୮. ମାନସିକ
ଚାପ କାହିଁକି ସୃଷ୍ଟି ହୁଏ
ଆଜି ଆମେ କର୍ମଫଳ ପ୍ରତି ନିଃସ୍ପୃହ ରହିବାର ଉପକାରିତା ବିଷୟରେ
ଆଲୋଚନା କରିବା | ଏହା ଉନବିଂଶ
ଶତାବ୍ଦୀର ଶେଷାର୍ଦ୍ଧର କଥା ଅଟେ | ଜନ ରକଫେଲର୍ ଷ୍ଟାଣ୍ଡାର୍ଡ ତୈଳ ନିଗମର ଅଧ୍ୟକ୍ଷ ଥିଲେ |
ଦିନେ ତାଙ୍କୁ ବ୍ୟବସାୟ ସମ୍ବନ୍ଧୀୟ ଏକ ନିର୍ଣ୍ଣୟ ଗ୍ରହଣ କରିବାକୁ ପଡିଲା | ଷ୍ଟାଣ୍ଡାର୍ଡ ତୈଳ
ନିଗମର ମାଲ୍ ରେଳ ରାସ୍ତାରେ ହଷ୍ଟନରୁ ସିକାଗୋ ଆସୁଥିଲା | ରକଫେଲରଙ୍କ ସମ୍ମୁଖରେ ପ୍ରଶ୍ନ ଥିଲା
ସେହି ସବୁ ମାଲକୁ ସେ ବୀମାଭୁକ୍ତ କରିବେ କି ନାହିଁ | ସେଥିପାଇଁ ତାଙ୍କୁ ୧୫୦ ଡଲାର୍ ଖର୍ଚ୍ଚ
କରିବାକୁ ପଡୁଥିଲା | ପଇସା ବଂଚାଇବାକୁ ଯାଇ ରକଫେଲର୍ ନିର୍ଣ୍ଣୟ କଲେ ମାଲକୁ ସେ ବୀମାଭୁକ୍ତ
କରିବେ ନାହିଁ | କିନ୍ତୁ ଟ୍ରେନ୍ ହଷ୍ଟନ୍ ଷ୍ଟେସନ୍ ଛାଡିବା ପରେ ଖବର ମିଳିଲା ଯେ ରାସ୍ତାରେ ଝଡ
ତୋଫାନ ହେବାର ସମ୍ଭାବନା ଅଛି | ରକଫେଲର୍ ବିଚଳିତ ହୋଇ ଉଠିଲେ ଏବଂ ଭାବିଲେ ସେ ନିଜ ପଦବୀରୁ
ଲାଭ ଉଠାଇବେ | ସେତେବେଳକୁ ବୀମା ନିଗମର ଅଫିସ୍ ବନ୍ଦ ହୋଇ ସାରିଥାଏ | ନିଜ ପଦବୀ ବଳରେ ସେ
ସେମାନଙ୍କୁ ଅଫିସ୍ ଖୋଲିବାକୁ ବାଧ୍ୟ କଲେ ଏବଂ ଅର୍ଦ୍ଧରାତ୍ରୀ ସୁଦ୍ଧା ମାଲକୁ ବୀମାଭୁକ୍ତ କରାଇ
ନେଲେ | ପରଦିନ ସକାଳେ ତାଙ୍କୁ ଖବର ମିଳିଲା ଯେ ଟ୍ରେନଟି ନିରାପଦରେ ସିକାଗୋ ଷ୍ଟେସନରେ ପହଂଚି
ଯାଇଛି | ସେ ଭାବିଲେ ବୃଥାରେ ସେ ୧୫୦ ଡଲାର୍ ଖର୍ଚ୍ଚ କଲେ | ସେତିକି ବରବାଦି ତାଙ୍କ ମନରେ ଏତେ
ଅଧିକ ଉଦବେଗ ଉତ୍ପନ୍ନ କଲା ଯେ ସକାଳୁ ଦ୍ବିପହର ୨ଟା ଯାଏଁ ସେ ନିଜ ଅଫିସରେ ଅସ୍ଥିର ଭାବରେ ତଳୁ
ଉପରକୁ ଏବଂ ଉପରୁ ତଳକୁ ହେବାରେ ଲାଗିଲେ | ସେହି ମାନସିକ ଚାପ ତାଙ୍କର ସ୍ବାସ୍ଥ୍ୟକୁ ପ୍ରଭାବିତ
