(ମହର୍ଷି ବେଦବ୍ୟାସ )
॥ ଓଁ ନମୋ ଭଗବତେ ବାସୁଦେବାୟ ॥
ଶ୍ରୀମଦ୍ ଭାଗବତ ମହାପୁରାଣ
ପ୍ରଥମ ସ୍କନ୍ଧ
ଚତୁର୍ଥ ଅଧ୍ୟାୟ
ମହର୍ଷି ବ୍ୟାସଦେବଙ୍କର ଅସନ୍ତୋଷ
ବ୍ୟାସ ଉବାଚ
ଇତି ବ୍ରୁବାଣଂ ସଂସ୍ତୂୟ ମୁନୀନାଂ ଦୀର୍ଘସତ୍ରିଣାମ୍ ।
ବୃଦ୍ଧଃ କୁଲପତିଃ ସୂତଂ ବହ୍ୱୃଚଃ ଶୌନକୋଽବ୍ରବୀତ୍ ॥ ୧॥
ବେଦବ୍ୟାସ କହୁଛନ୍ତି - ସେହି
ଦୀର୍ଘକାଳୀନ ସତ୍ରରେ ସମ୍ମିଳିତ ମୁନିଜନଙ୍କ ମଧ୍ୟରୁ ବିଦ୍ୟାବୟୋବୃଦ୍ଧ କୁଳପତି ଋଗବେଦୀ ଶୌନକ
ମୁନି ସୂତ ମହାଶୟଙ୍କର କଥା ଶୁଣି ତାଙ୍କର ପ୍ରଶଂସା କରି କହିଲେ |
ଶୌନକ ଉବାଚ
ସୂତ ସୂତ ମହାଭାଗ ବଦ ନୋ ବଦତାଂ ବର ।
କଥାଂ ଭାଗବତୀଂ ପୁଣ୍ୟାଂ ଯଦାହ ଭଗବାଞ୍ଛୁକଃ ॥ ୨॥
ଶୌନକ କହିଲେ - ହେ ସୂତ ମହାଶୟ !
ଆପଣ ବକ୍ତାମାନଙ୍କ ମଧ୍ୟରେ ଶ୍ରେଷ୍ଠ ତଥା ପରମ ଭାଗ୍ୟଶାଳୀ ଅଟନ୍ତି | ଭଗବାନ ଶୁକଦେବ ଯେଉଁ କଥା
କହିଥିଲେ, ଭଗବାନଙ୍କର ସେହି
ପୁଣ୍ୟମୟୀ କଥା ଆପଣ କୃପା କରି ଆମ୍ଭମାନଙ୍କୁ ଶୁଣାନ୍ତୁ |
କସ୍ମିନ୍ ଯୁଗେ ପ୍ରବୃତ୍ତେୟଂ ସ୍ଥାନେ ବା କେନ ହେତୁନା ।
କୁତଃ ସଞ୍ଚୋଦିତଃ କୃଷ୍ଣଃ କୃତବାନ୍ ସଂହିତାଂ ମୁନିଃ ॥ ୩॥
ସେହି କଥା କେଉଁ ଯୁଗରେ,
କେଉଁ ସ୍ଥାନରେ, ଏବଂ କେଉଁ କାରଣରୁ ହୋଇଥିଲା ? ମୁନିବର ଶ୍ରୀକୃଷ୍ଣଦ୍ବୈପାୟନ (ବେଦବ୍ୟାସ)
କାହାଠାରୁ ପ୍ରେରଣା ଲାଭ କରି ଏହି ପରମହଂସ ସଂହିତା ରଚନା କରିଥିଲେ ?
