୩. ଈଶ୍ବରଙ୍କର ସ୍ବରୂପ
ବର୍ତ୍ତମାନ ଆସନ୍ତୁ ଆମେ ଆଲୋଚନାର କେନ୍ଦ୍ରକୁ ସାମାନ୍ୟ ପରିବର୍ତ୍ତିତ କରି ଈଶ୍ବରଙ୍କର
ସ୍ବରୂପ ବିଷୟରେ ଜାଣିବାକୁ ଚେଷ୍ଟା କରିବା | ଯଜୁର୍ବେଦର ଏକ ବିଭାଗ କୃଷ୍ଣ ଯଜୁର୍ବେଦ ଅଟେ |
ତୈତ୍ତିରୀୟ ଉପନିଷଦ ତାହାର ଅନ୍ତର୍ଗତ ଅଟେ, ଯାହାର ତିନୋଟି ଭାଗ ରହିଛି: ଭୃଗୁ
ବଲ୍ଲୀ, ବ୍ରହ୍ମାଣ୍ଡ ବଲ୍ଲୀ ଏବଂ ଶିକ୍ଷା
ବଲ୍ଲୀ | ଏହା ଭୃଗୁ ବଲ୍ଲିର ଏକ ଆଖ୍ୟାନ ଅଟେ | ଭାରତ ଇତିହାସରେ ଭୃଗୁ ମହର୍ଷିଙ୍କର ନାମ ବହୁ
ପ୍ରସିଦ୍ଧ ଅଟେ | ବ୍ରହ୍ମଙ୍କ ବିଷୟରେ ଜାଣିବା ପାଇଁ ଭୃଗୁଙ୍କ ମନରେ ଯେତେବେଳେ ଉତ୍କଟ ଇଚ୍ଛା
ଜାତ ହେଲା, ସେ ଭାବିଲେ କାହାଠାରୁ ପଚାରି ବୁଝିବି,
କାହାକୁ ଗୁରୁ ଭାବରେ ଗ୍ରହଣ କରିବି | ବହୁ ଭାବି-ଚିନ୍ତି ସେ ସ୍ଥିର କଲେ, ମୋର ପିତା ବରୁଣଦେବ ସ୍ବୟଂ ବ୍ରହ୍ମଜ୍ଞାନୀ ଅଟନ୍ତି; ମୁଁ ତାଙ୍କୁ ନିଜର
ଗୁରୁ ରୂପେ ବରଣ କରିବି | ଏହିପରି ନିର୍ଣ୍ଣୟ କରି ଭୃଗୁ ବରୁଣଙ୍କ ସମୀପକୁ ଗଲେ |
ଭୃଗୁର୍ ବୈ ବାରୁଣିଃ | ବରୁଣଂ ପିତରଂ
ଉପସସାର | ଅଧୀହି ଭଗବୋ ବ୍ରହ୍ମେତି |
ବରୁଣଙ୍କୁ ପ୍ରଣାମ କରି ଭୃଗୁ କହିଲେ, “ପିତାଜୀ ! ଆଜି ମୁଁ ଆପଣଙ୍କ ନିକଟକୁ ପୁତ୍ର
ରୂପରେ ନୁହେଁ, ଶିଷ୍ୟ ରୂପରେ ଆସିଛି | ମୁଁ ଜାଣିବାକୁ
ଇଚ୍ଛା କରୁଛି, ସେହି ଯେଉଁ ସର୍ବୋଚ୍ଚ ତତ୍ତ୍ବ ଯାହାକୁ
କିଏ ବ୍ରହ୍ମ କହନ୍ତି, କିଏ ପରମାତ୍ମା କହନ୍ତି ଏବଂ କିଏ
ଭଗବାନ କହନ୍ତି, ତାଙ୍କର ସ୍ବରୂପ କ’ଣ ?” ବରୁଣ ଉତ୍ତର ଦେଲେ –
ଯତୋ ବା ଇମାନି ଭୂତାନି ଜାୟନ୍ତେ | ଯେନ
ଜାତାନି ଜୀବନ୍ତି | ଯତ୍ ପ୍ରୟନ୍ତ୍ୟଭିସଂବିଶନ୍ତି |
ତତ୍ ବିଜିଜ୍ଞାସସ୍ବ | ତଦ୍ ବ୍ରହ୍ମେତି |
