॥ ଓଁ ନମୋ ଭଗବତେ ବାସୁଦେବାୟ ॥
ଶ୍ରୀମଦ୍ ଭାଗବତ ମହାପୁରାଣ
ପ୍ରଥମ ସ୍କନ୍ଧ
ପଞ୍ଚମ ଅଧ୍ୟାୟ
ଭଗବାନଙ୍କ ଯଶ-କୀର୍ତ୍ତିର
ମହିମା ଏବଂ
ଦେବର୍ଷି ନାରଦଙ୍କର
ପୂର୍ବଚରିତ୍ର
ସୂତ ଉବାଚ
ଅଥ ତଂ ସୁଖମାସୀନ ଉପାସୀନଂ ବୃହଚ୍ଛ୍ରବାଃ ।
ଦେବର୍ଷିଃ ପ୍ରାହ ବିପ୍ରର୍ଷିଂ ବୀଣାପାଣିଃ ସ୍ମୟନ୍ନିବ ॥ ୧॥
ସୂତ ମୁନି କହୁଛନ୍ତି
ତଦନନ୍ତର ସୁଖପୂର୍ବକ ଉପବେଶନ କରି ବୀଣାପାଣି ପରମ ଯଶସ୍ବୀ ଦେବର୍ଷି
ନାରଦ ସ୍ମିତହାସ୍ୟଯୁକ୍ତ ହୋଇ ନିଜ ପାଖରେ ବସିଥିବା ବ୍ରହ୍ମର୍ଷି ବେଦବ୍ୟାସଙ୍କୁ କହିଲେ -
ନାରଦ ଉବାଚ
ପାରାଶର୍ୟ ମହାଭାଗ ଭବତଃ କଚ୍ଚିଦାତ୍ମନା ।
ପରିତୁଷ୍ୟତି ଶାରୀର ଆତ୍ମା ମାନସ ଏବ ବା ॥ ୨॥
ଦେବର୍ଷି ନାରଦ କହିଲେ - ମହାଭାଗ ବ୍ୟାସ ଜୀ ! ଆପଣଙ୍କର ଶରୀର ଏବଂ
ମନ ନିଜ ନିଜର କର୍ମ ଏବଂ ଚିନ୍ତନରେ ସନ୍ତୁଷ୍ଟ ରହିଛନ୍ତି ତ ?
ଜିଜ୍ଞାସିତଂ ସୁସମ୍ପନ୍ନମପି ତେ ମହଦଦ୍ଭୁତମ୍ ।
କୃତବାନ୍ ଭାରତଂ ଯସ୍ତ୍ୱଂ ସର୍ୱାର୍ଥପରିବୃଂହିତମ୍ ॥ ୩॥
ଆପଣଙ୍କର ସମସ୍ତ ଜିଜ୍ଞାସା ତ ନିଶ୍ଚିତ ଭାବରେ ଶାନ୍ତ ହୋଇ ଯାଇଥିବ;
କାରଣ ଆପଣ ଯେଉଁ ମହାଭାରତ ରଚନା କରିଛନ୍ତି, ତାହା ଅତ୍ୟନ୍ତ ଅଦ୍ଭୁତ ଅଟେ | ତାହା ଧର୍ମ ଆଦି
ସମସ୍ତ ପୁରୁଷାର୍ଥରେ ପରିପୂର୍ଣ୍ଣ ଅଟେ |
ଜିଜ୍ଞାସିତମଧୀତଂ ଚ ଯତ୍ତଦ୍ବ୍ରହ୍ମ ସନାତନମ୍ ।
ଅଥାପି ଶୋଚସ୍ୟାତ୍ମାନମକୃତାର୍ଥ ଇବ ପ୍ରଭୋ ॥ ୪॥
ସନାତନ ବ୍ରହ୍ମତତ୍ତ୍ବର ମନନ ମଧ୍ୟ ଆପଣ ବହୁତ ବେଶୀ କରିଛନ୍ତି ଏବଂ
ତାହାକୁ ଜାଣି ପାରିଛନ୍ତି | ତଥାପି ପ୍ରଭୁ ! ଆପଣ ଅକୃତାର୍ଥ ପୁରୁଷ ପରି ନିଜକୁ ନେଇ ଏପରି
ଶୋକଗ୍ରସ୍ତ କାହିଁକି ରହିଛନ୍ତି ?
ବ୍ୟାସ ଉବାଚ
ଅସ୍ତ୍ୟେବ ମେ ସର୍ୱମିଦଂ ତ୍ୱୟୋକ୍ତଂ
ତଥାପି ନାତ୍ମା ପରିତୁଷ୍ୟତେ ମେ ।
ତନ୍ମୂଲମବ୍ୟକ୍ତମଗାଧବୋଧଂ
ପୃଚ୍ଛାମହେ ତ୍ୱାତ୍ମଭବାତ୍ମଭୂତମ୍ ॥ ୫॥
ବ୍ୟାସଦେବ କହିଲେ – ହେ ଦେବର୍ଷି ! ଆପଣ ମୋ ବିଷୟରେ ଯାହା କିଛି କହିଲେ, ତାହା ସତ ଅଟେ | କିନ୍ତୁ ଏତେସବୁ ସତ୍ତ୍ବେ ବି ମୋର ହୃଦୟ ସନ୍ତୁଷ୍ଟ ହୋଇ ପାରୁନାହିଁ | ଏହାର କାରଣ କ’ଣ ମୁଁ ଜାଣିପାରୁ ନାହିଁ | ଆପଣଙ୍କର ଜ୍ଞାନ ଅଗାଧ ଅଟେ; ଆପଣ ବ୍ରହ୍ମାଙ୍କର ମାନସପୁତ୍ର ଅଟନ୍ତି | ମୁଁ ଆପଣଙ୍କଠାରୁ ମୋ ଅସନ୍ତୋଷର କାରଣ ଜାଣିବାକୁ ଇଚ୍ଛା କରୁଛି |
ସ ବୈ ଭବାନ୍ ବେଦ ସମସ୍ତଗୁହ୍ୟ-
ମୁପାସିତୋ ଯତ୍ପୁରୁଷଃ ପୁରାଣଃ ।
ପରାବରେଶୋ ମନସୈବ ବିଶ୍ୱଂ
ସୃଜତ୍ୟବତ୍ୟତ୍ତି ଗୁଣୈରସଙ୍ଗଃ ॥ ୬॥
