ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ

ପ୍ରଥମ ସ୍କନ୍ଧ

ଷୋଡଶ ଅଧ୍ୟାୟ

ପରୀକ୍ଷିତଙ୍କର ଦିଗବିଜୟ ତଥା ଧର୍ମ-ପୃଥିବୀ ସମ୍ବାଦ

 

ସୂତ ଉବାଚ

ତତଃ ପରୀକ୍ଷିଦ୍ଦ୍ୱିଜବର୍ୟଶିକ୍ଷୟା

ମହୀଂ ମହାଭାଗବତଃ ଶଶାସ ହ ।

ଯଥା ହି ସୂତ୍ୟାମଭିଜାତକୋବିଦାଃ

ସମାଦିଶନ୍ ବିପ୍ର ମହଦ୍ଗୁଣସ୍ତଥା ॥ ୧॥

ସୂତ ମୁନି କହୁଛନ୍ତି – ହେ ଶୌନକ ! ପାଣ୍ଡବମାନଙ୍କର ମହାପ୍ରୟାଣ ପରେ ଭଗବାନଙ୍କର ପରମ ଭକ୍ତ ରାଜା ପରୀକ୍ଷିତ ଶ୍ରେଷ୍ଠ ବ୍ରାହ୍ମଣମାନଙ୍କର ଉପଦେଶ ଅନୁସାରେ ପୃଥିବୀର ଶାସନ କରିବାରେ ଲାଗିଲେ | ତାଙ୍କ ଜନ୍ମ ସମୟରେ ଜ୍ୟୋତିଷମାନେ ତାଙ୍କ ସମ୍ବନ୍ଧରେ ଯାହା ସବୁ କହିଥିଲେ, ବାସ୍ତବରେ ସେହି ସବୁ ମହାନ୍ ଗୁଣ ତାଙ୍କଠାରେ ବିଦ୍ୟମାନ ଥିଲା |

ସ ଉତ୍ତରସ୍ୟ ତନୟାମୁପୟେମ ଇରାବତୀମ୍ ।

ଜନମେଜୟାଦୀଂଶ୍ଚତୁରସ୍ତସ୍ୟାମୁତ୍ପାଦୟତ୍ସୁତାନ୍ ॥ ୨॥

ସେ ଉତ୍ତରଙ୍କ ପୁତ୍ରୀ ଇରାବତୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଗର୍ଭରୁ ତାଙ୍କର ଜନ୍ମେଜୟ ଆଦି ଚାରି ପୁତ୍ର ଉତ୍ପନ୍ନ ହୋଇଥିଲେ |

ଆଜହାରାଶ୍ୱମେଧାଂସ୍ତ୍ରୀନ୍ ଗଙ୍ଗାୟାଂ ଭୂରିଦକ୍ଷିଣାନ୍ ।

ଶାରଦ୍ୱତଂ ଗୁରୁଂ କୃତ୍ୱା ଦେବା ଯତ୍ରାକ୍ଷିଗୋଚରାଃ ॥ ୩॥

କୃପାଚାର୍ଯ୍ୟଙ୍କୁ ଆଚାର୍ଯ୍ୟ ରୂପେ ବରଣ କରି ସେ ଗଙ୍ଗାନଦୀର ତଟଦେଶରେ ତିନୋଟି ଅଶ୍ବମେଧ ଯଜ୍ଞ କଲେ, ଯେଉଁ ଯଜ୍ଞରେ ବ୍ରାହ୍ମଣମାନଙ୍କୁ ପୁଷ୍କଳ ଦକ୍ଷିଣା ପ୍ରଦାନ କରାଯାଇ ଥିଲା | ସେହି ଯଜ୍ଞରେ ଦେବତାମାନେ ପ୍ରତ୍ୟକ୍ଷ ରୂପରେ ପ୍ରକଟ ହୋଇ ନିଜ ନିଜର ଭାଗ ଗ୍ରହଣ କରିଥିଲେ |

