ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ

ପ୍ରଥମ ସ୍କନ୍ଧ

ତ୍ରୟୋଦଶ ଅଧ୍ୟାୟ

ବିଦୁରଙ୍କ ଉପଦେଶରେ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କର ବନଗମନ

 

ସୂତ ଉବାଚ

ବିଦୁରସ୍ତୀର୍ଥୟାତ୍ରାୟାଂ ମୈତ୍ରେୟାଦାତ୍ମନୋ ଗତିମ୍ ।

ଜ୍ଞାତ୍ୱାଗାଦ୍ଧାସ୍ତିନପୁରଂ ତୟାବାପ୍ତବିବିତ୍ସିତଃ ॥ ୧॥

ସୂତ ମୁନି କହୁଛନ୍ତି – ତୀର୍ଥଯାତ୍ରା କାଳରେ ମହର୍ଷି ମୈତ୍ରେୟଙ୍କଠାରୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ କରି ବିଦୁର ହସ୍ତୀନାପୁର ଫେରିଆସିଲେ | ତାଙ୍କର ସମସ୍ତ ଜିଜ୍ଞାସା ପୂର୍ଣ୍ଣ ହୋଇ ଯାଇଥିଲା |

ଯାବତଃ କୃତବାନ୍ ପ୍ରଶ୍ନାନ୍ କ୍ଷତ୍ତା କୌଷାରବାଗ୍ରତଃ ।

ଜାତୈକଭକ୍ତିର୍ଗୋବିନ୍ଦେ ତେଭ୍ୟଶ୍ଚୋପରରାମ ହ ॥ ୨॥

ମୈତ୍ରେୟ ଋଷିଙ୍କୁ ବିଦୁର ଯେତେଗୁଡିଏ ପ୍ରଶ୍ନ ପଚାରି ଥିଲେ, ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ଅନନ୍ୟ ଭକ୍ତି ରହିଥିବା ଯୋଗୁଁ, ସେ ଉତ୍ତର ଶୁଣିବା ମାତ୍ରେ ସନ୍ତୁଷ୍ଟ ହୋଇଗଲେ |

ତଂ ବନ୍ଧୁମାଗତଂ ଦୃଷ୍ଟ୍ୱା ଧର୍ମପୁତ୍ରଃ ସହାନୁଜଃ ।

ଧୃତରାଷ୍ଟ୍ରୋ ଯୁୟୁତ୍ସୁଶ୍ଚ ସୂତଃ ଶାରଦ୍ୱତଃ ପୃଥା ॥ ୩॥

ଗାନ୍ଧାରୀ ଦ୍ରୌପଦୀ ବ୍ରହ୍ମନ୍ ସୁଭଦ୍ରା ଚୋତ୍ତରା କୃପୀ ।

ଅନ୍ୟାଶ୍ଚ ଜାମୟଃ ପାଣ୍ଡୋର୍ଜ୍ଞାତୟଃ ସସୁତାଃ ସ୍ତ୍ରିୟଃ ॥ ୪॥

ପ୍ରତ୍ୟୁଜ୍ଜଗ୍ମୁଃ ପ୍ରହର୍ଷେଣ ପ୍ରାଣଂ ତନ୍ୱ ଇବାଗତମ୍ ।

ଅଭିସଙ୍ଗମ୍ୟ ବିଧିବତ୍ପରିଷ୍ୱଙ୍ଗାଭିବାଦନୈଃ ॥ ୫॥

ମୁମୁଚୁଃ ପ୍ରେମବାଷ୍ପୌଘଂ ବିରହୌତ୍କଣ୍ଠ୍ୟକାତରାଃ ।

ରାଜା ତମର୍ହୟାଞ୍ଚକ୍ରେ କୃତାସନପରିଗ୍ରହମ୍ ॥ ୬॥

ହେ ଶୌନକ ! ବିଦୁରଙ୍କ ଆଗମନରେ ଧର୍ମରାଜ ଯୁଧିଷ୍ଠିର, ତାଙ୍କର ଚାରି ଭାଇ, ଧୃତରାଷ୍ଟ୍ର, ଯୁଯୁତ୍ସୁ, ସଂଜୟ, କୃପାଚାର୍ଯ୍ୟ, କୁନ୍ତୀ, ଗାନ୍ଧାରୀ, ଦ୍ରୌପଦୀ, ସୁଭଦ୍ରା, ଉତ୍ତରା, କୃପୀ, ତଥା ପାଣ୍ଡବ-ପରିବାରର ଅନ୍ୟ ନର-ନାରୀ ଏବଂ ନିଜ ପୁତ୍ରମାନଙ୍କ ସହ ଅନ୍ୟ ସ୍ତ୍ରୀମାନେ – ସମସ୍ତେ ଅତ୍ୟନ୍ତ ପ୍ରସନ୍ନ ହୋଇ, ସତେ ଯେପରି ସେମାନଙ୍କ ଶରୀରରେ ପ୍ରାଣ ଆସିଗଲା – ଏପରି ଅନୁଭବ କରି ତାଙ୍କର ବନ୍ଦନା କରିବା ନିମନ୍ତେ ସମ୍ମୁଖକୁ ଗଲେ | ଯଥାଯୋଗ୍ୟ ଆଲିଙ୍ଗନ ଏବଂ ପ୍ରଣାମ ଆଦି ଦ୍ବାରା ସମସ୍ତେ ତାଙ୍କ ସହିତ ମିଳିତ ହେଲେ | ବିରହଜନିତ ଉତ୍କଣ୍ଠାରେ କାତର ହୋଇ ସମସ୍ତେ ଅଶ୍ରୁମୋଚନ କରିବାରେ ଲାଗିଲେ | ଯୁଧିଷ୍ଠିର ତାଙ୍କୁ ଆସନରେ ବସାଇ ତାଙ୍କର ଯଥୋଚିତ ସତ୍କାର କଲେ |

ତଂ ଭୁକ୍ତବନ୍ତଂ ବିଶ୍ରାନ୍ତମାସୀନଂ ସୁଖମାସନେ ।

ପ୍ରଶ୍ରୟାବନତୋ ରାଜା ପ୍ରାହ ତେଷାଂ ଚ ଶୃଣ୍ୱତାମ୍ ॥ ୭॥

ଏହାପରେ ଭୋଜନ ଏବଂ ବିଶ୍ରାମ କରି ସେ ସୁଖପୂର୍ବକ ଆସନରେ ବିରାଜମାନ କରିଥିବା ବେଳେ ଅନ୍ୟ ସମସ୍ତଙ୍କ ଉପସ୍ଥିତିରେ ଅତ୍ୟନ୍ତ ବିନୟ ପୂର୍ବକ ଅବନତ ହୋଇ ଯୁଧିଷ୍ଠିର ତାଙ୍କୁ କହିଲେ -

ଯୁଧିଷ୍ଠିର ଉବାଚ

ଅପି ସ୍ମରଥ ନୋ ଯୁଷ୍ମତ୍ପକ୍ଷଚ୍ଛାୟାସମେଧିତାନ୍ ।

ବିପଦ୍ଗଣାଦ୍ୱିଷାଗ୍ନ୍ୟାଦେର୍ମୋଚିତା ଯତ୍ସମାତୃକାଃ ॥ ୮॥

ଯୁଧିଷ୍ଠିର କହିଲେ – କାକା ! ପକ୍ଷୀଟିଏ ଯେପରି ନିଜ ପକ୍ଷ ଛାୟାରେ ତାର ଅଣ୍ଡାକୁ ଉଷୁମ କରି ଶାବକର ଅଭିବୃଦ୍ଧି କରାଇ ଥାଏ, ଆପଣ ସେହିପରି ବାତ୍ସଲ୍ୟ ଭାବଯୁକ୍ତ କର-କମଳର ଛତ୍ରଛାୟାରେ ଆମ୍ଭମାନଙ୍କର ପାଳନ-ପୋଷଣ କରିଛନ୍ତି | ବାରମ୍ବାର ଆପଣ ଆମ୍ଭମାନଙ୍କୁ ଏବଂ ଆମର ମାତାଙ୍କୁ ବିଷଦାନ ଓ ଲାକ୍ଷାଗୃହ ଦହନ ପରି ଭୀଷଣ ବିପତ୍ତିରୁ ଉଦ୍ଧାର କରିଛନ୍ତି | ଯାତ୍ରାକାଳରେ ଆମ୍ଭମାନଙ୍କର କଥା ଆପଣଙ୍କର କଣ ମନେ ପଡୁଥିଲା ?

