ଭଗବାନ ସତରେ ଅଛନ୍ତି ?

ଭଗବାନ କ’ଣ ସତରେ ଅଛନ୍ତି ଏବଂ ଯଦି ସେ ଅଛନ୍ତି, ତେବେ କେବଳ ଶାସ୍ତ୍ର ଓ ସନ୍ଥ ବାକ୍ୟରେ ବିଶ୍ବାସ କରି ଆମେ ତାଙ୍କର ଅସ୍ତିତ୍ବକୁ ସ୍ବୀକାର କରିବା ନା ତାହାର କିଛି ପ୍ରମାଣ ଅଛି ? ଇତିହାସରେ ଏହି ପ୍ରଶ୍ନର ସମାଧାନ ଅସଂଖ୍ୟ ବାର କରାଯାଇଛି | ଆଜି ଏହା ଉପରେ ଆଲୋଚନା କରାଯାଉଛି ଏବଂ ଭବିଷ୍ୟତରେ ମଧ୍ୟ ଏହାକୁ ନେଇ ଯୁକ୍ତି ଉପସ୍ଥାପନ କରାଯିବ | ତେଣୁ ଆସନ୍ତୁ, ପ୍ରଶ୍ନଟି ଉପରେ ଗଭୀର ବିଚାର କରିବା |

            ଯେ କୌଣସି ତତ୍ତ୍ୱର ଅସ୍ତିତ୍ତ୍ବ ପ୍ରତିପାଦନ କରିବା ପାଇଁ ତିନି ପ୍ରକାରର ପ୍ରମାଣ ବିଚାରକୁ ନିଆ ଯାଇପାରେ : ପ୍ରତ୍ୟକ୍ଷ ପ୍ରମାଣ, ଅନୁମାନ ପ୍ରମାଣ ଏବଂ ଶବ୍ଦ ପ୍ରମାଣ | ପ୍ରଥମ ପ୍ରକାର ପ୍ରମାଣ ଅନୁଭବାତ୍ମକ ହୋଇଥିବା ଦୃଷ୍ଟିରୁ ପ୍ରତ୍ୟକ୍ଷ ଅଟେ – ଆମେ ନିଜ ଆଖିରେ କିଛି ଦେଖିଲେ ଏବଂ ତାହାକୁ ବିଶ୍ବାସ କଲେ | ଦ୍ବିତୀୟ ପ୍ରକାର ପ୍ରମାଣ ଆନୁମାନିକ ଅଟେ – ଆମେ କିଛି ଦେଖି ସେଥିରୁ ଅନ୍ୟ କିଛି ଅନୁମାନ କଲେ | ତୃତୀୟ ପ୍ରକାର ପ୍ରମାଣ ଲିଖିତ ପ୍ରମାଣ  ବା ସାଖ୍ୟ ପ୍ରମାଣ ଅଟେ – କେହିଜଣେ ତାହା ଅନୁଭବ କରିଛନ୍ତି ଏବଂ ତାଙ୍କର ପ୍ରାଧିକାର ଆପଣ ସ୍ବୀକାର କରନ୍ତି | ଏବେ ଆସନ୍ତୁ ଦେଖିବା ଏହି ତିନି ପ୍ରକାର ପ୍ରମାଣ ସାହାଯ୍ୟରେ ଈଶ୍ବରଙ୍କର ଅସ୍ତିତ୍ବ ପ୍ରତିପାଦନ କରାଯାଇ ପାରିବ କି ନାହିଁ | ପ୍ରତ୍ୟକ୍ଷବାଦୀ ବୈଜ୍ଞାନିକମାନେ କହନ୍ତି, “ଆପଣ ମୋତେ ଭଗବାନଙ୍କୁ ଦେଖାଇ ଦିଅନ୍ତୁ | ମୁଁ ତାଙ୍କୁ ଦେଖିବି, ପରୀକ୍ଷାଗାରରେ ତାଙ୍କୁ ପରୀକ୍ଷା-ନିରୀକ୍ଷା କରିବି ଏବଂ ତାପରେ ହିଁ ମୁଁ ତାଙ୍କର ଅସ୍ତିତ୍ବକୁ ସ୍ବୀକାର କରିବି |” କିନ୍ତୁ ସଂସାରରେ ଅନେକ କିଛି ଆମେ ପ୍ରତ୍ୟକ୍ଷ ଦେଖି ନ ଥିଲେ ବି ବିଶ୍ବାସ କରିଥାଏ | ଉଦାହରଣ ସ୍ବରୂପ, ମୁଁ ନିଜର ପ୍ରପିତାମହଙ୍କୁ ଦେଖିନାହିଁ | ତାହାହେଲେ ମୋର କ’ଣ କେହି ପ୍ରପିତାମହ ନ ଥିଲେ ? ସେହିପରି, ଦେଶର ରାଷ୍ଟ୍ରପତି ଗୋଟିଏ ଜାଗାରେ ରହି ସମଗ୍ର ଦେଶକୁ ଶାସନ କରନ୍ତି | ସେ ଯଦି କହିବେ, ‘ମୁଁ ଯାହା ଆଖିରେ ଦେଖିବି, ତାହା ବିଶ୍ବାସ କରିବି’ ତେବେ ସେ ଦେଶ ଶାସନ କରିବେ କିପରି ? ଏସବୁ କ୍ଷେତ୍ରରେ ଅନ୍ୟ ପ୍ରମାଣର ସହାୟତା ନିଆ ଯାଇପାରେ |

