॥ ଓଁ ନମୋ ଭଗବତେ ବାସୁଦେବାୟ ॥
ଶ୍ରୀମଦ୍ ଭାଗବତ ମହାପୁରାଣ
ପ୍ରଥମ ସ୍କନ୍ଧ
ଷଷ୍ଠ ଅଧ୍ୟାୟ
ଦେବର୍ଷି ନାରଦଙ୍କ ପୂର୍ବ ଚରିତର ଶେଷ ଭାଗ
ସୂତ ଉବାଚ
ଏବଂ ନିଶମ୍ୟ ଭଗବାନ୍ ଦେବର୍ଷେର୍ଜନ୍ମ କର୍ମ ଚ ।
ଭୂୟଃ ପପ୍ରଚ୍ଛ ତଂ ବ୍ରହ୍ମନ୍ ବ୍ୟାସଃ ସତ୍ୟବତୀସୁତଃ ॥ ୧॥
ସୂତ ମୁନି କହିଲେ
ହେ ଶୌନକ ! ଦେବର୍ଷି ନାରଦଙ୍କର ଜନ୍ମ ଏବଂ ସାଧନା ସମ୍ବନ୍ଧରେ ଶୁଣି ସତ୍ୟବତୀନନ୍ଦନ ଭଗବାନ ବେଦବ୍ୟାସ ତାଙ୍କୁ ପୁନଶ୍ଚ ପ୍ରଶ୍ନ କଲେ -
ବ୍ୟାସ ଉବାଚ
ଭିକ୍ଷୁଭିର୍ୱିପ୍ରବସିତେ ବିଜ୍ଞାନାଦେଷ୍ଟୃଭିସ୍ତବ ।
ବର୍ତମାନୋ ବୟସ୍ୟାଦ୍ୟେ ତତଃ କିମକରୋଦ୍ଭବାନ୍ ॥ ୨॥
ବେଦବ୍ୟାସ ପଚାରିଲେ – ହେ ଦେବର୍ଷି ! ଆପଣଙ୍କୁ ଜ୍ଞାନ ଉପଦେଶ
ପ୍ରଦାନ କରିଥିବା ସେହି ମହାତ୍ମାମାନେ ସେଠାରୁ ପ୍ରସ୍ଥାନ କରିବା ପରେ ଆପଣ କ’ଣ କଲେ ? ସେତେବେଳେ ତ ଆପଣଙ୍କର ଆୟୁ ବହୁତ କମ୍ ହୋଇଥିବ |
ସ୍ୱାୟମ୍ଭୁବ କୟା ବୃତ୍ତ୍ୟା ବର୍ତିତଂ ତେ ପରଂ ବୟଃ ।
କଥଂ ଚେଦମୁଦସ୍ରାକ୍ଷୀଃ କାଲେ ପ୍ରାପ୍ତେ କଲେବରମ୍ ॥ ୩॥
ହେ ସ୍ବାୟମ୍ଭୂବ ! ଆପଣଙ୍କର ଶେଷ ଆୟୁ କିପରି ଭାବରେ ବ୍ୟତୀତ
ହୋଇଥିଲା ଏବଂ ମୃତ୍ୟୁ କାଳରେ ଆପଣ କେଉଁ ବିଧିରେ ନିଜ ଶରୀର ତ୍ୟାଗ କରିଥିଲେ ?
ପ୍ରାକ୍କଲ୍ପବିଷୟାମେତାଂ ସ୍ମୃତିଂ ତେ ସୁରସତ୍ତମ ।
ନ ହ୍ୟେଷ ବ୍ୟବଧାତ୍କାଲ ଏଷ ସର୍ୱନିରାକୃତିଃ ॥ ୪॥
ହେ ଦେବର୍ଷି ! କାଳ ପ୍ରବାହରେ ସବୁ ବସ୍ତୁ ନଷ୍ଟ ହୋଇଯାଏ | ତାହା
ଆପଣଙ୍କର ପୂର୍ବକଳ୍ପର ଏହି ସ୍ମୃତିକୁ ନାଶ କଲାନାହିଁ କିପରି ?
