୭. ଭଗବାନଙ୍କର
ଆମ ସହିତ ନିତ୍ୟ-ନିରନ୍ତର ଉପସ୍ଥିତିକୁ ଅନୁଭବ କରିବା
ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ମନ୍ଦିରରେ ଶ୍ରଦ୍ଧା ପୁର୍ବକ
ନିଜର ମସ୍ତକ ଅବନତ କରିଥାଆନ୍ତି | କାରଣ ମନ୍ଦିରରେ
ଆମେ ନିଜ ସମ୍ମୁଖରେ ଭଗବାନଙ୍କର ଉପସ୍ଥିତି ଅନୁଭବ କରିଥାଏ | କିନ୍ତୁ ମନ୍ଦିରରୁ ବାହାରକୁ
ଆସିବା ମାତ୍ରେ ଆମର ସବୁ ଦିବ୍ୟ ଭାବନା ଚାଲି ଯାଏ | ଏହିଠାରେ ଆମେ ଟିକିଏ ସଂଶୋଧନ କରି
ଦିନସାରା ସେହି ଦିବ୍ୟ ଭାବନାକୁ ବଜାୟ ରଖିବା ନିମନ୍ତେ ଅଭ୍ୟାସ କରିବା ଆବଶ୍ୟକ | ଅର୍ଥାତ୍,
ସର୍ବତ୍ର ଭଗବାନଙ୍କର ଉପସ୍ଥିତିକୁ ଅନୁଭବ କରିବା ଆବଶ୍ୟକ | ବେଦ କହେ:
ଦ୍ବା ସୁପର୍ଣା
ସୟୁଜା ସଖାୟା ସମାନଂ ବୃକ୍ଷଂ ପରିଷସ୍ବଜାତେ |
ତୟୋରନ୍ୟଃ
ପିପ୍ପଳଂ ସ୍ବାଦ୍ବତ୍ତ୍ୟନଶ୍ନନ୍ନନ୍ୟୋ ଅଭିଚାକଶୀତି ||
ଗୋଟିଏ ବୃକ୍ଷରେ ଦୁଇଟି ପକ୍ଷୀ ବସିଛନ୍ତି | ପ୍ରଥମ ପକ୍ଷୀଟି
ଦ୍ବିତୀୟ ପକ୍ଷୀକୁ ପଛ କରି ବସି ଫଳ ଖାଇବାରେ ବ୍ୟସ୍ତ ରହିଛି | କେତେବେଳେ ତାକୁ ମଧୁର ଫଳ
ମିଳୁଛି ତ ସେ ସୁଖୀ ହୋଇଯାଉଛି | ଆଉ କେତେବେଳେ ତିକ୍ତ ଫଳ ମିଳିବାରୁ ସେ ଦୁଃଖୀ ରହୁଛି |
ଦ୍ବିତୀୟ ପକ୍ଷୀଟି ଚୁପଚାପ୍ ବସି ତାକୁ ଦେଖୁଛି | ପ୍ରଥମ ପକ୍ଷୀର ସେ ମିତ୍ର ଅଟେ, କିନ୍ତୁ ସେ
ତା’ର କାର୍ଯ୍ୟରେ ହସ୍ତକ୍ଷେପ କରୁନାହିଁ | ପ୍ରଥମ ପକ୍ଷୀଟି ଯଦି କେମିତି ହେଉ ପାର୍ଶ୍ବ
ପରିବର୍ତ୍ତନ କରି ଦ୍ବିତୀୟ ପକ୍ଷୀର ସମ୍ମୁଖୀନ ହୋଇପାରନ୍ତା, ତା’ର ସବୁ ଦୁଃଖ ଦୂର ହୋଇଯାଆନ୍ତା
| ବୃକ୍ଷଟି ଆମର ଶରୀର ଅଟେ, ପ୍ରଥମ ପକ୍ଷୀଟି ଆତ୍ମା ଅର୍ଥାତ୍ ଆମେ ଅଟେ ଏବଂ ଦ୍ବିତୀୟ ପକ୍ଷୀ