 ଆପଣଙ୍କ ସମ୍ମୁଖରେ ଗୋଟିଏ ଗ୍ଲାସ୍ କ୍ଷୀର ରଖି ମୁଁ ଆପଣଙ୍କୁ ପଚାରିବି, “ଏଥିରେ ଲହୁଣୀ ଅଛି କି ?” ଆପଣ କହିବେ, “ନିଶ୍ଚିତଭାବରେ ଅଛି |” “ଆପଣ ତାହା ଦେଖି ପାରୁଛନ୍ତି ?” “ନା |” “ତେବେ ଆପଣ କିପରି ଜାଣିଲେ ଯେ ଏଥିରେ ଲହୁଣୀ ଅଛି ?” ଆପଣ କହିବେ, “ଗୋଟିଏ ଉପାୟରେ ଏହାର ଅସ୍ତିତ୍ବକୁ ପ୍ରମାଣିତ କରାଯାଇ ପାରିବ | ଏହି କ୍ଷୀରକୁ ଯଦି ମୁଁ ଦହିରେ ପରିଣତ କରିଦେବି, ତାହାକୁ ମନ୍ଥନ କରି ମୁଁ ସେଥିରୁ ଲହୁଣୀକୁ କାଢି ଆଣି ପାରିବି |” ଅତଏବ, ଏପରି ବହୁତ ଜିନିଷ ଅଛି ଯାହା ହଠାତ୍ ପ୍ରତ୍ୟକ୍ଷ କରି ହେଉ ନ ଥିଲେ ମଧ୍ୟ, ଭିନ୍ନ ଏକ ଉପାୟରେ ତାହାର ପ୍ରତ୍ୟକ୍ଷ କରାଯାଇ ପାରେ | ସେହିପରି, ବର୍ତ୍ତମାନ ସ୍ଥିତିରେ ହୁଏତ ଭଗବାନ ଆମକୁ ଦୃଶ୍ୟ ନୁହଁନ୍ତି, କିନ୍ତୁ ତାହା ଭଗବାନଙ୍କର ଅସ୍ତିତ୍ବକୁ ଅପ୍ରମାଣିତ କରିବା ପାଇଁ ଯଥେଷ୍ଟ ନୁହେଁ | ଆପଣ ଯଦି ତାଙ୍କୁ ଦେଖିବାକୁ ଇଚ୍ଛା କରୁଛନ୍ତି, ତାହାର ଗୋଟିଏ ବିଧି ରହିଛି | ସେହି ବିଧିର ଅନୁସରଣ କରି ଆପଣ ନିଜ ହୃଦୟକୁ ଶୁଦ୍ଧ କରନ୍ତୁ, ନିଜ ମନକୁ ନିର୍ମଳ କରନ୍ତୁ, ଆପଣ ଭଗବାନଙ୍କୁ ଦେଖିପାରିବେ | କୌଣସି ବିଧି ପାଳନ ନ କରି ଆପଣ ଯଦି କହିବେ ମୁଁ ଭଗବାନଙ୍କୁ ଦେଖି ପାରୁନାହିଁ, ତେଣୁ ଭଗବାନ ନାହାଁନ୍ତି, ତେବେ ତାହା ନିଶ୍ଚିତ ଭାବରେ ଏକ ଅବାସ୍ତବ ଆଶା ଅଟେ | ଟିମ୍ବୁକତୁ ନାମକ ଏକ ସହର ଅଛି, ଆପଣ ତାହା ବିଶ୍ବାସ କରନ୍ତି କି ? ହଁ | ଆପଣ କେବେ ସେଠାକୁ ଯାଇ ସେହି ସହରକୁ ଦେଖିଛନ୍ତି କି ? ନା | ତାହାହେଲେ ଆପଣ ବିଶ୍ବାସ କରୁଛନ୍ତି କିପରି ? ପୁସ୍ତକରେ ଟିମ୍ବୁକତୁ ନାମକ ସହର ବିଷୟରେ ମୁଁ ପଢିଛି | ତାଛଡା, ଯେଉଁମାନେ ସେଠାକୁ ଯାଇ ଫେରିଛନ୍ତି, ସେମାନଙ୍କଠାରୁ ମଧ୍ୟ ମୁଁ ଶୁଣିଛି | ପୁସ୍ତକରେ ହୁଏତ ଭୁଲ୍ ଲେଖା ହୋଇଥାଇ ପାରେ କିମ୍ବା ଆପଣ ଯେଉଁମାନଙ୍କଠାରୁ ଶୁଣିଲେ, ସେମାନେ ହୁଏତ ଆପଣଙ୍କୁ ମିଛ କହିଥାଇ ପାରିଥାଆନ୍ତି | ତେଣୁ ଯଦି ଆପଣଙ୍କର ତଥାପି ବିଶ୍ବାସ ହେଉ ନ ଥାଏ, ତେବେ ଆପଣ ନିଜେ ଥରେ ଯାଇ ସେହି ସହରକୁ ଦେଖି ଆସନ୍ତୁ | ସେହିପରି, ଯେଉଁ ମହାପୁରୁଷମାନେ ଭଗବାନଙ୍କର ଦର୍ଶନ କରିଛନ୍ତି, ସେମାନଙ୍କଠାରୁ ଆମେ ଭଗବାନଙ୍କର ଅସ୍ତିତ୍ବ ବିଷୟରେ ଜାଣିବାକୁ ପାଇଛେ | ଶାସ୍ତ୍ରମାନେ ମଧ୍ୟ ସେହି କଥା କହୁଛନ୍ତି | ସେମାନଙ୍କର ପ୍ରାଧିକାରୀତ୍ବକୁ ଯାଇ ଆପଣ ଅବିଶ୍ବାସ କରୁଥାଆନ୍ତି, ତେବେ ସେମାନେ ଯେପରି କହୁଛନ୍ତି, ଆପଣ ସେପରି କରନ୍ତୁ | ଶେଷରେ ଯଦି ଆପଣଙ୍କର ଭଗବତ୍ ଉପଲବଧି ନ ହେଉଛି, ତେବେ ଆପଣ ତାଙ୍କର ଅସ୍ତିତ୍ବକୁ ଅସ୍ବୀକାର କରିପାରନ୍ତି | କିନ୍ତୁ କୌଣସି ପ୍ରକାରର ଚେଷ୍ଟା ନ କରି ଭଗବାନ ନାହାଁନ୍ତି କହିବାର ଅଧିକାର ଆପଣଙ୍କର ନାହିଁ | କେବଳ ସେ ହିଁ ଭଗବାନଙ୍କର ଅସ୍ତିତ୍ବକୁ ଅସ୍ବୀକାର କରିପାରିବେ, ଯିଏ ସର୍ବଜ୍ଞ ହୋଇଥିବେ, ଯାହା ପାଖରେ ସୃଷ୍ଟିର ସମସ୍ତ ବିଷୟରେ ପୂର୍ଣ୍ଣ ଜ୍ଞାନ ଥିବ | ସେହି ବ୍ୟକ୍ତିଜଣକ ଯଦି ସର୍ବଜ୍ଞ ହୋଇ ନ ଥିବେ, ତେବେ ଯାହା ବିଷୟରେ ତାଙ୍କର କୌଣସି ଜ୍ଞାନ ନ ଥିବ, ସେହି ବିଷୟଟି ହୁଏତ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଥାଇ ପାରେ | ସଂସାରରେ ଯେହେତୁ କେହି ମଧ୍ୟ ସର୍ବଜ୍ଞ ନୁହଁନ୍ତି, କେହି ମଧ୍ୟ ଭଗବାନଙ୍କର ଅବିଦ୍ୟମାନତାକୁ ସିଦ୍ଧ କରିପାରିବେ ନାହିଁ |

