॥
ଓଁ ନମୋ ଭଗବତେ
ବାସୁଦେବାୟ ॥
ଶ୍ରୀମଦ୍ ଭାଗବତ ମହାପୁରାଣ
ପ୍ରଥମ ସ୍କନ୍ଧ
ଚତୁର୍ଦ୍ଦଶ ଅଧ୍ୟାୟ
ଅଶୁଭ ସଂକେତ ଦେଖି ଯୁଧିଷ୍ଠିରଙ୍କର ଶଙ୍କା ଏବଂ ଦ୍ବାରିକାରୁ ଅର୍ଜୁନଙ୍କର ପ୍ରତ୍ୟାବର୍ତ୍ତନ
ସୂତ ଉବାଚ
ସମ୍ପ୍ରସ୍ଥିତେ ଦ୍ୱାରକାୟାଂ ଜିଷ୍ଣୌ ବନ୍ଧୁଦିଦୃକ୍ଷୟା ।
ଜ୍ଞାତୁଂ ଚ ପୁଣ୍ୟଶ୍ଲୋକସ୍ୟ କୃଷ୍ଣସ୍ୟ ଚ ବିଚେଷ୍ଟିତମ୍ ॥ ୧॥
ସୂତ ମୁନି କହୁଛନ୍ତି – ସ୍ବଜନମାନଙ୍କୁ ଦେଖିବା ଏବଂ ପୁଣ୍ୟଶ୍ଲୋକ
ଭଗବାନ ଏହା ପରେ ଆଉ କ’ଣ କରିବାକୁ ଇଚ୍ଛା
କରୁଛନ୍ତି, ତାହା ଜାଣିବା
ନିମନ୍ତେ ଅର୍ଜୁନ ଦ୍ବାରିକାକୁ ଯାଇଥିଲେ |
ବ୍ୟତୀତାଃ କତିଚିନ୍ମାସାସ୍ତଦା ନାୟାତ୍ତତୋଽର୍ଜୁନଃ ।
ଦଦର୍ଶ ଘୋରରୂପାଣି ନିମିତ୍ତାନି କୁରୂଦ୍ୱହଃ ॥ ୨॥
କେତେ ମାସ ଅତିବାହିତ ହେବା ପରେ ମଧ୍ୟ ଅର୍ଜୁନ ସେଠାରୁ ଫେରିଲେ
ନାହିଁ | ଏଣେ ଧର୍ମରାଜ ଯୁଧିଷ୍ଠିରଙ୍କୁ ଭୟଙ୍କର ଅଶୁଭ ସଂକେତ ସବୁ ଦୃଷ୍ଟିଗୋଚର ହେବାରେ
ଲାଗିଲା |
କାଲସ୍ୟ ଚ ଗତିଂ ରୌଦ୍ରାଂ ବିପର୍ୟସ୍ତର୍ତୁଧର୍ମିଣଃ ।
ପାପୀୟସୀଂ ନୃଣାଂ ବାର୍ତାଂ କ୍ରୋଧଲୋଭାନୃତାତ୍ମନାମ୍ ॥ ୩॥
ସେ ଦେଖିଲେ, କାଳର ଗତି ଅତ୍ୟନ୍ତ ବିକଟ ହୋଇଯାଇଛି | ଯେଉଁ ସମୟରେ
ଯେଉଁ ଋତୁ ଆସିବା କଥା, ତାହା ଅସୁନାହିଁ ଏବଂ
ସେମାନଙ୍କର କ୍ରିୟା ମଧ୍ୟ ବିପରୀତମୁଖୀ ହୋଇଯାଇଛି | ଲୋକମାନେ ଅତ୍ୟନ୍ତ କ୍ରୋଧୀ, ଲୋଭୀ ଏବଂ ଅସତ୍ୟପରାୟଣ ହୋଇ ଯାଇଛନ୍ତି | ଜୀବନ-ନିର୍ବାହ ନିମନ୍ତେ
ସେମାନେ ପାପପୂର୍ଣ୍ଣ ବ୍ୟାପାର କରିବାରେ ଲାଗିଛନ୍ତି |
ଜିହ୍ମପ୍ରାୟଂ ବ୍ୟବହୃତଂ ଶାଠ୍ୟମିଶ୍ରଂ ଚ ସୌହୃଦମ୍ ।
ପିତୃମାତୃସୁହୃଦ୍ଭ୍ରାତୃଦମ୍ପତୀନାଂ ଚ କଲ୍କନମ୍ ॥ ୪॥
ସମସ୍ତଙ୍କର ବ୍ୟବହାର କପଟପୂର୍ଣ୍ଣ ହୋଇଯାଇଛି; ଲୋକେ ମିତ୍ରତାରେ ମଧ୍ୟ ଛଳ କରୁଛନ୍ତି | ପିତା-ମାତା, ରକ୍ତସମ୍ବନ୍ଧୀ ଭାଇ ଓ ପତି-ପତ୍ନୀଙ୍କ ମଧ୍ୟରେ କଳହ ଲାଗିରହିଛି |
ନିମିତ୍ତାନ୍ୟତ୍ୟରିଷ୍ଟାନି କାଲେ ତ୍ୱନୁଗତେ ନୃଣାମ୍ ।
ଲୋଭାଦ୍ୟଧର୍ମପ୍ରକୃତିଂ ଦୃଷ୍ଟ୍ୱୋବାଚାନୁଜଂ ନୃପଃ ॥ ୫॥
କଳିକାଳର ଆଗମନରେ ଲୋକଙ୍କର ସ୍ବଭାବ ଲୋଭ, ଦମ୍ଭ ଆଦି ଅଧର୍ମରେ ଅଭିଭୂତ ହୋଇଯାଇଛି | ପ୍ରକୃତିରେ ମଧ୍ୟ
