ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ

ପ୍ରଥମ ସ୍କନ୍ଧ

ସପ୍ତମ ଅଧ୍ୟାୟ

ଅଶ୍ବତ୍ଠାମା ଦ୍ବାରା ଦ୍ରୌପଦୀଙ୍କ ପୁତ୍ରମାନଙ୍କର ନିଧନ ଏବଂ ଅର୍ଜୁନଙ୍କ ଦ୍ବାରା ଅଶ୍ବତ୍ଥାମାର ମାନମର୍ଦନ

ଶୌନକ ଉବାଚ

ନିର୍ଗତେ ନାରଦେ ସୂତ ଭଗବାନ୍ ବାଦରାୟଣଃ ।

ଶ୍ରୁତବାଂସ୍ତଦଭିପ୍ରେତଂ ତତଃ କିମକରୋଦ୍ୱିଭୁଃ ॥ ୧॥

ଶୌନକ ପଚାରିଲେ – ହେ ସୂତ ମହାଶୟ ! ସର୍ବଜ୍ଞ, ସର୍ବଶକ୍ତିମାନ ବ୍ୟାସ ଭଗବାନ ନାରଦମୁନିଙ୍କର ଅଭିପ୍ରାୟ ବୁଝି ପାରିଲେ | ଦେବର୍ଷି ସେଠାରୁ ପ୍ରସ୍ଥାନ କରିବା ପରେ ସେ କଣ କଲେ ?

ସୂତ ଉବାଚ

ବ୍ରହ୍ମନଦ୍ୟାଂ ସରସ୍ୱତ୍ୟାମାଶ୍ରମଃ ପଶ୍ଚିମେ ତଟେ ।

ଶମ୍ୟାପ୍ରାସ ଇତି ପ୍ରୋକ୍ତ ଋଷୀଣାଂ ସତ୍ରବର୍ଧନଃ ॥ ୨॥

ସୂତ ମୁନି କହିଲେ – ବ୍ରହ୍ମନଦୀ ସରସ୍ବତୀର ପଶ୍ଚିମ ତଟଦେଶରେ ଶମ୍ୟାପ୍ରସା ନାମକ ଏକ ଆଶ୍ରମ ଅଛି | ସେଠାରେ ସର୍ବଦା ଋଷିମାନେ ଯଜ୍ଞ କରୁଥାଆନ୍ତି |

ତସ୍ମିନ୍ ସ୍ୱ ଆଶ୍ରମେ ବ୍ୟାସୋ ବଦରୀଷଣ୍ଡମଣ୍ଡିତେ ।

ଆସୀନୋଽପ ଉପସ୍ପୃଶ୍ୟ ପ୍ରଣିଦଧ୍ୟୌ ମନଃ ସ୍ୱୟମ୍ ॥ ୩॥

ବ୍ୟାସଦେବଙ୍କର ଆଶ୍ରମ ମଧ୍ୟ ସେହିଠାରେ ଥିଲା | ତାହାର ଚତୁର୍ପାର୍ଶ୍ବରେ ବଟବୃକ୍ଷର ସୁନ୍ଦର ବନ ଥିଲା | ନିଜ ଆଶ୍ରମରେ ବସି ସେ ଆଚମନ କଲେ ଏବଂ ନିଜ ମନକୁ ସମାହିତ କଲେ |

ଭକ୍ତିୟୋଗେନ ମନସି ସମ୍ୟକ୍ ପ୍ରଣିହିତେଽମଲେ ।

ଅପଶ୍ୟତ୍ପୁରୁଷଂ ପୂର୍ୱଂ ମାୟାଂ ଚ ତଦୁପାଶ୍ରୟାମ୍ ॥ ୪॥

ଭକ୍ତିଯୋଗ ଦ୍ବାରା ମନକୁ ପୂର୍ଣ୍ଣତଃ ଏକାଗ୍ର ଏବଂ ନିର୍ମଳ କରି ସେ ଆଦିପୁରୁଷ ପରମାତ୍ମା ଏବଂ ତାଙ୍କର ଆଶ୍ରିତ ମାୟାକୁ ଦେଖିଲେ |

ଯୟା ସମ୍ମୋହିତୋ ଜୀବ ଆତ୍ମାନଂ ତ୍ରିଗୁଣାତ୍ମକମ୍ ।

ପରୋଽପି ମନୁତେଽନର୍ଥଂ ତତ୍କୃତଂ ଚାଭିପଦ୍ୟତେ ॥ ୫॥

ଏହି ମାୟାରେ ମୋହିତ ହୋଇ ଜୀବ ତ୍ରିଗୁଣାତୀତ ହୋଇଥିଲେ ବି ନିଜକୁ ତ୍ରିଗୁଣାତ୍ମକ ମନେ କରିଥାଏ ଏବଂ ସେହି ମାନ୍ୟତାରୁ ଉତ୍ପନ୍ନ ଅନର୍ଥ ଭୋଗ କରିଥାଏ |

ଅନର୍ଥୋପଶମଂ ସାକ୍ଷାଦ୍ଭକ୍ତିୟୋଗମଧୋକ୍ଷଜେ ।

ଲୋକସ୍ୟାଜାନତୋ ବିଦ୍ୱାଂଶ୍ଚକ୍ରେ ସାତ୍ୱତସଂହିତାମ୍ ॥ ୬॥

ଏହି ଅନର୍ଥ ନିବୃତ୍ତିର ଏକମାତ୍ର ସାଧନ ଭଗବାନଙ୍କର ଭକ୍ତିଯୋଗ ଅଟେ, କିନ୍ତୁ ସଂସାରୀ ମନୁଷ୍ୟ ତାହା ଜାଣନ୍ତି ନାହିଁ | ଏହା ବୁଝିପାରି ବେଦବ୍ୟାସ ଏହି ପରମହଂସ ସଂହିତା ଶ୍ରୀମଦ୍ ଭାଗବତ ରଚନା କଲେ |

ଯସ୍ୟାଂ ବୈ ଶ୍ରୂୟମାଣାୟାଂ କୃଷ୍ଣେ ପରମପୂରୁଷେ ।

ଭକ୍ତିରୁତ୍ପଦ୍ୟତେ ପୁଂସଃ ଶୋକମୋହଭୟାପହା ॥ ୭॥

ଏହାର ଶ୍ରବଣମାତ୍ରେ ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ପରମ ପ୍ରେମମୟୀ ଭକ୍ତି ଜାତ ହୋଇଥାଏ, ଯଦ୍ବାରା ଜୀବର ଶୋକ, ମୋହ, ଭୟ ନଷ୍ଟ ହୋଇଯାଏ |

ସ ସଂହିତାଂ ଭାଗବତୀଂ କୃତ୍ୱାନୁକ୍ରମ୍ୟ ଚାତ୍ମଜମ୍ ।

ଶୁକମଧ୍ୟାପୟାମାସ ନିବୃତ୍ତିନିରତଂ ମୁନିଃ ॥ ୮॥

ସେ ଏହି ଭାଗବତ-ସଂହିତାର ନିର୍ମାଣ ଏବଂ ପୁନରାବୃତ୍ତି କରି ନିଜ ନିବୃତ୍ତିପରାୟଣ ପୁତ୍ର ଶୁକଦେବଙ୍କୁ ତାହା ପଢାଇ ଥିଲେ |

ଶୌନକ ଉବାଚ

ସ ବୈ ନିବୃତ୍ତିନିରତଃ ସର୍ୱତ୍ରୋପେକ୍ଷକୋ ମୁନିଃ ।

କସ୍ୟ ବା ବୃହତୀମେତାମାତ୍ମାରାମଃ ସମଭ୍ୟସତ୍ ॥ ୯॥

ଶୌନକ ପଚାରିଲେ – ଶ୍ରୀ ଶୁକଦେବ ତ ଅତ୍ୟନ୍ତ ନିବୃତ୍ତିପରାୟଣ ଅଟନ୍ତି | ତାଙ୍କର କୌଣସି ବସ୍ତୁର ଅଭିଳାଷ ନ ଥାଏ; ସଦା ସର୍ବଦା ସେ ନିଜ ଆତ୍ମାରେ ରମଣ କରୁଥାଆନ୍ତି | କେଉଁ କାରଣରୁ ସେ ଏହି ବିଶାଳ ଗ୍ରନ୍ଥର ଅଧ୍ୟୟନ କରିଥିଲେ ?