ହେ ଭୃଗୁ ! ପରମ ତତ୍ତ୍ବ ସେ ଅଟନ୍ତି ଯାହାଠାରୁ ସମସ୍ତ ଜୀବ ଉତ୍ପନ୍ନ ହୋଇଥାଆନ୍ତି, ଯାହା ମଧ୍ୟରେ ସମ୍ପୂର୍ଣ୍ଣ ଜୀବଜଗତ ସ୍ଥିତ ଅଟେ ଏବଂ ଯାହାଠାରେ ଦିନେ ସମଗ୍ର ସୃଷ୍ଟି
ବିଲୀନ ହୋଇଯିବ | ପିତାଙ୍କର ଏହି ଉତ୍ତର ଭୃଗୁଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ | ସେ
ପଚାରିଲେ, “ପିତାଜୀ ! ଆପଣ ଏହି ଯେଉଁ ଯାହାଠାରୁ,
ଯାହା ମଧ୍ୟରେ, ଯାହାଠାରେ କହିଲେ, ସେହି ‘ଯାହା’ଟି କିଏ ? କ’ଣ ତାଙ୍କର ସ୍ବରୂପ ?” ବରୁଣ କହିଲେ –
ତପସା ବ୍ରହ୍ମ ବିଜିଜ୍ଞାସସ୍ବ | ତପୋ
ବ୍ରହ୍ମେତି |
ଦେଖ ଭୃଗୁ ! ସେହି ବ୍ରହ୍ମ ଶବ୍ଦର ବିଷୟ ନୁହଁନ୍ତି | ତାଙ୍କୁ ଜାଣିବା ପାଇଁ ତୁମକୁ
ତପସ୍ୟା ଦ୍ବାରା ଉପଲବଧି ହାସଲ କରିବାକୁ ହେବ | ତେଣୁ ତୁମେ ତପସ୍ୟା କର | ଭୃଗୁ ତପସ୍ୟା କରିବା
ପାଇଁ ଚାଲିଗଲେ –
ସ ତପୋଽତପ୍ୟତ | ସ ତପସ୍ତପ୍ତ୍ଵା |
ତପସ୍ୟା ଦ୍ବାରା ସେ ଉପଲବଧି କଲେ –
ଅନ୍ନଂ ବ୍ରହ୍ମେତି ବ୍ୟଜାନାତ୍ |
ଅନ୍ନାଦ୍ଧ୍ୟେବ ଖଲ୍ବିମାନି ଭୂତାନି ଜାୟନ୍ତେ | ଅନ୍ନେନ ଜାତାନି ଜୀବନ୍ତି | ଅନ୍ନଂ
ପ୍ରୟନ୍ତ୍ୟଭିସଂବିଶନ୍ତୀତି |
ଅନ୍ନ ହିଁ ବ୍ରହ୍ମ ଅଟେ | ଆମେ ଯେଉଁ ଅନ୍ନ ଭକ୍ଷଣ କରେ, ତାହା ଆମ ଉଦରକୁ
ଯାଇ ରସରେ ପରିଣତ ହୁଏ | ରସରୁ ରକ୍ତ, ରକ୍ତରୁ ମାଂସ, ମାଂସରୁ ମେଦ, ମେଦରୁ ଅସ୍ତି, ଅସ୍ତିରୁ ମଜ୍ଜା ଏବଂ ମଜ୍ଜାରୁ ବୀର୍ଯ୍ୟ ଉତ୍ପନ୍ନ ହୋଇଥାଏ | ଅତଏବ ଆମ୍ଭେମାନେ ଅନ୍ନରୁ
ଉତ୍ପନ୍ନ ହୋଇଅଛେ, ଅନ୍ନ ଭକ୍ଷଣ କରି ଆମେ ଜୀବିତ ରହିଥାଏ
ଏବଂ ମୃତ୍ୟୁରେ ଆମ୍ଭେମାନେ ଏହି ଅନ୍ନମୟ ପୃଥିବୀରେ ଲୀନ ହୋଇଯିବା | ତେଣୁ ଅନ୍ନ ହିଁ ବ୍ରହ୍ମ
ଅଟେ | ଏହି ଉପଲବଧି ସହିତ ଭୃଗୁ ପିତା ବରୁଣଙ୍କ ପାଖକୁ ଗଲେ –
