॥
ଓଁ ନମୋ ଭଗବତେ
ବାସୁଦେବାୟ ॥
ଶ୍ରୀମଦ୍ ଭାଗବତ ମହାପୁରାଣ
ପ୍ରଥମ ସ୍କନ୍ଧ
ଏକାଦଶ ଅଧ୍ୟାୟ
ଦ୍ବାରିକାରେ ଶ୍ରୀକୃଷ୍ଣଙ୍କର ରାଜୋଚିତ ସମ୍ମାନ
ସୂତ ଉବାଚ
ଆନର୍ତାନ୍ ସ ଉପବ୍ରଜ୍ୟ ସ୍ୱୃଦ୍ଧାଞ୍ଜନପଦାନ୍ ସ୍ୱକାନ୍ ।
ଦଧ୍ମୌ ଦରବରଂ ତେଷାଂ ବିଷାଦଂ ଶମୟନ୍ନିବ ॥ ୧॥
ସୂତ ମୁନି କହୁଛନ୍ତି – ନିଜ ସମୃଦ୍ଧଶାଳୀ ଆନର୍ତ୍ତ ଦେଶରେ ପହଞ୍ଚିବା
ପରେ ଶ୍ରୀକୃଷ୍ଣ ସେଠାର ବାସିନ୍ଦାମାନଙ୍କର ବିରହ-ବେଦନାକୁ ଶାନ୍ତ କରି ନିଜର ଶ୍ରେଷ୍ଠ
ପାଞ୍ଚଜନ୍ୟ ଶଂଖ ବଜାଇଲେ |
ସ ଉଚ୍ଚକାଶେ ଧବଲୋଦରୋ ଦରୋ-
ଽପ୍ୟୁରୁକ୍ରମସ୍ୟାଧରଶୋଣଶୋଣିମା ।
ଦାଧ୍ମାୟମାନଃ କରକଞ୍ଜସମ୍ପୁଟେ
ଯଥାବ୍ଜଖଣ୍ଡେ କଲହଂସ ଉତ୍ସ୍ୱନଃ ॥ ୨॥
ତାଙ୍କ ରକ୍ତିମ ଅଧର ସ୍ପର୍ଶରେ ରକ୍ତବର୍ଣ୍ଣ ଧାରଣ କରିଥିବା ସେହି
ଶ୍ବେତବର୍ଣ୍ଣର ଶଂଖ ବାଜୁଥିବା ସମୟରେ ତାହା ତାଙ୍କ କର-କମଳରେ ଏପରି ଶୋଭା ପାଉଥିଲା ସତେ ଯେପରି
ରକ୍ତ କମଳ ଉପରେ ବସି କୌଣସି ରାଜହଂସ ଉଚ୍ଚ ସ୍ବରରେ ମଧୁର ଗାନ କରୁଛି |
ତମୁପଶ୍ରୁତ୍ୟ ନିନଦଂ ଜଗଦ୍ଭୟଭୟାବହମ୍ ।
ପ୍ରତ୍ୟୁଦ୍ୟଯୁଃ ପ୍ରଜାଃ ସର୍ୱା ଭର୍ତୃଦର୍ଶନଲାଲସାଃ ॥ ୩॥
ଭଗବାନଙ୍କର ସେହି ଶଂଖ ଧ୍ବନି ସଂସାରର ଭୟକୁ ଭୟଭୀତ କରିବାକୁ ସମର୍ଥ
ଅଟେ | ତାହା ଶୁଣି ସମସ୍ତ ପ୍ରଜାବର୍ଗ ନିଜ ସ୍ବାମୀ ଶ୍ରୀକୃଷ୍ଣଙ୍କ ଦର୍ଶନ ଲାଳସାରେ ନଗର
ବାହାରେ ଏକତ୍ରିତ ହୋଇଗଲେ |
ତତ୍ରୋପନୀତବଲୟୋ ରବେର୍ଦୀପମିବାଦୃତାଃ ।
ଆତ୍ମାରାମଂ ପୂର୍ଣକାମଂ ନିଜଲାଭେନ ନିତ୍ୟଦା ॥ ୪॥
ଭଗବାନ ଶ୍ରୀକୃଷ୍ଣ ଆତ୍ମାରାମ ଅଟନ୍ତି | ଆତ୍ମାରେ ରମଣ କରି ସେ
ସଦା-ସର୍ବଦା ପୂର୍ଣ୍ଣକାମ ରହିଥାଆନ୍ତି | କିନ୍ତୁ ଲୋକେ ଅତି ଆଦରରେ ସୂର୍ଯ୍ୟଙ୍କୁ ଦୀପଦାନ
କରିବା ପରି, ଅନେକ ପ୍ରକାରର
ଉପହାର ଦେଇ ଶ୍ରୀକୃଷ୍ଣଙ୍କର ସ୍ବାଗତ ଅଭ୍ୟର୍ଥନା କରିଥିଲେ |
ପ୍ରୀତ୍ୟୁତ୍ଫୁଲ୍ଲମୁଖାଃ ପ୍ରୋଚୁର୍ହର୍ଷଗଦ୍ଗଦୟା ଗିରା ।
ପିତରଂ ସର୍ୱସୁହୃଦମବିତାରମିବାର୍ଭକାଃ ॥ ୫॥
ସମସ୍ତଙ୍କର ମୁଖମଣ୍ଡଳ ପ୍ରେମରେ ଉଜ୍ବଳ ଦେଖା ଯାଉଥିଲା | ହର୍ଷ ଗଦଗଦ
ବାଣୀରେ ସେମାନେ ନିଜର ସୁହୃଦ ଏବଂ ସଂରକ୍ଷକ ଭଗବାନ ଶ୍ରୀକୃଷ୍ଣଙ୍କର ଏପରି ସ୍ତୁତି କରିବାରେ ଲାଗିଲେ