ସୂତ ଉବାଚ

ଆତ୍ମାରାମାଶ୍ଚ ମୁନୟୋ ନିର୍ଗ୍ରନ୍ଥା ଅପ୍ୟୁରୁକ୍ରମେ ।

କୁର୍ୱନ୍ତ୍ୟହୈତୁକୀଂ ଭକ୍ତିମିତ୍ଥମ୍ଭୂତଗୁଣୋ ହରିଃ ॥ ୧୦॥

ସୂତ କହିଲେ – ଯେଉଁମାନେ ଜ୍ଞାନୀ ଅଟନ୍ତି, ଯାହାର ଅବିଦ୍ୟା ଗ୍ରନ୍ଥି ଖୋଲି ଯାଇଥାଏ ଏବଂ ସର୍ବଦା ଯେଉଁମାନେ ଆତ୍ମାରେ ରମଣ କରୁଥାଆନ୍ତି, ସେମାନେ ମଧ୍ୟ ଭଗବାନଙ୍କର ନିଷ୍କାମ ଭକ୍ତି କରନ୍ତି; କାରଣ ଭଗବାନଙ୍କର ଗୁଣାବଳୀ ଏପରି ଅଟେ ଯାହା ସମସ୍ତଙ୍କୁ ତାଙ୍କ ପ୍ରତି ଆକର୍ଷିତ କରିଥାଏ |

ହରେର୍ଗୁଣାକ୍ଷିପ୍ତମତିର୍ଭଗବାନ୍ ବାଦରାୟଣିଃ ।

ଅଧ୍ୟଗାନ୍ମହଦାଖ୍ୟାନଂ ନିତ୍ୟଂ ବିଷ୍ଣୁଜନପ୍ରିୟଃ ॥ ୧୧॥

ଶୁକଦେବ ତ ଭଗବଦ୍-ଭକ୍ତମାନଙ୍କର ଅତ୍ୟନ୍ତ ପ୍ରିୟ ଏବଂ ସ୍ବୟଂ ବେଦବ୍ୟାସଙ୍କର ପୁତ୍ର ଅଟନ୍ତି | ତେଣୁ ତାଙ୍କର ହୃଦୟ ଭଗବାନଙ୍କର ଗୁଣ ପ୍ରତି ଆକୃଷ୍ଟ ହେଲା ଏବଂ ବିବଶ ହୋଇ ସେ ଏହି ବିଶାଳ ଗ୍ରନ୍ଥ ଅଧ୍ୟୟନ କଲେ |

ପରୀକ୍ଷିତୋଽଥ ରାଜର୍ଷେର୍ଜନ୍ମକର୍ମବିଲାପନମ୍ ।

ସଂସ୍ଥାଂ ଚ ପାଣ୍ଡୁପୁତ୍ରାଣାଂ ବକ୍ଷ୍ୟେ କୃଷ୍ଣକଥୋଦୟମ୍ ॥ ୧୨॥

ହେ ଶୌନକ ! ଏବେ ମୁଁ ରାଜର୍ଷି ପରୀକ୍ଷିତଙ୍କର ଜନ୍ମ, କର୍ମ ଏବଂ ମୋକ୍ଷ ତଥା ପାଣ୍ଡବମାନଙ୍କର ସ୍ବର୍ଗାରୋହଣ କଥା କହୁଛି; କାରଣ ତହିଁରୁ ଭଗବାନ ଶ୍ରୀକୃଷ୍ଣ-ସମ୍ବନ୍ଧୀୟ ଅନେକ କଥାର ପ୍ରାଦୁର୍ଭାବ ହୋଇଥାଏ |

ଯଦା ମୃଧେ କୌରବସୃଞ୍ଜୟାନାଂ

ବୀରେଷ୍ୱଥୋ ବୀରଗତିଂ ଗତେଷୁ ।

ବୃକୋଦରାବିଦ୍ଧଗଦାଭିମର୍ଶ-

ଭଗ୍ନୋରୁଦଣ୍ଡେ ଧୃତରାଷ୍ଟ୍ରପୁତ୍ରେ ॥ ୧୩॥

ଭର୍ତୁଃ ପ୍ରିୟଂ ଦ୍ରୌଣିରିତି ସ୍ମ ପଶ୍ୟନ୍

କୃଷ୍ଣାସୁତାନାଂ ସ୍ୱପତାଂ ଶିରାଂସି ।

ଉପାହରଦ୍ୱିପ୍ରିୟମେବ ତସ୍ୟ

ଜୁଗୁପ୍ସିତଂ କର୍ମ ବିଗର୍ହୟନ୍ତି ॥ ୧୪॥

ମହାଭାରତ ଯୁଦ୍ଧରେ କୌରବ ଓ ପାଣ୍ଡବ ଉଭୟ ପକ୍ଷର ଅନେକ ବୀର ବୀରଗତି ପ୍ରାପ୍ତ ହୋଇଥିଲେ ଏବଂ ଭୀମସେନଙ୍କ ଗଦା ପ୍ରହାରରେ ଦୁର୍ଯ୍ୟୋଧନଙ୍କର ଜାନୁ ଭଙ୍ଗ ହୋଇଥିଲା | ସେହି ସମୟରେ ନିଜ ସ୍ବାମୀ ଦୁର୍ଯ୍ୟୋଧନଙ୍କର ପ୍ରିୟ କାର୍ଯ୍ୟ ମନେକରି ଅଶ୍ବତ୍ଥାମା ଦ୍ରୌପଦୀଙ୍କର ଶୟନରତ ପଂଚ ପୁତ୍ରଙ୍କର ମସ୍ତକ ଛେଦନ କରି ଉପହାର ସ୍ବରୂପ ଦୁର୍ଯ୍ୟୋଧନଙ୍କୁ ଅର୍ପଣ କଲେ, ଯାହା ଦୁର୍ଯ୍ୟୋଧନଙ୍କୁ ମଧ୍ୟ ଅପ୍ରିୟ ମନେ ହୋଇଥିଲା; କାରଣ ଏପରି ନୀଚ କର୍ମର ସମସ୍ତେ ନିନ୍ଦା କରନ୍ତି |

ମାତା ଶିଶୂନାଂ ନିଧନଂ ସୁତାନାଂ

ନିଶମ୍ୟ ଘୋରଂ ପରିତପ୍ୟମାନା ।

ତଦାରୁଦଦ୍ବାଷ୍ପକଲାକୁଲାକ୍ଷୀ

ତାଂ ସାନ୍ତ୍ୱୟନ୍ନାହ କିରୀଟମାଲୀ ॥ ୧୫॥

ନିଜ ପୁତ୍ରମାନଙ୍କର ନିଧନ ବିଷୟ ଶୁଣି ମାତା ଦ୍ରୌପଦୀ ଅତ୍ୟନ୍ତ ଦୁଃଖରେ ରୋଦନ କରିବାରେ ଲାଗିଲେ | ତାଙ୍କ ନେତ୍ରରୁ ଅବାରିତ ଅଶ୍ରୁବର୍ଷଣ ହେବାରେ ଲାଗିଥାଏ | ତାଙ୍କୁ ସାନ୍ତ୍ବନା ଦେବାକୁ ଯାଇ ଅର୍ଜୁନ କହିଲେ -