ଅତ୍ୟନ୍ତ ଅରିଷ୍ଟସୂଚକ ଅଶୁଭ ଲକ୍ଷଣ ଦେଖାଯାଉଛି – ଏସବୁ ଦେଖି ଯୁଧିଷ୍ଠିର ନିଜ କନିଷ୍ଠ ଭ୍ରାତ
ଭୀମସେନଙ୍କୁ କହିଲେ -
ଯୁଧିଷ୍ଠିର ଉବାଚ
ସମ୍ପ୍ରେଷିତୋ ଦ୍ୱାରକାୟାଂ ଜିଷ୍ଣୁର୍ବନ୍ଧୁଦିଦୃକ୍ଷୟା ।
ଜ୍ଞାତୁଂ ଚ ପୁଣ୍ୟଶ୍ଲୋକସ୍ୟ କୃଷ୍ଣସ୍ୟ ଚ ବିଚେଷ୍ଟିତମ୍ ॥ ୬॥
ଯୁଧିଷ୍ଠିର କହୁଛନ୍ତି – ହେ ଭୀମସେନ ! ଅର୍ଜୁନଙ୍କୁ ମୁଁ ଦ୍ବାରିକା
ଏଥିପାଇଁ ପ୍ରେରଣ କରିଥିଲି ଯେ ସେଠାକୁ ଯାଇ ସେ ପୁଣ୍ୟଶ୍ଲୋକ ଭଗବାନ ଶ୍ରୀକୃଷ୍ଣ ସେଠାରେ କ’ଣ କରୁଛନ୍ତି, ତାହା ଜାଣି ଆସିବେ
ଏବଂ ସମ୍ବନ୍ଧୀମାନଙ୍କୁ ସାକ୍ଷାତ କରି ଆସିବେ |
ଗତାଃ ସପ୍ତାଧୁନା ମାସା ଭୀମସେନ ତବାନୁଜଃ ।
ନାୟାତି କସ୍ୟ ବା ହେତୋର୍ନାହଂ ବେଦେଦମଞ୍ଜସା ॥ ୭॥
ସାତ ଦିନ ବିତିଗଲା,
କିନ୍ତୁ ତୁମର ସାନ ଭାଇ ଏବେ ଯାଏଁ ଫେରିଲେ ନାହିଁ | ତାଙ୍କର ନ ଫେରିବାର କାରଣ କ’ଣ, ତାହା ମୁଁ ଠିକ ଠିକ
ଜାଣିପାରୁ ନାହିଁ |
ଅପି ଦେବର୍ଷିଣାଽଽଦିଷ୍ଟଃ ସ କାଲୋଽୟମୁପସ୍ଥିତଃ ।
ଯଦାତ୍ମନୋଽଙ୍ଗମାକ୍ରୀଡଂ ଭଗବାନୁତ୍ସିସୃକ୍ଷତି ॥ ୮॥
ଦେବର୍ଷି ନାରଦ ଯେଉଁ ସମୟ ବିଷୟରେ ସୂଚନା ଦେଇଥିଲେ, ସେହି ସମୟ ଉପସ୍ଥିତ ହୋଇ ନାହିଁ ତ, ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ନିଜର ଲୀଲା-ବିଗ୍ରହ ସମ୍ବରଣ କରିବାକୁ
ଇଚ୍ଛା କରିବେ ?
ଯସ୍ମାନ୍ନଃ ସମ୍ପଦୋ ରାଜ୍ୟଂ ଦାରାଃ ପ୍ରାଣାଃ କୁଲଂ ପ୍ରଜାଃ ।
ଆସନ୍ ସପତ୍ନବିଜୟୋ ଲୋକାଶ୍ଚ ଯଦନୁଗ୍ରହାତ୍ ॥ ୯॥
ସେହି ଭଗବାନଙ୍କ କୃପାରୁ ଆମକୁ ଏହି ସମ୍ପତ୍ତି, ରାଜ୍ୟ, ସ୍ତ୍ରୀ, ପ୍ରାଣ, କୁଳ, ସନ୍ତାନ, ଶତ୍ରୁ ଉପରେ ବିଜୟ
ଏବଂ ସ୍ବର୍ଗାଦି ଲୋକର ଅଧିକାର ପ୍ରାପ୍ତ ହୋଇଛି |
ପଶ୍ୟୋତ୍ପାତାନ୍ ନରବ୍ୟାଘ୍ର ଦିବ୍ୟାନ୍ ଭୌମାନ୍ ସଦୈହିକାନ୍ ।
ଦାରୁଣାନ୍ ଶଂସତୋଽଦୂରାଦ୍ଭୟଂ ନୋ ବୁଦ୍ଧିମୋହନମ୍ ॥ ୧୦॥
ଭୀମସେନ ! ତୁମେ ତ ବ୍ୟାଘ୍ର ପରି ବଳବାନ ଅଟ | ଦେଖ, ଆକାଶରେ ଉଲ୍କାପାତ ଆଦି,
ପୃଥିବୀରେ ଭୂକମ୍ପ ଆଦି ଏବଂ ଶରୀରରେ ବ୍ୟାଧି ଆଦି କେତେ ଅଶୁଭ ସଂକେତ ମିଳୁଛି | ଏଥିରୁ ଏହି
