ମହାମୁନି ବେଦବ୍ୟାସ ବିରଚିତ

ଶ୍ରୀମଦ୍ ଭାଗବତ ମହାପୁରାଣ

ପ୍ରଥମ ସ୍କନ୍ଧ

ପ୍ରଥମ ଅଧ୍ୟାୟ -

ଶ୍ରୀ ସୂତ ମହାଶୟଙ୍କୁ ଶୌନକ ଆଦି ଋଷିମାନଙ୍କର ପ୍ରଶ୍ନ

ମଙ୍ଗଳାଚରଣ

 

ଜନ୍ମାଦ୍ୟସ୍ୟ ଯତୋଽନ୍ବୟାଦିତରତ-ଶ୍ଚାର୍ଥେଷ୍ବଭିଜ୍ଞଃ ସ୍ବରାଟ୍

ତେନେ ବ୍ରହ୍ମ ହୃଦା ୟ ଆଦିକବୟେ ମୁହ୍ୟନ୍ତି ଯତ୍ସୂରୟଃ |

ତେଜୋବାରିମୃଦାଂ ଯଥା ବିନିମୟୋ ଯତ୍ର ତ୍ରିସର୍ଗୋଽମୃଷା

ଧାମ୍ନା ସ୍ବେନ ସଦା ନିରସ୍ତକୁହକଂ ସତ୍ୟଂ ପରଂ ଧୀମହି ||୧||

ଯାହାଠାରେ ଏହି ସମଗ୍ର ଜଗତର ସୃଷ୍ଟି, ସ୍ଥିତି, ପ୍ରଳୟ ନିହିତ – ସେ ସମସ୍ତ ସଦ୍ରୁପ ପଦାର୍ଥର ଅନୁଗତ ଅଟନ୍ତି ଏବଂ ଅସତ୍ ପଦାର୍ଥରୁ ପୃଥକ୍ ଅଟନ୍ତି; ଜଡ ନୁହେଁ, ଚୈତନ୍ୟ ଅଟନ୍ତି; ପରତନ୍ତ୍ର ନୁହେଁ, ସ୍ବୟଂପ୍ରକାଶ ଅଟନ୍ତି; ଯିଏ ବ୍ରହ୍ମା ଅଥବା ହିରଣ୍ୟଗର୍ଭ ନୁହଁନ୍ତି, ବରଂ ଯିଏ ନିଜ ସଂକଳ୍ପ ଦ୍ବାରା ତାଙ୍କୁ ବେଦଜ୍ଞାନ ପ୍ରଦାନ କରିଥାଆନ୍ତି; ଯାହାର ବର୍ଣ୍ଣନା କରିବାକୁ ଯାଇ ବଡ-ବଡ ବିଦ୍ବାନମାନେ ମଧ୍ୟ ମୋହିତ ହୋଇଯାଆନ୍ତି; ଯେପରି ତେଜୋମୟ ସୂର୍ଯ୍ୟରଶ୍ମିରେ ଜଳର. ଜଳରେ ସ୍ଥଳର ଏବଂ ସ୍ଥଳରେ ଜଳର ଭ୍ରମ ହୋଇଥାଏ, ସେହିପରି ଯାହାଠାରେ ଏହି ତ୍ରିଗୁଣମୟୀ ଜାଗ୍ରତ-ସ୍ବପ୍ନ-ସୁଷୁପ୍ତିରୂପା ସୃଷ୍ଟି ମିଥ୍ୟା ହୋଇ ମଧ୍ୟ ଅଧିଷ୍ଠାନ-ସତ୍ତାରେ ସତ୍ୟବତ୍ ପ୍ରତୀତ ହେଉଅଛି, ନିଜର ସ୍ବୟଂପ୍ରକାଶ ଜ୍ୟୋତି ଦ୍ବାରା ସର୍ବଦା ମାୟା ଏବଂ ମାୟିକ କାର୍ଯ୍ୟରୁ ପୂର୍ଣ୍ଣତଃ ମୁକ୍ତ, ସେହି ପରମ ସତ୍ୟରୂପ ପରମାତ୍ମାଙ୍କର ଆମେ ଧ୍ୟାନ କରୁଛୁ |

