ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ

ପ୍ରଥମ ସ୍କନ୍ଧ

ଦ୍ବିତୀୟ ଅଧ୍ୟାୟ

ଭଗବତ୍-କଥା ଏବଂ ଭଗବଦ୍-ଭକ୍ତିର ମାହାତ୍ମ୍ୟ

ବ୍ୟାସ ଉବାଚ

ଇତି ସଂପ୍ରଶ୍ନସଂହୃଷ୍ଟୋ ବିପ୍ରାଣାଂ ରୋମହର୍ଷଣିଃ |

ପ୍ରତିପୂଜ୍ୟ ବଚସ୍ତେଷାଂ ପ୍ରବକ୍ତୁମୁପଚକ୍ରମେ ||୧||

ବେଦବ୍ୟାସ କହୁଛନ୍ତି – ଶୌନକାଦି ବ୍ରହ୍ମବାଦୀ ଋଷିମାନଙ୍କର ଏହି ପ୍ରଶ୍ନ ଶୁଣି ରୋମହର୍ଷଣ-ପୁତ୍ର ଉଗ୍ରଶ୍ରବା ଅତୀବ ଆନନ୍ଦିତ ହେଲେ | ଋଷିମାନଙ୍କର ମଙ୍ଗଳମୟ ପ୍ରଶ୍ନର ଅଭିନନ୍ଦନ କରି ସେ କହିବାକୁ ଆରମ୍ଭ କଲେ |

ସୂତ ଉବାଚ

ଯଂ ପ୍ରବ୍ରଜନ୍ତମନୁପେତମପେତକୃତ୍ୟଂ

ଦ୍ବୈପାୟନୋ ବିରହକାତର ଆଜୁହାବ |

ପୁତ୍ରେତି ତନ୍ମୟତୟା ତରବୋଽଭିନେଦୁ-

ସ୍ତଂ ସର୍ବଭୂତହୃଦୟଂ ମୁନିମାନତୋଽସ୍ମି ||୨||

ସୂତଜୀ କହିଲେ – ଶ୍ରୀ ଶୁକଦେବ ମହାଶୟଙ୍କର ଯେତେବେଳେ ଯଜ୍ଞୋପବୀତ ସଂସ୍କାର ମଧ୍ୟ ହୋଇ ନ ଥିଲା, ଅର୍ଥାତ୍ ଯେତେବେଳେ ତାଙ୍କୁ ଲୌକିକ-ବୈଦିକ କର୍ମ ଅନୁଷ୍ଠାନର ଅବସର ମଧ୍ୟ ପ୍ରାପ୍ତ ହୋଇ ନ ଥିଲା, ସେ ଏକାକୀ ସନ୍ୟାସ ଗ୍ରହଣ କରିବା ଉଦ୍ଦେଶ୍ୟରେ ଚାଲି ଯାଉଥିବା ଦେଖି ପିତା ବେଦବ୍ୟାସ ବିରହ-କାତର ହୋଇ “ପୁତ୍ର ! ପୁତ୍ର !” ଡାକିବାରେ ଲାଗିଲେ | ସେହି ସମୟରେ, ତନ୍ମୟ ରହିଥିବା କାରଣରୁ ଶୁକଦେବଙ୍କ ପକ୍ଷରୁ ବୃକ୍ଷମାନେ ପ୍ରତିଧ୍ବନି ମାଧ୍ୟମରେ ତାହାର ଉତ୍ତର ଦେଇଥିଲେ | ସେହି ଶୁକଦେବ ମୁନି ଆମ ସମସ୍ତଙ୍କ ହୃଦୟରେ ବିରାଜମାନ କରନ୍ତୁ | ମୁଁ ତାଙ୍କୁ ନମସ୍କାର କରୁଛି |

