ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ

ପ୍ରଥମ ସ୍କନ୍ଧ

ପଞ୍ଚମ ଅଧ୍ୟାୟ

ଭଗବାନଙ୍କ ଯଶ-କୀର୍ତ୍ତିର ମହିମା ଏବଂ ଦେବର୍ଷି ନାରଦଙ୍କର ପୂର୍ବଚରିତ୍ର

ସୂତ ଉବାଚ

ଅଥ ତଂ ସୁଖମାସୀନ ଉପାସୀନଂ ବୃହଚ୍ଛ୍ରବାଃ ।

ଦେବର୍ଷିଃ ପ୍ରାହ ବିପ୍ରର୍ଷିଂ ବୀଣାପାଣିଃ ସ୍ମୟନ୍ନିବ ॥ ୧॥

ସୂତ ମୁନି କହୁଛନ୍ତି

ତଦନନ୍ତର ସୁଖପୂର୍ବକ ଉପବେଶନ କରି ବୀଣାପାଣି ପରମ ଯଶସ୍ବୀ ଦେବର୍ଷି ନାରଦ ସ୍ମିତହାସ୍ୟଯୁକ୍ତ ହୋଇ ନିଜ ପାଖରେ ବସିଥିବା ବ୍ରହ୍ମର୍ଷି ବେଦବ୍ୟାସଙ୍କୁ କହିଲେ -

ନାରଦ ଉବାଚ

ପାରାଶର୍ୟ ମହାଭାଗ ଭବତଃ କଚ୍ଚିଦାତ୍ମନା ।

ପରିତୁଷ୍ୟତି ଶାରୀର ଆତ୍ମା ମାନସ ଏବ ବା ॥ ୨॥

ଦେବର୍ଷି ନାରଦ କହିଲେ - ମହାଭାଗ ବ୍ୟାସ ଜୀ ! ଆପଣଙ୍କର ଶରୀର ଏବଂ ମନ ନିଜ ନିଜର କର୍ମ ଏବଂ ଚିନ୍ତନରେ ସନ୍ତୁଷ୍ଟ ରହିଛନ୍ତି ତ ?

ଜିଜ୍ଞାସିତଂ ସୁସମ୍ପନ୍ନମପି ତେ ମହଦଦ୍ଭୁତମ୍ ।

କୃତବାନ୍ ଭାରତଂ ଯସ୍ତ୍ୱଂ ସର୍ୱାର୍ଥପରିବୃଂହିତମ୍ ॥ ୩॥

ଆପଣଙ୍କର ସମସ୍ତ ଜିଜ୍ଞାସା ତ ନିଶ୍ଚିତ ଭାବରେ ଶାନ୍ତ ହୋଇ ଯାଇଥିବ; କାରଣ ଆପଣ ଯେଉଁ ମହାଭାରତ ରଚନା କରିଛନ୍ତି, ତାହା ଅତ୍ୟନ୍ତ ଅଦ୍ଭୁତ ଅଟେ | ତାହା ଧର୍ମ ଆଦି ସମସ୍ତ ପୁରୁଷାର୍ଥରେ ପରିପୂର୍ଣ୍ଣ ଅଟେ |

ଜିଜ୍ଞାସିତମଧୀତଂ ଚ ଯତ୍ତଦ୍ବ୍ରହ୍ମ ସନାତନମ୍ ।

ଅଥାପି ଶୋଚସ୍ୟାତ୍ମାନମକୃତାର୍ଥ ଇବ ପ୍ରଭୋ ॥ ୪॥

ସନାତନ ବ୍ରହ୍ମତତ୍ତ୍ବର ମନନ ମଧ୍ୟ ଆପଣ ବହୁତ ବେଶୀ କରିଛନ୍ତି ଏବଂ ତାହାକୁ ଜାଣି ପାରିଛନ୍ତି | ତଥାପି ପ୍ରଭୁ ! ଆପଣ ଅକୃତାର୍ଥ ପୁରୁଷ ପରି ନିଜକୁ ନେଇ ଏପରି ଶୋକଗ୍ରସ୍ତ କାହିଁକି ରହିଛନ୍ତି ?

ବ୍ୟାସ ଉବାଚ

ଅସ୍ତ୍ୟେବ ମେ ସର୍ୱମିଦଂ ତ୍ୱୟୋକ୍ତଂ

ତଥାପି ନାତ୍ମା ପରିତୁଷ୍ୟତେ ମେ ।

ତନ୍ମୂଲମବ୍ୟକ୍ତମଗାଧବୋଧଂ

ପୃଚ୍ଛାମହେ ତ୍ୱାତ୍ମଭବାତ୍ମଭୂତମ୍ ॥ ୫॥

ବ୍ୟାସଦେବ କହିଲେ – ହେ ଦେବର୍ଷି !   ଆପଣ ମୋ ବିଷୟରେ ଯାହା କିଛି କହିଲେ, ତାହା ସତ ଅଟେ | କିନ୍ତୁ ଏତେସବୁ ସତ୍ତ୍ବେ ବି ମୋର ହୃଦୟ ସନ୍ତୁଷ୍ଟ ହୋଇ ପାରୁନାହିଁ | ଏହାର କାରଣ କଣ ମୁଁ ଜାଣିପାରୁ ନାହିଁ | ଆପଣଙ୍କର ଜ୍ଞାନ ଅଗାଧ ଅଟେ; ଆପଣ ବ୍ରହ୍ମାଙ୍କର ମାନସପୁତ୍ର ଅଟନ୍ତି | ମୁଁ ଆପଣଙ୍କଠାରୁ ମୋ ଅସନ୍ତୋଷର କାରଣ ଜାଣିବାକୁ ଇଚ୍ଛା କରୁଛି |

ସ ବୈ ଭବାନ୍ ବେଦ ସମସ୍ତଗୁହ୍ୟ-

ମୁପାସିତୋ ଯତ୍ପୁରୁଷଃ ପୁରାଣଃ ।

ପରାବରେଶୋ ମନସୈବ ବିଶ୍ୱଂ

ସୃଜତ୍ୟବତ୍ୟତ୍ତି ଗୁଣୈରସଙ୍ଗଃ ॥ ୬॥

ନାରଦ ଜୀ ! ଆପଣ ସମସ୍ତ ଗୋପନୀୟ ରହସ୍ୟକୁ ଜାଣନ୍ତି; କାରଣ ଆପଣ ସେହି ପୁରାଣପୁରୁଷଙ୍କର ଉପାସନା କରନ୍ତି, ଯିଏ ପ୍ରକୃତି-ପୁରୁଷ ଉଭୟର ସ୍ବାମୀ ଅଟନ୍ତି ଏବଂ ଅସଙ୍ଗ ରହି ମଧ୍ୟ ସଂକଳ୍ପମାତ୍ରେ ଗୁଣମାନଙ୍କ ଦ୍ବାରା ସଂସାରର ସୃଷ୍ଟି, ସ୍ଥିତି ଏବଂ ପ୍ରଳୟ କରିଥାଆନ୍ତି |