ଯେପରି ଗୋଟିଏ ବାଳକ ନିଜ ପିତାଙ୍କ ସହିତ ଖନେଇ ଖନେଇ କଥା କହୁଥାଏ |
ନତାଃ ସ୍ମ ତେ ନାଥ ସଦାଙ୍ଘ୍ରିପଙ୍କଜଂ
ବିରିଞ୍ଚବୈରିଞ୍ଚ୍ୟସୁରେନ୍ଦ୍ରବନ୍ଦିତମ୍ ।
ପରାୟଣଂ କ୍ଷେମମିହେଚ୍ଛତାଂ ପରଂ
ନ ଯତ୍ର କାଲଃ ପ୍ରଭବେତ୍ପରଃ ପ୍ରଭୁଃ ॥ ୬॥
ହେ ସ୍ବାମୀ | ଆମେ ଆପଣଙ୍କର ସେହି ଚରଣକମଳକୁ ବାରମ୍ବାର ପ୍ରଣାମ
କରୁଛୁ, ଯାହାର ବନ୍ଦନା
ସ୍ବୟଂ ବ୍ରହ୍ମା, ଶଂକର ଏବଂ ଇନ୍ଦ୍ର
ମଧ୍ୟ କରିଥାଆନ୍ତି, ଯାହା ସଂସାରର ପରମ
କଲ୍ୟାଣ ଇଚ୍ଛା କରୁଥିବା ସନ୍ଥମାନଙ୍କର ସର୍ବୋତ୍ତମ ଆଶ୍ରୟ ଅଟେ ଏବଂ ଯାହାର ଶରଣ ଗ୍ରହଣ କରିବା
ପରେ ପରମ ସମର୍ଥ କାଳ ଆମର କେଶ ସୁଦ୍ଧା ସ୍ପର୍ଶ କରିପାରିବ ନାହିଁ |
ଭବାୟ ନସ୍ତ୍ୱଂ ଭବ ବିଶ୍ୱଭାବନ
ତ୍ୱମେବ ମାତାଥ ସୁହୃତ୍ପତିଃ ପିତା ।
ତ୍ୱଂ ସଦ୍ଗୁରୁର୍ନଃ ପରମଂ ଚ ଦୈବତଂ
ଯସ୍ୟାନୁବୃତ୍ତ୍ୟା କୃତିନୋ ବଭୂବିମ ॥ ୭॥
ହେ ବିଶ୍ବଭାବନ ! ଆପଣ ହିଁ ଆମର ମାତା, ସୁହୃଦ, ସ୍ବାମୀ ଏବଂ ପିତା ଅଟନ୍ତି; ଆପଣ ହିଁ ଆମର ସଦଗୁରୁ ଏବଂ ଆରାଧ୍ୟଦେବ ଅଟନ୍ତି | ଆପଣଙ୍କର
ଚରଣ-ସେବା ପ୍ରାପ୍ତ କରି ଆମେ କୃତାର୍ଥ ହୋଇଅଛୁ | ଆପଣ ଆମର କଲ୍ୟାଣ କରନ୍ତୁ |
ଅହୋ ସନାଥା ଭବତା ସ୍ମ ଯଦ୍ୱୟଂ
ତ୍ରୈବିଷ୍ଟପାନାମପି ଦୂରଦର୍ଶନମ୍ ।
ପ୍ରେମସ୍ମିତସ୍ନିଗ୍ଧନିରୀକ୍ଷଣାନନଂ
ପଶ୍ୟେମ ରୂପଂ ତବ ସର୍ୱସୌଭଗମ୍ ॥ ୮॥
ଆହା ! ଆପଣଙ୍କୁ ପ୍ରାପ୍ତ କରି ଆମ୍ଭେମାନେ ସନାଥ ହୋଇଯାଇଅଛୁ;
ଆପଣଙ୍କର ସର୍ବସୌନ୍ଦର୍ଯ୍ୟସାର ଅନୁପମ ରୂପର ଆମେ ଦର୍ଶନ ଲାଭ କରୁଅଛୁ | ଆପଣଙ୍କର ସୁନ୍ଦର ମୁଖ
ଏବଂ ପ୍ରେମପୂର୍ଣ୍ଣ ସ୍ମିତହାସ୍ୟଯୁକ୍ତ ସ୍ନିଗ୍ଧ ଚାହାଣୀର ଦର୍ଶନ ଦେବତାମାନଙ୍କୁ ମଧ୍ୟ ଦୁର୍ଲଭ
ଅଟେ |
ଯର୍ହ୍ୟମ୍ବୁଜାକ୍ଷାପସସାର ଭୋ ଭବାନ୍
କୁରୂନ୍ ମଧୂନ୍ ବାଥ ସୁହୃଦ୍ଦିଦୃକ୍ଷୟା ।
ତତ୍ରାବ୍ଦକୋଟିପ୍ରତିମଃ କ୍ଷଣୋ ଭବେ-
ଦ୍ରବିଂ ବିନାକ୍ଷ୍ଣୋରିବ ନସ୍ତବାଚ୍ୟୁତ ॥ ୯॥
ହେ କମଳନୟନ ଶ୍ରୀକୃଷ୍ଣ ! ଆପଣ ଯେତେବେଳେ ନିଜ ବନ୍ଧୁ-ବାନ୍ଧବଙ୍କ ସହ
ମିଳିତ ହେବା ପାଇଁ ହସ୍ତୀନାପୁର ଅଥବା ମଥୁରା (ବ୍ରଜମଣ୍ଡଳ) ଯାଇଥାଆନ୍ତି, ଆପଣଙ୍କ ବିନା ଆମର
