ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ

ପ୍ରଥମ ସ୍କନ୍ଧ ॥

ଅଷ୍ଟମ ଅଧ୍ୟାୟ

ଗର୍ଭରେ ପରୀକ୍ଷିତଙ୍କର ରକ୍ଷା, କୁନ୍ତୀଙ୍କ ସ୍ତୁତି ଏବଂ ଯୁଧିଷ୍ଠିରଙ୍କର ଶୋକ

ସୂତ ଉବାଚ

ଅଥ ତେ ସମ୍ପରେତାନାଂ ସ୍ୱାନାମୁଦକମିଚ୍ଛତାମ୍ ।

ଦାତୁଂ ସକୃଷ୍ଣା ଗଙ୍ଗାୟାଂ ପୁରସ୍କୃତ୍ୟ ଯୟୁଃ ସ୍ତ୍ରିୟଃ ॥ ୧॥

ସୂତ ମୁନି କହୁଛନ୍ତି – ଏଥୁ ଅନ୍ତେ ଶ୍ରୀକୃଷ୍ଣଙ୍କ ସହିତ ପାଣ୍ଡବମାନେ ସ୍ତ୍ରୀମାନଙ୍କୁ ସମ୍ମୁଖସ୍ଥ କରି ମୃତ ସ୍ବଜନମାନଙ୍କର ତର୍ପଣାଦି କରିବା ଉଦ୍ଦେଶ୍ୟରେ ଗଙ୍ଗାତଟକୁ ଗଲେ |

ତେ ନିନୀୟୋଦକଂ ସର୍ୱେ ବିଲପ୍ୟ ଚ ଭୃଶଂ ପୁନଃ ।

ଆପ୍ଲୁତା ହରିପାଦାବ୍ଜରଜଃପୂତସରିଜ୍ଜଲେ ॥ ୨॥

ସେଠାରେ ସେମାନେ ସମସ୍ତେ ମୃତ ସ୍ବଜନମାନଙ୍କୁ ଜଳଦାନ ଦେଲେ ଏବଂ ସେମାନଙ୍କ ଗୁଣର ସ୍ମରଣ କରି ବହୁତ ବେଶୀ ବିଳାପ କଲେ | ତଦନନ୍ତର ସେମାନେ ପୁନର୍ବାର ଭଗବାନଙ୍କର ଚରଣ-କମଳ ଧୂଳିରେ ପବିତ୍ର ଗଙ୍ଗାଜଳରେ ସ୍ନାନ କଲେ |

ତତ୍ରାସୀନଂ କୁରୁପତିଂ ଧୃତରାଷ୍ଟ୍ରଂ ସହାନୁଜମ୍ ।

ଗାନ୍ଧାରୀଂ ପୁତ୍ରଶୋକାର୍ତାଂ ପୃଥାଂ କୃଷ୍ଣାଂ ଚ ମାଧବଃ ॥ ୩॥

ସେଠାରେ ନିଜ ଭାଇମାନଙ୍କ ସହିତ ରାଜା ଯୁଧିଷ୍ଠିର, ଧୃତରାଷ୍ଟ୍ର, ପୁତ୍ରଶୋକରେ ବ୍ୟଥିତ ଗାନ୍ଧାରୀ, କୁନ୍ତୀ ଏବଂ ଦ୍ରୌପଦୀ – ସମସ୍ତେ ବସି ମୃତ ସ୍ବଜନମାନଙ୍କ ନିମନ୍ତେ ଶୋକ କଲେ |

ସାନ୍ତ୍ୱୟାମାସ ମୁନିଭିର୍ହତବନ୍ଧୂଞ୍ଶୁଚାର୍ପିତାନ୍ ।

ଭୂତେଷୁ କାଲସ୍ୟ ଗତିଂ ଦର୍ଶୟନ୍ନପ୍ରତିକ୍ରିୟାମ୍ ॥ ୪॥

ଧୌମ୍ୟାଦି ମୁନିଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ସେମାନଙ୍କୁ ସାନ୍ତ୍ବନା ଦେବାକୁ ଯାଇ ବୁଝାଇ କହିଲେ ଯେ ପ୍ରାଣୀ ମାତ୍ରେ କାଳର ଅଧୀନ ଅଟନ୍ତି, ମୃତ୍ୟୁ କବଳରୁ କେହି କାହାକୁ ରକ୍ଷା କରିପାରନ୍ତି ନାହିଁ |

ସାଧୟିତ୍ୱାଜାତଶତ୍ରୋଃ ସ୍ୱଂ ରାଜ୍ୟଂ କିତବୈର୍ହୃତମ୍ ।

ଘାତୟିତ୍ୱାସତୋ ରାଜ୍ଞଃ କଚସ୍ପର୍ଶକ୍ଷତାୟୁଷଃ ॥ ୫॥

ଏହିପରି ଭାବରେ ଭଗବାନ ଶ୍ରୀକୃଷ୍ଣ ଅଜାତଶତ୍ରୁ ଯୁଧିଷ୍ଠିରଙ୍କୁ ଧୂର୍ତ୍ତମାନେ କପଟରେ ଛଡାଇ ନେଇଥିବା ତାଙ୍କର ରାଜ୍ୟ ତାଙ୍କୁ ଫେରାଇ ଦେଇଥିଲେ ଏବଂ ଦ୍ରୌପଦୀଙ୍କର କେଶ ସ୍ପର୍ଶ କରିଥିବା କାରଣରୁ ଯେଉଁମାନଙ୍କର ଆୟୁ କ୍ଷୀଣ ହୋଇ ଯାଇଥିଲା, ସେହି ରାଜାମାନଙ୍କର ନିଧନ କରାଇ ଥିଲେ |

ଯାଜୟିତ୍ୱାଶ୍ୱମେଧୈସ୍ତଂ ତ୍ରିଭିରୁତ୍ତମକଲ୍ପକୈଃ ।

ତଦ୍ୟଶଃ ପାବନଂ ଦିକ୍ଷୁ ଶତମନ୍ୟୋରିବାତନୋତ୍ ॥ ୬॥

ଏତଦବ୍ୟତିତ, ଯୁଧିଷ୍ଠିରଙ୍କ ଦ୍ବାରା ଉତ୍ତମ ସାମଗ୍ରୀ ଏବଂ ପୁରୋହିତମାନଙ୍କ ସାହାଯ୍ୟରେ ତିନୋଟି ଅଶ୍ବମେଧ ଯଜ୍ଞ କରାଇ ଶହେ ଯଜ୍ଞ କରୁଥିବା ଇନ୍ଦ୍ରଙ୍କର ଯଶ ତୁଲ୍ୟ ତାଙ୍କର ପବିତ୍ର ଯଶକୁ ଚତୁର୍ଦ୍ଦିଗରେ ପରିବ୍ୟାପ୍ତ କରାଇ ଥିଲେ |