କୟା ବୃତ୍ତ୍ୟା ବର୍ତିତଂ ବଶ୍ଚରଦ୍ଭିଃ କ୍ଷିତିମଣ୍ଡଲମ୍ ।

ତୀର୍ଥାନି କ୍ଷେତ୍ରମୁଖ୍ୟାନି ସେବିତାନୀହ ଭୂତଲେ ॥ ୯॥

ପୃଥିବୀପୃଷ୍ଠରେ ବିଚରଣ କରୁଥିବା ସମୟରେ ଆପଣ କେଉଁ ଉପାୟରେ ନିଜର ଜୀବନ ନିର୍ବାହ କରୁଥିଲେ ? ପୃଥିବୀର କେଉଁ କେଉଁ ତୀର୍ଥ ଏବଂ ମୁଖ୍ୟ କ୍ଷେତ୍ର ଆପଣ ଦର୍ଶନ କଲେ ?

ଭବଦ୍ୱିଧା ଭାଗବତାସ୍ତୀର୍ଥଭୂତାଃ ସ୍ୱୟଂ ବିଭୋ ।

ତୀର୍ଥୀକୁର୍ୱନ୍ତି ତୀର୍ଥାନି ସ୍ୱାନ୍ତଃସ୍ଥେନ ଗଦାଭୃତା ॥ ୧୦॥

ହେ ପ୍ରଭୁ ! ଆପଣଙ୍କ ସଦୃଶ ଭଗବାନଙ୍କର ପ୍ରିୟ ଭକ୍ତ ସ୍ବୟଂ ତୀର୍ଥ-ରୂପ ଅଟନ୍ତି | ନିଜ ହୃଦୟରେ ବିରାଜମାନ ଭଗବାନଙ୍କ ଦ୍ବାରା ଆପଣମାନେ ତୀର୍ଥକୁ ମହାତୀର୍ଥରେ ପରିଣତ କରି ବିଚରଣ କରୁଥାଆନ୍ତି |

ଅପି ନଃ ସୁହୃଦସ୍ତାତ ବାନ୍ଧବାଃ କୃଷ୍ଣଦେବତାଃ ।

ଦୃଷ୍ଟାଃ ଶ୍ରୁତା ବା ଯଦବଃ ସ୍ୱପୁର୍ୟାଂ ସୁଖମାସତେ ॥ ୧୧॥

ହେ କନିଷ୍ଠ ତାତ ! ତୀର୍ଥଯାତ୍ରା କରିବାକୁ ଯାଇ ଆପଣ ଦ୍ବାରିକା ତ ନିଶ୍ଚୟ ଯାଇଥିବେ | ସେଠାରେ ଆମ୍ଭମାନଙ୍କର ସୁହୃଦ ଏବଂ ଭାଇ-ବନ୍ଧୁ ଯାଦବମାନେ, ଯାହାର ଆରାଧ୍ୟଦେବ ଏକମାତ୍ର ଶ୍ରୀକୃଷ୍ଣ ଅଟନ୍ତି, ସେମାନଙ୍କ ନଗରୀରେ ସୁଖରେ ଅଛନ୍ତି ତ ? ଆପଣ ଯଦି ସେଠାକୁ ଯାଇ ସେମାନଙ୍କୁ ଦେଖି ନ ଥିବେ, ତେବେ ସେମାନଙ୍କ ବିଷୟରେ ତ ନିଶ୍ଚୟ ଶୁଣିଥିବେ |

ଇତ୍ୟୁକ୍ତୋ ଧର୍ମରାଜେନ ସର୍ୱଂ ତତ୍ସମବର୍ଣୟତ୍ ।

ଯଥାନୁଭୂତଂ କ୍ରମଶୋ ବିନା ଯଦୁକୁଲକ୍ଷୟମ୍ ॥ ୧୨॥

ଯୁଧିଷ୍ଠିରଙ୍କର ଏପରି ପ୍ରଶ୍ନ ଶୁଣି ବିଦୁର ତାଙ୍କ ସମ୍ମୁଖରେ, କେବଳ ଯଦୁବଂଶ ବିନାଶ ବୃତ୍ତାନ୍ତ ବ୍ୟତିତ, ତୀର୍ଥ ତଥା ଯାଦବମାନଙ୍କ ବିଷୟରେ ଅନ୍ୟ ସବୁ କଥା କ୍ରମରେ ବର୍ଣ୍ଣନା କରିବାରେ ଲାଗିଲେ |

ନନ୍ୱପ୍ରିୟଂ ଦୁର୍ୱିଷହଂ ନୃଣାଂ ସ୍ୱୟମୁପସ୍ଥିତମ୍ ।

ନାବେଦୟତ୍ସକରୁଣୋ ଦୁଃଖିତାନ୍ ଦ୍ରଷ୍ଟୁମକ୍ଷମଃ ॥ ୧୩॥

କରୁଣହୃଦୟ ବିଦୁର ପାଣ୍ଡବମାନଙ୍କୁ ଦୁଃଖିତ ଦେଖି ପାରନ୍ତି ନାହିଁ | ସେଥିପାଇଁ ସେହି ଅପ୍ରିୟ ଏବଂ ଅସହ୍ୟ ଘଟଣା ସେ ପାଣ୍ଡବମାନଙ୍କୁ ଶୁଣାଇଲେ ନାହିଁ; ତାହା ତ ନିଶ୍ଚିତ ଭାବରେ ଦିନେ ପ୍ରକଟ ହେବ ହିଁ ହେବ |

କଞ୍ଚିତ୍କାଲମଥାବାତ୍ସୀତ୍ସତ୍କୃତୋ ଦେବବତ୍ସୁଖମ୍ ।

ଭ୍ରାତୁର୍ଜ୍ୟେଷ୍ଠସ୍ୟ ଶ୍ରେୟସ୍କୃତ୍ସର୍ୱେଷାଂ ପ୍ରୀତିମାବହନ୍ ॥ ୧୪॥

ବିଦୁରଙ୍କୁ ପାଣ୍ଡବମାନେ ଦେବତାତୁଲ୍ୟ ମନେକରି ତାଙ୍କର ସେବା-ସତ୍କାର କରୁଥିଲେ | କିଛି ଦିନ ସେ ନିଜ ଜ୍ୟେଷ୍ଠ ଭ୍ରାତା ଧୃତରାଷ୍ଟ୍ରଙ୍କ କଲ୍ୟାଣ-କାମନାରେ ସବୁ ଲୋକଙ୍କୁ ପ୍ରସନ୍ନ କରି ସୁଖପୂର୍ବକ ହସ୍ତୀନାପୁରରେ ନିବାସ କଲେ |

ଅବିଭ୍ରଦର୍ୟମା ଦଣ୍ଡଂ ଯଥାବଦଘକାରିଷୁ ।

ଯାବଦ୍ଦଧାର ଶୂଦ୍ରତ୍ୱଂ ଶାପାଦ୍ୱର୍ଷଶତଂ ଯମଃ ॥ ୧୫॥

ବିଦୁର ତ ସାକ୍ଷାତ ଧର୍ମରାଜ ଥିଲେ, ମାଣ୍ଡବ୍ୟ ଋଷିଙ୍କ ଅଭିଶାପରେ ସେ ଶହେ ବର୍ଷ ଯାଏଁ ଶୂଦ୍ର ହୋଇ ଯାଇଥିଲେ | ସେତେଦିନ ଯମରାଜ ପଦରେ ଅର୍ଯମା ଥିଲେ ଏବଂ ସେ ହିଁ ପାପୀମାନଙ୍କୁ ଯଥୋଚିତ ଦଣ୍ଡ ଦେଉଥିଲେ |