ତଦ୍ ବିଜ୍ଞାୟ | ପୁନରେବ ବରୁଣଂ ପିତରଂ
ଉପସସାର |
ସବୁ ଶୁଣି ବରୁଣ ଚୁପ୍ ରହିଲେ, ଅର୍ଥାତ୍ ଏବେ ମଧ୍ୟ ଭୃଗୁଙ୍କର ଯଥାର୍ଥ
ଜ୍ଞାନ ହୋଇନାହିଁ | ତେଣୁ ଭୃଗୁ ପୁଣି ପଚାରିଲେ –
ଅଧୀହି ଭଗବୋ ବ୍ରହ୍ମେତି |
ତାହାହେଲେ କୁହନ୍ତୁ ପିତାଜୀ, ବ୍ରହ୍ମଙ୍କର ସ୍ବରୂପ କ’ଣ | ବରୁଣ ତାଙ୍କୁ ପୁଣି ତପସ୍ୟା କରିବାକୁ ନିର୍ଦ୍ଦେଶ ଦେଲେ –
ତପସା ବ୍ରହ୍ମ ବିଜିଜ୍ଞାସସ୍ବ | ତପୋ
ବ୍ରହ୍ମେତି |
ଭୃଗୁ ପୁନର୍ବାର ତପସ୍ୟା କରିବାକୁ ଗଲେ |
ସ ତପୋଽତପ୍ୟତ | ସ ତପସ୍ତପ୍ତ୍ବା |
ଏଥର ସେ ଆହୁରି ଗଭୀରକୁ ଯାଇ ଜାଣିଲେ –
ପ୍ରାଣୋ ବ୍ରହ୍ମେତି ବ୍ୟଜାନାତ୍ |
ପ୍ରାଣାଦ୍ଧ୍ୟେବ ଖଲ୍ବିମାନି ଭୂତାନି ଜାୟନ୍ତେ | ପ୍ରାଣେନ ଜାତାନି ଜୀବନ୍ତି | ପ୍ରାଣଂ ପ୍ରୟନ୍ତ୍ୟଭିସଂବିଶନ୍ତୀତି
|
ଆମ ଶରୀରରେ ଯେଉଁ ପ୍ରାଣଶକ୍ତି ରହିଛି, ତାହା ହିଁ ବ୍ରହ୍ମ ଅଟେ | ଏହି ଉପଲବଧି ନେଇ ସେ
ଯେତେବେଳେ ବରୁଣଙ୍କ ପାଖକୁ ଗଲେ, ବରୁଣ ଚୁପ୍ ରହି ତାଙ୍କୁ ଆହୁରି
ତପସ୍ୟା କରିବାକୁ କହିଲେ | ତୃତୀୟ ଥର ତପସ୍ୟା କରି ଭୃଗୁ ଅନୁଭବ କଲେ –
ମନୋ ବ୍ରହ୍ମେତି ବ୍ୟଜାନାତ୍ | ମନସୋ ହୀ
ଏବ ଖଲ୍ବିମାନି ଭୂତାନି ଜାୟନ୍ତେ | ମନସା ଜାତାନି ଜୀବନ୍ତି | ମନଃ ପ୍ରୟନ୍ତ୍ୟଭିସଂବିଶନ୍ତୀତି
|
ମନ ହିଁ ବ୍ରହ୍ମ ଅଟେ | ବହୁ ଲୋକ ମନକୁ ବିଶେଷ ମହତ୍ତ୍ବ ଦେଇଥାଆନ୍ତି – ମନ ହିଁ ସବୁକିଛି
ଅଟେ | ଭୃଗୁ ମଧ୍ୟ ସେହିପରି ଭାବିଲେ ଯେ ସବୁକିଛିର ଆଧାର ମନ ଏବଂ ତା’ର ବିଚାର ଅଟେ | ବରୁଣ ତଥାପି ମଧ୍ୟ ଚୁପ୍ ରହିଲେ ଏବଂ ଇଶାରା କଲେ ଯେ ଏବେ ମଧ୍ୟ ତୁମର
ତପସ୍ୟା ପୂର୍ଣ୍ଣ ହୋଇନାହିଁ; ଆହୁରି ତପସ୍ୟା କର | ଚତୁର୍ଥ ଥର
ତପସ୍ୟା କରିବାକୁ ଯାଇ ଭୃଗୁ ପାଇଲେ –