ତସ୍ୟ ପୁତ୍ରୋ ମହାୟୋଗୀ ସମଦୃଙ୍ନିର୍ୱିକଲ୍ପକଃ ।
ଏକାନ୍ତମତିରୁନ୍ନିଦ୍ରୋ ଗୂଢୋ ମୂଢ ଇବେୟତେ ॥ ୪॥
ତାଙ୍କର ପୁତ୍ର ଶୁକଦେବ ପରମ ଯୋଗୀ, ସମଦର୍ଶୀ, ଭେଦଭାବରହିତ, ସଂସାରନିଦ୍ରାରୁ ସଦା ଜାଗ୍ରତ ଏବଂ ନିରନ୍ତର ପରମାତ୍ମାଙ୍କଠାରେ
ସ୍ଥିର ରହିଥାଆନ୍ତି | ସଂସାରଠାରୁ ଅଦୃଷ୍ଟ ରହିଥିବା କାରଣରୁ ସେ ମୂଢବତ୍ ପ୍ରତୀତ ହୁଅନ୍ତି |
ଦୃଷ୍ଟ୍ୱାନୁୟାନ୍ତମୃଷିମାତ୍ମଜମପ୍ୟନଗ୍ନଂ
ଦେବ୍ୟୋ ହ୍ରିୟା ପରିଦଧୁର୍ନ ସୁତସ୍ୟ ଚିତ୍ରମ୍ ।
ତଦ୍ୱୀକ୍ଷ୍ୟ ପୃଚ୍ଛତି ମୁନୌ ଜଗଦୁସ୍ତବାସ୍ତି
ସ୍ତ୍ରୀପୁମ୍ଭିଦା ନ ତୁ ସୁତସ୍ୟ ବିବିକ୍ତଦୃଷ୍ଟେଃ ॥ ୫॥
ସନ୍ୟାସ ଅଭିପ୍ରାୟରେ ବଣକୁ ଯାଉଥିବା ପୁତ୍ରର ପଶ୍ଚାତଗମନ କରୁଥିବା ସମୟରେ ବେଦବ୍ୟାସଙ୍କର ଦୃଷ୍ଟି ସରୋବରରେ ନଗ୍ନ ସ୍ନାନ କରୁଥିବା ରମଣୀମାନଙ୍କ ଉପରେ ପଡିଲା | ଶୁକଦେବଙ୍କୁ ଦେଖି ସେମାନେ କୌଣସି ପ୍ରତିକ୍ରିୟା ଦେଖାଇଲେ ନାହିଁ, ଅଥଚ ବେଦବ୍ୟାସଙ୍କୁ ଦେଖି ଲଜ୍ୟାରେ ସେମାନେ ଅତି ଶୀଘ୍ର ବସ୍ତ୍ର ପରିଧାନ କରିନେଲେ | ସେମାନଙ୍କର ଆଚରଣରେ ଏପରି ଭେଦଭାବକୁ ଦେଖି ବେଦବ୍ୟାସ ଯେତେବେଳେ ତାହାର କାରଣ ଜିଜ୍ଞାସା କଲେ, ସ୍ତ୍ରୀମାନେ ଉତ୍ତର ଦେବାକୁ ଯାଇ କହିଲେ, ‘ଆପଣଙ୍କ ଦୃଷ୍ଟିରେ ଏବେ ବି ସ୍ତ୍ରୀ-ପୁରୁଷର ଭେଦ ରହିଛି, କିନ୍ତୁ ଆପଣଙ୍କର ପୁତ୍ର ଶୁକଦେବଙ୍କର ଶୁଦ୍ଧ ଦୃଷ୍ଟିରେ ସେହି ଭେଦ ନାହିଁ |’
କଥମାଲକ୍ଷିତଃ ପୌରୈଃ ସମ୍ପ୍ରାପ୍ତଃ କୁରୁଜାଙ୍ଗଲାନ୍ ।
ଉନ୍ମତ୍ତମୂକଜଡବଦ୍ୱିଚରନ୍ ଗଜସାହ୍ୱୟେ ॥ ୬॥
କୁରୁଜାଙ୍ଗଳ ଦେଶରେ ପହଞ୍ଚି ହସ୍ତୀନାପୁରରେ ସେ ପାଗଳ, ଘୂଙ୍ଗା ଏବଂ ଜଡବତ୍ ବିଚରଣ କରୁଥିବେ | ନଗରବାସୀମାନେ ତାଙ୍କୁ
ଚିହ୍ନିଲେ କିପରି ?
କଥଂ ବା ପାଣ୍ଡବେୟସ୍ୟ ରାଜର୍ଷେର୍ମୁନିନା ସହ ।
ସମ୍ବାଦଃ ସମଭୂତ୍ତାତ ଯତ୍ରୈଷା ସାତ୍ୱତୀ ଶ୍ରୁତିଃ ॥ ୭॥
ପାଣ୍ଡବନନ୍ଦନ ରାଜର୍ଷି ପରୀକ୍ଷିତ ଏବଂ ଏହି ମୌନୀ ଶୁକଦେବଙ୍କ
ମଧ୍ୟରେ ସମ୍ବାଦ ବିନିମୟ କିପରି ହେଲା ଯହିଁରେ ଏହି ଭାଗବତସଂହିତା କଥା କୁହାଯାଇ ଥିଲା ?
