ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ

ପ୍ରଥମ ସ୍କନ୍ଧ

ପଞ୍ଚଦଶ ଅଧ୍ୟାୟ

ପରୀକ୍ଷିତଙ୍କ ହସ୍ତରେ ରାଜ୍ୟଭାର ଅର୍ପଣ କରି କୃଷ୍ଣବିରହବ୍ୟଥିତ ପାଣ୍ଡବମାନଙ୍କର ସ୍ବର୍ଗକୁ ଗମନ

 

ସୂତ ଉବାଚ

ଏବଂ କୃଷ୍ଣସଖଃ କୃଷ୍ଣୋ ଭ୍ରାତ୍ରା ରାଜ୍ଞା ବିକଲ୍ପିତଃ ।

ନାନାଶଙ୍କାସ୍ପଦଂ ରୂପଂ କୃଷ୍ଣବିଶ୍ଲେଷକର୍ଶିତଃ ॥ ୧॥

ସୂତ ମୁନି କହୁଛନ୍ତି – ନିଜ ପ୍ରିୟ ସଖା ଶ୍ରୀକୃଷ୍ଣଙ୍କ ବିରହରେ ଅର୍ଜୁନ ତ ସହଜରେ ମଳୀନ ଦେଖା ଯାଉଥିଲେ, ତା ଉପରେ ତାଙ୍କୁ ବିଷାଦଗ୍ରସ୍ତ ଦେଖି ଅନେକ ପ୍ରକାରର ଆଶଙ୍କା କରି ଯୁଧିଷ୍ଠିର ତାଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ | 

ଶୋକେନ ଶୁଷ୍ୟଦ୍ୱଦନହୃତ୍ସରୋଜୋ ହତପ୍ରଭଃ ।

ବିଭୁଂ ତମେବାନୁଧ୍ୟାୟନ୍ନାଶକ୍ନୋତ୍ପ୍ରତିଭାଷିତୁମ୍ ॥ ୨॥

ଶୋକରେ ଅର୍ଜୁନଙ୍କର ମୁଖ ଏବଂ ହୃଦୟ-କମଳ ଶୁଖିଯାଇଥିଲା, ତେଜ ଫିକା ପଡି ଯାଇଥିଲା | ଭଗବାନ ଶ୍ରୀକୃଷ୍ଣଙ୍କ ଧ୍ୟାନରେ ସେ ଏପରି ଡୁବି ଯାଇଥିଲେ ଯେ ବଡ ଭାଇଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇପାରି ନ ଥିଲେ |

କୃଚ୍ଛ୍ରେଣ ସଂସ୍ତଭ୍ୟ ଶୁଚଃ ପାଣିନାଽଽମୃଜ୍ୟ ନେତ୍ରୟୋଃ ।

ପରୋକ୍ଷେଣ ସମୁନ୍ନଦ୍ଧପ୍ରଣୟୌତ୍କଣ୍ଠ୍ୟକାତରଃ ॥ ୩॥

ସଖ୍ୟଂ ମୈତ୍ରୀଂ ସୌହୃଦଂ ଚ ସାରଥ୍ୟାଦିଷୁ ସଂସ୍ମରନ୍ ।

ନୃପମଗ୍ରଜମିତ୍ୟାହ ବାଷ୍ପଗଦ୍ଗଦୟା ଗିରା ॥ ୪॥

ଶ୍ରୀକୃଷ୍ଣ ତାଙ୍କ ଦୃଷ୍ଟିରୁ ଅଦୃଶ୍ୟ ହୋଇ ଯାଇଥିବା କାରଣରୁ ପ୍ରେମଜନିତ ଉତ୍କଣ୍ଠାରେ ସେ ଅତ୍ୟଧିକ ବ୍ୟାକୁଳ ହୋଇ ଉଠିଥିଲେ | ରଥଚାଳନା ଏବଂ ପଦଚାଳନା କରୁଥିବା ସମୟରେ ଭଗବାନ ତାଙ୍କ ସହିତ ଯେଉଁ ମିତ୍ରତା, ଅଭିନ୍ନହୃଦୟତା ଏବଂ ପ୍ରେମପୂର୍ଣ୍ଣ ବ୍ୟବହାର କରୁଥିଲେ, ଅର୍ଜୁନଙ୍କ ସ୍ମୃତିପଟଳରେ ବାରମ୍ବାର ତାହା ଉଦୟ ହେବାରେ ଲାଗିଥିଲା | ବହୁ କଷ୍ଟରେ ସେ ନିଜର ଶୋକକୁ ନିୟନ୍ତ୍ରଣ କରି, ହାତରେ ଆଖି ପୋଛି, ଗଦଗଦ ବାଣୀରେ ନିଜ ଜ୍ୟେଷ୍ଠ ଭ୍ରାତ ମହାରାଜ ଯୁଧିଷ୍ଠିରଙ୍କୁ କହିଲେ -

ଅର୍ଜୁନ ଉବାଚ

ବଞ୍ଚିତୋଽହଂ ମହାରାଜ ହରିଣା ବନ୍ଧୁରୂପିଣା ।

ଯେନ ମେଽପହୃତଂ ତେଜୋ ଦେବବିସ୍ମାପନଂ ମହତ୍ ॥ ୫॥

ଅର୍ଜୁନ କହିଲେ – ମହାରାଜ ! ମୋର ମାତୁଳ-ପୁତ୍ର ଏବଂ ଘନିଷ୍ଠ ମିତ୍ର ରୂପରେ ଶ୍ରୀକୃଷ୍ଣ ମୋତେ ଠକିଦେଲେ | ମୋର ଯେଉଁ ପ୍ରବଳ ପରାକ୍ରମକୁ ଦେଖି ବଡ ବଡ ଦେବତାମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ଯାଉଥିଲେ, ଶ୍ରୀକୃଷ୍ଣ ତାହା ମୋ ଠାରୁ ଛଡାଇ ନେଲେ |

ଯସ୍ୟ କ୍ଷଣବିୟୋଗେନ ଲୋକୋ ହ୍ୟପ୍ରିୟଦର୍ଶନଃ ।

ଉକ୍ଥେନ ରହିତୋ ହ୍ୟେଷ ମୃତକଃ ପ୍ରୋଚ୍ୟତେ ଯଥା ॥ ୬॥

ପ୍ରାଣରହିତ ହୋଇ ଶରୀର ମୃତ ହୋଇଯିବା ପରି କ୍ଷଣମାତ୍ର ତାଙ୍କ ବିୟୋଗରେ ମୋତେ ଏହି ସଂସାର ଅପ୍ରିୟ ମନେ ହେଉଛି |

ଯତ୍ସଂଶ୍ରୟାଦ୍ଦ୍ରୁପଦଗେହମୁପାଗତାନାଂ

ରାଜ୍ଞାଂ ସ୍ୱୟମ୍ବରମୁଖେ ସ୍ମରଦୁର୍ମଦାନାମ୍ ।

ତେଜୋ ହୃତଂ ଖଲୁ ମୟାଭିହତଶ୍ଚ ମତ୍ସ୍ୟଃ

ସଜ୍ଜୀକୃତେନ ଧନୁଷାଧିଗତା ଚ କୃଷ୍ଣା ॥ ୭॥

ତାଙ୍କ ଆଶ୍ରୟରେ ରହି ଦ୍ରୌପଦୀ-ସ୍ବୟମ୍ବରରେ ଦ୍ରୁପଦଙ୍କ ରାଜସଭାରେ ଉପସ୍ଥିତ କାମୋନ୍ମତ୍ତ ସମସ୍ତ ରାଜାଙ୍କର ତେଜ ମୁଁ ହରଣ କରିପାରି ଥିଲି, ଧନୁରେ ତୀର ଚଢାଇ ମତ୍ସ୍ୟର ଚକ୍ଷୁ ଭେଦ କରିଥିଲି ଏବଂ ଦ୍ରୌପଦୀଙ୍କୁ ପ୍ରାପ୍ତ କରିଥିଲି |