ନାରଦ ଜୀ ! ଆପଣ ସମସ୍ତ ଗୋପନୀୟ ରହସ୍ୟକୁ ଜାଣନ୍ତି; କାରଣ ଆପଣ ସେହି
ପୁରାଣପୁରୁଷଙ୍କର ଉପାସନା କରନ୍ତି, ଯିଏ ପ୍ରକୃତି-ପୁରୁଷ
ଉଭୟର ସ୍ବାମୀ ଅଟନ୍ତି ଏବଂ ଅସଙ୍ଗ ରହି ମଧ୍ୟ ସଂକଳ୍ପମାତ୍ରେ ଗୁଣମାନଙ୍କ ଦ୍ବାରା ସଂସାରର
ସୃଷ୍ଟି, ସ୍ଥିତି ଏବଂ ପ୍ରଳୟ
କରିଥାଆନ୍ତି |
ତ୍ୱଂ ପର୍ୟଟନ୍ନର୍କ ଇବ ତ୍ରିଲୋକୀ-
ମନ୍ତଶ୍ଚରୋ ବାୟୁରିବାତ୍ମସାକ୍ଷୀ ।
ପରାବରେ ବ୍ରହ୍ମଣି ଧର୍ମତୋ ବ୍ରତୈଃ
ସ୍ନାତସ୍ୟ ମେ ନ୍ୟୂନମଲଂ ବିଚକ୍ଷ୍ୱ ॥ ୭॥
ସୂର୍ଯ୍ୟ ସଦୃଶ ଆପଣ ତ୍ରିଲୋକରେ ଭ୍ରମଣ କରୁଥାଆନ୍ତି ଏବଂ ଯୋଗବଳରେ
ପ୍ରାଣବାୟୁ ସଦୃଶ ସମସ୍ତଙ୍କ ଭିତରେ ପ୍ରବେଶ କରି ଅନ୍ତଃକରଣର ସାକ୍ଷୀ ମଧ୍ୟ ଅଟନ୍ତି |
ଯୋଗାନୁଷ୍ଠାନ ଏବଂ ନିୟମ ଆଦି ଦ୍ବାରା ଉଭୟ ପରବ୍ରହ୍ମ ଓ ଶବ୍ଦବ୍ରହ୍ମର ପୂର୍ଣ୍ଣ ପ୍ରାପ୍ତି
କରିନେବା ପରେ ମଧ୍ୟ ମୋଠାରେ କ’ଣ ଅଭାବ ରହିଛି, କୃପା କରି ତାହା ମୋତେ କହନ୍ତୁ |
ଶ୍ରୀନାରଦ ଉବାଚ
ଭବତାନୁଦିତପ୍ରାୟଂ ଯଶୋ ଭଗବତୋଽମଲମ୍ ।
ଯେନୈବାସୌ ନ ତୁଷ୍ୟେତ ମନ୍ୟେ ତଦ୍ଦର୍ଶନଂ ଖିଲମ୍ ॥ ୮॥
ଦେବର୍ଷି ନାରଦ କହିଲେ - ବ୍ୟାସ ଜୀ ! ଆପଣ ଭଗବାନଙ୍କର ନିର୍ମଳ ଯଶର ଗାନ ପ୍ରାୟତଃ କରିନାହାଁନ୍ତି | ମୋର ଏପରି ମାନ୍ୟତା ଯେ ଯାହା ଦ୍ବାରା ଭଗବାନ ସନ୍ତୁଷ୍ଟ ହୁଅନ୍ତି ନାହିଁ, ସେହି ଶାସ୍ତ୍ର ବା ଜ୍ଞାନ ଅସମ୍ପୂର୍ଣ୍ଣ ଅଟେ |
ଯଥା ଧର୍ମାଦୟଶ୍ଚାର୍ଥା ମୁନିବର୍ୟାନୁକୀର୍ତିତାଃ ।
ନ ତଥା ବାସୁଦେବସ୍ୟ ମହିମା ହ୍ୟନୁବର୍ଣିତଃ ॥ ୯॥
ଧର୍ମ ଆଦି ପୁରୁଷାର୍ଥର ଆପଣ ଯେପରି ଭାବରେ ନିରୂପଣ କରିଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ମହିମାର ନିରୂପଣ ଆପଣ ସେପରି ଭାବରେ
କରିନାହାଁନ୍ତି |
ନ ଯଦ୍ୱଚଶ୍ଚିତ୍ରପଦଂ ହରେର୍ୟଶୋ
ଜଗତ୍ପବିତ୍ରଂ ପ୍ରଗୃଣୀତ କର୍ହିଚିତ୍ ।
ତଦ୍ୱାୟସଂ ତୀର୍ଥମୁଶନ୍ତି ମାନସା
ନ ଯତ୍ର ହଂସା ନିରମନ୍ତ୍ୟୁଶିକ୍କ୍ଷୟାଃ ॥ ୧୦॥
ବାଣୀ କେତେ ବେଶୀ ରସ-ଭାବ-ଅଳଙ୍କାର ଆଦିରେ ଯୁକ୍ତ ହୋଇଥାଉ ନା କାହିଁକି, ଯଦି ସେଥିରେ ଜଗତକୁ ପବିତ୍ର କରୁଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଯଶ
ଗାନ କରା ନ ଯାଏ, ତେବେ ତାହା କାକ
ନିମନ୍ତେ ଉଚ୍ଛିଷ୍ଟ ଫିଙ୍ଗା ଯାଇଥିବା ସ୍ଥାନ ପରି ଅପବିତ୍ର ଅଟେ | ମାନସରୋବରର କମନୀୟ କମଳବନରେ
ବିହାର କରୁଥିବା ହଂସମାନଙ୍କ ସଦୃଶ ବ୍ରହ୍ମଧାମରେ ବିହାର କରୁଥିବା ଭଗବଚ୍ଚରଣାରବିନ୍ଦାଶ୍ରିତ
ପରମହଂସ ଭକ୍ତମାନେ ସେଥିରେ କେବେ ବି ରମଣ କରନ୍ତି ନାହିଁ |