ତ୍ୱଂ ପର୍ୟଟନ୍ନର୍କ ଇବ ତ୍ରିଲୋକୀ-

ମନ୍ତଶ୍ଚରୋ ବାୟୁରିବାତ୍ମସାକ୍ଷୀ ।

ପରାବରେ ବ୍ରହ୍ମଣି ଧର୍ମତୋ ବ୍ରତୈଃ

ସ୍ନାତସ୍ୟ ମେ ନ୍ୟୂନମଲଂ ବିଚକ୍ଷ୍ୱ ॥ ୭॥

ସୂର୍ଯ୍ୟ ସଦୃଶ ଆପଣ ତ୍ରିଲୋକରେ ଭ୍ରମଣ କରୁଥାଆନ୍ତି ଏବଂ ଯୋଗବଳରେ ପ୍ରାଣବାୟୁ ସଦୃଶ ସମସ୍ତଙ୍କ ଭିତରେ ପ୍ରବେଶ କରି ଅନ୍ତଃକରଣର ସାକ୍ଷୀ ମଧ୍ୟ ଅଟନ୍ତି | ଯୋଗାନୁଷ୍ଠାନ ଏବଂ ନିୟମ ଆଦି ଦ୍ବାରା ଉଭୟ ପରବ୍ରହ୍ମ ଓ ଶବ୍ଦବ୍ରହ୍ମର ପୂର୍ଣ୍ଣ ପ୍ରାପ୍ତି କରିନେବା ପରେ ମଧ୍ୟ ମୋଠାରେ କଣ ଅଭାବ ରହିଛି, କୃପା କରି ତାହା ମୋତେ କହନ୍ତୁ |

ଶ୍ରୀନାରଦ ଉବାଚ

ଭବତାନୁଦିତପ୍ରାୟଂ ଯଶୋ ଭଗବତୋଽମଲମ୍ ।

ଯେନୈବାସୌ ନ ତୁଷ୍ୟେତ ମନ୍ୟେ ତଦ୍ଦର୍ଶନଂ ଖିଲମ୍ ॥ ୮॥

 ଦେବର୍ଷି ନାରଦ କହିଲେ -  ବ୍ୟାସ ଜୀ ! ଆପଣ ଭଗବାନଙ୍କର ନିର୍ମଳ ଯଶର ଗାନ ପ୍ରାୟତଃ କରିନାହାଁନ୍ତି | ମୋର ଏପରି ମାନ୍ୟତା ଯେ ଯାହା ଦ୍ବାରା ଭଗବାନ ସନ୍ତୁଷ୍ଟ ହୁଅନ୍ତି ନାହିଁ, ସେହି ଶାସ୍ତ୍ର ବା ଜ୍ଞାନ ଅସମ୍ପୂର୍ଣ୍ଣ ଅଟେ |

ଯଥା ଧର୍ମାଦୟଶ୍ଚାର୍ଥା ମୁନିବର୍ୟାନୁକୀର୍ତିତାଃ ।

ନ ତଥା ବାସୁଦେବସ୍ୟ ମହିମା ହ୍ୟନୁବର୍ଣିତଃ ॥ ୯॥

ଧର୍ମ ଆଦି ପୁରୁଷାର୍ଥର ଆପଣ ଯେପରି ଭାବରେ ନିରୂପଣ କରିଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ମହିମାର ନିରୂପଣ ଆପଣ ସେପରି ଭାବରେ କରିନାହାଁନ୍ତି |

ନ ଯଦ୍ୱଚଶ୍ଚିତ୍ରପଦଂ ହରେର୍ୟଶୋ

ଜଗତ୍ପବିତ୍ରଂ ପ୍ରଗୃଣୀତ କର୍ହିଚିତ୍ ।

ତଦ୍ୱାୟସଂ ତୀର୍ଥମୁଶନ୍ତି ମାନସା

ନ ଯତ୍ର ହଂସା ନିରମନ୍ତ୍ୟୁଶିକ୍କ୍ଷୟାଃ ॥ ୧୦॥

ବାଣୀ କେତେ ବେଶୀ ରସ-ଭାବ-ଅଳଙ୍କାର ଆଦିରେ ଯୁକ୍ତ ହୋଇଥାଉ ନା କାହିଁକି, ଯଦି ସେଥିରେ ଜଗତକୁ ପବିତ୍ର କରୁଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଯଶ ଗାନ କରା ନ ଯାଏ, ତେବେ ତାହା କାକ ନିମନ୍ତେ ଉଚ୍ଛିଷ୍ଟ ଫିଙ୍ଗା ଯାଇଥିବା ସ୍ଥାନ ପରି ଅପବିତ୍ର ଅଟେ | ମାନସରୋବରର କମନୀୟ କମଳବନରେ ବିହାର କରୁଥିବା ହଂସମାନଙ୍କ ସଦୃଶ ବ୍ରହ୍ମଧାମରେ ବିହାର କରୁଥିବା ଭଗବଚ୍ଚରଣାରବିନ୍ଦାଶ୍ରିତ ପରମହଂସ ଭକ୍ତମାନେ ସେଥିରେ କେବେ ବି ରମଣ କରନ୍ତି ନାହିଁ |

ତଦ୍ୱାଗ୍ୱିସର୍ଗୋ ଜନତାଘବିପ୍ଲବୋ

ଯସ୍ମିନ୍ ପ୍ରତିଶ୍ଲୋକମବଦ୍ଧବତ୍ୟପି ।

ନାମାନ୍ୟନନ୍ତସ୍ୟ ଯଶୋଽଙ୍କିତାନି ଯ-

ଚ୍ଛୃଣ୍ୱନ୍ତି ଗାୟନ୍ତି ଗୃଣନ୍ତି ସାଧବଃ ॥ ୧୧॥

ଅପର ପକ୍ଷେ, ସୁନ୍ଦର ରଚନା ହୋଇ ନ ଥାଉ ଏବଂ ଦୂଷିତ ଶବ୍ଦଯୁକ୍ତ ହୋଇଥାଉ ପଛକେ, ଯଦି ତାହାର ପ୍ରତ୍ୟେକ ଶ୍ଲୋକ ଭଗବାନଙ୍କ ସୁଯଶସୂଚକ ନାମରେ ଯୁକ୍ତ ହୋଇଥାଏ, ସେହି ବାଣୀ ବ୍ୟକ୍ତିର ସମସ୍ତ ପାପ ନାଶ କରି ଦେଇଥାଏ, କାରଣ ସତ୍-ପୁରୁଷମାନେ ସେହିପରି ବାଣୀର ଶ୍ରବଣ, ଗାନ ଏବଂ କୀର୍ତ୍ତନ କରନ୍ତି |