ତଦା ଶୁଚସ୍ତେ ପ୍ରମୃଜାମି ଭଦ୍ରେ

ଯଦ୍ବ୍ରହ୍ମବନ୍ଧୋଃ ଶିର ଆତତାୟିନଃ ।

ଗାଣ୍ଡୀବମୁକ୍ତୈର୍ୱିଶିଖୈରୁପାହରେ

ତ୍ୱାଽଽକ୍ରମ୍ୟ ଯତ୍ସ୍ନାସ୍ୟସି ଦଗ୍ଧପୁତ୍ରା ॥ ୧୬॥

ହେ କଲ୍ୟାଣୀ ! ମୁଁ ତୁମ ଆଖିର ଲୁହ ସେତେବେଳେ ପୋଛିବି ଯେତେବେଳେ ମୁଁ ନିଜ ଗାଣ୍ଡିବ ଧନୁର ବାଣରେ ସେହି ଆତତାୟୀ ବ୍ରାହ୍ମଣ-ଅଧମର ସିର ଛେଦନ କରି ତୁମ ହାତରେ ଅର୍ପଣ କରିବି ଏବଂ ପୁତ୍ରମାନଙ୍କର ଅନ୍ତେଷ୍ଟି କ୍ରିୟା ସମାପନ କରି ତୁମେ ତା ଉପରେ ପାଦ ରଖି ସ୍ନାନ କରିବ |

ଇତି ପ୍ରିୟାଂ ବଲ୍ଗୁବିଚିତ୍ରଜଲ୍ପୈଃ

ସ ସାନ୍ତ୍ୱୟିତ୍ୱାଚ୍ୟୁତମିତ୍ରସୂତଃ ।

ଅନ୍ୱାଦ୍ରବଦ୍ଦଂଶିତ ଉଗ୍ରଧନ୍ୱା

କପିଧ୍ୱଜୋ ଗୁରୁପୁତ୍ରଂ ରଥେନ ॥ ୧୭॥

ଅର୍ଜୁନ ଏହିପରି ମଧୁର ଅଥଚ ବିଚିତ୍ର ବଚନ କହି ଦ୍ରୌପଦୀଙ୍କୁ ସାନ୍ତ୍ବନା ଦେଲେ ଏବଂ ନିଜ ମିତ୍ର ଭଗବାନ ଶ୍ରୀକୃଷ୍ଣଙ୍କର ଉପଦେଶରେ ତାଙ୍କୁ ସାରଥି କରି, କବଚ ଧାରଣ ପୂର୍ବକ ନିଜ ଭୟାନକ ଗାଣ୍ଡିବ ଧନୁ ହସ୍ତରେ ଧାରଣ କରି ରଥ ଆରୋହଣ କଲେ ଏବଂ ଗୁରୁପୁତ୍ର ଅଶ୍ବତ୍ଥାମାଙ୍କର ପଶ୍ଚାଦଧାବନ କଲେ |

ତମାପତନ୍ତଂ ସ ବିଲକ୍ଷ୍ୟ ଦୂରାତ୍

କୁମାରହୋଦ୍ୱିଗ୍ନମନା ରଥେନ ।

ପରାଦ୍ରବତ୍ପ୍ରାଣପରୀପ୍ସୁରୁର୍ୱ୍ୟାଂ

ଯାବଦ୍ଗମଂ ରୁଦ୍ରଭୟାଦ୍ୟଥାର୍କଃ ॥ ୧୮॥

ଶିଶୁ ହତ୍ୟା କରି ଅଶ୍ବତ୍ଥାମାଙ୍କର ମନ ମଧ୍ୟ ଉଦ୍ବିଗ୍ନ ରହିଥିଲା | ଦୂରରୁ ଅତ୍ୟନ୍ତ କ୍ଷିପ୍ର ବେଗରେ ଅର୍ଜୁନ ତାଙ୍କ ଅଭିମୁଖରେ ଆସୁଥିବା ଦେଖି ପ୍ରାଣ ରକ୍ଷା ଉଦ୍ଦେଶ୍ୟରେ ସେ ରୁଦ୍ରଙ୍କ ଭୟରେ ଭୟଭୀତ ସୂର୍ଯ୍ୟଙ୍କ ପରି ପୃଥିବୀ ପୃଷ୍ଠରେ ଯେତେ ଦୂର ଧାଇଁପାରିବେ, ଧାଇଁବାରେ ଲାଗିଲେ |

ଯଦାଶରଣମାତ୍ମାନମୈକ୍ଷତ ଶ୍ରାନ୍ତବାଜିନମ୍ ।

ଅସ୍ତ୍ରଂ ବ୍ରହ୍ମଶିରୋ ମେନେ ଆତ୍ମତ୍ରାଣଂ ଦ୍ୱିଜାତ୍ମଜଃ ॥ ୧୯॥

ଯେତେବେଳେ ସେ ଦେଖିଲେ ଯେ ମୋ ରଥର ଘୋଡାମାନେ କ୍ଲାନ୍ତ ହୋଇ ଯାଇଛନ୍ତି ଏବଂ ମୁଁ ସମ୍ପୂର୍ଣ୍ଣ ଏକାକୀ ଅଟେ, ସେତେବେଳେ ସେ ବ୍ରହ୍ମାସ୍ତ୍ରକୁ ନିଜ ପ୍ରାଣ ରକ୍ଷା କରିବାର ଏକମାତ୍ର ସାଧନ ମନେ କଲେ |

ଅଥୋପସ୍ପୃଶ୍ୟ ସଲିଲଂ ସନ୍ଦଧେ ତତ୍ସମାହିତଃ ।

ଅଜାନନ୍ନୁପସଂହାରଂ ପ୍ରାଣକୃଚ୍ଛ୍ର ଉପସ୍ଥିତେ ॥ ୨୦॥

ବ୍ରହ୍ମାସ୍ତ୍ରକୁ ଫେରାଇ ଆଣିବାର ବିଧି ଯଦିଓ ତାହାକୁ ଜଣା ନ ଥିଲା, ତଥାପି ପ୍ରାଣସଂକଟ ଦେଖି ସେ ଆଚମନ କଲେ ଏବଂ ଧ୍ୟାନସ୍ଥ ରହି ବ୍ରହ୍ମାସ୍ତ୍ରକୁ ପ୍ରୟୋଗ କରିଦେଲେ |

ତତଃ ପ୍ରାଦୁଷ୍କୃତଂ ତେଜଃ ପ୍ରଚଣ୍ଡଂ ସର୍ୱତୋ ଦିଶମ୍ ।

ପ୍ରାଣାପଦମଭିପ୍ରେକ୍ଷ୍ୟ ବିଷ୍ଣୁଂ ଜିଷ୍ଣୁରୁବାଚ ହ ॥ ୨୧॥

ସେହି ଅସ୍ତ୍ର ପ୍ରୟୋଗରେ ଚତୁର୍ଦିଗ ପ୍ରଚଣ୍ଡ ତେଜରେ ଉଦ୍ଭାସିତ ହୋଇ ଉଠିଲା | ଅର୍ଜୁନ ଦେଖିଲେ ଏବେ ମୋର ପ୍ରାଣ ପ୍ରତି ବିପଦ ଆସିଯାଇଛି | ସେ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କଲେ -