ସୂଚନା ମିଳୁଛି ଯେ ଖୁବ୍ ଶୀଘ୍ର ଆମ୍ଭମାନଙ୍କର ବୁଦ୍ଧିକୁ ମୋହିତ କରିବା ପରି କିଛି ଉତ୍ପାତ
ଘଟିବାକୁ ଯାଉଛି |
ଊର୍ୱକ୍ଷିବାହବୋ ମହ୍ୟଂ ସ୍ଫୁରନ୍ତ୍ୟଙ୍ଗ ପୁନଃ ପୁନଃ ।
ବେପଥୁଶ୍ଚାପି ହୃଦୟେ ଆରାଦ୍ଦାସ୍ୟନ୍ତି ବିପ୍ରିୟମ୍ ॥ ୧୧॥
ପ୍ରିୟ ଭୀମସେନ ! ମୋର ବାମ ଜଂଘ, ନେତ୍ର
ଏବଂ ଭୁଜ ବାରମ୍ବାର ସ୍ଫୁରିତ ହେବାରେ ଲାଗିଛି | ଛାତି ଖୁବ୍ ଜୋରରେ ଧକ୍ ଧକ୍ ହେବାରେ ଲାଗିଛି
| ମୋର ମନେହେଉଛି, ବହୁତ ଶୀଘ୍ର କିଛି
ଗୋଟିଏ ବଡ଼ ଅନିଷ୍ଟ ହେବାକୁ ଯାଉଛି |
ଶିବୈଷୋଦ୍ୟନ୍ତମାଦିତ୍ୟମଭିରୌତ୍ୟନଲାନନା ।
ମାମଙ୍ଗ ସାରମେୟୋଽୟମଭିରେଭତ୍ୟଭୀରୁବତ୍ ॥ ୧୨॥
ଦେଖ, ଉଦୟକାଳୀନ
ସୂର୍ଯ୍ୟକୁ ମୁହଁ କରି ଶିଆଳ କିପରି କ୍ରନ୍ଦନ କରିବା ପରି ରଡି କରୁଛି, ନିର୍ଭୟରେ ମୋ ଆଡକୁ
ଚାହିଁ କୁକୁର ଭୁକିବାରେ ଲାଗିଛି |
ଶସ୍ତାଃ କୁର୍ୱନ୍ତି ମାଂ ସବ୍ୟଂ ଦକ୍ଷିଣଂ ପଶବୋଽପରେ ।
ବାହାଂଶ୍ଚ ପୁରୁଷବ୍ୟାଘ୍ର ଲକ୍ଷୟେ ରୁଦତୋ ମମ ॥ ୧୩॥
ଭୀମସେନ ! ଦେଖ, ଗାଈ ଆଦି ଉତ୍ତମ ପଶୁମାନେ ମୋତେ ବାମପକ୍ଷ କରି ଏବଂ ଗଧ ଆଦି ଅଧମ
ପଶୁ ମୋତେ ନିଜର ଦକ୍ଷିଣପକ୍ଷ କରି ଯାତାୟତ ହେଉଛନ୍ତି | ଘୋଡା ଆଦି ମୋର ବାହନମାନେ ରୋଦନ
କରୁଥିବା ପରି ମନେ ହେଉଛନ୍ତି |
ମୃତ୍ୟୁଦୂତଃ କପୋତୋଽୟମୁଲୂକଃ କମ୍ପୟନ୍ ମନଃ ।
ପ୍ରତ୍ୟୁଲୂକଶ୍ଚ କୁହ୍ୱାନୈରନିଦ୍ରୌ ଶୂନ୍ୟମିଚ୍ଛତଃ ॥ ୧୪॥
ଏହି ମୃତ୍ୟୁଦୂତ ପେଡୁକୀ ପକ୍ଷୀ, ପେଚା, ଏବଂ ସେମାନଙ୍କର
ପ୍ରତିପକ୍ଷୀ କୁଆ ନିର୍ଜନ ରାତିରେ ଶ୍ରୁତିକଟୁ ଶବ୍ଦ କରି ମୋର ହୃଦୟକୁ ବିଦୀର୍ଣ୍ଣ କରୁଛନ୍ତି |
ଧୂମ୍ରା ଦିଶଃ ପରିଧୟଃ କମ୍ପତେ ଭୂଃ ସହାଦ୍ରିଭିଃ ।
ନିର୍ଘାତଶ୍ଚ ମହାଂସ୍ତାତ ସାକଂ ଚ ସ୍ତନୟିତ୍ନୁଭିଃ ॥ ୧୫॥
ଦିଗ-ବିଦିଗ ଧୂଆଁଳିଆ ଧୂସର ଦେଖାଯାଉଛି, ସୂର୍ଯ୍ୟ ଏବଂ
ଚନ୍ଦ୍ରମାର ଚତୁର୍ପାର୍ଶ୍ବରେ ମଣ୍ଡଳ ସୃଷ୍ଟି ହୋଇଛି | ପାହାଡ ସହିତ ପୃଥିବୀ ପ୍ରକମ୍ପିତ
ହେବାରେ ଲାଗିଛି, ବାଦଲ ଜୋର-ଜୋରରେ ଗର୍ଜନ କରୁଛନ୍ତି ଏବଂ ଏଣେତେଣେ ବଜ୍ରପାତ ମଧ୍ୟ ହେବାରେ
ଲାଗିଛି |