ତଦ୍ୱାଗ୍ୱିସର୍ଗୋ ଜନତାଘବିପ୍ଲବୋ
ଯସ୍ମିନ୍ ପ୍ରତିଶ୍ଲୋକମବଦ୍ଧବତ୍ୟପି ।
ନାମାନ୍ୟନନ୍ତସ୍ୟ ଯଶୋଽଙ୍କିତାନି ଯ-
ଚ୍ଛୃଣ୍ୱନ୍ତି ଗାୟନ୍ତି ଗୃଣନ୍ତି ସାଧବଃ ॥ ୧୧॥
ଅପର ପକ୍ଷେ, ସୁନ୍ଦର ରଚନା ହୋଇ ନ ଥାଉ ଏବଂ ଦୂଷିତ ଶବ୍ଦଯୁକ୍ତ
ହୋଇଥାଉ ପଛକେ, ଯଦି ତାହାର
ପ୍ରତ୍ୟେକ ଶ୍ଲୋକ ଭଗବାନଙ୍କ ସୁଯଶସୂଚକ ନାମରେ ଯୁକ୍ତ ହୋଇଥାଏ, ସେହି ବାଣୀ ବ୍ୟକ୍ତିର ସମସ୍ତ ପାପ ନାଶ କରି ଦେଇଥାଏ, କାରଣ ସତ୍-ପୁରୁଷମାନେ ସେହିପରି ବାଣୀର ଶ୍ରବଣ, ଗାନ ଏବଂ କୀର୍ତ୍ତନ କରନ୍ତି |
ନୈଷ୍କର୍ମ୍ୟମପ୍ୟଚ୍ୟୁତଭାବବର୍ଜିତଂ
ନ ଶୋଭତେ ଜ୍ଞାନମଲଂ ନିରଞ୍ଜନମ୍ ।
କୁତଃ ପୁନଃ ଶଶ୍ୱଦଭଦ୍ରମୀଶ୍ୱରେ
ନ ଚାର୍ପିତଂ କର୍ମ ଯଦପ୍ୟକାରଣମ୍ ॥ ୧୨॥
ମୋକ୍ଷ ପ୍ରାପ୍ତିର ସାକ୍ଷାତ ସାଧନ ସେହି ନିର୍ମଳ ଜ୍ଞାନ, ଯଦି
ଭଗବାନଙ୍କର ଭକ୍ତି ରହିତ ହୋଇଥାଏ, ତାହା ମଧ୍ୟ ବହୁତ
ବେଶୀ ଶୋଭନୀୟ ନୁହେଁ | ସେହି କ୍ଷେତ୍ରରେ, ସାଧନ ଏବଂ ସିଦ୍ଧି ଉଭୟ ଅବସ୍ଥାରେ ସର୍ବଦା
ଅମଙ୍ଗଳରୂପ ସେହି କାମ୍ୟ-କର୍ମ ଏବଂ ଭଗବାନଙ୍କ ପ୍ରତି ଅର୍ପିତ ହୋଇ ନ ଥିବା ଅହୈତୁକ ନିଷ୍କାମ
କର୍ମ ସୁଶୋଭିତ ହେବ କିପରି ?
ଅଥୋ ମହାଭାଗ ଭବାନମୋଘଦୃକ୍-
ଶୁଚିଶ୍ରବାଃସତ୍ୟରତୋ ଧୃତବ୍ରତଃ ।
ଉରୁକ୍ରମସ୍ୟାଖିଲବନ୍ଧମୁକ୍ତୟେ
ସମାଧିନାନୁସ୍ମର ତଦ୍ୱିଚେଷ୍ଟିତମ୍ ॥ ୧୩॥
ହେ ମହାଭାଗ ବ୍ୟାସ ! ଆପଣଙ୍କ ଦୃଷ୍ଟି ଅମୋଘ ଅଟେ | ଆପଣଙ୍କର
କୀର୍ତ୍ତି ପବିତ୍ର ଅଟେ | ଆପଣ ସତ୍ୟ ପରାୟଣ ଏବଂ ଦୃଢ଼ବ୍ରତ ଅଟନ୍ତି | ତେଣୁ ଏବେ ଆପଣ ଜୀବ
ସମୁଦାୟକୁ ବନ୍ଧନ ମୁକ୍ତ କରିବା ପାଇଁ ସମାଧିରେ ଅଚିନ୍ତ୍ୟଶକ୍ତି ଭଗବାନଙ୍କ ଲୀଳାର ସ୍ମରଣ
କରନ୍ତୁ |
ତତୋଽନ୍ୟଥା କିଞ୍ଚନ ଯଦ୍ୱିବକ୍ଷତଃ
ପୃଥଗ୍ଦୃଶସ୍ତତ୍କୃତରୂପନାମଭିଃ ।
ନ କୁତ୍ରଚିତ୍କ୍ୱାପି ଚ ଦୁଃସ୍ଥିତା ମତି-
ର୍ଲଭେତ ବାତାହତନୌରିବାସ୍ପଦମ୍ ॥ ୧୪॥
ଯେଉଁ ବ୍ୟକ୍ତି ଭଗବାନଙ୍କ ଲୀଳା ଅତିରିକ୍ତ ଅନ୍ୟ କିଛି କହିବାକୁ
ଇଚ୍ଛା କରନ୍ତି, ସେ ସେହି ଇଚ୍ଛାରୁ
ସୃଷ୍ଟ ଅନେକ ନାମ-ରୂପ ଘେରରେ ପଡିଯାଆନ୍ତି | ତାଙ୍କର ବୁଦ୍ଧି ଭେଦଭାବରେ ଭରିଯାଏ ଏବଂ ପ୍ରବଳ
ବାୟୁ ପ୍ରବାହରେ ହୁଲି ଡଙ୍ଗାଟିଏ ଯେପରି ସ୍ଥିର ରହିପାରେ ନାହିଁ, ତାଙ୍କର ଚଞ୍ଚଳ ବୁଦ୍ଧି ସେହିପରି କେଉଁଠାରେ ସ୍ଥିର ରହେନାହିଁ |
ଜୁଗୁପ୍ସିତଂ ଧର୍ମକୃତେଽନୁଶାସତଃ
ସ୍ୱଭାବରକ୍ତସ୍ୟ ମହାନ୍ ବ୍ୟତିକ୍ରମଃ ।
ଯଦ୍ୱାକ୍ୟତୋ ଧର୍ମ ଇତୀତରଃ ସ୍ଥିତୋ
ନ ମନ୍ୟତେ ତସ୍ୟ ନିବାରଣଂ ଜନଃ ॥ ୧୫॥