ନୈଷ୍କର୍ମ୍ୟମପ୍ୟଚ୍ୟୁତଭାବବର୍ଜିତଂ

ନ ଶୋଭତେ ଜ୍ଞାନମଲଂ ନିରଞ୍ଜନମ୍ ।

କୁତଃ ପୁନଃ ଶଶ୍ୱଦଭଦ୍ରମୀଶ୍ୱରେ

ନ ଚାର୍ପିତଂ କର୍ମ ଯଦପ୍ୟକାରଣମ୍ ॥ ୧୨॥

ମୋକ୍ଷ ପ୍ରାପ୍ତିର ସାକ୍ଷାତ ସାଧନ ସେହି ନିର୍ମଳ ଜ୍ଞାନ, ଯଦି ଭଗବାନଙ୍କର ଭକ୍ତି ରହିତ ହୋଇଥାଏ, ତାହା ମଧ୍ୟ ବହୁତ ବେଶୀ ଶୋଭନୀୟ ନୁହେଁ | ସେହି କ୍ଷେତ୍ରରେ, ସାଧନ ଏବଂ ସିଦ୍ଧି ଉଭୟ ଅବସ୍ଥାରେ ସର୍ବଦା ଅମଙ୍ଗଳରୂପ ସେହି କାମ୍ୟ-କର୍ମ ଏବଂ ଭଗବାନଙ୍କ ପ୍ରତି ଅର୍ପିତ ହୋଇ ନ ଥିବା ଅହୈତୁକ ନିଷ୍କାମ କର୍ମ ସୁଶୋଭିତ ହେବ କିପରି ?

ଅଥୋ ମହାଭାଗ ଭବାନମୋଘଦୃକ୍-

ଶୁଚିଶ୍ରବାଃସତ୍ୟରତୋ ଧୃତବ୍ରତଃ ।

ଉରୁକ୍ରମସ୍ୟାଖିଲବନ୍ଧମୁକ୍ତୟେ

ସମାଧିନାନୁସ୍ମର ତଦ୍ୱିଚେଷ୍ଟିତମ୍ ॥ ୧୩॥

ହେ ମହାଭାଗ ବ୍ୟାସ ! ଆପଣଙ୍କ ଦୃଷ୍ଟି ଅମୋଘ ଅଟେ | ଆପଣଙ୍କର କୀର୍ତ୍ତି ପବିତ୍ର ଅଟେ | ଆପଣ ସତ୍ୟ ପରାୟଣ ଏବଂ ଦୃଢ଼ବ୍ରତ ଅଟନ୍ତି | ତେଣୁ ଏବେ ଆପଣ ଜୀବ ସମୁଦାୟକୁ ବନ୍ଧନ ମୁକ୍ତ କରିବା ପାଇଁ ସମାଧିରେ ଅଚିନ୍ତ୍ୟଶକ୍ତି ଭଗବାନଙ୍କ ଲୀଳାର ସ୍ମରଣ କରନ୍ତୁ |

ତତୋଽନ୍ୟଥା କିଞ୍ଚନ ଯଦ୍ୱିବକ୍ଷତଃ

ପୃଥଗ୍ଦୃଶସ୍ତତ୍କୃତରୂପନାମଭିଃ ।

ନ କୁତ୍ରଚିତ୍କ୍ୱାପି ଚ ଦୁଃସ୍ଥିତା ମତି-

ର୍ଲଭେତ ବାତାହତନୌରିବାସ୍ପଦମ୍ ॥ ୧୪॥

ଯେଉଁ ବ୍ୟକ୍ତି ଭଗବାନଙ୍କ ଲୀଳା ଅତିରିକ୍ତ ଅନ୍ୟ କିଛି କହିବାକୁ ଇଚ୍ଛା କରନ୍ତି, ସେ ସେହି ଇଚ୍ଛାରୁ ସୃଷ୍ଟ ଅନେକ ନାମ-ରୂପ ଘେରରେ ପଡିଯାଆନ୍ତି | ତାଙ୍କର ବୁଦ୍ଧି ଭେଦଭାବରେ ଭରିଯାଏ ଏବଂ ପ୍ରବଳ ବାୟୁ ପ୍ରବାହରେ ହୁଲି ଡଙ୍ଗାଟିଏ ଯେପରି ସ୍ଥିର ରହିପାରେ ନାହିଁ, ତାଙ୍କର ଚଞ୍ଚଳ ବୁଦ୍ଧି ସେହିପରି କେଉଁଠାରେ ସ୍ଥିର ରହେନାହିଁ |

ଜୁଗୁପ୍ସିତଂ ଧର୍ମକୃତେଽନୁଶାସତଃ

ସ୍ୱଭାବରକ୍ତସ୍ୟ ମହାନ୍ ବ୍ୟତିକ୍ରମଃ ।

ଯଦ୍ୱାକ୍ୟତୋ ଧର୍ମ ଇତୀତରଃ ସ୍ଥିତୋ

ନ ମନ୍ୟତେ ତସ୍ୟ ନିବାରଣଂ ଜନଃ ॥ ୧୫॥

ସଂସାରୀ ବ୍ୟକ୍ତି ସ୍ବଭାବତଃ ବିଷୟରେ ଲିପ୍ତ ରହିଥାଆନ୍ତି | ଧର୍ମ ନାମରେ ଆପଣ ସେମାନଙ୍କୁ ନିନ୍ଦିତ (ପଶୁହିଂସାଯୁକ୍ତ) ସକାମ କର୍ମ କରିବାକୁ ଆଜ୍ଞା ପ୍ରଦାନ କରିଦେଲେ, ଯାହାର ପ୍ରଭାବ ପୁରାପୁରି ବିପରୀତ ହେଲା | ମୂର୍ଖବ୍ୟକ୍ତି ଆପଣଙ୍କର ବଚନ ଭାବରେ ସେହି ନିନ୍ଦିତ କର୍ମକୁ ଧର୍ମ ମନେକରି ‘ଏହା ମାନବ ଧର୍ମ ଅଟେ, ଏହା ବିଶ୍ବାସ କରିବାରେ ଲାଗିଲେ ଏବଂ ତାହାର ନିଷେଧ କରୁଥିବା ବଚନକୁ ସତ୍ୟ ମନେ କଲେନାହିଁ |

