୩. ପରଦୋଷ
ଦର୍ଶନ ନ କରି ନିଜ ଦୋଷ ପ୍ରତି ଧ୍ୟାନ ଦିଅନ୍ତୁ
ଗତକାଲି ଆମେ
ପରଚର୍ଚ୍ଚାରୁ ନିବୃତ୍ତ ହେବାର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରିଥିଲେ | ଆଜି, ଜୀବନ
ପରିବର୍ତ୍ତନ ଅଭିଯାନର ତୃତୀୟ ଦିବସରେ, ଆମେ ଆଉ ଟିକିଏ ଆଗକୁ ଯିବା | ଆମେ ଦୋଷ ଦର୍ଶନରେ ମଧ୍ୟ
ଲିପ୍ତ ରହିବା ଉଚିତ୍ ନୁହେଁ | ଆମ ନିଜ ମନର ମଲୀନତା ଯୋଗୁଁ ହିଁ ଆମଠାରେ ଅନ୍ୟମାନଙ୍କର ଦୋଷ
ଦର୍ଶନ କରିବାର ପ୍ରବୃତ୍ତି ଜାତ ହୋଇଥାଏ | ଗୋଟିଏ ଶୁଦ୍ଧ ମନ ଅନ୍ୟମାନଙ୍କ ଠାରେ ଗୁଣର ଦର୍ଶନ
କରିଥାଏ | ଅଥଚ, ଗୋଟିଏ ଅଶୁଦ୍ଧ ବା କଳୁଷିତ ମନ ଅନ୍ୟମାନଙ୍କର ଦୋଷ ଆଡକୁ ଢଳି ଥାଏ |
ଯୁଧିଷ୍ଠିର
ଏବଂ ଦୁର୍ଯ୍ୟୋଧନଙ୍କ ବିଷୟରେ ଗୋଟିଏ ଆଖ୍ୟାନ ଅଛି | ଗୁରୁଦେବ ଦ୍ରୋଣାଚାର୍ଯ୍ୟ ଦିନେ
ସେମାନଙ୍କୁ ଭିନ୍ନ ଭିନ୍ନ ନିର୍ଦ୍ଦେଶ ଦେଲେ | ଯୁଧିଷ୍ଠିରଙ୍କୁ ଡାକି ସେ କହିଲେ, “ଯାଅ, ଏପରି
ଜଣେ ବ୍ୟକ୍ତିଙ୍କୁ ଖୋଜି ଆଣିବ, ଯିଏ କି ତୁମଠାରୁ ଖରାପ ହୋଇଥିବେ “ ଏବଂ ଦୁର୍ଯ୍ୟୋଧନଙ୍କୁ
କହିଲେ, “ଆଜି ନଗରକୁ ଯାଇ ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜି ଆଣିବ ଯିଏ କି ସବୁ ଦୃଷ୍ଟିରୁ ତୁମ
ଠାରୁ ଉତ୍ତମ ହୋଇଥିବେ |” ଦୁହେଁ ଖୋଜିବାକୁ ବାହାରି ଗଲେ | ସନ୍ଧ୍ୟାବେଳକୁ ଫେରି ଦୁର୍ଯ୍ୟୋଧନ
କହିଲେ, “ଗୁରୁଦେବ, ମୁଁ ବହୁତ ଚେଷ୍ଟା କଲି, କିନ୍ତୁ ମୋ ଠାରୁ ଉତ୍ତମ ଜଣେ ମଧ୍ୟ ବ୍ୟକ୍ତିଙ୍କୁ
ପାଇଲି ନାହିଁ |” ଅନ୍ୟ ପକ୍ଷରେ, ଯୁଧିଷ୍ଠିର ଫେରି ଆସି କହିଲେ, “ଗୁରୁଦେବ, ମୁଁ ନିଜ ଠାରୁ
ଖରାପ ଜଣେ ବ୍ୟକ୍ତିଙ୍କୁ ଖୋଜି ପାଇବାକୁ ବହୁତ ଚେଷ୍ଟା କଲି, କିନ୍ତୁ ସେପରି କାହାକୁ ପାଇଲି