ପ୍ରତ୍ୟେକ କ୍ଷଣ କୋଟି-କୋଟି ବର୍ଷ ପରି ଦୀର୍ଘ ହୋଇଯାଏ | ଆପଣଙ୍କ ବିନା ଆମର ଦଶା ସୂର୍ଯ୍ୟ
ବିନା ଆଖି ପରି ହୋଇଯାଏ |
(କଥଂ ବୟଂ ନାଥ ଚିରୋଷିତେ ତ୍ୱୟି
ପ୍ରସନ୍ନଦୃଷ୍ଟ୍ୟାଖିଲତାପଶୋଷଣମ୍ ।
ଜୀବେମ ତେ ସୁନ୍ଦରହାସଶୋଭିତ-
ମପଶ୍ୟମାନା ବଦନଂ ମନୋହରମ୍ ॥)
ଇତି ଚୋଦୀରିତା ବାଚଃ ପ୍ରଜାନାଂ ଭକ୍ତବତ୍ସଲଃ ।
ଶୃଣ୍ୱାନୋଽନୁଗ୍ରହଂ ଦୃଷ୍ଟ୍ୟା ବିତନ୍ୱନ୍ ପ୍ରାବିଶତ୍ପୁରୀମ୍ ॥ ୧୦॥
ପ୍ରଜାଙ୍କ ମୁଖରୁ ଏପରି ବଚନ ଶୁଣି ଭକ୍ତବତ୍ସଳ ଭଗବାନ ଶ୍ରୀକୃଷ୍ଣ
ନିଜ କୃପାଦୃଷ୍ଟିରେ ସେମାନଙ୍କ ପ୍ରତି ଅନୁଗ୍ରହ କରି ଦ୍ବାରିକାରେ ପ୍ରବେଶ କଲେ |
ମଧୁଭୋଜଦଶାର୍ହାର୍ହକୁକୁରାନ୍ଧକବୃଷ୍ଣିଭିଃ ।
ଆତ୍ମତୁଲ୍ୟବଲୈର୍ଗୁପ୍ତାଂ ନାଗୈର୍ଭୋଗବତୀମିବ ॥ ୧୧॥
ନାଗ ଯେପରି ନିଜ ନଗରୀ ଭୋଗବତୀ (ପାତାଳପୁରୀ) ର ରକ୍ଷା କରିଥାଏ, ସେହିପରି ଭଗବାନଙ୍କର ଦ୍ବାରିକାପୁରୀ ମଧ୍ୟ ମଧୁ, ଭୋଜ, ଦଶାର୍ହ, ଅର୍ହ, କୁକୁର, ଅନ୍ଧକ ଏବଂ ବୃଷ୍ନିବଂଶୀ ଯାଦବ, ଯେଉଁମାନଙ୍କର ପରାକ୍ରମ ଅତୁଳନୀୟ ଅଟେ, ସେମାନଙ୍କ ଦ୍ବାରା ସୁରକ୍ଷିତ ଥିଲା |
ସର୍ୱର୍ତୁସର୍ୱବିଭବପୁଣ୍ୟବୃକ୍ଷଲତାଶ୍ରମୈଃ ।
ଉଦ୍ୟାନୋପବନାରାମୈର୍ୱୃତପଦ୍ମାକରଶ୍ରିୟମ୍ ॥ ୧୨॥
ସେହି ନଗରୀ ସମସ୍ତ ଋତୁର ସମ୍ପୂର୍ଣ୍ଣ ବୈଭବରେ ସମ୍ପନ୍ନ ଏବଂ ପବିତ୍ର
ବୃକ୍ଷ-ଲତାମାନଙ୍କର କୁଂଜରେ ଯୁକ୍ତ ଥିଲା | ସ୍ଥାନେ ସ୍ଥାନେ ଫଳଭରା ଉଦ୍ୟାନ, ପୁଷ୍ପବାଟିକା
ଏବଂ କ୍ରୀଡାବନ ଆଦି ଥିଲା | ମଝିରେ-ମଝିରେ କମଳଯୁକ୍ତ ସରୋବର ନଗରର ଶୋଭା ବୃଦ୍ଧି କରୁଥିଲା |
ଗୋପୁରଦ୍ୱାରମାର୍ଗେଷୁ କୃତକୌତୁକତୋରଣାମ୍ ।
ଚିତ୍ରଧ୍ୱଜପତାକାଗ୍ରୈରନ୍ତଃ ପ୍ରତିହତାତପାମ୍ ॥ ୧୩॥
ଭଗବାନଙ୍କର ସ୍ବାଗତାର୍ଥେ ନଗରର ଫାଟକ, ମହଲର ଦ୍ବାରଦେଶ ଏବଂ ସଡକମାନଙ୍କରେ ଫୁଲର ତୋରଣ ଲାଗିଥିଲା |
ଚତୁର୍ଦ୍ଦିଗରେ ଧ୍ବଜା ଏବଂ ପତାକା ଉଡୁଥିଲା, ଯଦ୍ବାରା ଧାମର କୌଣସି ପ୍ରଭାବ ସେହିସବୁ ସ୍ଥାନରେ
ନ ଥିଲା |
ସମ୍ମାର୍ଜିତମହାମାର୍ଗରଥ୍ୟାପଣକଚତ୍ୱରାମ୍ ।
ସିକ୍ତାଂ ଗନ୍ଧଜଲୈରୁପ୍ତାଂ ଫଲପୁଷ୍ପାକ୍ଷତାଙ୍କୁରୈଃ ॥ ୧୪॥
ନଗରର ରାଜମାର୍ଗ,
ଅନ୍ୟାନ୍ୟ ସଡକ, ବଜାର, ଏବଂ ଛକକୁ ଝାଡୁ ଲଗାଇ ସୁଗନ୍ଧିତ ଜଳରେ ସିଂଚନ