ନାରଦ ଉବାଚ
ଭିକ୍ଷୁଭିର୍ୱିପ୍ରବସିତେ ବିଜ୍ଞାନାଦେଷ୍ଟୃଭିର୍ମମ ।
ବର୍ତମାନୋ ବୟସ୍ୟାଦ୍ୟେ ତତ ଏତଦକାରଷମ୍ ॥ ୫॥
ଦେବର୍ଷି ନାରଦ କହିଲେ – ମୋତେ ଜ୍ଞାନୋପଦେଶ ପ୍ରଦାନ କରିଥିବା
ମହାତ୍ମାମାନେ ପ୍ରସ୍ଥାନ କରିବା ପରେ, ମୁଁ ଏହିପରି ଭାବରେ
ନିଜ ଜୀବନ ବ୍ୟତୀତ କଲି, ଯଦିଓ ସେତେବେଳେ ମୋର
ଅବସ୍ଥା ବହୁତ ଛୋଟ ଥିଲା |
ଏକାତ୍ମଜା ମେ ଜନନୀ ଯୋଷିନ୍ମୂଢା ଚ କିଙ୍କରୀ ।
ମୟ୍ୟାତ୍ମଜେଽନନ୍ୟଗତୌ ଚକ୍ରେ ସ୍ନେହାନୁବନ୍ଧନମ୍ ॥ ୬॥
ମୁଁ ନିଜ ମା’ଙ୍କର ଏକମାତ୍ର ପୁତ୍ର
ଥିଲି | ପ୍ରଥମତଃ ସେ ଜଣେ ସ୍ତ୍ରୀ ଥିଲେ, ଦ୍ବିତୀୟତଃ ମୂଢ଼
ଥିଲେ ଏବଂ ତୃତୀୟତଃ ସେ ଜଣେ ଦାସୀ ଥିଲେ | ସେ ମୋ ସ୍ନେହପାଶରେ ନିଜକୁ ବାନ୍ଧି ରଖିଥିଲେ ଏବଂ
ମୋର ମଧ୍ୟ ତାଙ୍କ ବ୍ୟତିତ ଅନ୍ୟ କୌଣସି ସହାରା ନ ଥିଲା |
ସାସ୍ୱତନ୍ତ୍ରା ନ କଲ୍ପାଽଽସୀଦ୍ୟୋଗକ୍ଷେମଂ ମମେଚ୍ଛତୀ ।
ଈଶସ୍ୟ ହି ବଶେ ଲୋକୋ ଯୋଷା ଦାରୁମୟୀ ଯଥା ॥ ୭॥
ମୋର ଯୋଗକ୍ଷେମ ବହନ କରିବାକୁ ନେଇ ସେ ବହୁତ ଚିନ୍ତିତ ଥିଲେ, କିନ୍ତୁ ପରାଧୀନ ହୋଇଥିବା କାରଣରୁ ସେହି ଦିଗରେ ସେ କିଛି କରିପାରୁ
ନ ଥିଲେ | ନଟର ଇଚ୍ଛା ଅନୁସାରେ କାଠପୁତୁଳି ନାଚିଵା ପରି ଏହି ସାରା ସଂସାର ଈଶ୍ବରଙ୍କର
ଅଧୀନସ୍ତ ଅଟେ |
ଅହଂ ଚ ତଦ୍ବ୍ରହ୍ମକୁଲେ ଊଷିବାଂସ୍ତଦପେକ୍ଷୟା ।
ଦିଗ୍ଦେଶକାଲାବ୍ୟୁତ୍ପନ୍ନୋ ବାଲକଃ ପଞ୍ଚହାୟନଃ ॥ ୮॥
ମୁଁ ମଧ୍ୟ ମା’ଙ୍କ ସ୍ନେହବନ୍ଧନରେ
ବାନ୍ଧି ହୋଇ ସେହି ବ୍ରାହ୍ମଣ-ବସ୍ତୀରେ ରହୁଥିଲି | ମୋର ବୟସ ମାତ୍ର ପାଞ୍ଚ ବର୍ଷର ଥିଲା ଏବଂ
ଦେଶ, ଦିଶା ଓ କାଳ ଆଦିର
କୌଣସି ଜ୍ଞାନ ମୋର ନ ଥିଲା |
ଏକଦା ନିର୍ଗତାଂ ଗେହାଦ୍ଦୁହନ୍ତୀଂ ନିଶି ଗାଂ ପଥି ।
ସର୍ପୋଽଦଶତ୍ପଦା ସ୍ପୃଷ୍ଟଃ କୃପଣାଂ କାଲଚୋଦିତଃ ॥ ୯॥
ଦିନେ ରାତିରେ ମୋ ମା’
ଗାଈ ଦୁହିଁବାକୁ ଘରୁ ବାହାରକୁ ଯାଉଥିବା ବେଳେ ରାସ୍ତାରେ ତାଙ୍କର ପାଦ ଗୋଟିଏ ସାପ ଉପରେ
ପଡିଗଲା ଏବଂ ସାପ ତାଙ୍କୁ ଦଂଶନ କଲା | ସାପର ଅବା ଦୋଷ କ’ଣ, ତାହା କାଳର ହିଁ ପ୍ରେରଣା ଥିଲା |