ଯତ୍ସନ୍ନିଧାବହମୁ ଖାଣ୍ଡବମଗ୍ନୟେଽଦା-

ମିନ୍ଦ୍ରଂ ଚ ସାମରଗଣଂ ତରସା ବିଜିତ୍ୟ ।

ଲବ୍ଧା ସଭା ମୟକୃତାଦ୍ଭୁତଶିଲ୍ପମାୟା

ଦିଗ୍ଭ୍ୟୋଽହରନ୍ ନୃପତୟୋ ବଲିମଧ୍ୱରେ ତେ ॥ ୮॥

ତାଙ୍କର ସାନିଧ୍ୟ ଲାଭ କରି ମୁଁ ନିଜ ବଳରେ ସମସ୍ତ ଦେବତାଙ୍କ ସହ ଇନ୍ଦ୍ରଙ୍କୁ ପରାଜିତ କରି ଅଗ୍ନିଦେବଙ୍କର ତୃପ୍ତି ନିମନ୍ତେ ତାଙ୍କୁ ଖାଣ୍ଡବ ବନ ଦାନ କରିଥିଲି ଏବଂ ମୟ ଦାନବ ଦ୍ବାରା ନିର୍ମିତ ଅଲୌକିକ କଳାକୌଶଳଯୁକ୍ତ ମାୟାମୟୀ ସଭା ପ୍ରାପ୍ତ କରିଥିଲି | ଆପଣଙ୍କ ଯଜ୍ଞରେ ସବୁ ଦେଶରୁ ରାଜାମାନେ ଆସି ଅନେକ ପ୍ରକାରର ଉପହାର ଅର୍ପଣ କରିଥିଲେ |

ଯତ୍ତେଜସା ନୃପଶିରୋଽଙ୍ଘ୍ରିମହନ୍ ମଖାର୍ଥ-

ମାର୍ୟୋଽନୁଜସ୍ତବ ଗଜାୟୁତସତ୍ତ୍ୱବୀର୍ୟଃ ।

ତେନାହୃତାଃ ପ୍ରମଥନାଥମଖାୟ ଭୂପା

ଯନ୍ମୋଚିତାସ୍ତଦନୟନ୍ ବଲିମଧ୍ୱରେ ତେ ॥ ୯॥

ହେ ମହାରାଜ ! ଦଶ ହଜାର ହାତୀର ଶକ୍ତି ଏବଂ ବଳରେ ସମ୍ପନ୍ନ ଆପଣଙ୍କର କନିଷ୍ଠ ଭ୍ରାତା ଭୀମସେନ ତାଙ୍କର ଶକ୍ତିରେ ହିଁ ରାଜାମାନଙ୍କର ମସ୍ତକରେ ପାଦ ରଖୁଥିବା ଅଭିମାନୀ ଜରାସନ୍ଧକୁ ବଧ କରିଥିଲେ | ତଦନନ୍ତର ଭଗବାନ ସେହି ସବୁ ରାଜାମାନଙ୍କୁ ମୁକ୍ତ କରିଥିଲେ, ଯେଉଁମାନଙ୍କୁ ମହାଭୈରବ-ଯଜ୍ଞରେ ବଳି ଦେବା ଉଦ୍ଦେଶ୍ୟରେ ଜରାସନ୍ଧ ବନ୍ଦୀ କରି ରଖିଥିଲା | ସେହି ରାଜାମାନେ ଯଜ୍ଞରେ ଆପଣଙ୍କୁ ଅନେକ ଉପହାର ପ୍ରଦାନ କରିଥିଲେ |

ପତ୍ନ୍ୟାସ୍ତବାଧିମଖକୢପ୍ତମହାଭିଷେକ-

ଶ୍ଲାଘିଷ୍ଠଚାରୁକବରଂ କିତବୈଃ ସଭାୟାମ୍ ।

ସ୍ପୃଷ୍ଟଂ ବିକୀର୍ୟ ପଦୟୋଃ ପତିତାଶ୍ରୁମୁଖ୍ୟା

ଯସ୍ତତ୍ସ୍ତ୍ରିୟୋଽକୃତହତେଶବିମୁକ୍ତକେଶାଃ ॥ ୧୦॥

ମହାରାଣୀ ଦ୍ରୌପଦୀଙ୍କର ରାଜସୂୟ ଯଜ୍ଞର ମହାନ୍ ଅଭିଷେକରେ ପବିତ୍ର ହୋଇଥିବା ସୁନ୍ଦର କେଶ, ଯାହାକୁ ସ୍ପର୍ଶ କରିବାର ଦୁଃସାହସ ଭରପୂର ରାଜସଭାରେ ଦୁଷ୍ଟମାନେ କରିଥିଲେ, ସେହି କେଶ ଉନ୍ମୁକ୍ତ କରି ଅଶ୍ରୁପୂର୍ଣ୍ଣ ନେତ୍ରରେ ସେ ଯେତେବେଳେ ଶ୍ରୀକୃଷ୍ଣଙ୍କ ଚରଣରେ ଲୋଟି ଯାଉଥିଲେ, ସେତେବେଳେ ଭଗବାନ ତାଙ୍କ ଅପମାନର ପ୍ରତିଶୋଧ ନେବେ ପ୍ରତିଜ୍ଞା କରି ସେହି ଧୂର୍ତ୍ତଙ୍କ ସ୍ତ୍ରୀମାନଙ୍କର ଏପରି ଦଶା କରିଥିଲେ ଯେ ସେମାନେ ସମସ୍ତେ ବିଧବା ହୋଇଗଲେ ଏବଂ ସେମାନଙ୍କୁ ନିଜ ହାତରେ ନିଜ କେଶ ଖୋଲିବାକୁ ପଡିଲା |

ଯୋ ନୋ ଜୁଗୋପ ବନମେତ୍ୟ ଦୁରନ୍ତକୃଚ୍ଛ୍ରା-

ଦ୍ଦୁର୍ୱାସସୋଽରିରଚିତାଦୟୁତାଗ୍ରଭୁଗ୍ ଯଃ ।

ଶାକାନ୍ନଶିଷ୍ଟମୁପୟୁଜ୍ୟ ଯତସ୍ତ୍ରିଲୋକୀଂ

ତୃପ୍ତାମମଂସ୍ତ ସଲିଲେ ବିନିମଗ୍ନସଙ୍ଘଃ ॥ ୧୧॥

ବନବାସ କାଳରେ ଆମ୍ଭମାନଙ୍କର ଶତ୍ରୁ ଦୁର୍ଯ୍ୟୋଧନ ଷଡଯନ୍ତ୍ରରେ ଦଶ ହଜାର ଶିଷ୍ୟଙ୍କ ସହିତ ଭୋଜନ କରିବା ପାଇଁ ଦୁର୍ବାସା ମୁନିଙ୍କୁ ପଠାଇ ଆମ୍ଭମାନଙ୍କୁ ଘୋର ସଂକଟରେ ପକାଇ ଥିଲା | ସେହି ସମୟରେ ଭଗବାନ ଦ୍ରୌପଦୀଙ୍କ ପାତ୍ରରେ ଅବଶିଷ୍ଟ ରହିଥିବା ଗୋଟିଏ ଶାଗପତ୍ରକୁ ଭୋଗ ରୂପେ ସ୍ବୀକାର କରି ଆମ୍ଭମାନଙ୍କୁ ରକ୍ଷା କରିଥିଲେ | କେବଳ ନଦୀରେ ସ୍ନାନ କରୁଥିବା ମୁନିମଣ୍ଡଳୀକୁ ନୁହେଁ, ତ୍ରିଲୋକକୁ ଏପରି ପ୍ରତୀତ ହେଲା ସତେ ଯେପରି ସେମାନଙ୍କର କ୍ଷୁଧାନିବୃତ୍ତି ହୋଇଯାଇଛି, ସେମାନେ ତୃପ୍ତ ହୋଇ ଯାଇଛନ୍ତି |