ଯୁଧିଷ୍ଠିରୋ ଲବ୍ଧରାଜ୍ୟୋ ଦୃଷ୍ଟ୍ୱା ପୌତ୍ରଂ କୁଲନ୍ଧରମ୍ ।

ଭ୍ରାତୃଭିର୍ଲୋକପାଲାଭୈର୍ମୁମୁଦେ ପରୟା ଶ୍ରିୟା ॥ ୧୬॥

ରାଜ୍ୟ ପ୍ରାପ୍ତ ହୋଇଯିବା ପରେ ନିଜର ଲୋକପାଳ ସଦୃଶ ଭାଇମାନଙ୍କ ସହିତ ରାଜା ଯୁଧିଷ୍ଠିର ତାଙ୍କ ବଂଶଧର ପରୀକ୍ଷିତ ଏବଂ ଅତୁଳ ସମ୍ପତ୍ତିକୁ ଦେଖି ଆନନ୍ଦରେ କାଳାତିପାତ କରିବାରେ ଲାଗିଲେ |

ଏବଂ ଗୃହେଷୁ ସକ୍ତାନାଂ ପ୍ରମତ୍ତାନାଂ ତଦୀହୟା ।

ଅତ୍ୟକ୍ରାମଦବିଜ୍ଞାତଃ କାଲଃ ପରମଦୁସ୍ତରଃ ॥ ୧୭॥

ଏହିପରି ଭାବରେ ପାଣ୍ଡବମାନେ ନିଜର ଗୃହସ୍ଥ କାମଧନ୍ଦାରେ ରତ ରହିଲେ ଏବଂ ପକ୍ଷାନ୍ତରରେ ଏହା ଭୁଲିଗଲେ ଯେ ଆମ ଅଜ୍ଞାତସାରରେ ଜୀବନ ଅହରହ ମୃତ୍ୟୁ ଅଭିମୁଖରେ ଧାବିତ ହେବାରେ ଲାଗିଛି | ଦେଖୁ ଦେଖୁ ସେହି ସମୟ ଆସି ଉପସ୍ଥିତ ହୋଇଗଲା ଯାହାକୁ କେହି ଟାଳି ପାରନ୍ତି ନାହିଁ |

ବିଦୁରସ୍ତଦଭିପ୍ରେତ୍ୟ ଧୃତରାଷ୍ଟ୍ରମଭାଷତ ।

ରାଜନ୍ ନିର୍ଗମ୍ୟତାଂ ଶୀଘ୍ରଂ ପଶ୍ୟେଦଂ ଭୟମାଗତମ୍ ॥ ୧୮॥

କିନ୍ତୁ କାଳର ଗତିକୁ ଜାଣି ବିଦୁର ନିଜ ଜ୍ୟେଷ୍ଠ ଭ୍ରାତା ଧୃତରାଷ୍ଟ୍ରଙ୍କୁ  କହିଲେ – ମହାରାଜ ! ଦେଖନ୍ତୁ, ଏବେ ବହୁତ ବଡ଼ ଭୟଙ୍କର ସମୟ ଆସିଯାଇଛି, ଅତିଶୀଘ୍ର ଏଠାରୁ ପ୍ରସ୍ଥାନ କରନ୍ତୁ |

ପ୍ରତିକ୍ରିୟା ନ ଯସ୍ୟେହ କୁତଶ୍ଚିତ୍କର୍ହିଚିତ୍ପ୍ରଭୋ ।

ସ ଏବ ଭଗବାନ୍ କାଲଃ ସର୍ୱେଷାଂ ନଃ ସମାଗତଃ ॥ ୧୯॥

ଆମ ସମସ୍ତଙ୍କ ମସ୍ତକ ଉପରେ ସର୍ବସମର୍ଥ କାଳ ଘୂରିବାକୁ ଆରମ୍ଭ କରିଛି, ଯାହା କବଳରୁ ମୁକ୍ତ ହେବାର କୌଣସି ଉପାୟ ନାହିଁ |

ଯେନ ଚୈବାଭିପନ୍ନୋଽୟଂ ପ୍ରାଣୈଃ ପ୍ରିୟତମୈରପି ।

ଜନଃ ସଦ୍ୟୋ ବିୟୁଜ୍ୟେତ କିମୁତାନ୍ୟୈର୍ଧନାଦିଭିଃ ॥ ୨୦॥

କାଳର କବଳିତ ହୋଇ ଜୀବ ନିଜ ପ୍ରିୟତମ ପ୍ରାଣଠାରୁ ମଧ୍ୟ ନିମିଷକରେ ବିୟୋଗ ହୋଇଯାଏ | ସେ କ୍ଷେତ୍ରରେ ଧନ, ଜନ ଆଦି ଅନ୍ୟ ବସ୍ତୁମାନଙ୍କର କଥା କଣ କହିବା |

ପିତୃଭ୍ରାତୃସୁହୃତ୍ପୁତ୍ରା ହତାସ୍ତେ ବିଗତଂ ବୟଃ ।

ଆତ୍ମା ଚ ଜରୟା ଗ୍ରସ୍ତଃ ପରଗେହମୁପାସସେ ॥ ୨୧॥

ଆପଣଙ୍କର ଜ୍ୟେଷ୍ଠ-କନିଷ୍ଠ ତାତ, ଭାଇ, ଜ୍ଞାତି-ସମ୍ବନ୍ଧୀ ଏବଂ ପୁତ୍ର ଆଦି ସମସ୍ତେ ମୃତ୍ୟୁବରଣ କରିଛନ୍ତି; ଆପଣଙ୍କର ନିଜର ଆୟୁ ସମାପ୍ତ ହେବାକୁ ବସିଲାଣି, ଶରୀର ବାର୍ଦ୍ଧକ୍ୟର ଶୀକାର ହୋଇଯାଇଛି, ଆପଣ ପର ଘରେ ପଡି ରହିଛନ୍ତି |

(ଅନ୍ଧଃ ପୁରୈବ ବଧିରୋ ମନ୍ଦପ୍ରଜ୍ଞଶ୍ଚ ସାମ୍ପ୍ରତମ୍ ।

ବିଶୀର୍ଣଦନ୍ତୋ ମନ୍ଦାଗ୍ନିଃ ସରାଗଃ କଫମୁଦ୍ୱହନ୍ ॥)

ଅହୋ ମହୀୟସୀ ଜନ୍ତୋର୍ଜୀବିତାଶା ଯଥା ଭବାନ୍ ।

ଭୀମାପବର୍ଜିତଂ ପିଣ୍ଡମାଦତ୍ତେ ଗୃହପାଲବତ୍ ॥ ୨୨॥

ହାୟ ! ପ୍ରାଣର ଏହି ଜୀବେଷ୍ଣା କେତେ ପ୍ରବଳ !! ଏହି କାରଣରୁ ତ ଆପଣ ଭୀମଙ୍କ ଦ୍ବାରା ପ୍ରଦତ୍ତ ଅନ୍ନ ଭକ୍ଷଣ କରି ଶ୍ବାନବତ୍ ଜୀବନ ଅତିବାହିତ କରୁଛନ୍ତି |

ଅଗ୍ନିର୍ନିସୃଷ୍ଟୋ ଦତ୍ତଶ୍ଚ ଗରୋ ଦାରାଶ୍ଚ ଦୂଷିତାଃ ।

ହୃତଂ କ୍ଷେତ୍ରଂ ଧନଂ ଯେଷାଂ ତଦ୍ଦତ୍ତୈରସୁଭିଃ କିୟତ୍ ॥ ୨୩॥

ଯେଉଁମାନଙ୍କୁ ଆପଣ ଅଗ୍ନିରେ ଦହନ କରିବାକୁ ଚେଷ୍ଟା କରିଥିଲେ, ବିଷ ଦେଇ ମାରିବାକୁ ଇଚ୍ଛା କରିଥିଲେ, ପୂରା ସଭାରେ ଯାହାର ବିବାହିତା ପତ୍ନୀକୁ ଆପଣ ଅପମାନିତ କରିବାକୁ ପ୍ରୟାସ କରିଥିଲେ, ଯେଉଁମାନଙ୍କଠାରୁ ଆପଣ ଭୂମି ଏବଂ ଧନ ଛଡାଇ ନେଇଥିଲେ, ଆଜି ସେହିମାନଙ୍କ ଅନ୍ନରେ ପ୍ରତିପାଳିତ ଏହି ପ୍ରାଣରେ କି ଗୌରବ ରହିଛି ?