ଆମନ୍ତ୍ର୍ୟ ପାଣ୍ଡୁପୁତ୍ରାଂଶ୍ଚ ଶୈନେୟୋଦ୍ଧବସଂୟୁତଃ ।

ଦ୍ୱୈପାୟନାଦିଭିର୍ୱିପ୍ରୈଃ ପୂଜିତୈଃ ପ୍ରତିପୂଜିତଃ ॥ ୭॥

ଗନ୍ତୁଂ କୃତମତିର୍ବ୍ରହ୍ମନ୍ ଦ୍ୱାରକାଂ ରଥମାସ୍ଥିତଃ ।

ଉପଲେଭେଽଭିଧାବନ୍ତୀମୁତ୍ତରାଂ ଭୟବିହ୍ୱଲାମ୍ ॥ ୮॥

ଏହାପରେ ଭଗବାନ ଶ୍ରୀକୃଷ୍ଣ ସେଠାରୁ ପ୍ରସ୍ଥାନ କରିବାକୁ ଇଚ୍ଛା କଲେ | ସେଥିପାଇଁ ସେ ପାଣ୍ଡବମାନଙ୍କଠାରୁ ବିଦାୟ ମାଗିଲେ ଏବଂ ବ୍ୟାସ ଆଦି ବ୍ରାହ୍ମଣମାନଙ୍କର ସତ୍କାର କଲେ | ସେମାନେ ମଧ୍ୟ ଭଗବାନଙ୍କୁ ଅତ୍ୟଧିକ ସମ୍ମାନ ଜଣାଇଲେ | ତଦନନ୍ତର ଭଗବାନ ଶ୍ରୀକୃଷ୍ଣ ଦ୍ବାରିକା ଗମନ କରିବା ନିମନ୍ତେ ସାତ୍ୟକି ଏବଂ ଉଦ୍ଧବଙ୍କ ସହ ରଥ ଆରୋହଣ କଲେ | ସେହି ସମୟରେ ହଠାତ୍ ସମ୍ମୁଖରେ ସେ ଦେଖିଲେ ଉତ୍ତରା ଭୟବିହ୍ବଳ ଅବସ୍ଥାରେ ତାଙ୍କ ଅଭିମୁଖରେ ଧାଇଁ ଆସୁଛନ୍ତି |

ଉତ୍ତରୋବାଚ

ପାହି ପାହି ମହାୟୋଗିନ୍ ଦେବଦେବ ଜଗତ୍ପତେ ।

ନାନ୍ୟଂ ତ୍ୱଦଭୟଂ ପଶ୍ୟେ ଯତ୍ର ମୃତ୍ୟୁଃ ପରସ୍ପରମ୍ ॥ ୯॥

ଉତ୍ତରା କହିଲେ – ହେ ଦେବାଧିଦେବ ! ହେ ଜଗଦୀଶ୍ବର ! ଆପଣ ମହାଯୋଗୀ ଅଟନ୍ତି | ଆପଣ ମୋତେ ରକ୍ଷା କରନ୍ତୁ, ରକ୍ଷା କରନ୍ତୁ | ଆପଣଙ୍କ ଅତିରିକ୍ତ ଏହି ସଂସାରରେ କେହି ମଧ୍ୟ ମୋତେ ଅଭୟ ପ୍ରଦାନ କରିପାରିବେ ନାହିଁ; କାରଣ ଏଠାରେ ସମସ୍ତେ ପରସ୍ପରର ମୃତ୍ୟୁର ନିମିତ୍ତ କାରଣ ଅଟନ୍ତି |

ଅଭିଦ୍ରବତି ମାମୀଶ ଶରସ୍ତପ୍ତାୟସୋ ବିଭୋ ।

କାମଂ ଦହତୁ ମାଂ ନାଥ ମା ମେ ଗର୍ଭୋ ନିପାତ୍ୟତାମ୍ ॥ ୧୦॥

ପ୍ରଭୁ ! ଆପଣ ସର୍ବଶକ୍ତିମାନ ଅଟନ୍ତି | ଏହି ଜ୍ବଳନ୍ତ ଲୌହ ବାଣ ଅତ୍ୟନ୍ତ କ୍ଷୀପ୍ର ବେଗରେ ମୋ ଅଭିମୁଖରେ ଗତି କରୁଛି | ହେ ସ୍ବାମୀ ! ଏହା ମୋତେ ଦଗ୍ଧ କରୁ ପଛକେ, ମୋର ଗର୍ଭସ୍ଥ ଶିଶୁକୁ ନଷ୍ଟ ନ କରୁ, ଏତିକି କୃପା କରନ୍ତୁ |

ସୂତ ଉବାଚ

ଉପଧାର୍ୟ ବଚସ୍ତସ୍ୟା ଭଗବାନ୍ ଭକ୍ତବତ୍ସଲଃ ।

ଅପାଣ୍ଡବମିଦଂ କର୍ତୁଂ ଦ୍ରୌଣେରସ୍ତ୍ରମବୁଧ୍ୟତ ॥ ୧୧॥

ସୂତ କହୁଛନ୍ତି – ଉତ୍ତରାଙ୍କ କାତର ପ୍ରାର୍ଥନା ଶୁଣିବା କ୍ଷଣି ଭକ୍ତବତ୍ସଳ ଭଗବାନ ଶ୍ରୀକୃଷ୍ଣ ଜାଣି ପାରିଲେ ଯେ ପାଣ୍ଡବଙ୍କର ବଂଶନାଶ ଅଭିପ୍ରାୟରେ ଅଶ୍ବତ୍ଥାମା ବ୍ରହ୍ମାସ୍ତ୍ର ପ୍ରୟୋଗ କରିଛି |

ତର୍ହ୍ୟେବାଥ ମୁନିଶ୍ରେଷ୍ଠ ପାଣ୍ଡବାଃ ପଞ୍ଚ ସାୟକାନ୍ ।

ଆତ୍ମନୋଽଭିମୁଖାନ୍ ଦୀପ୍ତାନାଲକ୍ଷ୍ୟାସ୍ତ୍ରାଣ୍ୟୁପାଦଦୁଃ ॥ ୧୨॥

ହେ ଶୌନକ ! ସେହି ସମୟରେ ପାଣ୍ଡବମାନେ ମଧ୍ୟ ଦେଖିବାକୁ ପାଇଲେ ପାଂଚଟି ଜ୍ବଳନ୍ତ ଅଗ୍ନିବାଣ ସେମାନଙ୍କ ଅଭିମୁଖରେ ଆସୁଛି | ତେଣୁ ସେମାନେ ମଧ୍ୟ ନିଜ ନିଜର ଅସ୍ତ୍ର ଉତ୍ତୋଳନ କଲେ |

ବ୍ୟସନଂ ବୀକ୍ଷ୍ୟ ତତ୍ତେଷାମନନ୍ୟବିଷୟାତ୍ମନାମ୍ ।

ସୁଦର୍ଶନେନ ସ୍ୱାସ୍ତ୍ରେଣ ସ୍ୱାନାଂ ରକ୍ଷାଂ ବ୍ୟଧାଦ୍ୱିଭୁଃ ॥ ୧୩||

ନିଜର ଅନନ୍ୟ ପ୍ରେମୀ, ଶରଣାଗତ ଭକ୍ତମାନେ ବହୁତ ବଡ ବିପତ୍ତିର ସମ୍ମୁଖୀନ ହୋଇଥିବା ଦେଖି ସର୍ବଶକ୍ତିମାନ ଭଗବାନ ଶ୍ରୀକୃଷ୍ଣ ନିଜ ଅସ୍ତ୍ର ସୁଦର୍ଶନ ଚକ୍ର ଦ୍ବାରା ସେମାନଙ୍କୁ ରକ୍ଷା କରିଥିଲେ |

ଅନ୍ତଃସ୍ଥଃ ସର୍ୱଭୂତାନାମାତ୍ମା ଯୋଗେଶ୍ୱରୋ ହରିଃ ।

ସ୍ୱମାୟଯାବୃଣୋଦ୍ଗର୍ଭଂ ବୈରାଟ୍ୟାଃ କୁରୁତନ୍ତବେ ॥ ୧୪॥

ଯୋଗେଶ୍ବର ଶ୍ରୀକୃଷ୍ଣ ସମସ୍ତ ପ୍ରାଣୀଙ୍କ ହୃଦୟରେ ବିରାଜମାନ ଆତ୍ମା ଅଟନ୍ତି | ପାଣ୍ଡବମାନଙ୍କର ବଂଶ-ପରମ୍ପରା ଅବ୍ୟାହତ ରଖିବା ନିମନ୍ତେ ସେ ଉତ୍ତରାଙ୍କର ଗର୍ଭକୁ ନିଜ ମାୟା କବଚରେ ଆବୃତ କରିଦେଲେ |