ତଦା ତଦହମୀଶସ୍ୟ ଭକ୍ତାନାଂ ଶମଭୀପ୍ସତଃ ।
ଅନୁଗ୍ରହଂ ମନ୍ୟମାନଃ ପ୍ରାତିଷ୍ଠଂ ଦିଶମୁତ୍ତରାମ୍ ॥ ୧୦॥
ମୁଁ ବୁଝିପାରିଲି, ଭକ୍ତମାନଙ୍କର
ମଙ୍ଗଳକାମୀ ଭଗବାନଙ୍କର ଏହା ମଧ୍ୟ ଏକ ଅନୁଗ୍ରହ ଅଟେ | ତାପରେ ମୁଁ ଗାଁରୁ ବାହାରି ଉତ୍ତର
ଦିଗରେ ଚାଲିଲି |
ସ୍ଫୀତାଞ୍ଜନପଦାଂସ୍ତତ୍ର ପୁରଗ୍ରାମବ୍ରଜାକରାନ୍ ।
ଖେଟଖର୍ୱଟବାଟୀଶ୍ଚ ବନାନ୍ୟୁପବନାନି ଚ ॥ ୧୧॥
ଚିତ୍ରଧାତୁବିଚିତ୍ରାଦ୍ରୀନିଭଭଗ୍ନଭୁଜଦ୍ରୁମାନ୍ ।
ଜଲାଶୟାଞ୍ଛିବଜଲାନ୍ନଲିନୀଃ ସୁରସେବିତାଃ ॥ ୧୨॥
ଚିତ୍ରସ୍ୱନୈଃ ପତ୍ରରଥୈର୍ୱିଭ୍ରମଦ୍ଭ୍ରମରଶ୍ରିୟଃ ।
ନଲବେଣୁଶରସ୍ତମ୍ବକୁଶକୀଚକଗହ୍ୱରମ୍ ॥ ୧୩॥
ଏକ ଏବାତିୟାତୋଽହମଦ୍ରାକ୍ଷଂ ବିପିନଂ ମହତ୍ ।
ଘୋରଂ ପ୍ରତିଭୟାକାରଂ ବ୍ୟାଲୋଲୂକଶିବାଜିରମ୍ ॥ ୧୪॥
ସେହି ମାର୍ଗରେ ମୋତେ ଅନେକ ଧନ-ଧାନ୍ୟ-ସମ୍ପନ୍ନ ଦେଶ, ନଗର, ଗ୍ରାମ, ଅହୀରମାନଙ୍କର ଯାଯାବର ବସ୍ତୀ, ନଦୀ ଓ ପର୍ବତ ତଟବର୍ତ୍ତୀ
ଆଶ୍ରୟସ୍ଥଳ, ବାଟିକା, ବନ-ଉପବନ, ରଙ୍ଗ-ବେରଙ୍ଗ ଧାତୁଯୁକ୍ତ ବିଚିତ୍ର ପର୍ବତମାଳା
ଦେଖିବାକୁ ମିଳିଲା | କେଉଁଠି କେଉଁଠି ଜଙ୍ଗଲୀ ବୃକ୍ଷରାଜି ଦେଖିବାକୁ ମିଳୁଥିଲା, ଯାହାର ବଡ ବଡ ଶାଖାମାନଙ୍କୁ ହାଥୀମାନେ ଭାଙ୍ଗି ଦେଇଥିଲେ |
ମାର୍ଗରେ ଶୀତଳ ଜଳରେ ପରିପୂର୍ଣ୍ଣ ସରୋବର ଥିଲା | ସେଥିରେ ଦେବତାମାନଙ୍କର ପୂଜା-ଅର୍ଚ୍ଚନା
ନିମନ୍ତେ କମଳ ପୁଷ୍ପ ପ୍ରସ୍ଫୁଟିତ ଥିଲା | ଭ୍ରମର-ଦଳ ଗୁଞ୍ଜରଣ କରି ତା’ ଉପରେ ଘୂରି ବୁଲୁଥିଲେ
| ପକ୍ଷୀମାନେ ଭିନ୍ନ ଭିନ୍ନ କଲରବ କରି ସେଠାରେ ବିଚରଣ କରୁଥିଲେ | ଏହି ସବୁ ଦୃଶ୍ୟ ଦେଖି ଦେଖି
ମୁଁ ଆଗକୁ ଚାଲିବାରେ ଲାଗିଥିଲି | ମୁଁ ଏକାକୀ ଥିଲି | ଦୀର୍ଘ ରାସ୍ତା ଅତିକ୍ରମ କରିବା ପରେ
ମୁଁ ଗୋଟିଏ ଗହନ ଜଙ୍ଗଲରେ ପ୍ରବେଶ କଲି | ସେହି ଜଙ୍ଗଲରେ କଣ୍ଟକିତ ବେତ, ବାଉଁଶ, କୁଶ, କୀଚକ ଆଦିର ବଣ ତଥା ଅନେକ ବିଶାଳକାୟ ବୃକ୍ଷ ଥିଲା ଯାହା ସାପ, ସିୟାର, ଗଧିଆ ଆଦି ଭୟଂକର
ପ୍ରାଣୀମାନଙ୍କର ବାସସ୍ଥାନ ଥିଲା | ଦେଖିବାକୁ ତାହା ଅତୀବ ଭୟାନକ ମନେ ହେଉଥିଲା |