ବାୟୁର୍ୱାତି ଖରସ୍ପର୍ଶୋ ରଜସା ବିସୃଜଂସ୍ତମଃ ।
ଅସୃଗ୍ୱର୍ଷନ୍ତି ଜଲଦା ବୀଭତ୍ସମିବ ସର୍ୱତଃ ॥ ୧୬॥
ଶରୀରକୁ ବିଦ୍ଧ କରୁଥିବା ଏବଂ ଚତୁର୍ଦ୍ଦିଗକୁ ଅନ୍ଧକାରାଚ୍ଛନ୍ନ
କରୁଥିବା ଝଡବର୍ଷା ଲାଗି ରହିଛି | ଆକାଶରୁ ବାଦଲମାନେ ସତେ ଯେପରି ରକ୍ତ ବର୍ଷଣ କରି ଅତ୍ୟନ୍ତ
ଭୟାନକ ଦୃଶ୍ୟ ସୃଷ୍ଟି କରୁଛନ୍ତି |
ସୂର୍ୟଂ ହତପ୍ରଭଂ ପଶ୍ୟ ଗ୍ରହମର୍ଦଂ ମିଥୋ ଦିବି ।
ସସଙ୍କୁଲୈର୍ଭୂତଗଣୈର୍ଜ୍ୱଲିତେ ଇବ ରୋଦସୀ ॥ ୧୭॥
ସୂର୍ଯ୍ୟଙ୍କର ଦୀପ୍ତି ନିଷ୍ପ୍ରଭ ହୋଇଯାଇଛି | ଆକାଶରେ ଗ୍ରହମାନେ
ପରସ୍ପର ସହିତ ଧକ୍କା ହେଉଛନ୍ତି | ପୃଥିବୀ ଏବଂ ଅନ୍ତରୀକ୍ଷରେ ସତେ ଯେପରି ନିଆଁ ଲାଗି
ପ୍ରାଣୀକୁଳ ବିପନ୍ନ ହେଉଛନ୍ତି |
ନଦ୍ୟୋ ନଦାଶ୍ଚ କ୍ଷୁଭିତାଃ ସରାଂସି ଚ ମନାଂସି ଚ ।
ନ ଜ୍ୱଲତ୍ୟଗ୍ନିରାଜ୍ୟେନ କାଲୋଽୟଂ କିଂ ବିଧାସ୍ୟତି ॥ ୧୮॥
ନଦୀ, ନଦ, ପୁଷ୍କରିଣୀ ଏବଂ
ଲୋକମାନଙ୍କର ମନ କ୍ଷୁବ୍ଧ ହୋଇ ଉଠିଛି | ଘୃତ ଦ୍ବାରା ଅଗ୍ନି ପ୍ରଜ୍ବଳିତ ହେଉନାହିଁ | ଏହି
ଭୟଙ୍କର କାଳ ଆଉ କେତେ କ’ଣ କରାଇବ କେଜାଣି |
ନ ପିବନ୍ତି ସ୍ତନଂ ବତ୍ସା ନ ଦୁହ୍ୟନ୍ତି ଚ ମାତରଃ ।
ରୁଦନ୍ତ୍ୟଶ୍ରୁମୁଖା ଗାବୋ ନ ହୃଷ୍ୟନ୍ତ୍ୟୃଷଭା ବ୍ରଜେ ॥ ୧୯॥
ବାଛୁରୀମାନେ କ୍ଷୀର ପିଉନାହାଁନ୍ତି, ଗାଈମାନେ ଦୋହନ କ୍ରିୟାରେ ସହଯୋଗ କରୁନାହାଁନ୍ତି, ଗୋଶାଳାରେ
ଗାଈମାନେ ଅଶ୍ରୁବର୍ଷଣ କରି ରୋଦନ କରୁଛନ୍ତି | ବଳଦମାନେ ମଧ୍ୟ ଉଦାସ ହୋଇ ବସି ରହିଛନ୍ତି |
ଦୈବତାନି ରୁଦନ୍ତୀବ ସ୍ୱିଦ୍ୟନ୍ତି ହ୍ୟୁଚ୍ଚଲନ୍ତି ଚ ।
ଇମେ ଜନପଦା ଗ୍ରାମାଃ ପୁରୋଦ୍ୟାନାକରାଶ୍ରମାଃ ।
ଭ୍ରଷ୍ଟଶ୍ରିୟୋ ନିରାନନ୍ଦାଃ କିମଘଂ ଦର୍ଶୟନ୍ତି ନଃ ॥ ୨୦॥
ମନ୍ଦିରମାନଙ୍କରେ ଦେବତାମାନଙ୍କର ମୂର୍ତ୍ତି ସତେ ଯେପରି ରୋଦନ
କରୁଛନ୍ତି, ସେମାନଙ୍କର ଶରୀରରୁ
ସ୍ବେଦ ନିର୍ଗତ ହେଉଛି ଏବଂ ସେମାନେ ଦୋହଲିଵା ପରି ମନେହେଉଛି | ଭାଇ ! ଏହି ଦେଶ, ଗ୍ରାମ, ସହର, ବଗିଚା, ବିଶ୍ରାମସ୍ଥଳୀ
ଓ ଆଶ୍ରମମାନେ ଶ୍ରୀହୀନ ଏବଂ ଆନନ୍ଦରହିତ ହୋଇଯାଇଛନ୍ତି | କେଜାଣି ଏମାନେ ଆମର କେଉଁ ଦୁଃଖର
ସୂଚନା ଦେଉଛନ୍ତି ?