ସ ଗୋଦୋହନମାତ୍ରଂ ହି ଗୃହେଷୁ ଗୃହମେଧିନାମ୍ ।
ଅବେକ୍ଷତେ ମହାଭାଗସ୍ତୀର୍ଥୀକୁର୍ୱଂସ୍ତଦାଶ୍ରମମ୍ ॥ ୮॥
ମହାଭାଗ ଶୁକଦେବ ତ ଗୃହସ୍ଥୀମାନଙ୍କର ନିବାସକୁ ତୀର୍ଥସ୍ବରୂପ
କରିଦେବା ନିମନ୍ତେ ସେମାନଙ୍କର ଦ୍ବାରଦେଶରେ ମାତ୍ର ଗୋଦୋହନ ସମୟ ଯାଏଁ ଅପେକ୍ଷା କରିଥାଆନ୍ତି |
ଅଭିମନ୍ୟୁସୁତଂ ସୂତ ପ୍ରାହୁର୍ଭାଗବତୋତ୍ତମମ୍ ।
ତସ୍ୟ ଜନ୍ମ ମହାଶ୍ଚର୍ୟଂ କର୍ମାଣି ଚ ଗୃଣୀହି ନଃ ॥ ୯॥
ହେ ସୂତ ଜୀ ! ଆମ୍ଭେମାନେ ଶୁଣିଛୁ ଅଭିମନ୍ୟୁନନ୍ଦନ ପରୀକ୍ଷିତ
ଭଗବାନଙ୍କର ଜଣେ ବହୁତ ବଡ ପ୍ରେମୀ ଭକ୍ତ ଥିଲେ | ଆପଣ ତାଙ୍କର ଅତ୍ୟନ୍ତ ଆଶ୍ଚର୍ଯ୍ୟମୟ ଜନ୍ମ
ଏବଂ କର୍ମର ମଧ୍ୟ ବର୍ଣ୍ଣନା କରନ୍ତୁ |
ସ ସମ୍ରାଟ୍ କସ୍ୟ ବା ହେତୋଃ ପାଣ୍ଡୂନାଂ ମାନବର୍ଧନଃ ।
ପ୍ରାୟୋପବିଷ୍ଟୋ ଗଙ୍ଗାୟାମନାଦୃତ୍ୟାଧିରାଟ୍ ଶ୍ରିୟମ୍ ॥ ୧୦॥
ସେ ତ ପାଣ୍ଡବବଂଶର ଯଶବର୍ଦ୍ଧନକାରୀ ସମ୍ରାଟ ଥିଲେ | କେଉଁ କାରଣରୁ
ସେ ସାମ୍ରାଜ୍ୟଲକ୍ଷ୍ମୀକୁ ପରିତ୍ୟାଗ କରି ଗଙ୍ଗାତଟରେ ମୃତ୍ୟୁପର୍ଯ୍ୟନ୍ତ ଅନଶନ ବ୍ରତ ଧାରଣ କରି
ଉପବେଶନ କରିଥିଲେ ?
ନମନ୍ତି ଯତ୍ପାଦନିକେତମାତ୍ମନଃ
ଶିବାୟ ହାନୀୟ ଧନାନି ଶତ୍ରବଃ ।
କଥଂ ସ ବୀରଃ ଶ୍ରିୟମଙ୍ଗ ଦୁସ୍ତ୍ୟଜାଂ
ଯୁବୈଷତୋତ୍ସ୍ରଷ୍ଟୁମହୋ ସହାସୁଭିଃ ॥ ୧୧॥
ଶତ୍ରୁଗଣ ନିଜ ଲାଭ ଆଶାରେ ପ୍ରଚୁର ଧନ ଅର୍ପଣ କରି ତାଙ୍କର ଚରଣ-ସ୍ଥାପିତ
ଆସନକୁ ପ୍ରଣାମ କରୁଥିଲେ | ସେ ଜଣେ ବୀର ଯୁବକ ଥିଲେ | ସେ ଭଲା ନିଜ ପ୍ରାଣ ସହିତ ଏହି
ଦୁସ୍ତଜ୍ୟ ଲକ୍ଷ୍ମୀକୁ ତ୍ୟାଗ କରିବାର ଇଚ୍ଛା ପୋଷଣ କଲେ କାହିଁକି ?