ତସ୍ୟାପି ତବ ଦେହୋଽୟଂ କୃପଣସ୍ୟ ଜିଜୀବିଷୋଃ ।

ପରୈତ୍ୟନିଚ୍ଛତୋ ଜୀର୍ଣୋ ଜରୟା ବାସସୀ ଇବ ॥ ୨୪॥

ଆପଣଙ୍କର ଅଜ୍ଞାନ ସୀମାତିରିକ୍ତ ହୋଇଯାଇଛି, ତଥାପି ଆପଣ ବଞ୍ଚିବାକୁ ଇଚ୍ଛା କରୁଛନ୍ତି | କିନ୍ତୁ ଆପଣଙ୍କର ଇଚ୍ଛା କରିବାରେ କଣ ଅଛି, ପୁରୁଣା ବସ୍ତ୍ର ପରି ବାର୍ଦ୍ଧକ୍ୟଗ୍ରସ୍ତ ଆପଣଙ୍କର ଏହି ଶରୀର ଆପଣଙ୍କ ବିନା ଇଚ୍ଛାରେ କ୍ଷୀଣ ହେବାରେ ଲାଗିଛି |

ଗତସ୍ୱାର୍ଥମିମଂ ଦେହଂ ବିରକ୍ତୋ ମୁକ୍ତବନ୍ଧନଃ ।

ଅବିଜ୍ଞାତଗତିର୍ଜହ୍ୟାତ୍ସ ବୈ ଧୀର ଉଦାହୃତଃ ॥ ୨୫॥

ଏବେ ଏହି ଶରୀର ଦ୍ବାରା ଆପଣଙ୍କର କୌଣସି ସ୍ବାର୍ଥ ସାଧିତ ହେବାର ନାହିଁ | ତେଣୁ ଏଥିରେ ଆସକ୍ତ ହୁଅନ୍ତୁ ନାହିଁ, ଏହାର ମମତା ବନ୍ଧନକୁ ଛିନ୍ନ କରନ୍ତୁ | ସାଂସାରିକ ସମ୍ବନ୍ଧୀମାନଙ୍କଠାରୁ ପୃଥକ ରହି ସେମାନଙ୍କ ଅଗୋଚରରେ ଯିଏ ଶରୀର ତ୍ୟାଗ କରନ୍ତି, ତାଙ୍କୁ ହିଁ ଧୀର ପୁରୁଷ କୁହାଯିବ |

ଯଃ ସ୍ୱକାତ୍ପରତୋ ବେହ ଜାତନିର୍ୱେଦ ଆତ୍ମବାନ୍ ।

ହୃଦି କୃତ୍ୱା ହରିଂ ଗେହାତ୍ପ୍ରବ୍ରଜେତ୍ସ ନରୋତ୍ତମଃ ॥ ୨୬॥

ନିଜ ବୁଦ୍ଧିରେ ବା ଅନ୍ୟ କାହାର ପ୍ରେରଣାରେ ଯିଏ ଏହି ସଂସାରକୁ ଦୁଃଖ-ରୂପ ଜାଣି ତହିଁରୁ ବିରକ୍ତ ହୋଇଯାଆନ୍ତି ଏବଂ ଅନ୍ତଃକରଣକୁ ସଂଯମିତ କରି, ହୃଦୟରେ ଭଗବାନଙ୍କୁ ଧାରଣ କରି ସନ୍ୟାସ ଗ୍ରହଣ କରିବା ଅଭିପ୍ରାୟରେ ଗୃହତ୍ୟାଗ କରିଥାଆନ୍ତି, ସେ ହିଁ ଉତ୍ତମ ମନୁଷ୍ୟ ଅଟନ୍ତି |

ଅଥୋଦୀଚୀଂ ଦିଶଂ ଯାତୁ ସ୍ୱୈରଜ୍ଞାତଗତିର୍ଭବାନ୍ ।

ଇତୋଽର୍ୱାକ୍ ପ୍ରାୟଶଃ କାଲଃ ପୁଂସାଂ ଗୁଣବିକର୍ଷଣଃ ॥ ୨୭॥

ଆଗକୁ ଯେଉଁ ସମୟ ଆସିବ, ତାହା ପ୍ରାୟତଃ ମନୁଷ୍ୟର ଗୁଣ କ୍ଷୟକାରୀ ହେବ; ତେଣୁ ଆପଣ ନିଜ ଜ୍ଞାତି-କୁଟୁମ୍ବଙ୍କଠାରୁ ଲୁଚି-ଛପି ଉତ୍ତରାଖଣ୍ଡକୁ ଚାଲିଯାଆନ୍ତୁ |

ଏବଂ ରାଜା ବିଦୁରେଣାନୁଜେନ

ପ୍ରଜ୍ଞାଚକ୍ଷୁର୍ବୋଧିତ ଆଜମୀଢଃ ।

ଛିତ୍ତ୍ୱା ସ୍ୱେଷୁ ସ୍ନେହପାଶାନ୍ ଦ୍ରଢିମ୍ନୋ

ନିଶ୍ଚକ୍ରାମ ଭ୍ରାତୃସନ୍ଦର୍ଶିତାଧ୍ୱା ॥ ୨୮॥

କନିଷ୍ଠ ଭ୍ରାତା ବିଦୁର ଯେତେବେଳେ ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କୁ ଏପରି ବୁଝାଇ କହିଲେ, ସେତେବେଳେ ତାଙ୍କର ପ୍ରଜ୍ଞା ଚକ୍ଷୁ ଖୋଲିଗଲା ଏବଂ ସେ ନିଜ ଭାଇ-ବନ୍ଧୁଙ୍କର ସୁଦୃଢ ସ୍ନେହ-ପାଶକୁ ଛିନ୍ନ କରି ବିଦୁରଙ୍କ ଦ୍ବାରା ପ୍ରଦର୍ଶିତ ମାର୍ଗର ଅନୁସରଣ କରିବାକୁ ଉଦ୍ୟତ ହେଲେ |

ପତିଂ ପ୍ରୟାନ୍ତଂ ସୁବଲସ୍ୟ ପୁତ୍ରୀ

ପତିବ୍ରତା ଚାନୁଜଗାମ ସାଧ୍ୱୀ ।

ହିମାଲୟଂ ନ୍ୟସ୍ତଦଣ୍ଡପ୍ରହର୍ଷଂ

ମନସ୍ୱିନାମିବ ସତ୍ସମ୍ପ୍ରହାରଃ ॥ ୨୯॥

ପରମ ପତିବ୍ରତା ସୁବଳନନ୍ଦିନୀ ଗାନ୍ଧାରୀ ଯେତେବେଳେ ଦେଖିଲେ ଯେ ତାଙ୍କର ପତିଦେବ ସେହି ହିମାଳୟ ଅଭିମୁଖରେ ଯାତ୍ରା କରୁଛନ୍ତି, ଯାହା ସନ୍ୟାସୀମାନଙ୍କୁ ସେହିପରି ସୁଖ ଦେଇଥାଏ ଯେପରି ସୁଖ ଜଣେ ବୀର ପୁରୁଷଙ୍କୁ ଯୁଦ୍ଧକ୍ଷେତ୍ରରେ ନିଜର ଶତ୍ରୁକୁ ନ୍ୟାୟୋଚିତ ପ୍ରହାର କରିବା ଦ୍ବାରା ମିଳିଥାଏ, ସେତେବେଳେ ସେ ମଧ୍ୟ ତାଙ୍କର ଅନୁଗମନ କଲେ |