ମନ୍ୟ ଏତୈର୍ମହୋତ୍ପାତୈର୍ନୂନଂ ଭଗବତଃ ପଦୈଃ ।
ଅନନ୍ୟପୁରୁଷଶ୍ରୀଭିର୍ହୀନା ଭୂର୍ହତସୌଭଗା ॥ ୨୧॥
ଏତେ ବଡ ବଡ ଉତ୍ପାତ ଦେଖି ମୁଁ ତ ଏପରି ଭାବୁଛି ଯେ ଏହି ଭାଗ୍ୟହୀନା
ଭୂମି ଭଗବାନଙ୍କର ସେହି ଚରଣକମଳ, ଯାହାର ସୌନ୍ଦର୍ଯ୍ୟ
ଏବଂ ଧ୍ବଜା, ବଜ୍ର, ଅଂକୁଶ ଆଦି
ବିଲକ୍ଷଣ ଚିହ୍ନରେ ଶୋଭିତ, ତହିଁରୁ ରହିତ
ହୋଇଯାଇଛି |
ଇତି ଚିନ୍ତୟତସ୍ତସ୍ୟ ଦୃଷ୍ଟାରିଷ୍ଟେନ ଚେତସା ।
ରାଜ୍ଞଃ ପ୍ରତ୍ୟାଗମଦ୍ବ୍ରହ୍ମନ୍ ଯଦୁପୁର୍ୟାଃ କପିଧ୍ୱଜଃ ॥ ୨୨॥
ସୂତ ମୁନି କହୁଛନ୍ତି – ହେ ଶୌନକ ! ଏହି ସବୁ ଭୟଙ୍କର ଉତ୍ପାତକୁ
ଦେଖି ରାଜା ଯୁଧିଷ୍ଠିର ଚିନ୍ତିତ ରହିଥିବା ବେଳେ ଅର୍ଜୁନ ଦ୍ବାରିକାରୁ ଆସି ସେଠାରେ ପହଞ୍ଚିଲେ
|
ତଂ ପାଦୟୋର୍ନିପତିତମୟଥାପୂର୍ୱମାତୁରମ୍ ।
ଅଧୋବଦନମବ୍ବିନ୍ଦୂନ୍ ସୃଜନ୍ତଂ ନୟନାବ୍ଜୟୋଃ ॥ ୨୩॥
ବିଲୋକ୍ୟୋଦ୍ୱିଗ୍ନହୃଦୟୋ ବିଚ୍ଛାୟମନୁଜଂ ନୃପଃ ।
ପୃଚ୍ଛତି ସ୍ମ ସୁହୃନ୍ମଧ୍ୟେ ସଂସ୍ମରନ୍ ନାରଦେରିତମ୍ ॥ ୨୪॥
ଯୁଧିଷ୍ଠିର ଦେଖିଲେ,
ଅର୍ଜୁନ ଅତ୍ୟଧିକ ଆତୁର ହୋଇ ଉଠିଛନ୍ତି, ଯେତିକି ଆତୁର ପୂର୍ବରୁ ସେ କେବେ ନ ଥିଲେ | ତାଙ୍କର
ମୁଖ ଅବନତ ରହିଛି, କମଳ ସଦୃଶ ତାଙ୍କ
ନେତ୍ରରୁ ଅଶ୍ରୁ ପ୍ରବାହିତ ହେଉଛି, ଶରୀରର କାନ୍ତି
ହଜିଯାଇଛି | ଏହି ରୂପରେ ତାଙ୍କୁ ନିଜ ଚରଣରେ ଲୋଟି ଯାଉଥିବା ଦେଖି ଯୁଧିଷ୍ଠିର ବିଚଳିତ ହୋଇ
ଉଠିଲେ | ଦେବର୍ଷି ନାରଦଙ୍କର ବାଣୀ ସ୍ମରଣ କରି ସୁହୃଦମାନଙ୍କ ସମ୍ମୁଖରେ ହିଁ ସେ ଅର୍ଜୁନଙ୍କୁ
ପଚାରିଲେ -
ଯୁଧିଷ୍ଠିର ଉବାଚ
କଚ୍ଚିଦାନର୍ତପୁର୍ୟାଂ ନଃ ସ୍ୱଜନାଃ ସୁଖମାସତେ ।
ମଧୁଭୋଜଦଶାର୍ହାର୍ହସାତ୍ୱତାନ୍ଧକବୃଷ୍ଣୟଃ ॥ ୨୫॥
ଯୁଧିଷ୍ଠିର ପଚାରିଲେ – ଭାଈ ! ଦ୍ବାରିକାପୁରୀରେ ଆମ୍ଭମାନଙ୍କର
ସ୍ବଜନ-ସମ୍ବନ୍ଧୀ ମଧୁ, ଭୋଜ, ଦଶାର୍ହ, ଆର୍ହ, ସାତ୍ବତ, ଅନ୍ଧକ ଏବଂ ବୃଷ୍ଣିବଂଶୀ ଯାଦବମାନେ
କୁଶଳରେ ଅଛନ୍ତି ତ ?
ଶୂରୋ ମାତାମହଃ କଚ୍ଚିତ୍ସ୍ୱସ୍ତ୍ୟାସ୍ତେ ବାଥ ମାରିଷଃ ।
ମାତୁଲଃ ସାନୁଜଃ କଚ୍ଚିତ୍କୁଶଲ୍ୟାନକଦୁନ୍ଦୁଭିଃ ॥ ୨୬॥
ଆମ୍ଭମାନଙ୍କର ମାନନୀୟ ମାତାମହ ଶୂରସେନ ପ୍ରସନ୍ନ ଅଛନ୍ତି ତ ? ନିଜ
କନିଷ୍ଠ ଭ୍ରାତାଙ୍କ ସହିତ ମାତୁଳ ବସୁଦେବ କୁଶଳରେ ଅଛନ୍ତି ତ ?
ସପ୍ତ ସ୍ୱସାରସ୍ତତ୍ପତ୍ନ୍ୟୋ ମାତୁଲାନ୍ୟଃ ସହାତ୍ମଜାଃ ।
ଆସତେ ସସ୍ନୁଷାଃ କ୍ଷେମଂ ଦେବକୀପ୍ରମୁଖାଃ ସ୍ୱୟମ୍ ॥ ୨୭॥
ସେମାନଙ୍କର ପତ୍ନୀ ଏବଂ ଆମ୍ଭମାନଙ୍କର ମାଇଁ ଦେବକୀ ତଥା ତାଙ୍କର ସାତ
ଭଉଣୀ ନିଜ ପୁତ୍ର ଏବଂ ପୁତ୍ରବଧୂଙ୍କ ସହିତ ଆନନ୍ଦରେ ଅଛନ୍ତି ତ ?
