୨. ଆମେ ଆନନ୍ଦ କାହିଁକି ଇଚ୍ଛା କରେ
ଆମେ ସମସ୍ତେ ଆନନ୍ଦ ଇଚ୍ଛା କରେ; ଏହି ଇଚ୍ଛା ଆମର ଜନ୍ମଜାତ ଅଟେ | ଜନ୍ମ ହେବା ମାତ୍ରେ ଆମେ ଆନନ୍ଦର ସ୍ଲୋଗାନ ଦେଇଥାଏ –
‘ମୋତେ ଆନନ୍ଦ ଦିଅ’, ‘ମୋତେ ଆନନ୍ଦ ଦିଅ’ | ଆପଣ କହିବେ ଜନ୍ମ ହେବା ମାତ୍ରେ ତ ଆମର ଭାଷାର ଜ୍ଞାନ ନ ଥାଏ, ଆମେ କଥା କହିପାରେ ନାହିଁ, ଆମେ ସ୍ଲୋଗାନ ଦେଲେ କିପରି ? ନା, କଥାଟି ସେପରି ନୁହେଁ | ଜନ୍ମ ହେବା ମାତ୍ରେ ଆମେ କାନ୍ଦିଥାଏ | ସେହି କ୍ରନ୍ଦନ ମାଧ୍ୟମରେ
ଆମେ ଅଭିଯୋଗ କରିଥାଏ ଯେ ଜନ୍ମ ପ୍ରକ୍ରିୟାରେ ମୁଁ ଯେଉଁ କଷ୍ଟ ଅନୁଭବ କଲି, ତାହା ମୋର ଲୋଡା ନାହିଁ | ଏହି ସଂସାରକୁ ମୁଁ କଷ୍ଟ ଭୋଗ କରିବାକୁ ଆସିନାହିଁ | ମୁଁ
ଆନନ୍ଦ ଇଚ୍ଛା କରେ, ମୋତେ ଆନନ୍ଦ ଦିଅ | ସେହି ଦିନଠାରୁ
ଆଜି ପର୍ଯ୍ୟନ୍ତ ଆମେ ଯାହାକିଛି କରିଥାଏ, ସବୁର ମୂଳରେ ଉଦ୍ଦେଶ୍ୟ
ଆନନ୍ଦ-ପ୍ରାପ୍ତି ଅଟେ | ଏପରି କୌଣସି ଜୀବ ଅଛନ୍ତି କି ଯିଏ ଆନନ୍ଦ ପରିବର୍ତ୍ତେ ଦୁଃଖ ଇଚ୍ଛା
କରନ୍ତି ? ନା; କିନ୍ତୁ ଏହା ଆଶ୍ଚର୍ଯ୍ୟ ନୁହେଁ କି ? ଅନ୍ୟ ସବୁ ବିଷୟରେ ତ ଆମେ ପରସ୍ପରଠାରୁ ଏତେ ଭିନ୍ନ
ଅଟେ – ଆମ ସମସ୍ତଙ୍କର ମୁଖର ଆକୃତି ଭିନ୍ନ, ଆଙ୍ଗୁଠି-ଛାପ ଭିନ୍ନ ଭିନ୍ନ | କୌଣସି
ଦୁଇଜଣ ବ୍ୟକ୍ତିଙ୍କର ଆଙ୍ଗୁଠି-ଛାପ ସମାନ ନୁହେଁ – ଏହାକୁ ଭିତ୍ତି କରି ଫୋଟୋ-ମାଟ୍ରିକ୍ସ କାମ
କରିଥାଏ | ଯଦି ସେଥିରେ କିଛି ସମାନତା ଦୃଷ୍ଟିଗୋଚର ହେଉଥାଆନ୍ତା, ତେବେ ଫୋଟୋ-ମାଟ୍ରିକ୍ସର
ଉଦ୍ଦେଶ୍ୟ ସାଧିତ ହୁଅନ୍ତା ନାହିଁ | କିନ୍ତୁ ପୃଥିବୀର ସାତ ଅର୍ବୁଦ ମନୁଷ୍ୟଙ୍କର ଅଙ୍ଗୁଳି-ଛାପ
ଭିନ୍ନ ଭିନ୍ନ ଅଟେ – ଭଗବାନଙ୍କ ସୃଷ୍ଟିରେ ଭରି ରହିଥିବା ବିବିଧତାର ଏହା ସର୍ବୋତ୍କୃଷ୍ଟ
ନିଦର୍ଶନ ଅଟେ | ସମସ୍ତଙ୍କର ସ୍ବର ଭିନ୍ନ ଭିନ୍ନ | ମନୁଷ୍ୟ ସ୍ବରର ଧ୍ବନି ତୀବ୍ରତାରେ ବହୁତ