ଅଜାତଶତ୍ରୁଃ କୃତମୈତ୍ରୋ ହୁତାଗ୍ନି-

ର୍ୱିପ୍ରାନ୍ନତ୍ୱା ତିଲଗୋଭୂମିରୁକ୍ମୈଃ ।

ଗୃହଂ ପ୍ରବିଷ୍ଟୋ ଗୁରୁବନ୍ଦନାୟ

ନ ଚାପଶ୍ୟତ୍ପିତରୌ ସୌବଲୀଂ ଚ ॥ ୩୦॥

ଅଜାତଶତ୍ରୁ ଯୁଧିଷ୍ଠିର ପ୍ରାତଃକାଳରେ ସନ୍ଧ୍ୟାବନ୍ଦନ ଏବଂ ଅଗ୍ନିହୋତ୍ର ସମାପନ କରି ବ୍ରାହ୍ମଣମାନଙ୍କୁ ପ୍ରଣାମ କଲେ ଏବଂ ସେମାନଙ୍କୁ ତିଳ, ଗୋ, ଭୂମି, ସୁବର୍ଣ୍ଣ ଦାନ କଲେ | ତାପରେ ଯେତେବେଳେ ସେ ଗୁରୁଜନମାନଙ୍କର ଚରଣବନ୍ଦନ କରିବାକୁ ରାଜମହଲକୁ ଗଲେ, ସେତେବେଳେ ତାଙ୍କୁ ଧୃତରାଷ୍ଟ୍ର, ବିଦୁର ଏବଂ ଗାନ୍ଧାରୀଙ୍କର ଦର୍ଶନ ମିଳିଲା ନାହିଁ |

ତତ୍ର ସଞ୍ଜୟମାସୀନଂ ପପ୍ରଚ୍ଛୋଦ୍ୱିଗ୍ନମାନସଃ ।

ଗାବଲ୍ଗଣେ କ୍ୱ ନସ୍ତାତୋ ବୃଦ୍ଧୋ ହୀନଶ୍ଚ ନେତ୍ରୟୋଃ ॥ ୩୧॥

ଉଦ୍ବିଗ୍ନ ଚିତ୍ତରେ ଯୁଧିଷ୍ଠିର ସେଠାରେ ଉପସ୍ଥିତ ଥିବା ସଂଜୟଙ୍କୁ ପଚାରିଲେ – ହେ ସଂଜୟ ! ମୋର ବୃଦ୍ଧ ଏବଂ ନେତ୍ରହୀନ ପିତା କାହାଁନ୍ତି ?

ଅମ୍ବା ଚ ହତପୁତ୍ରାଽଽର୍ତା ପିତୃବ୍ୟଃ କ୍ୱ ଗତଃ ସୁହୃତ୍ ।

ଅପି ମୟ୍ୟକୃତପ୍ରଜ୍ଞେ ହତବନ୍ଧୁଃ ସ ଭାର୍ୟଯା ।

ଆଶଂସମାନଃ ଶମଲଂ ଗଙ୍ଗାୟାଂ ଦୁଃଖିତୋପତତ୍ ॥ ୩୨॥

ପୁତ୍ରଶୋକରେ ପୀଡିତା ମୋର ଦୁଃଖୀ ମାତା ଗାନ୍ଧାରୀ ଏବଂ ମୋର ପରମ ହିତୈଷୀ କାକା ବିଦୁର କେଉଁଠିକୁ ଚାଲିଗଲେ ? ନିଜ ପୁତ୍ର ଏବଂ ବନ୍ଧୁ-ବାନ୍ଧବଙ୍କ ମୃତ୍ୟୁରେ ଜ୍ୟେଷ୍ଠ ପିତା ଅତ୍ୟନ୍ତ ଦୁଃଖୀ ଥିଲେ | ମୁଁ ମନ୍ଦବୁଦ୍ଧି, କେଜାଣି ମୋ ଦ୍ବାରା କିଛି ଅପରାଧର ଆଶଙ୍କାରେ ସେ ମାତା ଗାନ୍ଧାରୀଙ୍କ ସହିତ ଗଙ୍ଗାନଦୀରେ ଝାସ ଦେଇ ନାହାଁନ୍ତି ତ ?

ପିତର୍ୟୁପରତେ ପାଣ୍ଡୌ ସର୍ୱାନ୍ ନଃ ସୁହୃଦଃ ଶିଶୂନ୍ ।

ଅରକ୍ଷତାଂ ବ୍ୟସନତଃ ପିତୃବ୍ୟୌ କ୍ୱ ଗତାବିତଃ ॥ ୩୩॥

ଆମ୍ଭମାନଙ୍କର ପିତା ପାଣ୍ଡୁ ଯେତେବେଳେ ମୃତ୍ୟୁବରଣ କରିଥିଲେ, ଆମ୍ଭେମାନେ ସେତେବେଳେ ଛୋଟ ଛୋଟ ବାଳକ ଥିଲୁ | ସେହି ସମୟରେ ଏହି ଦୁଇ ତାତ ବଡ-ବଡ଼ ଦୁଃଖରୁ ଆମ୍ଭମାନଙ୍କୁ ଉଦ୍ଧାର କରିଥିଲେ | ସେମାନେ ଆମ୍ଭମାନଙ୍କୁ ଅତ୍ୟଧିକ ସ୍ନେହ କରୁଥିଲେ | ଏବେ ସେମାନେ ଏଠାରୁ କେଉଁଠିକୁ ଚାଲିଗଲେ ?

ସୂତ ଉବାଚ

କୃପୟା ସ୍ନେହବୈକ୍ଲବ୍ୟାତ୍ସୂତୋ ବିରହକର୍ଶିତଃ ।

ଆତ୍ମେଶ୍ୱରମଚକ୍ଷାଣୋ ନ ପ୍ରତ୍ୟାହାତିପୀଡିତଃ ॥ ୩୪॥

ସୂତ ମୁନି କହୁଛନ୍ତି – ସଂଜୟ ନିଜ ସ୍ବାମୀ ଧୃତରାଷ୍ଟ୍ରଙ୍କୁ ନ ପାଇ ସ୍ନେହ ବିକଳତାରେ ଅତ୍ୟନ୍ତ ପୀଡିତ ଏବଂ ବିରହାତୁର ହୋଇ ଉଠିଥିଲେ | ସେ ଯୁଧିଷ୍ଠିରଙ୍କୁ କିଛି ଉତ୍ତର ଦେଇ ପାରିଲେ ନାହିଁ |

ବିମୃଜ୍ୟାଶ୍ରୂଣି ପାଣିଭ୍ୟାଂ ବିଷ୍ଟଭ୍ୟାତ୍ମାନମାତ୍ମନା ।

ଅଜାତଶତ୍ରୁଂ ପ୍ରତ୍ୟୂଚେ ପ୍ରଭୋଃ ପାଦାବନୁସ୍ମରନ୍ ॥ ୩୫॥

ତାପରେ ଧୀରେ ଧୀରେ ବୁଦ୍ଧି ଦ୍ବାରା ସେ ନିଜର ଚିତ୍ତକୁ ସ୍ଥିର କଲେ, ଆଖିର ଲୁହକୁ ହାତରେ ପୋଛିଲେ ଏବଂ ନିଜ ସ୍ବାମୀ ଧୃତରାଷ୍ଟ୍ରଙ୍କ ଚରଣର ସ୍ମରଣ କରି ଯୁଧିଷ୍ଠିରଙ୍କୁ ଏହିପରି କହିଲେ -