ସଂସାରୀ ବ୍ୟକ୍ତି ସ୍ବଭାବତଃ ବିଷୟରେ ଲିପ୍ତ ରହିଥାଆନ୍ତି | ଧର୍ମ
ନାମରେ ଆପଣ ସେମାନଙ୍କୁ ନିନ୍ଦିତ (ପଶୁହିଂସାଯୁକ୍ତ) ସକାମ କର୍ମ କରିବାକୁ ଆଜ୍ଞା ପ୍ରଦାନ
କରିଦେଲେ, ଯାହାର ପ୍ରଭାବ ପୁରାପୁରି ବିପରୀତ ହେଲା | ମୂର୍ଖବ୍ୟକ୍ତି ଆପଣଙ୍କର ବଚନ ଭାବରେ
ସେହି ନିନ୍ଦିତ କର୍ମକୁ ଧର୍ମ ମନେକରି ‘ଏହା ମାନବ ଧର୍ମ ଅଟେ’, ଏହା ବିଶ୍ବାସ କରିବାରେ ଲାଗିଲେ ଏବଂ ତାହାର ନିଷେଧ କରୁଥିବା
ବଚନକୁ ସତ୍ୟ ମନେ କଲେନାହିଁ |
ବିଚକ୍ଷଣୋଽସ୍ୟାର୍ହତି ବେଦିତୁଂ ବିଭୋ-
ରନନ୍ତପାରସ୍ୟ ନିବୃତ୍ତିତଃ ସୁଖମ୍ ।
ପ୍ରବର୍ତମାନସ୍ୟ ଗୁଣୈରନାତ୍ମନ-
ସ୍ତତୋ ଭବାନ୍ ଦର୍ଶୟ ଚେଷ୍ଟିତଂ ବିଭୋଃ ॥ ୧୬॥
ଭଗବାନ ଅନନ୍ତ ଅଟନ୍ତି | କୌଣସି ବିଚାରବାନ୍ ଜ୍ଞାନୀ ପୁରୁଷ ହିଁ ସଂସାର ନିବୃତ୍ତ ହୋଇ ତାଙ୍କର ସ୍ବରୂପଭୂତ ପରମାନନ୍ଦର ଅନୁଭବ କରିପାରନ୍ତି | ତେଣୁ ଯେଉଁ ଜୀବ ପରମାର୍ଥିକ ବୁଦ୍ଧିରହିତ ଅଟନ୍ତି ଏବଂ ଗୁଣର କବଳିତ ହୋଇ ନାଚୁଥାଆନ୍ତି, ସେମାନଙ୍କର କଲ୍ୟାଣ ନିମନ୍ତେ ଆପଣ ସର୍ବସାଧାରଣ ହିତ ଦୃଷ୍ଟିରୁ ଭଗବାନଙ୍କ ଲୀଳାର ବର୍ଣ୍ଣନା କରନ୍ତୁ |
ତ୍ୟକ୍ତ୍ୱା ସ୍ୱଧର୍ମଂ ଚରଣାମ୍ବୁଜଂ ହରେ-
ର୍ଭଜନ୍ନପକ୍ୱୋଽଥ ପତେତ୍ତତୋ ଯଦି ।
ଯତ୍ର କ୍ୱ ବାଭଦ୍ରମଭୂଦମୁଷ୍ୟ କିଂ
କୋ ବାର୍ଥ ଆପ୍ତୋଽଭଜତାଂ ସ୍ୱଧର୍ମତଃ ॥ ୧୭॥
ଯେଉଁ ବ୍ୟକ୍ତି ସ୍ବଧର୍ମ ପରିତ୍ୟାଗ କରି ଭଗବାନଙ୍କ ଚରଣକମଳର
ଭଜନ-ସେବନ କରୁଥାଆନ୍ତି, ଭଜନ ପରିପକ୍ବ ହେବାର ଫଳ କଥା ଛାଡନ୍ତୁ, କୌଣସି କାରଣରୁ ତା’ ପୂର୍ବରୁ
ଯଦି ତାଙ୍କୁ ଭଜନରୁ ଅବ୍ୟାହତି ନେବାକୁ ପଡ଼େ, ତେବେ ମଧ୍ୟ ତାଙ୍କର
ଅମଙ୍ଗଳ ହୋଇ ନ ଥାଏ | ଅଥଚ ଯେଉଁମାନେ ଭଗବାନଙ୍କର ଭଜନ ନ କରି କେବଳ ସ୍ବଧର୍ମ ପାଳନ
କରିଥାଆନ୍ତି ସେମାନଙ୍କୁ କୌଣସି ଲାଭ ମିଳେନାହିଁ |
ତସ୍ୟୈବ ହେତୋଃ ପ୍ରୟତେତ କୋବିଦୋ
ନ ଲଭ୍ୟତେ ଯଦ୍ଭ୍ରମତାମୁପର୍ୟଧଃ ।
ତଲ୍ଲଭ୍ୟତେ ଦୁଃଖବଦନ୍ୟତଃ ସୁଖଂ
କାଲେନ ସର୍ୱତ୍ର ଗଭୀରରଂହସା ॥ ୧୮॥
ବୁଦ୍ଧିମାନ ମନୁଷ୍ୟ ସେହି ବସ୍ତୁର ପ୍ରାପ୍ତି ନିମନ୍ତେ ପ୍ରଯତ୍ନ
କରିବା ଉଚିତ୍ ଯାହା ତୃଣଠାରୁ ଆରମ୍ଭ କରି ବ୍ରହ୍ମା ପର୍ଯ୍ୟନ୍ତ ସମସ୍ତ ଉଚ୍ଚ-ନୀଚ ଯୋନିରେ
କର୍ମର ଫଳ ସ୍ବରୂପ ସ୍ବତଃ ପ୍ରାପ୍ତ ହୋଇ ନ ଥାଏ | ସଂସାରର ବିଷୟସୁଖ ତ ବିନା ଚେଷ୍ଟାରେ ଦୁଃଖ
ମିଳିବା ପରି, ଅଚିନ୍ତ୍ୟଗତି ସମୟର ଅତିକ୍ରମଣରେ କର୍ମଫଳ ରୂପେ ସମସ୍ତଙ୍କୁ ସ୍ବଭାବତଃ ପ୍ରାପ୍ତ
ହୋଇଯାଏ |
ନ ବୈ ଜନୋ ଜାତୁ କଥଞ୍ଚନାବ୍ରଜେ-