ଯତ୍ତେଜସାଥ ଭଗବାନ୍ ଯୁଧି ଶୂଲପାଣି-

ର୍ୱିସ୍ମାପିତଃ ସଗିରିଜୋଽସ୍ତ୍ରମଦାନ୍ନିଜଂ ମେ ।

ଅନ୍ୟେଽପି ଚାହମମୁନୈବ କଲେବରେଣ

ପ୍ରାପ୍ତୋ ମହେନ୍ଦ୍ରଭବନେ ମହଦାସନାର୍ଧମ୍ ॥ ୧୨॥

ତାଙ୍କ ପ୍ରତାପରେ ମୁଁ ଯୁଦ୍ଧରେ ପାର୍ବତୀଙ୍କ ସହ ଭଗବାନ ଶଂକରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିଦେଇ ଥିଲି ଏବଂ ସେ ମୋତେ ନିଜର ପାଶୁପତ ଅସ୍ତ୍ର ପ୍ରଦାନ  କରିଥିଲେ | ତା ସହିତ ଅନ୍ୟ ଲୋକପାଳମାନେ ମଧ୍ୟ ମୋତେ ସେମାନଙ୍କର ନିଜ ନିଜର ଅସ୍ତ୍ର ପ୍ରଦାନ କରିଥିଲେ | ଅଧିକ କଣ କହିବି, ତାଙ୍କ କୃପାରୁ ହିଁ ମୋତେ ସଶରୀରେ ସ୍ବର୍ଗକୁ ପ୍ରବେଶ ମିଳିଥିଲା ଏବଂ ଦେବରାଜ ଇନ୍ଦ୍ରଙ୍କ ସଭାରେ ତାଙ୍କ ସହିତ ଅର୍ଦ୍ଧେକ ଆସନରେ ବସିବାର ସମ୍ମାନ ପ୍ରାପ୍ତ ହୋଇଥିଲା |

ତତ୍ରୈବ ମେ ବିହରତୋ ଭୁଜଦଣ୍ଡୟୁଗ୍ମଂ

ଗାଣ୍ଡୀବଲକ୍ଷଣମରାତିବଧାୟ ଦେବାଃ ।

ସେନ୍ଦ୍ରାଃ ଶ୍ରିତା ଯଦନୁଭାବିତମାଜମୀଢ

ତେନାହମଦ୍ୟ ମୁଷିତଃ ପୁରୁଷେଣ ଭୂମ୍ନା ॥ ୧୩॥

ସେମାନଙ୍କ ଆଗ୍ରହରେ ମୁଁ ଯେତେବେଳେ କିଛି ଦିନ ସ୍ବର୍ଗରେ ନିବାସ କରିଥିଲି, ସେତେବେଳେ ଇନ୍ଦ୍ରଙ୍କ ସହିତ ଅନ୍ୟ ଦେବତାମାନେ ନିବାତକବଚ ଆଦି ଦୈତ୍ୟମାନଙ୍କର ବିନାଶ ନିମନ୍ତେ ମୋର ଏହି ଗାଣ୍ଡିବ ଧାରଣ କରିଥିବା ଭୁଜର ଆଶ୍ରୟ ଗ୍ରହଣ କରିଥିଲେ | ମହାରାଜ ! ଏସବୁ କିଛି ଯାହାର ମହାନ୍ କୃପାର ଫଳ ଥିଲା, ସେହି ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ଆଜି ମୋତେ ଠକି ଦେଲେ |

ଯଦ୍ବାନ୍ଧବଃ କୁରୁବଲାବ୍ଧିମନନ୍ତପାର-

ମେକୋ ରଥେନ ତତରେଽହମତୀର୍ୟସତ୍ତ୍ୱମ୍ ।

ପ୍ରତ୍ୟାହୃତଂ ବହୁଧନଂ ଚ ମୟା ପରେଷାଂ

ତେଜାସ୍ପଦଂ ମଣିମୟଂ ଚ ହୃତଂ ଶିରୋଭ୍ୟଃ ॥ ୧୪॥

କୌରବ ସେନା ଭୀଷ୍ମ, ଦ୍ରୋଣ ଆଦି ଅଜେୟ ମହାମତ୍ସ୍ୟଙ୍କ ଦ୍ବାରା ପୂର୍ଣ ଅପାର ସମୁଦ୍ର ସଦୃଶ ଦୁସ୍ତର ଥିଲା, କିନ୍ତୁ ତାଙ୍କର ଆଶ୍ରିତ ରହି ମୁଁ ଏକାକୀ ରଥରେ ଚଢି ତାହାକୁ ଲଂଘନ କରିନେଲି | ଆପଣଙ୍କର ମନେଥିବ, ତାଙ୍କ ସହାୟତାରେ ମୁଁ ଶତ୍ରୁ କବଳରୁ ବିରାଟ ରାଜାଙ୍କର ସମସ୍ତ ଗୋଧନ ଉଦ୍ଧାର କରିଥିଲି | ତା ସହିତ ସେହି ଶତ୍ରୁମାନଙ୍କର ମସ୍ତକରେ ଝଟକୁଥିବା ମଣିମୟ ମୁକୁଟ ଏବଂ ସେମାନଙ୍କ ଅଙ୍ଗରୁ ସମସ୍ତ ଆଭୂଷଣ ଛଡାଇ ଆଣିଥିଲି |

ଯୋ ଭୀଷ୍ମକର୍ଣଗୁରୁଶଲ୍ୟଚମୂଷ୍ୱଦଭ୍ର-

ରାଜନ୍ୟବର୍ୟରଥମଣ୍ଡଲମଣ୍ଡିତାସୁ ।

ଅଗ୍ରେଚରୋ ମମ ବିଭୋ ରଥୟୂଥପାନା-

ମାୟୁର୍ମନାଂସି ଚ ଦୃଶା ସହ ଓଜ ଆର୍ଚ୍ଛତ୍ ॥ ୧୫॥

ହେ ଭ୍ରାତା ! କୌରବ-ସେନା ଭୀଷ୍ମ, କର୍ଣ୍ଣ, ଦ୍ରୋଣ, ଶଲ୍ୟ, ତଥା ଅନ୍ୟ ବଡ ବଡ ରାଜା ଏବଂ କ୍ଷତ୍ରିୟ ବୀରମାନଙ୍କର ରଥରେ ଶୋଭାୟମାନ ଥିଲା | ମୋ ସମ୍ମୁଖ ଭାଗରେ ରହି ସେ ନିଜ ଦୃଷ୍ଟିରେ ସେହି ମହାରଥୀ ଯୂଥପତିମାନଙ୍କର ଆୟୁ, ମନ, ଉତ୍ସାହ ଏବଂ ବଳକୁ ହରଣ କରି ନେଉଥିଲେ |

ଯଦ୍ଦୋଃଷୁ ମା ପ୍ରଣିହିତଂ ଗୁରୁଭୀଷ୍ମକର୍ଣ-

ନପ୍ତୃତ୍ରିଗର୍ତଶଲସୈନ୍ଧବବାହ୍ଲିକାଦ୍ୟୈଃ ।

ଅସ୍ତ୍ରାଣ୍ୟମୋଘମହିମାନି ନିରୂପିତାନି

ନୋପସ୍ପୃଶୁର୍ନୃହରିଦାସମିବାସୁରାଣି ॥ ୧୬॥

ଦ୍ରୋଣାଚାର୍ଯ୍ୟ, ଭୀଷ୍ମ, କର୍ଣ୍ଣ, ଭୂରିଶ୍ରଵା, ସୁଶର୍ମା, ଶଲ୍ୟ, ଜୟଦ୍ରଥ ଏବଂ ବାହ୍ୱିକଙ୍କ ପରି ବୀର ଯୋଦ୍ଧାମାନେ ମୋ ପ୍ରତି ସେମାନଙ୍କର ଅଚୂକ ଅସ୍ତ୍ର ପ୍ରୟୋଗ କରୁଥିଲେ | କିନ୍ତୁ ହିରଣ୍ୟକଶିପୁ ଆଦି ଦୈତ୍ୟମାନଙ୍କର ଅସ୍ତ୍ର-ଶସ୍ତ୍ର ଯେପରି ଭଗବତ୍-ଭକ୍ତ ପ୍ରହ୍ଲାଦଙ୍କୁ ସ୍ପର୍ଶ କରୁ ନ ଥିଲା, ସେହିପରି ସେହି ବୀରମାନଙ୍କର ଅସ୍ତ୍ର ମୋତେ ସ୍ପର୍ଶ ସୁଦ୍ଧା କରି ନ ଥିଲା | ଏହା କେବଳ ଶ୍ରୀକୃଷ୍ଣଙ୍କ ଭୁଜଦଣ୍ଡର ଛତ୍ରଛାୟାରେ ରହିବାର ପ୍ରଭାବ ଥିଲା |