ସଞ୍ଜୟ ଉବାଚ

ନାହଂ ବେଦ ବ୍ୟବସିତଂ ପିତ୍ରୋର୍ୱଃ କୁଲନନ୍ଦନ ।

ଗାନ୍ଧାର୍ୟା ବା ମହାବାହୋ ମୁଷିତୋଽସ୍ମି ମହାତ୍ମଭିଃ ॥ ୩୬॥

ସଂଜୟ କହିଲେ – ହେ କୁଳନନ୍ଦନ ! ଆପଣଙ୍କର ଦୁଇ ତାତ ଏବଂ ଗାନ୍ଧାରୀଙ୍କର ସଂକଳ୍ପ ବିଷୟରେ ମୁଁ କିଛି ବି ଜାଣିନାହିଁ | ହେ ମହାବାହୁ ! ସେହି ମହାତ୍ମାମାନେ ମୋତେ ଠକି ଦେଲେ |

ଅଥାଜଗାମ ଭଗବାନ୍ ନାରଦଃ ସହ ତୁମ୍ବୁରୁଃ ।

ପ୍ରତ୍ୟୁତ୍ଥାୟାଭିବାଦ୍ୟାହ ସାନୁଜୋଽଭ୍ୟର୍ଚୟନ୍ନିବ ॥ ୩୭॥

ସଂଜୟ ଏହିପରି କହୁଥିବା ବେଳେ ହାତରେ ବୀଣା ଧରି ଦେବର୍ଷି ନାରଦ ଆସି ସେଠାରେ ପହଞ୍ଚିଲେ | ଭାଇମାନଙ୍କ ସହିତ ମହାରାଜ ଯୁଧିଷ୍ଠିର ଆସନରୁ ଉଠି ତାଙ୍କୁ ପ୍ରଣାମ କଲେ ଏବଂ ସମ୍ମାନ କରି ତାଙ୍କୁ କହିଲେ |

ଯୁଧିଷ୍ଠିର ଉବାଚ

ନାହଂ ବେଦ ଗତିଂ ପିତ୍ରୋର୍ଭଗବନ୍ କ୍ୱ ଗତାବିତଃ ।

ଅମ୍ବା ବା ହତପୁତ୍ରାଽଽର୍ତା କ୍ୱ ଗତା ଚ ତପସ୍ୱିନୀ ॥ ୩୮॥

ଯୁଧିଷ୍ଠିର କହିଲେ – ହେ ପ୍ରଭୁ ! ମୁଁ ନିଜର ତାତ ଦ୍ବୟଙ୍କୁ ଖୋଜି ପାଉନାହିଁ; କେଜାଣି ସେ ଦୁହେଁ ଏବଂ ପୁତ୍ରଶୋକରେ ବ୍ୟଥିତା ତପସ୍ବିନୀ ମାତା ଗାନ୍ଧାରୀ ଏଠାରୁ କେଉଁଠିକୁ ଚାଲିଗଲେ |

କର୍ଣଧାର ଇବାପାରେ ଭଗବାନ୍ ପାରଦର୍ଶକଃ ।

ଅଥାବଭାଷେ ଭଗବାନ୍ନାରଦୋ ମୁନିସତ୍ତମଃ ॥ ୩୯॥

ହେ ପ୍ରଭୁ ! ଅପାର ସମୁଦ୍ରରେ କର୍ଣ୍ଣଧାର ସଦୃଶ ଆପଣ ହିଁ ଆମର ପଥ ପ୍ରଦର୍ଶକ ଅଟନ୍ତି | ତାପରେ ଭଗବାନଙ୍କର ପରମ ଭକ୍ତ ଭଗବନ୍ମୟ ଦେବର୍ଷି ନାରଦ କହିଲେ -

ମା କଞ୍ଚନ ଶୁଚୋ ରାଜନ୍ ଯଦୀଶ୍ୱରବଶଂ ଜଗତ୍ ।

ଲୋକାଃ ସପାଲା ଯସ୍ୟେମେ ବହନ୍ତି ବଲିମୀଶିତୁଃ ।

ସ ସଂୟୁନକ୍ତି ଭୂତାନି ସ ଏବ ବିୟୁନକ୍ତି ଚ ॥ ୪୦॥

ହେ ଧର୍ମରାଜ ! ତୁମେ କାହା ପାଇଁ ଶୋକ କରନାହିଁ କାରଣ ଏହି ସାରା ଜଗତ ଈଶ୍ବରଙ୍କର ଅଧୀନସ୍ତ ଅଟେ | ସମସ୍ତ ଲୋକ ଏବଂ ଲୋକପାଳ ବିବଶ ହୋଇ ଈଶ୍ବରଙ୍କ ଆଜ୍ଞାର ହିଁ ପାଳନ କରିଥାଆନ୍ତି | ସେ ହିଁ ଗୋଟିଏ ପ୍ରାଣୀକୁ ଅନ୍ୟ ପ୍ରାଣୀ ସହିତ ମିଳିତ କରାଇ ଥାଆନ୍ତି ଏବଂ ସେ ହିଁ ସେମାନଙ୍କୁ ପୃଥକ୍ କରିଥାଆନ୍ତି |

ଯଥା ଗାବୋ ନସି ପ୍ରୋତାସ୍ତନ୍ତ୍ୟାଂ ବଦ୍ଧାଶ୍ଚ ଦାମଭିଃ ।

ବାକ୍ତନ୍ତ୍ୟାଂ ନାମଭିର୍ବଦ୍ଧା ବହନ୍ତି ବଲିମୀଶିତୁଃ ॥ ୪୧॥

ବଳଦଟିଏ ଯେପରି ବେକରେ ବଡ଼ ପଘା ଏବଂ ନାକରେ ଛୋଟ ପଘା ଲଗାଇ ନିଜ ମାଲିକର ଭାର ବୋହୁଥାଏ, ସେହିପରି ମନୁଷ୍ୟ ବର୍ଣ୍ଣାଶ୍ରମାଦି ଅନେକ ପ୍ରକାରର ନିୟମ ମାଧ୍ୟମରେ ବେଦରୂପୀ ଦଉଡିରେ ବାନ୍ଧି ହୋଇ ଈଶ୍ବରଙ୍କ ଆଜ୍ଞାର ହିଁ ଅନୁସରଣ କରିଥାଏ |

ଯଥା କ୍ରୀଡୋପସ୍କରାଣାଂ ସଂୟୋଗବିଗମାବିହ ।

ଇଚ୍ଛୟା କ୍ରୀଡିତୁଃ ସ୍ୟାତାଂ ତଥୈବେଶେଚ୍ଛୟା ନୃଣାମ୍ ॥ ୪୨॥

ସଂସାରରେ ଯେପରି ଖେଳାଳୀର ଇଚ୍ଛା ଅନୁଯାୟୀ ଖେଳଣାର ସଂଯୋଗ ଏବଂ ବିଯୋଗ ହୋଇଥାଏ, ସେହିପରି ଭଗବାନଙ୍କ ଇଚ୍ଛାରେ ହିଁ ମନୁଷ୍ୟର ମିଳନ-ବିୟୋଗ ଘଟିଥାଏ |

ଯନ୍ମନ୍ୟସେ ଧ୍ରୁବଂ ଲୋକମଧ୍ରୁବଂ ବା ନ ଚୋଭୟମ୍ ।

ସର୍ୱଥା ନ ହି ଶୋଚ୍ୟାସ୍ତେ ସ୍ନେହାଦନ୍ୟତ୍ର ମୋହଜାତ୍ ॥ ୪୩॥

ତୁମେ ମନୁଷ୍ୟକୁ ଜୀବରୂପରେ ନିତ୍ୟ ମାନ, ଦେହରୂପରେ ଅନିତ୍ୟ ମାନ; ଜଡରୂପରେ ଅନିତ୍ୟ ଏବଂ ଚୈତନ୍ୟ ରୂପରେ ନିତ୍ୟ ମାନ ଅଥବା ଶୁଦ୍ଧ ବ୍ରହ୍ମରୂପରେ ନିତ୍ୟ-ଅନିତ୍ୟ କିଛି ବି ନ ମାନ – କୌଣସି ସ୍ଥିତିରେ ସେ ମୋହଜନ୍ୟ ଆସକ୍ତି ଅତିରିକ୍ତ ଶୋକର ଯୋଗ୍ୟ ନୁହେଁ |