କଚ୍ଚିଦ୍ରାଜାଽଽହୁକୋ ଜୀବତ୍ୟସତ୍ପୁତ୍ରୋଽସ୍ୟ ଚାନୁଜଃ ।
ହୃଦୀକଃ ସସୁତୋଽକ୍ରୂରୋ ଜୟନ୍ତଗଦସାରଣାଃ ॥ ୨୮॥
ଆସତେ କୁଶଲଂ କଚ୍ଚିଦ୍ୟେ ଚ ଶତ୍ରୁଜିଦାଦୟଃ ।
କଚ୍ଚିଦାସ୍ତେ ସୁଖଂ ରାମୋ ଭଗବାନ୍ ସାତ୍ୱତାଂ ପ୍ରଭୁଃ ॥ ୨୯॥
ଯାହାର ପୁତ୍ର କଂସ ବଡ ଦୁଷ୍ଟ ଥିଲା, ସେହି ରାଜା ଉଗ୍ରସେନ ନିଜ ଭାଇ ଦେବକଙ୍କ ସହିତ ଜୀବିତ ରହିଛନ୍ତି ତ
? ହୃଦୀକ, ତାଙ୍କର ପୁତ୍ର
କୃତବର୍ମା, ଅକ୍ରୂର, ଜୟନ୍ତ, ଗଦ, ସାରଣ ତଥା
ଶତ୍ରୁଜିତ୍ ସକୁଶଳ ତ ? ଯାଦବମାନଙ୍କର ପ୍ରଭୁ ବଳରାମ ଆନନ୍ଦରେ ଅଛନ୍ତି ତ ?
ପ୍ରଦ୍ୟୁମ୍ନଃ ସର୍ୱବୃଷ୍ଣୀନାଂ ସୁଖମାସ୍ତେ ମହାରଥଃ ।
ଗମ୍ଭୀରରୟୋଽନିରୁଦ୍ଧୋ ବର୍ଧତେ ଭଗବାନୁତ ॥ ୩୦॥
ବୃଷ୍ଣିବଂଶର ସର୍ବଶ୍ରେଷ୍ଠ ମହାରଥୀ ପ୍ରଦ୍ୟୁମ୍ନ ସୁଖପୂର୍ବକ ଅଛନ୍ତି
ତ ? ଯୁଦ୍ଧରେ ଅତ୍ୟଧିକ ସ୍ପର୍ଦ୍ଧା ପ୍ରଦର୍ଶନ କରୁଥିବା ଭଗବାନ ଅନିରୁଦ୍ଧ ଆନନ୍ଦରେ ଅଛନ୍ତି ତ
?
ସୁଷେଣଶ୍ଚାରୁଦେଷ୍ଣଶ୍ଚ ସାମ୍ବୋ ଜାମ୍ବବତୀସୁତଃ ।
ଅନ୍ୟେ ଚ କାର୍ଷ୍ଣିପ୍ରବରାଃ ସପୁତ୍ରା ଋଷଭାଦୟଃ ॥ ୩୧॥
ସୁଷେଣ, ଚାରୁଦେଷ୍ଣ, ଜାମ୍ବବତୀନନ୍ଦନ ସାମ୍ବ ଏବଂ ନିଜ ପୁତ୍ରଙ୍କ
ସହିତ ରିଷଭ ଆଦି ଭଗବାନ ଶ୍ରୀକୃଷ୍ଣଙ୍କର ଅନ୍ୟ ସବୁ ପୁତ୍ରମାନେ ପ୍ରସନ୍ନ ରହିଛନ୍ତି ତ ?
ତଥୈବାନୁଚରାଃ ଶୌରେଃ ଶ୍ରୁତଦେବୋଦ୍ଧବାଦୟଃ ।
ସୁନନ୍ଦନନ୍ଦଶୀର୍ଷଣ୍ୟା ଯେ ଚାନ୍ୟେ ସାତ୍ୱତର୍ଷଭାଃ ॥ ୩୨||
ଅପି ସ୍ୱସ୍ତ୍ୟାସତେ ସର୍ୱେ ରାମକୃଷ୍ଣଭୁଜାଶ୍ରୟାଃ ।
ଅପି ସ୍ମରନ୍ତି କୁଶଲମସ୍ମାକଂ ବଦ୍ଧସୌହୃଦାଃ ॥ ୩୩॥
ଶ୍ରୁତଦେବ, ଉଦ୍ଧବ ଆଦି ଭଗବାନ
ଶ୍ରୀକୃଷ୍ଣଙ୍କର ସେବକ ଏବଂ ସୁନନ୍ଦ-ନନ୍ଦ ଆଦି ପ୍ରଧାନ ଯଦୁବଂଶୀ, ଯେଉଁମାନେ ଭଗବାନ ଶ୍ରୀକୃଷ୍ଣ ଏବଂ ବଳରାମଙ୍କ ବାହୁବଳରେ ସୁରକ୍ଷିତ, ସେମାନେ ସମସ୍ତେ ସକୁଶଳ ଅଛନ୍ତି ତ ? ଆମ୍ଭମାନଙ୍କୁ ଅତ୍ୟନ୍ତ ପ୍ରେମ
କରୁଥିବା ସେମାନେ କେବେ କେମିତି ଆମ୍ଭମାନଙ୍କର କୁଶଳ-ମଙ୍ଗଳ ପଚାରି ବୁଝୁଥିଲେ କି ?
ଭଗବାନପି ଗୋବିନ୍ଦୋ ବ୍ରହ୍ମଣ୍ୟୋ ଭକ୍ତବତ୍ସଲଃ ।
କଚ୍ଚିତ୍ପୁରେ ସୁଧର୍ମାୟାଂ ସୁଖମାସ୍ତେ ସୁହୃଦ୍ୱୃତଃ ॥ ୩୪॥
ଭକ୍ତବତ୍ସଳ ବ୍ରାହ୍ମଣଭକ୍ତ ଭଗବାନ ଶ୍ରୀକୃଷ୍ଣ ନିଜ ସ୍ବଜନମାନଙ୍କ
ସହିତ ଦ୍ବାରିକାର ସୁଧର୍ମା-ସଭାରେ ସୁଖପୂର୍ବକ ବିରାଜମାନ ଥିଲେ ତ ?