ଶିବାୟ ଲୋକସ୍ୟ ଭବାୟ ଭୂତୟେ
ଯ ଉତ୍ତମଶ୍ଲୋକପରାୟଣା ଜନାଃ ।
ଜୀବନ୍ତି ନାତ୍ମାର୍ଥମସୌ ପରାଶ୍ରୟଂ
ମୁମୋଚ ନିର୍ୱିଦ୍ୟ କୁତଃ କଲେବରମ୍ ॥ ୧୨॥
ଯେଉଁମାନଙ୍କର ଜୀବନ ଭଗବଦ୍-ଆଶ୍ରିତ ଅଟେ, ସେମାନେ ତ ସଂସାରର ପରମ କଲ୍ୟାଣ, ଅଭ୍ୟୁଦୟ
ଏବଂ ସମୃଦ୍ଧି ନିମନ୍ତେ ଜୀବନ ଧାରଣ କରିଥାଆନ୍ତି | ସେମାନଙ୍କର ନିଜର କୌଣସି ସ୍ବାର୍ଥ ନ ଥାଏ |
ତାଙ୍କର ଯେଉଁ ଶରୀର ଅନ୍ୟମାନଙ୍କର ହିତ ଉଦ୍ଦେଶ୍ୟରେ ସମର୍ପିତ, ତାହାକୁ ତ୍ୟାଗ କରିବାକୁ ସେ ଇଚ୍ଛା କଲେ କାହିଁକି ?
ତତ୍ସର୍ୱଂ ନଃ ସମାଚକ୍ଷ୍ୱ ପୃଷ୍ଟୋ ଯଦିହ କିଞ୍ଚନ ।
ମନ୍ୟେ ତ୍ୱାଂ ବିଷୟେ ବାଚାଂ ସ୍ନାତମନ୍ୟତ୍ର ଛାନ୍ଦସାତ୍ ॥ ୧୩॥
ବେଦବାଣୀ ତଥା ଅନ୍ୟ ସମସ୍ତ ଶାସ୍ତ୍ରର ଆପଣ ପାରଦର୍ଶୀ ବିଦ୍ବାନ
ଅଟନ୍ତି | ତେଣୁ ବର୍ତ୍ତମାନ ଆମେ ଆପଣଙ୍କଠାରୁ ଯାହା ସବୁ ଜାଣିବାକୁ ଇଚ୍ଛା କଲୁ, ଆପଣ କୃପା କରି ଆମକୁ ତାହା କହନ୍ତୁ |
ସୂତ ଉବାଚ
ଦ୍ୱାପରେ ସମନୁପ୍ରାପ୍ତେ ତୃତୀୟେ ଯୁଗପର୍ୟଯେ ।
ଜାତଃ ପରାଶରାଦ୍ୟୋଗୀ ବାସବ୍ୟାଂ କଲୟା ହରେଃ ॥ ୧୪॥
ସୂତ ମୁନି କହିଲେ - ଏହି
ଚତୁର୍ଯୁଗ ଅନ୍ତର୍ଗତ ତୃତୀୟ ଯୁଗ ଦ୍ବାପରରେ ମହର୍ଷି ପରାଶରଙ୍କ ଦ୍ବାରା ବସୁ-କନ୍ୟା
ସତ୍ୟବତୀଙ୍କ ଗର୍ଭରୁ ଭଗବାନଙ୍କର କଳାବତାର ଯୋଗୀରାଜ ବେଦବ୍ୟାସ ଜନ୍ମ ଗ୍ରହଣ କଲେ |
ସ କଦାଚିତ୍ସରସ୍ୱତ୍ୟା ଉପସ୍ପୃଶ୍ୟ ଜଲଂ ଶୁଚିଃ ।
ବିବିକ୍ତଦେଶ ଆସୀନ ଉଦିତେ ରବିମଣ୍ଡଲେ ॥ ୧୫॥
ଦିନେ ସେ ସୂର୍ଯ୍ୟୋଦୟ ସମୟରେ ସରସ୍ବତୀର ପବିତ୍ର ଜଳରେ ସ୍ନାନାଦି
ସମାପନ କରି ଏକାନ୍ତ ପବିତ୍ର ସ୍ଥାନରେ ବସିଥିଲେ |