ପ୍ରତ୍ୟକ୍ଷ ପ୍ରମାଣଠାରୁ ଉଚ୍ଚତର ପ୍ରମାଣ ଅନୁମାନ ପ୍ରମାଣ ଅଟେ | ଏହା କ’ଣ ? ଗୋଟିଏ ଜିନିଷକୁ ଦେଖି ଅନ୍ୟ ଏକ ତତ୍ତ୍ଵର ଅନୁମାନ କରିବା | ଉଦାହରଣ ସ୍ବରୂପ, ତାର ଭିତରେ ବିଦ୍ୟୁତ୍ ଶକ୍ତିର ପରିକଳ୍ପନା କରିବା | ଆପଣ କେମିତି ଜାଣିଲେ ? ତାର ଭିତରେ ଆପଣ ବିଦ୍ୟୁତ୍ ଶକ୍ତିକୁ ଦେଖିଛନ୍ତି କି ? ନା | କିନ୍ତୁ ବଲ୍ବଟିଏ ଜଳୁଛି, ଯାହା ସୂଚିତ କରିଥାଏ ଯେ ତାର ମଧ୍ୟ ଦେଇ ବିଦ୍ୟୁତ୍ ଶକ୍ତି ବଲ୍ବ ପାଖକୁ ଆସୁଛି | ଅତଏବ, ଆଲୋକକୁ ଦେଖି ଆମେ ତାର ଭିତରେ ବିଦ୍ୟୁତ୍ ଶକ୍ତି ପ୍ରବାହିତ ହେଉଥିବା କଥା  ଅନୁମାନ କରିଥାଏ | ଶାସ୍ତ୍ର ଏବଂ ସନ୍ଥମାନେ ଏହି ଅନୁମାନ ପ୍ରମାଣ ବଳରେ ଭଗବାନଙ୍କର ଅସ୍ତିତ୍ବକୁ ପ୍ରତିପାଦିତ କରିଥାଆନ୍ତି | ଯଥା: ଜଗଦଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ କହନ୍ତି,