ଯଦ୍ୟପ୍ୟସ୍ତ୍ରଂ ବ୍ରହ୍ମଶିରସ୍ତ୍ୱମୋଘଂ ଚାପ୍ରତିକ୍ରିୟମ୍ ।

ବୈଷ୍ଣବଂ ତେଜ ଆସାଦ୍ୟ ସମଶାମ୍ୟଦ୍ଭୃଗୂଦ୍ୱହ ॥ ୧୫॥

ହେ ଶୌନକ ! ଯଦିଓ ବ୍ରହ୍ମାସ୍ତ୍ର ଅମୋଘ ଅଟେ; ତାହାର ନିବାରଣ କୌଣସି ଉପାୟରେ ହୋଇପାରେ ନାହିଁ, ତଥାପି ଭଗବାନ ଶ୍ରୀକୃଷ୍ଣଙ୍କ ତେଜ ସମ୍ମୁଖରେ ତାହା ଶାନ୍ତ ହୋଇଗଲା |

ମା ମଂସ୍ଥା ହ୍ୟେତଦାଶ୍ଚର୍ୟଂ ସର୍ୱାଶ୍ଚର୍ୟମୟେଽଚ୍ୟୁତେ ।

ଯ ଇଦଂ ମାୟଯା ଦେବ୍ୟା ସୃଜତ୍ୟବତି ହନ୍ତ୍ୟଜଃ ॥ ୧୬॥

ଏହା ସେପରି କିଛି ଆଶ୍ଚର୍ଯ୍ୟଜନକ କଥା ନୁହେଁ, କାରଣ ଭଗବାନ ତ ସର୍ବ-ଐଶ୍ବର୍ଯ୍ୟମୟ ଅଟନ୍ତି; ସେ ହିଁ ନିଜ ମାୟା ଶକ୍ତି ବଳରେ ସ୍ବୟଂ ଅଜନ୍ମା ହୋଇ ମଧ୍ୟ ଏହି ସଂସାରର ସୃଷ୍ଟି, ରକ୍ଷା ଏବଂ ସଂହାର କରିଥାଆନ୍ତି |

ବ୍ରହ୍ମତେଜୋବିନିର୍ମୁକ୍ତୈରାତ୍ମଜୈଃ ସହ କୃଷ୍ଣୟା ।

ପ୍ରୟାଣାଭିମୁଖଂ କୃଷ୍ଣମିଦମାହ ପୃଥା ସତୀ ॥ ୧୭॥

ଏହାପରେ ଭଗବାନ ଶ୍ରୀକୃଷ୍ଣ ଦ୍ବାରିକା ଅଭିମୁଖରେ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ବେଳେ ବ୍ରହ୍ମାସ୍ତ୍ର ଜ୍ବାଳାରୁ ମୁକ୍ତ ନିଜର ପୁତ୍ର ଏବଂ ଦ୍ରୌପଦୀଙ୍କ ସହିତ ସତୀ କୁନ୍ତୀ ଏହିପରି ଭାବରେ ଭଗବାନଙ୍କର ସ୍ତୁତି କରିଥିଲେ |

କୁନ୍ତ୍ୟୁବାଚ

ନମସ୍ୟେ ପୁରୁଷଂ ତ୍ୱାଦ୍ୟମୀଶ୍ୱରଂ ପ୍ରକୃତେଃ ପରମ୍ ।

ଅଲକ୍ଷ୍ୟଂ ସର୍ୱଭୂତାନାମନ୍ତର୍ବହିରବସ୍ଥିତମ୍ ॥ ୧୮॥

କୁନ୍ତୀ କହିଲେ – ଆପଣ ସମସ୍ତ ଜୀବଙ୍କର ବାହାରେ ଏବଂ ଭିତରେ ଏକରସ ସ୍ଥିତ ଅଟନ୍ତି, ତା ସତ୍ତ୍ବେ ବି ଆପଣ ଇନ୍ଦ୍ରିୟ ଏବଂ ସେମାନଙ୍କର ବୃତ୍ତି ଦ୍ବାରା ଅଲକ୍ଷିତ ଅଟନ୍ତି କାରଣ ପ୍ରକୃତିର ଉର୍ଦ୍ଧ୍ବରେ ଆପଣ ଆଦିପୁରୁଷ ପରମେଶ୍ବର ଅଟନ୍ତି | ମୁଁ ଆପଣଙ୍କୁ ନମସ୍କାର କରୁଛି |

ମାୟାଜବନିକାଚ୍ଛନ୍ନମଜ୍ଞାଧୋକ୍ଷଜମବ୍ୟଯମ୍ ।

ନ ଲକ୍ଷ୍ୟସେ ମୂଢଦୃଶା ନଟୋ ନାଟ୍ୟଧରୋ ଯଥା ॥ ୧୯॥

ଇନ୍ଦ୍ରିୟମାନଙ୍କ ଦ୍ବାରା ଯାହା କିଛି ଜାଣିହୁଏ, ତାହାର ଅନ୍ତଃସ୍ଥଳରେ ଆପଣ ବିଦ୍ୟମାନ ରହିଥିଲେ ବି ନିଜ ମାୟା-ରୂପୀ ପରଦାରେ ଆପଣ ନିଜକୁ ଆବୃତ ରଖିଥାଆନ୍ତି | ଅନ୍ୟ ବେଶ ଧାରଣ କରିଥିବା ନଟକୁ ଯେପରି ମୂର୍ଖ ଲୋକ ଚିହ୍ନି ପାରନ୍ତି ନାହିଁ, ସେହିପରି ଆପଣ ଦୃଶ୍ୟମାନ ହୋଇ ମଧ୍ୟ ସମସ୍ତଙ୍କ ଦୃଷ୍ଟିରେ ଅଦୃଶ୍ୟ ଅଟନ୍ତି | ମୋ ପରି ଜଣେ ଅବୋଧ ନାରୀ ଭଲା ଆପଣଙ୍କ ସଦୃଶ ଅବିନାଶୀ ପୁରୁଷୋତ୍ତମଙ୍କୁ କିପରି ଜାଣନ୍ତା ?

ତଥା ପରମହଂସାନାଂ ମୁନୀନାମମଲାତ୍ମନାମ୍ ।

ଭକ୍ତିୟୋଗବିଧାନାର୍ଥଂ କଥଂ ପଶ୍ୟେମ ହି ସ୍ତ୍ରିୟଃ ॥ ୨୦॥

ଶୁଦ୍ଧ ହୃଦୟ, ବିଚାରଶୀଳ, ଜୀବନ୍ମୁକ୍ତ ପରମହଂସମାନଙ୍କ ହୃଦୟରେ ନିଜର ପ୍ରେମମୟୀ ଭକ୍ତି ସୃଜନ କରିବା ନିମନ୍ତେ ଆପଣ ଅବତୀର୍ଣ୍ଣ ହୋଇଛନ୍ତି | ଆମ୍ଭମାନଙ୍କ ପରି ଅଲ୍ପଜ୍ଞ ସ୍ତ୍ରୀମାନେ ଆପଣଙ୍କୁ ଚିହ୍ନିବେ କିପରି ?

