ଜୀବନର ଚରମ ଲକ୍ଷ୍ୟ

. ଜୀବନରେ ଆମେ ଇଚ୍ଛା କରେ

ନିଜ ଜୀବନ ସମ୍ବନ୍ଧରେ ସର୍ବପ୍ରଥମ ଏବଂ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ବିଷୟ ଯାହା ଆମେ ବିଚାର କରିବା ଆବଶ୍ୟକ, ତାହା ହେଉଛି ଆମ ଜୀବନର ଲକ୍ଷ୍ୟ, ଆମ ଜୀବନର ପ୍ରୟୋଜନ | କେହି ଜଣେ ରାସ୍ତାରେ ଅତି ଦ୍ରୁତ ବେଗରେ ଚାଲିଛନ୍ତି | ଆପଣ ତାଙ୍କୁ ପଚାରିଲେ, ‘କେଉଁଠିକୁ ଯାଉଛନ୍ତି ?’ ସେ କହିଲେ, ‘ଜାଣେନାହିଁ |’ ଆପଣ କହିବେ, ‘କେଉଁଠିକୁ ଯିବେ ଆପଣ ଜାଣି ନାହାଁନ୍ତି, ତେବେ ଏତେ ଦ୍ରୁତ ବେଗରେ ଚାଲିବାର କି ପ୍ରୟୋଜନ ?’ ଚାଲିବା ବେଳେ ଆପଣ ନିଜର ଲକ୍ଷ୍ୟ ବିଷୟରେ ସଚେତନ ରହିବା ଆବଶ୍ୟକ |’ ସେହିପରି, ସଂସାରରେ ଲୋକେ କଠିନ ପରିଶ୍ରମ କରୁଥାଆନ୍ତି, କିନ୍ତୁ ସେମାନଙ୍କୁ ଯଦି ପଚରା ଯିବ କାହିଁକି ସେମାନେ ଏତେ ପରିଶ୍ରମ କରୁଛନ୍ତି, ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଜୀବନର ଆଭିମୁଖ୍ୟ ଏବଂ ବାସ୍ତବ ଲକ୍ଷ୍ୟକୁ ନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇପାରନ୍ତି ନାହିଁ | କିଛି ଦଶକ ପୂର୍ବରୁ, ପ୍ରବନ୍ଧନ ବିଜ୍ଞାନ କ୍ଷେତ୍ରରେ ଏକ ସିଦ୍ଧାନ୍ତ ପ୍ରବର୍ତ୍ତିତ କରାଯାଇ ଥିଲା – MBO (Management By Objectives) ଉଦ୍ଦେଶ୍ୟ ଅନୁଯାୟୀ ପ୍ରବନ୍ଧନ | ଏଥିରେ ସଂଗଠନର ଉଦ୍ଦେଶ୍ୟ ନିର୍ଦ୍ଧାରଣ କରାଯିବା ପରେ ତାହାକୁ ଭାଗ କରି କେତୋଟି ଉପ-ଉଦ୍ଦେଶ୍ୟ ଏବଂ ତାପରେ ଉପ-ଉପ-ଉଦ୍ଦେଶ୍ୟ ଭାବରେ ପ୍ରଦର୍ଶିତ କରାଯାଇ ଥାଏ, ଯାହା ଫଳରେ ସଂଗଠନର ପ୍ରତ୍ୟେକ ସଦସ୍ୟଙ୍କ ସମ୍ମୁଖରେ ଏହା ସ୍ପଷ୍ଟ ହୋଇଯାଏ ଯେ ସଂଗଠନର ମୂଳ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ସେମାନେ କଣ କରିବା ଆବଶ୍ୟକ |