ନାହିଁ | ହଁ, ଜଣେ ବ୍ୟକ୍ତିଙ୍କୁ ପାଇଥିଲି ଯିଏ ନିର୍ଜଳା ଏକାଦଶୀରେ କୂଅରୁ ପାଣି କାଢୁଥିଲେ |
ତାଙ୍କୁ ଦେଖି ମୁଁ ଭାବିଲି ଏହି ବ୍ୟକ୍ତି ଜଣକ ନିଶ୍ଚିତଭାବରେ ମୋ ଠାରୁ ଖରାପ ଅଟନ୍ତି, କାରଣ ଇଏ
ନିର୍ଜଳା ଏକାଦଶୀରେ ପାଣି ପିଇବାକୁ ଚେଷ୍ଟା କରୁଛନ୍ତି | କିନ୍ତୁ ମୁଁ ଦେଖିଲି କୂଅରୁ ପାଣି
କାଢି ସେ ସ୍ନାନ କଲେ | ତାଙ୍କଠାରେ ମୁଁ ଦୋଷ ଦର୍ଶନ କଲି, ତେଣୁ ଏହା ପ୍ରମାଣିତ ହୋଇଗଲା ଯେ ସବୁଠାରୁ
ନିକୃଷ୍ଟ ମୁଁ ହିଁ ଅଟେ |” ଦୁହିଁଙ୍କ ଚରିତ୍ରର ଏହି ବିଷମତାକୁ ଦେଖି ଗୁରୁଦେବ ମୁରୁକି ହସି
ନୀରବ ରହିଲେ |
ମନେରଖନ୍ତୁ, ଆମେ ଯେତେବେଳେ କାହା ପ୍ରତି ଗୋଟିଏ ଅଙ୍ଗୁଳି
ନିର୍ଦ୍ଦେଶ କରିଥାଏ, ତିନୋଟି ଅଙ୍ଗୁଳି ଆମ ନିଜ ଅଭିମୁଖରେ ରହିଥାଏ | ଏହି ସଂସାର ଦ୍ବୈତର
ମିଶ୍ରଣ ଅଟେ | ରାମାୟଣ କହେ :
ଜଡ
ଚେତନ ଗୁଣ ଦୋଷମୟ ବିଶ୍ବ କୀହ୍ନ କରତାର |
ସଂତ ହଂସ ଗୁଣ ଗହଇ
ପୟ ପରିହରି ବାରି ବିକାର |
ସ୍ରଷ୍ଟା ଏହି ସଂସାରରେ ଅନେକ ଗୁଡିଏ ଦ୍ବୈତ ସୃଷ୍ଟି କରିଛନ୍ତି |
ଦିନ ଅଛି, ରାତି ଅଛି; ଶୀତ ଅଛି, ଗ୍ରୀଷ୍ମ ଅଛି; ସଫଳତା ରହିଛି, ବିଫଳତା ରହିଛି | ଗୋଟିଏ
ତତ୍ତ୍ବରେ ମଧ୍ୟ ଭିନ୍ନତା ପରିଲକ୍ଷିତ ହୋଇଥାଏ | ଗୋଲାପ ଗଛରେ ସୁନ୍ଦର କୋମଳ ଫୁଲ ସହିତ
ହାନିକାରକ କଣ୍ଟା ରହିଛି | ଠିକ୍ ସେହିପରି ପ୍ରତ୍ୟେକ ମଣିଷ ଗୁଣ ଏବଂ ଦୋଷର ଗୋଟିଏ ଥଳି ଅଟନ୍ତି
| ଆମର ମନ ଯଦି ଅନ୍ୟମାନଙ୍କର ଦୋଷର ଚିନ୍ତନ କରେ, ତେବେ ତାହା ଚେତନାର ଏକ ବିକୃତ ପ୍ରତିଫଳନ
ଅଟେ | ସେହି ଚିନ୍ତନ ଆମ ନିଜର ଦୋଷ ବୃଦ୍ଧି କରିଥାଏ | ଏତଦ୍ ବ୍ୟତିତ ସେହି ଚିନ୍ତନରେ ଆମେ
ନିଜକୁ ଏତେ ଅଧିକ ବ୍ୟସ୍ତ ରଖିଥାଏ ଯେ ନିଜର ଦୋଷ ପ୍ରତି ଆମେ ଧ୍ୟାନ ଦେଇ ପାରେନାହିଁ | ଆମ
ଭିତରର ଦୋଷ ଦୁର୍ବଳତା ବୃଦ୍ଧି ପାଇବାରେ ଲାଗେ |