ପରାବରଜ୍ଞଃ ସ ଋଷିଃ କାଲେନାବ୍ୟକ୍ତରଂହସା ।
ଯୁଗଧର୍ମବ୍ୟତିକରଂ ପ୍ରାପ୍ତଂ ଭୁବି ଯୁଗେ ଯୁଗେ ॥ ୧୬॥
ଭୌତିକାନାଂ ଚ ଭାବାନାଂ ଶକ୍ତିହ୍ରାସଂ ଚ ତତ୍କୃତମ୍ ।
ଅଶ୍ରଦ୍ଦଧାନାନ୍ ନିଃସତ୍ତ୍ୱାନ୍ ଦୁର୍ମେଧାନ୍ ହ୍ରସିତାୟୁଷଃ ॥ ୧୭॥
ଦୁର୍ଭଗାଂଶ୍ଚ ଜନାନ୍ ବୀକ୍ଷ୍ୟ ମୁନିର୍ଦିବ୍ୟେନ ଚକ୍ଷୁଷା ।
ସର୍ୱବର୍ଣାଶ୍ରମାଣାଂ ଯଦ୍ଦଧ୍ୟୌ ହିତମମୋଘଦୃକ୍ ॥ ୧୮॥
ମହର୍ଷି ଭୂତ ଓ ଭବିଷ୍ୟତର ଜ୍ଞାତା ଥିଲେ | ତାଙ୍କର ଦୃଷ୍ଟି ଅଚୂକ ଥିଲା | ସେ ଦେଖିଲେ ଯେ ଲୋକେ ଯାହାକୁ ଜାଣିପାରନ୍ତି ନାହିଁ, ସେହି ସମୟର ଆବର୍ତ୍ତନରେ ପ୍ରତ୍ୟେକ ଯୁଗରେ ଧର୍ମସଙ୍କରତା ଏବଂ ତାହାର ପ୍ରଭାବରେ ଭୌତିକ ବସ୍ତୁମାନଙ୍କର ଶକ୍ତି ହ୍ରାସ ପାଇବାରେ ଲାଗିଥାଏ | ସଂସାରୀ ବ୍ୟକ୍ତି ଶ୍ରଦ୍ଧାହୀନ ଏବଂ ଶକ୍ତିରହିତ ହୋଇଯାଆନ୍ତି | ସେମାନଙ୍କର ବୁଦ୍ଧି କର୍ତ୍ତବ୍ୟର ଯଥାର୍ଥ ନିର୍ଣ୍ଣୟ କରିପାରେ ନାହିଁ ଏବଂ ସେମାନଙ୍କର ଆୟୁ ମଧ୍ୟ କମ୍ ହୋଇଯାଏ | ଲୋକଙ୍କର ଏହି ଭାଗ୍ୟହୀନତାକୁ ଦେଖି ସେହି ମୁନୀଶ୍ବର ନିଜ ଦିବ୍ୟଦୃଷ୍ଟିରେ ସମସ୍ତ ବର୍ଣ୍ଣ ଏବଂ ଆଶ୍ରମର ହିତ ସାଧନ ନିମନ୍ତେ ବିଚାର କଲେ |
ଚାତୁର୍ହୋତ୍ରଂ କର୍ମ ଶୁଦ୍ଧଂ ପ୍ରଜାନାଂ ବୀକ୍ଷ୍ୟ ବୈଦିକମ୍ ।
ବ୍ୟଦଧାଦ୍ୟଜ୍ଞସନ୍ତତ୍ୟୈ ବେଦମେକଂ ଚତୁର୍ୱିଧମ୍ ॥ ୧୯॥
ସେ ବିଚାର କଲେ ଯେ ବେଦୋକ୍ତ ଚାତୁର୍ହୋତ୍ର କର୍ମ ବ୍ୟକ୍ତିର ହୃଦୟ
ଶୁଦ୍ଧକାରୀ ଅଟେ | ସେହି ଦୃଷ୍ଟିରୁ ଯଜ୍ଞର ବିସ୍ତାର କରିବା ଉଦ୍ଦେଶ୍ୟରେ ସେ ବେଦକୁ ଚାରି
ଭାଗରେ ବିଭକ୍ତ କଲେ |
ଋଗ୍ୟଜୁଃସାମାଥର୍ୱାଖ୍ୟା ବେଦାଶ୍ଚତ୍ୱାର ଉଦ୍ଧୃତାଃ ।
