୧୦. ମନକୁ ନିୟନ୍ତ୍ରଣ କରିବା ପାଇଁ ଏହି ଜ୍ଞାନରତ୍ନର ଉପଯୋଗ କରିବା

           ପ୍ରତ୍ୟେକ ସାଧକ ମନ ନିୟନ୍ତ୍ରଣର ମହତ୍ତ୍ବକୁ ଉପଲବଧି କରନ୍ତି  କାରଣ ଏକମାତ୍ର ମନ ହିଁ ବନ୍ଧନ ଓ ମୁକ୍ତିର କାରଣ ଅଟେ | ତେବେ ମନକୁ ଦମନ କରିବାକୁ ଗଲାବେଳେ ଆମେ ଅନେକ ସମୟରେ ସେ ଦିଗରେ ବୁଦ୍ଧିର ଭୂମିକାକୁ ପାଶୋରି ଦେଇଥାଏ | ବାସ୍ତବରେ, ମାନବ ବୁଦ୍ଧିର ଏହି କ୍ଷମତା ରହିଛି ଯେ ସେ ଯଦି ଇଚ୍ଛା କରିବ ତେବେ ମୁହୂର୍ତ୍ତକରେ ମନକୁ ନିୟନ୍ତ୍ରଣ କରିଦେବ | ପିତାମାତା ମୋ ପାଖକୁ ଏହି ଅଭିଯୋଗ ନେଇ ଆସନ୍ତି, “ସ୍ବାମୀଜୀ, ଆମ ପିଲା ପଢାରେ ଆଦୌ ମନ ଦେଉନାହିଁ, ତାକୁ ଟିକିଏ ବୁଝାନ୍ତୁ |” “ଆରେ, ସେ ତୁମର ପିଲା, ତୁମେ ବୁଝାଅ |” “ନା, ନା, ସେ ଆମ କଥା ଜମା ଶୁଣୁନାହିଁ |” “ଆଚ୍ଛା ପୁଅ, ତୁ କାହିଁକି ପଢୁନାହୁଁ ?” “ସ୍ବାମିଜୀ, ମୋର ପଢିବାକୁ ମନ ହେଉନାହିଁ |” ଦେଖନ୍ତୁ, ପିଲାଟିର ମନ ପାଠ ପ୍ରତି ଆଗ୍ରହୀ ହେଉନାହିଁ | ଅଥଚ ସେହି ପିଲା ଯେତେବେଳେ ବାର୍ଷିକ ପରୀକ୍ଷା ଦେବାକୁ ଯାଉଛି, ସେତେବେଳେ ସେ ପୂର୍ଣ୍ଣ ଏକାଗ୍ରତାର ସହିତ ଦୁଇ ଘଣ୍ଟା କାଳ ପରୀକ୍ଷା ଖାତାରେ ଲେଖି ଚାଲୁଛି, ଥରକ ପାଇଁ ମଧ୍ୟ ପାଖ ପିଲାକୁ କିମ୍ବା ଝରକା ବାହାରକୁ  ଅନାଇ ଦେଖୁନାହିଁ | ତା’ର ଏକମାତ୍ର ଉଦ୍ଦେଶ୍ୟ ପରୀକ୍ଷାରେ ପଚରା ଯାଇଥିବା ପ୍ରଶ୍ନର ଯଥୋଚିତ ଉତ୍ତର ଦେବା | ପିଲାଟିର ଏପରି ଏକାଗ୍ରତା ଆସିଲା କେଉଁଠାରୁ ? କେଉଁଠାରୁ ଆସିଲା ନାହିଁ, ପିଲାଟିର ସେହି କ୍ଷମତା ଥିଲା | ବୁଦ୍ଧି ଯେତେବେଳେ ନିଶ୍ଚୟ କଲା ଯେ ଏହି ଦୁଇ ଘଣ୍ଟା ମୋ ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ ଅଟେ, ସେ ମନକୁ ନିଜର ନିୟନ୍ତ୍ରଣାଧିନ କରିନେଲା ଏବଂ ମନ ଏକାଗ୍ର ହୋଇଗଲା | ବର୍ଷ ସାରା ମନ ଯଦି ସେହିପରି ଏକାଗ୍ର ରହିପାରନ୍ତା, ତେବେ ପିଲାଟି ହୁଏତ ରାଷ୍ଟ୍ର ସ୍ତରରେ ଜଣେ ମେଧାବୀ ଛାତ୍ର ରୂପେ ବିବେଚିତ ହୋଇପାରନ୍ତା | କିନ୍ତୁ ପରୀକ୍ଷା ସମୟ ବ୍ୟତିତ ଅନ୍ୟ ସମୟରେ ବୁଦ୍ଧି କହେ, “ପାଠ ପଢିବା ମୋ ବାପା-ମା’ଙ୍କ ପାଇଁ ମହତ୍ତ୍ବପୂର୍ଣ୍ଣ ହୋଇ ଥାଇପାରେ, ମୋ ପାଇଁ ନୁହେଁ |” ତେଣୁ ପିଲାଟି ପାଠ ପଢାରେ ମନ ଲଗାଇବାକୁ ଚେଷ୍ଟା କଲେ ମଧ୍ୟ, ବୁଦ୍ଧି ତାକୁ ଅନ୍ୟ ରୋଚକ କ୍ଷେତ୍ରକୁ ଟାଣି ନିଏ |