ଧର୍ମଃ ପ୍ରୋଜ୍-ଝିତକୈତବୋଽତ୍ର ପରମୋ ନିର୍ମତ୍ସରାଣାଂ ସତାଂ

ବେଦ୍ୟଂ ବାସ୍ତବମତ୍ର ବସ୍ତୁ ଶିବଦଂ ତାପତ୍ରୟୋନ୍ମୂଳନମ୍ |

ଶ୍ରୀମଦ୍ଭାଗବତେ ମହାମୁନିକୃତେ କିଂ ବା ପରୈରୀଶ୍ବରଃ

ସଦ୍ୟୋ ହୃଦ୍ୟବରୁଧ୍ୟତେଽତ୍ର କୃତିଭିଃ ଶୁଶ୍ରୂଷୁଭିସ୍ତତ୍-କ୍ଷଣାତ୍ ||୨||

ମହାମୁନି ବେଦବ୍ୟାସଙ୍କ ଦ୍ବାରା ରଚିତ ଏହି ଶ୍ରୀମଦ୍ ଭାଗବତ ମହାପୁରାଣରେ ମୋକ୍ଷ ପର୍ଯ୍ୟନ୍ତ ସମସ୍ତ ଫଳ-କାମନା ରହିତ ପରମ ଧର୍ମର ନିରୂପଣ କରାଯାଇଛି | ଏଥିରେ ଶୁଦ୍ଧ-ଅନ୍ତଃକରଣ ସତ୍-ପୁରୁଷମାନଙ୍କ ଦ୍ବାରା ଗ୍ରହଣ ଯୋଗ୍ୟ ସେହି ପରମ ତତ୍ତ୍ବ ପରମାତ୍ମାଙ୍କର ନିରୂପଣ କରାଯାଇଛି, ଯାହା ତ୍ରିତାପର ମୂଳୋତ୍ପାଟନ କରିବାକୁ ସମର୍ଥ ପରମ କଲ୍ୟାଣକାରୀ ଅଟେ | କୌଣସି ସତ୍-ପୁରୁଷ ଏହାର ଶ୍ରବଣ କରିବାକୁ ଇଚ୍ଛା କରିବା ମାତ୍ରେ ଈଶ୍ବର ଅବିଳମ୍ବେ ତାଙ୍କ ହୃଦୟରେ ବନ୍ଦୀ ହୋଇଯାଆନ୍ତି |

ନିଗମକଳ୍ପତରୋର୍ଗଲିତଂ ଫଲଂ ଶୁକମୁଖାଦମୃତଦ୍ରବସଂଯୁତଂ |

ପିବତ ଭାଗବତଂ ରସମାଲୟଂ ମୁହୁରହୋ ରସିକା ଭୁବି ଭାବୁକାଃ ||୩||

ହେ ରସିକ ଭକ୍ତଜନ ! ଏହି ଶ୍ରୀମଦ୍ ଭାଗବତ ବେଦ-ରୂପୀ କଳ୍ପବୃକ୍ଷର ପକ୍ବ ଫଳ ଅଟେ | ଶ୍ରୀ ଶୁକଦେବରୂପୀ ଶୁକ ମୁଖରେ ଆସ୍ବାଦିତ ହୋଇ ଏହା ପରମାନନ୍ଦମୟୀ ଅମୃତରେ ପରିପୂର୍ଣ୍ଣ ହୋଇଯାଇଛି | ଏହି ଫଳରେ ଆବରଣ ଏବଂ ବୀଜ ଆଦି କୌଣସି ତ୍ୟାଜ୍ୟ ପଦାର୍ଥ କିଂଚିତ୍ ବି ନାହିଁ | ଏହା ମୂର୍ତ୍ତିମାନ ରସ ହିଁ ରସ ଅଟେ | ତେଣୁ ଶରୀରରେ ପ୍ରାଣ ରହିଥିବା ଯାଏଁ ନିରନ୍ତର ଏହି ଦିବ୍ୟ ଭଗବଦ୍-ରସର ପାନ କର | ଏହା ଭୂଲୋକରେ ହିଁ ସୁଲଭ ଅଟେ |