            ଯଦିଦଂ ଜଗଦ୍ଦେବ ଗନ୍ଧର୍ବଂ ଯକ୍ଷ ରକ୍ଷ ପିତୃ ପିଶାଚାଦି ଲକ୍ଷଣଂ..............ବିଚିତ୍ରମ୍ |

ଆମ ଆଖି ଆଗରେ ଏହି ଆଶ୍ଚର୍ଯ୍ୟଜନକ ଜଟିଳ ସଂସାର ରହିଛି | ଏହା ଏତେ ବିସ୍ତୃତ ଭାବରେ ସଜ୍ଜିତ ଏବଂ ସଂଗଠିତ ଯେ ଆମକୁ ତାହା ବିଶ୍ବାସ କରିବାକୁ ବାଧ୍ୟ କରିଥାଏ ଏହାର ପୃଷ୍ଠଦେଶରେ ନିଶ୍ଚିତ ଭାବରେ ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି | ମାକସବେଲ୍ ଜଣେ ଇତିହାସ ପ୍ରସିଦ୍ଧ ବୈଜ୍ଞାନିକ ଥିଲେ | ସେ ସୃଷ୍ଟିକର୍ତ୍ତା ଭଗବାନଙ୍କର ଜଣେ ପ୍ରଗାଢ଼ ବିଶ୍ବାସୀ ଥିଲେ | ତାଙ୍କର ଜଣେ ସହଯୋଗୀ ବୈଜ୍ଞାନିକ ଭଗବାନଙ୍କର ଅସ୍ତିତ୍ବରେ ଆଦୌ ବିଶ୍ବାସ କରୁ ନ ଥିଲେ | ସେ ବିଗ୍ ବ୍ୟାଙ୍ଗ ସିଦ୍ଧାନ୍ତରେ ବିଶ୍ବାସ କରୁଥିଲେ, ଯେଉଁ ସିଦ୍ଧାନ୍ତ ଅନୁଯାୟୀ ସୃଷ୍ଟି ଗୋଟିଏ ବିସ୍ଫୋଟର ପରିଣାମ ଅଟେ | ତାଙ୍କୁ ସତ୍ୟର ଅବଲୋକନ କରାଇବାକୁ ଯାଇ ମାକସବେଲ୍ ସୌରମଣ୍ଡଳର ଗୋଟିଏ ନମୁନା ପ୍ରସ୍ତୁତ କରି ନିଜର ପଢା ଘରେ ତାହାକୁ ସଚଳ ଅବସ୍ଥାରେ ରଖିଦେଲେ | ତାଙ୍କ ବନ୍ଧୁ ଯେତେବେଳେ ଆସି ସେହି ନମୁନାଟିକୁ ଦେଖିଲେ, ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏହାକୁ କିଏ ଗଢ଼ିଛି ?” ମାକସବେଲ୍ କହିଲେ, “କେହି ଗଢି ନାହାଁନ୍ତି |” “କେହି ଗଢି ନାହାଁନ୍ତି, ଏହା କିପରି ?” ମାକସବେଲ୍ କହିଲେ, “ମୁଁ ନିଜ ପଢା ଟେବୁଲରେ ବସି କାମ କରୁଥିଲି | ହଠାତ୍ ଗୋଟିଏ ବିସ୍ଫୋରଣ ହେଲା | ମୁଁ ପଛକୁ ଫେରି ଚାହିଁ ଦେଖିଲି ଏହି ନମୁନାଟି ସୃଷ୍ଟି ହୋଇଯାଇଛି |” ତାଙ୍କର ବନ୍ଧୁ କହିଲେ, “ତୁମେ କ’ଣ ମୋତେ ଥଟ୍ଟା କରୁଛ ? ଏଭଳି ଗୋଟିଏ ବିସ୍ମୟକର ନମୁନା ଗୋଟିଏ ବିସ୍ଫୋରଣ ଫଳରେ କିପରି ସୃଷ୍ଟି ହୋଇଗଲା ?” ମାକସବେଲ୍ ଜବାବ ଦେଲେ, “ମିତ୍ର ! ଗୋଟିଏ ବିସ୍ଫୋରଣ ଦ୍ବାରା ସୌରମଣ୍ଡଳର ଏହି ଛୋଟ ନମୁନାଟି ସୃଷ୍ଟି ହେବା ଘଟଣାଟି ତୁମକୁ ଅସମ୍ଭବ ବୋଧ ହେଉଛି | ତେବେ ତୁମେ କିପରି ଆଶା କରୁଅଛ ଯେ ମୁଁ ବିଶ୍ବାସ କରିବି ଅସଂଖ୍ୟ ସୌରମଣ୍ଡଳ ବିଶିଷ୍ଟ ଏହି ବାସ୍ତବ ବିଶ୍ବ ବ୍ରହ୍ମାଣ୍ଡ ଗୋଟିଏ ବିସ୍ଫୋରଣ ଫଳରେ ସୃଷ୍ଟି ହୋଇଗଲା ? ଏହା ସାଧାରଣ ଜ୍ଞାନର ବିରୋଧ କରୁ ନାହିଁକି ? ଅତଏବ, ଏହି ଆଶ୍ଚର୍ଯ୍ୟଜଣକ ସୃଷ୍ଟିର ପୃଷ୍ଠଦେଶରେ ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି, ଏହି ଅନୁମାନକୁ ସ୍ବୀକାର କରିନେବା ଅଧିକ ଯୁକ୍ତିଯୁକ୍ତ ମନେହୁଏ | ବୈଜ୍ଞାନିକମାନେ ଅନୁଭବ କରନ୍ତି ଯେ ପ୍ରତ୍ୟେକ ଛୋଟ ଛୋଟ ବିଷୟ ପଛରେ ମଧ୍ୟ କିଛି ନା କିଛି ନିୟମ ନିଶ୍ଚୟ ରହିଛି – ଭୌତିକ ନିୟମ, ରାସାୟନିକ ନିୟମ, ଗାଣିତିକ ନିୟମ ଇତ୍ୟାଦି | ଅଥଚ ଜଣେ ନିୟମ-ପ୍ରଣେତାଙ୍କର ଅସ୍ତିତ୍ବ ସ୍ବୀକାର କରିବାକୁ ସେମାନେ ରାଜି ନୁହଁନ୍ତି | ଯଦି କିଛି ନିୟମ ଅଛି, ତେବେ ସେହି ସବୁ ନିୟମର ଜଣେ ନିର୍ମାତା ଥିବେ, ଏପରି ଭାବିବା ଯଥାର୍ଥ ନୁହେଁ କି ?