କୃଷ୍ଣାୟ ବାସୁଦେବାୟ ଦେବକୀନନ୍ଦନାୟ ଚ ।

ନନ୍ଦଗୋପକୁମାରାୟ ଗୋବିନ୍ଦାୟ ନମୋ ନମଃ ॥ ୨୧॥

ଆପଣ ଶ୍ରୀକୃଷ୍ଣ, ବାସୁଦେବ, ଦେବକୀନନ୍ଦନ, ନନ୍ଦ-ଗୋପଙ୍କର ପ୍ରିୟାତିପ୍ରିୟ ପୁତ୍ର ଗୋବିନ୍ଦ ଅଟନ୍ତି; ଆପଣଙ୍କୁ ଆମେ ବାରମ୍ବାର ପ୍ରଣାମ କରୁଅଛୁ |

ନମଃ ପଙ୍କଜନାଭାୟ ନମଃ ପଙ୍କଜମାଲିନେ ।

ନମଃ ପଙ୍କଜନେତ୍ରାୟ ନମସ୍ତେ ପଙ୍କଜାଙ୍ଘ୍ରୟେ ॥ ୨୨॥

ଯାହାର ନାଭିରୁ ବ୍ରହ୍ମାଙ୍କର ଜନ୍ମସ୍ଥାନ କମଳର ଉଦ୍ଭବ, ଯିଏ ମନୋହର କମଳ-ମାଳ ଧାରଣ କରିଥାଆନ୍ତି, ଯାହାର ନେତ୍ରଯୁଗଳ କମଳ ସଦୃଶ ବିଶାଳ ଏବଂ କୋମଳ ଅଟେ, ଯାହାର ଚରଣଦ୍ବୟ କମଳ ଚିହ୍ନରେ ସୁଶୋଭିତ, ସେହି ଶ୍ରୀକୃଷ୍ଣଙ୍କୁ ମୁଁ ବାରମ୍ବାର ପ୍ରଣାମ କରୁଛି |

ଯଥା ହୃଷୀକେଶ ଖଲେନ ଦେବକୀ

କଂସେନ ରୁଦ୍ଧାତିଚିରଂ ଶୁଚାର୍ପିତା ।

ବିମୋଚିତାହଂ ଚ ସହାତ୍ମଜା ବିଭୋ

ତ୍ୱୟୈବ ନାଥେନ ମୁହୁର୍ୱିପଦ୍ଗଣାତ୍ ॥ ୨୩॥

ବିଷାନ୍ମହାଗ୍ନେଃ ପୁରୁଷାଦଦର୍ଶନା-

ଦସତ୍ସଭାୟା ବନବାସକୃଚ୍ଛ୍ରତଃ ।

ମୃଧେ ମୃଧେଽନେକମହାରଥାସ୍ତ୍ରତୋ

ଦ୍ରୌଣ୍ୟସ୍ତ୍ରତଶ୍ଚାସ୍ମ ହରେଽଭିରକ୍ଷିତାଃ ॥ ୨୪॥

ହେ ହୃଷୀକେଶ ! ଆପଣ ଯେପରି ଦୁଷ୍ଟ କଂସ ଦ୍ବାରା ବନ୍ଦୀ ହୋଇଥିବା ଚିରକାଳରୁ ଶୋକଗ୍ରସ୍ତ ଦେବକୀଙ୍କୁ ରକ୍ଷା କରିଥିଲେ, ସେହିପରି ଆପଣ ମୋତେ ମଧ୍ୟ ମୋର ପୁତ୍ରମାନଙ୍କ ସହିତ ଅନେକ ବିପତ୍ତିରୁ ବାରମ୍ବାର ରକ୍ଷା କରିଛନ୍ତି | ଆପଣ ହିଁ ଆମର ସର୍ବଶକ୍ତିମାନ ସ୍ବାମୀ ଅଟନ୍ତି | ହେ ଶ୍ରୀକୃଷ୍ଣ ! ଆପଣଙ୍କ କୃପାର ଗଣନା ମୁଁ କରିପାରିବି ନାହିଁ – ବିଷ ଦାଉରୁ, ଲାକ୍ଷାଗୃହର ଭୟାନକ ଅଗ୍ନିରୁ, ହିଡିମ୍ବା ଆଦି ରାକ୍ଷସଙ୍କ କବଳରୁ, ଦୁଷ୍ଟମାନଙ୍କର ଦ୍ୟୁତ-ସଭାରୁ, ବନବାସର ବିପତ୍ତିରୁ, ଯୁଦ୍ଧରେ ଅନେକ ରଥୀ-ମହାରଥୀଙ୍କର ଶସ୍ତ୍ରାଘାତରୁ, ଏବଂ ଏବେ ଅଶ୍ବତ୍ଥାମାଙ୍କର ବ୍ରହ୍ମାସ୍ତ୍ର ପ୍ରକୋପରୁ ଆପଣ ଆମ୍ଭମାନଙ୍କୁ ରକ୍ଷା କରିଛନ୍ତି |

ବିପଦଃ ସନ୍ତୁ ନଃ ଶଶ୍ୱତ୍ତତ୍ର ତତ୍ର ଜଗଦ୍ଗୁରୋ ।

ଭବତୋ ଦର୍ଶନଂ ଯତ୍ସ୍ୟାଦପୁନର୍ଭବଦର୍ଶନମ୍ ॥ ୨୫॥

ହେ ଜଗଦଗୁରୁ ! ଆମ୍ଭମାନଙ୍କର ଜୀବନରେ ସର୍ବଦା ବିପତ୍ତି ଆସୁଥାଉ, କାରଣ ବିପତ୍ତିରେ ହିଁ ନିଶ୍ଚିତ ଭାବରେ ଆପଣଙ୍କର ଦର୍ଶନ ଲାଭ ହୋଇଥାଏ ଏବଂ ଆପଣଙ୍କର ଦର୍ଶନ ପ୍ରାପ୍ତ କରିବା ପରେ ଜନ୍ମ-ମୃତ୍ୟୁର ଚକ୍ରରେ ପୁନର୍ବାର ଘୂରିବାକୁ ପଡେନାହିଁ |

ଜନ୍ମୈଶ୍ୱର୍ୟଶ୍ରୁତଶ୍ରୀଭିରେଧମାନମଦଃ ପୁମାନ୍ ।

ନୈବାର୍ହତ୍ୟଭିଧାତୁଂ ବୈ ତ୍ୱାମକିଞ୍ଚନଗୋଚରମ୍ ॥ ୨୬॥

ଉଚ୍ଚ କୁଳରେ ଜନ୍ମ, ଐଶ୍ବର୍ଯ୍ୟ, ବିଦ୍ୟା ଏବଂ ସମ୍ପତ୍ତି ଲାଭ କରି ଯେଉଁମାନଙ୍କର ଅହଂକାର ବୃଦ୍ଧି ପାଇଥାଏ, ସେମାନେ ତ ଆପଣଙ୍କର ନାମ ସୁଦ୍ଧା ଗ୍ରହଣ କରନ୍ତି ନାହିଁ | ଅକିଂଚନ ବ୍ୟକ୍ତି ହିଁ ଆପଣଙ୍କର ଦର୍ଶନ ଲାଭ କରନ୍ତି |

ନମୋଽକିଞ୍ଚନବିତ୍ତାୟ ନିବୃତ୍ତଗୁଣବୃତ୍ତୟେ ।

ଆତ୍ମାରାମାୟ ଶାନ୍ତାୟ କୈବଲ୍ୟପତୟେ ନମଃ ॥ ୨୭॥

ନିର୍ଧନମାନଙ୍କର ଆପଣ ପରମ ଧନ ଅଟନ୍ତି | ମାୟାର ପ୍ରପଞ୍ଚ ଆପଣଙ୍କୁ ସ୍ପର୍ଶ ସୁଦ୍ଧା କରିପାରେ ନାହିଁ | ଆପଣ ଆତ୍ମାରାମ, ପରମ ଶାନ୍ତସ୍ବରୂପ ଅଟନ୍ତି | କୈବଲ୍ୟ ମୋକ୍ଷର ଅଧିପତି ଏକମାତ୍ର ଆପଣ ହିଁ ଅଟନ୍ତି | ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛି |

ମନ୍ୟେ ତ୍ୱାଂ କାଲମୀଶାନମନାଦିନିଧନଂ ବିଭୁମ୍ ।

ସମଂ ଚରନ୍ତଂ ସର୍ୱତ୍ର ଭୂତାନାଂ ଯନ୍ମିଥଃ କଲିଃ ॥ ୨୮॥

ମୁଁ ଆପଣଙ୍କୁ ଅନାଦି, ଅନନ୍ତ, ସର୍ବବ୍ୟାପକ, ସର୍ବନିୟନ୍ତା, କାଳରୂପ, ପରମେଶ୍ବର ଭାବରେ ଜାଣେ | ସଂସାରର ସମସ୍ତ ପଦାର୍ଥ ଓ ପ୍ରାଣୀ ପରସ୍ପର ସଂଘର୍ଷରେ ବିଷମତାକୁ ପ୍ରାପ୍ତ ହୋଇ ପରସ୍ପରର ବିରୁଦ୍ଧାଚରଣ କରୁଛନ୍ତି, କିନ୍ତୁ ଆପଣ ସମସ୍ତଙ୍କ ମଧ୍ୟରେ ସମାନ ରୂପରେ ବିଚରଣ କରୁଛନ୍ତି |

ନ ବେଦ କଶ୍ଚିଦ୍ଭଗବଂଶ୍ଚିକୀର୍ଷିତଂ

ତବେହମାନସ୍ୟ ନୃଣାଂ ବିଡମ୍ବନମ୍ ।

ନ ଯସ୍ୟ କଶ୍ଚିଦ୍ଦୟିତୋଽସ୍ତି କର୍ହିଚି-

ଦ୍ଦ୍ୱେଷ୍ୟଶ୍ଚ ଯସ୍ମିନ୍ୱିଷମା ମତିର୍ନୃଣାମ୍ ॥ ୨୯॥

ହେ ପ୍ରଭୁ ! ଆପଣ ଯେତେବେଳେ ମାନବୀୟ ଲୀଳା କରୁଥାଆନ୍ତି, ସେତେବେଳେ ଆପଣ କଣ କରିବାକୁ ଇଚ୍ଛା କରନ୍ତି, ତାହା କେହି ମଧ୍ୟ ଜାଣନ୍ତି ନାହିଁ | ଆପଣଙ୍କର କେବେ କେହି ପ୍ରିୟ ନୁହଁନ୍ତି କି ଅପ୍ରିୟ ନୁହଁନ୍ତି | ଆପଣଙ୍କୁ ନେଇ ଲୋକମାନଙ୍କର ବୁଦ୍ଧି ହିଁ ବିଷମ ହୋଇଥାଏ |

ଜନ୍ମ କର୍ମ ଚ ବିଶ୍ୱାତ୍ମନ୍ନଜସ୍ୟାକର୍ତୁରାତ୍ମନଃ ।

ତିର୍ୟଙ୍ନୃର୍ଷିଷୁ ଯାଦଃସୁ ତଦତ୍ୟନ୍ତବିଡମ୍ବନମ୍ ॥ ୩୦॥

ଆପଣ ବିଶ୍ବର ଆତ୍ମା, ସ୍ବୟଂ ବିଶ୍ବରୂପ ଅଟନ୍ତି | ଆପଣ ଜନ୍ମ ଗ୍ରହଣ କରନ୍ତି ନାହିଁ କି କର୍ମ ମଧ୍ୟ କରନ୍ତି ନାହିଁ | ତଥାପି ଆପଣ ପଶୁ-ପକ୍ଷୀ, ମନୁଷ୍ୟ, ଋଷି, ଜଳଚର ଆଦି ରୂପରେ ଜନ୍ମ ଲାଭ କରି ସେହି ସେହି ଯୋନି ଅନୁରୂପ କର୍ମ ମଧ୍ୟ କରନ୍ତି | ଏହା ଆପଣଙ୍କର ଲୀଳା ହିଁ ତ ଅଟେ |

ଗୋପ୍ୟାଦଦେ ତ୍ୱୟି କୃତାଗସି ଦାମ ତାବ-

ଦ୍ୟା ତେ ଦଶାଶ୍ରୁକଲିଲାଞ୍ଜନସମ୍ଭ୍ରମାକ୍ଷମ୍ ।

ବକ୍ତ୍ରଂ ନିନୀୟ ଭୟଭାବନୟା ସ୍ଥିତସ୍ୟ

ସା ମାଂ ବିମୋହୟତି ଭୀରପି ଯଦ୍ବିଭେତି ॥ ୩୧॥

ବାଲ୍ୟକାଳରେ ଆପଣ ଯେତେବେଳେ କ୍ଷୀର-ଠେକି ଭାଙ୍ଗି ମା ଯଶୋଦାଙ୍କୁ କ୍ଷୁବ୍ଧ କରି ଦେଇଥିଲେ ଏବଂ ମା ଆପଣଙ୍କୁ ରସିରେ ବାନ୍ଧିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ଆପଣଙ୍କର ନେତ୍ର ଲୋତକପୂର୍ଣ୍ଣ ହୋଇ ଯାଇଥିଲା, ଆପଣଙ୍କ ଚଞ୍ଚଳ ନେତ୍ରରୁ କଜ୍ବଳର ଧାର ଗାଲ ଉପରକୁ ବୋହି ଆସିଥିଲା, ଏବଂ ଭୟଭୀତ ହୋଇ ଆପଣ ନିଜର ମୁଖକୁ ଅବନତ କରି ନେଇଥିଲେ | ଆପଣଙ୍କର ସେହି ଦଶାର ଲୀଳା-ଛବିର ସ୍ମରଣ କରି ମୋର ମନ ମୋହିତ ହୋଇଯାଉଛି | ଭଲା, ସ୍ବୟଂ ଭୟ ଯାହାର ଭୟରେ ଭୟଭୀତ ହେଉଥାଏ, ତାଙ୍କର ଏପରି ଦଶା !

କେଚିଦାହୁରଜଂ ଜାତଂ ପୁଣ୍ୟଶ୍ଲୋକସ୍ୟ କୀର୍ତୟେ ।

ଯଦୋଃ ପ୍ରିୟସ୍ୟାନ୍ୱବାୟେ ମଲୟସ୍ୟେବ ଚନ୍ଦନମ୍ ॥ ୩୨॥

ଆପଣ ଅଜନ୍ମା ହୋଇ ମଧ୍ୟ କାହିଁକି ଜନ୍ମ ଗ୍ରହଣ କଲେ, ତାହାର କାରଣ ନିର୍ଦ୍ଦେଶ କରିବାକୁ ଯାଇ କେହି କେହି ମହାପୁରୁଷ କହନ୍ତି, ମଳୟାଚଳର କୀର୍ତ୍ତିବିସ୍ତାର ନିମନ୍ତେ ଯେପରି ଚନ୍ଦନ ବୃକ୍ଷର ପ୍ରାକଟ୍ୟ ହୋଇଥାଏ, ସେହିପରି ନିଜ ପ୍ରିୟ ଭକ୍ତ ପୁଣ୍ୟଶ୍ଲୋକ ରାଜା ଯଦୁଙ୍କର କୀର୍ତ୍ତିବିସ୍ତାର କରିବା ପାଇଁ ହିଁ ଆପଣ ତାଙ୍କ କୁଳରେ ଅବତାର ଗ୍ରହଣ କରିଛନ୍ତି |