ନ୍ମୁକୁନ୍ଦସେବ୍ୟନ୍ୟବଦଙ୍ଗ ସଂସୃତିମ୍ ।
ସ୍ମରନ୍ ମୁକୁନ୍ଦାଙ୍ଘ୍ର୍ୟୁପଗୂହନଂ ପୁନ-
ର୍ୱିହାତୁମିଚ୍ଛେନ୍ନ ରସଗ୍ରହୋ ଯତଃ ॥ ୧୯॥
ହେ ବ୍ୟାସ ମହାଶୟ ! ଯିଏ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣାରବିନ୍ଦର ସେବକ
ଅଟନ୍ତି, ଦୈବାତ୍ କୌଣସି ମନ୍ଦ
ଭାବନାର ଶୀକାର ହୋଇଗଲେ ମଧ୍ୟ ଭଜନ କରୁ ନ ଥିବା କର୍ମୀ ମନୁଷ୍ୟ ପରି, ତାଙ୍କର ଜନ୍ମ-ମୃତ୍ୟୁମୟ ସଂସାରକୁ ଆବାହଗମନ ହୋଇ ନ ଥାଏ | ସେ
ଭଗବାନଙ୍କ ଚରଣକମଳ ଆଲିଙ୍ଗନର ସ୍ମରଣ କରି ତାହାକୁ ତ୍ୟାଗ କରନ୍ତି ନାହିଁ, କାରଣ ସେହି ରସର ସ୍ବାଦରେ ସେ ଅଭିଭୂତ ହୋଇଯାଇ ଥାଆନ୍ତି |
ଇଦଂ ହି ବିଶ୍ୱଂ ଭଗବାନିବେତରୋ
ଯତୋ ଜଗତ୍ସ୍ଥାନନିରୋଧସମ୍ଭବାଃ ।
ତଦ୍ଧି ସ୍ୱୟଂ ବେଦ ଭବାଂସ୍ତଥାପି ବୈ
ପ୍ରାଦେଶମାତ୍ରଂ ଭବତଃ ପ୍ରଦର୍ଶିତମ୍ ॥ ୨୦॥
ଯାହା ଦ୍ବାରା ଜଗତର ସୃଷ୍ଟି,
ସ୍ଥିତି, ପ୍ରଳୟ ହୋଇଥାଏ, ସେହି ଭଗବାନ ହିଁ ଏହି ବିଶ୍ବ ରୂପରେ ପରିବ୍ୟାପ୍ତ ଅଟନ୍ତି | ତା’
ସତ୍ତ୍ବେ ବି ସେ ସଂସାର ଠାରୁ ବିଲକ୍ଷଣ ଅଟନ୍ତି | ଏହି କଥା ଆପଣ ସ୍ବୟଂ ଜାଣନ୍ତି; ମୁଁ କେବଳ
ତାହା ସଂକେତରେ ହିଁ ତାହା ଆପଣଙ୍କୁ ସୂଚାଇ ଦେଉଛି |
ତ୍ୱମାତ୍ମନାଽଽତ୍ମାନମବେହ୍ୟମୋଘଦୃକ୍-
ପରସ୍ୟପୁଂସଃ ପରମାତ୍ମନଃ କଲାମ୍ ।
ଅଜଂ ପ୍ରଜାତଂ ଜଗତଃ ଶିବାୟ ତନ୍-
ମହାନୁଭାବାଭ୍ୟୁଦୟୋଽଧିଗଣ୍ୟତାମ୍ ॥ ୨୧॥
ହେ ବ୍ୟାସଦେବ ! ଆପଣଙ୍କର ଦୃଷ୍ଟି ଅମୋଘ ଅଟେ ଏବଂ ଆପଣ ଏହା
ଜାଣିନିଅନ୍ତୁ ଯେ ଆପଣ ପୁରୁଷୋତ୍ତମ ଭଗବାନଙ୍କର କଳାବତାର ଅଟନ୍ତି | ଅଜନ୍ମା ହୋଇ ମଧ୍ୟ ଆପଣ
ଜଗତର କଲ୍ୟାଣ ନିମନ୍ତେ ଜନ୍ମ ଗ୍ରହଣ କରିଛନ୍ତି | ତେଣୁ ଆପଣ ବିଶେଷ ରୂପରେ ଭଗବାନଙ୍କ ଲୀଳାର
କୀର୍ତ୍ତନ କରନ୍ତୁ |
ଇଦଂ ହି ପୁଂସସ୍ତପସଃ ଶ୍ରୁତସ୍ୟ ବା
ସ୍ୱିଷ୍ଟସ୍ୟ ସୂକ୍ତସ୍ୟ ଚ ବୁଦ୍ଧିଦତ୍ତୟୋଃ ।
ଅବିଚ୍ୟୁତୋଽର୍ଥଃ କବିଭିର୍ନିରୂପିତୋ
ଯଦୁତ୍ତମଶ୍ଲୋକଗୁଣାନୁବର୍ଣନମ୍ ॥ ୨୨॥
ବିଦ୍ବାନମାନେ ଏହା ନିରୂପଣ କରନ୍ତି ଯେ ମନୁଷ୍ୟର ତପସ୍ୟା, ବେଦାଧ୍ୟୟନ, ଯଜ୍ଞାନୁଷ୍ଠାନ, ସ୍ବାଧ୍ୟାୟ, ଜ୍ଞାନ ଓ ଦାନର ଏକମାତ୍ର
ପ୍ରୟୋଜନ ପୁଣ୍ୟକୀର୍ତ୍ତି ଶ୍ରୀକୃଷ୍ଣଙ୍କ ଗୁଣ ଏବଂ ଲୀଳାର ବର୍ଣ୍ଣନା ଅଟେ |
ଅହଂ ପୁରାତୀତଭବେଽଭବଂ ମୁନେ
ଦାସ୍ୟାସ୍ତୁ କସ୍ୟାଶ୍ଚନ ବେଦବାଦିନାମ୍ ।
ନିରୂପିତୋ ବାଲକ ଏବ ଯୋଗିନାଂ
ଶୁଶ୍ରୂଷଣେ ପ୍ରାବୃଷି ନିର୍ୱିବିକ୍ଷତାମ୍ ॥ ୨୩॥
ହେ ମୁନିବର ! ପୂର୍ବ କଳ୍ପରେ ନିଜର ପୂର୍ବଜନ୍ମରେ ମୁଁ ବେଦବାଦୀ