ଅର୍ଜୁନ ଉବାଚ

କୃଷ୍ଣ କୃଷ୍ଣ ମହାଭାଗ ଭକ୍ତାନାମଭୟଙ୍କର ।

ତ୍ୱମେକୋ ଦହ୍ୟମାନାନାମପବର୍ଗୋଽସି ସଂସୃତେଃ ॥ ୨୨॥

ଅର୍ଜୁନ କହିଲେ – ହେ ଶ୍ରୀକୃଷ୍ଣ ! ଆପଣ ସଚ୍ଚିଦାନନ୍ଦରୂପ ପରମାତ୍ମା ଅଟନ୍ତି | ଆପଣଙ୍କର ଶକ୍ତି ଅନନ୍ତ | ଭକ୍ତମାନଙ୍କୁ ଆପଣ ଅଭୟ ଦାନ କରିଥାଆନ୍ତି | ସଂସାର ଦାବାନଳରେ ଦଗ୍ଧ ଜୀବର ଉଦ୍ଧାରକର୍ତ୍ତା ଏକମାତ୍ର ଆପଣ ହିଁ ଅଟନ୍ତି |

ତ୍ୱମାଦ୍ୟଃ ପୁରୁଷଃ ସାକ୍ଷାଦୀଶ୍ୱରଃ ପ୍ରକୃତେଃ ପରଃ ।

ମାୟାଂ ବ୍ୟୁଦସ୍ୟ ଚିଚ୍ଛକ୍ତ୍ୟା କୈବଲ୍ୟେ ସ୍ଥିତ ଆତ୍ମନି ॥ ୨୩॥

ଆପଣ ପ୍ରକୃତିର ଉର୍ଦ୍ଧ୍ବରେ ସ୍ଥିତ ଆଦିପୁରୁଷ ସାକ୍ଷାତ୍ ପରମେଶ୍ବର ଅଟନ୍ତି | ନିଜ ଚିତ୍-ଶକ୍ତି (ସ୍ବରୂପ ଶକ୍ତି) ବଳରେ ବହିରଙ୍ଗ ତ୍ରିଗୁଣମୟୀ ମାୟାକୁ ଦୂରକୁ ନିକ୍ଷେପ କରି ଆପଣ ନିଜ ଅଦ୍ବିତୀୟ ସ୍ବରୂପରେ ସ୍ଥିତ ଅଟନ୍ତି |

ସ ଏବ ଜୀବଲୋକସ୍ୟ ମାୟାମୋହିତଚେତସଃ ।

ବିଧତ୍ସେ ସ୍ୱେନ ବୀର୍ୟେଣ ଶ୍ରେୟୋ ଧର୍ମାଦିଲକ୍ଷଣମ୍ ॥ ୨୪॥

ସେ ଆପଣ ହିଁ ଅଟନ୍ତି, ଯିଏ ନିଜ ପ୍ରଭାବରେ ମାୟା-ମୋହିତ ଜୀବ ନିମନ୍ତେ ଧର୍ମାଦିରୂପ କଲ୍ୟାଣ ବିଧାନ କରିଥାଆନ୍ତି |

ତଥାୟଂ ଚାବତାରସ୍ତେ ଭୁବୋ ଭାରଜିହୀର୍ଷୟା ।

ସ୍ୱାନାଂ ଚାନନ୍ୟଭାବାନାମନୁଧ୍ୟାନାୟ ଚାସକୃତ୍ ॥ ୨୫॥

ପୃଥିବୀର ଭାର ହରଣ କରିବା ନିମନ୍ତେ ଏବଂ ନିଜ ଅନନ୍ୟ ପ୍ରେମୀ ଭକ୍ତଜନଙ୍କର ନିରନ୍ତର ସ୍ମରଣ-ଧ୍ୟାନ କରାଇବା ଉଦ୍ଦେଶ୍ୟରେ ଆପଣ ଅବତରିତ ହୋଇଛନ୍ତି |

କିମିଦଂ ସ୍ୱିତ୍କୁତୋ ବେତି ଦେବଦେବ ନ ବେଦ୍ମ୍ୟହମ୍ ।

ସର୍ୱତୋମୁଖମାୟାତି ତେଜଃ ପରମଦାରୁଣମ୍ ॥ ୨୬॥

ହେ ସ୍ବୟଂ ପ୍ରକାଶରୂପ ଶ୍ରୀକୃଷ୍ଣ ! ଏହି ଭୟଙ୍କର ତେଜ ସବୁ ଦିଗରୁ ମୋ ଅଭିମୁଖରେ ମାଡି ଆସୁଛି | ଏହା କ, କେଉଁଠାରୁ ଆସୁଛି, କାହିଁକି ଆସୁଛି – ସେହି ବିଷୟରେ ମୁଁ କିଛି ଜାଣେନାହିଁ |

ଶ୍ରୀଭଗବାନୁବାଚ

ବେତ୍ଥେଦଂ ଦ୍ରୋଣପୁତ୍ରସ୍ୟ ବ୍ରାହ୍ମମସ୍ତ୍ରଂ ପ୍ରଦର୍ଶିତମ୍ ।

ନୈବାସୌ ବେଦ ସଂହାରଂ ପ୍ରାଣବାଧ ଉପସ୍ଥିତେ ॥ ୨୭॥

ଭଗବାନ କହିଲେ – ହେ ଅର୍ଜୁନ ! ଏହା ଅଶ୍ବତ୍ଥାମା ଦ୍ବାରା ପ୍ରୟୋଗ କରାଯାଇ ଥିବା ବ୍ରହ୍ମାସ୍ତ୍ର ଅଟେ | ନିଜ ପ୍ରାଣ ପ୍ରତି ସଂକଟ ଉପସ୍ଥିତ ହେବା ଦେଖି ସେ ଏହାକୁ ପ୍ରୟୋଗ ତ କରିଦେଇଛି, କିନ୍ତୁ ଏହାକୁ ଫେରାଇ ଆଣିବାର ପଦ୍ଧତି ତାହାକୁ ଜଣାନାହିଁ |

ନ ହ୍ୟସ୍ୟାନ୍ୟତମଂ କିଞ୍ଚିଦସ୍ତ୍ରଂ ପ୍ରତ୍ୟବକର୍ଶନମ୍ ।

ଜହ୍ୟସ୍ତ୍ରତେଜ ଉନ୍ନଦ୍ଧମସ୍ତ୍ରଜ୍ଞୋ ହ୍ୟସ୍ତ୍ରତେଜସା ॥ ୨୮॥

ଏହାକୁ ପ୍ରତିହତ କରିବାର ଶକ୍ତି ଅନ୍ୟ କୌଣସି ଅସ୍ତ୍ରର ନାହିଁ | ତୁମେ ଶସ୍ତ୍ର-ବିଦ୍ୟାରେ ଅତ୍ୟନ୍ତ ନିପୁଣ ଅଟ, ତେଣୁ ତୁମେ ବ୍ରହ୍ମାସ୍ତ୍ରର ତେଜରେ ହିଁ ଏହି ବ୍ରହ୍ମାସ୍ତ୍ରର ପ୍ରଚଣ୍ଡ ଅଗ୍ନିକୁ ନିର୍ବାପିତ କର |