ଯଃ ସ୍ବାନୁଭାବମଖିଲଶ୍ରୁତିସାରମେକ-

ମଧ୍ୟାତ୍ମଦୀପମତିତିତୀର୍ଷତାଂ ତମୋଽନ୍ଧମ୍ |

ସଂସାରିଣାଂ କରୁଣୟାଽଽହ ପୁରାଣଗୁହ୍ୟଂ

ତଂ ବ୍ୟାସସୂନୁମୁପୟାମି ଗୁରୁଂ ମୁନୀନାମ୍ ||୩||

ଏହି ଶ୍ରୀମଦ୍ ଭାଗବତ ଅତ୍ୟନ୍ତ ଗୋପନୀୟ-ରହସ୍ୟାତ୍ମକ ପୁରାଣ ଅଟେ | ଏହା ଭଗବତ୍-ସ୍ବରୂପର ଅନୁଭବ କରାଇ ଥାଏ ଏବଂ ସମସ୍ତ ବେଦର ସାର ଅଟେ | ସଂସାର-ଆସକ୍ତ ଜୀବ ମଧ୍ୟରୁ ଯେଉଁମାନେ ଏହି ଘୋର ଅଜ୍ଞାନ-ଅନ୍ଧକାରରୁ ନିସ୍କୃତି ଇଚ୍ଛା କରୁଥାଆନ୍ତି, ସେମାନଙ୍କ ପାଇଁ ଆଧ୍ୟାତ୍ମିକ ତତ୍ତ୍ବକୁ ପ୍ରକାଶିତ କରୁଥିବା ଏହା ଏକ ଅଦ୍ବିତୀୟ ଦୀପାଳି ଅଟେ | ବାସ୍ତବରେ, ସେହିପରି ଜୀବମାନଙ୍କ ପ୍ରତି କରୁଣା କରି ବଡ ବଡ ମୁନିମାନଙ୍କର ମଧ୍ୟ ଗୁରୁ ଶ୍ରୀ ଶୁକଦେବ ପରମହଂସ ଏହାର ବର୍ଣ୍ଣନ କରିଛନ୍ତି | ମୁଁ ତାଙ୍କର ଶରଣ ଗ୍ରହଣ କରୁଛି |

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମମ୍ |

ଦେବୀଂ ସରସ୍ବତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ ||୪||

ମନୁଷ୍ୟମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଭଗବାନଙ୍କର ଅବତାର ଶ୍ରୀ ନର-ନାରାୟଣ, ଦେବୀ ସରସ୍ବତୀ, ଏବଂ ଶ୍ରୀ ବେଦବ୍ୟାସଙ୍କୁ ପ୍ରଣାମ କରି ସଂସାର ଏବଂ ଅନ୍ତଃକରଣର ସମସ୍ତ ବିକାର ଉପରେ ବିଜୟ ପ୍ରାପ୍ତ କରିବା ନିମନ୍ତେ ଇଛୁକ ଜୀବ ଏହି ଶ୍ରୀମଦ୍ ଭାଗବତ ମହାପୁରାଣର ପଠନ କରିବା ଉଚିତ୍ |

ମୁନୟଃ ସାଧୁ ପୃଷ୍ଟୋଽହଂ ଭବଦ୍ଭିର୍ଲୋକମଙ୍ଗଳମ୍ |

ଯତ୍-କୃତଃ କୃଷ୍ଣସଂପ୍ରଶ୍ନୋ ଯେନାତ୍ମା ସୁପ୍ରସୀଦତି ||୫||

ହେ ଋଷିଗଣ ! ଆପଣମାନେ ସମ୍ପୂର୍ଣ୍ଣ ବିଶ୍ବର କଲ୍ୟାଣ ଉଦ୍ଦେଶ୍ୟରେ ବହୁତ ସୁନ୍ଦର ପ୍ରଶ୍ନ ପଚାରିଛନ୍ତି; କାରଣ ଏହା ଶ୍ରୀକୃଷ୍ଣଙ୍କ ସମ୍ବନ୍ଧରେ ଅଟେ ଏବଂ ଏହା ଦ୍ବାରା ଆତ୍ମଶୁଦ୍ଧି ମଧ୍ୟ ପୂର୍ଣ୍ଣତୟା ହୋଇଯାଏ |

ସ ବୈ ପୁଂସାଂ ପରୋ ଧର୍ମୋ ଯତୋ ଭକ୍ତିରଧୋକ୍ଷଜେ |

ଅହୈତୁକ୍ୟପ୍ରତିହତା ଯୟାଽଽତ୍ମା ସମ୍ପ୍ରସୀଦତି ||୬||

ମନୁଷ୍ୟ ନିମନ୍ତେ ସର୍ବଶ୍ରେଷ୍ଠ ଧର୍ମ ତାହା ଅଟେ, ଯାହା ଦ୍ବାରା ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି ଉତ୍ପନ୍ନ ହୋଇଥାଏ | ସେହି ଭକ୍ତି ସମସ୍ତ ପ୍ରକାରର କାମନା-ରହିତ ଏବଂ ନିରବଚ୍ଛିନ୍ନ ହୋଇଥିବା ଉଚିତ୍ | ସେପରି ଭକ୍ତିରେ ହୃଦୟ ଆନନ୍ଦସ୍ବରୂପ ପରମାତ୍ମାଙ୍କର ଉପଲବଧି କରି କୃତକୃତ୍ୟ ହୋଇଯାଏ |

ବାସୁଦେବେ ଭଗବତି ଭକ୍ତିଯୋଗଃ ପ୍ରୟୋଜିତଃ |

ଜନୟତ୍ୟାଶୁ ବୈରାଗ୍ୟଂ ଜ୍ଞାନଂ ଚ ଯଦହୈତୁକମ୍ ||୭||

ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି ଜାତ ହେବା ମାତ୍ରେ, ଅନନ୍ୟ ପ୍ରେମରେ ତାଙ୍କ ସହିତ ଚିତ୍ତର ସଂଯୋଗ ହୋଇଯିବା ମାତ୍ରେ, ସ୍ବତଃ ନିଷ୍କାମ ଜ୍ଞାନ ଏବଂ ବୈରାଗ୍ୟର ଆବିର୍ଭାବ ହୋଇଯାଏ |