ପରିଶ୍ରାନ୍ତେନ୍ଦ୍ରିୟାତ୍ମାହଂ ତୃଟ୍ପରୀତୋ ବୁଭୁକ୍ଷିତଃ ।
ସ୍ନାତ୍ୱା ପୀତ୍ୱା ହ୍ରଦେ ନଦ୍ୟା ଉପସ୍ପୃଷ୍ଟୋ ଗତଶ୍ରମଃ ॥ ୧୫॥
ଚାଲି ଚାଲି ମୋର ଶରୀର ଏବଂ ଇନ୍ଦ୍ରିୟ ଶିଥିଳ ହୋଇ ଯାଇଥିଲା |
ଭୋକିଲା ତ ମୁଁ ଥିଲି, ତା’ ଉପରେ ମୁଁ ଖୁବ୍ ଜୋରରେ ତୃଷା ମଧ୍ୟ ଅନୁଭବ କରୁଥିଲି | ପାର୍ଶ୍ବରେ
ଏକ ନଦୀ ଥିଲା | ସେହି ନଦୀ କୁଣ୍ଡରେ ମୁଁ ସ୍ନାନ,
ଜଳପାନ ଏବଂ ଆଚମନ କଲି ଯଦ୍ବାରା ମୋର କ୍ଲାନ୍ତି ଦୂର ହୋଇଗଲା |
ତସ୍ମିନ୍ନିର୍ମନୁଜେଽରଣ୍ୟେ ପିପ୍ପଲୋପସ୍ଥ ଆସ୍ଥିତଃ ।
ଆତ୍ମନାଽଽତ୍ମାନମାତ୍ମସ୍ଥଂ ଯଥାଶ୍ରୁତମଚିନ୍ତୟମ୍ ॥ ୧୬॥
ସେହି ନିକାଞ୍ଚନ ବଣରେ ଗୋଟିଏ ଅଶ୍ବତ୍ଥ ବୃକ୍ଷ ତଳେ ମୁଁ ଆସନ ଲଗାଇ ବସିଗଲି
| ମହାତ୍ମାମାନଙ୍କଠାରୁ ଶୁଣିବା ପ୍ରକାରେ ମୁଁ ମନେ ମନେ ହୃଦୟସ୍ଥ ପରମାତ୍ମାଙ୍କ ସ୍ବରୂପର
ଧ୍ୟାନ କରିବାରେ ଲାଗିଲି |
ଧ୍ୟାୟତଶ୍ଚରଣାମ୍ଭୋଜଂ ଭାବନିର୍ଜିତଚେତସା ।
ଔତ୍କଣ୍ଠ୍ୟାଶ୍ରୁକଲାକ୍ଷସ୍ୟ ହୃଦ୍ୟାସୀନ୍ମେ ଶନୈର୍ହରିଃ ॥ ୧୭॥
ଭକ୍ତିଭାବ-ବଶୀଭୂତ ଚିତ୍ତରେ ଭଗବାନଙ୍କ ଚରଣକମଳର ଧ୍ୟାନ କରି
ଭଗବତ୍-ପ୍ରାପ୍ତିର ଉତ୍କଟ ଲାଳସାରେ ମୋର ନେତ୍ର ଅଶ୍ରୁରେ ପ୍ଲାବିତ ହେବାରେ ଲାଗିଲା ଏବଂ ମୋ
ହୃଦୟରେ ଧୀରେ ଧୀରେ ଭଗବାନଙ୍କର ପ୍ରାକଟ୍ୟ ହେବାରେ ଲାଗିଲେ |
ପ୍ରେମାତିଭରନିର୍ଭିନ୍ନପୁଲକାଙ୍ଗୋଽତିନିର୍ୱୃତଃ ।
ଆନନ୍ଦସମ୍ପ୍ଲବେ ଲୀନୋ ନାପଶ୍ୟମୁଭୟଂ ମୁନେ ॥ ୧୮॥
ହେ ବ୍ୟାସଦେବ ! ସେହି ସମୟରେ ପ୍ରେମଭାବର ଅତ୍ୟଧିକ ଉଦବେଳନ ଯୋଗୁଁ
ମୋର ପ୍ରତ୍ୟେକ ରୋମମୂଳ ପୁଲକିତ ହୋଇ ଉଠିଲା ଏବଂ ଆନନ୍ଦର ସେହି ବନ୍ୟାରେ ମୁଁ ଏପରି ଭାବରେ
ଡୁବିଗଲି ଯେ ମୋର ଧ୍ୟେୟ ବସ୍ତୁର ଜ୍ଞାନ ମଧ୍ୟ ରହିଲା ନାହିଁ |
ରୂପଂ ଭଗବତୋ ଯତ୍ତନ୍ମନଃକାନ୍ତଂ ଶୁଚାପହମ୍ ।
ଅପଶ୍ୟନ୍ ସହସୋତ୍ତସ୍ଥେ ବୈକ୍ଲବ୍ୟାଦ୍ଦୁର୍ମନା ଇବ ॥ ୧୯॥
ଭଗବାନଙ୍କରସେହି ଅନିର୍ବଚନୀୟ ରୂପ ସମସ୍ତ ଶୋକନାଶକାରୀ ଅତ୍ୟନ୍ତ
ମନୋହର ଥିଲା | ହଠାତ୍ ତାହାର ଅଦର୍ଶନରେ ମୁଁ ଏତେ ବ୍ୟାକୁଳ ହୋଇ ଉଠିଲି ଯେ ନିଜ ଆସନ ତ୍ୟାଗ