ସୂତ ଉବାଚ

ଶ୍ରୁତ୍ୱା ଭଗବତା ପ୍ରୋକ୍ତଂ ଫାଲ୍ଗୁନଃ ପରବୀରହା ।

ସ୍ପୃଷ୍ଟ୍ୱାପସ୍ତଂ ପରିକ୍ରମ୍ୟ ବ୍ରାହ୍ମଂ ବ୍ରାହ୍ମାୟ ସନ୍ଦଧେ ॥ ୨୯॥

ସୂତ କହୁଛନ୍ତି – ବିପକ୍ଷରେ ଥିବା ବୀରମାନଙ୍କର ନିଧନରେ ଅର୍ଜୁନ ଅତ୍ୟନ୍ତ ପ୍ରବୀଣ ଥିଲେ | ଭଗବାନଙ୍କର ଆଜ୍ଞାନୁସାରେ ସେ ଆଚମନ କରି ଭଗବାନଙ୍କର ପରିକ୍ରମ କଲେ ଏବଂ ବ୍ରହ୍ମାସ୍ତ୍ରର ତେଜ ନିବାରଣାର୍ଥେ ବ୍ରହ୍ମାସ୍ତ୍ର ପ୍ରୟୋଗ କଲେ |

ସଂହତ୍ୟାନ୍ୟୋନ୍ୟମୁଭୟୋସ୍ତେଜସୀ ଶରସମ୍ବୃତେ ।

ଆବୃତ୍ୟ ରୋଦସୀ ଖଂ ଚ ବବୃଧାତେଽର୍କବହ୍ନିବତ୍ ॥ ୩୦॥

ପରସ୍ପର ଘର୍ଷଣରେ ବାଣବେଷ୍ଟିତ ଉଭୟ ବ୍ରହ୍ମାସ୍ତ୍ରର ତେଜ ପ୍ରଳୟକାଳୀନ ସୂର୍ଯ୍ୟ ଏବଂ ଅଗ୍ନି ସଦୃଶ ସମ୍ପୂର୍ଣ୍ଣ ଆକାଶ ଏବଂ ଦିଗ-ବିଦିଗରେ ପରିବ୍ୟାପ୍ତ ହେବାରେ ଲାଗିଲା |

ଦୃଷ୍ଟ୍ୱାସ୍ତ୍ରତେଜସ୍ତୁ ତୟୋସ୍ତ୍ରୀଂଲ୍ଲୋକାନ୍ ପ୍ରଦହନ୍ ମହତ୍ ।

ଦହ୍ୟମାନାଃ ପ୍ରଜାଃ ସର୍ୱାଃ ସାମ୍ବର୍ତକମମଂସତ ॥ ୩୧॥

ତ୍ରିଲୋକକୁ ଦଗ୍ଧ କରୁଥିବା ଉଭୟ ଅସ୍ତ୍ରର ଲେଲିହାନ ଶିଖାରେ ସମସ୍ତ ପ୍ରଜାବର୍ଗ ଦଗ୍ଧୀଭୂତ ହେବାରେ ଲାଗିଲେ | ସମସ୍ତେ ଏହିପରି ମନେକଲେ ଯେ ଏହା ପ୍ରଳୟକାଳୀନ ସାମ୍ବର୍ତକ ଅଗ୍ନି ଅଟେ |

ପ୍ରଜୋପଦ୍ରବମାଲକ୍ଷ୍ୟ ଲୋକବ୍ୟତିକରଂ ଚ ତମ୍ ।

ମତଂ ଚ ବାସୁଦେବସ୍ୟ ସଞ୍ଜହାରାର୍ଜୁନୋ ଦ୍ୱୟମ୍ ॥ ୩୨॥

ସେହି ଅଗ୍ନିରେ ପ୍ରଜାବର୍ଗଙ୍କ ସହିତ ସମ୍ପୂର୍ଣ୍ଣ ସଂସାର ନାଶ ହେଉଥିବା ଦେଖି ଭଗବାନଙ୍କ ଅନୁମତିରେ ଅର୍ଜୁନ ଉଭୟ ଅସ୍ତ୍ରକୁ ପ୍ରତ୍ୟାହୃତ କଲେ |

ତତ ଆସାଦ୍ୟ ତରସା ଦାରୁଣଂ ଗୌତମୀସୁତମ୍ ।

ବବନ୍ଧାମର୍ଷତାମ୍ରାକ୍ଷଃ ପଶୁଂ ରଶନୟା ଯଥା ॥ ୩୩॥

କ୍ରୋଧରେ ଅର୍ଜୁନଙ୍କର ନେତ୍ର ରକ୍ତବର୍ଣ୍ଣ ଧାରଣ କରିଥାଏ | ସେ ଲମ୍ପ ଦେଇ କ୍ରୂର ଅଶ୍ବତ୍ଥାମାକୁ ଧରି ନେଲେ ଏବଂ ପଶୁକୁ ରସିରେ ବାନ୍ଧିବା ପରି ତାକୁ ବନ୍ଧନଯୁକ୍ତ କଲେ |

ଶିବିରାୟ ନିନୀଷନ୍ତଂ ଦାମ୍ନା ବଦ୍ଧ୍ୱା ରିପୁଂ ବଲାତ୍ ।

ପ୍ରାହାର୍ଜୁନଂ ପ୍ରକୁପିତୋ ଭଗବାନମ୍ବୁଜେକ୍ଷଣଃ ॥ ୩୪॥

ବନ୍ଧନଯୁକ୍ତ ଅଶ୍ବତ୍ଥାମାକୁ ଅର୍ଜୁନ ବଳପୂର୍ବକ ଶିବିର ଅଭିମୁଖରେ ଘୋଷାଡି ନେବାକୁ ଇଚ୍ଛା କରୁଥିବା ବେଳେ ଅତ୍ୟନ୍ତ କୁପିତ ହୋଇ କମଳନୟନ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କହିଲେ -

ମୈନଂ ପାର୍ଥାର୍ହସି ତ୍ରାତୁଂ ବ୍ରହ୍ମବନ୍ଧୁମିମଂ ଜହି ।

ଯୋଽସାବନାଗସଃ ସୁପ୍ତାନବଧୀନ୍ନିଶି ବାଲକାନ୍ ॥ ୩୫॥

ହେ ଅର୍ଜୁନ ! ଏହି ବ୍ରାହ୍ମଣ-ଅଧମକୁ ଛାଡିବା ଉଚିତ୍ ନୁହେଁ, ଅତି ଶୀଘ୍ର ଏହାକୁ ହତ୍ୟା କର | ଇଏ ରାତ୍ରିକାଳରେ ଶୟନ କରିଥିବା ନିରପରାଧ ବାଳକମାନଙ୍କୁ ହତ୍ୟା କରିଛି |

ମତ୍ତଂ ପ୍ରମତ୍ତମୁନ୍ମତ୍ତଂ ସୁପ୍ତଂ ବାଲଂ ସ୍ତ୍ରିୟଂ ଜଡମ୍ ।

ପ୍ରପନ୍ନଂ ବିରଥଂ ଭୀତଂ ନ ରିପୁଂ ହନ୍ତି ଧର୍ମବିତ୍ ॥ ୩୬॥

ଧର୍ମବେତ୍ତା ପୁରୁଷ ଅସାବଧାନ, ଉନ୍ମତ୍ତ, ପାଗଳ, ସୁପ୍ତ, ବାଳକ, ସ୍ତ୍ରୀ, ବିବେକଜ୍ଞାନଶୂନ୍ୟ, ଶରଣାଗତ, ରଥହୀନ ଏବଂ ଭୟଭୀତ ଶତ୍ରୁକୁ କେବେ ବି ମାରନ୍ତି ନାହିଁ |