ତସ୍ମାଜ୍ଜହ୍ୟଙ୍ଗ ବୈକ୍ଲବ୍ୟମଜ୍ଞାନକୃତମାତ୍ମନଃ ।

କଥଂ ତ୍ୱନାଥାଃ କୃପଣା ବର୍ତେରଂସ୍ତେ ଚ ମାଂ ବିନା ॥ ୪୪॥

ତେଣୁ ହେ ଧର୍ମରାଜ ! ‘ମୋର ସେହି ଦୀନ-ଦୁଃଖୀ ତାତ ଏବଂ ମାତା ମୋ ବିନା ଅସହାୟ ଅବସ୍ଥାରେ କିପରି ରହିବେ’ – ତୁମ ନିଜ ମନର ଏହି ଅଜ୍ଞାନଜନ୍ୟ ବିକଳତା ତ୍ୟାଗ କର |

କାଲକର୍ମଗୁଣାଧୀନୋ ଦେହୋଽୟଂ ପାଞ୍ଚଭୌତିକଃ ।

କଥମନ୍ୟାଂସ୍ତୁ ଗୋପାୟେତ୍ସର୍ପଗ୍ରସ୍ତୋ ଯଥା ପରମ୍ ॥ ୪୫॥

ଏହି ପଂଚଭୌତିକ ଶରୀର କାଳ, କର୍ମ ଓ ଗୁଣର ଅଧୀନସ୍ତ ଅଟେ | ଅଜଗର ମୁଖରେ ରହିଥିବା ଏହି ପରାଧୀନ ଶରୀର ଭଲା ଅନ୍ୟ କାହାର ରକ୍ଷା କିପରି କରିବ |

ଅହସ୍ତାନି ସହସ୍ତାନାମପଦାନି ଚତୁଷ୍ପଦାମ୍ ।

ଫଲ୍ଗୂନି ତତ୍ର ମହତାଂ ଜୀବୋ ଜୀବସ୍ୟ ଜୀବନମ୍ ॥ ୪୬॥

ହାତ ଥିବା ଜୀବର ହାତ ନ ଥିବା ଜୀବ, ଚାରି ପାଦ ଥିବା ପଶୁମାନଙ୍କର ପାଦ ନ ଥିବା ଜୀବ (ତୃଣାଦି) ଏବଂ ସେମାନଙ୍କ ମଧ୍ୟରେ ବି ବଡ଼-ବଡ଼ ଜୀବମାନଙ୍କର ଛୋଟ ଜୀବ ଆହାର ଅଟନ୍ତି | ଏହିପରି ଭାବରେ ଗୋଟିଏ ଜୀବ ଅନ୍ୟ ଜୀବର ଜୀବନର କାରଣ ହୋଇଥାଏ |

ତଦିଦଂ ଭଗବାନ୍ ରାଜନ୍ନେକ ଆତ୍ମାଽଽତ୍ମନାଂ ସ୍ୱଦୃକ୍ ।

ଅନ୍ତରୋଽନନ୍ତରୋ ଭାତି ପଶ୍ୟ ତଂ ମାୟଯୋରୁଧା ॥ ୪୭॥

ଏହି ସମସ୍ତ ରୂପରେ ଜୀବର ବାହାରେ-ଭିତରେ ସେହି ଏକ ସ୍ବୟଂପ୍ରକାଶ ଭଗବାନ, ଯିଏ ସମସ୍ତ ଆତ୍ମାର ଆତ୍ମା ଅଟନ୍ତି, ମାୟାକୁ ଆଶ୍ରୟ କରି ଅନେକ ରୂପରେ ପ୍ରକଟ ହୋଇଛନ୍ତି | ତୁମେ କେବଳ ତାଙ୍କୁ ହିଁ ଦେଖ |

ସୋଽୟମଦ୍ୟ ମହାରାଜ ଭଗବାନ୍ ଭୂତଭାବନଃ ।

କାଲରୂପୋଽବତୀର୍ଣୋଽସ୍ୟାମଭାବାୟ ସୁରଦ୍ୱିଷାମ୍ ॥ ୪୮॥

ମହାରାଜ | ସମଗ୍ର ପ୍ରାଣୀସମୁଦାୟକୁ ଜୀବନଦାନ ଦେଉଥିବା ସେହି ଭଗବାନ ବର୍ତ୍ତମାନ ଦେବଦ୍ରୋହୀମାନଙ୍କୁ ନାଶ କରିବା ନିମନ୍ତେ କାଳରୂପରେ ପୃଥିବୀପୃଷ୍ଠରେ ଅବତୀର୍ଣ୍ଣ ହୋଇଛନ୍ତି |

ନିଷ୍ପାଦିତଂ ଦେବକୃତ୍ୟମବଶେଷଂ ପ୍ରତୀକ୍ଷତେ ।

ତାବଦ୍ୟୂୟମବେକ୍ଷଧ୍ୱଂ ଭବେଦ୍ୟାବଦିହେଶ୍ୱରଃ ॥ ୪୯॥

ଏବେ ସେ ଦେବତାମାନଙ୍କର କାର୍ଯ୍ୟ ପୂର୍ଣ୍ଣ କରିସାରିଛନ୍ତି | ଅଳ୍ପ କିଛି କାମ ଅବଶିଷ୍ଟ ଅଛି, ସେଥିପାଇଁ ସେ ଅଟକି ରହିଛନ୍ତି | ଯେତେଦିନ ସେହି ପ୍ରଭୁ ଏଠାରେ ଅଛନ୍ତି, ସେତେଦିନ ଯାଏଁ ତୁମ୍ଭେମାନେ ତାଙ୍କର ପ୍ରତୀକ୍ଷା କରୁଥାଅ |

ଧୃତରାଷ୍ଟ୍ରଃ ସହ ଭ୍ରାତ୍ରା ଗାନ୍ଧାର୍ୟା ଚ ସ୍ୱଭାର୍ୟଯା ।

ଦକ୍ଷିଣେନ ହିମବତ ଋଷୀଣାମାଶ୍ରମଂ ଗତଃ ॥ ୫୦॥

ସ୍ରୋତୋଭିଃ ସପ୍ତଭିର୍ୟା ବୈ ସ୍ୱର୍ଧୁନୀ ସପ୍ତଧା ବ୍ୟଧାତ୍ ।

ସପ୍ତାନାଂ ପ୍ରୀତୟେ ନାନା ସପ୍ତସ୍ରୋତଃ ପ୍ରଚକ୍ଷତେ ॥ ୫୧॥

ହେ ଧର୍ମରାଜ | ହିମାଳୟର ଦକ୍ଷିଣ ଭାଗରେ, ଯେଉଁଠାରେ ସପ୍ତର୍ଷିଙ୍କର ପ୍ରସନ୍ନତା ନିମନ୍ତେ ଗଙ୍ଗାଜୀ ସାତଟି ଭିନ୍ନ ଭିନ୍ନ ଧାରାରେ ପ୍ରବାହିତ ହୋଇ ନିଜକୁ ସାତ ଭାଗରେ ବିଭକ୍ତ କରିଛନ୍ତି, ଯାହାକୁ ସପ୍ତସ୍ରୋତ କହନ୍ତି, ସେହିଠାରେ ଋଷିମାନଙ୍କ ଆଶ୍ରମରେ ଧୃତରାଷ୍ଟ୍ର ନିଜ ପତ୍ନୀ ଗାନ୍ଧାରୀ ଏବଂ ବିଦୁରଙ୍କ ସହିତ ଅଛନ୍ତି |