କଲା | ଡାକ୍ତର ତାଙ୍କୁ ଚେତାବନୀ ଦେଇ କହିଲେ, ସେ ଯଦି ନିଜର ଜୀବନ ଶୈଳୀକୁ ପରିବର୍ତ୍ତିତ ନ
କରିବେ, ତେବେ ସେ ତିନି ବର୍ଷରୁ ଅଧିକ ଦିନ ଜୀବିତ ରହିବେ ନାହିଁ | ରକଫେଲର୍ ନିଜ ଜୀବନ ଶୈଳୀ
ପରିବର୍ତ୍ତନ କରିବାକୁ ନିଶ୍ଚୟ କଲେ | ସେ ‘ରକଫେଲର୍ ଫାଉଣ୍ଡେସନ’ ନାମକ ଏକ
ଧର୍ମାର୍ଥ ସଂଗଠନ ପ୍ରତିଷ୍ଠା କଲେ ଯାହା ସାରା ବିଶ୍ବରେ ଅତି ବୃହତ୍ ପରୋପକାର କାର୍ଯ୍ୟରେ
ନିୟୋଜିତ ରହିଛି | ଏହା ଉନବିଂଶ ଶତାବ୍ଦୀର କଥା ଏବଂ ଆଜି ଆମେ ଏକବିଂଶ ଶତାବ୍ଦୀରେ ପାଦ ରଖିଛେ
ଯେତେବେଳେ ମାନସିକ ଚାପ ସର୍ବତ୍ର-ସର୍ବଦା ଅନୁଭୂତ ହେଉଛି | ଏହାକୁ ଅନେକ ସମୟରେ
‘କାର୍ଯ୍ୟପାଳକୀ ବ୍ୟାଧି’ ମଧ୍ୟ କୁହାଯାଇ ଥାଏ, କାରଣ ଉଚ୍ଚ ଅଧିକାରୀମାନେ ଏହା ପ୍ରତି ଅତ୍ୟଧିକ
ସମ୍ବେଦନଶୀଳ ଅଟନ୍ତି | ଏଥିରୁ ମୁକ୍ତି ପାଇବାର ଉପାୟ କ’ଣ ? ଚାପମୁକ୍ତ ରହିବା ପାଇଁ ଧ୍ୟାନ,
ଟାଇ ଚି, ପଦଚାଳନା, ସନ୍ତରଣ ଆଦି ଅନେକ ଉତ୍ତମ ଉପଚାର ବିଧି ବହୁଚର୍ଚ୍ଚିତ ଅଟେ | କିନ୍ତୁ
ସେମାନେ ତାହାର ମୂଳୋତ୍ପାଟନ କରି ପାରନ୍ତି ନାହିଁ | ସେହି ମୂଳଟି କ’ଣ ? ଆମ ଭିତରେ ଚାପ
କାହିଁକି ଉତ୍ପନ୍ନ ହୁଏ ? ଆମେ ଯେତେବେଳେ ନିଜ ଉଦ୍ୟମର ଫଳ ଆଶାରେ ଚିନ୍ତିତ ହୋଇଥାଏ, ଆମର ସେହି ଫଳାସକ୍ତି ମନରେ ଚାପ ଉତ୍ପନ୍ନ କରେ | ଜଣେ
ଛାତ୍ର ଥରେ ମୋ ପାଖକୁ ଆସି କହିଲେ, “ସ୍ବାମିଜୀ, ମୋର ବାର୍ଷିକ ପରୀକ୍ଷା ଆଉ ତିନି ମାସ ପରେ
ହେବ, କିନ୍ତୁ ଆଜିଠାରୁ ମୁଁ ସେଥିପାଇଁ ଅତ୍ୟନ୍ତ ଉଦବିଗ୍ନ ରହୁଛି |” ମୁଁ ପଚାରିଲି, “ତୁମେ
ଅଧିକ ପରିଶ୍ରମ କରୁଛ, ସେଥିପାଇଁ ତୁମେ ଉଦବିଗ୍ନ ରହୁଚ୍ଛ କି ?” ସେ କହିଲେ, “ହଁ, ସ୍ବାମିଜୀ
|” ମୁଁ କହିଲି, “ଆଦୌ ନୁହେଁ, ତୁମେ ସକାଳୁ ରାତି ପର୍ଯ୍ୟନ୍ତ ପରିଶ୍ରମ କଲେ ମଧ୍ୟ ଉଦବିଗ୍ନ