ସ୍ୱପ୍ରାଣାନ୍ ଯଃ ପରପ୍ରାଣୈଃ ପ୍ରପୁଷ୍ଣାତ୍ୟଘୃଣଃ ଖଲଃ ।

ତଦ୍ୱଧସ୍ତସ୍ୟ ହି ଶ୍ରେୟୋ ଯଦ୍ଦୋଷାଦ୍ୟାତ୍ୟଧଃ ପୁମାନ୍ ॥ ୩୭॥

କିନ୍ତୁ ଯେଉଁ ଦୁଷ୍ଟ ଏବଂ କ୍ରୂର ପୁରୁଷ ନିଜ ପ୍ରାଣ ପୋଷଣ ନିମନ୍ତେ ଅନ୍ୟର ହତ୍ୟା କରନ୍ତି, ସେମାନଙ୍କୁ ବଧ କରିବା ତ ସେମାନଙ୍କ ପାଇଁ ମଧ୍ୟ କଲ୍ୟାଣକାରକ ହୋଇଥାଏ; କାରଣ ସେହି ପ୍ରବୃତ୍ତିକୁ ନେଇ ଯଦି ସେ ବଞ୍ଚି ରହିବେ, ତେବେ ସେ ଆହୁରି ଅଧିକ ପାପ କରିବେ ଏବଂ ସେଥିପାଇଁ ତାଙ୍କୁ ନର୍କଗାମୀ ହେବାକୁ ପଡିବ |

ପ୍ରତିଶ୍ରୁତଂ ଚ ଭବତା ପାଞ୍ଚାଲ୍ୟୈ ଶୃଣ୍ୱତୋ ମମ ।

ଆହରିଷ୍ୟେ ଶିରସ୍ତସ୍ୟ ଯସ୍ତେ ମାନିନି ପୁତ୍ରହା ॥ ୩୮॥

ତାଛଡା, ମୋ ସମ୍ମୁଖରେ ହିଁ ତୁମେ ଦ୍ରୌପଦୀଙ୍କୁ ପ୍ରତିଜ୍ଞା କରି କହିଅଛ, ‘ମାନବତୀ ! ଯିଏ ତୁମର ପୁତ୍ରଙ୍କୁ ହତ୍ୟା କରିଛି, ମୁଁ ତାହାର ସିର ଛିନ୍ନ କରି ତୁମ ପାଖକୁ ନେଇ ଆସିବି |’

ତଦସୌ ବଧ୍ୟତାଂ ପାପ ଆତତାୟ୍ୟାତ୍ମବନ୍ଧୁହା ।

ଭର୍ତୁଶ୍ଚ ବିପ୍ରିୟଂ ବୀର କୃତବାନ୍ କୁଲପାଂସନଃ ॥ ୩୯॥

ଏହି ପାପୀ କୁଳାଙ୍ଗାର ଆତତାୟୀ ତୁମର ପୁତ୍ରଙ୍କୁ ହତ୍ୟା କରିଛି, ଯଦ୍ବାରା ସେ ନିଜ ସ୍ବାମୀ ଦୁର୍ଯ୍ୟୋଧନକୁ ମଧ୍ୟ ଦୁଃଖ ଦେଇଛି | ସେଥିପାଇଁ ହେ ଅର୍ଜୁନ ! ଅତି ଶୀଘ୍ର ଏହାକୁ ବଧ କର |

ଏବଂ ପରୀକ୍ଷତା ଧର୍ମଂ ପାର୍ଥଃ କୃଷ୍ଣେନ ଚୋଦିତଃ ।

ନୈଚ୍ଛଦ୍ଧନ୍ତୁଂ ଗୁରୁସୁତଂ ଯଦ୍ୟପ୍ୟାତ୍ମହନଂ ମହାନ୍ ॥ ୪୦॥

ଅର୍ଜୁନଙ୍କର ଧର୍ମନିଷ୍ଠା ପରୀକ୍ଷା କରିବା ଉଦ୍ଦେଶ୍ୟରେ ଭଗବାନ ଶ୍ରୀକୃଷ୍ଣ ଏହିପରି କହି ତାଙ୍କୁ ପ୍ରେରିତ କରୁଥିଲେ | କିନ୍ତୁ ଅର୍ଜୁନଙ୍କର ହୃଦୟ ମହାନ୍ ଥିଲା | ଅଶ୍ବତ୍ଥାମା ଯଦିଓ ତାଙ୍କ ପୁତ୍ରମାନଙ୍କର ହତ୍ୟାକାରୀ ଥିଲେ, ତଥାପି ସେ ଗୁରୁପୁତ୍ର ଅଟନ୍ତି; ସେଥିପାଇଁ ଅର୍ଜୁନ ତାଙ୍କୁ ବଧ କରିବାକୁ ଇଚ୍ଛା କଲେନାହିଁ |

ଅଥୋପେତ୍ୟ ସ୍ୱଶିବିରଂ ଗୋବିନ୍ଦପ୍ରିୟସାରଥିଃ ।

ନ୍ୟବେଦୟତ୍ତଂ ପ୍ରିୟାୟୈ ଶୋଚନ୍ତ୍ୟା ଆତ୍ମଜାନ୍ ହତାନ୍ ॥ ୪୧॥

ତଦନନ୍ତର ନିଜ ମିତ୍ର ଏବଂ ସାରଥି ଶ୍ରୀକୃଷ୍ଣଙ୍କ ସହିତ ଅର୍ଜୁନ ନିଜ ଯୁଦ୍ଧ-ଶିବିରରେ ପହଞ୍ଚିଲେ ଏବଂ ପୁତ୍ର ବିୟୋଗରେ ଶୋକାକୁଳା ଦ୍ରୌପଦୀଙ୍କ ହସ୍ତରେ ଅଶ୍ବତ୍ଥାମାକୁ ଅର୍ପଣ କଲେ |

ତଥାଽଽହୃତଂ ପଶୁବତ୍ପାଶବଦ୍ଧମବାଙ୍ମୁଖଂ କର୍ମଜୁଗୁପ୍ସିତେନ ।

ନିରୀକ୍ଷ୍ୟ କୃଷ୍ଣାପକୃତଂ ଗୁରୋଃ ସୁତଂ ବାମସ୍ୱଭାବା କୃପୟା ନନାମ ଚ ॥ ୪୨॥

ଦ୍ରୌପଦୀ ଦେଖିଲେ, ଅଶ୍ବତ୍ଥାମାକୁ ତାଙ୍କ ପାଖକୁ ପଶୁବତ୍ ବାନ୍ଧି କରି ଅଣାଯାଇଛି | ନିନ୍ଦିତ କର୍ମ କରିଥିବାରୁ ତାଙ୍କର ମୁଖ ଅବନତ ରହିଛି | ନିଜର ଅନିଷ୍ଟକାରୀ ହୋଇଥିଲେ ବି ଗୁରୁପୁତ୍ର ଅଶ୍ବତ୍ଥାମାଙ୍କୁ ଏପରି ଭାବରେ ଅପମାନିତ ହେଉଥିବା ଦେଖି ଦ୍ରୌପଦୀଙ୍କର କୋମଳ ହୃଦୟ କରୁଣାରେ ଭରି ଗଲା ଏବଂ ସେ ଅଶ୍ବତ୍ଥାମାଙ୍କୁ ନମସ୍କାର କଲେ |