ଉପରୋକ୍ତ ଉଦାହରଣଟିରୁ ଏହା ସ୍ପଷ୍ଟ ହୋଇଥାଏ ଯେ ଆମ ସମସ୍ତଙ୍କର ଗୋଟିଏ ମନ ଅଛି ଏବଂ ତା’ ଉପରକୁ ଗୋଟିଏ ବୁଦ୍ଧି ଅଛି | ମନ ଏବଂ ବୁଦ୍ଧି ମଧ୍ୟରେ ପ୍ରାୟତଃ ଗୋଟିଏ ଯୁଦ୍ଧ ଚାଲିଥାଏ | ମନ ତତ୍କାଳୀନ ସନ୍ତୋଷ ଇଚ୍ଛା କରିଥାଏ, ଅଥଚ ବୁଦ୍ଧି ସ୍ଥାୟୀ ଲାଭକୁ ଅଧିକ ମହତ୍ତ୍ବ ଦେଇଥାଏ | ଆମେ କାହା କଥାରେ ଚାଲିବା ? ବୁଦ୍ଧି ସାହାଯ୍ୟରେ ମନକୁ ନିୟନ୍ତ୍ରଣ କରିବା | ଲୋକେ ଏପରି ଅଭିଯୋଗ କରନ୍ତି, “ମୋର ମନ ସଂସାରରେ ଘୂରି ବୁଲୁଛି, ଅଥଚ ଭଗବାନଙ୍କ ପାଖକୁ ଯାଉନାହିଁ |” କିନ୍ତୁ ବାସ୍ତବରେ ଆପଣ ଯଦି ଇଚ୍ଛା କରିବେ, ତେବେ ମୁହୂର୍ତ୍ତକରେ ଆପଣ ନିଜ ମନକୁ ବଶ କରିନେବେ | ଅନ୍ୟ ଏକ ଉଦାହରଣ ନିଅନ୍ତୁ – ଜଣେ ବ୍ୟକ୍ତି ଖାଇବାକୁ ନ ପାଇ ଚାରି ଦିନରୁ ଭୋକିଲା ଅଛନ୍ତି | ଭୋକରେ ତାଙ୍କର ଇନ୍ଦ୍ରିୟ-ମନ-ବୁଦ୍ଧି ଅତି ମାତ୍ରାରେ ନିର୍ଯ୍ୟାତିତ | ଆପଣ ତାଙ୍କ ସମ୍ମୁଖରେ ରୂପା ଥାଳିରେ ଛପ୍ପନ ବ୍ୟଞ୍ଜନ ପରଷି ଦେଇ ତାଙ୍କୁ ଖାଇବା ପାଇଁ ଅନୁରୋଧ କଲେ | ବ୍ୟକ୍ତି ଜଣକ ଥାଳିରେ ଗୋଲାପଜାମୁକୁ ଦେଖି ମନେ ମନେ ଭାବିଲେ, “ମୁଁ ଏହାକୁ ଖାଇବି |” ବୁଦ୍ଧି ତାହାକୁ ଅନୁମୋଦନ କଲା ଏବଂ ମନ ହାତକୁ ନିର୍ଦ୍ଦେଶ ଦେଲା, “ଗୋଲାପଜାମୁଟିକୁ ଥାଳିରୁ ଉଠାଇ ମୁହଁରେ ଦିଅ |” ଏହି ପରିସ୍ଥିତିରେ କୌଣସି କାରଣରୁ ବ୍ୟକ୍ତି ଜଣଙ୍କ ମନରେ ଖାଦ୍ୟ ପ୍ରତି ବୈରାଗ୍ୟ ଜାତ ହେବା ସମ୍ଭବ କି ? ନା, ଆଦୌ ନୁହେଁ , ସେ ଅତି ମାତ୍ରାରେ ଭୋକିଲା ଅଛନ୍ତି ଏବଂ ଖାଦ୍ୟ ପଦାର୍ଥ ତାଙ୍କ ସମ୍ମୁଖରେ ଅଛି, ସେ ଖାଇବାରୁ ନିବୃତ୍ତ ହେବେ କାହିଁକି ? ଥରେ ଚିତ୍କାର କରି କହନ୍ତୁ, “ଆପଣ ଏ’ କଣ କରୁଛନ୍ତି ? ଆପଣ ମରିବାକୁ ଇଚ୍ଛା କରୁଛନ୍ତି କି ?” “ମରିବାକୁ !!” ବୁଦ୍ଧି ସତର୍କ ହୋଇଗଲା ଏବଂ ସେ ମନକୁ ସାବଧାନ କରିଦେଲା | ମନ ହାତକୁ କହିଲା, “ରହି ଯାଅ |” ବ୍ୟକ୍ତି ଜଣକ ପଚାରିଲେ, “କ’ଣ ହେଲା ?” “ଏଥିରେ ବିଷ ମିଶିଛି |” “ବିଷ !!!” ତତ୍ କ୍ଷଣାତ ବୁଦ୍ଧି ନିର୍ଣ୍ଣୟ କଲା, “ଏହା ତୁମ ପାଇଁ ହାନିକାରକ ଅଟେ, ତୁରନ୍ତ ଏହାକୁ ତ୍ୟାଗ କର” ଏବଂ ବ୍ୟକ୍ତି ଜଣକ ଖାଇବା ଛାଡି ଉଠିଗଲେ | ଦେଖନ୍ତୁ, ‘ଏହା ହାନିକାରକ ଅଟେ’ – ବୁଦ୍ଧିର ଏଥିରେ ବିଶ୍ବାସ ହୋଇଯିବା ମାତ୍ରେ, ବ୍ୟକ୍ତି ଜଣକ ଖାଦ୍ୟ ଖାଇବାରୁ ନିବୃତ୍ତ ହୋଇଗଲେ | ଏହା ବୁଦ୍ଧିର କ୍ଷମତା ଅଟେ | ସେଥିପାଇଁ ଭଗବଦ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି,