ନିଜଗ୍ରାହୌଜସା ବୀରଃ କଲିଂ ଦିଗ୍ୱିଜୟେ କ୍ୱଚିତ୍ ।

ନୃପଲିଙ୍ଗଧରଂ ଶୂଦ୍ରଂ ଘ୍ନନ୍ତଂ ଗୋମିଥୁନଂ ପଦା ॥ ୪॥

ଏକଦା ଦିଗବିଜୟ ଯାତ୍ରା କରୁଥିବା ବେଳେ ସେ ଦେଖିବାକୁ ପାଇଲେ ଯେ ଶୂଦ୍ର-ରୂପୀ କଳିଯୁଗ ରାଜା ବେଶ ଧାରଣ କରି ଗାଈ ଏବଂ ବଳଦଙ୍କର ଗୋଟିଏ ଯୋଡିକୁ ଗୋଇଠା ମାରିବାରେ ଲାଗିଛି | ପରୀକ୍ଷିତ ତାହାକୁ ବାନ୍ଧି ଦଣ୍ଡିତ କରିଥିଲେ |

ଶୌନକ ଉବାଚ

କସ୍ୟ ହେତୋର୍ନିଜଗ୍ରାହ କଲିଂ ଦିଗ୍ୱିଜୟେ ନୃପଃ ।

ନୃଦେବଚିହ୍ନଧୃକ୍ ଶୂଦ୍ରଃ କୋଽସୌ ଗାଂ ଯଃ ପଦାହନତ୍ ।

ତତ୍କଥ୍ୟତାଂ ମହାଭାଗ ଯଦି କୃଷ୍ଣକଥାଶ୍ରୟମ୍ ॥ ୫॥

ଅଥବାସ୍ୟ ପଦାମ୍ଭୋଜମକରନ୍ଦଲିହାଂ ସତାମ୍ ।

କିମନ୍ୟୈରସଦାଲାପୈରାୟୁଷୋ ଯଦସଦ୍ୱ୍ୟଯଃ ॥ ୬॥

ଶୌନକ ପଚାରିଲେ – ହେ ମହାଭାଗ୍ୟବାନ ସୂତ ମହାଶୟ ! ଦିଗବିଜୟ କାଳରେ ମହାରାଜ ପରୀକ୍ଷିତ କଳିଯୁଗକୁ ଦଣ୍ଡ ଦେଇ ମୁକ୍ତ କରିଦେଲେ କାହିଁକି ? ତାକୁ ମାରିଦେଲେ ନାହିଁ କାହିଁକି ? ରାଜା ବେଶ ଧାରଣ କରିଥିଲେ ବି ସେ ତ ଅଧମ ଶୂଦ୍ର ଥିଲା, ଯିଏ ଗାଈକୁ ଗୋଇଠା ମାରୁଥିଲା ? ଯଦି ଏହି ପ୍ରସଙ୍ଗ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ଅଥବା ତାଙ୍କ ଚରଣ-କମଳର ମକରନ୍ଦ-ରସ ପାନ କରୁଥିବା ରସିକ ମହାନୁଭବଙ୍କ ସମ୍ବନ୍ଧିତ ଅଟେ, ତେବେ ତାହାର ବର୍ଣ୍ଣନା କରନ୍ତୁ | ଅନ୍ୟ ବ୍ୟର୍ଥ ବିଷୟ ଶ୍ରବଣ କରିବାରେ କି ଲାଭ; ତଦ୍ବାରା ବୃଥାରେ କେବଳ ଆୟୁ ହିଁ ନଷ୍ଟ ହୋଇଥାଏ |