ନୈମିଷେଽନିମିଷକ୍ଷେତ୍ରେ ଋଷୟଃ ଶୌନକାଦୟଃ |

ସତ୍ରଂ ସ୍ବର୍ଗାୟ ଲୋକାୟ ସହସ୍ରସମମାସତ ||୪||

ଏକଦା ଭଗବାନ ବିଷ୍ଣୁ ଏବଂ ଦେବତାମାନଙ୍କର ପରମ ପୁଣ୍ୟମୟ କ୍ଷେତ୍ର ନୈମିଷାରଣ୍ୟରେ ଶୌନକାଦି ଋଷିମାନେ ଭଗବତ୍-ପ୍ରାପ୍ତିର ଅଭିଳାଷ ରଖି ସହସ୍ର ବର୍ଷରେ ପୂର୍ଣ୍ଣ ହେବାକୁ ଥିବା ଏକ ମହାନ୍ ଯଜ୍ଞର ଅନୁଷ୍ଠାନ କରିଥିଲେ |

ତ ଏକଦା ତୁ ମୁନୟଃ ପ୍ରାତର୍ହୁତହୁତାଗ୍ନୟଃ |

ସତ୍କୃତଂ ସୂତମାସୀନଂ ପପ୍ରଚ୍ଛୁରିଦମାଦରାତ୍ ||୫||

ଦିନେ ପ୍ରାତଃ କାଳରେ ସେମାନେ ଅଗ୍ନିହୋତ୍ର ଆଦି ନିତ୍ୟକୃତ ସମାପନ କରି ସୂତ ମୁନିଙ୍କର ପୂଜନ କଲେ ଏବଂ ତାଙ୍କୁ ଉଚ୍ଚ ଆସନରେ ଉପବେଶନ କରାଇ ଅତ୍ୟନ୍ତ ଆଦରପୂର୍ବକ ଏହି ପ୍ରଶ୍ନ କଲେ |

ଋଷୟ ଉଚୁଃ

ତ୍ବୟା ଖଳୁ ପୁରାଣାନି ସେତିହାସାନି ଚାନଘ |

ଆଖ୍ୟାତାନ୍ୟପ୍ୟଧୀତାନି ଧର୍ମଶାସ୍ତ୍ରାଣି ଯାନ୍ୟୁତ ||୬||

ହେ ସୂତ ମହାଶୟ ! ଆପଣ ନିଷ୍ପାପ ଅଟନ୍ତି | ଆପଣ ସମସ୍ତ ଇତିହାସ, ପୁରାଣ ଏବଂ ଧର୍ମଶାସ୍ତ୍ର ବିଧିପୂର୍ବକ ଅଧ୍ୟୟନ କରିଛନ୍ତି ଏବଂ ଉତ୍ତମ ରୂପେ ତାହାର ବ୍ୟାଖ୍ୟା ମଧ୍ୟ କରିଛନ୍ତି |

ଯାନି ବେଦବିଦାଂ ଶ୍ରେଷ୍ଥୋ ଭଗବାନ୍ ବାଦରାୟଣଃ |

ଅନ୍ୟେ ଚ ମୁନୟଃ ସୂତ ପରାବରବିଦୋ ବିଦୁଃ ||୭||

ବେତ୍ଥଂ ତ୍ବଂ ସୌମ୍ୟ ତତ୍ସର୍ବଂ ତତ୍ତ୍ବତସ୍ତଦନୁଗ୍ରହାତ୍ |

ବ୍ରୂୟୁଃ ସ୍ନିଗ୍ଧସ୍ୟ ଶିଷ୍ୟସ୍ୟ ଗୁରବୋ ଗୁହ୍ୟମପ୍ୟୁତ ||୮||

ବେଦବେତ୍ତାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଭଗବାନ ବାଦରାୟଣ ଭଗବାନଙ୍କର ସଗୁଣ-ନିର୍ଗୁଣ ଉଭୟ ସ୍ବରୂପର ଜ୍ଞାତା ଅଟନ୍ତି | ଏତଦ୍ ବ୍ୟତିତ, ଅନ୍ୟ ମୁନିମାନେ ଯାହା ସବୁ ଜାଣନ୍ତି, ତାହା ଆପଣ ତତ୍ତ୍ବତଃ ବାସ୍ତବିକ ରୂପରେ ଜାଣନ୍ତି | ଆପଣଙ୍କର ହୃଦୟ ଅତ୍ୟନ୍ତ ସରଳ ଏବଂ ଶୁଦ୍ଧ ଅଟେ, ସେଥିପାଇଁ ଆପଣ ସେମାନଙ୍କର କୃପା ଏବଂ ଅନୁଗ୍ରହର ପାତ୍ର ହୋଇ ପାରିଥିଲେ | ଗୁରୁଜନମାନେ ନିଜ ପ୍ରେମୀ ଶିଷ୍ୟକୁ ଗୁପ୍ତଠାରୁ ମଧ୍ୟ ଗୁପ୍ତ ଜ୍ଞାନ ପ୍ରଦାନ କରିଥାଆନ୍ତି |