କମ୍ ବ୍ୟବଧାନ ପରିଲକ୍ଷିତ ହୋଇଥାଏ, ତଥାପି ଆମେ ସ୍ବର ଚିହ୍ନିପାରେ ଏବଂ
ପ୍ରାୟ ୫୦୦୦୦ ଭିନ୍ନ ଭିନ୍ନ ସ୍ବର ମନେ ରଖିପାରେ | ସମସ୍ତଙ୍କ ଶରୀରର ସୁଗନ୍ଧ ଭିନ୍ନ ଭିନ୍ନ |
ଆମ୍ଭେମାନେ ହୁଏତ ତାହା ବାରି ପାରେନାହିଁ; କିନ୍ତୁ କୁକୁର ଠିକ୍ ବାରି ପାରେ, କାରଣ
କୁକୁରର ଘ୍ରାଣଶକ୍ତି ମାତ୍ରାଧିକ ତୀବ୍ର ଅଟେ | ଆପଣ
ନିଜର ଜଣେ ବନ୍ଧୁଙ୍କୁ ସାକ୍ଷାତ କରିବାକୁ ଯାଉଛନ୍ତି, ଯିଏ ତାଙ୍କ ଘରେ ଗୋଟିଏ ପୋଷା କୁକୁର ରଖିଛନ୍ତି | ଆପଣଙ୍କୁ ଦୂରରୁ ଦେଖି କୁକୁରଟି
ଭୁକିବାରେ ଲାଗିବ | ଆପଣ ତା’ ନିକଟକୁ ଗଲେ ସେ ଆପଣଙ୍କୁ ସୁଂଘିବାକୁ
ଆରମ୍ଭ କରିବ ଏବଂ ତାପରେ ଭୁକିବା ବନ୍ଦ କରିଦେବ – ହଁ, ଏହାଙ୍କ ଶରୀରର ଗନ୍ଧ ମୋର ପୂର୍ବ ପରିଚିତ ଅଟେ; ଇଏ ଜଣେ ବନ୍ଧୁ ଅଟନ୍ତି | ଅତଏବ ଶରୀରର
ସୁଗନ୍ଧ ଦୃଷ୍ଟିରୁ ଆମ୍ଭମାନଙ୍କ ମଧ୍ୟରେ ପ୍ରଭେଦ ରହିଛି | ତାତ୍ପର୍ଯ୍ୟ ଏହା ଯେ ସବୁ ଦୃଷ୍ଟିରୁ
ଆମେ ସମସ୍ତେ ପରସ୍ପରଠାରୁ ଭିନ୍ନ ଅଟେ | ଗୋଟିଏ ଗଛର ଦୁଇଟି ପତ୍ର ସମାନ ନୁହନ୍ତି – ଏହି
ସଂସାରର ସ୍ବରୂପ ଏହିପରି | ଅଥଚ ଲକ୍ଷ୍ୟ ଆମ ସମସ୍ତଙ୍କର ଏକ ଅଟେ; ଆମେ ସମସ୍ତେ ସେହି ଗୋଟିଏ
ସ୍ଲୋଗାନର ପୁନରାବୃତ୍ତି କରିଥାଏ – ମୁଁ ଆନନ୍ଦ ଇଚ୍ଛା କରେ, ମୁଁ ସୁଖ ଇଚ୍ଛା କରେ |
ଏବେ ଆସନ୍ତୁ ଆଉ ଟିକିଏ ଗମ୍ଭୀର ବିଚାର
କରିବା | ଆମେ ଆନନ୍ଦ ଇଚ୍ଛା କରିବା ଉଚିତ୍, ଏହି ଶିକ୍ଷା କିଏ କ’ଣ କେବେ ଆମକୁ ଦେଇଛନ୍ତି ? ବିକାଶ ପ୍ରକ୍ରିୟାରେ ଆନେକ ସ୍ରୋତରୁ ଆମେ ଅନେକ ପ୍ରକାରର
ଶିକ୍ଷା ଲାଭ କରିଥାଏ | ଆମର ବାପା-ମା’, ଅଭିଭାବକ, ଶିକ୍ଷକ ଆଦି ଆମକୁ ଶିକ୍ଷା ଦେଇଥାଆନ୍ତି – ଦେଖ, ଜୀବନରେ ସର୍ବଦା ସତ୍ୟ କହିବ; ମିଥ୍ୟା କେବେ ବି କହିବ ନାହିଁ; ଅନ୍ୟର