ଧର୍ମଃ ସ୍ବନୁଷ୍ଠିତଃ ପୁଂସାଂ ବିଷ୍ବକ୍ସେନକଥାସୁ ଯଃ |

ନୋତ୍ପାଦୟେଦ୍ୟଦି ରତି ଶ୍ରମ ଏବ ହି କେବଲମ୍ ||୮||

ଧର୍ମ ଅନୁଷ୍ଠାନ ଯଥା ବିଧି କରିବା ପରେ ବି ଯଦି ମନୁଷ୍ୟ ହୃଦୟରେ ଭଗବାନଙ୍କର ଲୀଳା-କଥା ଶ୍ରବଣ ପ୍ରତି ଅନୁରାଗ ଜାତ ନ ହୁଏ ତେବେ ତାହା କେବଳ ବୃଥା ପରିଶ୍ରମ ଅଟେ |

ଧର୍ମସ୍ୟ ହ୍ୟାପବର୍ଗ୍ୟସ୍ୟ ନାର୍ଥୋଽର୍ଥାୟୋପକଲ୍ପତେ |

ନାର୍ଥସ୍ୟ ଧର୍ମୈକାନ୍ତସ୍ୟ କାମୋ ଲାଭାୟ ହି ସ୍ମୃତଃ ||୯||

ଧର୍ମର ଫଳ ମୋକ୍ଷ ଅଟେ | ଏହାର ସାର୍ଥକତା ଅର୍ଥପ୍ରାପ୍ତିରେ ନୁହେଁ | ଅର୍ଥ କେବଳ ଧର୍ମ ଉଦ୍ଦେଶ୍ୟରେ ଅର୍ଜନ କରାଯାଏ | ଭୋଗବିଳାସ ଏହାର ଫଳ ରୂପେ ମାନନୀୟ ନୁହେଁ |

କାମସ୍ୟ ନେଁନ୍ଦ୍ରିୟପ୍ରୀତିର୍ଲାଭୋ ଜୀବେତ ଯାବତା |

ଜୀବସ୍ୟ ତତ୍ତ୍ବଜିଜ୍ଞାସା ନାର୍ଥୋ ଯଶ୍ଚେହ କର୍ମଭିଃ ||୧୦||

ଭୋଗବିଳାସର ଉଦ୍ଦେଶ୍ୟ ଇନ୍ଦ୍ରିୟ ତୃପ୍ତି ନୁହେଁ; ଏହାର ପ୍ରୟୋଜନ ଜୀବନ-ନିର୍ବାହ ଅଟେ | ଜୀବନର ଉଦ୍ଦେଶ୍ୟ ତତ୍ତ୍ବଜିଜ୍ଞାସା ଅଟେ; କର୍ମ-ଧର୍ମ କରି ସ୍ବର୍ଗାଦି ପ୍ରାପ୍ତ କରିବା ଏହାର ଉଦ୍ଦେଶ୍ୟ ନୁହେଁ |

ବଦନ୍ତି ତତ୍ତତ୍ତ୍ବବିଦସ୍ତତ୍ତ୍ବଂ ଯଜ୍ଜ୍ଞାନମଦ୍ବୟମ୍ |

ବ୍ରହ୍ମେତି ପରମାତ୍ମେତି ଭଗବାନିତି ଶବ୍ଦ୍ୟତେ ||୧୧||

ତତ୍ତ୍ବବେତ୍ତା ମହାତ୍ମାମାନେ ଜ୍ଞାତା ଏବଂ ଜ୍ଞେୟ ଭେଦରହିତ ଅଖଣ୍ଡ ଅଦ୍ବିତୀୟ ସଚ୍ଚିଦାନନ୍ଦସ୍ବରୂପ ଜ୍ଞାନକୁ ହିଁ ତତ୍ତ୍ବ ରୂପେ ଆଖ୍ୟାୟିତ କରନ୍ତି | ସେହି ଗୋଟିଏ ହିଁ ତତ୍ବକୁ କିଏ ବ୍ରହ୍ମ, କିଏ ପରମାତ୍ମା ଏବଂ କିଏ ଭଗବାନ କହିଥାଆନ୍ତି |

ତଚ୍ଛ୍ରଦ୍ୟଧାନା ମୁନୟୋ ଜ୍ଞାନବୈରାଗ୍ୟଯୁକ୍ତୟଃ |

ପଶ୍ୟନ୍ତ୍ୟାତ୍ମନି ଚାତ୍ମାନଂ ଭକ୍ତ୍ୟା ଶ୍ରୁତଗୃହୀତୟା ||୧୨||

ଶ୍ରଦ୍ଧାଳୁ ମୁନିଜନ ଭାଗବତ ଶ୍ରବଣ ଦ୍ବାରା ପ୍ରାପ୍ତ ଜ୍ଞାନ-ବୈରାଗ୍ୟଯୁକ୍ତ ଭକ୍ତି କରି ନିଜ ହୃଦୟରେ ସେହି ପରମତତ୍ତ୍ବରୂପ ପରମାତ୍ମାଙ୍କୁ ଅନୁଭବ କରିଥାଆନ୍ତି |