ବିଚକ୍ଷଣୋଽସ୍ୟାର୍ହତି ବେଦିତୁଂ ବିଭୋ-

ରନନ୍ତପାରସ୍ୟ ନିବୃତ୍ତିତଃ ସୁଖମ୍ ।

ପ୍ରବର୍ତମାନସ୍ୟ ଗୁଣୈରନାତ୍ମନ-

ସ୍ତତୋ ଭବାନ୍ ଦର୍ଶୟ ଚେଷ୍ଟିତଂ ବିଭୋଃ ॥ ୧୬॥

ଭଗବାନ ଅନନ୍ତ ଅଟନ୍ତି | କୌଣସି ବିଚାରବାନ୍ ଜ୍ଞାନୀ ପୁରୁଷ ହିଁ ସଂସାର ନିବୃତ୍ତ ହୋଇ ତାଙ୍କର ସ୍ବରୂପଭୂତ ପରମାନନ୍ଦର ଅନୁଭବ କରିପାରନ୍ତି | ତେଣୁ ଯେଉଁ ଜୀବ ପରମାର୍ଥିକ ବୁଦ୍ଧିରହିତ ଅଟନ୍ତି ଏବଂ ଗୁଣର କବଳିତ ହୋଇ ନାଚୁଥାଆନ୍ତି, ସେମାନଙ୍କର କଲ୍ୟାଣ ନିମନ୍ତେ ଆପଣ ସର୍ବସାଧାରଣ ହିତ ଦୃଷ୍ଟିରୁ ଭଗବାନଙ୍କ ଲୀଳାର ବର୍ଣ୍ଣନା କରନ୍ତୁ |

ତ୍ୟକ୍ତ୍ୱା ସ୍ୱଧର୍ମଂ ଚରଣାମ୍ବୁଜଂ ହରେ-

ର୍ଭଜନ୍ନପକ୍ୱୋଽଥ ପତେତ୍ତତୋ ଯଦି ।

ଯତ୍ର କ୍ୱ ବାଭଦ୍ରମଭୂଦମୁଷ୍ୟ କିଂ

କୋ ବାର୍ଥ ଆପ୍ତୋଽଭଜତାଂ ସ୍ୱଧର୍ମତଃ ॥ ୧୭॥

ଯେଉଁ ବ୍ୟକ୍ତି ସ୍ବଧର୍ମ ପରିତ୍ୟାଗ କରି ଭଗବାନଙ୍କ ଚରଣକମଳର ଭଜନ-ସେବନ କରୁଥାଆନ୍ତି, ଭଜନ ପରିପକ୍ବ ହେବାର ଫଳ କଥା ଛାଡନ୍ତୁ, କୌଣସି କାରଣରୁ ତା’ ପୂର୍ବରୁ ଯଦି ତାଙ୍କୁ ଭଜନରୁ ଅବ୍ୟାହତି ନେବାକୁ ପଡ଼େ, ତେବେ ମଧ୍ୟ ତାଙ୍କର ଅମଙ୍ଗଳ ହୋଇ ନ ଥାଏ | ଅଥଚ ଯେଉଁମାନେ ଭଗବାନଙ୍କର ଭଜନ ନ କରି କେବଳ ସ୍ବଧର୍ମ ପାଳନ କରିଥାଆନ୍ତି ସେମାନଙ୍କୁ କୌଣସି ଲାଭ ମିଳେନାହିଁ |

ତସ୍ୟୈବ ହେତୋଃ ପ୍ରୟତେତ କୋବିଦୋ

ନ ଲଭ୍ୟତେ ଯଦ୍ଭ୍ରମତାମୁପର୍ୟଧଃ ।

ତଲ୍ଲଭ୍ୟତେ ଦୁଃଖବଦନ୍ୟତଃ ସୁଖଂ

କାଲେନ ସର୍ୱତ୍ର ଗଭୀରରଂହସା ॥ ୧୮॥

ବୁଦ୍ଧିମାନ ମନୁଷ୍ୟ ସେହି ବସ୍ତୁର ପ୍ରାପ୍ତି ନିମନ୍ତେ ପ୍ରଯତ୍ନ କରିବା ଉଚିତ୍ ଯାହା ତୃଣଠାରୁ ଆରମ୍ଭ କରି ବ୍ରହ୍ମା ପର୍ଯ୍ୟନ୍ତ ସମସ୍ତ ଉଚ୍ଚ-ନୀଚ ଯୋନିରେ କର୍ମର ଫଳ ସ୍ବରୂପ ସ୍ବତଃ ପ୍ରାପ୍ତ ହୋଇ ନ ଥାଏ | ସଂସାରର ବିଷୟସୁଖ ତ ବିନା ଚେଷ୍ଟାରେ ଦୁଃଖ ମିଳିବା ପରି, ଅଚିନ୍ତ୍ୟଗତି ସମୟର ଅତିକ୍ରମଣରେ କର୍ମଫଳ ରୂପେ ସମସ୍ତଙ୍କୁ ସ୍ବଭାବତଃ ପ୍ରାପ୍ତ ହୋଇଯାଏ |

ନ ବୈ ଜନୋ ଜାତୁ କଥଞ୍ଚନାବ୍ରଜେ-

ନ୍ମୁକୁନ୍ଦସେବ୍ୟନ୍ୟବଦଙ୍ଗ ସଂସୃତିମ୍ ।

ସ୍ମରନ୍ ମୁକୁନ୍ଦାଙ୍ଘ୍ର୍ୟୁପଗୂହନଂ ପୁନ-

ର୍ୱିହାତୁମିଚ୍ଛେନ୍ନ ରସଗ୍ରହୋ ଯତଃ ॥ ୧୯॥

ହେ ବ୍ୟାସ ମହାଶୟ ! ଯିଏ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣାରବିନ୍ଦର ସେବକ ଅଟନ୍ତି, ଦୈବାତ୍ କୌଣସି ମନ୍ଦ ଭାବନାର ଶୀକାର ହୋଇଗଲେ ମଧ୍ୟ ଭଜନ କରୁ ନ ଥିବା କର୍ମୀ ମନୁଷ୍ୟ ପରି, ତାଙ୍କର ଜନ୍ମ-ମୃତ୍ୟୁମୟ ସଂସାରକୁ ଆବାହଗମନ ହୋଇ ନ ଥାଏ | ସେ ଭଗବାନଙ୍କ ଚରଣକମଳ ଆଲିଙ୍ଗନର ସ୍ମରଣ କରି ତାହାକୁ ତ୍ୟାଗ କରନ୍ତି ନାହିଁ, କାରଣ ସେହି ରସର ସ୍ବାଦରେ ସେ ଅଭିଭୂତ ହୋଇଯାଇ ଥାଆନ୍ତି |