କୌଣସି ପଦାର୍ଥ ଚୋରୀ କରିବ ନାହିଁ ଇତ୍ୟାଦି ଇତ୍ୟାଦି | ସେହିପରି କେହି କ’ଣ ଆମକୁ କେବେ ଏପରି ଶିକ୍ଷା ଦେଇଛନ୍ତି – ଦେଖ, ଜୀବନରେ ସର୍ବଦା ଆନନ୍ଦ ଇଚ୍ଛା କରିବ; ଏପରି କେବେ ନ ହେଉ ଯେ ତୁମେ ଆନନ୍ଦ
ପରିବର୍ତ୍ତେ ଦୁଃଖ ଇଚ୍ଛା କରିବାରେ ଲାଗିବ | ଏପରି ଉପଦେଶ ଆମକୁ କେବେ ମିଳିନାହିଁ | ଏମିତି
ଦେଖିବାକୁ ଗଲେ ତ ବିନା ଶିକ୍ଷାରେ ଆମେ କିଂଚିତ୍ ବି ଜ୍ଞାନ ପ୍ରାପ୍ତ କରିପାରେ ନାହିଁ |
ଜନ୍ମରୁ ଆମ ନିଜ ମା’କୁ ମଧ୍ୟ ଆମେ ଚିହ୍ନି ନ ଥାଏ |
ପରିବାରର ଅନ୍ୟମାନେ ଜଣେ ସ୍ତ୍ରୀଙ୍କୁ ନିର୍ଦ୍ଦେଶ କରି କହନ୍ତି – ଇଏ ତୁମର ମା’ ଅଟନ୍ତି , କହ ‘ମମ୍ମୀ’ ‘ମମ୍ମୀ’ | ଅନ୍ୟମାନଙ୍କ ମୁହଁରୁ ବାରମ୍ବାର ଶୁଣି ଆମେ ତାଙ୍କୁ ‘ମମ୍ମୀ’ ଡାକିବାରେ ଲାଗେ | ଏହିପରି ଭାବରେ ଅତି ସାଧାରଣ ଜ୍ଞାନ ମଧ୍ୟ ଆମେ ଶିକ୍ଷା ଦ୍ବାରା ଆହରଣ
କରିଥାଏ | ତେବେ ଆନନ୍ଦ-ପ୍ରାପ୍ତି-ରୂପୀ ଜୀବନର ଲକ୍ଷ୍ୟ ସମ୍ବନ୍ଧୀୟ ଏତେ ବିଶାଳ ଜ୍ଞାନ ଆମ
ଭିତରେ ବିନା ଶିକ୍ଷାରେ ଉଦୟ ହେଲା କିପରି ?
ଅତଏବ, ବର୍ତ୍ତମାନ ଆମେ ଏହି ଶେଷସିଦ୍ଧାନ୍ତରେ ଉପନୀତ ହେଲେ ଯେ ଜୀବନରେ ଆମେ ଯାହାକିଛି କରିଥାଏ,
ତାହା ଆନନ୍ଦ-ପ୍ରାପ୍ତି ଉଦ୍ଦେଶ୍ୟରେ କରିଥାଏ ଏବଂ ଆମର ଏହି ଆନନ୍ଦ ଅନ୍ବେଷଣ ଜନ୍ମ ଗ୍ରହଣ
କରିବା ସମୟରୁ ଚାଲିଛି | ଏବେ ଆସନ୍ତୁ ବିଚାର କରିବା ଆମେ ଆନନ୍ଦ ଇଚ୍ଛା କରେ କାହିଁକି |
ଆଧ୍ୟାତ୍ମିକତାର ଏହା ଆଧାରଭୂତ ପ୍ରତିପାଦ୍ୟ ବିଷୟ ଅଟେ ଏବଂ ଏହାର ଉତ୍ତର ବେଦରେ ପ୍ରଦାନ
କରାଯାଇଛି | ଆନନ୍ଦ ଆମେ କାହିଁକି ଇଚ୍ଛା କରେ, ଏହାର ଉତ୍ତର ଜାଣିନେବା ପରେ ଆମେ ସ୍ବତଃ
ଭଗବାନଙ୍କ ଅଭିମୁଖରେ ପ୍ରେରିତ ହେବାରେ ଲାଗିବା ଏବଂ ଭଗବାନଙ୍କର ସ୍ବରୂପ ବିଷୟରେ ଜାଣିନେବା
ପରେ ଆମେ ଆନନ୍ଦ କାହିଁକି ଇଚ୍ଛା କରେ, ତାହାର ଉତ୍ତର ଆମକୁ ଆପେ ଆପେ ମିଳିଯିବ
|
*****************************
.jpg)
Comments
Post a Comment