ବ୍ରାହ୍ମଣମାନଙ୍କର ସେବାକାରୀ ଜଣେ ଦାସୀର ପୁତ୍ର ଥିଲି | ବର୍ଷା ଋତୁରେ ସେହି ଯୋଗୀମାନେ
ଚାତୁର୍ମାସ ବ୍ରତ କରିବାକୁ ଏକ ସ୍ଥାନରେ ନିବାସ କରୁଥିଲେ | ବାଲ୍ୟବସ୍ଥାରେ ହିଁ ମୋତେ
ସେମାନଙ୍କ ସେବାରେ ନିଯୁକ୍ତ କରାଯାଇ ଥିଲା |
ତେ ମୟ୍ୟପେତାଖିଲଚାପଲେଽର୍ଭକେ
ଦାନ୍ତେଽଧୃତକ୍ରୀଡନକେଽନୁବର୍ତିନି ।
ଚକ୍ରୁଃ କୃପାଂ ଯଦ୍ୟପି ତୁଲ୍ୟଦର୍ଶନାଃ
ଶୁଶ୍ରୂଷମାଣେ ମୁନୟୋଽଲ୍ପଭାଷିଣି ॥ ୨୪॥
ବାଳକ ହୋଇ ମଧ୍ୟ ମୋ ଠାରେ କୌଣସି ପ୍ରକାରର ଚଞ୍ଚଳତା ନ ଥିଲା; ମୁଁ ଜିତେନ୍ଦ୍ରିୟ ଥିଲି, ଖେଳକୁଦରୁ ଦୂରରେ ରହୁଥିଲି ଏବଂ ଆଜ୍ଞାନୁସାରେ ସେମାନଙ୍କର ସେବା କରୁଥିଲି | ମୁଁ ସ୍ବଳ୍ପଭାଷୀ ମଧ୍ୟ ଥିଲି | ମୋର ଏପରି ଶୀଳ ସ୍ବଭାବକୁ ଦେଖି ସେହି ସମଦର୍ଶୀ ମୁନିମାନେ ମୋ ପରି ଜଣେ ସେବକ ପ୍ରତି ବିଶେଷ ଅନୁଗ୍ରହ କରିଥିଲେ |
ଉଚ୍ଛିଷ୍ଟଲେପାନନୁମୋଦିତୋ ଦ୍ୱିଜୈଃ
ସକୃତ୍ସ୍ମ ଭୁଞ୍ଜେ ତଦପାସ୍ତକିଲ୍ବିଷଃ ।
ଏବଂ ପ୍ରବୃତ୍ତସ୍ୟ ବିଶୁଦ୍ଧଚେତସ-
ସ୍ତଦ୍ଧର୍ମ ଏବାତ୍ମରୁଚିଃ ପ୍ରଜାୟତେ ॥ ୨୫॥
ସେମାନଙ୍କଠାରୁ ଅନୁମତି ପ୍ରାପ୍ତ କରି ମୁଁ ସେମାନଙ୍କ ବାସନରେ
ଲାଗିଥିବା ଉଚ୍ଛିଷ୍ଟ ଭକ୍ଷଣ କରୁଥିଲି, ଯଦ୍ବାରା ମୋର ସମସ୍ତ ପାପ ଧୌତ ହୋଇଗଲା | ଏହିପରି
ଭାବରେ ସେମାନଙ୍କର ସେବା କରି କରି ମୋର ହୃଦୟ ଶୁଦ୍ଧ ହୋଇଗଲା ଏବଂ ସେମାନେ ଯେପରି ଭଜନ-ପୂଜନ
କରୁଥିଲେ, ମୋର ମଧ୍ୟ ସେଥିରେ
ରୁଚି ଜାତ ହେବାରେ ଲାଗିଲା |
ତତ୍ରାନ୍ୱହଂ କୃଷ୍ଣକଥାଃ ପ୍ରଗାୟତା-
ମନୁଗ୍ରହେଣାଶୃଣବଂ ମନୋହରାଃ ।
ତାଃ ଶ୍ରଦ୍ଧୟା ମେଽନୁପଦଂ ବିଶୃଣ୍ୱତଃ
ପ୍ରିୟଶ୍ରବସ୍ୟଙ୍ଗ ମମାଭବଦ୍ରୁଚିଃ ॥ ୨୬॥
ପ୍ରିୟ ବ୍ୟାସ ମହାଶୟ ! ସେହି ସତସଂଗରେ ଲୀଳାଗାନପରାୟଣ ସେହି
ମହାତ୍ମାମାନଙ୍କ ଅନୁଗ୍ରହରୁ ମୁଁ ପ୍ରତିଦିନ ଶ୍ରୀକୃଷ୍ଣଙ୍କର ମନୋହର କଥା ଶୁଣିବାକୁ ପାଉଥିଲି |
ଶ୍ରଦ୍ଧାପୂର୍ବକ ଗୋଟିଏ ଗୋଟିଏ ପଦ ଶ୍ରବଣ କରି କରି ପ୍ରିୟକୀର୍ତ୍ତି ଭଗବାନଙ୍କଠାରେ ମୋର ରୁଚି
ଉତ୍ପନ୍ନ ହୋଇଗଲା |
ତସ୍ମିଂସ୍ତଦା ଲବ୍ଧରୁଚେର୍ମହାମୁନେ
ପ୍ରିୟଶ୍ରବସ୍ୟାସ୍ଖଲିତା ମତିର୍ମମ ।
ଯୟାହମେତତ୍ସଦସତ୍ସ୍ୱମାୟଯା
ପଶ୍ୟେ ମୟି ବ୍ରହ୍ମଣି କଲ୍ପିତଂ ପରେ ॥ ୨୭॥
ହେ ମହାମୁନି ! ଭଗବାନଙ୍କଠାରେ ମୋର ରୁଚି ଉତ୍ପନ୍ନ ହୋଇଯିବା ପରେ
ସେହି ମନୋହରକୀର୍ତ୍ତି ପ୍ରଭୁଙ୍କଠାରେ ମୋର ବୁଦ୍ଧି ମଧ୍ୟ ନିଶ୍ଚଳ ହୋଇଗଲା | ସେହି ବୁଦ୍ଧିରେ
ମୁଁ ଏହି ସତ୍-ଅସତ୍-ରୂପ ସମ୍ପୂର୍ଣ୍ଣ ଜଗତକୁ ନିଜର ପରବ୍ରହ୍ମସ୍ବରୂପ ଆତ୍ମାରେ ମାୟାକଳ୍ପିତ