ପରମାତ୍ମା ଭଗବାନ ଅଟନ୍ତି, ଯିଏକି ପ୍ରତ୍ୟେକ ଜୀବର ହୃଦୟରେ ନିବାସ କରିଥାଆନ୍ତି | ଭଗବାନ ଆମ
କର୍ମର ଦ୍ରଷ୍ଟା ଏବଂ ସାକ୍ଷୀ ଅଟନ୍ତି, ସେ ଆମ କର୍ମରେ ହସ୍ତକ୍ଷେପ କରନ୍ତି ନାହିଁ | ଆମେ ଯଦି
କେବଳ ତାଙ୍କୁ ଆମର ଚେତନାକୁ ଆଣି ପାରିବା, ତେବେ ଆମେ ଭଗବାନଙ୍କର ଉପସ୍ଥିତିକୁ ସର୍ବଦା ଅନୁଭବ
କରିବା |
ଆପଣ ଅଫିସକୁ ଯାଇ କାମ
କରିବା ପାଇଁ ନିଜ ସିଟରେ ବସିଲେ | କାମରେ ପୁରାପୁରି ବ୍ୟସ୍ତ ହୋଇଯିବା ପୂର୍ବରୁ ଟିକିଏ ସମୟ
ରହି ନିଜକୁ ସ୍ଥିରମତି କରିନିଅନ୍ତୁ | ଏବେ ଭଗବାନଙ୍କୁ ଆପଣ ନିଜ ସମ୍ମୁଖରେ ଦେଖନ୍ତୁ | ସେ ତ
ସର୍ବବ୍ୟାପୀ, ଘଟ ଘଟ ନିବାସୀ ଅଟନ୍ତି | ସେ ଆପଣଙ୍କ ହୃଦୟ ଭିତରେ ମଧ୍ୟ ରହିଛନ୍ତି | ମନେ ମନେ
ତାଙ୍କୁ ନିଜ ହୃଦୟ ଭିତରୁ ବାହାରକୁ ଆଣି ଆପଣଙ୍କ ପାର୍ଶ୍ବରେ ହେଉ ବା ସମ୍ମୁଖରେ ହେଉ କୌଣସି ଏକ
ଖାଲି ଚଉକିରେ ତାଙ୍କୁ ବସାଇ ଦିଅନ୍ତୁ | ତାପରେ ଆପଣ କାମ କରନ୍ତୁ | ଏହା ସ୍ବାଭାବିକ ଯେ କିଛି
ସମୟ ପରେ କାର୍ଯ୍ୟ ବ୍ୟସ୍ତ ରହି ଆପଣ ଭଗବାନଙ୍କର ଉପସ୍ଥିତିକୁ ଭୁଲିଯିବେ | ଠିକ୍ ଅଛି,
ପୁନର୍ବାର ଆପଣ ଟିକିଏ ସମୟ କାମ ବନ୍ଦ କରି ନିଜକୁ ସଜାଡି ନିଅନ୍ତୁ ଏବଂ ଅନୁଭବ କରନ୍ତୁ,
“ଭଗବାନ ମୋତେ ଦେଖୁଛନ୍ତି | ହେଃ ! ଏଣୁତେଣୁ କ’ଣ ଭାବୁଛୁ ?” ଏହିପରି ଭାବରେ ଆପଣଙ୍କର ଚେତନା,
ଯାହା କିଛି ସମୟ ପାଇଁ ଦିବ୍ୟ ଜଗତରୁ ପାର୍ଥିବ ଜଗତକୁ ଚାଲି ଆସିଥିଲା, ପୁନର୍ବାର ଉଚ୍ଚତର
ସୋପାନକୁ ଉନ୍ନୀତ ହୋଇଯିବ | ଏହିପରି ଭାବରେ ପ୍ରତି ଏକ ଘଣ୍ଟାରେ ଭଗବାନଙ୍କର ଉପସ୍ଥିତିକୁ