ସୌତ୍ୟେ ବୃତଃ କୁମତିନାଽଽତ୍ମଦ ଈଶ୍ୱରୋ ମେ

ଯତ୍ପାଦପଦ୍ମମଭବାୟ ଭଜନ୍ତି ଭବ୍ୟାଃ ।

ମାଂ ଶ୍ରାନ୍ତବାହମରୟୋ ରଥିନୋ ଭୁବିଷ୍ଠଂ

ନ ପ୍ରାହରନ୍ ଯଦନୁଭାବନିରସ୍ତଚିତ୍ତାଃ ॥ ୧୭॥

ଶ୍ରେଷ୍ଠ ପୁରୁଷମାନେ ସଂସାରରୁ ମୁକ୍ତ ହେବା ପାଇଁ ଯାହାର ଚରଣକମଳର ସେବନ କରୁଥାଆନ୍ତି, ନିଜକୁ ସେମାନଙ୍କ ଠାରେ ପୂର୍ଣ୍ଣତଃ ଅର୍ପିତ କରି ଦେଉଥିବା ସେହି ଭଗବାନଙ୍କୁ ମୋ ପରି ଜଣେ ମନ୍ଦବୁଦ୍ଧି ସାରଥୀ କରିବାକୁ ମଧ୍ୟ କୁଣ୍ଠିତ ହେଲାନାହିଁ | ଯୁଦ୍ଧରେ ମୋର ଘୋଡାମାନେ ଥକି ଯାଇଥିବା କାରଣରୁ ମୁଁ ଯେତେବେଳେ ରଥରୁ ଓହ୍ଲାଇ ତଳେ ଠିଆ ହୋଇଥିଲି, ସେତେବେଳେ ଶତ୍ରୁପକ୍ଷର ବଡ ବଡ ମହାରଥୀମାନେ ମଧ୍ୟ ମୋତେ ପ୍ରହାର କରୁ ନ ଥିଲେ, କାରଣ ଶ୍ରୀକୃଷ୍ଣଙ୍କ ପ୍ରଭାବରେ ସେମାନଙ୍କର ବୁଦ୍ଧି ହଜି ଯାଇଥିଲା |

ନର୍ମାଣ୍ୟୁଦାରରୁଚିରସ୍ମିତଶୋଭିତାନି

ହେ ପାର୍ଥ ହେଽର୍ଜୁନ ସଖେ କୁରୁନନ୍ଦନେତି ।

ସଞ୍ଜଲ୍ପିତାନି ନରଦେବ ହୃଦିସ୍ପୃଶାନି

ସ୍ମର୍ତୁର୍ଲୁଠନ୍ତି ହୃଦୟଂ ମମ ମାଧବସ୍ୟ ॥ ୧୮॥

ମହାରାଜ ! ମାଧବଙ୍କର ସେହି ଉନ୍ମୁକ୍ତ ଏବଂ ମଧୁର ହାସ୍ୟଯୁକ୍ତ ବିନୋଦଭରା ହୃଦୟସ୍ପର୍ଶୀ ବଚନ ତଥା ପାର୍ଥ, ଅର୍ଜୁନ, ସଖା ଏବଂ କୁରୁନନ୍ଦନ ଆଦି ଅନେକ ନାମରେ ସେ ଯେପରି ମୋତେ ସମ୍ବୋଧନ କରନ୍ତି, ସେହି ସବୁ କଥା ସ୍ମରଣ କରି ମୋର ହୃଦୟ ବ୍ୟାକୁଳ ହୋଇ ଉଠୁଛି |

ଶୟ୍ୟାସନାଟନବିକତ୍ଥନଭୋଜନାଦି-

ଷ୍ୱୈକ୍ୟାଦ୍ୱୟସ୍ୟ ଋତବାନିତି ବିପ୍ରଲବ୍ଧଃ ।

ସଖ୍ୟୁଃ ସଖେବ ପିତୃବତ୍ତନୟସ୍ୟ ସର୍ୱଂ

ସେହେ ମହାନ୍ ମହିତୟା କୁମତେରଘଂ ମେ ॥ ୧୯॥

ଶୋଇବା, ବସିବା, ବିଚରଣ କରିବା, ନିଜ ବିଷୟରେ ବଡ ବଡ କଥା କହିବା, ଭୋଜନ କରିବା ସମୟରେ ଆମେ ଦୁହେଁ ପ୍ରାୟତଃ ଏକତ୍ର ରହୁଥିଲୁ | ଦିନେ ଦିନେ ମୁଁ ତାଙ୍କୁ ବ୍ୟଙ୍ଗରେ ଏପରି କହିଦିଏ, “ମିତ୍ର ! ତୁମେ ତ ବଡ ସତ୍ୟବାଦୀ ଅଟ ?” କିନ୍ତୁ ମିତ୍ର ଯେପରି ମିତ୍ରର, ପିତା ଯେପରି ପୁତ୍ରର ଅପରାଧକୁ ସହ୍ୟ କରିନିଅନ୍ତି, ସେହିପରି ନିଜ ମହାନୁଭବତାରେ ସେହି ମହାପୁରୁଷ ମୋ ପରି ଦୁର୍ବୁଦ୍ଧିର ସବୁ ଅପରାଧ ସହ୍ୟ କରୁଥିଲେ |

ସୋଽହଂ ନୃପେନ୍ଦ୍ର ରହିତଃ ପୁରୁଷୋତ୍ତମେନ

ସଖ୍ୟା ପ୍ରିୟେଣ ସୁହୃଦା ହୃଦୟେନ ଶୂନ୍ୟଃ ।

ଅଧ୍ୱନ୍ୟୁରୁକ୍ରମପରିଗ୍ରହମଙ୍ଗ ରକ୍ଷନ୍

ଗୋପୈରସଦ୍ଭିରବଲେବ ବିନିର୍ଜିତୋଽସ୍ମି ॥ ୨୦॥

ମହାରାଜ ! ଯିଏ ମୋର କେବଳ ସଖା ଏବଂ ପ୍ରିୟ ମିତ୍ର ନୁହଁନ୍ତି, ବରଂ ମୋର ହୃଦୟ ଅଟନ୍ତି, ସେହି ପୁରୁଷୋତ୍ତମ ଭଗବାନ ଆଜି ମୋ ଠାରୁ ଦୂରେଇ ଯାଇଛନ୍ତି | ଦ୍ବାରିକାରୁ ତାଙ୍କର ପତ୍ନୀମାନଙ୍କୁ ମୁଁ ନିଜ ସହିତ ନେଇ କରି ଆସୁଥିଲି; କିନ୍ତୁ ମାର୍ଗରେ ଦୁଷ୍ଟମାନେ ମୋତେ ଜଣେ ଅବଳା-ତୁଲ୍ୟ ହରାଇ ଦେଲେ ଏବଂ ମୁଁ ସେମାନଙ୍କୁ ରକ୍ଷା କରିପାରିଲି ନାହିଁ |

ତଦ୍ୱୈ ଧନୁସ୍ତ ଇଷବଃ ସ ରଥୋ ହୟାସ୍ତେ

ସୋଽହଂ ରଥୀ ନୃପତୟୋ ଯତ ଆନମନ୍ତି ।

ସର୍ୱଂ କ୍ଷଣେନ ତଦଭୂଦସଦୀଶରିକ୍ତଂ

ଭସ୍ମନ୍ ହୁତଂ କୁହକରାଦ୍ଧମିବୋପ୍ତମୂଷ୍ୟାମ୍ ॥ ୨୧॥

ମୋର ସେହି ଗାଣ୍ଡୀବ ଧନୁ ଅଛି, ସେହି ତୁଣୀର ଅଛି, ସେହି ରଥ ଅଛି, ସେହି ଘୋଡା ଅଛନ୍ତି ଏବଂ ସର୍ବୋପରି ବଡ ବଡ ରାଜାମାନେ ଯାହା ସମ୍ମୁଖରେ ନତମସ୍ତକ ହେଉଥିଲେ ମୁଁ ସେହି ଅର୍ଜୁନ ମଧ୍ୟ ଅଛି | ଶ୍ରୀକୃଷ୍ଣଙ୍କ ବିନା ଏମାନେ ସମସ୍ତେ ମୁହୂର୍ତ୍ତକରେ ନ ଥିବା ପରି ନିରର୍ଥକ ହୋଇଗଲେ | ଭସ୍ମରେ ଦିଆ ଯାଉଥିବା ଆହୂତି, କପଟପୂର୍ଣ୍ଣ ସେବା ଏବଂ ଉଷର ଭୂମିରେ ବୁଣା ଯାଇଥିବା ବୀଜ ପରି ଏମାନେ ବ୍ୟର୍ଥ ହୋଇଗଲେ |