ରହିବ ନାହିଁ | କଠିନ ପରିଶ୍ରମ ତୁମ ଉଦବେଗର କାରଣ ନୁହେଁ, ତାହାର କାରଣ ଫଳ ପ୍ରତି ତୁମର
ଆସକ୍ତି ଅଟେ |” ଭଗବଦ୍ ଗୀତା ଅତି ସୁନ୍ଦର ଭାବରେ ଏହି ସିଦ୍ଧାନ୍ତର ନିର୍ଦ୍ଦେଶ କରିଥାଏ –
କର୍ମଣ୍ୟେବାଧିକାରସ୍ତେ
ମା ଫଳେଷୁ କଦାଚନ |
ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, “ହେ ଅର୍ଜୁନ, ତୁମେ ଉତ୍ତମ ରୂପେ
ନିଜର କର୍ମ ସମ୍ପାଦନ କର, କିନ୍ତୁ ଫଳରେ ଆସକ୍ତି ରଖନାହିଁ |” ଜଣେ ମହିଳା ମୋ ପାଖକୁ ଆସି
କହିଲେ, “ସ୍ବାମିଜୀ, ମୁଁ
ଅତ୍ୟଧିକ ମାନସିକ ଚାପ ଅନୁଭବ କରୁଛି |” ମୁଁ ପଚାରିଲି, “କାହିଁକି ?” “ମୋ ପିଲାମାନେ କିଛି ଭଲ
କରୁନାହାଁନ୍ତି |” “ଆପଣଙ୍କର ଜୀବିକା କ’ଣ ?” “ମୁଁ ଜଣେ ଶିକ୍ଷୟତ୍ରୀ |” “ଆପଣଙ୍କ ଶ୍ରେଣୀରେ
କେତେ ଜଣ ପିଲା ଅଛନ୍ତି ?” “୪୦ ଜଣ |” “ସେଠାରେ ମଧ୍ୟ ଆପଣ ମାନସିକ ଚାପ ଅନୁଭବ କରୁଛନ୍ତି କି
?” “ନା, ସେଠାରେ ମୋତେ କିଛି ସମସ୍ୟା ହେଉନାହିଁ | ତାଛଡା, ଜଣେ ଉତ୍ତମ ଶିକ୍ଷୟତ୍ରୀ ଭାବରେ
ମୁଁ ରାଜ୍ୟ ସରକାରଙ୍କ ଦ୍ବାରା ମଧ୍ୟ ସମ୍ମାନିତ ହୋଇଛି |” ଦେଖନ୍ତୁ, ମହିଳା ଜଣକ କୌଣସି ଚାପ ଅନୁଭବ
ନ କରି ସ୍କୁଲରେ ୪୦ ଜଣ ଛାତ୍ରଙ୍କର ଯତ୍ନ ନେଇ ପାରୁଛନ୍ତି, ଅଥଚ ଘରେ ମାତ୍ର ଦୁଇଟି ଛୁଆଙ୍କର
ଯତ୍ନ ନେବାକୁ ଯାଇ ସେ ଉଦବିଗ୍ନ ହୋଇ ଉଠୁଛନ୍ତି | ତାହାର କାରଣ କ’ଣ ? ଫଳାସକ୍ତି | ଅତଏବ ଆମେ
ଯଦି ଫଳାଫଳ ପ୍ରତି ମନର ଆସକ୍ତିକୁ ସମାପ୍ତ କରି ପାରିବା, ଆମର ମନ ସମସ୍ତ ଚାପରୁ ମୁକ୍ତ ହୋଇଯିବ
ଏବଂ ସେହିପରି ଏକ ମୁକ୍ତ ମନରେ ଆମେ ନିଜର ସର୍ବୋଚ୍ଚ କାର୍ଯ୍ୟ କୁଶଳତା ପ୍ରଦର୍ଶନ କରି ପାରିବା
| ସେତିକି ଆମ ହାତରେ ଅଛି | କେହି କେହି କହନ୍ତି, “ସ୍ବାମିଜୀ, ଆପଣ ଜଣେ ସନ୍ୟାସୀ ଅଟନ୍ତି |
ଆଜିକାଲିର ପ୍ରବଳ ପ୍ରତିଯୋଗିତା ମୂଳକ ବୃତ୍ତିଗତ ବାତାବରଣ ସମ୍ବନ୍ଧରେ ଆପଣଙ୍କର କୌଣସି ଧାରଣା