କ୍ଷୁଦ୍ରାୟୁଷାଂ ନୃଣାମଙ୍ଗ ମର୍ତ୍ୟାନାମୃତମିଚ୍ଛତାମ୍ ।

ଇହୋପହୂତୋ ଭଗବାନ୍ ମୃତ୍ୟୁଃ ଶାମିତ୍ରକର୍ମଣି ॥ ୭॥

ପ୍ରିୟ ସୂତ ମହାଶୟ ! ଏଠାରେ ସମସ୍ତେ ମୋକ୍ଷ-କାମୀ ଅଟନ୍ତି, କିନ୍ତୁ ଅଲ୍ପାୟୁ ହୋଇଥିବା କାରଣରୁ ମୃତ୍ୟୁଭୟରେ ସେମାନେ ଗ୍ରସ୍ତ ଅଟନ୍ତି, ସେମାନଙ୍କର କଲ୍ୟାଣ ନିମନ୍ତେ ଏଠାରେ ଭଗବାନ ଯମଙ୍କୁ ଆବାହନ କରି ଶାନ୍ତିକର୍ମରେ ନିଯୁକ୍ତ ରଖାଯାଇଛି |

ନ କଶ୍ଚିନ୍ମ୍ରିୟତେ ତାବଦ୍ୟାବଦାସ୍ତ ଇହାନ୍ତକଃ ।

ଏତଦର୍ଥଂ ହି ଭଗବାନାହୂତଃ ପରମର୍ଷିଭିଃ ।

ଅହୋ ନୃଲୋକେ ପୀୟେତ ହରିଲୀଲାମୃତଂ ବଚଃ ॥ ୮॥

ଯମରାଜ ଏହି କର୍ମରେ ନିଯୁକ୍ତ ରହିଥିବା ଯାଏଁ ଏଠାରେ କାହାର ମୃତ୍ୟୁ ହେବ ନାହିଁ | ମୃତ୍ୟୁଭୟଗ୍ରସ୍ତ ମନୁଷ୍ୟଲୋକର ଜୀବମାନେ ମଧ୍ୟ ଭଗବାନଙ୍କର ଅମୃତ-ତୁଲ୍ୟ ଲୀଳା-କଥାର ଶ୍ରବଣ କରିପାରିବେ, ସେହି ଉଦ୍ଦେଶ୍ୟରେ ମହର୍ଷିମାନେ ଯମରାଜଙ୍କୁ ଏଠାକୁ ଆବାହନ କରିଛନ୍ତି |

ମନ୍ଦସ୍ୟ ମନ୍ଦପ୍ରଜ୍ଞସ୍ୟ ବୟୋ ମନ୍ଦାୟୁଷଶ୍ଚ ବୈ ।

ନିଦ୍ରୟା ହ୍ରିୟତେ ନକ୍ତଂ ଦିବା ଚ ବ୍ୟର୍ଥକର୍ମଭିଃ ॥ ୯॥

ସେମାନେ ଅଲ୍ପାୟୁ ହୋଇଥିବା ସହିତ ଅଲ୍ପଜ୍ଞ ମଧ୍ୟ ଅଟନ୍ତି | ଏପରି ଅବସ୍ଥାରେ ସଂସାରର ମନ୍ଦଭାଗ୍ୟ ବିଷୟୀ ପୁରୁଷଙ୍କର ଆୟୁ ବୃଥାରେ ଅତିବାହିତ ହେବାରେ ଲାଗିଛି – ରାତି ନିଦରେ କଟୁଛି ଏବଂ ଦିନ ବୃଥା କର୍ମରେ ବିତୁଛି |

ସୂତ ଉବାଚ

ଯଦା ପରୀକ୍ଷିତ୍କୁରୁଜାଙ୍ଗଲେଽଶୃଣୋତ୍

କଲିଂ ପ୍ରବିଷ୍ଟଂ ନିଜଚକ୍ରବର୍ତିତେ ।

ନିଶମ୍ୟ ବାର୍ତାମନତିପ୍ରିୟାଂ ତତଃ

ଶରାସନଂ ସଂୟୁଗଶୌଣ୍ଡିରାଦଦେ ॥ ୧୦॥

ସୂତ ମୁନି କହୁଛନ୍ତି – ରାଜା ପରୀକ୍ଷିତ ଯେତେବେଳେ ସମ୍ରାଟ ଭାବରେ କୁରୁଜାଙ୍ଗଳ ଦେଶରେ ନିବାସ କରୁଥିଲେ, ସେ ଶୁଣିବାକୁ ପାଇଲେ ଯେ ସୈନ୍ୟମାନଙ୍କ ଦ୍ବାରା ସୁରକ୍ଷିତ ତାଙ୍କ ସାମ୍ରାଜ୍ୟରେ କଳିଯୁଗ ପ୍ରବେଶ କରିଛି | ଏହି ସମାଚାର ତାଙ୍କ ପାଇଁ ନିଶ୍ଚିତଭାବରେ ଦୁଃଖଦ ଥିଲା, କିନ୍ତୁ ତାହାକୁ ଯୁଦ୍ଧ କରିବାର ଏକ ଅବସର ମନେ କରି ସେ ଅତ୍ୟଧିକ ଦୁଃଖିତ ହେଲେ ନାହିଁ | ଯୁଦ୍ଧବୀର ପରୀକ୍ଷିତ ନିଜ ହସ୍ତରେ ଧନୁଷ ଧାରଣ କଲେ |

ସ୍ୱଲଙ୍କୃତଂ ଶ୍ୟାମତୁରଙ୍ଗୟୋଜିତଂ

ରଥଂ ମୃଗେନ୍ଦ୍ରଧ୍ୱଜମାଶ୍ରିତଃ ପୁରାତ୍ ।

ବୃତୋ ରଥାଶ୍ୱଦ୍ୱିପପତ୍ତିୟୁକ୍ତୟା

ସ୍ୱସେନୟା ଦିଗ୍ୱିଜୟାୟ ନିର୍ଗତଃ ॥ ୧୧॥

ଶ୍ୟାମବର୍ଣ୍ଣ ଅଶ୍ବଯୁକ୍ତ, ସିଂହ ଧ୍ବଜାଶୋଭିତ ସୁସଜ୍ଜିତ ରଥରେ ଚଢି ସେ ଦିଗବିଜୟ ଉଦ୍ଦେଶ୍ୟରେ ନଗର ବାହାରକୁ ଯାତ୍ରା କଲେ | ସେହି ସମୟରେ ତାଙ୍କ ସହିତ ରଥ, ହାତୀ, ଘୋଡା ଏବଂ ପଦାତିକ ସେନାନୀ ମଧ୍ୟ ଥିଲେ |

ଭଦ୍ରାଶ୍ୱଂ କେତୁମାଲଂ ଚ ଭାରତଂ ଚୋତ୍ତରାନ୍ କୁରୂନ୍ ।

କିମ୍ପୁରୁଷାଦୀନି ବର୍ଷାଣି ବିଜିତ୍ୟ ଜଗୃହେ ବଲିମ୍ ॥ ୧୨॥

ସେ ଭଦ୍ରାକ୍ଷ, କେତୁମାଳ, ଭାରତ, ଉତ୍ତରକୁରୁ ଏବଂ କିଂପୁରୁଷ ଆଦି ରାଜ୍ୟ ଜୟ କରି ସେଠାର ରାଜାମାନଙ୍କଠାରୁ ଭେଟି ଗ୍ରହଣ କରିଥିଲେ |

(ନଗରାଂଶ୍ଚ ବନାଂଶ୍ଚୈବ ନଦୀଶ୍ଚ ବିମଲୋଦକାଃ ।

ପୁରୁଷାନ୍ ଦେବକଲ୍ପାଂଶ୍ଚ ନାରୀଶ୍ଚ ପ୍ରିୟଦର୍ଶନାଃ ॥

ଅଦୃଷ୍ଟପୂର୍ୱାନ୍ ସୁଭଗାନ୍ ସ ଦଦର୍ଶ ଧନଞ୍ଜୟଃ ।

ସଦନାନି ଚ ଶୁଭ୍ରାଣି ନାରୀଶ୍ଚାପ୍ସରସାଂ ନିଭାଃ ॥)