ଅତଏବ ଆମ ଜୀବନର ଲକ୍ଷ୍ୟ କଣ ? ଜୀବନରେ ଆମେ ଯେତେ ଯାହା ପ୍ରୟାସ କରିଥାଏ, ତାର ଉଦ୍ଦେଶ୍ୟ କଣ ? ମୁଁ ଆଜି ଏହା ପ୍ରମାଣିତ କରିବାକୁ ଯାଉଛି ଯେ ଆମ ସମସ୍ତଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଭଗବାନ ଅଟନ୍ତି; ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ ହେଉ ଆମେ ସମସ୍ତେ ଭଗବାନଙ୍କର ଅନ୍ବେଷଣ କରୁଥାଏ | ବାକ୍ୟଟି ହୁଏତ ଅତ୍ୟଧିକ ପକ୍ଷପାତୀ ମନେ ହୋଇପାରେ; କାରଣ ସଂସାରରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଭଗବାନଙ୍କ ଅସ୍ତିତ୍ବରେ ବିଶ୍ବାସ କରନ୍ତି ନାହିଁ, ଯେଉଁମାନେ ନିଜକୁ ନାସ୍ତିକ କହିଥାଆନ୍ତି | କିନ୍ତୁ ଆଜି ମୁଁ ଏହା ପ୍ରମାଣିତ କରିବାକୁ ଯାଉଛି ଯେ ସଂସାରରେ କେହି ମଧ୍ୟ ନାସ୍ତିକ ନୁହଁନ୍ତି | ପ୍ରତ୍ୟେକ ବ୍ୟକ୍ତି ଭଗବାନଙ୍କର ଅନ୍ବେଷଣ କରୁଥାଆନ୍ତି ବା ଏପରି କୁହାଯାଇ ପାରେ ଯେ ଭଗବାନଙ୍କ ଅତିରିକ୍ତ ସେମାନେ ଅନ୍ୟ କାହାର ଅନ୍ବେଷଣ କରନ୍ତି ନାହିଁ | କିପରି ?

ସଂସାରରେ ସର୍ବତ୍ର ଏବଂ ସର୍ବଦା ଆମକୁ ଦ୍ବୈତ ଅନୁଭବରେ ଆସିଥାଏ – ଏଠାରେ ଦିନ ଅଛି, ରାତି ଅଛି; ଆଲୋକ ଅଛି, ଅନ୍ଧକାର ଅଛି; ଧର୍ମ ଅଛି, ଅଧର୍ମ ଅଛି; ଈଶ୍ବର ଅଛନ୍ତି, ମାୟା ଅଛି | ସେହିପରି, ସଂସାରରେ ଆସ୍ତିକ ଥାଇପାରନ୍ତି, ନାସ୍ତିକ ମଧ୍ୟ ରହିପାରନ୍ତି | ହଁ, କିନ୍ତୁ ସମସ୍ତଙ୍କର ପରମ ଲକ୍ଷ୍ୟ ଏକ – ଭଗବାନ |