ଇତିହାସପୁରାଣଂ ଚ ପଞ୍ଚମୋ ବେଦ ଉଚ୍ୟତେ ॥ ୨୦॥
ବେଦବ୍ୟାସଙ୍କ ଦ୍ବାରା ବେଦର ପୃଥକୀକରଣ ଋକ୍, ଯଜୁଃ, ସାମ, ଅଥର୍ବ – ଏହିପରି ଚାରି ଭାଗରେ କରାଗଲା | ଇତିହାସ ଏବଂ ପୁରାଣକୁ
ପଞ୍ଚମ ବେଦ କୁହାଯାଏ |
ତତ୍ରର୍ଗ୍ୱେଦଧରଃ ପୈଲଃ ସାମଗୋ ଜୈମିନିଃ କବିଃ ।
ବୈଶମ୍ପାୟନ ଏବୈକୋ ନିଷ୍ଣାତୋ ଯଜୁଷାମୁତ ॥ ୨୧॥
ଋଗବେଦର ଧାରକ ପୈଲ, ସାମବେଦର ବିଦ୍ବାନ୍ ଜେମିନି ଏବଂ ଯଜୁର୍ବେଦର
ସ୍ନାତକ ବୈଶମ୍ପାୟନ ଅଟନ୍ତି |
ଅଥର୍ୱାଙ୍ଗିରସାମାସୀତ୍ସୁମନ୍ତୁର୍ଦାରୁଣୋ ମୁନିଃ ।
ଇତିହାସପୁରାଣାନାଂ ପିତା ମେ ରୋମହର୍ଷଣଃ ॥ ୨୨॥
ଅଥର୍ବ ବେଦର ପ୍ରବୀଣ ଥିଲେ ଦରୁଣନନ୍ଦନ ସୁମନ୍ତୁ ମୁନି | ଇତିହାସ
ଏବଂ ପୁରାଣର ସ୍ନାତକ ମୋର ପିତା ରୋମହର୍ଷଣ ଥିଲେ |
ତ ଏତ ଋଷୟୋ ବେଦଂ ସ୍ୱଂ ସ୍ୱଂ ବ୍ୟସ୍ୟନ୍ନନେକଧା ।
ଶିଷ୍ୟୈଃ ପ୍ରଶିଷ୍ୟୈସ୍ତଚ୍ଛିଷ୍ୟୈର୍ୱେଦାସ୍ତେ ଶାଖିନୋଽଭବନ୍ ॥ ୨୩॥
ପୂର୍ବୋକ୍ତ ଏହି ଋଷିମାନେ ନିଜ ନିଜ ଶାସ୍ତର ଆହୁରି ମଧ୍ୟ ଅନେକ
ବିଭାଜନ କରିଦେଲେ | ଏହିପରି ଭାବରେ ଶିଷ୍ୟ, ପ୍ରଶିଷ୍ୟ ଏବଂ
ସେମାନଙ୍କର ଶିଷ୍ୟମାନଙ୍କ ଦ୍ବାରା ବେଦର ଅନେକ ଶାଖା ସୃଷ୍ଟି ହେଲା |
ତ ଏବ ବେଦା ଦୁର୍ମେଧୈର୍ଧାର୍ୟନ୍ତେ ପୁରୁଷୈର୍ୟଥା ।
ଏବଂ ଚକାର ଭଗବାନ୍ ବ୍ୟାସଃ କୃପଣବତ୍ସଲଃ ॥ ୨୪॥
ଅଳ୍ପବୁଦ୍ଧିସମ୍ପନ୍ନ ବ୍ୟକ୍ତିମାନଙ୍କ ପ୍ରତି କୃପା କରି ଭଗବାନ
ବେଦବ୍ୟାସ ଏହିପରି ବିଭାଜନ କରିଥିଲେ ଯଦ୍ବାରା ଯେଉଁମାନଙ୍କର ସ୍ମରଣଶକ୍ତି ସ୍ବଳ୍ପ ଅଟେ, ସେମାନେ ମଧ୍ୟ ବେଦକୁ ଧାରଣ କରିପାରିବେ |
ସ୍ତ୍ରୀଶୂଦ୍ରଦ୍ୱିଜବନ୍ଧୂନାଂ ତ୍ରୟୀ ନ ଶ୍ରୁତିଗୋଚରା ।