ଇଦଂ ହି ବିଶ୍ୱଂ ଭଗବାନିବେତରୋ

ଯତୋ ଜଗତ୍ସ୍ଥାନନିରୋଧସମ୍ଭବାଃ ।

ତଦ୍ଧି ସ୍ୱୟଂ ବେଦ ଭବାଂସ୍ତଥାପି ବୈ

ପ୍ରାଦେଶମାତ୍ରଂ ଭବତଃ ପ୍ରଦର୍ଶିତମ୍ ॥ ୨୦॥

ଯାହା ଦ୍ବାରା ଜଗତର ସୃଷ୍ଟି, ସ୍ଥିତି, ପ୍ରଳୟ ହୋଇଥାଏ, ସେହି ଭଗବାନ ହିଁ ଏହି ବିଶ୍ବ ରୂପରେ ପରିବ୍ୟାପ୍ତ ଅଟନ୍ତି | ତା’ ସତ୍ତ୍ବେ ବି ସେ ସଂସାର ଠାରୁ ବିଲକ୍ଷଣ ଅଟନ୍ତି | ଏହି କଥା ଆପଣ ସ୍ବୟଂ ଜାଣନ୍ତି; ମୁଁ କେବଳ ତାହା ସଂକେତରେ ହିଁ ତାହା ଆପଣଙ୍କୁ ସୂଚାଇ ଦେଉଛି |

ତ୍ୱମାତ୍ମନାଽଽତ୍ମାନମବେହ୍ୟମୋଘଦୃକ୍-

ପରସ୍ୟପୁଂସଃ ପରମାତ୍ମନଃ କଲାମ୍ ।

ଅଜଂ ପ୍ରଜାତଂ ଜଗତଃ ଶିବାୟ ତନ୍-

ମହାନୁଭାବାଭ୍ୟୁଦୟୋଽଧିଗଣ୍ୟତାମ୍ ॥ ୨୧॥

ହେ ବ୍ୟାସଦେବ ! ଆପଣଙ୍କର ଦୃଷ୍ଟି ଅମୋଘ ଅଟେ ଏବଂ ଆପଣ ଏହା ଜାଣିନିଅନ୍ତୁ ଯେ ଆପଣ ପୁରୁଷୋତ୍ତମ ଭଗବାନଙ୍କର କଳାବତାର ଅଟନ୍ତି | ଅଜନ୍ମା ହୋଇ ମଧ୍ୟ ଆପଣ ଜଗତର କଲ୍ୟାଣ ନିମନ୍ତେ ଜନ୍ମ ଗ୍ରହଣ କରିଛନ୍ତି | ତେଣୁ ଆପଣ ବିଶେଷ ରୂପରେ ଭଗବାନଙ୍କ ଲୀଳାର କୀର୍ତ୍ତନ କରନ୍ତୁ |

ଇଦଂ ହି ପୁଂସସ୍ତପସଃ ଶ୍ରୁତସ୍ୟ ବା

ସ୍ୱିଷ୍ଟସ୍ୟ ସୂକ୍ତସ୍ୟ ଚ ବୁଦ୍ଧିଦତ୍ତୟୋଃ ।

ଅବିଚ୍ୟୁତୋଽର୍ଥଃ କବିଭିର୍ନିରୂପିତୋ

ଯଦୁତ୍ତମଶ୍ଲୋକଗୁଣାନୁବର୍ଣନମ୍ ॥ ୨୨॥

ବିଦ୍ବାନମାନେ ଏହା ନିରୂପଣ କରନ୍ତି ଯେ ମନୁଷ୍ୟର ତପସ୍ୟା, ବେଦାଧ୍ୟୟନ, ଯଜ୍ଞାନୁଷ୍ଠାନ, ସ୍ବାଧ୍ୟାୟ, ଜ୍ଞାନ ଓ ଦାନର ଏକମାତ୍ର ପ୍ରୟୋଜନ ପୁଣ୍ୟକୀର୍ତ୍ତି ଶ୍ରୀକୃଷ୍ଣଙ୍କ ଗୁଣ ଏବଂ ଲୀଳାର ବର୍ଣ୍ଣନା ଅଟେ |

ଅହଂ ପୁରାତୀତଭବେଽଭବଂ ମୁନେ

ଦାସ୍ୟାସ୍ତୁ କସ୍ୟାଶ୍ଚନ ବେଦବାଦିନାମ୍ ।

ନିରୂପିତୋ ବାଲକ ଏବ ଯୋଗିନାଂ

ଶୁଶ୍ରୂଷଣେ ପ୍ରାବୃଷି ନିର୍ୱିବିକ୍ଷତାମ୍ ॥ ୨୩॥

ହେ ମୁନିବର ! ପୂର୍ବ କଳ୍ପରେ ନିଜର ପୂର୍ବଜନ୍ମରେ ମୁଁ ବେଦବାଦୀ ବ୍ରାହ୍ମଣମାନଙ୍କର ସେବାକାରୀ ଜଣେ ଦାସୀର ପୁତ୍ର ଥିଲି | ବର୍ଷା ଋତୁରେ ସେହି ଯୋଗୀମାନେ ଚାତୁର୍ମାସ ବ୍ରତ କରିବାକୁ ଏକ ସ୍ଥାନରେ ନିବାସ କରୁଥିଲେ | ବାଲ୍ୟବସ୍ଥାରେ ହିଁ ମୋତେ ସେମାନଙ୍କ ସେବାରେ ନିଯୁକ୍ତ କରାଯାଇ ଥିଲା |