ଜଣେ ବ୍ୟବସାୟୀ କଠିନ ପରିଶ୍ରମ କରୁଛନ୍ତି, ଖୁବ୍ ବେଶୀ ସଂଘର୍ଷ କରୁଛନ୍ତି | ଆପଣ ତାଙ୍କୁ ପଚାରିଲେ, ‘ମହାଶୟ ! ଆପଣ ଏତେ ବେଶୀ ପରିଶ୍ରମ କାହିଁକି କରୁଛନ୍ତି ?’ ସେ କହିଲେ, ‘ଅଳ୍ପ କିଛି ଦିନ ପୂର୍ବରୁ ମୁଁ ଗୋଟିଏ ନୂଆ ବ୍ୟବସାୟ ଆରମ୍ଭ କରିଛି; ମୁଁ ସେଥିରେ ସଫଳ ହେବାକୁ ଇଚ୍ଛା କରୁଛି |’ ‘ଆଚ୍ଛା, ବ୍ୟବସାୟରେ ସଫଳତା ଆପଣ କାହିଁକି ଇଚ୍ଛା କରନ୍ତି ?’ ‘ବ୍ୟବସାୟ ସଫଳ ହେଲେ ମୁଁ କୋଟି କୋଟି ଟଙ୍କା ଉପାର୍ଜନ କରିପାରିବି |’ ‘ଆଚ୍ଛା, ତାହାହେଲେ ଟଙ୍କା ଉପାର୍ଜନ କରିବା ଆପଣଙ୍କର ଲକ୍ଷ୍ୟ ଅଟେ; କିନ୍ତୁ ଟଙ୍କା ଆପଣ କାହିଁକି ଇଚ୍ଛା କରନ୍ତି ?’ ‘ଟଙ୍କା ସାହାଯ୍ୟରେ ମୁଁ ବିବିଧ ପ୍ରକାରର ସାଂସାରିକ ଭୋଗ୍ୟ-ବସ୍ତୁ ପ୍ରାପ୍ତ କରିପାରିବି |’ ସାଂସାରିକ ଭୋଗ୍ୟ-ବସ୍ତୁ ପାଞ୍ଚ ପ୍ରକାରର ହୋଇପାରେ – ସ୍ପର୍ଶ-ସମ୍ବନ୍ଧୀ, ଦର୍ଶନ-ସମ୍ବନ୍ଧୀ, ଘ୍ରାଣ-ସମ୍ବନ୍ଧୀ, ଶ୍ରବଣ-ସମ୍ବନ୍ଧୀ ଏବଂ ସ୍ବାଦ-ସମ୍ବନ୍ଧୀ | ଭଗବାନ ଆମକୁ ପାଞ୍ଚଟି ଇନ୍ଦ୍ରିୟ ଦେଇଛନ୍ତି ଏବଂ ଆମେ ସେମାନଙ୍କର ବିଷୟ ପ୍ରାପ୍ତ କରିବାକୁ ଇଚ୍ଛା କରିଥାଏ | ସମ୍ପୂର୍ଣ୍ଣ ସଂସାର ଏହି ପଞ୍ଚେନ୍ଦ୍ରିୟର ବିଷୟ ଅଟେ | ତେଣୁ ଟଙ୍କା ଆମର ବାସ୍ତବ ଲକ୍ଷ୍ୟ ନୁହେଁ; ଏହା କେବଳ ସାଂସାରିକ ବସ୍ତୁ ପ୍ରାପ୍ତ କରିବାର ଏକ ମାଧ୍ୟମ ଅଟେ | ଏବେ ଆସନ୍ତୁ ଆମର ବ୍ୟବସାୟୀ ବନ୍ଧୁଙ୍କୁ ପୁଣି ପଚାରିବା, ‘ଆଚ୍ଛା, ଆପଣ ଅନେକ ପ୍ରକାରର ସାଂସାରିକ ଭୋଗ୍ୟ-ବସ୍ତୁ  କାହିଁକି ଇଚ୍ଛା କରନ୍ତି ?’ ‘କାରଣ ସେସବୁ ପ୍ରାପ୍ତ କରି ମୋତେ ଆନନ୍ଦ ମିଳିବ, ଶାନ୍ତି ମିଳିବ, ସୁଖ ମିଳିବ |’ ସୁଖ, ଶାନ୍ତି, ସନ୍ତୋଷ, ମଜା, ଲୁଫ୍ତ, ଆନନ୍ଦ ଆଦି ଅନେକ ନାମ ସେହି ଗୋଟିଏ ଆବେଗର ରହିଛି | ଅର୍ଥାତ୍, ଅନ୍ତତଃ ଆମର ଲକ୍ଷ୍ୟ ଆନନ୍ଦ ଅଟେ | ଆନନ୍ଦ-ପ୍ରାପ୍ତି ଉପଲକ୍ଷେ ଆମେ ଅନେକ ପ୍ରକାରର ଇନ୍ଦ୍ରିୟ ଭୋଗ୍ୟ-ବସ୍ତୁ ଇଚ୍ଛା କରିଥାଏ | ସେହି ସବୁ ଭୋଗ୍ୟ-ବସ୍ତୁ ପ୍ରାପ୍ତ କରିବା ନିମନ୍ତେ ଆମେ ଟଙ୍କା ଆବଶ୍ୟକ କରିଥାଏ | ଟଙ୍କା ଉପାର୍ଜନ କରିବା ପାଇଁ ଆମେ ବ୍ୟବସାୟରେ ସଫଳତା ଇଚ୍ଛା କରିଥାଏ ଏବଂ ବ୍ୟବସାୟରେ ସଫଳ ହେବା ପାଇଁ ଆମେ କଠିନ ପରିଶ୍ରମ କରିଥାଏ | ଆମ ପ୍ରଶ୍ନୋତ୍ତରୀର ଏହି ଶୃଂଖଳା କେଉଁଠି ବିରାମ ଲାଭ କରେ ? ଆନନ୍ଦରେ | ଏହିପରି ପ୍ରଶ୍ନ-କ୍ରମ ଆପଣ ବିଶ୍ବର ସମୁଦାୟ ୧୯୪ଟି ଦେଶର, କୌଣସି ପ୍ରାନ୍ତର ଆବାଳବୃଦ୍ଧିବନିତା କାହାକୁ ବି କରିଚାଲନ୍ତୁ, ଅନ୍ତତଃ ଆପଣଙ୍କୁ ସେହି ଗୋଟିଏ ଉତ୍ତର ମିଳିବ – ଆନନ୍ଦ | ଅତଏବ, ସ୍ଥାନ-କାଳ-ପାତ୍ର ନିର୍ବିଶେଷରେ ଆମେ ଯିଏ ଯାହା ବି କରୁଥାଏ ନା କାହିଁକି, ସମସ୍ତଙ୍କର ଲକ୍ଷ୍ୟ ଏକମାତ୍ର ଆନନ୍ଦ ଅଟେ | ଏବେ ଶେଷ ପ୍ରଶ୍ନଟି ପଚାରିବା – “ଆମେ ସମସ୍ତେ ଆନନ୍ଦ କାହିଁକି ଇଚ୍ଛା କରେ ?”

*************************




 

Comments

Popular posts from this blog