ଅପରେ ବସୁଦେବସ୍ୟ ଦେବକ୍ୟାଂ ଯାଚିତୋଽଭ୍ୟଗାତ୍ ।

ଅଜସ୍ତ୍ୱମସ୍ୟ କ୍ଷେମାୟ ବଧାୟ ଚ ସୁରଦ୍ୱିଷାମ୍ ॥ ୩୩॥

ଅନ୍ୟ କେହି କେହି ଏପରି କହନ୍ତି ଯେ ପୂର୍ବଜନ୍ମରେ ଦେବକୀ ଏବଂ ବସୁଦେବ (ସୁତପା ଓ ବୃଶ୍ନି ରୂପରେ) ଆପଣଙ୍କଠାରୁ ଏହି ବରଦାନ ପ୍ରାପ୍ତ କରିଥିଲେ; ସେଥିପାଇଁ ଆପଣ ଅଜନ୍ମା ହୋଇ ମଧ୍ୟ ଜଗତ-କଲ୍ୟାଣ ଏବଂ ଦୈତ୍ୟ-ନାଶ ଅଭିପ୍ରାୟରେ ସେମାନଙ୍କ ପୁତ୍ର ରୂପେ ଅବତରିତ ହୋଇଛନ୍ତି |

ଭାରାବତାରଣାୟାନ୍ୟେ ଭୁବୋ ନାବ ଇବୋଦଧୌ ।

ସୀଦନ୍ତ୍ୟା ଭୂରିଭାରେଣ ଜାତୋ ହ୍ୟାତ୍ମଭୁବାର୍ଥିତଃ ॥ ୩୪॥

କିଛି ଲୋକ ଏପରି କହନ୍ତି ଯେ ସମୁଦ୍ରରେ ବୁଡି ଉବୁଟୁବୁ ହେଉଥିବା ଜାହାଜ ପରି ଦୈତ୍ୟମାନଙ୍କ ଦାଉରେ ପୃଥିବୀ ଅତ୍ୟଧିକ ପୀଡିତ ହେଉଥିବା ଦେଖି ବ୍ରହ୍ମାଙ୍କ ନିବେଦନରେ ପୃଥିବୀର ଭାର ହରଣ କରିବା ଉଦ୍ଦେଶ୍ୟରେ ଆପଣ ପ୍ରକଟ ହୋଇଛନ୍ତି |

ଭବେଽସ୍ମିନ୍ କ୍ଲିଶ୍ୟମାନାନାମବିଦ୍ୟାକାମକର୍ମଭିଃ ।

ଶ୍ରବଣସ୍ମରଣାର୍ହାଣି କରିଷ୍ୟନ୍ନିତି କେଚନ ॥ ୩୫॥

କେହି କେହି ମହାପୁରୁଷ ଏପରି କହନ୍ତି ଯେ ଏହି ସଂସାରରେ ଯେଉଁମାନେ ଅଜ୍ଞାନ, କାମନା ଏବଂ କର୍ମ-ବନ୍ଧନରେ ବାନ୍ଧି ହୋଇ ପୀଡିତ ହେଉଛନ୍ତି, ସେମାନଙ୍କ ପାଇଁ ଶ୍ରବଣ-ସ୍ମରଣଯୋଗ୍ୟ ଲୀଳା ପ୍ରକଟ କରିବା ଉଦ୍ଦେଶ୍ୟରେ ଆପଣ ଅବତାର ଗ୍ରହଣ କରିଛନ୍ତି |

ଶୃଣ୍ୱନ୍ତି ଗାୟନ୍ତି ଗୃଣନ୍ତ୍ୟଭୀକ୍ଷ୍ଣଶଃ

ସ୍ମରନ୍ତି ନନ୍ଦନ୍ତି ତବେହିତଂ ଜନାଃ ।

ତ ଏବ ପଶ୍ୟନ୍ତ୍ୟଚିରେଣ ତାବକଂ

ଭବପ୍ରବାହୋପରମଂ ପଦାମ୍ବୁଜମ୍ ॥ ୩୬॥

ଯେଉଁ ଭକ୍ତଜନ ବାରମ୍ବାର ଆପଣଙ୍କ ଚରିତ୍ରର ଶ୍ରବଣ, ଗାନ, କୀର୍ତ୍ତନ ଏବଂ ସ୍ମରଣ କରି ଆନନ୍ଦିତ ହେଉଥାଆନ୍ତି, ସେମାନେ ହିଁ ଅବିଳମ୍ବେ ଆପଣଙ୍କ ଚରଣ-କମଳର ଦର୍ଶନ ପ୍ରାପ୍ତ କରିଥାଆନ୍ତି, ଯାହା ଚିରକାଳ ପାଇଁ ଜନ୍ମ-ମୃତ୍ୟୁର ପ୍ରବାହକୁ ଅବରୁଦ୍ଧ କରି ଦେଇଥାଏ |

ଅପ୍ୟଦ୍ୟ ନସ୍ତ୍ୱଂ ସ୍ୱକୃତେହିତ ପ୍ରଭୋ

ଜିହାସସି ସ୍ୱିତ୍ସୁହୃଦୋଽନୁଜୀବିନଃ ।

ଯେଷାଂ ନ ଚାନ୍ୟଦ୍ଭବତଃ ପଦାମ୍ବୁଜା-

ତ୍ପରାୟଣଂ ରାଜସୁ ଯୋଜିତାଂହସାମ୍ ॥ ୩୭॥

ହେ ଭକ୍ତବାଞ୍ଛାକଳ୍ପତରୁ ପ୍ରଭୁ ! ଏବେ ଆପଣ କଣ ଆମ୍ଭମାନଙ୍କ ପରି ନିଜର ଆଶ୍ରିତ ଏବଂ ସମ୍ବନ୍ଧୀମାନଙ୍କୁ ଛାଡି ଚାଲିଯିବାକୁ ଇଚ୍ଛା କରୁଛନ୍ତି ? ଆପଣ ଏହା ଜାଣନ୍ତି ଯେ ଆପଣଙ୍କ ଚରଣକମଳ ଅତିରିକ୍ତ ଆମ୍ଭମାନଙ୍କର ଅନ୍ୟ କୌଣସି ଅବଲମ୍ବନ ନାହିଁ | ପୃଥିବୀର ଅଧିକାଂଶ ରାଜାଙ୍କର ତ ଆମେ ସହଜରେ ବିରୋଧି ହୋଇ ଯାଇଛୁ |

କେ ବୟଂ ନାମରୂପାଭ୍ୟାଂ ଯଦୁଭିଃ ସହ ପାଣ୍ଡବାଃ ।

ଭବତୋଽଦର୍ଶନଂ ଯର୍ହି ହୃଷୀକାଣାମିବେଶିତୁଃ ॥ ୩୮॥

ଜୀବାତ୍ମା ବିନା ଇନ୍ଦ୍ରିୟମାନେ ଯେପରି ଶକ୍ତିରହିତ ହୋଇଯାଆନ୍ତି, ସେହିପରି ଆପଣଙ୍କର ଦର୍ଶନ ବିନା ଯଦୁବଂଶୀ ତଥା ମୋର ପୁତ୍ର ପାଣ୍ଡବମାନଙ୍କର ନାମ-ରୂପର ଅସ୍ତିତ୍ବ ଭଲା ରହିବ କିପରି ?

