିକ ସନ୍ତାପ ତଥା ଦୋଷର ଶୀକାର ହୋଇଥାଏ | ସେସବୁର ମୂଳ କାରଣ କ’ଣ ? ମହାଭାରତ ଏବଂ ଅଷ୍ଟାଦଶ ପୁରାଣର ମହାନ୍ ରଚୟିତା, ବେଦବ୍ୟାସ କହନ୍ତି :

           ଅଜ୍ଞାନମେବାସ୍ୟ ମୂଳକାରଣମ୍   

ଏହା ଆମ ଭିତରେ ଥିବା ଅଜ୍ଞାନ, ଯାହା ଆମକୁ ବିସ୍ମରଣ କରାଇ ଦିଏ ଯେ ଆମେ ଦିବ୍ୟ ଆତ୍ମା ଅଟେ ଏବଂ ଆମକୁ ଅନେକ ପ୍ରକାରର ଭ୍ରମର ବଶବର୍ତ୍ତୀ କରାଇ ଥାଏ | ସେହି ଅଜ୍ଞାନକୁ ଆମେ ଦୂର କରିବା କିପରି ? ସେ ଦିଗରେ ଆମେ ଅନେକ ପ୍ରୟାସ କରିଥାଏ , ବଡ ବଡ ଡିଗ୍ରୀ ଅର୍ଜନ କରିଥାଏ, କିନ୍ତୁ ଅଜ୍ଞାନ ଯାଏ ନାହିଁ | ମନେକରନ୍ତୁ, କେହିଜଣେ କହିବେ, “ମୁଁ ଡି.ଲିଟ୍ ଅଟେ |” ଆପଣ ତାଙ୍କୁ କହନ୍ତୁ, “ସତରେ ? କିନ୍ତୁ ମୁଁ ତ ଭାବୁଛି ଆପଣ ଟିକିଏ ଅଲ୍ପଜ୍ଞ ଅଟନ୍ତି |” କ’ଣ କହିଲ, ମୁଁ ଅଳ୍ପଜ୍ଞ ? ମୁଁ ତୁମ ଜିଭ ଉପାଡି ଦେବି |” “ମୋର ଭୁଲ୍ ହୋଇଗଲା, ମୁଁ ଦୁଃଖିତ | ବାସ୍ତବରେ ଆପଣ ତ ସର୍ବଜ୍ଞ ଅଟନ୍ତି |” ଆପଣ ତାଙ୍କୁ ସର୍ବଜ୍ଞ କହିବାର ଶୁଣି ସେ ହୁଏତ ଟିକିଏ ଲଜ୍ଜା ଅନୁଭବ କରିପାରନ୍ତି | କିନ୍ତୁ ଯଦି ସେ ସର୍ବଜ୍ଞ ନୁହଁନ୍ତି, ତେବେ ସ୍ବାଭାବିକ ଯେ ସେ ଅଳ୍ପଜ୍ଞ ହୋଇଥିବେ | ତାଛଡା, କାହାର ମନ୍ତବ୍ୟ ଶୁଣି ଯଦି ତାଙ୍କଠାରେ କ୍ରୋଧ ଉଦ୍ରେକ ହେଲା, ତେବେ ତାଙ୍କୁ ଜ୍ଞାନୀ କୁହାଯିବ କିପରି ? ଜ୍ଞାନୀ ତ ତାଙ୍କୁ କୁହାଯିବ ଯେପରି କି ବୁଦ୍ଧଦେବ |