ତତ୍ର ତତ୍ରାଞ୍ଜସାଽଽଯୁଷ୍ମନ୍ ଭବତା ଯଦ୍ବିନିଶ୍ଚିଟମ୍ |

ପୁଂସାମେକାନ୍ତତଃ ଶ୍ରେୟସ୍ତନ୍ନଃ ଶଂସିତୁମର୍ହସି ||୯||

ମହୋଦୟ ! ବର୍ତ୍ତମାନ ଆପଣ କୃପା କରି ଆମ୍ଭମାନଙ୍କୁ କହନ୍ତୁ - ସେହି ସବୁ ଶାସ୍ତ୍ର, ପୁରାଣ ଏବଂ ଗୁରୁଜନମାନଙ୍କର ଉପଦେଶରୁ ଆପଣ କଳିଯୁଗୀୟ ଜୀବମାନଙ୍କର କଲ୍ୟାଣାର୍ଥେ କେଉଁ ସାଧନ ନିଶ୍ଚିତ କରିଛନ୍ତି |

ପ୍ରାୟେଣାଳ୍ପାୟୁଷଃ ସଭ୍ୟ କଳାବସ୍ମିନ୍ ଯୁଗେ ଜନାଃ |

ମନ୍ଦାଃ ସୁମନ୍ଦମତୟୋ ମନ୍ଦଭାଗ୍ୟା ହ୍ୟୁପଦ୍ରୁତାଃ ||୧୦||

ଆପଣ ସନ୍ଥ-ସମାଜର ଭୂଷଣ ଅଟନ୍ତି | ଏହି କଳିଯୁଗରେ ପ୍ରାୟତଃ ମନୁଷ୍ୟର ଆୟୁ ସ୍ବଳ୍ପ ଅଟେ | ସାଧନା କରିବାରେ ଲୋକଙ୍କର ରୁଚି ଏବଂ ପ୍ରବୃତ୍ତିର ମଧ୍ୟ ଅଭାବ ପରିଲକ୍ଷିତ ହେଉଛି | ସେମାନେ ଆଳସ୍ୟପରାୟଣ ହୋଇ ଯାଇଛନ୍ତି | ସେମାନଙ୍କର ଭାଗ୍ୟ ତ ଖରାପ ଅଟେ, ବୁଦ୍ଧି ମଧ୍ୟ କମ୍ ଅଟେ | ତା’ ସହିତ ସେମାନଙ୍କୁ ଅନେକ ବାଧାବିଘ୍ନର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି |

ଭୂରୀଣି ଭୂରିକର୍ମାଣି ଶ୍ରୋତବ୍ୟାନି ବିଭାଗଶଃ |

ଅତଃ ସାଧୋଽତ୍ର ଯତ୍ସାରଂ ସମୁଦ୍-ଧୃତ୍ୟ ମନୀଷୟା |

ବ୍ରୂହି ନଃ ଶ୍ରଦ୍ୟଧାନାନାଂ ଯେନାତ୍ମା ସମ୍ପ୍ରସୀଦତି ||୧୧||

ଶାସ୍ତ୍ରମାନଙ୍କର ସଂଖ୍ୟା ଅନେକ ଅଟେ | ତା ସହିତ ସେଥିରେ ଏକ ନିର୍ଦ୍ଦିଷ୍ଟ ସାଧନା ନିର୍ଦ୍ଦେଶ କରା ନ ଯାଇ ଅନେକ ପ୍ରକାରର କର୍ମର ବର୍ଣ୍ଣନା କରାଯାଇ ଥାଏ | ଏତଦ୍ ବ୍ୟତିତ ସେହି ସବୁ ଶାସ୍ତ ଏତେ ବିଶାଳକାୟ ଯେ ତାହାର କିଛି ଅଂଶ ଶ୍ରବଣ କରିବା ମଧ୍ୟ କଠିନ ଅଟେ | ଆପଣ ପରୋପକାରୀ ଅଟନ୍ତି | ତେଣୁ, ଆପଣ ନିଜ ବୁଦ୍ଧିରେ ତାହାର ସାର ନିଧୃତ କରି ଜୀବର ପରମ କଲ୍ୟାଣ ନିମନ୍ତେ ଆମ୍ଭମାନଙ୍କ ପରି ଶ୍ରଦ୍ଧାଳୁ ଜନଙ୍କୁ ଶୁଣାନ୍ତୁ, ଯଦ୍ବାରା ଆମ୍ଭମାନଙ୍କର ଅନ୍ତଃକରଣ ମଧ୍ୟ ଶୁଦ୍ଧ ହୋଇପାରିବ |