ଅନୁଭବ କରିବାର ଅଭ୍ୟାସ କରନ୍ତୁ | ଏହି ଅଭ୍ୟାସ ସ୍ଥିରତାର ଏକ ନିଧାର୍ଯ୍ୟ ସ୍ତରରେ ପହଂଚିବା
ପରେ ସମୟ ଅନ୍ତରାଳକୁ ଆପଣ ଅଧ ଘଣ୍ଟା, ତାପରେ ୨୦ ମିନିଟ୍, ତାପରେ ଆହୁରି କମ୍ କରି ଧିରେ ଧିରେ
ଏପରି ଏକ ସ୍ଥିତିରେ ଉପନୀତ ହୋଇଯିବେ ଯେତେବେଳେ ଆପଣ ସର୍ବତ୍ର-ସର୍ବଦା ଭଗବାନଙ୍କର ଉପସ୍ଥିତିକୁ
ଅନୁଭବ କରି ପାରିବେ | ଏହି ଅଭ୍ୟାସରେ କୌଣସି ଜପମାଳ ବା ଅନ୍ୟ କୌଣସି ବାହ୍ୟ ଆଡମ୍ବରର
ଆବଶ୍ୟକତା ନାହିଁ | ଆପଣ ଯଦି ଜପମାଳ ନେଇ ଅଫିସକୁ ଯିବେ, ଆପଣଙ୍କର ବନ୍ଧୁମାନେ ଅନେକ ପ୍ରକାରର
ଟିପ୍ପଣୀ ଯଥା, “ଆରେ, ତୁମେ ତ ଏବେ ବହୁତ ବଡ ଜଣେ ସାଧୁ ହୋଇଗଲଣି | ଆଜିକାଲି ତୁମେ କେଉଁ
ବାବାଙ୍କର ପ୍ରବଚନ ଶୁଣୁଛ ?” ଇତ୍ୟାଦି ଦେଇ ଆପଣଙ୍କ ମନକୁ ଅଶାନ୍ତ କରିଦେବେ | ମୋ ମତରେ,
ସାଧନା କାହାକୁ କିଛି ନ ଜଣାଇ ନୀରବରେ କରାଯିବା ଉଚିତ୍ | ଏହା ଆପଣଙ୍କୁ ମନ୍ଦ କର୍ମ କରିବାରୁ
ନିବୃତ୍ତ କରିବ | କିପରି ? ମନେ କରନ୍ତୁ, ରମେଶ ନାମକ ଜଣେ ବ୍ୟକ୍ତି ନିଜକୁ ଏକାକୀ ମନେକରି
କିଛି ପାପ କର୍ମ କରିବାକୁ ଯାଉଛନ୍ତି | ହଠାତ୍ ତାଙ୍କର ପଡୋଶୀ ଦୀନେଶ ପଛଆଡୁ ଆସି ତାଙ୍କ
କାନ୍ଧରେ ହାତ ରଖି ପଚାରିଲେ, “ଆରେ ଭାଇ ରମେଶ ! ତୁମେ କେଉଁ ଆଡେ ଯାଉଛ ?” ଅଚାନକ ଦୀନେଶଙ୍କୁ
ଦେଖି ରମେଶ ନିଜର ଉଦ୍ଦେଶ୍ୟ ଗୋପନ ରଖି କହିଲେ, “ନା, ଘରେ ବୋର୍ ଲାଗୁଥିଲା, ତେଣୁ ବାହାରେ
ଟିକିଏ ବୁଲିବାକୁ ଆସିଛି |” ଦେଖନ୍ତୁ, ସେ ଏକାକୀ ନୁହଁନ୍ତି ଜାଣିବା ମାତ୍ରେ ରମେଶ ପାପକର୍ମରୁ
ନିବୃତ୍ତ ହୋଇଗଲେ | ସେହିପରି ଆମେ ଯଦି ସବୁ ସମୟରେ ଏହା ଅନୁଭବ କରିପାରିବା ଯେ ଆମେ ଏକା