ଉବାଚ ଚାସହନ୍ତ୍ୟସ୍ୟ ବନ୍ଧନାନୟନଂ ସତୀ ।

ମୁଚ୍ୟତାଂ ମୁଚ୍ୟତାମେଷ ବ୍ରାହ୍ମଣୋ ନିତରାଂ ଗୁରୁଃ ॥ ୪୩॥

ଗୁରୁପୁତ୍ରଙ୍କୁ ଏପରି ଭାବରେ ରସିରେ ବନ୍ଧନଯୁକ୍ତ ଦେଖି ଦ୍ରୌପଦୀ ଅସହିଷ୍ଣୁ ହୋଇ କହିଲେ – ଛାଡି ଦିଅ, ଛାଡି ଦିଅ | ଇଏ ବ୍ରାହ୍ମଣ ଅଟନ୍ତି; ଆମ୍ଭମାନଙ୍କର ଅତ୍ୟନ୍ତ ପୂଜନୀୟ ଅଟନ୍ତି |

ସରହସ୍ୟୋ ଧନୁର୍ୱେଦଃ ସବିସର୍ଗୋପସଂୟମଃ ।

ଅସ୍ତ୍ରଗ୍ରାମଶ୍ଚ ଭବତା ଶିକ୍ଷିତୋ ଯଦନୁଗ୍ରହାତ୍ ॥ ୪୪॥

ସ ଏଷ ଭଗବାନ୍ ଦ୍ରୋଣଃ ପ୍ରଜାରୂପେଣ ବର୍ତତେ ।

ତସ୍ୟାତ୍ମନୋଽର୍ଧଂ ପତ୍ନ୍ୟାସ୍ତେ ନାନ୍ୱଗାଦ୍ୱୀରସୂଃ କୃପୀ ॥ ୪୫॥

ଯାହା କୃପାରୁ ଆପଣ ରହସ୍ୟ ସହିତ ସମ୍ପୂର୍ଣ୍ଣ ଧନୁର୍ବେଦ ଏବଂ ପ୍ରୟୋଗ ତଥା ଉପସଂହାର ସହିତ ସମସ୍ତ ଶାସ୍ତ୍ରୋକ୍ତ ଜ୍ଞାନ ପ୍ରାପ୍ତ କରିପାରିଛନ୍ତି, ଆପଣଙ୍କର ସେହି ଆଚାର୍ଯ୍ୟ ଦ୍ରୋଣ ହିଁ ପୁତ୍ର ରୂପରେ ଆପଣଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି | ତାଙ୍କର ଅର୍ଦ୍ଧାଙ୍ଗିନୀ କୃପୀ ନିଜ ବୀର ପୁତ୍ରର ମମତାରେ ବଶୀଭୂତ ହୋଇ ହିଁ ତାଙ୍କର ଅନୁଗମନ କରିପାରିଲେ ନାହିଁ | ସେ ଏବେ ମଧ୍ୟ ଜୀବିତ |

ତଦ୍ଧର୍ମଜ୍ଞ ମହାଭାଗ ଭବଦ୍ଭିର୍ଗୌରବଂ କୁଲମ୍ ।

ବୃଜିନଂ ନାର୍ହତି ପ୍ରାପ୍ତୁଂ ପୂଜ୍ୟଂ ବନ୍ଦ୍ୟମଭୀକ୍ଷ୍ଣଶଃ ॥ ୪୬॥

ମହା ଭାଗ୍ୟବାନ ଆର୍ଯ୍ୟପୁତ୍ର ! ଆପଣ ତ ବହୁତ ବଡ ଧର୍ମଜ୍ଞ ଅଟନ୍ତି | ଯେଉଁ ଗୁରୁବଂଶର ନିତ୍ୟ ପୂଜନ ଏବଂ ବନ୍ଦନ କରାଯିବା ଉଚିତ୍, ତାଙ୍କୁ କଷ୍ଟ ଦେବା ଆପଣଙ୍କ ଯୋଗ୍ୟ କାର୍ଯ୍ୟ ନୁହେଁ |

ମା ରୋଦୀଦସ୍ୟ ଜନନୀ ଗୌତମୀ ପତିଦେବତା ।

ଯଥାହଂ ମୃତବତ୍ସାଽଽର୍ତା ରୋଦିମ୍ୟଶ୍ରୁମୁଖୀ ମୁହୁଃ ॥ ୪୭॥

ମୁଁ ଯେପରି ମୃତ ପୁତ୍ରଙ୍କର ଦୁଃଖରେ କାନ୍ଦୁଛି ଏବଂ ମୋ ଆଖିରୁ ଅନବରତ ଅଶ୍ରୁସ୍ରାବ ହେବାରେ ଲାଗିଛି, ଏହାଙ୍କ ମାତା ପତିବ୍ରତା ଗୌତମୀ ସେପରି ରୋଦନ ନ କରନ୍ତୁ |

ଯୈଃ କୋପିତଂ ବ୍ରହ୍ମକୁଲଂ ରାଜନ୍ୟୈରଜିତାତ୍ମଭିଃ ।

ତତ୍କୁଲଂ ପ୍ରଦହତ୍ୟାଶୁ ସାନୁବନ୍ଧଂ ଶୁଚାର୍ପିତମ୍ ॥ ୪୮॥

ଯେଉଁ ଉଚ୍ଛୃଂଖଳ ରାଜା ନିଜ କୁକର୍ମ ଦ୍ବାରା ବ୍ରାହ୍ମଣକୁଳକୁ କୁପିତ କରନ୍ତି, ବ୍ରାହ୍ମଣକୁଳ ସେହି ରାଜାଙ୍କୁ ସପରିବାରେ ଶୋକାଗ୍ନିରେ ଅଭିଭୂତ କରି ଭସ୍ମ କରିଦିଅନ୍ତି |

ସୂତ ଉବାଚ

ଧର୍ମ୍ୟଂ ନ୍ୟାୟ୍ୟଂ ସକରୁଣଂ ନିର୍ୱ୍ୟଲୀକଂ ସମଂ ମହତ୍ ।

ରାଜା ଧର୍ମସୁତୋ ରାଜ୍ଞ୍ୟାଃ ପ୍ରତ୍ୟନନ୍ଦଦ୍ୱଚୋ ଦ୍ୱିଜାଃ ॥ ୪୯॥

ସୂତ କହିଲେ – ହେ ଶୌନକାଦି ଋଷିଗଣ ! ଦ୍ରୌପଦୀଙ୍କର ବଚନ ଧର୍ମ ଏବଂ ନ୍ୟାୟ ଅନୁକୂଳ ଥିଲା | ସେଥିରେ କପଟ ନ ଥିଲା, କରୁଣା ଏବଂ ମମତା ଥିଲା | ଅତଏବ ରାଜା ଯୁଧିଷ୍ଠିର ରାଣୀଙ୍କର ସେହି ହିତପୂର୍ଣ୍ଣ ଶ୍ରେଷ୍ଠ ବଚନର ଅଭିନନ୍ଦନ କରିଥିଲେ |

ନକୁଲଃ ସହଦେବଶ୍ଚ ଯୁୟୁଧାନୋ ଧନଞ୍ଜୟଃ ।

ଭଗବାନ୍ ଦେବକୀପୁତ୍ରୋ ଯେ ଚାନ୍ୟେ ଯାଶ୍ଚ ଯୋଷିତଃ ॥ ୫୦॥

ଏତଦବ୍ୟତିତ, ନକୁଳ, ସହଦେବ, ସାତ୍ୟକି, ଅର୍ଜୁନ, ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ଏବଂ ସେଠାରେ ଉପସ୍ଥିତ ସମସ୍ତ ନର-ନାରୀ ଦ୍ରୌପଦୀଙ୍କ କଥାରେ ସମର୍ଥନ ଜଣାଇ ଥିଲେ |