ଜଣେ ଭୂଗୋଳ ଶିକ୍ଷକ ତାଙ୍କ ଶ୍ରେଣୀର ଛାତ୍ରମାନଙ୍କୁ ଶିକ୍ଷା ଦେବାକୁ ଯାଇ କହିଲେ, “ଏହି ବିଶ୍ବ ବ୍ରହ୍ମାଣ୍ଡ ସ୍ବତଃ ସୃଷ୍ଟି ହୋଇଛି |” ତାପରେ ସେ ଛାତ୍ରମାନଙ୍କୁ କହିଲେ, “ଆସନ୍ତାକାଲି ସମସ୍ତେ ନିଜ ନିଜ ଘରୁ ପୃଥିବୀର ମାନଚିତ୍ର ଅଙ୍କନ କରି ଆଣିବ |” ଛାତ୍ରମାନଙ୍କ ମଧ୍ୟରୁ ଜଣେ ଛାତ୍ର ଟିକିଏ ଦାର୍ଶନିକ ବୁଦ୍ଧି ସମ୍ପନ୍ନ ଥିଲେ, ଯିଏ ପ୍ରତ୍ୟେକ ବିଷୟରେ ଅଧିକ ଗଭୀର ଚିନ୍ତନ କରୁଥିଲେ | ସେ କାଗଜରେ କେତୋଟି ରେଖା ଟାଣି ଦେଇ ତହିଁରେ ଏଣୁ ତେଣୁ ରଙ୍ଗ ଭରିଦେଲେ ଏବଂ ତାହାକୁ ଶିକ୍ଷକଙ୍କର ଟେବୁଲ୍ ଉପରେ ରଖିଦେଲେ | ଶିକ୍ଷକ ଶ୍ରେଣୀଗୃହକୁ ଆସି ଯେତେବେଳେ ଛାତ୍ରମାନେ ଅଙ୍କନ କରିଥିବା ମାନଚିତ୍ରକୁ ଯାଞ୍ଚ କରିବାକୁ ଆରମ୍ଭ କଲେ, ତନ୍ମଧ୍ୟରେ ଏଣୁ ତେଣୁ ରେଖା ଅଙ୍କା ଯାଇଥିବା କାଗଜଟିକୁ ଦେଖି ସେ କ୍ରୋଧିତ ହୋଇ ପଚାରିଲେ, “କିଏ ଏହାକୁ ଆଙ୍କିଛି ?” ଶ୍ରେଣୀର ସବୁ ଛାତ୍ର ନୀରବ ରହିଲେ | ଶିକ୍ଷକଙ୍କର କ୍ରୋଧ ବୃଦ୍ଧି ଲାଭ କଲା | ସେ ଉଚ୍ଚ ସ୍ବରରେ ଗର୍ଜନ କରି କହିଲେ, “କିଏ ଏହାକୁ କରିଛି କହିବ ନା ମୁଁ ସବୁ ଛାତ୍ରଙ୍କୁ ଦଣ୍ଡିତ କରିବି ?” ଏବେ ଯେଉଁ ଛାତ୍ରଟି ସେହି ଚିତ୍ର ଅଙ୍କନ କରିଥିଲା, ସେ ଠିଆ ହୋଇ କହିଲା, “ସାର୍ ! ମୋ ମତରେ ଏହାକୁ କେହି ଆଙ୍କି ନାହାଁନ୍ତି |” “କ’ଣ ତୁମର ଅଭିପ୍ରାୟ ?” “ମୁଁ ଭାବୁଛି, କାଗଜଟି ଉଡି ଆସି ଟେବୁଲ୍ ଉପରେ ପଡି ଯାଇଥିବ | ସେହିପରି, ପେନସିଲଟିଏ ଉଡି ଆସି ସେହି କାଗଜ ଉପରେ ଅଙ୍କା-ବଙ୍କା ରେଖା ଟାଣି ଦେଇଥିବ | ପୁଣି ରଙ୍ଗସବୁ ଉଡି ଆସି ତା’ ଉପରେ ଛାପି ହୋଇ ଯାଇଥିବ |” “ତୁମେ ଏସବୁ କ’ଣ କହୁଅଛ ? ଏହାକୁ କେହି ଜଣେ ନିଶ୍ଚିତ ଭାବରେ କରିଛି ଏବଂ ମୁଁ ଭାବୁଛି ତୁମେ ହିଁ ଏହାକୁ କରିଅଛ |” ଛାତ୍ର ଜଣକ ଉତ୍ତର ଦେଲା, “ସାର୍ ! ଏହି ଫାଲତୁ ମାନଚିତ୍ରଟି ଆପେ ଆପେ ସୃଷ୍ଟି ହୋଇଗଲା, ଏକଥା ଆପଣ ବିଶ୍ବାସ କରିପାରୁ ନାହାଁନ୍ତି, ଅଥଚ ଆପଣ ଆମକୁ ବିଶ୍ବାସ କରିବାକୁ କହୁଛନ୍ତି ଯେ ଏହି ବାସ୍ତବ ଜଗତ ଆପେ ଆପେ ସୃଷ୍ଟି ହୋଇଗଲା ? ଏହାର ମଧ୍ୟ କେହି ଜଣେ ସ୍ରଷ୍ଟା ଥାଇପାରନ୍ତି | କେହି କେହି ଏହି ଅନୁମାନ ପ୍ରମାଣର ଆଧାରରେ ଈଶ୍ବରଙ୍କର ଅସ୍ତିତ୍ବକୁ ପ୍ରତିପାଦିତ କରିଥାଆନ୍ତି | ସେମାନେ କହନ୍ତି, ଏହି ସୃଷ୍ଟି ଏତେ ବିଚିତ୍ର ଯେ ଏହାର ପୃଷ୍ଠଦେଶରେ ଜଣେ ସ୍ରଷ୍ଟା ନିଶ୍ଚିତ ଭାବରେ ଥିବେ |