କରି ଠିଆ ହୋଇଗଲି |
ଦିଦୃକ୍ଷୁସ୍ତଦହଂ ଭୂୟଃ ପ୍ରଣିଧାୟ ମନୋ ହୃଦି ।
ବୀକ୍ଷମାଣୋଽପି ନାପଶ୍ୟମବିତୃପ୍ତ ଇବାତୁରଃ ॥ ୨୦॥
ମୁଁ ପୁନର୍ବାର ସେହି ସ୍ବରୂପର ଦର୍ଶନ ଇଚ୍ଛା କଲି; କିନ୍ତୁ ମନକୁ ହୃଦୟରେ ସମାହିତ କରି ବାରମ୍ବାର ଚେଷ୍ଟା କରିବା
ସତ୍ତ୍ବେ ମୁଁ ତାଙ୍କର ଦର୍ଶନ ପ୍ରାପ୍ତ କରିପାରିଲି ନାହିଁ | ଅତୃପ୍ତିରେ ମୁଁ ଆତୁର ହୋଇ ଉଠିଲି
|
ଏବଂ ଯତନ୍ତଂ ବିଜନେ ମାମାହାଗୋଚରୋ ଗିରାମ୍ ।
ଗମ୍ଭୀରଶ୍ଲକ୍ଷ୍ଣୟା ବାଚା ଶୁଚଃ ପ୍ରଶମୟନ୍ନିବ ॥ ୨୧॥
ନିର୍ଜନ ବନଭୂମିରେ ମୁଁ ଏହିପରି ପ୍ରଯତ୍ନ କରୁଥିବା ଦେଖି ସ୍ବୟଂ
ଭଗବାନ, ଯିଏ ବାଣୀର ବିଷୟ
ନୁହଁନ୍ତି, ଅତ୍ୟନ୍ତ ଗମ୍ଭୀର
ଏବଂ ମଧୁର ବାଣୀରେ ମୋର ଶୋକ ଶାନ୍ତ କରିବା ନିମନ୍ତେ ଏହିପରି କହିଲେ -
ହନ୍ତାସ୍ମିଞ୍ଜନ୍ମନି ଭବାନ୍ ନ ମାଂ ଦ୍ରଷ୍ଟୁମିହାର୍ହତି ।
ଅବିପକ୍ୱକଷାୟାଣାଂ ଦୁର୍ଦର୍ଶୋଽହଂ କୁୟୋଗିନାମ୍ ॥ ୨୨॥
ଦୁଃଖର ବିଷୟ ଯେ ଏହି ଜନ୍ମରେ ତୁମେ ମୋର ଦର୍ଶନ କରିପାରିବ ନାହିଁ |
ଯାହାର ବାସନା ପୂର୍ଣ୍ଣତୟା ଶାନ୍ତ ହୋଇ ନ ଥାଏ,
ସେହି ଅପରିପକ୍ବ ଯୋଗୀମାନଙ୍କ ପାଇଁ ମୋର ଦର୍ଶନ ଅତ୍ୟନ୍ତ ଦୁର୍ଲଭ ଅଟେ |
ସକୃଦ୍ୟଦ୍ଦର୍ଶିତଂ ରୂପମେତତ୍କାମାୟ ତେଽନଘ ।
ମତ୍କାମଃ ଶନକୈଃ ସାଧୁ ସର୍ୱାନ୍ ମୁଞ୍ଚତି ହୃଚ୍ଛୟାନ୍ ॥ ୨୩॥
ହେ ନିଷ୍ପାପ ବାଳକ ! ତୁମ ହୃଦୟରେ ମୋତେ ପ୍ରାପ୍ତ କରିବାର ଲାଳସା
ଜାଗ୍ରତ କରିବା ନିମନ୍ତେ ମୁଁ ଥରକ ପାଇଁ ନିଜ ରୂପର କିଂଚିତ ଝଲକ ତୁମକୁ ଦେଖାଇଲି | ମୋତେ
ପ୍ରାପ୍ତ କରିବାର ଆକାଂକ୍ଷାରେ ଯୁକ୍ତ ହୋଇ ସାଧକମାନେ ଧୀରେ ଧୀରେ ହୃଦୟର ସମସ୍ତ ବାସନାକୁ
ପୂର୍ଣ୍ଣତଃ ତ୍ୟାଗ କରିଦିଅନ୍ତି |
ସତ୍ସେବୟାଦୀର୍ଘୟା ତେ ଜାତା ମୟି ଦୃଢା ମତିଃ ।
ହିତ୍ୱାବଦ୍ୟମିମଂ ଲୋକଂ ଗନ୍ତା ମଜ୍ଜନତାମସି ॥ ୨୪॥
ମତିର୍ମୟି ନିବଦ୍ଧେୟଂ ନ ବିପଦ୍ୟେତ କର୍ହିଚିତ୍ ।
ପ୍ରଜାସର୍ଗନିରୋଧେଽପି ସ୍ମୃତିଶ୍ଚ ମଦନୁଗ୍ରହାତ୍ ॥ ୨୫॥
ମୋତେ ପ୍ରାପ୍ତ କରିବାର ତୁମର ଏହି ଦୃଢ ନିଶ୍ଚୟ କୌଣସି ପ୍ରକାରେ