ତେ ମୟ୍ୟପେତାଖିଲଚାପଲେଽର୍ଭକେ

ଦାନ୍ତେଽଧୃତକ୍ରୀଡନକେଽନୁବର୍ତିନି ।

ଚକ୍ରୁଃ କୃପାଂ ଯଦ୍ୟପି ତୁଲ୍ୟଦର୍ଶନାଃ

ଶୁଶ୍ରୂଷମାଣେ ମୁନୟୋଽଲ୍ପଭାଷିଣି ॥ ୨୪॥

ବାଳକ ହୋଇ ମଧ୍ୟ ମୋ ଠାରେ କୌଣସି ପ୍ରକାରର ଚଞ୍ଚଳତା ନ ଥିଲା; ମୁଁ ଜିତେନ୍ଦ୍ରିୟ ଥିଲି, ଖେଳକୁଦରୁ ଦୂରରେ ରହୁଥିଲି ଏବଂ ଆଜ୍ଞାନୁସାରେ ସେମାନଙ୍କର ସେବା କରୁଥିଲି | ମୁଁ ସ୍ବଳ୍ପଭାଷୀ ମଧ୍ୟ ଥିଲି | ମୋର ଏପରି ଶୀଳ ସ୍ବଭାବକୁ ଦେଖି ସେହି ସମଦର୍ଶୀ ମୁନିମାନେ ମୋ ପରି ଜଣେ ସେବକ ପ୍ରତି ବିଶେଷ ଅନୁଗ୍ରହ କରିଥିଲେ |

ଉଚ୍ଛିଷ୍ଟଲେପାନନୁମୋଦିତୋ ଦ୍ୱିଜୈଃ

ସକୃତ୍ସ୍ମ ଭୁଞ୍ଜେ ତଦପାସ୍ତକିଲ୍ବିଷଃ ।

ଏବଂ ପ୍ରବୃତ୍ତସ୍ୟ ବିଶୁଦ୍ଧଚେତସ-

ସ୍ତଦ୍ଧର୍ମ ଏବାତ୍ମରୁଚିଃ ପ୍ରଜାୟତେ ॥ ୨୫॥

ସେମାନଙ୍କଠାରୁ ଅନୁମତି ପ୍ରାପ୍ତ କରି ମୁଁ ସେମାନଙ୍କ ବାସନରେ ଲାଗିଥିବା ଉଚ୍ଛିଷ୍ଟ ଭକ୍ଷଣ କରୁଥିଲି, ଯଦ୍ବାରା ମୋର ସମସ୍ତ ପାପ ଧୌତ ହୋଇଗଲା | ଏହିପରି ଭାବରେ ସେମାନଙ୍କର ସେବା କରି କରି ମୋର ହୃଦୟ ଶୁଦ୍ଧ ହୋଇଗଲା ଏବଂ ସେମାନେ ଯେପରି ଭଜନ-ପୂଜନ କରୁଥିଲେ, ମୋର ମଧ୍ୟ ସେଥିରେ ରୁଚି ଜାତ ହେବାରେ ଲାଗିଲା |

ତତ୍ରାନ୍ୱହଂ କୃଷ୍ଣକଥାଃ ପ୍ରଗାୟତା-

ମନୁଗ୍ରହେଣାଶୃଣବଂ ମନୋହରାଃ ।

ତାଃ ଶ୍ରଦ୍ଧୟା ମେଽନୁପଦଂ ବିଶୃଣ୍ୱତଃ

ପ୍ରିୟଶ୍ରବସ୍ୟଙ୍ଗ ମମାଭବଦ୍ରୁଚିଃ ॥ ୨୬॥

ପ୍ରିୟ ବ୍ୟାସ ମହାଶୟ ! ସେହି ସତସଂଗରେ ଲୀଳାଗାନପରାୟଣ ସେହି ମହାତ୍ମାମାନଙ୍କ ଅନୁଗ୍ରହରୁ ମୁଁ ପ୍ରତିଦିନ ଶ୍ରୀକୃଷ୍ଣଙ୍କର ମନୋହର କଥା ଶୁଣିବାକୁ ପାଉଥିଲି | ଶ୍ରଦ୍ଧାପୂର୍ବକ ଗୋଟିଏ ଗୋଟିଏ ପଦ ଶ୍ରବଣ କରି କରି ପ୍ରିୟକୀର୍ତ୍ତି ଭଗବାନଙ୍କଠାରେ ମୋର ରୁଚି ଉତ୍ପନ୍ନ ହୋଇଗଲା |

ତସ୍ମିଂସ୍ତଦା ଲବ୍ଧରୁଚେର୍ମହାମୁନେ

ପ୍ରିୟଶ୍ରବସ୍ୟାସ୍ଖଲିତା ମତିର୍ମମ ।

ଯୟାହମେତତ୍ସଦସତ୍ସ୍ୱମାୟଯା

ପଶ୍ୟେ ମୟି ବ୍ରହ୍ମଣି କଲ୍ପିତଂ ପରେ ॥ ୨୭॥

ହେ ମହାମୁନି ! ଭଗବାନଙ୍କଠାରେ ମୋର ରୁଚି ଉତ୍ପନ୍ନ ହୋଇଯିବା ପରେ ସେହି ମନୋହରକୀର୍ତ୍ତି ପ୍ରଭୁଙ୍କଠାରେ ମୋର ବୁଦ୍ଧି ମଧ୍ୟ ନିଶ୍ଚଳ ହୋଇଗଲା | ସେହି ବୁଦ୍ଧିରେ ମୁଁ ଏହି ସତ୍-ଅସତ୍-ରୂପ ସମ୍ପୂର୍ଣ୍ଣ ଜଗତକୁ ନିଜର ପରବ୍ରହ୍ମସ୍ବରୂପ ଆତ୍ମାରେ ମାୟାକଳ୍ପିତ ଭାବରେ ଦେଖିବାରେ ଲାଗିଲି |

ଇତ୍ଥଂ ଶରତ୍ପ୍ରାବୃଷିକାବୃତୂ ହରେ-

ର୍ୱିଶୃଣ୍ୱତୋ ମେଽନୁସବଂ ଯଶୋଽମଲମ୍ ।

ସଙ୍କୀର୍ତ୍ୟମାନଂ ମୁନିଭିର୍ମହାତ୍ମଭି-

ର୍ଭକ୍ତିଃ ପ୍ରବୃତ୍ତାଽଽତ୍ମରଜସ୍ତମୋଽପହା ॥ ୨୮॥

ଶରତ ଏବଂ ବର୍ଷା – ଏହି ଦୁଇ ଋତୁରେ ସେହି ମହାତ୍ମାମାନେ ଦିନକୁ ତିନି ଥର ଶ୍ରୀହରିଙ୍କର ନିର୍ମଳ ଯଶର ସଂକୀର୍ତ୍ତନ କରୁଥିଲେ ଏବଂ ମୁଁ ପ୍ରେମପୂର୍ବକ ପ୍ରତ୍ୟେକ କଥା ଶ୍ରବଣ କରୁଥିଲି | ତଦ୍ବାରା ମୋ ହୃଦୟରେ ରଜୋଗୁଣ ଓ ତମୋଗୁଣ ନାଶକାରୀ ଭକ୍ତିଭାବର ପ୍ରାଦୁର୍ଭାବ ଘଟିଲା |