ସର୍ବଶେଷ ପ୍ରମାଣ ଶବ୍ଦ ପ୍ରମାଣ ବା ଶାସ୍ତ୍ର ପ୍ରମାଣ | ଆପଣଙ୍କଠାରୁ ଅଧିକ ବିଜ୍ଞ ଏବଂ ଅଧିକ ଅନୁଭବୀ କୌଣସି ବ୍ୟକ୍ତିଙ୍କୁ ଆପଣ ଅଧିକାରୀ ରୂପେ ସ୍ବୀକାର କରିନିଅନ୍ତି | ଅବଶ୍ୟ, ଈଶ୍ବରୀୟ ମାର୍ଗରେ ଆମେ ନିଜର ବୁଦ୍ଧିକୁ ସହଜରେ ସମର୍ପିତ କରିପାରେ ନାହିଁ | କିନ୍ତୁ ସାଂସାରିକ କ୍ଷେତ୍ରରେ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ କରିବା ଯାଏଁ ଯେତେସବୁ ଜ୍ଞାନ ଆମେ ଅର୍ଜନ କରିଥାଏ, ତାହା ଶବ୍ଦ ପ୍ରମାଣ ସାହାଯ୍ୟରେ ଅର୍ଜନ କରିଥାଏ | ଶିକ୍ଷକ କଳାପଟାରେ ଗୋଟିଏ ଆକୃତି ଅଙ୍କନ କରି କହନ୍ତି, “ଏହା A ଅଟେ” ଏବଂ ଛାତ୍ରମାନେ ତାହାକୁ A ମାନି ନିଅନ୍ତି | ଏହିପରି ଭାବରେ ଜଣେ ବିଜ୍ଞ ଅଧିକାରୀଙ୍କଠାରେ ନିଜର ବୁଦ୍ଧିକୁ ସମର୍ପିତ କରିଦେଇ ଆମେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରି ଚାଲେ | ପଦାର୍ଥ ବିଜ୍ଞାନ ଶିକ୍ଷା କରିବାକୁ ଯାଇ ଆମେ କୌଣସି ତତ୍ତ୍ବର ପୁନଃ ଉଦ୍ଭାବନ କରି ନ ଥାଏ | ପୂର୍ବ ପଦାର୍ଥ ବିଜ୍ଞାନୀମାନଙ୍କର ମତକୁ ସ୍ବୀକାର କରି ଆମେ ଆଗକୁ ଅଗ୍ରସର ହୋଇଥାଏ ଏବଂ ଦିନେ ପଦାର୍ଥ ବିଜ୍ଞାନରେ ମାଷ୍ଟର୍ ହୋଇଯାଏ | ଯେ କୌଣସି ବିଷୟରେ ଜ୍ଞାନ ଅର୍ଜନ କରିବାର ଏହା ସରଳତମ ଉପାୟ ଅଟେ | ଆମେ ନିଜର ବାପାଙ୍କୁ ବାପା ଭାବରେ କିପରି ମାନିଥାଏ ? ତିରିଶ ବର୍ଷ ପୂର୍ବେ DNA ପରୀକ୍ଷଣର କୌଣସି ସୁବିଧା ନ ଥିଲା | ନିଜ ମା’ଙ୍କର ସାକ୍ଷ୍ୟପ୍ରମାଣକୁ ସ୍ବୀକାର କରି ଆମେ ତାଙ୍କୁ ବାପା ମାନିଥାଏ | ସେହିପରି, ବେଦ-ଶାସ୍ତ୍ର ଆମ୍ଭମାନଙ୍କର ଜନନୀ ପରି ଅଟନ୍ତି | ଅନାଦି କାଳରୁ ଏମାନେ ଦିବ୍ୟ ଜ୍ଞାନର ବିଶ୍ବସନୀୟ ଏବଂ ଦୋଷରହିତ ଉତ୍ସ ଭାବରେ ସ୍ବୀକୃତ | ସେମାନଙ୍କର ଅଧିକାରୀତ୍ବକୁ ଆମେ ଯଦି ସ୍ବୀକାର କରୁଥିବା, ତେବେ ସେମାନେ କହନ୍ତି –