କେବେ ବି କ୍ଷୁର୍ଣ୍ଣ ହେବ ନାହିଁ | ସମଗ୍ର ସୃଷ୍ଟିର ପ୍ରଳୟ ହୋଇଯିବା ପରେ ମଧ୍ୟ ମୋ କୃପାରୁ ତୁମର ମୋତେ
ପ୍ରାପ୍ତ କରିବାର ଏହି ସ୍ମୃତି ଅକ୍ଷୁର୍ଣ୍ଣ ରହିବ |
ଏତାବଦୁକ୍ତ୍ୱୋପରରାମ ତନ୍ମହ-
ଦ୍ଭୂତଂ ନଭୋଲିଙ୍ଗମଲିଙ୍ଗମୀଶ୍ୱରମ୍ ।
ଅହଂ ଚ ତସ୍ମୈ ମହତାଂ ମହୀୟସେ
ଶୀର୍ଷ୍ଣାବନାମଂ ବିଦଧେଽନୁକମ୍ପିତଃ ॥ ୨୬॥
ଆକାଶ ପରି ଅବ୍ୟକ୍ତ ସର୍ବଶକ୍ତିମାନ ମହାନ୍ ପରମାତ୍ମା ଏତିକି କହି
ଚୁପ୍ ହୋଇଗଲେ | ତାଙ୍କର କୃପା ହୃଦୟଙ୍ଗମ କରି ମୁଁ ନତମସ୍ତକ ହୋଇ ସେହି ପରାତ୍ପର ଭଗବାନଙ୍କୁ
ପ୍ରଣାମ କଲି |
ନାମାନ୍ୟନନ୍ତସ୍ୟ ହତତ୍ରପଃ ପଠନ୍
ଗୁହ୍ୟାନି ଭଦ୍ରାଣି କୃତାନି ଚ ସ୍ମରନ୍ ।
ଗାଂ ପର୍ୟଟଂସ୍ତୁଷ୍ଟମନା ଗତସ୍ପୃହଃ
କାଲଂ ପ୍ରତୀକ୍ଷନ୍ ବିମଦୋ ବିମତ୍ସରଃ ॥ ୨୭॥
ସେହି ଦିନଠାରୁ ମୁଁ ଲଜ୍ଜା-ସଂକୋଚ ତ୍ୟାଗ କରି ଭଗବାନଙ୍କର ଅତ୍ୟନ୍ତ
ରହସ୍ୟମୟ ଏବଂ ମଙ୍ଗଳମୟ ମଧୁର ନାମ ଓ ଲୀଳାର କୀର୍ତ୍ତନ ଏବଂ ସ୍ମରଣ କରିବାରେ ଲାଗିଲି | ମୋର
ହୃଦୟ ତ ବହୁ ପୂର୍ବରୁ ସ୍ପୃହା ଏବଂ ମଦ-ମାତ୍ସର୍ଯ୍ୟ ଆଦିରୁ ନିବୃତ୍ତ ହୋଇ ଯାଇଥିଲା, ଏବେ କାଳର
ପ୍ରତୀକ୍ଷା କରି ମୁଁ ଆନନ୍ଦରେ ପୃଥିବୀପୃଷ୍ଠରେ ବିଚରଣ କରିବାରେ ଲାଗିଲି |
ଏବଂ କୃଷ୍ଣମତେର୍ବ୍ରହ୍ମନ୍ନସକ୍ତସ୍ୟାମଲାତ୍ମନଃ ।
କାଲଃ ପ୍ରାଦୁରଭୂତ୍କାଲେ ତଡିତ୍ସୌଦାମନୀ ଯଥା ॥ ୨୮॥
ହେ ବ୍ୟାସ ! ଏହିପରି ଭାବରେ ଭଗବାନଙ୍କ କୃପାରୁ ମୋର ହୃଦୟ ଶୁଦ୍ଧ
ହୋଇଗଲା, ଆସକ୍ତି ଦୂର ହୋଇଗଲା
ଏବଂ ମୁଁ ଶ୍ରୀକୃଷ୍ଣପରାୟଣ ହୋଇଗଲି | କିଛି ଦିନ ଉପରାନ୍ତେ,
ଆକାଶରେ ହଠାତ୍ ଏକାଧିକ ବିଜୁଳି ଚମକିଵା ପରି, ନିର୍ଦ୍ଦିଷ୍ଟ ସମୟରେ ମୋର ମୃତ୍ୟୁ ଆସିଗଲା |
ପ୍ରୟୁଜ୍ୟମାନେ ମୟି ତାଂ ଶୁଦ୍ଧାଂ ଭାଗବତୀଂ ତନୁମ୍ ।
ଆରବ୍ଧକର୍ମନିର୍ୱାଣୋ ନ୍ୟପତତ୍ପାଞ୍ଚଭୌତିକଃ ॥ ୨୯॥
ମୋତେ ଶୁଦ୍ଧ ଭଗବତ୍-ପାର୍ଷଦ-ଶରୀର ପ୍ରାପ୍ତ ହେବାର ଅବସର ଆସିଯିବାରୁ,
ସମସ୍ତ ପ୍ରାରବ୍ଧ କର୍ମ ସମାପ୍ତ ହୋଇ ମୋର ପଞ୍ଚଭୌତିକ ଶରୀର ନଷ୍ଟ ହୋଇଗଲା |
କଲ୍ପାନ୍ତ ଇଦମାଦାୟ ଶୟାନେଽମ୍ଭସ୍ୟୁଦନ୍ୱତଃ ।