ମଙ୍ଗଲାୟ ଚ ଲୋକାନାଂ କ୍ଷେମାୟ ଚ ଭବାୟ ଚ ।
ଆସ୍ତେ ଯଦୁକୁଲାମ୍ଭୋଧାବାଦ୍ୟୋଽନନ୍ତସଖଃ ପୁମାନ୍ ॥ ୩୫॥
ଯଦ୍ବାହୁଦଣ୍ଡଗୁପ୍ତାୟାଂ ସ୍ୱପୁର୍ୟାଂ ଯଦବୋଽର୍ଚିତାଃ ।
କ୍ରୀଡନ୍ତି ପରମାନନ୍ଦଂ ମହାପୌରୁଷିକା ଇବ ॥ ୩୬॥
ସଂସାରର ପରମ ମଙ୍ଗଳ, ପରମ କଲ୍ୟାଣ ଏବଂ ଉନ୍ନତି ଉଦ୍ଦେଶ୍ୟରେ
ବଳରାମଙ୍କ ସହିତ ସେହି ଆଦିପୁରୁଷ ଯଦୁବଂଶରୂପୀ କ୍ଷୀରସାଗରରେ ବିରାଜମାନ କରିଛନ୍ତି | ସେମାନଙ୍କ
ବାହୁବଳରେ ସୁରକ୍ଷିତ ଦ୍ବାରିକାପୁରୀରେ ଯଦୁବଂଶୀମାନେ ସମ୍ପୂର୍ଣ୍ଣ ସଂସାର ଦ୍ବାରା ସମ୍ମାନିତ
ହୋଇ ବିଷ୍ଣୁ ଭଗବାନଙ୍କର ପାର୍ଷଦମାନଙ୍କ ପରି ଅତି ଆନନ୍ଦରେ ବିହାର କରୁଥାଆନ୍ତି |
ଯତ୍ପାଦଶୁଶ୍ରୂଷଣମୁଖ୍ୟକର୍ମଣା
ସତ୍ୟାଦୟୋ ଦ୍ୱ୍ୟଷ୍ଟସହସ୍ରୟୋଷିତଃ ।
ନିର୍ଜିତ୍ୟ ସଙ୍ଖ୍ୟେ ତ୍ରିଦଶାଂସ୍ତଦାଶିଷୋ
ହରନ୍ତି ବଜ୍ରାୟୁଧବଲ୍ଲଭୋଚିତାଃ ॥ ୩୭॥
ସତ୍ୟଭାମା ଆଦି ଷୋଳ ହଜାର ଅନ୍ୟ ରାଣୀ ପ୍ରଧାନତଃ ତାଙ୍କ ଚରଣକମଳର
ସେବାରତ ରହି ତାଙ୍କ ଦ୍ବାରା ଯୁଦ୍ଧରେ ଇନ୍ଦ୍ର ଆଦି ଦେବତାଙ୍କୁ ପରାଜିତ କରି ଇନ୍ଦ୍ରାଣୀଙ୍କର
ଭୋଗଯୋଗ୍ୟ ଏବଂ ତାଙ୍କର ଅଭୀଷ୍ଟ ପାରିଜାତ ଆଦି ବସ୍ତୁର ଉପଭୋଗ କରିଥାଆନ୍ତି |
ଯଦ୍ବାହୁଦଣ୍ଡାଭ୍ୟୁଦୟାନୁଜୀବିନୋ
ଯଦୁପ୍ରବୀରା ହ୍ୟକୁତୋଭୟା ମୁହୁଃ ।
ଅଧିକ୍ରମନ୍ତ୍ୟଙ୍ଘ୍ରିଭିରାହୃତାଂ ବଲା-
ତ୍ସଭାଂ ସୁଧର୍ମାଂ ସୁରସତ୍ତମୋଚିତାମ୍ ॥ ୩୮॥
ଯଦୁବଂଶୀ ବୀରମାନେ ଶ୍ରୀକୃଷ୍ଣଙ୍କ ବାହୁଦଣ୍ଡର ପ୍ରଭାବରେ ନିଜକୁ
ସୁରକ୍ଷିତ ମନେ କରି ନିର୍ଭୟ ରହିଥାଆନ୍ତି ଏବଂ ବଳପୂର୍ବକ ଅଣାଯାଇଥିବା ଦେବତାମାନଙ୍କର
ବସିବା-ଯୋଗ୍ୟ ଆସନକୁ ସୁଧର୍ମା-ସଭାରେ ନିଜ ଚରଣ-ଚିହ୍ନରେ ଆକ୍ରାନ୍ତ କରଥାଆନ୍ତି |
କଚ୍ଚିତ୍ତେଽନାମୟଂ ତାତ ଭ୍ରଷ୍ଟତେଜା ବିଭାସି ମେ ।
ଅଲବ୍ଧମାନୋଽବଜ୍ଞାତଃ କିଂ ବା ତାତ ଚିରୋଷିତଃ ॥ ୩୯॥
ଭାଈ ଅର୍ଜୁନ ! ତୁମେ ନିଜେ ଠିକ୍ ଅଛ ତ ? ମୋତେ ତୁମେ ଶ୍ରୀ-ହୀନ
ଦେଖା ଯାଉଅଛ; ଏତେ ଅଧିକ ଦିନ ତୁମେ ସେଠାରେ ରହିଲ,
ତୁମର ସମ୍ମାନ କୌଣସି ପ୍ରକାରେ ଆହତ ହୋଇନାହିଁ ତ ? କେହି ତୁମକୁ ଅପମାନଜନକ କିଛି
କହିନାହାଁନ୍ତି ତ ?