ବିଜ୍ଞାନଂ ବ୍ରହ୍ମେତି ବ୍ୟଜାନାତ୍ |
ବିଜ୍ଞାନାଦ୍ଧ୍ୟେବ ଖଲ୍ବିମାନି ଭୂତାନି ଜାୟନ୍ତେ | ବିଜ୍ଞାନେନ ଜାତାନି ଜୀବନ୍ତି | ବିଜ୍ଞାନଂ ପ୍ରୟନ୍ତ୍ୟଭିସଂବିଶନ୍ତୀତି
|
ବିଜ୍ଞାନ ବା ପ୍ରଜ୍ଞା/ବୁଦ୍ଧି ବ୍ରହ୍ମ ଅଟେ, କାରଣ ବୁଦ୍ଧି ମନକୁ ପ୍ରେରିତ କରିଥାଏ |
ତଥାପି ମଧ୍ୟ ବରୁଣ ସନ୍ତୁଷ୍ଟ ନ ହୋଇ କହିଲେ, ଆଉ ଟିକିଏ ଗଭୀର ତପସ୍ୟା କର | ଶେଷରେ
ଭୃଗୁ ଉପଲବଧି କଲେ –
ଆନନ୍ଦୋ ବ୍ରହ୍ମେତି ବ୍ୟଜାନାତ୍ |
ଆନନ୍ଦାଦ୍ଧ୍ୟେବ ଖଲ୍ବିମାନି ଭୂତାନି ଜାୟନ୍ତେ | ଆନନ୍ଦେନ ଜାତାନି ଜୀବନ୍ତି | ଆନନ୍ଦଂ
ପ୍ରୟନ୍ତ୍ୟଭିସଂବିଶନ୍ତୀତି |
ଆନନ୍ଦ ହିଁ ବ୍ରହ୍ମ ଅଟେ | ଆମେ ଆନନ୍ଦରୁ ଉତ୍ପନ୍ନ ହୋଇଅଛେ, ଆନନ୍ଦରେ ଆମେ
ସ୍ଥିତ ଏବଂ ମୃତ୍ୟୁ ଉପରନତେ ଆମେ ଆନନ୍ଦରେ ଲୀନ ହୋଇଯିବା | ଭୃଗୁଙ୍କର ଏହି ଅନ୍ତିମ ଉପଲବଧିରେ
ବରୁଣ ଅତୀବ ପ୍ରସନ୍ନ ହେଲେ ଏବଂ ନିଜ ପୁତ୍ରଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସେ କହିଲେ –
‘ସାଧୁ ସାଧୁ ପୁତ୍ର ! ଏବେ ତୁମେ ବ୍ରହ୍ମଙ୍କର ବାସ୍ତବ ସ୍ଵରୂପକୁ ଜାଣିପାରିଛ |’ ଅତଏବ ସେହି
ବ୍ରହ୍ମ, ଯାହାଙ୍କୁ କିଏ ପରମାତ୍ମା ତ କିଏ
ଭଗବାନ କହନ୍ତି, ବାସ୍ତବରେ ଆନନ୍ଦ ଅଟନ୍ତି, ରସ ଅଟନ୍ତି | ସେଥିପାଇଁ ବେଦରେ ଭଗବାନଙ୍କର ଗୋଟିଏ ନାମ – ସଚ୍ଚିଦାନନ୍ଦ ଅଟେ |
ସତ୍ୟଂ ବିଜ୍ଞାନଂ ଆନନ୍ଦଂ ବ୍ରହ୍ମ (ବେଦ)
ସତ୍ୟଂ ଜ୍ଞାନଂ ଅନନ୍ତଂ ବ୍ରହ୍ମ (ବେଦ)
ସତ୍ୟଜ୍ଞାନାନନ୍ତାନନ୍ଦମାତ୍ରୈକ
ରସମୂର୍ତ୍ତୟଃ (ଭାଗବତ)
ଭଗବାନ ସତ୍ୟ-ଜ୍ଞାନ ଏବଂ ଅନନ୍ତ ଆନନ୍ଦର ରସମୂର୍ତ୍ତି ଅଟନ୍ତି | ତାଙ୍କର ଶରୀର କେବଳ ରସରେ
ଗଢା, ତାହା ହାଡ-ମାଂସର ଶରୀର ନୁହେଁ |
ଆନନ୍ଦମାତ୍ର କରପାଦମୁଖୋଦରାଦି | (ପଦ୍ମ