ତତ୍ରାହାମର୍ଷିତୋ ଭୀମସ୍ତସ୍ୟ ଶ୍ରେୟାନ୍ ବଧଃ ସ୍ମୃତଃ ।

ନ ଭର୍ତୁର୍ନାତ୍ମନଶ୍ଚାର୍ଥେ ଯୋଽହନ୍ ସୁପ୍ତାନ୍ ଶିଶୂନ୍ ବୃଥା ॥ ୫୧॥

ସେହି ସମୟରେ ଅତ୍ୟନ୍ତ କ୍ରୋଧିତ ହୋଇ ଭୀମସେନ କହିଲେ, ଯିଏ ଶୋଇଥିବା ବାଳକଙ୍କୁ, ନିଜ ସ୍ବାମୀଙ୍କ ଇଚ୍ଛାରେ ନୁହେଁ, ନିଜ ଇଚ୍ଛାରେ, ଅକାରଣରେ ହତ୍ୟା କରିଥାଏ, ତାହାକୁ ବଧ କରିବା ହିଁ ଉତ୍ତମ କାର୍ଯ୍ୟ ଅଟେ |

ନିଶମ୍ୟ ଭୀମଗଦିତଂ ଦ୍ରୌପଦ୍ୟାଶ୍ଚ ଚତୁର୍ଭୁଜଃ ।

ଆଲୋକ୍ୟ ବଦନଂ ସଖ୍ୟୁରିଦମାହ ହସନ୍ନିବ ॥ ୫୨॥

ଉଭୟ ଦ୍ରୌପଦୀ ଏବଂ ଭୀମସେନଙ୍କର କଥା ଶୁଣିବା ପରେ  ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଆଡକୁ ଚାହିଁ ହସି ହସି ଏହିପରି କହିଲେ -

ଶ୍ରୀକୃଷ୍ଣ ଉବାଚ

ବ୍ରହ୍ମବନ୍ଧୁର୍ନ ହନ୍ତବ୍ୟ ଆତତାୟୀ ବଧାର୍ହଣଃ ।

ମୟୈବୋଭୟମାମ୍ନାତଂ ପରିପାହ୍ୟନୁଶାସନମ୍ ॥ ୫୩॥

ଭଗବାନ ଶ୍ରୀକୃଷ୍ଣ କହିଲେ – ବ୍ରାହ୍ମଣ ପତିତ ହୋଇଥିଲେ ମଧ୍ୟ ବଧଯୋଗ୍ୟ ନୁହନ୍ତି ଏବଂ ଆତତାୟୀକୁ ହତ୍ୟା କରିବା ଉଚିତ୍ – ଶାସ୍ତ୍ରରେ ମୁଁ ଏହି ଉଭୟ କଥା କହିଛି | ତେଣୁ ମୋର ଉଭୟ ଆଜ୍ଞା ପାଳନ କର |

କୁରୁ ପ୍ରତିଶ୍ରୁତଂ ସତ୍ୟଂ ଯତ୍ତତ୍ସାନ୍ତ୍ୱୟତା ପ୍ରିୟାମ୍ ।

ପ୍ରିୟଂ ଚ ଭୀମସେନସ୍ୟ ପାଞ୍ଚାଲ୍ୟା ମହ୍ୟମେବ ଚ ॥ ୫୪॥

ଦ୍ରୌପଦୀଙ୍କୁ ସାନ୍ତ୍ବନା ଦେବାକୁ ଯାଇ ତୁମେ ଯେଉଁ ପ୍ରତିଜ୍ଞା କରିଥିଲ, ତାହା ରକ୍ଷା କର ଏବଂ ଭୀମସେନ, ଦ୍ରୌପଦୀ ତଥା ମୋତେ ଯାହା ପ୍ରିୟ ଅଟେ, ତାହା କର |

ସୂତ ଉବାଚ

ଅର୍ଜୁନଃ ସହସାଽଽଜ୍ଞାୟ ହରେର୍ହାର୍ଦମଥାସିନା ।

ମଣିଂ ଜହାର ମୂର୍ଧନ୍ୟଂ ଦ୍ୱିଜସ୍ୟ ସହମୂର୍ଧଜମ୍ ॥ ୫୫॥

ଭଗବାନଙ୍କ ହୃଦୟର କଥା ଅର୍ଜୁନ ଖୁବ୍ ଶୀଘ୍ର ବୁଝିନେଲେ ଏବଂ ନିଜ ଖଡ୍ଗ ସାହାଯ୍ୟରେ ସେ କେଶ ସହିତ ଅଶ୍ବତ୍ଥାମାଙ୍କର ମସ୍ତକର ମଣି କାଢି ଆଣିଲେ |

ବିମୁଚ୍ୟ ରଶନାବଦ୍ଧଂ ବାଲହତ୍ୟାହତପ୍ରଭମ୍ ।

ତେଜସା ମଣିନା ହୀନଂ ଶିବିରାନ୍ନିରୟାପୟତ୍ ॥ ୫୬॥

ବାଳକମାନଙ୍କର ହତ୍ୟା କରିଥିବା ଦୋଷରୁ ତ ସେ ଆଗରୁ ହିଁ ଶ୍ରୀହୀନ ହୋଇ ଯାଇଥିଲା; ଏବେ ସେ ମଣି ଏବଂ ବ୍ରହ୍ମତେଜରହିତ ହୋଇଗଲା | ଅର୍ଜୁନ ତାଙ୍କୁ ବନ୍ଧନମୁକ୍ତ କରି ଶିବିରରୁ ବାହାର କରିଦେଲେ |

ବପନଂ ଦ୍ରବିଣାଦାନଂ ସ୍ଥାନାନ୍ନିର୍ୟାପଣଂ ତଥା ।

ଏଷ ହି ବ୍ରହ୍ମବନ୍ଧୂନାଂ ବଧୋ ନାନ୍ୟୋଽସ୍ତି ଦୈହିକଃ ॥ ୫୭॥

ଲଣ୍ଡା କରିଦେବା, ଧନ ଛଡାଇ ନେବା ଏବଂ ଘରୁ ବାହାର କରିଦେବା – ଏହା ବ୍ରାହ୍ମଣଧର୍ମର ବଧ ହିଁ ଅଟେ | ଏହା ଅତିରିକ୍ତ ସେମାନଙ୍କ ପାଇଁ କୌଣସି ଶାରୀରିକ ବଧର ବିଧାନ ନାହିଁ |

ପୁତ୍ରଶୋକାତୁରାଃ ସର୍ୱେ ପାଣ୍ଡବାଃ ସହ କୃଷ୍ଣୟା ।

ସ୍ୱାନାଂ ମୃତାନାଂ ଯତ୍କୃତ୍ୟଂ ଚକ୍ରୁର୍ନିର୍ହରଣାଦିକମ୍ ॥ ୫୮॥

ପୁତ୍ରମାନଙ୍କର ମୃତ୍ୟୁରେ ଦ୍ରୌପଦୀଙ୍କ ସମେତ ପାଣ୍ଡବମାନେ ଶୋକାତୁର ଥିଲେ | ଏବେ ସେମାନେ ନିଜର ମୃତ ଭାଇ-ବନ୍ଧୁ ଇତ୍ୟାଦିଙ୍କର ଦାହସଂସ୍କାର କଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ଦ୍ରୌଣିନିଗ୍ରହୋ ନାମ ସପ୍ତମୋଽଧ୍ୟାୟଃ ॥ ୭॥


Comments

Popular posts from this blog