ନ ଥିବ | ଆମେ ଯଦି ମନର ଆସକ୍ତି ଫଳରେ ନ ରଖୁ ତେବେ ଆମେ ହୁଏତ ନିଜର ପ୍ରତିସ୍ପର୍ଧାତ୍ମକ
ଅଗ୍ରତା ହରାଇ ବସିବୁ |” କିନ୍ତୁ ବାସ୍ତବରେ ସେପରି ଆଶଂକା ଅମୂଳକ ଅଟେ | ଜଣେ ସର୍ଜନ୍ ଥିଲେ |
ସହରର ଉତ୍ତମ ସର୍ଜନ୍ ମାନଙ୍କ ମଧ୍ୟରେ ସେ ଜଣେ ଥିଲେ | ଆଜି ସୁଦ୍ଧା ସେ ସଫଳତାର ସହିତ ୫୦୦୦
ରୋଗୀଙ୍କର ଅସ୍ତ୍ରୋପଚାର କରି ସାରିଛନ୍ତି | ଆଜି ତାଙ୍କ ପୁଅର ଆପେଣ୍ଡିକ୍ସ ଫାଟିଗଲା ଏବଂ
ସେଥିପାଇଁ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ | ସେ ନିଜର ସହଯୋଗୀ
ସର୍ଜନଙ୍କୁ ସେହି ଅସ୍ତ୍ରୋପଚାର କରିବାକୁ ଅନୁରୋଧ କଲେ | କିନ୍ତୁ ଆପଣ ସ୍ବୟଂ ଜଣେ ବିଶିଷ୍ଟ
ସର୍ଜନ୍ ଅଟନ୍ତି, ଆପଣ ନିଜ ପୁଅର ଅସ୍ତ୍ରୋପଚାର କରୁନାହାଁନ୍ତି କାହିଁକି ? ନା, ନା, ପୁଅ
ପ୍ରତି ମୋର ଆସକ୍ତି ଅସ୍ତ୍ରୋପଚାର ସମୟରେ ମୋତେ ଉଦ୍ବେଗଗ୍ରସ୍ତ କରିଦେବ ଏବଂ ମୁଁ ଠିକରେ
ଅସ୍ତ୍ରୋପଚାର କରିପାରିବି ନାହିଁ | ବ୍ୟବସାୟୀମାନେ ଜାଣନ୍ତି, ଫଳରେ ସେମାନଙ୍କର ଆସକ୍ତି ଯୋଗୁଁ
ଅଧିକାଂଶ ସମୟରେ ସେମାନେ ଭୁଲ୍ ନିଷ୍ପତ୍ତି କରିବସି ଥାଆନ୍ତି | ସେଥିପାଇଁ ପାଂଚ ହଜାର ବର୍ଷ
ପୂର୍ବେ ବର୍ଣ୍ଣିତ ଭଗବଦ୍ ଗୀତାର କର୍ମ ବିଜ୍ଞାନ କହେ, ନିଜର ସବୁ ଶକ୍ତି ବିନିଯୋଗ କରି
ସର୍ବଶେଷ୍ଠ ପ୍ରଦର୍ଶନ ନିମନ୍ତେ ପ୍ରୟାସ କର ଏବଂ ଫଳକୁ ଭଗବାନଙ୍କ ହାତରେ ଛାଡିଦିଅ | ଜୀବନକୁ
ସୁଧାରିବା ପାଇଁ ଏହି ସିଦ୍ଧାନ୍ତର ଅନୁସରଣ କରାଯିବା ଆବଶ୍ୟକ – କର୍ମ କରିବା ଏବଂ ଫଳ ଭଗବାନଙ୍କ
ହାତରେ ଛାଡି ଦେବା | ଜୀବନ ସୁଧାର ଶୃଂଖଳାର ନବମ କଡି ସହିତ ଆସନ୍ତାକାଲି ଆମେ ନିଜର ଯାତ୍ରା
ଜାରି ରଖିବା |
***** *****
*****

Comments
Post a Comment