୧୮. ମୃତ୍ୟୁ ହଠାତ୍ କେତେବେଳେ ଆସି
ପହଞ୍ଚିଯିବ, କିଏ ଜାଣେ?
ଆପଣ ଯଦି ନିଜର କଲ୍ୟାଣ
ଇଚ୍ଛା କରୁଥାଆନ୍ତି, ଦୁଇଟି ସତ୍ୟକୁ ସର୍ବଦା ସ୍ମରଣ ରଖିବା ଆବଶ୍ୟକ | ତନ୍ମଧ୍ୟରୁ ପ୍ରଥମ
ସତ୍ୟଟି ହେଉଛି ମୃତ୍ୟୁ | ମୃତ୍ୟୁକୁ ସ୍ମରଣ କରିବା ଦ୍ବାରା ଆପଣ କୌଣସି କାର୍ଯ୍ୟରେ ବିଳମ୍ବ
କରିବେ ନାହିଁ | ଆପଣଙ୍କ ଠାରେ କର୍ମ ତତ୍ପରତା ବୃଦ୍ଧି ପାଇବ ଏବଂ ଆପଣ ସମୟର ବୃଥା ଅପଚୟ କରିବେ ନାହିଁ |
ଗତକାଲି ଆମେ ନିଜର ଇପ୍ସିତ ଲକ୍ଷ୍ୟ ଜୀବନ ରୂପାନ୍ତରଣ ଅଭିମୁଖେ ଉତ୍ସାହର ସହିତ ପ୍ରଯତ୍ନ କରିବାର ମହତ୍ତ୍ବ ସମ୍ପର୍କରେ ଆଲୋଚନା କରିଥିଲେ | ତେବେ ନିଜ ଭିତରେ ଆମେ ସେହି ଉତ୍ସାହ ବିକଶିତ କରିବା କିପରି ? ଜଣେ ବ୍ୟକ୍ତି ସନ୍ଥ ଏକନାଥଙ୍କ ପାଖକୁ ଯାଇ ପଚାରିଲେ, “ହେ ମହାନୁଭବ ! ମୁଁ ମନକୁ ଭଗବାନଙ୍କ ଠାରେ ଲଗାଇବା ପାଇଁ ଚେଷ୍ଟା କରି ବିଫଳ ହେଲି | ଆପଣ ମୋତେ ଏପରି କିଛି ଉପାୟ ନିର୍ଦ୍ଦେଶ କରିବେ କି ଯଦ୍ବାରା ମୁଁ ସେହି ଦିଗରେ ସଫଳତା ହାସଲ କରିପାରିବି ?” ଏକନାଥ ବ୍ୟକ୍ତି ଜଣଙ୍କର ଆପାଦମସ୍ତକ ତନ୍ନ ତନ୍ନ ନିରୀକ୍ଷଣ କରି କହିଲେ, “ତୁମେ ଭଗବାନଙ୍କ ଠାରେ ମନ ଲଗାଇବାର ଉପାୟ ଜାଣିବାକୁ ଇଚ୍ଛା କରୁଅଛ, କିନ୍ତୁ ମୁଁ ତ ଦେଖିପାରୁଛି ତୁମ ଜୀବନର ଆଉ ମାତ୍ର ସାତୋଟି ଦିନ ବାକି ଅଛି |” “କ’ଣ ହେଲା?”, ବ୍ୟକ୍ତି ଜଣକ ବ୍ୟସ୍ତ ହୋଇ ଭାବିଲେ, “ଏହି ମହାତ୍ମା ଜଣଙ୍କ କହୁଛନ୍ତି ଆଉ ମାତ୍ର ସାତ ଦିନରେ ମୁଁ ମୃତ୍ୟୁ ବରଣ କରିବି | ଇଏ ନିଶ୍ଚିତ ଭାବରେ ଜଣେ ତ୍ରିକାଳଦର୍ଶୀ ହୋଇଥିବେ ଏବଂ ଇଏ ମୋର ଭବିଷ୍ୟତ ଦେଖି ପାରୁଛନ୍ତି |” ବ୍ୟକ୍ତି ଜଣକ ଏକନାଥଙ୍କର ପାଦ ତଳେ ପଡି ପ୍ରାର୍ଥନା କଲେ, “ମହାରାଜ, ମୋତେ ଏବେ କହନ୍ତୁ ମୁଁ କ’ଣ କରିବି ?” ସନ୍ଥ ଏକନାଥ କହିଲେ, “ବେଶୀ କିଛି ତ କରାଯାଇ ପାରିବ ନାହିଁ; ତେବେ ବର୍ତ୍ତମାନ ତୁମେ ଘରକୁ ଯାଇ ସବୁ ପ୍ରକାରର ଜଞ୍ଜାଳରୁ ନିଜକୁ ମୁକ୍ତ କର ଏବଂ ସାତ ଦିନ ପରେ ମୋ ପାଖକୁ ଆସ, ଦେଖିବା, କ’ଣ କରିହେବ |” ବ୍ୟକ୍ତି ଜଣକ ଘରକୁ ଫେରିଗଲେ | ବର୍ତ୍ତମାନ ଯେହେତୁ ତାଙ୍କ ମସ୍ତିସ୍କରେ ଏହି ଜ୍ଞାନ ଭରି ଯାଇଥିଲା ଯେ ତାଙ୍କ ଜୀବନର ଆଉ ମାତ୍ର ସାତୋଟି ଦିନ ବାକି ଅଛି, ସଂସାର ପ୍ରତି ତାଙ୍କର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା | ତାଙ୍କ ପଡୋଶୀଙ୍କର ବଗିଚା ତାଙ୍କଠାରୁ ବଡ କି ସାନ, ତାଙ୍କର ବନ୍ଧୁବାନ୍ଧବ ମାନଙ୍କର ବ୍ୟବହାର ତାଙ୍କ ପ୍ରତି କିପରି – ଏସବୁ ଆଉ ତାଙ୍କୁ ମହତ୍ତ୍ବପୂର୍ଣ୍ଣ ମନେ ହେଲାନାହିଁ | ନିଜର ସବୁ ଜଞ୍ଜାଳ ତୁଟାଇ ସାତ ଦିନ ପରେ ସେ ଏକନାଥଙ୍କ ପାଖକୁ ଆସି କହିଲେ, “ମହାରାଜ, ଆଜି ମୋ ଜୀବନର ଅନ୍ତିମ ଦିନ, ମୋତେ କୁହନ୍ତୁ ମୁଁ କ’ଣ କରିବି |” ଏକନାଥ ପଚାରିଲେ, “ଆଜି ତୁମେ ଭଗବାନଙ୍କର ସ୍ମରଣ କରି ପାରୁଛ ?” ବ୍ୟକ୍ତି ଜଣକ କହିଲେ, “ଆଜି ମୋର ମନ ପୁରାପୁରି ସ୍ଥିର ଏବଂ ନିଶ୍ଚଳ ରହିଛି |” ଏକନାଥ ହସି କରି କହିଲେ, “ତୁମେ ଜାଣିଛ ଏହା କିପରି ସମ୍ଭବ ହେଲା ? ତୁମ ବୁଦ୍ଧିରେ ଏହି ଜ୍ଞାନ ଭରିଗଲା ଯେ ଆଜି ଦିନଟି ମୋ ଜୀବନର ଶେଷ ଦିନ ହୋଇପାରେ | ଅତଏବ, ପ୍ରତ୍ୟେକ ଦିନ ସକାଳେ ଉଠିବା ମାତ୍ରେ ଚିନ୍ତା କରନ୍ତୁ – ଆଜି ଦିନଟି ଯଦି ମୋ ଜୀବନର ଶେଷ ଦିନ ହୋଇଥିବ ତେବେ ମୁଁ କ’ଣ କରିବା ଆବଶ୍ୟକ | ମୁଁ ନିଜ ଜୀବନକୁ ଏହି ଚେତନାରେ ବ୍ୟତୀତ କରୁଛି, ସେଥିପାଇଁ ମୁଁ ମନକୁ ସବୁ ସମୟରେ ଭଗବାନଙ୍କ ଠାରେ ଲଗାଇ ରଖି ପାରୁଛି |” ସନ୍ଥ କବି ନାରାୟଣ କହନ୍ତି –
ଦୋ ବାତନ କୋ ଭୂଲି ମତ ଜୋ ଚାହସି କଲ୍ୟାନ | ‘
ନାରାୟଣ’ ଇକ ମୌତ କୋ ଦୂଜୋ ଶ୍ରୀ ଭଗବାନ ||
ନିଜ ଉଦ୍ଦେଶ୍ୟରେ କବି
କହୁଛନ୍ତି, ଯଦି ତୁମେ ନିଜର କଲ୍ୟାଣ ଇଚ୍ଛା କରୁଥାଅ ତେବେ ଦୁଇଟି ବିଷୟକୁ କେବେ ବି ଭୁଲିବ
ନାହିଁ – ପ୍ରଥମତଃ ମୃତ୍ୟୁର ସ୍ମରଣ କରନ୍ତୁ ଏବଂ ଦ୍ବିତୀୟତଃ ଭଗବାନଙ୍କର ସ୍ମରଣ କରନ୍ତୁ | ମୃତ୍ୟୁକୁ
ସ୍ମରଣ କଲେ ଆପଣ କୌଣସି କାର୍ଯ୍ୟରେ କାଳକ୍ଷେପଣ କରିବେ ନାହିଁ | ଆପଣଙ୍କ ଠାରେ ତତ୍ପରତାର
ଭାବନା ବିକାଶ ଲାଭ କରିବ ଏବଂ ଆପଣ ବୃଥାରେ ସମୟ ନଷ୍ଟ କରିବେ ନାହିଁ | ରାଜା ଦଶରଥଙ୍କର