                                                ବୁଦ୍ଧିଯୋଗମୁପାଶ୍ରିତ୍ୟ ମଚ୍ଚିତ ସତତଂ ଭବ |

ଅର୍ଜୁନ ! ମୁଁ ତୁମକୁ ଯାହା କହୁଛି ତାହା ବୁଦ୍ଧିଯୋଗ ଅଟେ | ଅର୍ଥାତ୍, ଆମେ ଯଦି ନିଜର ବୁଦ୍ଧିକୁ ଦିବ୍ୟ ଜ୍ଞାନ ଦ୍ବାରା ସଶକ୍ତ କରିପାରିବା, ତେବେ ଆମର ଜୀବନ ସ୍ବତଃ ଉଚିତ୍ ମାର୍ଗରେ ପରିଚାଳିତ ହେବ | ସେଥିପାଇଁ ଶାସ୍ତ୍ରମାନେ ଆମକୁ ଏହି ନିର୍ଦ୍ଦେଶ ଦେଇଥାଆନ୍ତି:

                                                    ଆବୃତ୍ତି ରସକୃଦୁପଦେଶାତ୍ |

 ଶାସ୍ତ୍ର ଅଧ୍ୟୟନ କରି କିମ୍ବା ଗୁରୁ ଏବଂ ମହାପୁରୁଷ ମାନଙ୍କଠାରୁ ଶ୍ରବଣ କରି ଦିବ୍ୟ ଜ୍ଞାନ ଦ୍ବାରା ନିଜ ବୁଦ୍ଧିର ପୋଷଣ କରି ଚାଲନ୍ତୁ | ଅତଏବ ଆସନ୍ତୁ, ନିୟମିତ ଭାବରେ ପ୍ରତ୍ୟହ କିଛି ସମୟ ଶାସ୍ତ୍ର ଅଧ୍ୟୟନ ଏବଂ ଗୁରୁ-ପ୍ରଦତ୍ତ ଦିବ୍ୟଜ୍ଞାନ ଶ୍ରବଣ କରିବାରେ ବ୍ୟୟ କରିବା | ଆଜି, ଜୀବନ ପରିବର୍ତ୍ତନ ଅଭିଯାନର ଏହି ଶୃଂଖଳା ଅନ୍ତର୍ଗତ ମୁଁ ଆପଣମାନଙ୍କୁ ଏହି ପ୍ରସ୍ତାବ ଦେବାକୁ ଇଚ୍ଛା କରୁଛି ଯେ ଶାସ୍ତ୍ର ଏବଂ ମହାପୁରୁଷମାନେ କୃପା କରି ଆମ୍ଭମାନଙ୍କୁ ଯେଉଁ ଦିବ୍ୟଜ୍ଞାନ ପ୍ରଦାନ କରିଛନ୍ତି, ସେହି ସବୁ ବୌଦ୍ଧିକ ପୋଷଣକୁ କରଛଡା କରନ୍ତୁ ନାହିଁ | ନିୟମିତ ଭାବରେ ତାହାର ସେବନ କରି ବୁଦ୍ଧିକୁ ଅମୂଲ୍ୟ ପୋଷଣ ଯୋଗାନ୍ତୁ ଯାହା ମନକୁ ନିୟନ୍ତ୍ରଣ କରିବାରେ ଆପଣଙ୍କୁ ସାହାଯ୍ୟ କରିବ | ତେବେ ଏହି ଜ୍ଞାନର ଉପଯୋଗ କରିବା ପାଇଁ ଆମକୁ ଆଉ ଗୋଟିଏ ପାଦ ଆଗକୁ ଯିବାକୁ ପଡିବ, ଯାହା ବିଷୟରେ ଆମେ ଆସନ୍ତା କାଲି ଆଲୋଚନା କରିବା |

                                                ********    ********    ********* 

 



 

Comments

Popular posts from this blog