କରାଯାଇ ଥିଲା | ତାଛଡା, ଭଗବାନଙ୍କର
ସ୍ବାଗତାର୍ଥେ ଅର୍ପିତ ଫଳ, ପୁଷ୍ପ, ଅକ୍ଷତ, ଅଂକୁର ଚତୁର୍ଦିଗରେ ବିଛାଡି ହୋଇ ପଡିଥିଲା |
ଦ୍ୱାରି ଦ୍ୱାରି ଗୃହାଣାଂ ଚ ଦଧ୍ୟକ୍ଷତଫଲେକ୍ଷୁଭିଃ ।
ଅଲଙ୍କୃତାଂ ପୂର୍ଣକୁମ୍ଭୈର୍ବଲିଭିର୍ଧୂପଦୀପକୈଃ ॥ ୧୫॥
ପ୍ରତ୍ୟେକ ଗୃହର ଦ୍ବାରଦେଶ ଦହୀ, ଅକ୍ଷତ,
ଫଳ, ଆଖୁ, ଜଳଭରା କଳସ, ଉପହାର ବସ୍ତୁ ଏବଂ ଧୂପ-ଦୀପ ଆଦିରେ ସଜ୍ଜିତ ରହିଥିଲା |
ନିଶମ୍ୟ ପ୍ରେଷ୍ଠମାୟାନ୍ତଂ ବସୁଦେବୋ ମହାମନାଃ ।
ଅକ୍ରୂରଶ୍ଚୋଗ୍ରସେନଶ୍ଚ ରାମଶ୍ଚାଦ୍ଭୁତବିକ୍ରମଃ ॥ ୧୬॥
ପ୍ରଦ୍ୟୁମ୍ନଶ୍ଚାରୁଦେଷ୍ଣଶ୍ଚ ସାମ୍ବୋ ଜାମ୍ବବତୀସୁତଃ ।
ପ୍ରହର୍ଷବେଗୋଚ୍ଛ୍ୱସିତଶୟନାସନଭୋଜନାଃ ॥ ୧୭॥
ବାରଣେନ୍ଦ୍ରଂ ପୁରସ୍କୃତ୍ୟ ବ୍ରାହ୍ମଣୈଃ ସସୁମଙ୍ଗଲୈଃ ।
ଶଙ୍ଖତୂର୍ୟନିନାଦେନ ବ୍ରହ୍ମଘୋଷେଣ ଚାଦୃତାଃ ।
ପ୍ରତ୍ୟୁଜ୍ଜଗ୍ମୂ ରଥୈର୍ହୃଷ୍ଟାଃ ପ୍ରଣୟାଗତସାଧ୍ୱସାଃ ॥ ୧୮॥
ଉଦାରଶିରୋମଣି ବସୁଦେବ, ଅକ୍ରୂର,
ଉଗ୍ରସେନ, ଅଦ୍ଭୁତ ପରାକ୍ରମୀ
ବଳରାମ, ପ୍ରଦ୍ୟୁମ୍ନ, ଚାରୁଦେଷ୍ଣ ଏବଂ ଜାମ୍ବବତୀନନ୍ଦନ ସାମ୍ବ
ଯେତେବେଳେ ଏହା ଶୁଣିବାକୁ ପାଇଲେ ଯେ ସେମାନଙ୍କର ପ୍ରିୟତମ ଭଗବାନ ଶ୍ରୀକୃଷ୍ଣ ଆଗମନ କରୁଛନ୍ତି, ସେତେବେଳେ ସେମାନଙ୍କର ମନ ଏତେ ବେଶୀ ଆନନ୍ଦରେ
ଭରିଗଲା ଯେ ସେମାନେ ନିଜର ଶୋଇବା,
ବସିବା, ଭୋଜନ କରିବା ଆଦି
ସମସ୍ତ ଆବଶ୍ୟକୀୟ କାର୍ଯ୍ୟରୁ ବିରତ ହୋଇଗଲେ | ପ୍ରେମାବେଗରେ ସେମାନଙ୍କର ହୃଦୟ ଉଦ୍ବେଳିତ
ହେବାରେ ଲାଗିଲା | ମଙ୍ଗଳଚିହ୍ନ ସ୍ବରୂପ ସେମାନେ ଶୋଭାଯାତ୍ରାର ସର୍ବାଗ୍ରେ ଗଜରାଜକୁ ରଖିଲେ, ତା ସହିତ ସ୍ବସ୍ତ୍ୟୟନ ପାଠ କରୁଥିବା ମାଙ୍ଗଳିକ
ସାମଗ୍ରୀରେ ସୁସଜ୍ଜିତ ବ୍ରାହ୍ମଣମାନେ ରହିଲେ | ଶଂଖ ଓ ତୂରୀ ବାଜି ଉଠିଲା ଏବଂ ବେଦଧ୍ବନି
ହେବାରେ ଲାଗିଲା | ଆନନ୍ଦରେ ରଥ ଚଢି ସେମାନେ ସମସ୍ତେ ଅତି ଆଦରପୂର୍ବକ ଭଗବାନଙ୍କର ଅଭିବାଦନ
କରିବାକୁ ଗଲେ |
ବାରମୁଖ୍ୟାଶ୍ଚ ଶତଶୋ ଯାନୈସ୍ତଦ୍ଦର୍ଶନୋତ୍ସୁକାଃ ।
ଲସତ୍କୁଣ୍ଡଲନିର୍ଭାତକପୋଲବଦନଶ୍ରିୟଃ ॥ ୧୯॥
ଏତଦବ୍ୟତିତ,
ଭଗବାନ ଶ୍ରୀକୃଷ୍ଣଙ୍କର ଦର୍ଶନ କରିବାକୁ ଉତ୍ସୁକ ଶହ-ଶହ ଶ୍ରେଷ୍ଠ ବାରାଙ୍ଗନା, ଚକମକ୍ କୁଣ୍ଡଳର କାନ୍ତିରେ ଯେଉଁମାନଙ୍କର