ରାଜଂସ୍ତ୍ୱୟାନୁପୃଷ୍ଟାନାଂ ସୁହୃଦାଂ ନଃ ସୁହୃତ୍ପୁରେ ।

ବିପ୍ରଶାପବିମୂଢାନାଂ ନିଘ୍ନତାଂ ମୁଷ୍ଟିଭିର୍ମିଥଃ ॥ ୨୨॥

ବାରୁଣୀଂ ମଦିରାଂ ପୀତ୍ୱା ମଦୋନ୍ମଥିତଚେତସାମ୍ ।

ଅଜାନତାମିବାନ୍ୟୋନ୍ୟଂ ଚତୁଃପଞ୍ଚାବଶେଷିତାଃ ॥ ୨୩॥

ହେ ରାଜନ୍ ! ଦ୍ବାରିକାବାସୀ ଯେଉଁ ସ୍ବଜନ-ସମ୍ବନ୍ଧୀମାନଙ୍କ ବିଷୟରେ ଆପଣ ପଚାରିଲେ, ସେମାନେ ସମସ୍ତେ ବ୍ରାହ୍ମଣମାନଙ୍କ ଅଭିଶାପରେ ମୋହଗ୍ରସ୍ତ ହୋଇଗଲେ ଏବଂ ବାରୁଣୀ ମଦିରା ପାନରେ ମଦୋନ୍ମତ୍ତ ହୋଇ ଅପରିଚିତମାନଙ୍କ ପରି ପରସ୍ପର ମଧ୍ୟରେ ଲଢେଇ ଓ ମାଡପିଟ କରି ସମସ୍ତେ ନଷ୍ଟ ହୋଇଗଲେ | ସେମାନଙ୍କ ମଧ୍ୟରୁ କେବଳ ଚାରି-ପାଞ୍ଚଜଣ ହିଁ ଜୀବିତ ରହିଛନ୍ତି |

ପ୍ରାୟେଣୈତଦ୍ଭଗବତ ଈଶ୍ୱରସ୍ୟ ବିଚେଷ୍ଟିତମ୍ ।

ମିଥୋ ନିଘ୍ନନ୍ତି ଭୂତାନି ଭାବୟନ୍ତି ଚ ଯନ୍ମିଥଃ ॥ ୨୪॥

ବାସ୍ତବରେ ଏହା ସବୁକିଛି ସେହି ସର୍ବଶକ୍ତିମାନ ଭଗବାନଙ୍କର ହିଁ ଲୀଳା ଅଟେ ଯେ ସଂସାରରେ ସମସ୍ତ ପ୍ରାଣୀ ପରସ୍ପରର ପାଳନ-ପୋଷଣ ବି କରନ୍ତି ଏବଂ ପରସ୍ପରର ମୃତ୍ୟୁର କାରଣ ମଧ୍ୟ ହୋଇଥାଆନ୍ତି |

ଜଲୌକସାଂ ଜଲେ ଯଦ୍ୱନ୍ମହାନ୍ତୋଽଦନ୍ତ୍ୟଣୀୟସଃ ।

ଦୁର୍ବଲାନ୍ ବଲିନୋ ରାଜନ୍ ମହାନ୍ତୋ ବଲିନୋ ମିଥଃ ॥ ୨୫॥

ଏବଂ ବଲିଷ୍ଠୈର୍ୟଦୁଭିର୍ମହଦ୍ଭିରିତରାନ୍ ବିଭୁଃ ।

ଯଦୂନ୍ ଯଦୁଭିରନ୍ୟୋନ୍ୟଂ ଭୂଭାରାନ୍ ସଞ୍ଜହାର ହ ॥ ୨୬॥

ହେ ରାଜନ୍ ! ଜଳଚର ପ୍ରାଣୀମାନଙ୍କ ମଧ୍ୟରେ ଯେପରି ବଡ ଜନ୍ତୁ ଛୋଟ ଜନ୍ତୁମାନଙ୍କୁ, ବଳବାନ୍ ଦୁର୍ବଳକୁ, ଏବଂ ବଳବାନମାନେ ମଧ୍ୟ ପରସ୍ପରକୁ ଖାଇଯାଆନ୍ତି, ସେହିପରି ଅତିଶୟ ବଳଶାଳୀ ରାଜା ଏବଂ ଶ୍ରେଷ୍ଠ ଯଦୁବଂଶୀମାନଙ୍କ ଦ୍ବାରା ଭଗବାନ ଅନ୍ୟ ରାଜାମାନଙ୍କର ସଂହାର କଲେ | ତତପଶ୍ଚାତ୍ ଯଦୁବଂଶୀମାନଙ୍କ ଦ୍ବାରା ହିଁ ଅନ୍ୟ ଯଦୁବଂଶୀଙ୍କୁ ନାଶ କରି ସର୍ବତୋ ଭାବରେ ଭୂ-ଭାର ହରଣ କଲେ |

ଦେଶକାଲାର୍ଥୟୁକ୍ତାନି ହୃତ୍ତାପୋପଶମାନି ଚ ।

ହରନ୍ତି ସ୍ମରତଶ୍ଚିତ୍ତଂ ଗୋବିନ୍ଦାଭିହିତାନି ମେ ॥ ୨୭॥

ଭଗବାନ ଶ୍ରୀକୃଷ୍ଣ ମୋତେ ଯେଉଁ ଉପଦେଶ ଦେଇଥିଲେ, ତାହା ଦେଶ, କାଳ ଓ ପ୍ରୟୋଜନ ଅନୁରୂପ ଅଟେ ଏବଂ ହୃଦୟର ତାପକୁ ତାହା ଶାନ୍ତ କରିଦିଏ | ସ୍ମରଣମାତ୍ରେ ତାହା ମୋର ଚିତ୍ତକୁ ହରଣ କରିନେଉଛି |

ସୂତ ଉବାଚ

ଏବଂ ଚିନ୍ତୟତୋ ଜିଷ୍ଣୋଃ କୃଷ୍ଣପାଦସରୋରୁହମ୍ ।

ସୌହାର୍ଦେନାତିଗାଢେନ ଶାନ୍ତାଽଽସୀଦ୍ୱିମଲା ମତିଃ ॥ ୨୮॥

ସୂତ ମୁନି କହୁଛନ୍ତି – ଏହିପରି ପ୍ରଗାଢ଼ ପ୍ରେମରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ-କମଳର ଚିନ୍ତନ କରି କରି ଅର୍ଜୁନଙ୍କର ଚିତ୍ତବୃତ୍ତି ଅତ୍ୟନ୍ତ ନିର୍ମଳ ଏବଂ ପ୍ରଶାନ୍ତ ହୋଇଗଲା |

ବାସୁଦେବାଙ୍ଘ୍ର୍ୟନୁଧ୍ୟାନପରିବୃଂହିତରଂହସା ।

ଭକ୍ତ୍ୟା ନିର୍ମଥିତାଶେଷକଷାୟଧିଷଣୋଽର୍ଜୁନଃ ॥ ୨୯॥

ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ-କମଳର ଅହର୍ନିଶି ଚିନ୍ତନରେ ତାଙ୍କର ପ୍ରେମମୟୀ ଭକ୍ତି ଅତ୍ୟନ୍ତ ବୃଦ୍ଧି ଲାଭ କଲା | ଭକ୍ତିର ବେଗ ହୃଦୟକୁ ମନ୍ଥନ କରି ତନ୍ମଧ୍ୟରୁ ସମସ୍ତ ବିକାରକୁ ବହିର୍ଗତ କରିଦେଲା |