କର୍ମଶ୍ରେୟସି ମୂଢାନାଂ ଶ୍ରେୟ ଏବଂ ଭବେଦିହ ।
ଇତି ଭାରତମାଖ୍ୟାନଂ କୃପୟା ମୁନିନା କୃତମ୍ ॥ ୨୫॥
ସ୍ତ୍ରୀ, ଶୂଦ୍ର ଏବଂ ପତିତ
ଦ୍ବିଜାତି – ତିନିହେଁ ବେଦ ଶ୍ରବଣର ଅଧିକାରୀ ନୁହଁନ୍ତି | ସେଥିପାଇଁ ସେମାନେ କଲ୍ୟାଣକାରୀ
ଶାସ୍ତ୍ରୋକ୍ତ କର୍ମ ଆଚରଣରେ ଭୁଲ୍ କରିଥାଆନ୍ତି | ସେମାନଙ୍କର ମଧ୍ୟ କଲ୍ୟାଣ ହୋଇପାରିବ, ଏହା ଚିନ୍ତା କରି ମହାମୁନି ବେଦବ୍ୟାସ କୃପାବଶତଃ ମହାଭାରତ ଇତିହାସ
ରଚନା କରିଥିଲେ |
ଏବଂ ପ୍ରବୃତ୍ତସ୍ୟ ସଦା ଭୂତାନାଂ ଶ୍ରେୟସି ଦ୍ୱିଜାଃ ।
ସର୍ୱାତ୍ମକେନାପି ଯଦା ନାତୁଷ୍ୟଦ୍ଧୃଦୟଂ ତତଃ ॥ ୨୬॥
ହେ ଶୌନକାଦି ଋଷିଗଣ ! ଯଦିଓ ଏହିପରି ଭାବରେ ନିଜର ପୂର୍ଣ୍ଣ ଶକ୍ତି
ବିନିଯୋଗ କରି ବେଦବ୍ୟାସ ସଦା-ସର୍ବଦା ଜୀବକଲ୍ୟାଣ କରିବାରେ ଲାଗି ରହିଥିଲେ, ତଥାପି ହୃଦୟରେ ସେ ସନ୍ତୋଷ ଅନୁଭବ କରୁ ନ ଥିଲେ |
ନାତିପ୍ରସୀଦଦ୍ଧୃଦୟଃ ସରସ୍ୱତ୍ୟାସ୍ତଟେ ଶୁଚୌ ।
ବିତର୍କୟନ୍ ବିବିକ୍ତସ୍ଥ ଇଦଂ ଚୋବାଚ ଧର୍ମବିତ୍ ॥ ୨୭॥
ତାଙ୍କର ମନ ବିଷାଦଗ୍ରସ୍ତ ରହୁଥିଲା | ସରସ୍ବତୀ ନଦୀର ପବିତ୍ର
ତଟଦେଶରେ ଏକାନ୍ତରେ ବସି ଧର୍ମବେତ୍ତା ବେଦବ୍ୟାସ ମନେ ମନେ ବିଚାର କରି ଏହିପରି କହିବାରେ
ଲାଗିଲେ -
ଧୃତବ୍ରତେନ ହି ମୟା ଛନ୍ଦାଂସି ଗୁରବୋଽଗ୍ନୟଃ ।
ମାନିତା ନିର୍ୱ୍ୟଲୀକେନ ଗୃହୀତଂ ଚାନୁଶାସନମ୍ ॥ ୨୮॥
ମୁଁ ନିଷ୍କପଟ ଭାବରେ ବ୍ରହ୍ମଚର୍ଯ୍ୟାଦି ବ୍ରତ ପାଳନ କରି ବେଦ, ଗୁରୁଜନ ଏବଂ ଅଗ୍ନିର ସମ୍ମାନ କଲି ଏବଂ ସେମାନଙ୍କର ଆଜ୍ଞା ପାଳନ
କଲି |
ଭାରତବ୍ୟପଦେଶେନ ହ୍ୟାମ୍ନାୟାର୍ଥଶ୍ଚ ଦର୍ଶିତଃ ।
ଦୃଶ୍ୟତେ ଯତ୍ର ଧର୍ମାଦି ସ୍ତ୍ରୀଶୂଦ୍ରାଦିଭିରପ୍ୟୁତ ॥ ୨୯॥