ପୁରାଣ)
ଭଗବାନଙ୍କର ହସ୍ତ, ପଦ, ମୁଖ, ଉଦର ଆଦି ପ୍ରତ୍ୟେକ ଅଙ୍ଗ ଆନନ୍ଦରେ ଗଢା |
ଆନନ୍ଦସିନ୍ଧୁ ମଧ୍ୟ ତବ ବାସା | ବିନୁ
ଜାନେ କତ ମରତ ପିୟାସା || (ରାମାୟଣ)
ଅତଏବ ସମସ୍ତ ଶାସ୍ତ୍ର କହନ୍ତି, ଭଗବାନ ରସରୂପ, ଆନନ୍ଦବିଗ୍ରହ ଅଟନ୍ତି | କଥାରେ କହିବାକୁ ଲୋକେ ଏପରି କହିଦିଅନ୍ତି, ‘ଭଗବାନଙ୍କଠାରେ ଆନନ୍ଦ ଅଛି |’ କିନ୍ତୁ ବାସ୍ତବରେ ସେପରି ନୁହେଁ; ‘ଭଗବାନ ଆନନ୍ଦ ଅଟନ୍ତି |’ ଏହା ତ ଏପରି କଥା ଅଟେ ଯେପରି କି କିଏ କହିବେ ‘ସମୁଦ୍ରରେ ପାଣି ଅଛି |’ ସମୁଦ୍ରରେ ପାଣି ଅଛି ? ତାହାହେଲେ ସମୁଦ୍ର କ’ଣ ଏକ ପାତ୍ର ସଦୃଶ ଅଟେ, ଯେଉଁଥିରେ ପାଣି ଭାରୀ ରହିଛି ? ନା | ସମୁଦ୍ର କହିଲେ ବିଶାଳ ଏବଂ ଅଗାଧ ଜଳରାଶିକୁ ବୁଝାଇ ଥାଏ | ଆପଣ ଯଦି କହିବେ, ସମୁଦ୍ରରେ ଜଳ ଅଛି, ତେବେ ବାକ୍ୟଟି ଏହିପରି ହେବ ‘ଅଗାଧ ଜଳରାଶିରେ ଜଳ ରହିଛି’ – ଏହା କିପରି ବାକ୍ୟ? ଏହାର ତାତ୍ପର୍ଯ୍ୟ କ’ଣ ? ସେହିପରି, ଭଗବାନ ଆନନ୍ଦ ଅଟନ୍ତି | ଆମେ ଯଦି କହିବା ଭଗବାନଙ୍କଠାରେ ଆନନ୍ଦ ଅଛି, ତେବେ ବାକ୍ୟଟି ଏହିପରି ହେବ ‘ଆନନ୍ଦରେ ଆନନ୍ଦ ଅଛି |’ ପୁନଶ୍ଚ ବେଦ କହୁଛି – ଆନନ୍ଦୋ ବ୍ରହ୍ମେତି, ଅର୍ଥାତ୍ ବ୍ରହ୍ମ ହିଁ ଆନନ୍ଦ | ବେଦ ଏହା କହୁନାହିଁ ଯେ ଆନନ୍ଦୋ ବ୍ରହ୍ମଣି, ଅର୍ଥାତ୍ ବ୍ରହ୍ମଙ୍କଠାରେ ଆନନ୍ଦ ଅଛି | ସେହିପରି ବେଦ କହେ, ରସୋ ବୈ ସଃ – ସେ ରସ ଅଟନ୍ତି | ବେଦ ଏହା କହୁନାହିଁ ଯେ ରସୋ ବୈ ତସ୍ମିନ୍ – ତାଙ୍କଠାରେ ରସ ଅଛି | ଅତଏବ ଭଗବାନ ଏବଂ ଆନନ୍ଦ ଦୁହେଁ ପର୍ଯ୍ୟାୟବାଚୀ ଶବ୍ଦ ଅଟନ୍ତି | ଭଗବାନ ହିଁ ଆନନ୍ଦ ଏବଂ ଆନନ୍ଦ ହିଁ ଭଗବାନ |
**************************
.jpg)
Comments
Post a Comment