ଶିଶୟିଷୋରନୁପ୍ରାଣଂ ବିବିଶେଽନ୍ତରହଂ ବିଭୋଃ ॥ ୩୦॥
କଳ୍ପାନ୍ତରେ ଯେତେବେଳେ ଭଗବାନ ନାରାୟଣ ଏକାର୍ଣ୍ଣବ (ପ୍ରଳୟକାଳୀନ
ସମୁଦ୍ର) ଜଳରେ ଶୟନ କରିଥାଆନ୍ତି, ସେତେବେଳେ ତାଙ୍କ
ହୃଦୟରେ ଶୟନ କରିବା ଇଚ୍ଛାରେ ସମଗ୍ର ସୃଷ୍ଟିକୁ ଏକତ୍ରିତ କରି ବ୍ରହ୍ମା ତାଙ୍କ ମଧ୍ୟରେ ପ୍ରବେଶ
କରୁଥିବା ସମୟରେ ତାଙ୍କ ଶ୍ବାସ ସହିତ ମୁଁ ମଧ୍ୟ ତାଙ୍କ ହୃଦୟରେ ପ୍ରବେଶ କରିଗଲି |
ସହସ୍ରୟୁଗପର୍ୟନ୍ତ ଉତ୍ଥାୟେଦଂ ସିସୃକ୍ଷତଃ ।
ମରୀଚିମିଶ୍ରା ଋଷୟଃ ପ୍ରାଣେଭ୍ୟୋଽହଂ ଚ ଜଜ୍ଞିରେ ॥ ୩୧॥
ଏକ ସହସ୍ର ଚତୁର୍ଯୁଗ ଅତିବାହିତ ହୋଇଯିବା ପରେ ଯେତେବେଳେ ବ୍ରହ୍ମା
ଜାଗ୍ରତ ହୋଇ ସୃଷ୍ଟି କରିବାକୁ ଇଚ୍ଛା କଲେ, ସେତେବେଳେ ତାଙ୍କ
ଇନ୍ଦ୍ରିୟରୁ ମରୀଚି ଆଦି ଋଷିମାନଙ୍କ ସହିତ ମୁଁ ମଧ୍ୟ ପ୍ରକଟ ହେଲି |
ଅନ୍ତର୍ବହିଶ୍ଚ ଲୋକାଂସ୍ତ୍ରୀନ୍ ପର୍ୟେମ୍ୟସ୍କନ୍ଦିତବ୍ରତଃ ।
ଅନୁଗ୍ରହାନ୍ମହାବିଷ୍ଣୋରବିଘାତଗତିଃ କ୍ୱଚିତ୍ ॥ ୩୨॥
ସେହି ଦିନଠାରୁ ଭଗବାନଙ୍କ କୃପାରୁ ମୁଁ ବୈକୁଣ୍ଠ ଆଦି ଦିବ୍ୟ ଲୋକରେ
ଏବଂ ତ୍ରିଲୋକରେ ବାହାର-ଭିତର ସର୍ବତ୍ର ଅବାଧରେ ବିଚରଣ କରୁଛି | ମୋ ଜୀବନର ବ୍ରତ ଭଗବଦ୍-ଭଜନ
ଅଖଣ୍ଡରୂପରେ ଚାଲିଛି |
ଦେବଦତ୍ତାମିମାଂ ବୀଣାଂ ସ୍ୱରବ୍ରହ୍ମବିଭୂଷିତାମ୍ ।
ମୂର୍ଚ୍ଛୟିତ୍ୱା ହରିକଥାଂ ଗାୟମାନଶ୍ଚରାମ୍ୟହମ୍ ॥ ୩୩॥
ଭଗବାନଙ୍କ ଦ୍ବାରା ପ୍ରଦତ୍ତ ସ୍ବରବ୍ରହ୍ମ ବିଭୂଷିତ ଏହି ବୀଣା ବାଦନ
ସହିତ ତାଙ୍କର ଲୀଳା ଗାନ କରି ମୁଁ ସାରା ସଂସାରରେ ବିଚରଣ କରୁଛି |
ପ୍ରଗାୟତଃ ସ୍ୱବୀର୍ୟାଣି ତୀର୍ଥପାଦଃ ପ୍ରିୟଶ୍ରବାଃ ।
ଆହୂତ ଇବ ମେ ଶୀଘ୍ରଂ ଦର୍ଶନଂ ଯାତି ଚେତସି ॥ ୩୪॥
ମୁଁ ଯେତେବେଳେ ତାଙ୍କର ଲୀଳା ଗାନ କରୁଥାଏ, ସେତେବେଳେ ସେହି ପ୍ରଭୁ,
ଯାହାଙ୍କ ଚରଣକମଳ ସମସ୍ତ ତୀର୍ଥର ଉଦଗମସ୍ଥାନ ଅଟେ ଏବଂ ଯାହାଙ୍କ ଯଶୋଗାନ ମୋର ଅତ୍ୟନ୍ତ ପ୍ରିୟ
ଅଟେ, କିଏ ତାଙ୍କର ଆବାହନ
କରିବା ପରି ଖୁବ୍ ଶୀଘ୍ର ଆସି ମୋ ହୃଦୟରେ ପ୍ରକଟ ହୋଇଯାଆନ୍ତି |
ଏତଦ୍ଧ୍ୟାତୁରଚିତ୍ତାନାଂ ମାତ୍ରାସ୍ପର୍ଶେଚ୍ଛୟା ମୁହୁଃ ।