ସୂତ ଜାନାସି ଭଦ୍ରଂ ତେ ଭଗବାନ୍ ସାତ୍ବତାଂ ପତିଃ |

ଦେବକ୍ୟାଂ ବସୁଦେବସ୍ୟ ଜାତୋ ଯସ୍ୟ ଚିକୀର୍ଷୟା ||୧୨||

ସୂତ ଜୀ ! ଆପଣ ଜାଣନ୍ତି, ଯଦୁବଂଶୀଙ୍କର ରକ୍ଷକ ଭକ୍ତବତ୍ସଳ ଭଗବାନ ଶ୍ରୀକୃଷ୍ଣ କେଉଁ କାରଣରୁ ବସୁଦେବଙ୍କର ପତ୍ନୀ ଦେବକୀଙ୍କ ଗର୍ଭରୁ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ |

ତନ୍ନଃ ଶୁଶ୍ରୁଷମାଣାନାମର୍ହସ୍ୟଙ୍ଗାନୁବର୍ଣିତୁମ୍ |

ଯସ୍ୟାବତାରୋ ଭୂତାନାଂ କ୍ଷେମାୟ ଚ ଭବାୟ ଚ ||୧୩||

ଆମେ ତାହା ଶୁଣିବାକୁ ଇଚ୍ଛା କରୁଛୁ | ଆପଣ କୃପା କରି ଆମ୍ଭମାନଙ୍କ ନିମନ୍ତେ ତାହାର ବର୍ଣ୍ଣନା କରନ୍ତୁ, କାରଣ ଭଗବାନଙ୍କର ଅବତାର ଜୀବର ପରମ କଲ୍ୟାଣ ଏବଂ ତାହାର ଭଗବତ୍-ପ୍ରେମମୟୀ ସମୃଦ୍ଧି ଉଦ୍ଦେଶ୍ୟରେ ହିଁ ହୋଇଥାଏ |

ଆପନ୍ନଃ ସଂସୃତିଂ ଘୋରାଂ ଯନ୍ନାମ ବିବଶୋ ଗୃଣନ୍ |

ତତଃ ସଦ୍ୟୋ ବିମୁଚ୍ୟେତ ଯଦ୍ବିଭେତି ସ୍ବୟଂ ଭୟମ୍ ||୧୪||

ଏହି ଜୀବ ଜନ୍ମ-ମୃତ୍ୟୁର ଭୟାନକ ଚକ୍ରରେ ଘୂରି ବୁଲୁଛି | ଏପରି ସ୍ଥିତିରେ ଯଦି ସେ କେବେ ଭଗବାନଙ୍କର ମଙ୍ଗଳମୟ ନାମ ଉଚ୍ଚାରଣ କରେ, ତେବେ ତତକ୍ଷଣାତ୍ ସେ ସେହି ଚକ୍ରରୁ ମୁକ୍ତ ହୋଇଯାଏ, କାରଣ ସ୍ବୟଂ ଭୟ ମଧ୍ୟ ଭଗବାନଙ୍କୁ ଭୟ କରେ |

ଯତ୍ପାଦସଂଶ୍ରୟାଃ ସୂତ ମୁନୟଃ ପ୍ରଶମାୟନାଃ |

ସଦ୍ୟଃ ପୁନନ୍ତ୍ୟୁପସ୍ପୃଷ୍ଟାଃ ସ୍ବର୍ଧୁନ୍ୟାପୋଽନୁସେବୟା ||୧୫||

ସୂତଜୀ ! ପରମ ବିରକ୍ତ ଏବଂ ପରମ ଶାନ୍ତ ମୁନିଜନ ଭଗବାନଙ୍କ ଶ୍ରୀଚରଣର ଶରଣରେ ହିଁ ରହିଥାଆନ୍ତି, ଅତଏବ ସେମାନଙ୍କର ସ୍ପର୍ଶ ଲାଭ କରିବା ମାତ୍ରେ ସାଂସାରିକ ଜୀବ ତୁରନ୍ତ ପବିତ୍ର ହୋଇଯାଆନ୍ତି, ଯାହା ବହୁ ଦିନ ଧରି ଗଙ୍ଗାଜୀଙ୍କର ପବିତ୍ର ଜଳ ସେବନ କରିବା ଦ୍ବାରା ପ୍ରାପ୍ତ ହୋଇଥାଏ |