ନେୟଂ ଶୋଭିଷ୍ୟତେ ତତ୍ର ଯଥେଦାନୀଂ ଗଦାଧର ।

ତ୍ୱତ୍ପଦୈରଙ୍କିତା ଭାତି ସ୍ୱଲକ୍ଷଣବିଲକ୍ଷିତୈଃ ॥ ୩୯॥

ହେ ଗଦାଧର ! ଆପଣଙ୍କର ବିଲକ୍ଷଣ ଚରଣ ଚିହ୍ନରେ ଏହି କୁରୁଜାଙ୍ଗଳ ଦେଶର ଭୂମି ଯେପରି ଶୋଭାୟମାନ ହେଉଥିଲା, ଆପଣ ପ୍ରସ୍ଥାନ କରିବା ପରେ ତାହା ଆଉ ସେପରି ରହିବ ନାହିଁ |

ଇମେ ଜନପଦାଃ ସ୍ୱୃଦ୍ଧାଃ ସୁପକ୍ୱୌଷଧିବୀରୁଧଃ ।

ବନାଦ୍ରିନଦ୍ୟୁଦନ୍ୱନ୍ତୋ ହ୍ୟେଧନ୍ତେ ତବ ବୀକ୍ଷିତୈଃ ॥ ୪୦॥

ଆପଣଙ୍କ କୃପାଦୃଷ୍ଟି ପ୍ରଭାବରେ ଏହି ଦେଶର ଫସଲ ପାକଳ ହେଉଅଛି ଏବଂ ଲତା-ବୃକ୍ଷରେ ସମୃଦ୍ଧ ହୋଇଛି | ଏହାର ବନ, ପର୍ବତ, ନଦୀ ଏବଂ ସମୁଦ୍ର ମଧ୍ୟ ଆପଣଙ୍କ ଦୃଷ୍ଟିର ପ୍ରଭାବରେ ବୃଦ୍ଧି ଲାଭ କରିଛନ୍ତି |

ଅଥ ବିଶ୍ୱେଶ ବିଶ୍ୱାତ୍ମନ୍ ବିଶ୍ୱମୂର୍ତେ ସ୍ୱକେଷୁ ମେ ।

ସ୍ନେହପାଶମିମଂ ଛିନ୍ଧି ଦୃଢଂ ପାଣ୍ଡୁଷୁ ବୃଷ୍ଣିଷୁ ॥ ୪୧॥

ଆପଣ ବିଶ୍ବର ସ୍ବାମୀ, ବିଶ୍ବର ଆତ୍ମା ଏବଂ ବିଶ୍ବରୂପ ଅଟନ୍ତି | ଯଦୁବଂଶୀ ଓ ପାଣ୍ଡବମାନଙ୍କ ପ୍ରତି ମୋ ହୃଦୟରେ ପ୍ରବଳ ମମତା ଜାତ ହୋଇଛି | ଆପଣ କୃପା କରି ମୋର ସ୍ବଜନମାନଙ୍କ ପ୍ରତି ଜାତ ହୋଇଥିବା ସେହି ସ୍ନେହପାଶକୁ ଛିନ୍ନ କରିଦିଅନ୍ତୁ |

ତ୍ୱୟି ମେଽନନ୍ୟବିଷୟା ମତିର୍ମଧୁପତେଽସକୃତ୍ ।

ରତିମୁଦ୍ୱହତାଦଦ୍ଧା ଗଙ୍ଗେବୌଘମୁଦନ୍ୱତି ॥ ୪୨॥

ହେ ଶ୍ରୀକୃଷ୍ଣ ! ଗଙ୍ଗା ନଦୀର ଅଖଣ୍ଡ ଧାରା ଯେପରି ସମୁଦ୍ରରେ ମିଳିତ ହେବାରେ ଲାଗିଥାଏ, ସେହିପରି ମୋର ବୁଦ୍ଧି ଅନ୍ୟତ୍ର ଧାବିତ ନ ହୋଇ ନିରନ୍ତର କେବଳ ଆପଣଙ୍କୁ ହିଁ ପ୍ରେମ କରୁ |

ଶ୍ରୀକୃଷ୍ଣ କୃଷ୍ଣସଖ ବୃଷ୍ଣ୍ୟୃଷଭାବନିଧ୍ରୁଗ୍-

ରାଜନ୍ୟବଂଶଦହନାନପବର୍ଗବୀର୍ୟ ।

ଗୋବିନ୍ଦ ଗୋଦ୍ୱିଜସୁରାର୍ତିହରାବତାର

ଯୋଗେଶ୍ୱରାଖିଲଗୁରୋ ଭଗବନ୍ ନମସ୍ତେ ॥ ୪୩॥

ହେ ଶ୍ରୀକୃଷ୍ଣ ! ହେ ଅର୍ଜୁନଙ୍କର ପ୍ରିୟ ସଖା ଯଦୁବଂଶ ଶିରୋମଣି ! ପୃଥିବୀର ଭାର-ସ୍ବରୂପ ରାଜାବେଶଧାରୀ ଦୈତ୍ୟମାନଙ୍କୁ ଜଳାଇ ମାରିବା ପାଇଁ ଆପଣ ଅଗ୍ନିସ୍ବରୂପ ଅଟନ୍ତି | ଆପଣଙ୍କର ଶକ୍ତି ଅନନ୍ତ ଅଟେ | ହେ ଗୋବିନ୍ଦ ! ଆପଣ ଗୋ, ବ୍ରାହ୍ମଣ ଏବଂ ଦେବତାମାନଙ୍କର ଦୁଃଖ ହରଣ କରିବା ପାଇଁ ଅବତାର ଗ୍ରହଣ କରିଛନ୍ତି | ହେ ଯୋଗେଶ୍ବର ! ହେ ଚରାଚରର ଗୁରୁ ଭଗବାନ ! ମୁଁ ଆପଣଙ୍କୁ ନମସ୍କାର କରୁଛି |

ସୂତ ଉବାଚ

ପୃଥୟେତ୍ଥଂ କଲପଦୈଃ ପରିଣୂତାଖିଲୋଦୟଃ ।

ମନ୍ଦଂ ଜହାସ ବୈକୁଣ୍ଠୋ ମୋହୟନ୍ନିବ ମାୟଯା ॥ ୪୪॥

ସୂତ କହୁଛନ୍ତି – ଏହିପରି ଭାବରେ କୁନ୍ତୀ ଅତ୍ୟନ୍ତ ମଧୁର ଶବ୍ଦରେ ଭଗବାନଙ୍କର ଅଧିକାଂଶ ଲୀଳାର ବର୍ଣ୍ଣନା କରିଥିଲେ | ସବୁ ଶୁଣି ଭଗବାନ ଶ୍ରୀକୃଷ୍ଣ ନିଜ ମାୟାରେ ତାଙ୍କୁ ମୋହିତ କରି ମନ୍ଦ ମନ୍ଦ ହସିବାରେ ଲାଗିଲେ |

ତାଂ ବାଢମିତ୍ୟୁପାମନ୍ତ୍ର୍ୟ ପ୍ରବିଶ୍ୟ ଗଜସାହ୍ୱୟମ୍ ।

ସ୍ତ୍ରିୟଶ୍ଚ ସ୍ୱପୁରଂ ଯାସ୍ୟନ୍ ପ୍ରେମ୍ଣା ରାଜ୍ଞା ନିବାରିତଃ ॥ ୪୫॥

“ଆଚ୍ଛା, ଠିକ୍ ଅଛି”, କୁନ୍ତୀଙ୍କୁ ଏହିପରି କହି ସେ ରଥ ପାଖରୁ ହସ୍ତୀନାପୁର ପ୍ରତ୍ୟାବର୍ତ୍ତନ କଲେ | ସେଠାରେ କୁନ୍ତୀ, ସୁଭଦ୍ରା ଆଦି ଦେବୀମାନଙ୍କଠାରୁ ବିଦାୟ ନେଇ ସେ ଯେତେବେଳେ ଯିବାକୁ ଲାଗିଲେ, ରାଜା ଯୁଧିଷ୍ଠିର ପ୍ରେମପୂର୍ବକ ତାଙ୍କର ରାସ୍ତା ଅବରୋଧ କଲେ |