ଭବସିନ୍ଧୁପ୍ଲବୋ ଦୃଷ୍ଟୋ ହରିଚର୍ୟାନୁବର୍ଣନମ୍ ॥ ୩୫॥
ଯେଉଁମାନଙ୍କର ଚିତ୍ତ ନିରନ୍ତର ବିଷୟ-ଭୋଗ କାମନାରେ ଆତୁର ରହିଥାଏ, ସେମାନଙ୍କ ପାଇଁ ଭଗବାନଙ୍କର ଲୀଳା କୀର୍ତ୍ତନ ସଂସାର-ସାଗରକୁ
ଲଂଘିଵା ନିମନ୍ତେ ଜାହାଜ ସଦୃଶ ଅଟେ, ଏହା ମୋର ନିଜସ୍ବ
ଅନୁଭବ |
ଯମାଦିଭିର୍ୟୋଗପଥୈଃ କାମଲୋଭହତୋ ମୁହୁଃ ।
ମୁକୁନ୍ଦସେବୟା ଯଦ୍ୱତ୍ତଥାଽଽତ୍ମାଦ୍ଧା ନ ଶାମ୍ୟତି ॥ ୩୬॥
କାମ-ଲୋଭ ଆଦିର ଚୋଟରେ ବାରମ୍ବାର କ୍ଷତ-ବିକ୍ଷତ ହୃଦୟ
ଶ୍ରୀକୃଷ୍ଣ-ସେବା ଦ୍ବାରା ଯେପରି ପ୍ରତ୍ୟକ୍ଷ ଶାନ୍ତି ଅନୁଭବ କରିଥାଏ, ସେପରି ଶାନ୍ତି ଯମ-ନିୟମ ଆଦି ଯୋଗ ମାର୍ଗରେ ମିଳି ନ ଥାଏ |
ସର୍ୱଂ ତଦିଦମାଖ୍ୟାତଂ ଯତ୍ପୃଷ୍ଟୋଽହଂ ତ୍ୱୟାନଘ ।
ଜନ୍ମକର୍ମରହସ୍ୟଂ ମେ ଭବତଶ୍ଚାତ୍ମତୋଷଣମ୍ ॥ ୩୭॥
ହେ ବ୍ୟାସଦେବ ! ଆପଣ ନିଷ୍ପାପ ଅଟନ୍ତି | ଆପଣ ମୋତେ ଯାହାକିଛି
ପଚାରି ଥିଲେ, ମୋର ଜନ୍ମ ଏବଂ
ସାଧନାର ରହସ୍ୟ ତଥା ଆପଣଙ୍କ ଆତ୍ମତୁଷ୍ଟିର ଉପାୟ ଆଦି ସବୁ କଥା ମୁଁ ଆପଣଙ୍କୁ କହିଲି |
ସୂତ ଉବାଚ
ଏବଂ ସମ୍ଭାଷ୍ୟ ଭଗବାନ୍ନାରଦୋ ବାସବୀସୁତମ୍ ।
ଆମନ୍ତ୍ର୍ୟ ବୀଣାଂ ରଣୟନ୍ ଯୟୌ ଯାଦୃଚ୍ଛିକୋ ମୁନିଃ ॥ ୩୮॥
ସୂତ ମୁନି କହୁଛନ୍ତି – ହେ ଶୌନକାଦି ଋଷିଗଣ ! ଦେବର୍ଷି ନାରଦ
ମହାମୁନି ବେଦବ୍ୟାସଙ୍କୁ ଏପରି କହି ସେଠାରୁ ପ୍ରସ୍ଥାନ କରିବା ପାଇଁ ଅନୁମତି ମାଗିଲେ ଏବଂ ବୀଣା
ବଜାଇ ସ୍ବଚ୍ଛନ୍ଦ ବିଚରଣ କରିବା ଉଦ୍ଦେଶ୍ୟରେ ସେଠାରୁ ଚାଲିଗଲେ |
ଅହୋ ଦେବର୍ଷିର୍ଧନ୍ୟୋଽୟଂ ଯତ୍କୀର୍ତିଂ ଶାର୍ଙ୍ଗଧନ୍ୱନଃ ।
ଗାୟନ୍ ମାଦ୍ୟନ୍ନିଦଂ ତନ୍ତ୍ର୍ୟା ରମୟତ୍ୟାତୁରଂ ଜଗତ୍ ॥ ୩୯॥
ଆହା ! ସେହି ଦେବର୍ଷି ନାରଦ ଧନ୍ୟ ଅଟନ୍ତି; କାରଣ ସେ ଶଂଖପାଣି ଭଗବାନଙ୍କର କୀର୍ତ୍ତିକୁ ବୀଣାରେ ଗାନ କରି
ସ୍ବୟଂ ଆନନ୍ଦମଗ୍ନ ରହିବା ସହିତ ଏହି ତ୍ରିତାପତପ୍ତ ଜଗତକୁ ମଧ୍ୟ ଆନନ୍ଦିତ କରୁଥାଆନ୍ତି |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ବ୍ୟାସନାରଦସମ୍ବାଦେ ଷଷ୍ଠୋଽଧ୍ୟାୟଃ ॥ ୬॥

Comments
Post a Comment