ଜଣେ ବାପା ତାଙ୍କର
ଦୁଇ ପୁଅଙ୍କୁ କହିଲେ, ଉତ୍ତମ ସ୍ବାସ୍ଥ୍ୟ ଲାଭ କରିବା ପାଇଁ ତୁମେ ଦୁହେଁ ପ୍ରତିଦିନ ଭୋରରୁ ଉଠି
ଯୋଗ ଅଭ୍ୟାସ କର | ତା ପରଦିନ ଠାରୁ ବଡ ପୁଅ ନିୟମିତ ଭୋରରୁ ଉଠି ବାପାଙ୍କ ସହିତ ଯୋଗ ଅଭ୍ୟାସ
କରିବାରେ ଲାଗିଲା | ଅଥଚ ସାନ ପୁଅ
ଆଳସ୍ୟ ପରାୟଣ ହୋଇ ଶୋଇ ରହିଲା | ତାହା ଦେଖି ବଡ ପୁଅ କହିଲା, “ ଦେଖନ୍ତୁ ବାପା, ପିଲାଟି କେତେ
ଅମାନିଆ ! ଆପଣ ସକାଳୁ ଉଠି ଯୋଗ ଅଭ୍ୟାସ କରିବାକୁ କହିଥିଲେ, ଅଥଚ ସେ ଶୋଇ ରହିଛି |” ବାପା
କହିଲେ, “ଦେଖ ପୁଅ, ତୁ ଯଦି ସକାଳୁ ଉଠି ନିଜ ସାନ ଭାଇର ଦୋଷ ଦର୍ଶନ କରିବୁ, ତେବେ ତୁ ଶୋଇ
ରହିବା ଉଚିତ୍ |” ଅନେକ ଲୋକଙ୍କର ସ୍ବଭାବ ଏହିପରି ଅଟେ | କୌଣସି ଆଧ୍ୟାତ୍ମିକ ସମ୍ମିଳନୀ ବା
ପ୍ରେରଣାଦାୟକ ସଭାକୁ ଯାଇ ଅଭ୍ୟାସ ବଶତଃ ସେଠାରେ ସେମାନେ କେବଳ ସମସ୍ୟା ଏବଂ ଦୋଷର ଦର୍ଶନ
କରିଥାଆନ୍ତି, ଯଦ୍ବାରା ସେମାନେ ନିଜର ହାନି ହିଁ କରିଥାଆନ୍ତି | ନିଜର ସେହି ଅଭ୍ୟାସକୁ ଆମେ
ପରିବର୍ତ୍ତିତ କରିବା ଆବଶ୍ୟକ | ଅନ୍ୟର ଦୋଷ ଦୁର୍ବଳତା ନ ଦେଖି ଆମର ମନ ନିଜ ଭିତରେ ଥିବା
ଅଗଣିତ ଦୋଷ ପ୍ରତି ଧ୍ୟାନ ଦେବା ଉଚିତ୍ |
ଜୀବନ ପରିବର୍ତ୍ତନ ଅଭିଯାନ ଶୃଂଖଳାର ଆଜି ତୃତୀୟ ଦିବସରେ ଆମେ
ସଂକଳ୍ପ କରିବା, ଆଜିଠାରୁ ଆମେ ଅନ୍ୟର ଦୋଷ ଦର୍ଶନ କରିବା ନାହିଁ | ମନ ଯଦି ସେଥିପାଇଁ ଲାଳାୟିତ
ହୁଏ, ତେବେ ଆମେ ତାହାର ଗତି ପରିବର୍ତ୍ତନ କରି ତାହାକୁ ନିଜ ଦୋଷ ଅଭିମୁଖରେ ପ୍ରେରିତ କରିବା
କାରଣ ତାହା ହିଁ ଆଲୋକର, ଉନ୍ନତିର, ଜ୍ଞାନର ପଥ ଅଟେ |
ଆସନ୍ତା
କାଲି ଆମେ ନିଜ ଜୀବନ ପରିବର୍ତ୍ତନର ଯାତ୍ରା ସେଥିପାଇଁ ଆବଶ୍ୟକ ଚତୁର୍ଥ ଆୟୁଧ ସହିତ କରିବା |
***** *****
*****

Comments
Post a Comment