ଅତଃ ପୁମ୍ଭିର୍ଦ୍ବିଜଶ୍ରେଷ୍ଠା ବର୍ଣ୍ଣାଶ୍ରମବିଭାଗଶଃ |

ସ୍ବନୁଷ୍ଠିତସ୍ୟ ଧର୍ମସ୍ୟ ସଂସିଦ୍ଧିର୍ହରିତୋଷଣମ୍ ||୧୩||

ହେ ଶୌନକାଦି ଋଷିଗଣ ! ଏହି କାରଣରୁ ନିଜ ନିଜର ବର୍ଣ୍ଣ ଏବଂ ଆଶ୍ରମ ଅନୁଯାୟୀ ମନୁଷ୍ୟ ଯେଉଁ ସବୁ ଧର୍ମର ଅନୁଷ୍ଠାନ କରିଥାଏ, ତାହାର ପୂର୍ଣ୍ଣ ସିଦ୍ଧି ଭଗବାନଙ୍କୁ ପ୍ରସନ୍ନ କରିବାରେ ହୋଇଥାଏ |

ତସ୍ମାଦେକେନ ମନସା ଭଗବାନ୍ ସାତ୍ବତାଂ ପତିଃ |

ଶ୍ରୋତବ୍ୟଃ କୀର୍ତିତବ୍ୟଶ୍ଚ ଧ୍ୟେୟଃ ପୂଜ୍ୟଶ୍ଚ ନିତ୍ୟଦା ||୧୪||

ସେଥିପାଇଁ ଏକାଗ୍ର ମନରେ ଭକ୍ତବତ୍ସଳ ଭଗବାନଙ୍କର ହିଁ ନିତ୍ୟ-ନିରନ୍ତର ଶ୍ରବଣ, କୀର୍ତ୍ତନ, ଧ୍ୟାନ ଏବଂ ଆରାଧନା କରିବା ଆବଶ୍ୟକ |

ଯଦନୁଧ୍ୟାସିନା ଯୁକ୍ତାଃ କର୍ମଗ୍ରନ୍ଥିନିବନ୍ଧନମ୍ |

ଛିନ୍ଦନ୍ତି କୋବିଦାସ୍ତସ୍ୟ କୋ ନ କୁର୍ଯ୍ୟାତ୍କଥାରତିମ୍ ||୧୫||

କର୍ମର ଗଣ୍ଠି ବହୁତ ଶକ୍ତ ଅଟେ | ବିଚାରବାନ ପୁରୁଷ ଭଗବତ୍-ଚିନ୍ତନ ରୂପୀ ଖଡଗ ଦ୍ବାରା ସେହି ଗଣ୍ଠିକୁ କାଟି ଦେଇଥାଆନ୍ତି | ତେଣୁ ଏପରି କେଉଁ ମନୁଷ୍ୟ ଥିବ, ଯିଏ ଭଗବାନଙ୍କର ଲୀଳା-କଥାରେ ଅନୁରାଗ ନ କରିବ |

ଶୁଶ୍ରୂଷୋଃ ଶ୍ରଦ୍ଦଧାନସ୍ୟ ବାସୁଦେବକଥାରୁଚିଃ ।

ସ୍ୟାନ୍-ମହତ୍-ସେବୟା ବିପ୍ରାଃ ପୁଣ୍ୟତୀର୍ଥନିଷେବଣାତ୍ ॥ ୧୬॥

ପବିତ୍ର ତୀର୍ଥମାନଙ୍କରେ ମହାପୁରୁଷମାନଙ୍କର ସେବା କରି ତତ୍ତ୍ବ ଶ୍ରବଣ କରିବାର ଇଚ୍ଛାର ପରିଣାମ ସଦୃଶ  ଶ୍ରଦ୍ଧା ଏବଂ ତତପଶ୍ଚାତ୍ ଭଗବତ୍-କଥାରେ ରୁଚି ଜାତ ହୋଇଥାଏ |