ବ୍ୟାସାଦ୍ୟୈରୀଶ୍ୱରେହାଜ୍ଞୈଃ କୃଷ୍ଣେନାଦ୍ଭୁତକର୍ମଣା ।

ପ୍ରବୋଧିତୋଽପୀତିହାସୈର୍ନାବୁଧ୍ୟତ ଶୁଚାର୍ପିତଃ ॥ ୪୬॥

ଯୁଦ୍ଧରେ ନିଜ ଭାଇ-ବନ୍ଧୁମାନଙ୍କର ମୃତ୍ୟୁ କାରଣରୁ ରାଜା ଯୁଧିଷ୍ଠିର ଅତ୍ୟନ୍ତ ଶୋକାତୁର ରହିଥିଲେ | ଭଗବାନଙ୍କ ଲୀଳାର ମର୍ମକୁ ଜାଣିଥିବା ବ୍ୟାସ ଆଦି ମହର୍ଷି ଏବଂ ଅଦ୍ଭୁତ ଚରିତ୍ର ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ଇତିହାସର ଅନେକ ଆଖ୍ୟାନ ସାହାଯ୍ୟରେ ତାଙ୍କୁ କେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ତାଙ୍କୁ ସାନ୍ତ୍ବନା ମିଳିଲା ନାହିଁ, ତାଙ୍କର ଶୋକ ଦୂର ହେଲାନାହିଁ |

ଆହ ରାଜା ଧର୍ମସୁତଶ୍ଚିନ୍ତୟନ୍ ସୁହୃଦାଂ ବଧମ୍ ।

ପ୍ରାକୃତେନାତ୍ମନା ବିପ୍ରାଃ ସ୍ନେହମୋହବଶଂ ଗତଃ ॥ ୪୭॥

ଅହୋ ମେ ପଶ୍ୟତାଜ୍ଞାନଂ ହୃଦି ରୂଢଂ ଦୁରାତ୍ମନଃ ।

ପାରକ୍ୟସ୍ୟୈବ ଦେହସ୍ୟ ବହ୍ୱ୍ୟୋ ମେଽକ୍ଷୌହିଣୀର୍ହତାଃ ॥ ୪୮॥

ହେ ଶୌନକାଦି ଋଷିଗଣ ! ନିଜ ସ୍ବଜନମାନଙ୍କର ନିଧନରେ ଧର୍ମପୁତ୍ର ରାଜା ଯୁଧିଷ୍ଠିର ଅତ୍ୟନ୍ତ ବିଷାଦଗ୍ରସ୍ତ ଥିଲେ | ସ୍ନେହ ଏବଂ ମୋହରେ ବଶୀଭୂତ ଅବିବେକଯୁକ୍ତ ଚିତ୍ତରେ ସେ କହିବାରେ ଲାଗିଲେ – ମୋ ପରି ଦୁରାତ୍ମାର ହୃଦୟରେ ବଦ୍ଧମୂଳ ଏହି ଅଜ୍ଞାନକୁ ଦେଖ ! ଶ୍ବାନ-ଶୃଗାଳର ଭକ୍ଷ ଏହି ଅନାତ୍ମ ଶରୀର ନିମନ୍ତେ ମୁଁ ଅନେକ ଅକ୍ଷୌହିଣୀ ସେନାର ବିନାଶ କରିଦେଲି !

ବାଲଦ୍ୱିଜସୁହୃନ୍ମିତ୍ରପିତୃଭ୍ରାତୃଗୁରୁଦ୍ରୁହଃ ।

ନ ମେ ସ୍ୟାନ୍ନିରୟାନ୍ମୋକ୍ଷୋ ହ୍ୟପି ବର୍ଷାୟୁତାୟୁତୈଃ ॥ ୪୯॥

ମୁଁ ବାଳକ, ବ୍ରାହ୍ମଣ, ସମ୍ବନ୍ଧୀ, ଦାଦା-କାକା, ମିତ୍ର, ଭାଇ-ବନ୍ଧୁ ଏବଂ ଗୁରୁଜନଙ୍କ ପ୍ରତି ମଧ୍ୟ ଦରୋହ କଲି | କୋଟି କୋଟି ବର୍ଷ ନର୍କବାସ କଲେ ମଧ୍ୟ ମୋତେ ସେଥିରୁ ମୁକ୍ତି ମିଳିବ ନାହିଁ |

ନୈନୋ ରାଜ୍ଞଃ ପ୍ରଜାଭର୍ତୁର୍ଧର୍ମୟୁଦ୍ଧେ ବଧୋ ଦ୍ୱିଷାମ୍ ।

ଇତି ମେ ନ ତୁ ବୋଧାୟ କଲ୍ପତେ ଶାସନଂ ବଚଃ ॥ ୫୦॥

ଶାସ୍ତ୍ରବଚନ ଅନୁଯାୟୀ ଯଦିଓ ପ୍ରଜା-ପାଳନ ନିମନ୍ତେ ରାଜା ଧର୍ମଯୁଦ୍ଧରେ ପ୍ରବୃତ୍ତ ହୋଇ ଶତ୍ରୁନାଶ କଲେ ତାଙ୍କୁ ପାପ ସ୍ପର୍ଶ କରି ନ ଥାଏ, ତଥାପି ମୋତେ ସନ୍ତୋଷ ମିଳୁନାହିଁ |

ସ୍ତ୍ରୀଣାଂ ମଦ୍ଧତବନ୍ଧୂନାଂ ଦ୍ରୋହୋ ଯୋଽସାବିହୋତ୍ଥିତଃ ।

କର୍ମଭିର୍ଗୃହମେଧୀୟୈର୍ନାହଂ କଲ୍ପୋ ବ୍ୟପୋହିତୁମ୍ ॥ ୫୧॥

ସ୍ତ୍ରୀମାନଙ୍କର ପତି ଏବଂ ଭାଇ-ବନ୍ଧୁମାନଙ୍କୁ ହତ୍ୟା କରି ମୁଁ ଯେଉଁ ଅପରାଧ କରିଛି, ତାହାର ମାର୍ଜନ ଗୃହସ୍ଥୋଚିତ କୌଣସି ଯାଗ-ଯଜ୍ଞାଦି ଦ୍ବାରା ମୁଁ କରିବାକୁ ସମର୍ଥ ନୁହେଁ |

ଯଥା ପଙ୍କେନ ପଙ୍କାମ୍ଭଃ ସୁରୟା ବା ସୁରାକୃତମ୍ ।

ଭୂତହତ୍ୟାଂ ତଥୈବୈକାଂ ନ ଯଜ୍ଞୈର୍ମାର୍ଷ୍ଟୁମର୍ହତି ॥ ୫୨॥

ନର୍ଦମାର ଅଶୁଦ୍ଧ ଜଳକୁ ଯେପରି ପଙ୍କ ଦ୍ବାରା ଧୌତ କରିହୁଏ ନାହିଁ, ମଦିରାକୁ ଯେପରି ମଦିରା ଦ୍ବାରା ଶୁଦ୍ଧ କରିହୁଏ ନାହିଁ, ସେହିପରି ହିଂସାବହୁଳ ଯଜ୍ଞ ଦ୍ବାରା ଗୋଟିଏ ବି ପ୍ରାଣୀର ହତ୍ୟାଜନିତ ଅପରାଧର ପ୍ରାୟଶ୍ଚିତ କରାଯାଇ ପାରେନାହିଁ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ କୁନ୍ତୀସ୍ତୁତିର୍ୟୁଧିଷ୍ଠିରାନୁତାପୋ ନାମାଷ୍ଟମୋଽଧ୍ୟାୟଃ ॥ ୮॥

 

Comments

Popular posts from this blog