ମହାଭାରତ ରଚନା କରି ମୁଁ ବେଦର ଅର୍ଥକୁ ସରଳ କରିଦେଲି ଯଦ୍ବାରା
ସ୍ତ୍ରୀ, ଶୂଦ୍ର ଆଦି ମଧ୍ୟ
ନିଜ ନିଜ ଧର୍ମ-କର୍ମର ଜ୍ଞାନ ପ୍ରାପ୍ତ କରିପାରିବେ |
ତଥାପି ବତ ମେ ଦୈହ୍ୟୋ ହ୍ୟାତ୍ମା ଚୈବାତ୍ମନା ବିଭୁଃ ।
ଅସମ୍ପନ୍ନ ଇବାଭାତି ବ୍ରହ୍ମବର୍ଚସ୍ୟସତ୍ତମଃ ॥ ୩୦॥
ଯଦିଓ ମୁଁ ବ୍ରହ୍ମତେଜରେ ସମ୍ପନ୍ନ ଏବଂ ସମର୍ଥ ଅଟେ, ତଥାପି ହୃଦୟରେ
ମୁଁ କିଂଚିତ୍ ଅସନ୍ତୋଷ ଅନୁଭବ କରୁଛି |
କିଂ ବା ଭାଗବତା ଧର୍ମା ନ ପ୍ରାୟେଣ ନିରୂପିତାଃ ।
ପ୍ରିୟାଃ ପରମହଂସାନାଂ ତ ଏବ ହ୍ୟଚ୍ୟୁତପ୍ରିୟାଃ ॥ ୩୧॥
ଏପର୍ଯ୍ୟନ୍ତ ଅବଶ୍ୟ ମୁଁ ଭଗବାନଙ୍କୁ ପ୍ରାପ୍ତ କରିବା ଧର୍ମର ନିରୂପଣ
ପ୍ରାୟତଃ କରିନାହିଁ, ଯାହା
ପରମହଂସମାନଙ୍କୁ ପ୍ରିୟ ଅଟେ ଏବଂ ଭଗବାନଙ୍କୁ ମଧ୍ୟ ପ୍ରିୟ ଅଟେ |
ତସ୍ୟୈବଂ ଖିଲମାତ୍ମାନଂ ମନ୍ୟମାନସ୍ୟ ଖିଦ୍ୟତଃ ।
କୃଷ୍ଣସ୍ୟ ନାରଦୋଽଭ୍ୟାଗାଦାଶ୍ରମଂ ପ୍ରାଗୁଦାହୃତମ୍ ॥ ୩୨॥
ଏହିପରି ଭାବରେ ଶ୍ରୀକୃଷ୍ଣ ଦ୍ବୈପାୟନ ବ୍ୟାସ ନିଜକୁ ଅପୂର୍ଣ୍ଣ ମନେ
କରି ବିଷାଦଗ୍ରସ୍ତ ରହିଥିବା ବେଳେ ଦେବର୍ଷି ନାରଦ ସେଠାରେ ଆସି ପହଞ୍ଚିଲେ |
ତମଭିଜ୍ଞାୟ ସହସା ପ୍ରତ୍ୟୁତ୍ଥାୟାଗତଂ ମୁନିଃ ।
ପୂଜୟାମାସ ବିଧିବନ୍ନାରଦଂ ସୁରପୂଜିତମ୍ ॥ ୩୩॥
ତାଙ୍କର ଆଗମନ ଦେଖି ବେଦବ୍ୟାସ ଅତି ଶୀଘ୍ର ଦଣ୍ଡାୟମାନ ହୋଇ
ଦେବତାମାନଙ୍କ ଦ୍ବାରା ସମ୍ମାନିତ ଦେବର୍ଷି ନାରଦଙ୍କର ବିଧିପୂର୍ବକ ପୂଜା-ଅର୍ଚ୍ଚନା କଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଚତୁର୍ଥୋଽଧ୍ୟାୟଃ ॥ ୪॥

Comments
Post a Comment