କୋ ବା ଭଗବତସ୍ତସ୍ୟ ପୁଣ୍ୟଶ୍ଲୋକେହ୍ୟକର୍ମଣଃ |

ଶୁଦ୍ଧିକାମୋ ନ ଶୃଣୁୟାଦ୍ୟଶଃ କଲିମଲାପହମ୍ ||୧୬||

ଏହି ପୁଣ୍ୟାତ୍ମା ଭକ୍ତମାନେ ଯାହାର ଲୀଳାବଳୀର ଗାନ କରୁଥାଆନ୍ତି, ଆତ୍ମଶୁଦ୍ଧି ଅଭିଳାଷୀ ଏପରି କେଉଁ ମନୁଷ୍ୟ ଅଛି, ଯିଏ ଭଗବାନଙ୍କର ସେହି କଳିମଳହାରୀ ପବିତ୍ର ଯଶ ଶ୍ରବଣ ନ କରିବ |

ତସ୍ୟ କର୍ମାଣ୍ୟୁଦାରାଣି ପରିଗୀତାନି ସୂରିଭିଃ |

ବ୍ରୂହି ନଃ ଶ୍ରଦ୍ୟଧାନାନାଂ ଲୀଲୟା ଦଧତଃ କଲାଃ ||୧୭||

ସେ ଲୀଳାରେ ହିଁ ଅବତାର ଧାରଣ କରିଥାଆନ୍ତି | ନାରଦ ଆଦି ମହାତ୍ମାମାନେ ତାଙ୍କ ଉଦାର ଚରିତର ଗାୟନ କରନ୍ତି | ଆମ୍ଭମାନଙ୍କ ପରି ଶ୍ରଦ୍ଧାଳୁଙ୍କର ଶ୍ରବଣାର୍ଥେ ଆପଣ ତାହାର ବର୍ଣ୍ଣନା କରନ୍ତୁ |

ଅଥାଖ୍ୟାହି ହରେର୍ଧୀମନ୍ନବତାରକଥାଃ ଶୁଭାଃ |

ଲୀଲା ବିଦଧତଃ ସ୍ବୈରମୀଶ୍ବରସ୍ୟାତ୍ମମାୟୟା ||୧୮||

ବୁଦ୍ଧିମାନ ସୂତଜୀ ! ସର୍ବସମର୍ଥ ପ୍ରଭୁ ନିଜ ଯୋଗମାୟା ବଳରେ ସ୍ବଚ୍ଛନ୍ଦ ଲୀଳା କରିଥାଆନ୍ତି | ଆପଣ ଶ୍ରୀହରିଙ୍କର ସେହି ମଙ୍ଗଳମୟୀ ଅବତାର-ଲୀଳାର ବର୍ଣ୍ଣନ କରନ୍ତୁ |

ବୟଂ ତୁ ନ ବିତୃପ୍ୟାମ ଉତ୍ତମଶ୍ଲୋକବିକ୍ରମେ |

ଯଚ୍ଛୃଣ୍ୱତାଂ ରସଜ୍ଞାନାଂ ସ୍ବାଦୁ ସ୍ବାଦୁ ପଦେ ପଦେ ||୧୯||

ପୁଣ୍ୟକୀର୍ତ୍ତି ଭଗବାନଙ୍କର ଲୀଳା-କଥା ଶ୍ରବଣ କରି ଆମେ କେବେ ତୃପ୍ତ ହେବୁନାହିଁ, କାରଣ ଭଗବାନଙ୍କର ଲୀଳା-କଥାରେ ରସଜ୍ଞ ଶ୍ରୋତାଗଣ ଅନବରତ ନବୀନ ରସ ଅନୁଭବ କରିଥାଆନ୍ତି |