ଶୃଣ୍ୱତାଂ ସ୍ୱକଥାଂ କୃଷ୍ଣଃ ପୁଣ୍ୟଶ୍ରବଣକୀର୍ତନଃ ।

ହୃଦ୍ୟନ୍ତଃସ୍ଥୋ ହ୍ୟଭଦ୍ରାଣି ବିଧୁନୋତି ସୁହୃତ୍ସତାମ୍ ॥ ୧୭॥

ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଯଶର ଶ୍ରବଣ ଏବଂ କୀର୍ତ୍ତନ ଉଭୟ ପବିତ୍ରକାରୀ ଅଟନ୍ତି | କଥା ଶ୍ରବଣ କରୁଥିବା ବ୍ୟକ୍ତିର ହୃଦୟରେ ସେ ସ୍ବୟଂ ବିରାଜମାନ କରି ସେମାନଙ୍କର ଅଶୁଭ ବାସନାକୁ ନଷ୍ଟ କରିଦିଅନ୍ତି, କାରଣ ସେ ସନ୍ଥ ମହାପୁରୁଷମାନଙ୍କର ନିତ୍ୟ ସୁହୃଦ ଅଟନ୍ତି |

ନଷ୍ଟପ୍ରାୟେଷ୍ୱଭଦ୍ରେଷୁ ନିତ୍ୟଂ ଭାଗବତସେବୟା ।

ଭଗବତ୍ୟୁତ୍ତମଶ୍ଲୋକେ ଭକ୍ତିର୍ଭବତି ନୈଷ୍ଠିକୀ ॥ ୧୮॥

ଶ୍ରୀମଦ୍ ଭାଗବତ ଶ୍ରବଣ ଅଥବା ଭଗବଦ୍-ଭକ୍ତମାନଙ୍କର ନିରନ୍ତର ସଙ୍ଗ ଲାଭ ଦ୍ବାରା ଯେତେବେଳେ ହୃଦୟର ସମସ୍ତ ଅଶୁଭ ବାସନା ନଷ୍ଟ ହୋଇଯାଏ, ସେତେବେଳେ ପବିତ୍ରକୀର୍ତ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ନିଶ୍ଚଳ ପ୍ରେମ ପ୍ରାପ୍ତ ହୋଇଥାଏ |

ତଦା ରଜସ୍ତମୋଭାବାଃ କାମଲୋଭାଦୟଶ୍ଚ ଯେ ।

ଚେତ ଏତୈରନାବିଦ୍ଧଂ ସ୍ଥିତଂ ସତ୍ତ୍ୱେ ପ୍ରସୀଦତି ॥ ୧୯॥

ସେତେବେଳେ ରଜୋଗୁଣ ଓ ତମୋଗୁଣର ଭାବ କାମ ଏବଂ ଲୋଭ ଆଦି ଶାନ୍ତ ହୋଇଯାଆନ୍ତି | ଚିତ୍ତ ସେହି ସବୁ ଗୁଣ-ରହିତ ହୋଇ ସତ୍ତ୍ବଗୁଣରେ ସ୍ଥିତ ଏବଂ ନିର୍ମଳ ହୋଇଯାଏ |

ଏବଂ ପ୍ରସନ୍ନମନସୋ ଭଗବଦ୍ଭକ୍ତିୟୋଗତଃ ।

ଭଗବତ୍ତତ୍ତ୍ୱବିଜ୍ଞାନଂ ମୁକ୍ତସଙ୍ଗସ୍ୟ ଜାୟତେ ॥ ୨୦॥

ଏହିପରି ଭାବରେ ଭଗବାନଙ୍କର ପ୍ରେମମୟୀ ଭକ୍ତି ଦ୍ବାରା ଯେତେବେଳେ ସଂସାରର ସମସ୍ତ ଆସକ୍ତି ସମାପ୍ତ ହୋଇଯାଏ, ହୃଦୟ ଆନନ୍ଦମଗ୍ନ ହୋଇଯାଏ, ସେତେବେଳେ ଭଗବତ୍-ତତ୍ତ୍ବର ଅନୁଭବ ଆପେ ଆପେ ହୋଇଯାଏ |

ଭିଦ୍ୟତେ ହୃଦୟଗ୍ରନ୍ଥିଶ୍ଛିଦ୍ୟନ୍ତେ ସର୍ୱସଂଶୟାଃ ।

କ୍ଷୀୟନ୍ତେ ଚାସ୍ୟ କର୍ମାଣି ଦୃଷ୍ଟ ଏବାତ୍ମନୀଶ୍ୱରେ ॥ ୨୧॥

ହୃଦୟରେ ଆତ୍ମସ୍ବରୂପ ଭଗବାନଙ୍କର ସାକ୍ଷାତକାର ହୋଇଯିବା ମାତ୍ରେ ହୃଦୟର ସମସ୍ତ ଗ୍ରନ୍ଥି ଛିନ୍ନ ହୋଇଯାଏ, ସମସ୍ତ ସଂଶୟ ଦୂର ହୋଇଯାଏ ଏବଂ କର୍ମବନ୍ଧନ କ୍ଷୟ ହୋଇଯାଏ |