କଚ୍ଚିନ୍ନାଭିହତୋଽଭାବୈଃ ଶବ୍ଦାଦିଭିରମଙ୍ଗଲୈଃ ।
ନ ଦତ୍ତମୁକ୍ତମର୍ଥିଭ୍ୟ ଆଶୟା ଯତ୍ପ୍ରତିଶ୍ରୁତମ୍ ॥ ୪୦॥
ଦୁର୍ଭାବନାପୂର୍ଣ୍ଣ ଅମଙ୍ଗଳ ବାକ୍ୟ ଦ୍ବାରା କେହି ତୁମର ଚିତ୍ତକୁ
ଦୁଃଖିତ କରିନାହାଁନ୍ତି ତ ? ଅଥବା ଏପରି କିଛି ଘଟିଛି କି କୌଣସି ଯାଚକଙ୍କୁ ତୁମେ ତାଙ୍କର
ଇପ୍ସିତ ବସ୍ତୁ ପ୍ରଦାନ କରିପାରି ନାହଁ ବା ନିଜର ପ୍ରତିଜ୍ଞା ରକ୍ଷା କରିପାରି ନାହଁ ?
କଚ୍ଚିତ୍ତ୍ୱଂ ବ୍ରାହ୍ମଣଂ ବାଲଂ ଗାଂ ବୃଦ୍ଧଂ ରୋଗିଣଂ ସ୍ତ୍ରିୟମ୍ ।
ଶରଣୋପସୃତଂ ସତ୍ତ୍ୱଂ ନାତ୍ୟାକ୍ଷୀଃ ଶରଣପ୍ରଦଃ ॥ ୪୧॥
ଆଜିଯାଏଁ ତୁମେ ସର୍ବଦା ଶରଣାଗତର ରକ୍ଷା କରି ଆସିଛ | ଏବେ ତୁମ
ଶରଣରେ ଆସିଥିବା କୌଣସି ବ୍ରାହ୍ମଣ, ବାଳକ, ଗୋ, ବୃଦ୍ଧ, ରୋଗୀ, ଅବଳା ଅଥବା ଅନ୍ୟ
କୌଣସି ପ୍ରାଣୀଙ୍କୁ ତୁମେ ଆଶ୍ରୟ ଦେଇ ନ ପାରି ତ୍ୟାଗ କରିଦେଇ ନାହଁ ତ ?
କଚ୍ଚିତ୍ତ୍ୱଂ ନାଗମୋଽଗମ୍ୟାଂ ଗମ୍ୟାଂ ବାଽସତ୍କୃତାଂ ସ୍ତ୍ରିୟମ୍ ।
ପରାଜିତୋ ବାଥ ଭବାନ୍ ନୋତ୍ତମୈର୍ନାସମୈଃ ପଥି ॥ ୪୨॥
ତୁମେ କୌଣସି ଅଗମ୍ୟା ସ୍ତ୍ରୀ ସହିତ ସମାଗମ କରିବା ବା ଗମନ
କରିବା-ଯୋଗ୍ୟା ସ୍ତ୍ରୀ ସହିତ ଅସତ୍କାରପୂର୍ବକ ସମାଗମ କରିବା ପରି ପାପକର୍ମ କରିନାହଁ ତ ?
ମାର୍ଗରେ ନିଜଠାରୁ ସାନ ବା ନିଜର ସମବୟସ୍କ କୌଣସି ବ୍ୟକ୍ତିଙ୍କ ଦ୍ବାରା ତୁମେ ପରାଜିତ ହୋଇନାହଁ
ତ ?
ଅପି ସ୍ୱିତ୍ପର୍ୟଭୁଙ୍କ୍ଥାସ୍ତ୍ୱଂ ସମ୍ଭୋଜ୍ୟାନ୍ ବୃଦ୍ଧବାଲକାନ୍ ।
ଜୁଗୁପ୍ସିତଂ କର୍ମ କିଞ୍ଚିତ୍କୃତବାନ୍ ନ ଯଦକ୍ଷମମ୍ ॥ ୪୩॥
ଅଥବା ଭୋଜନ କରିବାକୁ ଆଗ୍ରହୀ କୌଣସି ବୃଦ୍ଧ ବା ବାଳକକୁ ଛାଡି ତୁମେ
ଏକାକୀ ଭୋଜନ ଗ୍ରହଣ କରିଛ ? ମୋର ବିଶ୍ବାସ, ଯାହା ତୁମର ଯୋଗ୍ୟ ନୁହେଁ, ସେପରି କୌଣସି ନିନ୍ଦିତ କର୍ମ ତୁମେ କଦାପି କରି ନ ଥିବ |
କଚ୍ଚିତ୍ପ୍ରେଷ୍ଠତମେନାଥ ହୃଦୟେନାତ୍ମବନ୍ଧୁନା ।
ଶୂନ୍ୟୋଽସ୍ମି ରହିତୋ ନିତ୍ୟଂ ମନ୍ୟସେ ତେଽନ୍ୟଥା ନ ରୁକ୍ ॥ ୪୪॥
ସମ୍ଭବତଃ, ତୁମେ ନିଜର ପରମ
ପ୍ରିୟତମ, ଅଭିନ୍ନ-ହୃଦୟ, ପରମ ସୁହୃଦ ଭଗବାନ
ଶ୍ରୀକୃଷ୍ଣଙ୍କଠାରୁ ଦୂରେଇ ଯାଇଥିବାରୁ ନିଜକୁ ଶୂନ୍ୟ ମନେକରୁଛ | ଏହା ବ୍ୟତିତ ଅନ୍ୟ କିଛି ହୋଇ
ନ ଥିବ, ଯେଉଁଥିପାଇଁ ତୁମେ
ଏତେ ବେଶୀ ମାନସିକ ପୀଡା ଅନୁଭବ କରୁଛ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ଯୁଧିଷ୍ଠିରବିତର୍କୋ ନାମ ଚତୁର୍ଦଶୋଽଧ୍ୟାୟଃ ॥ ୧୪॥

Comments
Post a Comment