କୃତବାନ୍ କିଲ ବୀର୍ଯ୍ୟାଣି ସହ ରାମେଣ କେଶବଃ |

ଅତିମର୍ତ୍ୟାନି ଭଗବାନ୍ ଗୂଢଃ କପଟମାନୁଷଃ ||୨୦||

ଭଗବାନ ଶ୍ରୀକୃଷ୍ଣ ନିଜକୁ ଗୁପ୍ତ ରଖିଥିଲେ, ଲୋକଙ୍କ ସମ୍ମୁଖରେ ନିଜକୁ ସେ ଏପରି ପ୍ରଦର୍ଶିତ କରିଥିଲେ ସତେ ଯେପରି ସେ ଜଣେ ସାଧାରଣ ମନୁଷ୍ୟ ଅଟନ୍ତି | କିନ୍ତୁ ବଳରାମଙ୍କ ସହିତ ମିଶି ସେ ଏପରି ସବୁ ଲୀଳା କରିଥିଲେ, ଏପରି ପରାକ୍ରମ ପ୍ରଦର୍ଶନ କରିଥିଲେ, ଯାହା କୌଣସି ମନୁଷ୍ୟ କରିପାରିବ ନାହିଁ |

କଲିମାଗତମାଜ୍ଞାୟ କ୍ଷେତ୍ରେଽସ୍ମିନ୍ ବୈଷ୍ଣବେ ବୟମ୍ |

ଆସୀନା ଦୀର୍ଘସତ୍ରେଣ କଥାୟାଂ ସକ୍ଷଣା ହରେଃ ||୨୧||

କଳିଯୁଗର ଆଗମନ ବିଷୟରେ ଅବଗତ ହୋଇ ଆମ୍ଭେମାନେ ଏହି ବୈଷ୍ଣବକ୍ଷେତ୍ରରେ ଏକ ଦୀର୍ଘକାଳୀନ ସତ୍ରର ସଂକଳ୍ପ ସହିତ ଉପବେଶନ କରିଅଛୁ | ଶ୍ରୀହରିଙ୍କର କଥା ଶ୍ରବଣ କରିବାର ଅବକାଶ ଆମକୁ ପ୍ରାପ୍ତ ହୋଇଛି |

ତ୍ବଂ ନଃ ସଂଦର୍ଶିତୋ ଧାତ୍ରା ଦୁସ୍ତରଂ ନିସ୍ତିତୀର୍ଷତାମ୍ |

କଲିଂ ସତ୍ତ୍ବହରଂ ପୁଂସାଂ କର୍ଣଧାର ଇବାର୍ଣବମ୍ ||୨୨||

ଏହି କଳିଯୁଗ ଅନ୍ତଃକରଣର ପବିତ୍ରତା ଓ ଶକ୍ତିର ବିନାଶକାରୀ ଅଟେ | ଏଥିରୁ ରକ୍ଷା ପାଇବା ଅତ୍ୟନ୍ତ କଠିନ ଅଟେ | ତେବେ ସମୁଦ୍ର ପାରି ହେବାକୁ ଇଚ୍ଛା କରୁଥିବା ବ୍ୟକ୍ତିକୁ ଜଣେ ନାବିକ ମିଳିଯିବା ପରି, ଏଥିରୁ ଉଦ୍ଧାର ପାଇବା ପାଇଁ ଇଚ୍ଛୁକ ଆମ୍ଭମାନଙ୍କ ପାଖକୁ ବ୍ରହ୍ମାଜୀ ଆପଣଙ୍କୁ ପଠାଇଛନ୍ତି |

ବ୍ରୂହି ଯୋଗେଶ୍ବରେ କୃଷ୍ଣେ ବ୍ରହ୍ମଣ୍ୟେ ଧର୍ମବର୍ମଣି |

ସ୍ବାଂ କାଷ୍ଠାମଧୁନୋପେତେ ଧର୍ମଃ କଂ ଶରଣଂ ଗତଃ ||୨୩||

ଧର୍ମରକ୍ଷକ, ବ୍ରାହ୍ମଣଭକ୍ତ, ଯୋଗେଶ୍ବର ଭଗବାନ ଶ୍ରୀକୃଷ୍ଣ ନିଜ ଧାମକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଏବେ ଧର୍ମ କାହା ଶରଣ ଗ୍ରହଣ କରିଛି – କୃପା କରି ତାହାର ବ୍ୟାଖ୍ୟା କରନ୍ତୁ |

 

                   ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାଂ ପ୍ରଥମସ୍କନ୍ଧେ

                                      ନୈମିଷୀୟୋପାଖ୍ୟାନେ ପ୍ରଥମୋଽଧ୍ୟାୟଃ |


Comments

Popular posts from this blog