ଗୀତଂ ଭଗବତା ଜ୍ଞାନଂ ଯତ୍ତତ୍ସଙ୍ଗ୍ରାମମୂର୍ଧନି ।

କାଲକର୍ମତମୋରୁଦ୍ଧଂ ପୁନରଧ୍ୟଗମତ୍ପ୍ରଭୁଃ ॥ ୩୦॥

ଯୁଦ୍ଧର ପ୍ରାରମ୍ଭରେ ଭଗବାନଙ୍କ ଦ୍ବାରା ପ୍ରଦତ୍ତ ଉପଦେଶ, ଗୀତା-ଜ୍ଞାନ, ତାଙ୍କର ପୁନଃସ୍ମରଣ ହେଲା, ଯାହା କାଳର ବ୍ୟବଧାନ ଏବଂ କର୍ମର ବିସ୍ତୃତି ଫଳରେ ବିଛି କାଳ ବିସ୍ମୃତ ହୋଇ ଯାଇଥିଲା |

ବିଶୋକୋ ବ୍ରହ୍ମସମ୍ପତ୍ତ୍ୟା ସଞ୍ଚ୍ଛିନ୍ନଦ୍ୱୈତସଂଶୟଃ ।

ଲୀନପ୍ରକୃତିନୈର୍ଗୁଣ୍ୟାଦଲିଙ୍ଗତ୍ୱାଦସମ୍ଭବଃ ॥ ୩୧॥

ବ୍ରହ୍ମଜ୍ଞାନ ପ୍ରାପ୍ତିରେ ମାୟାର ଆବରଣ ଭଙ୍ଗ ହୋଇ ସେ ଗୁଣାତୀତ ଅବସ୍ଥାକୁ ପ୍ରାପ୍ତ ହେଲେ | ତାଙ୍କର ଦ୍ବୈତର ସଂଶୟ ନିବୃତ୍ତ ହେଲା, ସୂକ୍ଷ୍ମ ଶରୀର ସମାପ୍ତ ହେଲା ଏବଂ ଶୋକ ଓ ଜନ୍ମ-ମୃତ୍ୟୁର ଚକ୍ରରୁ ସେ ସମ୍ପୂର୍ଣ୍ଣ ମୁକ୍ତ ହୋଇଗଲେ |

ନିଶମ୍ୟ ଭଗବନ୍ମାର୍ଗଂ ସଂସ୍ଥାଂ ଯଦୁକୁଲସ୍ୟ ଚ ।

ସ୍ୱଃପଥାୟ ମତିଂ ଚକ୍ରେ ନିଭୃତାତ୍ମା ଯୁଧିଷ୍ଠିରଃ ॥ ୩୨॥

ଭଗବାନଙ୍କର ସ୍ବଧାମ-ଗମନ ଏବଂ ଯଦୁବଂଶ ସଂହାର ବୃତ୍ତାନ୍ତ ଶ୍ରବଣ କରି ନିଶ୍ଚଳମତି ଯୁଧିଷ୍ଠିର ସ୍ବର୍ଗାରୋହଣ କରିବାକୁ ନିଷ୍ପତ୍ତି କଲେ |

ପୃଥାପ୍ୟନୁଶ୍ରୁତ୍ୟ ଧନଞ୍ଜୟୋଦିତଂ

ନାଶଂ ଯଦୂନାଂ ଭଗବଦ୍ଗତିଂ ଚ ତାମ୍ ।

ଏକାନ୍ତଭକ୍ତ୍ୟା ଭଗବତ୍ୟଧୋକ୍ଷଜେ

ନିବେଶିତାତ୍ମୋପରରାମ ସଂସୃତେଃ ॥ ୩୩॥

ଅର୍ଜୁନଙ୍କ ମୁଖରୁ ଯଦୁବଂଶୀମାନଙ୍କର ବିନାଶ ଏବଂ ଭଗବାନଙ୍କ ସ୍ବଧାମ-ଗମନ ବିଷୟରେ ଶୁଣି କୁନ୍ତୀଦେବୀ ଅନନ୍ୟ ଭକ୍ତିରେ ହୃଦୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଧାରଣ କରି ସବୁଦିନ ପାଇଁ ଏହି ଜନ୍ମ-ମୃତ୍ୟୁରୂପ ସଂସାରରୁ ନିଜର ମୁହଁ ଫେରାଇ ନେଲେ |

ଯୟାହରଦ୍ଭୁବୋ ଭାରଂ ତାଂ ତନୁଂ ବିଜହାବଜଃ ।

କଣ୍ଟକଂ କଣ୍ଟକେନେବ ଦ୍ୱୟଂ ଚାପୀଶିତୁଃ ସମମ୍ ॥ ୩୪॥

କଣ୍ଟା ଦ୍ବାରା କଣ୍ଟାକୁ କାଢିବା ପରେ ଉଭୟ କଣ୍ଟାକୁ ଫିଙ୍ଗିଦେବା ପରି, ଲୋକ-ଦୃଷ୍ଟିରୁ ଯେଉଁ ଯାଦବ-ଶରୀରରେ ଭଗବାନ ଶ୍ରୀକୃଷ୍ଣ ଭୂ-ଭାର ହରଣ କରିଥିଲେ, ତାହାକୁ ସେ ସେହିପରି ତ୍ୟାଗ କରିଦେଲେ | ଭଗବାନଙ୍କ ଦୃଷ୍ଟିରେ ଉଭୟର ମହତ୍ତ୍ବ ସମାନ ଥିଲା |

ଯଥା ମତ୍ସ୍ୟାଦିରୂପାଣି ଧତ୍ତେ ଜହ୍ୟାଦ୍ୟଥା ନଟଃ ।

ଭୂଭାରଃ କ୍ଷପିତୋ ଯେନ ଜହୌ ତଚ୍ଚ କଲେବରମ୍ ॥ ୩୫॥

ଜଣେ ନଟ ପରି ସେ ଯେପରି ମତ୍ସ୍ୟାଦି ଅନେକ ରୂପ ଧାରଣ କରି ତାହାକୁ ତ୍ୟାଗ କରି ଦେଇଥିଲେ, ସେହିପରି ଯାଦବ ଶରୀରରେ ଭୂ-ଭାର ହରଣ କରିବା ପରେ ସେ ତାହାକୁ ମଧ୍ୟ ତ୍ୟାଗ କରିଦେଲେ |

ଯଦା ମୁକୁନ୍ଦୋ ଭଗବାନିମାଂ ମହୀଂ

ଜହୌ ସ୍ୱତନ୍ୱା ଶ୍ରବଣୀୟସତ୍କଥଃ ।

ତଦା ହରେବାପ୍ରତିବୁଦ୍ଧଚେତସା-

ମଧର୍ମହେତୁଃ କଲିରନ୍ୱବର୍ତତ ॥ ୩୬॥

ଯାହାର ମଧୁର ଲୀଳାବଳୀ ଅତ୍ୟନ୍ତ ଶ୍ରୁତିପ୍ରିୟ ଅଟେ, ସେହି ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ମନୁଷ୍ୟ ଶରୀରରେ ଏହି ଧରାଧାମକୁ ପରିତ୍ୟାଗ କରିଦେଲେ, ସେତେବେଳେ ବିଚାରହୀନ ଲୋକଙ୍କୁ ଅଧର୍ମରେ ପ୍ରବୃତ୍ତ କରୁଥିବା କଳିଯୁଗର ଆଗମନ ହେଲା |

ଯୁଧିଷ୍ଠିରସ୍ତତ୍ପରିସର୍ପଣଂ ବୁଧଃ

ପୁରେ ଚ ରାଷ୍ଟ୍ରେ ଚ ଗୃହେ ତଥାଽଽତ୍ମନି ।

ବିଭାବ୍ୟ ଲୋଭାନୃତଜିହ୍ମହିଂସନା-

ଦ୍ୟଧର୍ମଚକ୍ରଂ ଗମନାୟ ପର୍ୟଧାତ୍ ॥ ୩୭॥

କଳିଯୁଗର ଏହି ପରିବ୍ୟାପ୍ତି ବିଷୟ ମହାରାଜ ଯୁଧିଷ୍ଠିରଙ୍କଠାରୁ ଲୁଚି ରହିଲା ନାହିଁ | ସେ ଦେଖିଲେ, ଦେଶରେ, ନଗରରେ, ଘର-ପରିବାରରେ ଏବଂ ପ୍ରାଣୀମାନଙ୍କଠାରେ ଲୋଭ, ଅସତ୍ୟ, ଛଳ, ହିଂସା ଆଦି ଅଧର୍ମ ପ୍ରବୃତ୍ତି ବୃଦ୍ଧି ଲାଭ କରିବାରେ ଲାଗିଛି |