ଭାବରେ ଦେଖିବାରେ ଲାଗିଲି |
ଇତ୍ଥଂ ଶରତ୍ପ୍ରାବୃଷିକାବୃତୂ ହରେ-
ର୍ୱିଶୃଣ୍ୱତୋ ମେଽନୁସବଂ ଯଶୋଽମଲମ୍ ।
ସଙ୍କୀର୍ତ୍ୟମାନଂ ମୁନିଭିର୍ମହାତ୍ମଭି-
ର୍ଭକ୍ତିଃ ପ୍ରବୃତ୍ତାଽଽତ୍ମରଜସ୍ତମୋଽପହା ॥ ୨୮॥
ଶରତ ଏବଂ ବର୍ଷା – ଏହି ଦୁଇ ଋତୁରେ ସେହି ମହାତ୍ମାମାନେ ଦିନକୁ ତିନି
ଥର ଶ୍ରୀହରିଙ୍କର ନିର୍ମଳ ଯଶର ସଂକୀର୍ତ୍ତନ କରୁଥିଲେ ଏବଂ ମୁଁ ପ୍ରେମପୂର୍ବକ ପ୍ରତ୍ୟେକ କଥା
ଶ୍ରବଣ କରୁଥିଲି | ତଦ୍ବାରା ମୋ ହୃଦୟରେ ରଜୋଗୁଣ ଓ ତମୋଗୁଣ ନାଶକାରୀ ଭକ୍ତିଭାବର ପ୍ରାଦୁର୍ଭାବ
ଘଟିଲା |
ତସ୍ୟୈବଂ ମେଽନୁରକ୍ତସ୍ୟ ପ୍ରଶ୍ରିତସ୍ୟ ହତୈନସଃ ।
ଶ୍ରଦ୍ଦଧାନସ୍ୟ ବାଲସ୍ୟ ଦାନ୍ତସ୍ୟାନୁଚରସ୍ୟ ଚ ॥ ୨୯॥
ମୁଁ ସେମାନଙ୍କର ଅତ୍ୟନ୍ତ ଅନୁରାଗୀ ଥିଲି, ବିନୟୀ ଥିଲି ଏବଂ ସେମାନଙ୍କ ସେବା କରି ମୋର ସମସ୍ତ ପାପ ନଷ୍ଟ
ହୋଇଯାଇ ଥିଲା | ମୋ ହୃଦୟରେ ଶ୍ରଦ୍ଧା ଥିଲା, ଇନ୍ଦ୍ରିୟରେ ସଂଯମ
ଥିଲା ଏବଂ ଶରୀର, ମନ ଓ ବାଣୀରେ ମୁଁ
ସେମାନଙ୍କର ଆଜ୍ଞାକାରୀ ଥିଲି |
ଜ୍ଞାନଂ ଗୁହ୍ୟତମଂ ଯତ୍ତତ୍ସାକ୍ଷାଦ୍ଭଗବତୋଦିତମ୍ ।
ଅନ୍ୱବୋଚନ୍ ଗମିଷ୍ୟନ୍ତଃ କୃପୟା ଦୀନବତ୍ସଲାଃ ॥ ୩୦॥
ସେଥିପାଇଁ ସେହି ଦୀନବତ୍ସଳ ମହାତ୍ମାମାନେ ସେଠାରୁ ପ୍ରସ୍ଥାନ କରିବା
ସମୟରେ କୃପା କରି ମୋତେ ସେହି ଗୁହ୍ୟତମ ଜ୍ଞାନ ଉପଦେଶ ପ୍ରଦାନ କରିଥିଲେ, ଯେଉଁ ଉପଦେଶ ସ୍ବୟଂ
ଭଗବାନ ନିଜ ଶ୍ରୀମୁଖରେ ପ୍ରଦାନ କରିଛନ୍ତି |
ଯେନୈବାହଂ ଭଗବତୋ ବାସୁଦେବସ୍ୟ ବେଧସଃ ।
ମାୟାନୁଭାବମବିଦଂ ଯେନ ଗଚ୍ଛନ୍ତି ତତ୍ପଦମ୍ ॥ ୩୧॥
ସେହି ଉପଦେଶ ପ୍ରାପ୍ତ କରି ମୁଁ ଜଗତ ନିର୍ମାତା ଭଗବାନ
ଶ୍ରୀକୃଷ୍ଣଙ୍କ ମାୟାର ପ୍ରଭାବ ବିଷୟରେ ଜାଣିପାରିଲି,
ଯାହାକୁ ଜାଣି ନେବା ପରେ ତାଙ୍କ ପରମପଦର ପ୍ରାପ୍ତି ହୋଇଥାଏ |
ଏତତ୍ସଂସୂଚିତଂ ବ୍ରହ୍ମଂସ୍ତାପତ୍ରୟଚିକିତ୍ସିତମ୍ ।
ଯଦୀଶ୍ୱରେ ଭଗବତି କର୍ମ ବ୍ରହ୍ମଣି ଭାବିତମ୍ ॥ ୩୨॥
ହେ ସତ୍ୟସଂକଳ୍ପ ବ୍ୟାସଦେବ ! ସମସ୍ତ କର୍ମ ପୁରୁଷୋତ୍ତମ ଭଗବାନ
ଶ୍ରୀକୃଷ୍ଣଙ୍କଠାରେ ସମର୍ପିତ କରିଦେବା ହିଁ ସଂସାରର ତ୍ରିତାପ ନିବାରଣର ଏକମାତ୍ର ଔଷଧି ଅଟେ, ମୁଁ ଏହା ଆପଣଙ୍କୁ କହିଛି |
ଆମୟୋ ଯଶ୍ଚ ଭୂତାନାଂ ଜାୟତେ ଯେନ ସୁବ୍ରତ ।
ତଦେବ ହ୍ୟାମୟଂ ଦ୍ରବ୍ୟଂ ନ ପୁନାତି ଚିକିତ୍ସିତମ୍ ॥ ୩୩॥
ଯେଉଁ ପଦାର୍ଥର ସେବନରେ ପ୍ରାଣୀ ଯେଉଁ ବ୍ୟାଧିରେ ଗ୍ରସ୍ତ ହୋଇଥାଏ, ଚିକିତ୍ସାବିଧି ଅନୁସାରେ ସେହି ପଦାର୍ଥ ପ୍ରୟୋଗ କରି ସେହି ବ୍ୟାଧିର
ଉପଶମ ହୋଇ ନ ଥାଏ କି ?