          ଜନ୍ମାଦ୍ୟସ୍ୟ ଯତଃ   (ବେଦାନ୍ତ ଦର୍ଶନ)

ସୃଷ୍ଟିର ପୃଷ୍ଠଦେଶରେ ଜଣେ ସ୍ରଷ୍ଟା ଅଛନ୍ତି | ଏହା ଶବ୍ଦ ପ୍ରମାଣ ଅଟେ |

ଏହିରୂପେ ପ୍ରତ୍ୟକ୍ଷ, ଅନୁମାନ ଏବଂ ଶବ୍ଦ ପ୍ରମାଣ ସାହାଯ୍ୟରେ ଆମେ ଭଗବାନଙ୍କର ଅସ୍ତିତ୍ବ ସମ୍ବନ୍ଧରେ ନିଜର ଆସ୍ଥା ଏବଂ ବିଶ୍ବାସକୁ ଦୃଢ କରିପାରିବା | ପୁନଶ୍ଚ, ଶୁଦ୍ଧିକରଣ ପ୍ରକ୍ରିୟାର ଅନୁସରଣ କରି ଆମେ ଯେତେବେଳେ ଈଶ୍ବରୀୟ ଆନନ୍ଦର ଉପଲବଧି ଭିତରୁ କରିବା, ଆମର ସେହି ଉପଲବଧି ହିଁ ଆମ ପାଇଁ ଭଗବାନଙ୍କ ଅସ୍ତିତ୍ବର ଶ୍ରେଷ୍ଠ ପ୍ରମାଣ ହେବ |

 ----------୦୦୦୦---------- 


 

Comments

Popular posts from this blog