ଅତୋ ବୈ କବୟୋ ନିତ୍ୟଂ ଭକ୍ତିଂ ପରମୟା ମୁଦା ।

ବାସୁଦେବେ ଭଗବତି କୁର୍ୱନ୍ତ୍ୟାତ୍ମପ୍ରସାଦନୀମ୍ ॥ ୨୨॥

ସେଥିପାଇଁ ବୁଦ୍ଧିମାନ ବ୍ୟକ୍ତି ଅତି ଆନନ୍ଦରେ ନିତ୍ୟ-ନିରନ୍ତର ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରେମ-ଭକ୍ତି କରି ଆତ୍ମପ୍ରସାଦ ପ୍ରାପ୍ତ କରିଥାଆନ୍ତି |

ସତ୍ତ୍ୱଂ ରଜସ୍ତମ ଇତି ପ୍ରକୃତେର୍ଗୁଣାସ୍ତୈଃ

ଯୁକ୍ତଃ ପରମପୂରୁଷ ଏକ ଇହାସ୍ୟ ଧତ୍ତେ ।

ସ୍ଥିତ୍ୟାଦୟେ ହରିବିରିଞ୍ଚିହରେତି ସଞ୍ଜ୍ଞାଃ

ଶ୍ରେୟାଂସି ତତ୍ର ଖଲୁ ସତ୍ତ୍ୱତନୋର୍ନୃଣାଂ ସ୍ୟୁଃ ॥ ୨୩॥

ପ୍ରକୃତିର ତିନି ଗୁଣ – ସତ୍ତ୍ବ, ରଜ ଏବଂ ତମକୁ ସ୍ବୀକାର କରି ସଂସାରର ସୃଷ୍ଟି, ସ୍ଥିତି ଏବଂ ପ୍ରଳୟ ନିମନ୍ତେ ଏକ ଅଦ୍ବିତୀୟ ପରମାତ୍ମା ହିଁ ବ୍ରହ୍ମା, ବିଷ୍ଣୁ, ରୁଦ୍ର ରୂପ ଗ୍ରହଣ କରିଥାଆନ୍ତି | ତଥାପି ମନୁଷ୍ୟର କଲ୍ୟାଣ ତ ସତ୍ତ୍ବଗୁଣ ସ୍ବୀକାର କରିଥିବା ଶ୍ରୀହରିଙ୍କ ଦ୍ବାରା ହିଁ ହୋଇଥାଏ |

ପାର୍ଥିବାଦ୍ଦାରୁଣୋ ଧୂମସ୍ତସ୍ମାଦଗ୍ନିସ୍ତ୍ରୟୀମୟଃ ।

ତମସସ୍ତୁ ରଜସ୍ତସ୍ମାତ୍ସତ୍ତ୍ୱଂ ଯଦ୍ବ୍ରହ୍ମଦର୍ଶନମ୍ ॥ ୨୪॥

ଯେପରି ପୃଥିବୀର ବିକାର କାଷ୍ଠ ଅପେକ୍ଷା ଧୂମ ଶ୍ରେଷ୍ଠ ଅଟେ ଏବଂ ଧୂମ ଅପେକ୍ଷା ଅଗ୍ନି ଶ୍ରେଷ୍ଠ ଅଟେ, କାରଣ ତାହା ଯୋଗ-ଯଜ୍ଞାଦି ଦ୍ବାରା ସଦଗତି ପ୍ରଦାନ କରିଥାଏ, ସେହିପରି ତମୋଗୁଣଠାରୁ ଶ୍ରେଷ୍ଠ ରଜୋଗୁଣ ଅଟେ ଏବଂ ତାଠାରୁ ମଧ୍ୟ ଅଧିକ ଶ୍ରେଷ୍ଠ ସତ୍ତ୍ବଗୁଣ ଅଟେ, କାରଣ ତାହା ଭଗବାନଙ୍କର ଦର୍ଶନ କରାଇ ଥାଏ |

ଭେଜିରେ ମୁନୟୋଽଥାଗ୍ରେ ଭଗବନ୍ତମଧୋକ୍ଷଜମ୍ ।

ସତ୍ତ୍ୱଂ ବିଶୁଦ୍ଧଂ କ୍ଷେମାୟ କଲ୍ପନ୍ତେ ଯେଽନୁ ତାନିହ ॥ ୨୫॥

ପ୍ରାଚୀନ କାଳରେ ମହାତ୍ମାମାନେ ନିଜର କଲ୍ୟାଣ ନିମନ୍ତେ ବିଶୁଦ୍ଧ ସତ୍ତ୍ବମୟ ଭଗବାନ ବିଷ୍ଣୁଙ୍କର ହିଁ ଆରାଧନା କରୁଥିଲେ | ଏବେ ଯେଉଁମାନେ ସେମାନଙ୍କର ଅନୁସରଣ କରୁଛନ୍ତି, ସେମାନେ ମଧ୍ୟ ସେହି ମହାତ୍ମାମାନଙ୍କ ସଦୃଶ କଲ୍ୟାଣଭାଜନ ହୋଇ ପାରୁଛନ୍ତି |