ଏବଂ ନୃଣାଂ କ୍ରିୟାୟୋଗାଃ ସର୍ୱେ ସଂସୃତିହେତବଃ ।
ତ ଏବାତ୍ମବିନାଶାୟ କଲ୍ପନ୍ତେ କଲ୍ପିତାଃ ପରେ ॥ ୩୪॥
ସେହିପରି, କର୍ମ ଯଦିଓ ମନୁଷ୍ୟକୁ ଜନ୍ମ-ମୃତ୍ୟୁରୂପ ସଂସାର-ଚକ୍ରରେ
ଘୂରାଇ ଥାଆନ୍ତି, ତଥାପି ସେହି କର୍ମକୁ
ଯେତେବେଳେ ଭଗବାନଙ୍କ ପ୍ରତି ସମର୍ପିତ କରି ଦିଆଯାଏ,
ସେମାନଙ୍କର କର୍ମପଣ ନଷ୍ଟ ହୋଇଯାଏ |
ଯଦତ୍ର କ୍ରିୟତେ କର୍ମ ଭଗବତ୍ପରିତୋଷଣମ୍ ।
ଜ୍ଞାନଂ ଯତ୍ତଦଧୀନଂ ହି ଭକ୍ତିୟୋଗସମନ୍ୱିତମ୍ ॥ ୩୫॥
ସଂସାରରେ ଯେଉଁ ଶାସ୍ତ୍ରବିହିତ କର୍ମ ଭଗବାନଙ୍କର ପ୍ରସନ୍ନତା
ନିମନ୍ତେ କରାଯାଇ ଥାଏ, ତଦ୍ବାରା
ପରାଭକ୍ତିଯୁକ୍ତ ଜ୍ଞାନର ପ୍ରାପ୍ତି ହୋଇଥାଏ |
କୁର୍ୱାଣା ଯତ୍ର କର୍ମାଣି ଭଗବଚ୍ଛିକ୍ଷୟାସକୃତ୍ ।
ଗୃଣନ୍ତି ଗୁଣନାମାନି କୃଷ୍ଣସ୍ୟାନୁସ୍ମରନ୍ତି ଚ ॥ ୩୬॥
ସେହି ଭଗବଦ୍-ପ୍ରୀତ୍ୟର୍ଥ କର୍ମ ମାର୍ଗରେ ଭଗବାନଙ୍କ ଆଜ୍ଞା ଅନୁସାରେ
ଆଚରଣ କରି ମନୁଷ୍ୟ ବାରମ୍ବାର ଭଗବାନ ଶ୍ରୀକୃଷ୍ଣଙ୍କ ଗୁଣ ଏବଂ ନାମର କୀର୍ତ୍ତନ ତଥା ସ୍ମରଣ
କରିଥାଆନ୍ତି |
ନମୋ ଭଗବତେ ତୁଭ୍ୟଂ ବାସୁଦେବାୟ ଧୀମହି ।
ପ୍ରଦ୍ୟୁମ୍ନାୟାନିରୁଦ୍ଧାୟ ନମଃ ସଙ୍କର୍ଷଣାୟ ଚ ॥ ୩୭॥
“ହେ ଭଗବାନ ଶ୍ରୀବାସୁଦେବ ! ଆମେ ଆପଣଙ୍କୁ ନମସ୍କାର କରୁଛୁ, ଆପଣଙ୍କର ଧ୍ୟାନ କରୁଛୁ | ପ୍ରଦ୍ୟୁମ୍ନ, ଅନିରୁଦ୍ଧ ଏବଂ
ସଂକର୍ଷଣଙ୍କୁ ମଧ୍ୟ ନମସ୍କାର କରୁଛୁ |”
ଇତି ମୂର୍ତ୍ୟଭିଧାନେନ ମନ୍ତ୍ରମୂର୍ତିମମୂର୍ତିକମ୍ ।
ଯଜତେ ଯଜ୍ଞପୁରୁଷଂ ସ ସମ୍ୟଗ୍ଦର୍ଶନଃ ପୁମାନ୍ ॥ ୩୮॥
ଏହିପରି ଭାବରେ ଯେଉଁ ପୁରୁଷ ଚତୁର୍ବ୍ୟୁହରୂପୀ
ଭଗବନ୍-ମୂର୍ତ୍ତିମାନଙ୍କର ନାମ ଦ୍ବାରା ପ୍ରାକୃତ-ମୂର୍ତ୍ତିରହିତ ଅପ୍ରାକୃତ ମନ୍ତ୍ରମୂର୍ତ୍ତି
ଭଗବାନ ଯଜ୍ଞପୁରୁଷଙ୍କର ପୂଜନ କରନ୍ତି, ତାଙ୍କର ଜ୍ଞାନ
ପୂର୍ଣ୍ଣ ଏବଂ ଯଥାର୍ଥ ଅଟେ |
ଇମଂ ସ୍ୱନିଗମଂ ବ୍ରହ୍ମନ୍ନବେତ୍ୟ ମଦନୁଷ୍ଠିତମ୍ ।
ଅଦାନ୍ମେ ଜ୍ଞାନମୈଶ୍ୱର୍ୟଂ ସ୍ୱସ୍ମିନ୍ ଭାବଂ ଚ କେଶବଃ ॥ ୩୯॥
ହେ ମହାଭାଗ ! ଏହିପରି ଭାବରେ ମୁଁ ଯେତେବେଳେ ଭଗବାନଙ୍କର ଆଜ୍ଞାକୁ ପାଳନ
କଲି, ସେତେବେଳେ ଭଗବାନ
ଶ୍ରୀକୃଷ୍ଣ ମୋତେ ଆତ୍ମଜ୍ଞାନ, ଐଶ୍ବର୍ଯ୍ୟ ଏବଂ
ନିଜର ଭାବରୂପା ପ୍ରେମାଭକ୍ତି ପ୍ରଦାନ କଲେ |
ତ୍ୱମପ୍ୟଦଭ୍ରଶ୍ରୁତବିଶ୍ରୁତଂ ବିଭୋଃ
ସମାପ୍ୟତେ ଯେନ ବିଦାଂ ବୁଭୁତ୍ସିତମ୍ ।
ଆଖ୍ୟାହି/ପ୍ରଖ୍ୟାହି ଦୁଃଖୈର୍ମୁହୁରର୍ଦିତାତ୍ମନାଂ
ସଙ୍କ୍ଲେଶନିର୍ୱାଣମୁଶନ୍ତି ନାନ୍ୟଥା ॥ ୪୦॥
ହେ ବ୍ୟାସଦେବ ! ଆପଣଙ୍କର ଜ୍ଞାନ ପରିପୂର୍ଣ୍ଣ ଅଟେ | ଆପଣ
ଭଗବାନଙ୍କର ହିଁ କୀର୍ତ୍ତି, ତାଙ୍କ ପ୍ରେମମୟୀ
ଲୀଳାର ବର୍ଣ୍ଣନା କରନ୍ତୁ | ତଦ୍ବାରା ବଡ ବଡ ଜ୍ଞାନୀମାନଙ୍କର ଜିଜ୍ଞାସା ମଧ୍ୟ ଶାନ୍ତ ହୋଇଯାଏ
| ସଂସାରୀ ଦୁଃଖରେ ବାରମ୍ବାର ପୀଡିତ ମନୁଷ୍ୟର ଦୁଃଖ ଏହା ଦ୍ବାରା ଶାନ୍ତ ହୋଇଥାଏ; ଅନ୍ୟ କୌଣସି
ଉପାୟ ନାହିଁ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ବ୍ୟାସନାରଦସମ୍ବାଦେ ପଞ୍ଚମୋଽଧ୍ୟାୟଃ ॥ ୫॥

Comments
Post a Comment