ସ୍ୱରାଟ୍ ପୌତ୍ରଂ ବିନୟିନମାତ୍ମନଃ ସୁସମଂ ଗୁଣୈଃ ।

ତୋୟନୀବ୍ୟାଃ ପତିଂ ଭୂମେରଭ୍ୟଷିଞ୍ଚଦ୍ଗଜାହ୍ୱୟେ ॥ ୩୮॥

ସେ ନିଜର ବିନୟୀ ପୌତ୍ର ପରୀକ୍ଷିତଙ୍କୁ, ଯିଏ ଗୁଣରେ ତାଙ୍କ ଅନୁରୂପ ଥିଲେ, ସମୁଦ୍ର ପରିବେଷ୍ଟିତ ସମ୍ପୂର୍ଣ୍ଣ ପୃଥିବୀର ସମ୍ରାଟ ରୂପେ ହସ୍ତୀନାପୁର ରାଜସିଂହାସନରେ ଅଭିଷିକ୍ତ କରିଦେଲେ |

ମଥୁରାୟାଂ ତଥା ବଜ୍ରଂ ଶୂରସେନପତିଂ ତତଃ ।

ପ୍ରାଜାପତ୍ୟାଂ ନିରୂପ୍ୟେଷ୍ଟିମଗ୍ନୀନପିବଦୀଶ୍ୱରଃ ॥ ୩୯॥

ମଥୁରାରେ ସେ ଶୂରସେନାଧିପତି ରୂପରେ ଅନିରୁଦ୍ଧଙ୍କର ପୁତ୍ର ବଜ୍ରଙ୍କୁ ଅଭିଷିକ୍ତ କଲେ | ତତ୍ ପଶ୍ଚାତ୍ ସମର୍ଥ ରାଜା ଯୁଧିଷ୍ଠିର ପ୍ରାଜପତ୍ୟ ଯଜ୍ଞର ଅନୁଷ୍ଠାନ କରି ନିଜକୁ ଆହବନୀୟ ଆଦି ଅଗ୍ନିରେ ଲୀନ କରିଦେଲେ, ଅର୍ଥାତ୍ ଗୃହସ୍ଥାଶ୍ରମ ଧର୍ମରୁ ମୁକ୍ତ ହୋଇ ସନ୍ୟାସ ଗ୍ରହଣ କଲେ |

ବିସୃଜ୍ୟ ତତ୍ର ତତ୍ସର୍ୱଂ ଦୁକୂଲବଲୟାଦିକମ୍ ।

ନିର୍ମମୋ ନିରହଙ୍କାରଃ ସଞ୍ଚ୍ଛିନ୍ନାଶେଷବନ୍ଧନଃ ॥ ୪୦॥

ଯୁଧିଷ୍ଠିର ସେହିଠାରେ ହିଁ ନିଜର ସମସ୍ତ ବସ୍ତ୍ର-ଆଭୂଷଣ ତ୍ୟାଗ କରିଦେଲେ ଏବଂ ମମତା ଓ ଅହଂକାର ରହିତ ହୋଇ ସମସ୍ତ ବନ୍ଧନ ଛିନ୍ନ କରିଦେଲେ |

ବାଚଂ ଜୁହାବ ମନସି ତତ୍ପ୍ରାଣ ଇତରେ ଚ ତମ୍ ।

ମୃତ୍ୟାବପାନଂ ସୋତ୍ସର୍ଗଂ ତଂ ପଞ୍ଚତ୍ୱେ ହ୍ୟଜୋହବୀତ୍ ॥ ୪୧॥

ଦୃଢ ଭାବନାରେ ସେ ବାଣୀକୁ ମନରେ, ମନକୁ ପ୍ରାଣରେ, ପ୍ରାଣକୁ ଅପାନରେ ଏବଂ ଅପାନକୁ ତାହାର କ୍ରିୟା ସହିତ ମୃତ୍ୟୁରେ ତଥା ମୃତ୍ୟୁକୁ ପଂଚଭୂତମୟ ଶରୀରରେ ଲୀନ କରିଦେଲେ |

ତ୍ରିତ୍ୱେ ହୁତ୍ୱା ଚ ପଞ୍ଚତ୍ୱଂ ତଚ୍ଚୈକତ୍ୱେଽଜୁହୋନ୍ମୁନିଃ ।

ସର୍ୱମାତ୍ମନ୍ୟଜୁହବୀଦ୍ବ୍ରହ୍ମଣ୍ୟାତ୍ମାନମବ୍ୟଯେ ॥ ୪୨॥

ଏହିପରି ଭାବରେ ଶରୀରରେ ମୃତ୍ୟୁରୂପ ଅନୁଭବ କରି ସେ ତାହାକୁ ତ୍ରିଗୁଣରେ ମିଳିତ କରିଦେଲେ | ତ୍ରିଗୁଣକୁ ମୂଳ ପ୍ରକୃତିରେ, ସର୍ବକାରଣରୂପା ପ୍ରକୃତିକୁ ଆତ୍ମାରେ, ଏବଂ ଆତ୍ମାକୁ ଅବିନାଶୀ ବ୍ରହ୍ମରେ ଲୀନ କରିଦେଲେ | ତାଙ୍କୁ ଏପରି ଅନୁଭବ ହେବାରେ ଲାଗିଲା ଯେ ଏହି ସମ୍ପୂର୍ଣ୍ଣ ଦୃଶ୍ୟପ୍ରପଞ୍ଚ ବ୍ରହ୍ମସ୍ବରୂପ ଅଟେ |

ଚୀରବାସା ନିରାହାରୋ ବଦ୍ଧବାଙ୍ମୁକ୍ତମୂର୍ଧଜଃ ।

ଦର୍ଶୟନ୍ନାତ୍ମନୋ ରୂପଂ ଜଡୋନ୍ମତ୍ତପିଶାଚବତ୍ ॥ ୪୩॥

ତତପଶ୍ଚାତ୍ ସେ ନିଜ ଶରୀରରେ ଗେରୁଆ ବସ୍ତ୍ର ଧାରଣ କଲେ, ଅନ୍ନ-ଜଳ ତ୍ୟାଗ କରିଦେଲେ, ମୌନ ବ୍ରତ ଧାରଣ କଲେ ଏବଂ କେଶ ଉନ୍ମୁକ୍ତ କରିଦେଲେ | ନିଜର ରୂପକୁ ସେ ଜଡ, ଉନ୍ମତ୍ତ, ପିଶାଚବତ୍ ପ୍ରଦର୍ଶିତ କଲେ |

ଅନବେକ୍ଷମାଣୋ ନିରଗାଦଶୃଣ୍ୱନ୍ ବଧିରୋ ଯଥା ।

ଉଦୀଚୀଂ ପ୍ରବିବେଶାଶାଂ ଗତପୂର୍ୱାଂ ମହାତ୍ମଭିଃ ।

ହୃଦି ବ୍ରହ୍ମ ପରଂ ଧ୍ୟାୟନ୍ ନାବର୍ତେତ ଯତୋ ଗତଃ ॥ ୪୪॥

ତାପରେ ସେ କାହାକୁ ଅପେକ୍ଷା ନ କରି, ବଧିରମାନଙ୍କ ପରି କାହା କଥା ନ ଶୁଣି ଘରୁ ବାହାରି ଗଲେ | ହୃଦୟରେ ସେହି ପରବ୍ରହ୍ମଙ୍କର ଧ୍ୟାନ କରି, ଯାହାକୁ ପ୍ରାପ୍ତ କରି ପୁନରାବର୍ତ୍ତନ ସମାପ୍ତ ହୋଇଯାଏ, ସେ ଉତ୍ତର ଦିଗକୁ ଯାତ୍ରା କଲେ, ଯେଉଁ ଦିଗରେ ତାଙ୍କ ପୂର୍ବରୁ ବଡ ବଡ ମହାତ୍ମାମାନେ ଯାତ୍ରା କରିଥିଲେ |