ଜଣେ ବ୍ୟକ୍ତି ବୁଦ୍ଧଦେବଙ୍କ ପାଖକୁ ଯାଇ ତାଙ୍କୁ ଭର୍ତ୍ସନା କରି ତାଙ୍କ ଉପରେ ଗାଳି ବର୍ଷଣ କରିବାରେ ଲାଗିଲେ | ବୁଦ୍ଧଦେବ ଶାନ୍ତ ଚିତ୍ତରେ ସବୁ ଶୁଣୁଥାଆନ୍ତି | ଘଣ୍ଟାଏ ପରେ ବ୍ୟକ୍ତି ଜଣକ କ୍ଲାନ୍ତ ହୋଇ ଚୁପ୍ ହୋଇଗଲେ | ଗୌତମ ବୁଦ୍ଧ ତାଙ୍କ ଶିଷ୍ୟମାନଙ୍କୁ କହିଲେ, “ମନେ ହେଉଛି, ଏହି ବ୍ୟକ୍ତିଜଣକ ଥକି ଯାଇଛନ୍ତି | ଏହାଙ୍କୁ ପାଣି ପିଇବାକୁ ଦିଅ ଏବଂ କିଛି ଖାଦ୍ୟ ଖାଇବାକୁ ଦିଅ, ଯଦ୍ବାରା ସେ ଶକ୍ତି ଲାଭ କରି ପୁନର୍ବାର ତାଙ୍କର ବକ୍ତବ୍ୟ ଆରମ୍ଭ କରିବେ |” ବ୍ୟକ୍ତିଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ମହାଶୟ, ଆପଣଙ୍କ ଶରୀର କାଠରେ ଗଢା ନା ପଥରରେ ? ମୁଁ ଆପଣଙ୍କୁ ଏତେ ଭର୍ତ୍ସନା କଲି, ଅଥଚ ଆପଣ ଅଭିଯୋଗ ମଧ୍ୟ କଲେ ନାହିଁ, ‘ଭାଇ, ମୁଁ ତୁମର କ’ଣ ହାନି କରିଛି ?’ ବୁଦ୍ଧଦେବ ଉତ୍ତର ଦେଲେ, “ଦେଖନ୍ତୁ, ଆପଣ ଯଦି କାହାକୁ କିଛି ଉପହାର ଦେବେ ଏବଂ ତାହା ସେ ଗ୍ରହଣ କରିବେ ନାହିଁ, ତେବେ ଉପହାରଟି କାହା ପାଖରେ ରହିବ ? ଦାତା ପାଖରେ ହିଁ ରହିବ | ସେହିପରି, ଆପଣ ମୋତେ ଯାହା ଯାହା ଦେଲେ, ମୁଁ ତାହାକୁ ଗ୍ରହଣ କଲି ନାହିଁ | ତାହା ମୋର ଇଚ୍ଛାଧୀନ ଅଟେ | ଅତଏବ, ତାହା ଆପଣଙ୍କ ପାଖରେ ରହିଲା |” ଏପରି ବ୍ୟକ୍ତିମାନଙ୍କ ବିଷୟରେ ଆମେ କହିପାରିବା ଯେ ତାଙ୍କର ଅଜ୍ଞାନ ସମାପ୍ତ ହୋଇଯାଇଛି | ଅନ୍ୟ ପକ୍ଷରେ, ଅଳ୍ପ କେତୋଟି ଶବ୍ଦ ଯେପରି କି ‘ଆପଣ ଗୋଟିଏ ଗଧ ଅଟନ୍ତି’, ଯଦି ଆମ ଭିତରର କ୍ରୋଧାଗ୍ନିକୁ ପ୍ରଜ୍ବଳିତ କରି ପାରୁଥାଏ, ତେବେ ଜାଣିବାକୁ ହେବ ଯେ ଏଯାବତ୍ ଆମେ ଜ୍ଞାନରେ ସ୍ଥିତ ହୋଇପାରି ନାହେଁ | ତେବେ ଏହି ଜ୍ଞାନ ଆମକୁ କିପରି ପ୍ରାପ୍ତ ହେବ ? ପୁନଶ୍ଚ, ବେଦବ୍ୟାସ କହୁଛନ୍ତି

ଅନାଦ୍ୟ-ଅବିଦ୍ୟା-ଯୁକ୍ତସ୍ୟ ପୁରୁଷସ୍ୟାତ୍ମ-ବେଦନମ୍ |

ସ୍ବତୋ ନ ସମ୍ଭବାଦ୍ ଅନ୍ୟସ୍-ତତ୍ତ୍ବଜ୍ଞୋ ଜ୍ଞାନଦୋ ଭବେତ୍ || 

                                    (ଭାଗବତ ୧୧-୨୨-୧୦)