ନୁହେଁ, ଆମର ସନାତନ ପିତା ଭଗବାନ ଆମ ସହିତ ରହିଛନ୍ତି, ତେବେ କୌଣସି ପାପ କରିବା ପୂର୍ବରୁ ଆମେ
ଶହେ ଥର ଚିନ୍ତା କରିବା | ଆମର ଚେତନାକୁ ଶୁଦ୍ଧ କରିବା ନିମନ୍ତେ ଏହା ରାମବାଣ ଅଟେ | ଏହା ଅଭ୍ୟାସ ବଳରେ ହିଁ ସମ୍ଭବ | ମୁଁ ଏଠାରେ କ୍ରିକେଟ୍ ଖେଳର
ଉଦାହରଣ ଦେବାକୁ ଉଚିତ୍ ମନେ କରୁଛି | ବିରାଟ୍ କୋହଲି ଯେତେବେଳେ ବ୍ୟାଟିଂ କରିବାକୁ ପଡିଆକୁ
ଆସନ୍ତି, ସେ ଅପର ପକ୍ଷର କ୍ୟାପଟେନଙ୍କ ଦ୍ବାରା ସଜ୍ଜିତ ଖେଳାଳୀମାନଙ୍କର ସ୍ଥିତିକୁ ଉତ୍ତମ
ରୂପେ ଅନୁଧ୍ୟାନ କରି ନିଅନ୍ତି | କାରଣ କ୍ରିକେଟ୍ ବଲ୍ ଅଧ ସେକେଣ୍ଡରୁ କମ୍ ସମୟରେ ୨୨ ଗଜ
ଅତିକ୍ରମ କରିଥାଏ | ତାହା ଜଣେ ଫାଷ୍ଟ ବୋଲରଙ୍କର ବଲର ଗତି ଅଟେ | ଏତେ ଅଳ୍ପ ସମୟ ଭିତରେ
ଫିଲଡ଼ର ନିରୀକ୍ଷଣ କରିବା ସମ୍ଭବପର ନୁହେଁ | ସେଥିପାଇଁ ଜଣେ ଉତ୍ତମ ଖେଳାଳୀ ଅନ୍ୟ ପକ୍ଷର ୧୧
ଜଣ ଖେଳାଳୀଙ୍କର ସ୍ଥିତିକୁ ସ୍ମୃତିରେ ରଖି
ବ୍ୟାଟିଂ କରିବାକୁ ଆସନ୍ତି | ଯାହା ଫଳରେ ବଲଟି ଆସିବା ମାତ୍ରେ ସେ ଅତ୍ୟନ୍ତ କୁଶଳତା ପୂର୍ବକ
ବ୍ୟାଟିଂ କରିଥାଆନ୍ତି ଏବଂ କମେଣ୍ଟଟେଟର୍ ଚିତ୍କାର କରି କହନ୍ତି, “ସେ ମିଡ୍ ୱିକେଟ୍ ଏବଂ ଲଂଗ
ଅନ୍ ମଧ୍ୟ ଦେଇ ବଲଟିକୁ ଛାଡିଦେଲେ ଏବଂ ଚାରି ରନ୍ ପାଇଁ ବଲଟି ପଡିଆର ସୀମା ଅତିକ୍ରମ କଲା |”
କ୍ରିକେଟ୍ ଖେଳାଳୀ ଜଣକ କ’ଣ କଲେ ? ସେ ନିଜ ମନରେ ୧୧ ଜଣ ଫିଲଡରଙ୍କୁ ରଖିଥିଲେ | ସେ
କ୍ଷେତ୍ରରେ ଆମେ ଯଦି କେବଳ ଜଣେ ଭଗବାନଙ୍କୁ ମନରେ ରଖି ପାରିବା, ତେବେ ଆମେ ଭଗବଦ୍ ଗୀତାରେ
ବର୍ଣ୍ଣନା କରା ଯାଇଥିବା କର୍ମଯୋଗରେ ଆସୀନ ହୋଇ ଦିବ୍ୟ ସ୍ତରକୁ ଉନ୍ନୀତ ହୋଇଯିବା |

Comments
Post a Comment