ତସ୍ୟୈବଂ ମେଽନୁରକ୍ତସ୍ୟ ପ୍ରଶ୍ରିତସ୍ୟ ହତୈନସଃ ।

ଶ୍ରଦ୍ଦଧାନସ୍ୟ ବାଲସ୍ୟ ଦାନ୍ତସ୍ୟାନୁଚରସ୍ୟ ଚ ॥ ୨୯॥

ମୁଁ ସେମାନଙ୍କର ଅତ୍ୟନ୍ତ ଅନୁରାଗୀ ଥିଲି, ବିନୟୀ ଥିଲି ଏବଂ ସେମାନଙ୍କ ସେବା କରି ମୋର ସମସ୍ତ ପାପ ନଷ୍ଟ ହୋଇଯାଇ ଥିଲା | ମୋ ହୃଦୟରେ ଶ୍ରଦ୍ଧା ଥିଲା, ଇନ୍ଦ୍ରିୟରେ ସଂଯମ ଥିଲା ଏବଂ ଶରୀର, ମନ ଓ ବାଣୀରେ ମୁଁ ସେମାନଙ୍କର ଆଜ୍ଞାକାରୀ ଥିଲି |

ଜ୍ଞାନଂ ଗୁହ୍ୟତମଂ ଯତ୍ତତ୍ସାକ୍ଷାଦ୍ଭଗବତୋଦିତମ୍ ।

ଅନ୍ୱବୋଚନ୍ ଗମିଷ୍ୟନ୍ତଃ କୃପୟା ଦୀନବତ୍ସଲାଃ ॥ ୩୦॥

ସେଥିପାଇଁ ସେହି ଦୀନବତ୍ସଳ ମହାତ୍ମାମାନେ ସେଠାରୁ ପ୍ରସ୍ଥାନ କରିବା ସମୟରେ କୃପା କରି ମୋତେ ସେହି ଗୁହ୍ୟତମ ଜ୍ଞାନ ଉପଦେଶ ପ୍ରଦାନ କରିଥିଲେ, ଯେଉଁ ଉପଦେଶ ସ୍ବୟଂ ଭଗବାନ ନିଜ ଶ୍ରୀମୁଖରେ ପ୍ରଦାନ କରିଛନ୍ତି |

ଯେନୈବାହଂ ଭଗବତୋ ବାସୁଦେବସ୍ୟ ବେଧସଃ ।

ମାୟାନୁଭାବମବିଦଂ ଯେନ ଗଚ୍ଛନ୍ତି ତତ୍ପଦମ୍ ॥ ୩୧॥

ସେହି ଉପଦେଶ ପ୍ରାପ୍ତ କରି ମୁଁ ଜଗତ ନିର୍ମାତା ଭଗବାନ ଶ୍ରୀକୃଷ୍ଣଙ୍କ ମାୟାର ପ୍ରଭାବ ବିଷୟରେ ଜାଣିପାରିଲି, ଯାହାକୁ ଜାଣି ନେବା ପରେ ତାଙ୍କ ପରମପଦର ପ୍ରାପ୍ତି ହୋଇଥାଏ |

ଏତତ୍ସଂସୂଚିତଂ ବ୍ରହ୍ମଂସ୍ତାପତ୍ରୟଚିକିତ୍ସିତମ୍ ।

ଯଦୀଶ୍ୱରେ ଭଗବତି କର୍ମ ବ୍ରହ୍ମଣି ଭାବିତମ୍ ॥ ୩୨॥

ହେ ସତ୍ୟସଂକଳ୍ପ ବ୍ୟାସଦେବ ! ସମସ୍ତ କର୍ମ ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କଠାରେ ସମର୍ପିତ କରିଦେବା ହିଁ ସଂସାରର ତ୍ରିତାପ ନିବାରଣର ଏକମାତ୍ର ଔଷଧି ଅଟେ, ମୁଁ ଏହା ଆପଣଙ୍କୁ କହିଛି |

ଆମୟୋ ଯଶ୍ଚ ଭୂତାନାଂ ଜାୟତେ ଯେନ ସୁବ୍ରତ ।

ତଦେବ ହ୍ୟାମୟଂ ଦ୍ରବ୍ୟଂ ନ ପୁନାତି ଚିକିତ୍ସିତମ୍ ॥ ୩୩॥

ଯେଉଁ ପଦାର୍ଥର ସେବନରେ ପ୍ରାଣୀ ଯେଉଁ ବ୍ୟାଧିରେ ଗ୍ରସ୍ତ ହୋଇଥାଏ, ଚିକିତ୍ସାବିଧି ଅନୁସାରେ ସେହି ପଦାର୍ଥ ପ୍ରୟୋଗ କରି ସେହି ବ୍ୟାଧିର ଉପଶମ ହୋଇ ନ ଥାଏ କି ?

ଏବଂ ନୃଣାଂ କ୍ରିୟାୟୋଗାଃ ସର୍ୱେ ସଂସୃତିହେତବଃ ।

ତ ଏବାତ୍ମବିନାଶାୟ କଲ୍ପନ୍ତେ କଲ୍ପିତାଃ ପରେ ॥ ୩୪॥

ସେହିପରି, କର୍ମ ଯଦିଓ ମନୁଷ୍ୟକୁ ଜନ୍ମ-ମୃତ୍ୟୁରୂପ ସଂସାର-ଚକ୍ରରେ ଘୂରାଇ ଥାଆନ୍ତି, ତଥାପି ସେହି କର୍ମକୁ ଯେତେବେଳେ ଭଗବାନଙ୍କ ପ୍ରତି ସମର୍ପିତ କରି ଦିଆଯାଏ, ସେମାନଙ୍କର କର୍ମପଣ ନଷ୍ଟ ହୋଇଯାଏ |