ଆମର ବୁଦ୍ଧି ଅଜ୍ଞାନଗ୍ରସ୍ଥ ଅଟେ, ଅତଏବ ବୁଦ୍ଧି ସ୍ବତଃ ଜ୍ଞାନ ଉଦ୍ରେକ କରିପାରିବ ନାହିଁ |

ଜଣେ ଗୋପାଳ ବାଳକ ଥିଲା | ସେ ନିଜ ଗାଈର ସେବା କରୁଥିଲା ଏବଂ ଗାଈର କ୍ଷୀର ଦୁହୁଁଥିଲା | ଗାଈ ମୁଣ୍ଡରେ ଥିବା ଶିଂଘ ଦୁଇଟି ବକ୍ର ହୋଇ ପରସ୍ପର ଆଡକୁ ଢଳି ରହିଥିଲା ଯାହା ତା’ର ମୁଣ୍ଡ ଉପରେ ଦୁଇ ଶିଂଘ ମଝିରେ ଗୋଟିଏ ତ୍ରିକୋଣ କ୍ଷେତ୍ର ସୃଷ୍ଟି କରୁଥିଲା | ପ୍ରତିଦିନ କ୍ଷୀର ଦୁହିଁବା ସମୟରେ ପିଲାଟି ସେହି ତ୍ରିକୋଣ କ୍ଷେତ୍ରକୁ ଚାହିଁ ଭାବୁଥିଲା, ଏହି କ୍ଷେତ୍ର ମଧ୍ୟ ଦେଇ ମୋର ମସ୍ତକ ପ୍ରବେଶ କରିପାରିବ କି ନାହିଁ | ବର୍ଷେ କାଳ ଏହିପରି ଚିନ୍ତା କରି କରି ଦିନକୁ ଦିନ ତା’ର କୌତୁହଳ ବୃଦ୍ଧି ପାଇବାରେ ଲାଗିଲା ଏବଂ ଶେଷରେ ଦିନେ ସେ ସ୍ଥିର କଲା ଯେ ସେ ଥରେ ଚେଷ୍ଟା କରି ଦେଖିବ | ଦୁଇ ହାତରେ ଗାଈର ଶିଂଘ ଦୁଇଟିକୁ ଧରି ସେ ନିଜର ମସ୍ତକକୁ ତା ମଝିରେ ପୁରାଇଲା | ତା’ର ମସ୍ତକ ସେହି ଶୂନ୍ୟ ସ୍ଥାନ ମଧ୍ୟ ଦେଇ ଅପର ପାର୍ଶ୍ବକୁ ଚାଲିଗଲା ସତ, କିନ୍ତୁ ତା’ର ଏପରି କାର୍ଯ୍ୟକଳାପରେ ଗାଈ ତରକି ଗଲା | ସେ ତା’ର ଆଗ ଦୁଇ ଗୋଡକୁ ଟେକି ଉଛାଳିବାରେ ଲାଗିଲା, ଯାହା ଫଳରେ ଗାଈଆଳ ପିଲାଟି ନିଜ ଗଳାରେ ଅତିଶୟ ଚାପ ଅନୁଭବ କଲା | ସେ ଭୟରେ ଚିତ୍କାର କଲା, “ବଞ୍ଚାଅ, ବଞ୍ଚାଅ” | ଗ୍ରାମବାସୀମାନେ ଧାଇଁ ଆସିଲେ | ସେମାନେ ଗାଈକୁ ଧରି ନେଇ ତା’ର ଦୁଇ ଶିଂଘ ମଝିରୁ ପିଲାଟିର ମସ୍ତକକୁ ଟାଣି ବାହାର କଲେ | ପିଲାଟିକୁ ସେମାନେ ପଚାରିଲେ, “କିଛି ବିଚାର ନ କରି ଏପରି ଗୋଟିଏ ଅବିବେକୀ କାମ ତୁମେ କିପରି କଲ ?” ପିଲାଟି କହିଲା, “କିଏ କହିଲା ମୁଁ କିଛି ବିଚାର କରିନାହିଁ ? ବର୍ଷେ କାଳ ବିଚାର କରିବା ପରେ ମୁଁ ଏହି ପଦକ୍ଷେପ ନେଇଥିଲି |” ଦେଖନ୍ତୁ, ପିଲାଟି ଏତେ ଦୀର୍ଘ ସମୟ ଧରି ବିଚାର କରିଥିଲା, କିନ୍ତୁ ସେପରି ବିଚାର କରିବାରେ ଲାଭ କ’ଣ ? ସେହିପରି, ବେଦବ୍ୟାସ କହୁଛନ୍ତି, ତୁମର ବୁଦ୍ଧି ହିଁ ଅଜ୍ଞାନଗ୍ରସ୍ଥ ଅଟେ | ଅତଏବ ତୁମ ପାଇଁ ଜଣେ ଜ୍ଞାନଦର୍ଶୀ ଗୁରୁଙ୍କର ଆବଶ୍ୟକତା ରହିଛି, ଯିଏ ତୁମକୁ ସେହି ଅଜ୍ଞାନ ଗର୍ତ୍ତରୁ ଉପରକୁ ଉଠିବାରେ ସାହାଯ୍ୟ କରିପାରିବେ |