ମୁମୁକ୍ଷବୋ ଘୋରରୂପାନ୍ ହିତ୍ୱା ଭୂତପତୀନଥ ।

ନାରାୟଣକଲାଃ ଶାନ୍ତା ଭଜନ୍ତି ହ୍ୟନସୂୟବଃ ॥ ୨୬॥

ଯେଉଁମାନେ ଏହି ସଂସାର ସାଗରକୁ ଅତିକ୍ରମ କରିବାକୁ ଇଚ୍ଛା କରନ୍ତି, ସେମାନେ ଭୟାବହ ତମୋଗୁଣୀ-ରଜୋଗୁଣୀ ଭୈରବାଦି ଭୂତପତିମାନଙ୍କର ଉପାସନା ନ କରି ସତ୍ତ୍ବଗୁଣୀ ବିଷ୍ଣୁ ଭଗବାନ ଏବଂ ତାଙ୍କର ଅଂଶ-କଳାସ୍ବରୂପମାନଙ୍କର ହିଁ ଭଜନ କରନ୍ତି |

ରଜସ୍ତମଃପ୍ରକୃତୟଃ ସମଶୀଲା ଭଜନ୍ତି ବୈ ।

ପିତୃଭୂତପ୍ରଜେଶାଦୀନ୍ ଶ୍ରିୟୈଶ୍ୱର୍ୟପ୍ରଜେପ୍ସବଃ ॥ ୨୭॥

କିନ୍ତୁ ଯେଉଁମାନଙ୍କର ସ୍ବଭାବ ରଜୋଗୁଣୀ ଅଥବା ତମୋଗୁଣୀ ଅଟେ, ସେମାନେ ଧନ, ଐଶ୍ବର୍ଯ୍ୟ ଏବଂ ସନ୍ତାନ କାମନାରେ ଭୂତ, ପ୍ରେତ ଏବ ପ୍ରଜାପତିମାନଙ୍କର ଉପାସନା କରିଥାଆନ୍ତି, କାରଣ ସେମାନଙ୍କର ସ୍ବଭାବ ସେହି ସବୁ ଭୂତ ଆଦିଙ୍କ ସହିତ ମେଳ ଖାଉଥାଏ |

ବାସୁଦେବପରା ବେଦା ବାସୁଦେବପରା ମଖାଃ ।

ବାସୁଦେବପରା ଯୋଗା ବାସୁଦେବପରାଃ କ୍ରିୟାଃ ॥ ୨୮॥

ବେଦର ତାତ୍ପର୍ଯ୍ୟ ଶ୍ରୀକୃଷ୍ଣ ହିଁ ଅଟନ୍ତି; ଯଜ୍ଞର ଉଦ୍ଦେଶ୍ୟ ଶ୍ରୀକୃଷ୍ଣ ହିଁ ଅଟନ୍ତି; ଯୋଗ ଶ୍ରୀକୃଷ୍ଣଙ୍କ ନିମିତ୍ତ ହିଁ କରାଯାଏ ଏବଂ ସମସ୍ତ କର୍ମର ପରିସମାପ୍ତି ଶ୍ରୀକୃଷ୍ଣଙ୍କଠାରେ ହିଁ ହୋଇଥାଏ |

ବାସୁଦେବପରଂ ଜ୍ଞାନଂ ବାସୁଦେବପରଂ ତପଃ ।

ବାସୁଦେବପରୋ ଧର୍ମୋ ବାସୁଦେବପରା ଗତିଃ ॥ ୨୯॥

ଜ୍ଞାନ ଦ୍ବାରା ବ୍ରହ୍ମସ୍ବରୂପ ଶ୍ରୀକୃଷ୍ଣଙ୍କର ହିଁ ପ୍ରାପ୍ତି ହୋଇଥାଏ | ତପସ୍ୟା ଶ୍ରୀକୃଷ୍ଣଙ୍କର ପ୍ରସନ୍ନତା ନିମନ୍ତେ ହିଁ କରାଯାଏ | ଧର୍ମର ଅନୁଷ୍ଠାନ ମଧ୍ୟ ଶ୍ରୀକୃଷ୍ଣଙ୍କ ନିମନ୍ତେ ହିଁ କରାଯାଇ ଥାଏ ଏବଂ ସମସ୍ତ ଗତି ଶ୍ରୀକୃଷ୍ଣଙ୍କ ଠାରେ ହିଁ ସମାହିତ ହୋଇଥାଏ |

ସ ଏବେଦଂ ସସର୍ଜାଗ୍ରେ ଭଗବାନାତ୍ମମାୟଯା ।

ସଦସଦ୍ରୂପୟା ଚାସୌ ଗୁଣମୟ୍ୟାଽଗୁଣେ ବିଭୁଃ ॥ ୩୦॥

ଯଦିଓ ଭଗବାନ ଶ୍ରୀକୃଷ୍ଣ ପ୍ରକୃତି ଏବଂ ତାହାର ଗୁଣମାନଙ୍କର ଅତୀତ ଅଟନ୍ତି, ତଥାପି ନିଜର ଗୁଣମୟୀ ମାୟା ବଳରେ - ବାସ୍ତବ ତତ୍ତ୍ବ ଦୃଷ୍ଟିରେ ନୁହେଁ, ପ୍ରପଞ୍ଚ ଦୃଷ୍ଟିରେ – ସେ ସୃଷ୍ଟିର ପ୍ରାରମ୍ଭରେ ସଂସାରର ରଚନା କରିଥାଆନ୍ତି |