ସ୍ନାତ୍ୱାନୁସବନଂ ତସ୍ମିନ୍ ହୁତ୍ୱା ଚାଗ୍ନୀନ୍ ଯଥାବିଧି ।

ଅବ୍ଭକ୍ଷ ଉପଶାନ୍ତାତ୍ମା ସ ଆସ୍ତେ ବିଗତୈଷଣଃ ॥ ୫୨॥

ସେଠାରେ ସେ ତ୍ରିକାଳ ସ୍ନାନ ଏବଂ ବିଧିପୂର୍ବକ ଅଗ୍ନିହୋତ୍ର କରୁଛନ୍ତି | ଏବେ ତାଙ୍କ ଚିତ୍ତରେ କୌଣସି ପ୍ରକାରର କାମନା ନାହିଁ; ସେ କେବଳ ଜଳ ପାନ କରି ଶାନ୍ତଚିତ୍ତରେ ନିବାସ କରୁଛନ୍ତି |

ଜିତାସନୋ ଜିତଶ୍ୱାସଃ ପ୍ରତ୍ୟାହୃତଷଡିନ୍ଦ୍ରିୟଃ ।

ହରିଭାବନୟା ଧ୍ୱସ୍ତରଜଃସତ୍ତ୍ୱତମୋମଲଃ ॥ ୫୩॥

ଆସନ ଦ୍ବାରା ପ୍ରାଣକୁ ବଶୀଭୂତ କରି ସେ ନିଜର ଷଡ ଇନ୍ଦ୍ରିୟଙ୍କୁ ବିଷୟରୁ ପ୍ରତ୍ୟାହୃତ କରି ନେଇଛନ୍ତି | ଭଗବାନଙ୍କ ଧାରଣାରେ ତାଙ୍କର ତମୋଗୁଣ, ରଜୋଗୁଣ ଓ ସତ୍ତ୍ବଗୁଣର ସମସ୍ତ ବିକାର ନଷ୍ଟ ହୋଇଯାଇଛି |

ବିଜ୍ଞାନାତ୍ମନି ସଂୟୋଜ୍ୟ କ୍ଷେତ୍ରଜ୍ଞେ ପ୍ରବିଲାପ୍ୟ ତମ୍ ।

ବ୍ରହ୍ମଣ୍ୟାତ୍ମାନମାଧାରେ ଘଟାମ୍ବରମିବାମ୍ବରେ ॥ ୫୪॥

ଧ୍ୱସ୍ତମାୟାଗୁଣୋଦର୍କୋ ନିରୁଦ୍ଧକରଣାଶୟଃ ।

ନିବର୍ତିତାଖିଲାହାର ଆସ୍ତେ ସ୍ଥାଣୁରିବାଚଲଃ ।

ତସ୍ୟାନ୍ତରାୟୋ ମୈବାଭୂଃ ସନ୍ନ୍ନ୍ୟସ୍ତାଖିଲକର୍ମଣଃ ॥ ୫୫॥

ସେ ଅହଂକାରକୁ ବୁଦ୍ଧି ସହିତ ଯୋଡି ତାହାକୁ ଆତ୍ମାରେ ଲୀନ କରି ଦେଇଛନ୍ତି ଏବଂ ଘଟାକାଶ ମହାକାଶରେ ଲୀନ ହୋଇଯିବା ପରି, ତାହାକୁ ସର୍ବାଧିଷ୍ଠାନ ବ୍ରହ୍ମଙ୍କ ସହିତ ଏକ କରି ଦେଇଛନ୍ତି | ସେ ନିଜର ଇନ୍ଦ୍ରିୟ ଓ ମନକୁ ସଂଯମିତ କରି ବାହାରୁ ହିଁ ସମସ୍ତ ବିଷୟକୁ ପ୍ରତ୍ୟାହୃତ କରିଦେଇଛନ୍ତି ଏବଂ ମାୟିକ ଗୁଣର ସମ୍ଭାବ୍ୟ ପରିଣାମକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛନ୍ତି | ସମସ୍ତ କର୍ମରୁ ବିରତ ହୋଇ ସେ ଏବେ ଖୁଣ୍ଟ ପରି ସ୍ଥିର ହୋଇ ବସିଛନ୍ତି, ତେଣୁ ତୁମେ ତାଙ୍କ ମାର୍ଗରେ ବିଘ୍ନ ସୃଷ୍ଟି କରନାହିଁ |

ସ ବା ଅଦ୍ୟତନାଦ୍ରାଜନ୍ ପରତଃ ପଞ୍ଚମେଽହନି ।

କଲେବରଂ ହାସ୍ୟତି ସ୍ୱଂ ତଚ୍ଚ ଭସ୍ମୀଭବିଷ୍ୟତି ॥ ୫୬॥

ହେ ଧର୍ମରାଜ ! ଆଜିଠାରୁ ପଞ୍ଚମ ଦିବସରେ ସେ ନିଜ ଶରୀର ପରିତ୍ୟାଗ କରିବେ ଏବଂ ତାହା ଜଳି ଭସ୍ମ ହୋଇଯିବ |

ଦହ୍ୟମାନେଽଗ୍ନିଭିର୍ଦେହେ ପତ୍ୟୁଃ ପତ୍ନୀ ସହୋଟଜେ ।

ବହିଃ ସ୍ଥିତା ପତିଂ ସାଧ୍ୱୀ ତମଗ୍ନିମନୁବେକ୍ଷ୍ୟତି ॥ ୫୭॥

ଗୃହପତ୍ୟାଦି ଅଗ୍ନି ଦ୍ବାରା ପର୍ଣକୁଟୀ ସହିତ ନିଜ ପତିଙ୍କର ମୃତଦେହ ଦଗ୍ଧ ହେଉଥିବା ଦେଖି ସାଧ୍ବୀ ଗାନ୍ଧାରୀ ମଧ୍ୟ ତାଙ୍କର ଅନୁଗମନ କରିବାକୁ ଯାଇ ସେହି ଅଗ୍ନିରେ ପ୍ରବେଶ କରିବେ |

ବିଦୁରସ୍ତୁ ତଦାଶ୍ଚର୍ୟଂ ନିଶାମ୍ୟ କୁରୁନନ୍ଦନ ।

ହର୍ଷଶୋକୟୁତସ୍ତସ୍ମାଦ୍ଗନ୍ତା ତୀର୍ଥନିଷେବକଃ ॥ ୫୮॥

ହେ ଧର୍ମରାଜ ! ନିଜ ଜ୍ୟେଷ୍ଠ ଭ୍ରାତାଙ୍କର ଏପରି ଆଶ୍ଚର୍ଯ୍ୟମୟ ମୋକ୍ଷରେ ହର୍ଷିତ ଏବଂ ତାଙ୍କ ବିୟୋଗରେ ଦୁଃଖିତ ହୋଇ ବିଦୁର ସେହିଠାରୁ ହିଁ ତୀର୍ଥଯାତ୍ରାରେ ଚାଲିଯିବେ |

ଇତ୍ୟୁକ୍ତ୍ୱାଥାରୁହତ୍ସ୍ୱର୍ଗଂ ନାରଦଃ ସହତୁମ୍ବୁରୁଃ ।

ଯୁଧିଷ୍ଠିରୋ ବଚସ୍ତସ୍ୟ ହୃଦି କୃତ୍ୱାଜହାଚ୍ଛୁଚଃ ॥ ୫୯॥

ଏହା କହି ଦେବର୍ଷି ନାରଦ ବୀଣା ବଜାଇ ସ୍ବର୍ଗକୁ ଚାଲିଗଲେ | ତାଙ୍କର ଉପଦେଶକୁ ହୃଦୟରେ ଧାରଣ କରି ଧର୍ମରାଜ ଯୁଧିଷ୍ଠିର ଶୋକ ତ୍ୟାଗ କଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ତ୍ରୟୋଦଶୋଽଧ୍ୟାୟଃ ॥ ୧୩॥

Comments

Popular posts from this blog