ମୁଖମଣ୍ଡଳ ଅତ୍ୟନ୍ତ ସୁନ୍ଦର ଦେଖା ଯାଉଥିଲା,
ସେମାନେ ମଧ୍ୟ ପାଲଙ୍କିରେ ବସି ଭଗବାନଙ୍କର ଅଭିବାଦନ କରିବାକୁ ଗଲେ |
ନଟନର୍ତକଗନ୍ଧର୍ୱାଃ ସୂତମାଗଧବନ୍ଦିନଃ ।
ଗାୟନ୍ତି ଚୋତ୍ତମଶ୍ଲୋକଚରିତାନ୍ୟଦ୍ଭୁତାନି ଚ ॥ ୨୦॥
ଅନେକ ନଟ, ନର୍ତ୍ତକୀ, ଗାୟକ, ସୂତ, ମାଗଧ, ବନ୍ଦୀଜନ ମଧ୍ୟ ଭଗବାନଙ୍କର ଅଦ୍ଭୁତ ଚରିତ ଗାନ କରି କରି ସେଠାକୁ ଗଲେ
|
ଭଗବାଂସ୍ତତ୍ର ବନ୍ଧୂନାଂ ପୌରାଣାମନୁବର୍ତିନାମ୍ ।
ଯଥାବିଧ୍ୟୁପସଙ୍ଗମ୍ୟ ସର୍ୱେଷାଂ ମାନମାଦଧେ ॥ ୨୧॥
ଭଗବାନ ଶ୍ରୀକୃଷ୍ଣ ନିଜର ବନ୍ଧୁ-ବାନ୍ଧବ, ନାଗରିକ ଏବଂ ସେବକମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ସମ୍ମାନ ଜଣାଇ
ଥିଲେ |
ପ୍ରହ୍ୱାଭିବାଦନାଶ୍ଲେଷକରସ୍ପର୍ଶସ୍ମିତେକ୍ଷଣୈଃ ।
ଆଶ୍ୱାସ୍ୟ ଚାଶ୍ୱପାକେଭ୍ୟୋ ବରୈଶ୍ଚାଭିମତୈର୍ୱିଭୁଃ ॥ ୨୨॥
ସ୍ୱୟଂ ଚ ଗୁରୁଭିର୍ୱିପ୍ରୈଃ ସଦାରୈଃ ସ୍ଥବିରୈରପି ।
ଆଶୀର୍ଭିର୍ୟୁଜ୍ୟମାନୋଽନ୍ୟୈର୍ୱନ୍ଦିଭିଶ୍ଚାବିଶତ୍ପୁରମ୍ ॥ ୨୩॥
ସେ କାହାକୁ ମସ୍ତକ ଅବନତ କରି ପ୍ରଣାମ କରିଥିଲେ ତ କାହାକୁ କେବଳ ବାଣୀରେ
ଅଭିବାଦନ କରିଥିଲେ; କାହାକୁ ହୃଦୟଲଗ୍ନ
କରିଥିଲେ ତ କାହା ସହିତ ହାତ ମିଳାଇ ଥିଲେ;
କାହା ଆଡକୁ ଚାହିଁ ଈଶତ୍ ହସିଥିଲେ ତ ଆଉ କାହାକୁ କେବଳ ଟିକିଏ ପ୍ରେମଭରା ଦୃଷ୍ଟିରେ ଚାହିଁ
ଦେଲେ | ଯାହାର ଯେପରି ଇଚ୍ଛା ଥିଲା,
ତାଙ୍କୁ ସେହି ବରଦାନ ଦେଲେ | ଏହିପରି ଭାବରେ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତଙ୍କୁ ସନ୍ତୁଷ୍ଟ କରି
ଗୁରୁଜନ, ସପତ୍ନୀକ ବ୍ରାହ୍ମଣ, ବୃଦ୍ଧ ତଥା ଅନ୍ୟମାନଙ୍କର ଆଶୀର୍ବାଦ ଗ୍ରହଣ
କରି ଏବଂ ବନ୍ଦୀଜନମାନଙ୍କ ମୁଖରୁ ବିରଦାବଳୀ ଶ୍ରବଣ କରି ସମସ୍ତଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ
ନଗରରେ ପ୍ରବେଶ କଲେ |
ରାଜମାର୍ଗଂ ଗତେ କୃଷ୍ଣେ ଦ୍ୱାରକାୟାଃ କୁଲସ୍ତ୍ରିୟଃ ।
ହର୍ମ୍ୟାଣ୍ୟାରୁରୁହୁର୍ୱିପ୍ରାଃ ତଦୀକ୍ଷଣମହୋତ୍ସବାଃ ॥ ୨୪॥
ହେ ଶୌନକ ! ଭଗବାନ ରାଜମାର୍ଗରେ ଯାଉଥିବା ବେଳେ ଦ୍ବାରିକାର