ତୟା ବିଲସିତେଷ୍ୱେଷୁ ଗୁଣେଷୁ ଗୁଣବାନିବ ।

ଅନ୍ତଃପ୍ରବିଷ୍ଟ ଆଭାତି ବିଜ୍ଞାନେନ ବିଜୃମ୍ଭିତଃ ॥ ୩୧॥

ସତ୍ତ୍ବ, ରଜ, ତମ ତିନି ଗୁଣ ସେହି ମାୟାର ବିଳାସ ଅଟେ | ସେମାନଙ୍କ ଭିତରେ ରହି ଭଗବାନ ସେଥିରେ ଲିପ୍ତ ହେବା ପରି ପ୍ରତୀତ ହୁଅନ୍ତି, କିନ୍ତୁ ବାସ୍ତବରେ ସେ ତ ପରିପୂର୍ଣ୍ଣ ବିଜ୍ଞାନାନନ୍ଦଘନ ଅଟନ୍ତି |

ଯଥା ହ୍ୟବହିତୋ ବହ୍ନିର୍ଦାରୁଷ୍ୱେକଃ ସ୍ୱୟୋନିଷୁ ।

ନାନେବ ଭାତି ବିଶ୍ୱାତ୍ମା ଭୂତେଷୁ ଚ ତଥା ପୁମାନ୍ ॥ ୩୨॥

ଅଗ୍ନି ବସ୍ତୁତଃ ଏକ ହିଁ ଅଟେ, କିନ୍ତୁ ତାହା ଯେତେବେଳେ ଭିନ୍ନ ଭିନ୍ନ କାଷ୍ଠରେ ପ୍ରଜ୍ବଳିତ ହୋଇଥାଏ, ତାହା ଭିନ୍ନ ଭିନ୍ନ ପ୍ରତୀତ ହୁଏ | ସେହିପରି ସମସ୍ତଙ୍କର ଆତ୍ମରୂପ ଭଗବାନ ଏକ ଅଟନ୍ତି, କିନ୍ତୁ ପ୍ରାଣୀମାନଙ୍କର ଅନେକତା ଯୋଗୁଁ ସେ ଅନେକ ପ୍ରତୀତ ହୋଇଥାଆନ୍ତି |

ଅସୌ ଗୁଣମୟୈର୍ଭାବୈର୍ଭୂତସୂକ୍ଷ୍ମେନ୍ଦ୍ରିୟାତ୍ମଭିଃ ।

ସ୍ୱନିର୍ମିତେଷୁ ନିର୍ୱିଷ୍ଟୋ ଭୁଙ୍କ୍ତେ ଭୂତେଷୁ ତଦ୍ଗୁଣାନ୍ ॥ ୩୩॥

ଭଗବାନ ହିଁ ସୂକ୍ଷ୍ମ ଭୂତ – ତନ୍ମାତ୍ରା, ଇନ୍ଦ୍ରିୟ ତଥା ଅନ୍ତଃକରଣର ବିକାରଭୂତ ଭାବ ଅନୁସାରେ ନାନା ପ୍ରକାରର ଯୋନି ନିର୍ମାଣ କରିଥାଆନ୍ତି ଏବଂ ଜୀବ ରୂପରେ ସେମାନଙ୍କ ମଧ୍ୟରେ ପ୍ରବେଶ କରି ସେହି ସେହି ଯୋନି ଅନୁରୂପ ବିଷୟର ଉପଭୋଗ କରିବା ସହିତ ଉପଭୋଗ କରାଇ ଥାଆନ୍ତି |

ଭାବୟତ୍ୟେଷ ସତ୍ତ୍ୱେନ ଲୋକାନ୍ ବୈ ଲୋକଭାବନଃ ।

ଲୀଲାବତାରାନୁରତୋ ଦେବତିର୍ୟଙ୍ନରାଦିଷୁ ॥ ୩୪॥

ସେ ହିଁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ରଚନା କରନ୍ତି ଏବଂ ଦେବତା, ପଶୁ-ପକ୍ଷୀ, ମନୁଷ୍ୟ ଆଦି ଯୋନିମାନଙ୍କରେ ଅବତାର ଗ୍ରହଣ କରି ସତ୍ତ୍ବଗୁଣ ଦ୍ବାରା ଜୀବର ପାଳନ-ପୋଷଣ କରନ୍ତି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଦ୍ୱିତୀୟୋଽଧ୍ୟାୟଃ ॥ ୨॥




Comments

Popular posts from this blog