ସର୍ୱେ ତମନୁନିର୍ଜଗ୍ମୁର୍ଭ୍ରାତରଃ କୃତନିଶ୍ଚୟାଃ ।

କଲିନାଧର୍ମମିତ୍ରେଣ ଦୃଷ୍ଟ୍ୱା ସ୍ପୃଷ୍ଟାଃ ପ୍ରଜା ଭୁବି ॥ ୪୫॥

ଭୀମସେନ, ଅର୍ଜୁନ ଆଦି ଯୁଧିଷ୍ଠିରଙ୍କର କନିଷ୍ଠ ଭ୍ରାତାମାନେ ଯେତେବେଳେ ଦେଖିଲେ ଯେ ଅଧର୍ମର ସହାୟକ କଳିଯୁଗ ବର୍ତ୍ତମାନ ପୃଥିବୀର ସବୁ ଲୋକଙ୍କୁ ପ୍ରଭାବିତ କରିସାରିଛି, ସେତେବେଳେ ସେମାନେ ମଧ୍ୟ ଶ୍ରୀକୃଷ୍ଣ-ଚରଣ ପ୍ରାପ୍ତିର ଦୃଢ଼ନିଶ୍ଚୟ କରି ନିଜ ଜ୍ୟେଷ୍ଠ ଭ୍ରାତାଙ୍କର ଅନୁଗମନ କଲେ |

ତେ ସାଧୁକୃତସର୍ୱାର୍ଥା ଜ୍ଞାତ୍ୱାଽଽତ୍ୟନ୍ତିକମାତ୍ମନଃ ।

ମନସା ଧାରୟାମାସୁର୍ୱୈକୁଣ୍ଠଚରଣାମ୍ବୁଜମ୍ ॥ ୪୬॥

ଜୀବନର ସମସ୍ତ ଲାଭ ସେମାନେ ପୂର୍ଣ୍ଣତଃ ପ୍ରାପ୍ତ କରିନେଇ ଥିଲେ; ସେଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କର ଚରଣ-କମଳ ହିଁ ଆମ୍ଭମାନଙ୍କର ପରମ ପୁରୁଷାର୍ଥ ଅଟେ, ଏହା ନିଶ୍ଚୟ କରି ସେମାନେ ଶ୍ରୀକୃଷ୍ଣଙ୍କୁ ନିଜ ହୃଦୟରେ ଧାରଣ କରିନେଲେ |

ତଦ୍ଧ୍ୟାନୋଦ୍ରିକ୍ତୟା ଭକ୍ତ୍ୟା ବିଶୁଦ୍ଧଧିଷଣାଃ ପରେ ।

ତସ୍ମିନ୍ ନାରାୟଣପଦେ ଏକାନ୍ତମତୟୋ ଗତିମ୍ ॥ ୪୭॥

ଅବାପୁର୍ଦୁରବାପାଂ ତେ ଅସଦ୍ଭିର୍ୱିଷୟାତ୍ମଭିଃ ।

ବିଧୂତକଲ୍ମଷା ସ୍ଥାନଂ ବିରଜେନାତ୍ମନୈବ ହି ॥ ୪୮॥

ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ-କମଳର ଧ୍ୟାନରେ ପାଣ୍ଡବମାନଙ୍କ ହୃଦୟରେ ଭକ୍ତି-ଭାବର ଅଭିବୃଦ୍ଧି ଘଟିଲା | ସେମାନଙ୍କର ବୁଦ୍ଧି ପୂର୍ଣ୍ଣ ଶୁଦ୍ଧ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କର ସେହି ସର୍ବୋତ୍କୃଷ୍ଟ ସ୍ବରୂପରେ ଅନନ୍ୟ ଭାବରେ ସ୍ଥିର ହୋଇଗଲା, ଯେଉଁ ସ୍ବରୂପରେ କେବଳ ନିଷ୍ପାପ ପୁରୁଷ ହିଁ ସ୍ଥିର ରହିପାରନ୍ତି | ଫଳସ୍ବରୂପ, ନିଜ ବିଶୁଦ୍ଧ ଅନ୍ତଃକରଣରେ ସେମାନେ ସ୍ବତଃ ସେହି ଗତି ପ୍ରାପ୍ତ କରିନେଲେ, ଯାହା ବିଷୟାସକ୍ତ ଦୁଷ୍ଟ ମନୁଷ୍ୟଙ୍କୁ କେବେ ବି ପ୍ରାପ୍ତ ହୋଇ ନ ଥାଏ |

ବିଦୁରୋଽପି ପରିତ୍ୟଜ୍ୟ ପ୍ରଭାସେ ଦେହମାତ୍ମନଃ ।

କୃଷ୍ଣାବେଶେନ ତଚ୍ଚିତ୍ତଃ ପିତୃଭିଃ ସ୍ୱକ୍ଷୟଂ ଯୟୌ ॥ ୪୯॥

ସଂଯମୀ ଏବଂ ଶ୍ରୀକୃଷ୍ଣଙ୍କ ପ୍ରେମାବେଶରେ ମୁଗ୍ଧ ଭଗବନ୍ମୟ ବିଦୁର ମଧ୍ୟ ପ୍ରଭାସ-କ୍ଷେତ୍ରରେ ଶରୀର ତ୍ୟାଗ କଲେ | ତାଙ୍କୁ ନେବାକୁ ଆସିଥିବା ପିତୃପୁରୁଷଙ୍କ ସହିତ ସେ ନିଜ ଲୋକ (ଯମଲୋକ)କୁ ଗମନ କଲେ |

ଦ୍ରୌପଦୀ ଚ ତଦାଜ୍ଞାୟ ପତୀନାମନପେକ୍ଷତାମ୍ ।

ବାସୁଦେବେ ଭଗବତି ହ୍ୟେକାନ୍ତମତିରାପ ତମ୍ ॥ ୫୦॥

ପାଣ୍ଡବମାନଙ୍କର ନିରପେକ୍ଷତାକୁ ଦେଖି ଦ୍ରୌପଦୀ ଅନନ୍ୟ ପ୍ରେମରେ ଭଗବାନ ଶ୍ରୀକୃଷ୍ଣଙ୍କର ଚିନ୍ତନ କରି ତାଙ୍କୁ ପ୍ରାପ୍ତ ହୋଇଗଲେ |

ଯଃ ଶ୍ରଦ୍ଧୟୈତଦ୍ଭଗବତ୍ପ୍ରିୟାଣାଂ

ପାଣ୍ଡୋଃ ସୁତାନାମିତି ସମ୍ପ୍ରୟାଣମ୍ ।

ଶୃଣୋତ୍ୟଲଂ ସ୍ୱସ୍ତ୍ୟଯନଂ ପବିତ୍ରଂ

ଲବ୍ଧ୍ୱା ହରୌ ଭକ୍ତିମୁପୈତି ସିଦ୍ଧିମ୍ ॥ ୫୧॥

ଭଗବାନଙ୍କର ପ୍ରିୟ ଭକ୍ତ ପାଣ୍ଡବମାନଙ୍କର ଏହି ପରମ ପବିତ୍ର ଏବଂ ମଙ୍ଗଳମୟୀ ମହାପ୍ରୟାଣ କଥାକୁ ଯେଉଁ ବ୍ୟକ୍ତି ଶ୍ରଦ୍ଧାପୂର୍ବକ ଶ୍ରବଣ କରନ୍ତି, ସେ ନିଶ୍ଚିତ ଭାବରେ ଭଗବାନଙ୍କର ଭକ୍ତି ସହିତ ମୋକ୍ଷ ପ୍ରାପ୍ତ କରିଥାଆନ୍ତି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ପାଣ୍ଡବସ୍ୱର୍ଗାରୋହଣଂ ନାମ ପଞ୍ଚଦଶୋଽଧ୍ୟାୟଃ ॥ ୧୫॥

Comments

Popular posts from this blog