କୁଳ-କାମିନୀମାନେ ତାଙ୍କର ଦର୍ଶନକୁ ହିଁ ପରମାନନ୍ଦ ମନେକରି ନିଜ ନିଜ ଅଟାରିରେ ଚଢି ଯାଇଥିଲେ |
ନିତ୍ୟଂ ନିରୀକ୍ଷମାଣାନାଂ ଯଦପି ଦ୍ୱାରକୌକସାମ୍ ।
ନ ବିତୃପ୍ୟନ୍ତି ହି ଦୃଶଃ ଶ୍ରିୟୋ ଧାମାଙ୍ଗମଚ୍ୟୁତମ୍ ॥ ୨୫॥
ଶ୍ରିୟୋ ନିବାସୋ ଯସ୍ୟୋରଃ ପାନପାତ୍ରଂ ମୁଖଂ ଦୃଶାମ୍ ।
ବାହବୋ ଲୋକପାଲାନାଂ ସାରଙ୍ଗାଣାଂ ପଦାମ୍ବୁଜମ୍ ॥ ୨୬॥
ଭଗବାନଙ୍କର ବକ୍ଷସ୍ଥଳ ମୂର୍ତ୍ତିମାନ ସୌନ୍ଦର୍ଯ୍ୟଲକ୍ଷ୍ମୀଙ୍କର
ନିବାସସ୍ଥାନ ଅଟେ | ନେତ୍ର ଦ୍ବାରା ପାନ କରିବା ନିମନ୍ତେ ତାଙ୍କର ମୁଖାରବିନ୍ଦ
ସୌନ୍ଦର୍ଯ୍ୟ-ସୁଧା-ଭରା ପାତ୍ର ଅଟେ | ତାଙ୍କର ଭୁଜଦ୍ବୟ ଲୋକପାଳମାନଙ୍କ ନିମନ୍ତେ ଶକ୍ତି ପ୍ରଦାନକାରୀ
ଅଟେ | ତାଙ୍କର ଚରଣକମଳ ଭକ୍ତ ପରମହଂସମାନଙ୍କର ଆଶ୍ରୟ ଅଟେ | ତାଙ୍କର ପ୍ରତ୍ୟେକ ଅଙ୍ଗ ଶୋଭାର
ଧାମ ଅଟେ | ଭଗବାନଙ୍କର ଏହି ଛବିକୁ ଦ୍ବାରିକାବାସୀ ନିତ୍ୟ-ନିରନ୍ତର ଦେଖୁଥାଆନ୍ତି, ତଥାପି କ୍ଷଣକ ପାଇଁ ମଧ୍ୟ ସେମାନଙ୍କର ନେତ୍ର
ତୃପ୍ତ ହୋଇ ନ ଥାଏ |
ସିତାତପତ୍ରବ୍ୟଜନୈରୁପସ୍କୃତଃ
ପ୍ରସୂନବର୍ଷୈରଭିବର୍ଷିତଃ ପଥି ।
ପିଶଙ୍ଗବାସା ବନମାଲୟା ବଭୌ
ଘନୋ ଯଥାର୍କୋଡୁପଚାପବୈଦ୍ୟୁତୈଃ ॥ ୨୭॥
ଦ୍ବାରିକାର ରାଜପଥରେ ଯାଉଥିବା ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ମସ୍ତକ
ଉପରେ ଶ୍ବେତ ଛତ୍ର ରହିଥିଲା, ପାର୍ଶ୍ବରେ ଶ୍ବେତ
ଚାମର ଦୋଳାୟମାନ ହେଉଥିଲା ଏବଂ ଚତୁର୍ଦିଗରେ ପୁଷ୍ପ ବର୍ଷା ହେଉଥିଲା | ସେ ପୀତାମ୍ବର ଏବଂ
ବନମାଳ ଧାରଣ କରିଥିଲେ | ସେହି ସମୟରେ ସେ ଏପରି ଶୋଭାୟମାନ ହେଉଥିଲେ ସତେ ଯେପରି ଶ୍ୟାମଘନ ଏକ
ସଙ୍ଗେ ସୂର୍ଯ୍ୟ, ଚନ୍ଦ୍ରମା, ଇନ୍ଦ୍ରଧନୁ ଓ ବିଜୁଳିରେ ଶୋଭାୟମାନ ହେଉଛି |
ପ୍ରବିଷ୍ଟସ୍ତୁ ଗୃହଂ ପିତ୍ରୋଃ ପରିଷ୍ୱକ୍ତଃ ସ୍ୱମାତୃଭିଃ ।
ବବନ୍ଦେ ଶିରସା ସପ୍ତ ଦେବକୀପ୍ରମୁଖା ମୁଦା ॥ ୨୮॥
ତାଃ ପୁତ୍ରମଙ୍କମାରୋପ୍ୟ ସ୍ନେହସ୍ନୁତପୟୋଧରାଃ ।
ହର୍ଷବିହ୍ୱଲିତାତ୍ମାନଃ ସିଷିଚୁର୍ନେତ୍ରଜୈର୍ଜଲୈଃ ॥ ୨୯॥
ସର୍ବପ୍ରଥମେ ଭଗବାନ ନିଜ ମାତା-ପିତାଙ୍କ ମହଲକୁ ଗଲେ | ସେଠାରେ ସେ
ଅତି ଆନନ୍ଦରେ ଦେବକୀ ଏବଂ ଅନ୍ୟ ସାତ ଜଣ ମାତାଙ୍କର ଚରଣରେ ମସ୍ତକ ରଖି ସେମାନଙ୍କୁ ପ୍ରଣାମ କଲେ