ଯଦତ୍ର କ୍ରିୟତେ କର୍ମ ଭଗବତ୍ପରିତୋଷଣମ୍ ।

ଜ୍ଞାନଂ ଯତ୍ତଦଧୀନଂ ହି ଭକ୍ତିୟୋଗସମନ୍ୱିତମ୍ ॥ ୩୫॥

ସଂସାରରେ ଯେଉଁ ଶାସ୍ତ୍ରବିହିତ କର୍ମ ଭଗବାନଙ୍କର ପ୍ରସନ୍ନତା ନିମନ୍ତେ କରାଯାଇ ଥାଏ, ତଦ୍ବାରା ପରାଭକ୍ତିଯୁକ୍ତ ଜ୍ଞାନର ପ୍ରାପ୍ତି ହୋଇଥାଏ |

କୁର୍ୱାଣା ଯତ୍ର କର୍ମାଣି ଭଗବଚ୍ଛିକ୍ଷୟାସକୃତ୍ ।

ଗୃଣନ୍ତି ଗୁଣନାମାନି କୃଷ୍ଣସ୍ୟାନୁସ୍ମରନ୍ତି ଚ ॥ ୩୬॥

ସେହି ଭଗବଦ୍-ପ୍ରୀତ୍ୟର୍ଥ କର୍ମ ମାର୍ଗରେ ଭଗବାନଙ୍କ ଆଜ୍ଞା ଅନୁସାରେ ଆଚରଣ କରି ମନୁଷ୍ୟ ବାରମ୍ବାର ଭଗବାନ ଶ୍ରୀକୃଷ୍ଣଙ୍କ ଗୁଣ ଏବଂ ନାମର କୀର୍ତ୍ତନ ତଥା ସ୍ମରଣ କରିଥାଆନ୍ତି |

ନମୋ ଭଗବତେ ତୁଭ୍ୟଂ ବାସୁଦେବାୟ ଧୀମହି ।

ପ୍ରଦ୍ୟୁମ୍ନାୟାନିରୁଦ୍ଧାୟ ନମଃ ସଙ୍କର୍ଷଣାୟ ଚ ॥ ୩୭॥

“ହେ ଭଗବାନ ଶ୍ରୀବାସୁଦେବ ! ଆମେ ଆପଣଙ୍କୁ ନମସ୍କାର କରୁଛୁ, ଆପଣଙ୍କର ଧ୍ୟାନ କରୁଛୁ | ପ୍ରଦ୍ୟୁମ୍ନ, ଅନିରୁଦ୍ଧ ଏବଂ ସଂକର୍ଷଣଙ୍କୁ ମଧ୍ୟ ନମସ୍କାର କରୁଛୁ |”

ଇତି ମୂର୍ତ୍ୟଭିଧାନେନ ମନ୍ତ୍ରମୂର୍ତିମମୂର୍ତିକମ୍ ।

ଯଜତେ ଯଜ୍ଞପୁରୁଷଂ ସ ସମ୍ୟଗ୍ଦର୍ଶନଃ ପୁମାନ୍ ॥ ୩୮॥

ଏହିପରି ଭାବରେ ଯେଉଁ ପୁରୁଷ ଚତୁର୍ବ୍ୟୁହରୂପୀ ଭଗବନ୍-ମୂର୍ତ୍ତିମାନଙ୍କର ନାମ ଦ୍ବାରା ପ୍ରାକୃତ-ମୂର୍ତ୍ତିରହିତ ଅପ୍ରାକୃତ ମନ୍ତ୍ରମୂର୍ତ୍ତି ଭଗବାନ ଯଜ୍ଞପୁରୁଷଙ୍କର ପୂଜନ କରନ୍ତି, ତାଙ୍କର ଜ୍ଞାନ ପୂର୍ଣ୍ଣ ଏବଂ ଯଥାର୍ଥ ଅଟେ |

ଇମଂ ସ୍ୱନିଗମଂ ବ୍ରହ୍ମନ୍ନବେତ୍ୟ ମଦନୁଷ୍ଠିତମ୍ ।

ଅଦାନ୍ମେ ଜ୍ଞାନମୈଶ୍ୱର୍ୟଂ ସ୍ୱସ୍ମିନ୍ ଭାବଂ ଚ କେଶବଃ ॥ ୩୯॥

ହେ ମହାଭାଗ ! ଏହିପରି ଭାବରେ ମୁଁ ଯେତେବେଳେ ଭଗବାନଙ୍କର ଆଜ୍ଞାକୁ ପାଳନ କଲି, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ମୋତେ ଆତ୍ମଜ୍ଞାନ, ଐଶ୍ବର୍ଯ୍ୟ ଏବଂ ନିଜର ଭାବରୂପା ପ୍ରେମାଭକ୍ତି ପ୍ରଦାନ କଲେ |

ତ୍ୱମପ୍ୟଦଭ୍ରଶ୍ରୁତବିଶ୍ରୁତଂ ବିଭୋଃ

ସମାପ୍ୟତେ ଯେନ ବିଦାଂ ବୁଭୁତ୍ସିତମ୍ ।

ଆଖ୍ୟାହି/ପ୍ରଖ୍ୟାହି ଦୁଃଖୈର୍ମୁହୁରର୍ଦିତାତ୍ମନାଂ

ସଙ୍କ୍ଲେଶନିର୍ୱାଣମୁଶନ୍ତି ନାନ୍ୟଥା ॥ ୪୦॥

ହେ ବ୍ୟାସଦେବ ! ଆପଣଙ୍କର ଜ୍ଞାନ ପରିପୂର୍ଣ୍ଣ ଅଟେ | ଆପଣ ଭଗବାନଙ୍କର ହିଁ କୀର୍ତ୍ତି, ତାଙ୍କ ପ୍ରେମମୟୀ ଲୀଳାର ବର୍ଣ୍ଣନା କରନ୍ତୁ | ତଦ୍ବାରା ବଡ ବଡ ଜ୍ଞାନୀମାନଙ୍କର ଜିଜ୍ଞାସା ମଧ୍ୟ ଶାନ୍ତ ହୋଇଯାଏ | ସଂସାରୀ ଦୁଃଖରେ ବାରମ୍ବାର ପୀଡିତ ମନୁଷ୍ୟର ଦୁଃଖ ଏହା ଦ୍ବାରା ଶାନ୍ତ ହୋଇଥାଏ; ଅନ୍ୟ କୌଣସି ଉପାୟ ନାହିଁ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ବ୍ୟାସନାରଦସମ୍ବାଦେ ପଞ୍ଚମୋଽଧ୍ୟାୟଃ ॥ ୫॥ 

Comments

Popular posts from this blog