ଚରିତ୍ରରୁ ଆମକୁ ବହୁତ ବଡ ଶିକ୍ଷା ମିଳିଥାଏ |
ଶ୍ରବନ ସମୀପ ଭଏ ସିତ କେସା | ମନହୁଁ ଜରଠପନୁ ଅସ
ଉପଦେସା ||
ଦର୍ପଣ ସମ୍ମୁଖରେ ଠିଆ ହୋଇ କେଶ ବିନ୍ୟାସ କରୁଥିବା ସମୟରେ ନିଜ କର୍ଣ୍ଣ ସମୀପରେ ଶ୍ବେତ କେଶ ଦେଖି ଦଶରଥ ଚିନ୍ତା କଲେ – ମାଟିର ଏହି ଶରୀର ଏବେ କ୍ଷୟ ପ୍ରାପ୍ତ ହେବାରେ ଲାଗିଲାଣି | ମୁଁ ଅତିଶୀଘ୍ର ବୈରାଗ୍ୟ ଧାରଣ କରି ସାଧନାରେ ବ୍ରତୀ ହେବା ଆବଶ୍ୟକ | ତେଣୁ ମୁଁ ରାମଙ୍କ ହାତରେ ରାଜ୍ୟଭାର ଅର୍ପଣ କରି ବନବାସ କରିବି | ଦେଖନ୍ତୁ, ଅଳ୍ପ କେତୋଟି ପାଚିଲା ବାଳକୁ ଦେଖି ଦଶରଥଙ୍କର ବୈରାଗ୍ୟ ଆସିଗଲା | ଅଥଚ ଆମ୍ଭମାନଙ୍କର ସବୁ ବାଳ ପାଚି ଧଳା ହୋଇଗଲେ ମଧ୍ୟ ଆମେ ସଂସାର କାମନାର ଫାଶରେ ଛନ୍ଦି ହୋଇ ରହିଅଛେ | ବାର୍ଦ୍ଧକ୍ୟ ଭଗବାନଙ୍କର ଆମପାଇଁ ଏକ ଚେତାବନୀ ଅଟେ – “ଦେଖ, ଶେଷ ସମୟ ପାଖେଇ ଆସିଲାଣି |” ଆପଣମାନେ ଯଦି କେବେ କୌଣସି ଭାରତୀୟ ଶାସ୍ତ୍ରୀୟ ସଂଗୀତ ଆସରକୁ ଯାଇଥିବେ ତେବେ ଆପଣ ଦେଖିଥିବେ ବିଳମ୍ବିତ ରାତ୍ରିରେ ରାଗ ଭୈରବୀ ଆଳାପ କରା ଯାଇଥାଏ | ତାହା ଆସରର ଉପସଂହାର ସୂଚକ ଅଟେ | ଦର୍ଶକମାନେ ଜାଣି ଯାଆନ୍ତି ଯେ ଏହାପରେ ଗାୟକମାନେ ଚାଲିଯିବେ ଏବଂ ଆସର ଶେଷ ହୋଇଯିବ | ଏହା ନିବୃତ୍ତିର ପ୍ରତୀକ ଅଟେ – ଉପସଂହାରର ଏକ ସଂକେତ ଅଟେ | ଏହିପରି ଭାବରେ ଭଗବାନ ଆମକୁ ଅନେକ ସଂକେତ ଦେଇଥାଆନ୍ତି | ଦର୍ଶନେନ୍ଦ୍ରିୟ ତଥା ଶ୍ରବଣେନ୍ଦ୍ରିୟର ଶକ୍ତି ହ୍ରାସ ପାଉଛି, ସ୍ବାସ୍ଥ୍ୟ ହ୍ରାସ ପାଉଛି – ଏହିସବୁ ଚେତାବନୀ ପ୍ରତି ଧ୍ୟାନ ଦିଅନ୍ତୁ | ଅଯଥା କର୍ମରୁ ନିବୃତ୍ତ ହୋଇ ଯାହା ଆପଣଙ୍କ ପାଇଁ ସର୍ବଦା ହିତକାରୀ ସେହିସବୁ କର୍ମରେ ନିଜକୁ ନିୟୋଜିତ କରନ୍ତୁ | ଅତଏବ, ସାଧନାର ଗୋଟିଏ ମହତ୍ତ୍ବପୂର୍ଣ୍ଣ ଉପକରଣ ହେଉଛି ମୃତ୍ୟୁର ସ୍ମରଣ କରିବା | ତାହାହେଲେ ଆମେ ବୃଥା ସମୟ ଅପଚୟ ନ କରି ଉତ୍ସାହ ପୂର୍ବକ ପ୍ରୟାସ କରି ଆଗକୁ ଅଗ୍ରସର ହେବା |
******************************

Comments
Post a Comment