| ମାତାମାନେ ମଧ୍ୟ ତାଙ୍କୁ ହୃଦୟଲଗ୍ନ କରି କୋଳରେ ଧାରଣ କଲେ | ବାତ୍ସଲ୍ୟ ସ୍ନେହରେ ସେମାନଙ୍କ
ସ୍ତନରୁ ଦୁଗ୍ଧର ଧାରା ପ୍ରବାହିତ ହେବାରେ ଲାଗିଲା | ସେମାନଙ୍କର ହୃଦୟ ହର୍ଷବିହ୍ବଳ ହୋଇଗଲା ଏବଂ
ଆନନ୍ଦର ଅଶ୍ରୁରେ ସେମାନେ ତାଙ୍କର ଅଭିଷେକ କଲେ |
ଅଥାବିଶତ୍ସ୍ୱଭବନଂ ସର୍ୱକାମମନୁତ୍ତମମ୍ ।
ପ୍ରାସାଦା ଯତ୍ର ପତ୍ନୀନାଂ ସହସ୍ରାଣି ଚ ଷୋଡଶ ॥ ୩୦॥
ମାତାଙ୍କଠାରୁ ଅନୁମତି ନେଇ ସେ ନିଜର ସମସ୍ତ ଭୋଗସାମଗ୍ରୀରେ
ପରିପୂର୍ଣ୍ଣ ସର୍ବଶ୍ରେଷ୍ଠ ଭବନକୁ ଗଲେ | ସେଠାରେ ତାଙ୍କର ଷୋଳ ହଜାର ପତ୍ନୀଙ୍କର ପୃଥକ ପୃଥକ
ମହଲ ରହିଥିଲା |
ପତ୍ନ୍ୟଃ ପତିଂ ପ୍ରୋଷ୍ୟ ଗୃହାନୁପାଗତଂ
ବିଲୋକ୍ୟ ସଞ୍ଜାତମନୋମହୋତ୍ସବାଃ ।
ଉତ୍ତସ୍ଥୁରାରାତ୍ସହସାସନାଶୟା-
ତ୍ସାକଂ ବ୍ରତୈର୍ୱ୍ରୀଡିତଲୋଚନାନନାଃ ॥ ୩୧॥
ତମାତ୍ମଜୈର୍ଦୃଷ୍ଟିଭିରନ୍ତରାତ୍ମନା
ଦୁରନ୍ତଭାବାଃ ପରିରେଭିରେ ପତିମ୍ ।
ନିରୁଦ୍ଧମପ୍ୟାସ୍ରବଦମ୍ବୁନେତ୍ରୟୋ-
ର୍ୱିଲଜ୍ଜତୀନାଂ ଭୃଗୁବର୍ୟ ବୈକ୍ଲବାତ୍ ॥ ୩୨॥
ଭଗବାନଙ୍କ ପ୍ରତି ସେମାନଙ୍କର ଭାବ ଅତ୍ୟନ୍ତ ଗମ୍ଭୀର ଥିଲା |
ଭଗବାନଙ୍କୁ ପ୍ରଥମେ ସେମାନେ ମନେ ମନେ,
ତାପରେ ନେତ୍ର ଦ୍ବାରା ଏବଂ ତତ୍ପଶ୍ଚାତ୍ ପୁତ୍ର ବାହାନାରେ ଶରୀରରେ ଆଲିଙ୍ଗନ କରିଥିଲେ | ହେ
ଶୌନକ ! ସେହି ସମୟରେ ସେମାନଙ୍କ ନେତ୍ରରେ ଯେଉଁ ପ୍ରେମାଶ୍ରୁ ଭରି ଯାଇଥିଲା, ତାହାକୁ ସେମାନେ ସଂକୋଚବଶ ଅବଦମିତ କରିବାକୁ ଚେଷ୍ଟା
କରିଥିଲେ, କିନ୍ତୁ ବିବଶତାରେ
ତାହା ଝରି ଆସିଲା |
ଯଦ୍ୟପ୍ୟସୌ ପାର୍ଶ୍ୱଗତୋ ରହୋଗତ-
ସ୍ତଥାପି ତସ୍ୟାଙ୍ଘ୍ରିୟୁଗଂ ନବଂ ନବମ୍ ।
ପଦେ ପଦେ କା ବିରମେତ ତତ୍ପଦା-
ଚ୍ଚଲାପି ଯଚ୍ଛ୍ରୀର୍ନ ଜହାତି କର୍ହିଚିତ୍ ॥ ୩୩॥
ଏକାନ୍ତରେ ଭଗବାନ ଶ୍ରୀକୃଷ୍ଣ ଯଦିଓ ସେମାନଙ୍କ ପାଖରେ ସର୍ବଦା
ରହିଥାଆନ୍ତି, ତଥାପି ତାଙ୍କର
ଚରଣକମଳ ସେମାନଙ୍କୁ ନିତ୍ୟ-ନବାୟମାନ ପ୍ରତୀତ ହୋଇଥାଏ | ଚଞ୍ଚଳ ସ୍ବଭାବ ଲକ୍ଷ୍ମୀ ଯାହାଙ୍କୁ
କ୍ଷଣକ ପାଇଁ ମଧ୍ୟ ତ୍ୟାଗ କରନ୍ତି ନାହିଁ,
ତାଙ୍କର ସାନିଧ୍ୟ ଲାଭ କରି କେଉଁ ସ୍ତ୍ରୀ ଅବା ତୃପ୍ତ ହୋଇପାରିବ ?