 ‘ଗୁରୁ’ ଶବ୍ଦର ଅର୍ଥ କ’ଣ ? ‘ଗୁ’ର ତାତ୍ପର୍ଯ୍ୟ ଅନ୍ଧକାର ଏବଂ ‘ରୁ’ର ତାତ୍ପର୍ଯ୍ୟ ଅପସାରଣ | ଅତଏବ ‘ଗୁରୁ’ ହେଉଛନ୍ତି ସେହି ବିଭୂତି ଯିଏ ଆମ ଭିତରେ ଥିବା ଅଜ୍ଞାନ ଅନ୍ଧକାରକୁ ଅପସାରିତ କରି ଆମକୁ ଦିବ୍ୟ ଜ୍ଞାନର ଉଜ୍ଜଳ ଆଲୋକରେ ଓତଃପ୍ରୋତ କରିଦେଇ ପାରିବେ | ଭୌତିକ ଜଗତରେ ମଧ୍ୟ ଯାହା ଆମେ ଶିକ୍ଷା କରିଥାଏ, ତାହା ଜଣେ ଗୁରୁଙ୍କଠାରୁ ଶିକ୍ଷା କରିଥାଏ | ଆମେ ବିଦ୍ୟାଳୟକୁ ଯାଏ | ସେଠାରେ ଗୁରୁଜୀ କଳାପଟାରେ ଗୋଟିଏ ଆକୃତି ଅଙ୍କନ କରି କହନ୍ତି, “ଏହା ଅ ଅଟେ”, “କୁହ ପିଲେ ଅ” | ଆମେ ସମସ୍ତେ ‘ଅ’ କହେ | ସେହିପରି ଅନ୍ୟ ଏକ ଆକୃତି ଅଙ୍କନ କରି କହନ୍ତି, ଏହା ‘ଆ’ ଅଟେ ଏବଂ ଆମେ ସମସ୍ତେ ତାହାକୁ ‘ଆ’ କହେ | ଅର୍ଥାତ୍, ଗୁରୁଜୀଙ୍କଠାରେ ଆମେ ନିଜର ବୁଦ୍ଧିକୁ ସମର୍ପିତ କରିଦେଇ ଥାଏ ଯଦ୍ବାରା ଆମେ ବିଦ୍ୟା ଅର୍ଜନ କରିବାକୁ ସମର୍ଥ ହୋଇଥାଏ | ସେହିପରି, ଈଶ୍ବରୀୟ ଜଗତରେ ଆମେ ଯଦି ଦିବ୍ୟ ଜ୍ଞାନ ପ୍ରାପ୍ତ କରିବାକୁ ଇଚ୍ଛା କରିବା, ତେବେ ଶାସ୍ତ୍ରମାନେ କହନ୍ତି, ଆମେ ଜଣେ ସଦଗୁରୁଙ୍କର ସମୀପସ୍ଥ ହେବା, ନିଜର ବୁଦ୍ଧିକୁ ତାଙ୍କଠାରେ ସମର୍ପିତ କରିବା ଏବଂ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ସାଧନା କରିବା ଆବଶ୍ୟକ | ଉଦାହରଣ ସ୍ବରୂପ, ଆପଣ ଜଣେ ଡାକ୍ତରଙ୍କ ପାଖକୁ ଯାଇ କହିବେ, “ଡାକ୍ତର ସାହେବ, ମୋର ଏହି ଏହି ସମସ୍ୟା ହୋଇଛି |” ଡାକ୍ତର କହିବେ, “ଠିକ୍ ଅଛି, ମୁଁ ଦେଖୁଛି |” ଡାକ୍ତର ଆପଣଙ୍କ ଶରୀରର ସ୍କାନିଂ ଏବଂ ଅନ୍ୟ ଅନେକ ପ୍ରକାରର ପରୀକ୍ଷା କଲେ, ସବୁ ରିପୋର୍ଟକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ କହିଲେ, “ବାସ୍ତବରେ ତୁମର ରୋଗଟି  ଏହା ଅଟେ | ଏବେ ମୁଁ ଯେପରି କହିବି, ତୁମେ ସେପରି କରିବ | ଏହି ଔଷଧର ଦୁଇ ବୁନ୍ଦା ପାଣିରେ ମିଶାଇ ଦିନକୁ ତିନି ଥର ପିଇବ | ତାହାହେଲେ ଦୁଇ ମାସରେ ତୁମେ ପୁରାପୁରି ସୁସ୍ଥ ହୋଇଯିବ |” ଡାକ୍ତରଙ୍କର ନିର୍ଦ୍ଦେଶରେ ଆପଣ ଯଦି ନିଜ ବୁଦ୍ଧି ପ୍ରୟୋଗ କରିବେ ଏବଂ କହିବେ, “ସୁସ୍ଥ ହେବା ପାଇଁ ମୁଁ ଗୋଟିଏ ଔଷଧକୁ ଦୁଇ ମାସ ଯାଏଁ କାହିଁକି ଖାଇବି, ଗୋଟିଏ ଦିନରେ ପୂରା ଔଷଧ ଖାଇଦେଲେ ତ ମୁଁ ଦିନକରେ ସୁସ୍ଥ ହୋଇଯିବି”, ତେବେ ଡାକ୍ତର କହିବେ, “ସେପରି କଲେ କିଛି ଲାଭ ହେବ ନାହିଁ |” ଅତଏବ, ସୁସ୍ଥ ହେବା ପାଇଁ ଆମେ ନିଜର ବୁଦ୍ଧିକୁ ଡାକ୍ତରଙ୍କ ପାଖରେ ସମର୍ପିତ କରିଦେବା ଆବଶ୍ୟକ କାରଣ ଜୀବନସାରା ସେ ଆୟୁର୍ବିଜ୍ଞାନ ଅଧ୍ୟୟନ କରିଛନ୍ତି, ପଚାଶ ହଜାରରୁ ଉର୍ଦ୍ଧ୍ବ ରୋଗୀଙ୍କର ଉପଚାର କରିବାର ବିସ୍ତୃତ ଅନୁଭବ ତାଙ୍କର ରହିଛି ଏବଂ ସେହି ଦୃଷ୍ଟିରୁ ଆମ ରୋଗର ଉପଚାର କରି ଆମକୁ ସ୍ବସ୍ଥ କରିବାର ଯଥେଷ୍ଟ ଯୋଗ୍ୟତା ତାଙ୍କର ରହିଛି |

ସେହିପରି, ଈଶ୍ବରୀୟ କ୍ଷେତ୍ରରେ ଗୁରୁଙ୍କର କାର୍ଯ୍ୟ ହେଉଛି ମାୟିକ ବନ୍ଧନରୁ ଈଶ୍ବରୀୟ ଉପଲବଧି ଅଭିମୁଖରେ ଆମ ପରି ଜୀବାତ୍ମାମାନଙ୍କର ମାର୍ଗଦର୍ଶନ କରିବା | ଆମର କର୍ତ୍ତବ୍ୟ ହେଲା ସେପରି ଜଣେ ସଦଗୁରୁଙ୍କର ଅନ୍ବେଷଣ କରିବା, ତାଙ୍କଠାରୁ ଦିବ୍ୟ ତତ୍ତ୍ଵଜ୍ଞାନ ପ୍ରାପ୍ତ କରିବା ଏବଂ ତାଙ୍କ ପ୍ରଦତ୍ତ ଜ୍ଞାନର ସଦୁପଯୋଗ କରିବାକୁ ଯାଇ ତାଙ୍କର ନିର୍ଦ୍ଦେଶ ଅନୁସରଣ କରିବା | ତାପରେ ଆମେ ଭଗବାନଙ୍କର ଦିବ୍ୟ ଅନୁଗ୍ରହ ପ୍ରାପ୍ତ କରିବା ଯାହା ସେହି ସଦଗୁରୁଙ୍କ ମାଧ୍ୟମରେ ହିଁ ପ୍ରାପ୍ତ ହେବ ଏବଂ ଆମର ଯାତ୍ରା ପୂର୍ଣ୍ଣ କରିବ |

ଗତ ଏକୋଇଶ ଦିନ ଧରି ଆପଣମାନଙ୍କ ସହିତ ବୈଦିକ ଶାସ୍ତ୍ର ଜ୍ଞାନର ଯେଉଁ ଆଲୋଚନା କରାଗଲା, ତାହା ବାସ୍ତବରେ ଅତ୍ୟନ୍ତ ଆନନ୍ଦଦାୟକ ଏବଂ ସନ୍ତୋଷଜନକ ଥିଲା | ଆଜି, ଏକବିଂଶ-ଦିବସୀୟ ଏହି ଶୃଂଖଳାର ସମାପନ ଦିବସରେ, ମୁଁ ଶ୍ରୀ ରାଧାକୃଷ୍ଣ ଭଗବାନଙ୍କର ଚରଣକମଳରେ ଏହି ନିବେଦନ କରିବି ସେ ଈଶ୍ବରୀୟ ସିଦ୍ଧି ରୂପୀ ଆପଣଙ୍କ ଯାତ୍ରାର ଚରମ ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଆପଣଙ୍କୁ ଆଶୀଷ ପ୍ରଦାନ କରିବେ |

                                                            --------xxxx--------


 

Comments

Popular posts from this blog