ଏବଂ ନୃପାଣାଂ କ୍ଷିତିଭାରଜନ୍ମନା-
ମକ୍ଷୌହିଣୀଭିଃ ପରିବୃତ୍ତତେଜସାମ୍ ।
ବିଧାୟ ବୈରଂ ଶ୍ୱସନୋ ଯଥାନଲଂ
ମିଥୋ ବଧେନୋପରତୋ ନିରାୟୁଧଃ ॥ ୩୪॥
ବାୟୁ ଏବଂ ବାଉଁଶର ସଂଘର୍ଷରେ ଦାବାନଳ ସୃଷ୍ଟି ହୋଇ ଯେପରି ବାଉଁଶକୁ
ଜାଳି ଦେଇଥାଏ, ସେହିପରି ପୃଥିବୀର
ଭାର-ସ୍ବରୂପ ଶକ୍ତିଶାଳୀ ରାଜାମାନଙ୍କ ମଧ୍ୟରେ କଳହ ସୃଷ୍ଟି କରାଇ ଭଗବାନ ଶ୍ରୀକୃଷ୍ଣ ସ୍ବୟଂ
ଶସ୍ତ୍ର ଧାରଣ କରି ନ ଥିଲେ ମଧ୍ୟ ଅନେକ ଅକ୍ଷୌହିଣୀ ସେନାସହିତ ପରସ୍ପରକୁ ପରସ୍ପର ଦ୍ବାରା ନିହତ
କଲେ ଏବଂ ପରିଶେଷରେ ସ୍ବୟଂ ସବୁ ଚେଷ୍ଟାରୁ ଉପରତ ହୋଇଗଲେ |
ସ ଏଷ ନରଲୋକେଽସ୍ମିନ୍ନବତୀର୍ଣଃ ସ୍ୱମାୟଯା ।
ରେମେ ସ୍ତ୍ରୀରତ୍ନକୂଟସ୍ଥୋ ଭଗବାନ୍ ପ୍ରାକୃତୋ ଯଥା ॥ ୩୫॥
ସେ ହିଁ ସାକ୍ଷାତ ପରମେଶ୍ବର ଯିଏ ଲୀଳା କରିବାକୁ ଯାଇ ଏହି
ମନୁଷ୍ୟ-ଲୋକରେ ଅବତୀର୍ଣ୍ଣ ହୋଇଥିଲେ ଏବଂ ସହସ୍ର ରମଣୀ-ରତ୍ନଙ୍କ ଗହଣରେ ସାଧାରଣ ମନୁଷ୍ୟ ପରି
କ୍ରୀଡା କରିଥିଲେ |
ଉଦ୍ଦାମଭାବପିଶୁନାମଲବଲ୍ଗୁହାସ-
ବ୍ରୀଡାବଲୋକନିହତୋ ମଦନୋଽପି ଯାସାମ୍ ।
ସମ୍ମୁହ୍ୟ ତାପମଜହାତ୍ପ୍ରମଦୋତ୍ତମାସ୍ତା
ଯସ୍ୟେନ୍ଦ୍ରିୟଂ ବିମଥିତୁଂ କୁହକୈର୍ନ ଶେକୁଃ ॥ ୩୬॥
ତମୟଂ ମନ୍ୟତେ ଲୋକୋ ହ୍ୟସଙ୍ଗମପି ସଙ୍ଗିନମ୍ ।
ଆତ୍ମୌପମ୍ୟେନ ମନୁଜଂ ବ୍ୟାପୃଣ୍ୱାନଂ ଯତୋଽବୁଧଃ ॥ ୩୭॥
ଯାହାର ନିର୍ମଳ ଏବଂ ମଧୁର ହାସ୍ୟ ତାଙ୍କ ହୃଦୟର ଉନ୍ମୁକ୍ତ ଭାବକୁ
ସୂଚିତ କରିଥାଏ, ଯାହାର ତୀକ୍ଷ୍ଣ
କଟାକ୍ଷରେ ବେସୁଧ ହୋଇ ବିଶ୍ବବିଜୟୀ କାମଦେବ ମଧ୍ୟ ନିଜ ଧନୁକୁ ପରିତ୍ୟାଗ କରିଦେଇ ଥିଲେ, କମନୀୟ କାମିନୀମାନେ ନିଜ କାମ-ବିଳାସରେ ଯାହା
ମନରେ କିଂଚିତ୍ କ୍ଷୋଭ ଉତ୍ପନ୍ନ କରିପାରି ନ ଥିଲେ, ସେହି ଅସଙ୍ଗ ଭଗବାନ ଶ୍ରୀକୃଷ୍ଣଙ୍କୁ ସଂସାରୀ ମନୁଷ୍ୟ, ନିଜ ପରି
କର୍ମ କରୁଥିବା ଦେଖି, ଜଣେ ଆସକ୍ତ ପୁରୁଷ ମନେ କରୁଥିଲେ – ଏହା ସେମାନଙ୍କର ମୂର୍ଖାମୀ ଅଟେ |
ଏତଦୀଶନମୀଶସ୍ୟ ପ୍ରକୃତିସ୍ଥୋଽପି ତଦ୍ଗୁଣୈଃ ।
ନ ଯୁଜ୍ୟତେ ସଦାଽଽତ୍ମସ୍ଥୈର୍ୟଥା ବୁଦ୍ଧିସ୍ତଦାଶ୍ରୟା ॥ ୩୮॥
ଏହା ହିଁ ତ ଭଗବାନଙ୍କର ଭଗବତ୍ତା ଅଟେ ଯେ ପ୍ରକୃତିରେ ସ୍ଥିତ ରହି
ମଧ୍ୟ ସେ ପ୍ରାକୃତିକ ଗୁଣରେ ଲିପ୍ତ ହୁଅନ୍ତି ନାହିଁ , ଯେପରି ଭଗବାନଙ୍କଠାରେ ଶରଣାଗତ ବୁଦ୍ଧି
ନିଜ ଭିତରେ ଥିବା ମାୟିକ ଗୁଣରେ ଲିପ୍ତ ହୋଇ ନ ଥାଏ |
ଅପ୍ରମାଣବିଦୋ ଭର୍ତୁରୀଶ୍ୱରଂ ମତୟୋ ଯଥା ॥ ୩୯॥
ସେହି ମୂର୍ଖ ସ୍ତ୍ରୀମାନେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ନିଜର ଏକାନ୍ତସେବୀ,
ସ୍ତ୍ରୀପରାୟଣ ଭକ୍ତ ମାନି ବସିଥିଲେ; କାରଣ ନିଜ ସ୍ବାମୀଙ୍କର ଐଶ୍ବର୍ଯ୍ୟକୁ ସେମାନେ ଜାଣି ନ
ଥିଲେ – ଠିକ୍ ଏହିପରି ଯେପରି କି ଅହଂକାର ଈଶ୍ବରଙ୍କୁ ନିଜ ଧର୍ମଯୁକ୍ତ ମାନି ନେଇଥାଏ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଶ୍ରୀକୃଷ୍ଣଦ୍ୱାରକାପ୍ରବେଶୋ

Comments
Post a Comment