ତତ୍ର ତତ୍ରୋପଶୃଣ୍ୱାନଃ ସ୍ୱପୂର୍ୱେଷାଂ ମହାତ୍ମନାମ୍ ।

ପ୍ରଗୀୟମାଣଂ ଚ ଯଶଃ କୃଷ୍ଣମାହାତ୍ମ୍ୟସୂଚକମ୍ ॥ ୧୩॥

ସେହି ସବୁ ଦେଶମାନଙ୍କରେ ସର୍ବତ୍ର ତାଙ୍କୁ ନିଜ ପୂର୍ବଜ ମହାତ୍ମାମାନଙ୍କର ସୁଯଶ ଶୁଣିବାକୁ ମିଳିଥିଲା | ସେହି ଯଶଗାନର ପ୍ରତ୍ୟେକ ପଦରେ ଭଗବାନ ଶ୍ରୀକୃଷ୍ଣଙ୍କର ମହିମା ପ୍ରକଟ ହେଉଥିଲା |

ଆତ୍ମାନଂ ଚ ପରିତ୍ରାତମଶ୍ୱତ୍ଥାମ୍ନୋଽସ୍ତ୍ରତେଜସଃ ।

ସ୍ନେହଂ ଚ ବୃଷ୍ଣିପାର୍ଥାନାଂ ତେଷାଂ ଭକ୍ତିଂ ଚ କେଶବେ ॥ ୧୪॥

ତା ସହିତ ତାଙ୍କୁ ଏହା ମଧ୍ୟ ଶୁଣିବାକୁ ମିଳିଥିଲା କିପରି ଭାବରେ ଭଗବାନ ଶ୍ରୀକୃଷ୍ଣ ଅଶ୍ବତ୍ଥାମାଙ୍କର ବ୍ରହ୍ମାସ୍ତ୍ରର ଜ୍ବାଳାରୁ ତାଙ୍କୁ ରକ୍ଷା କରିଥିଲେ, ଯଦୁବଂଶୀ ଓ ପାଣ୍ଡବମାନଙ୍କର ପାରସ୍ପରିକ ପ୍ରେମଭାବ କେତେ ଗଭୀର ଥିଲା ତଥା ପାଣ୍ଡବମାନଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି କେତେ ବେଶୀ ଭକ୍ତି ଥିଲା |

ତେଭ୍ୟଃ ପରମସନ୍ତୁଷ୍ଟଃ ପ୍ରୀତ୍ୟୁଜ୍ଜୃମ୍ଭିତଲୋଚନଃ ।

ମହାଧନାନି ବାସାଂସି ଦଦୌ ହାରାନ୍ ମହାମନାଃ ॥ ୧୫॥

ଯେଉଁମାନେ ତାଙ୍କୁ ଏହି ସବୁ ଚରିତ୍ର ଶୁଣାଉଥିଲେ, ସେମାନଙ୍କ ପ୍ରତି ମହାମାନ୍ୟ ରାଜା ପରୀକ୍ଷିତ ଅତି ପ୍ରସନ୍ନ ହେଉଥିଲେ; ତାଙ୍କର ନେତ୍ର ପ୍ରଫୁଲ୍ଲିତ ହୋଇ ଉଠୁଥିଲା | ଅତ୍ୟନ୍ତ ଉଦାରତାର ସହିତ ସେ ସେମାନଙ୍କୁ ଉପହାର ସ୍ବରୂପ ବହୁମୂଲ୍ୟ ବସ୍ତ୍ର ଏବଂ ମଣିଯୁକ୍ତ ହାର ପ୍ରଦାନ କରୁଥିଲେ |

ସାରଥ୍ୟପାରଷଦସେବନସଖ୍ୟଦୌତ୍ୟ-

ବୀରାସନାନୁଗମନସ୍ତବନପ୍ରଣାମାନ୍ ।

ସ୍ନିଗ୍ଧେଷୁ ପାଣ୍ଡୁଷୁ ଜଗତ୍ପ୍ରଣତିଂ ଚ ବିଷ୍ଣୋଃ

ଭକ୍ତିଂ କରୋତି ନୃପତିଶ୍ଚରଣାରବିନ୍ଦେ ॥ ୧୬॥

ସେ ଶୁଣିବାକୁ ପାଇଥିଲେ ଯେ ପ୍ରେମରେ ବିବଶ ହୋଇ ଭଗବାନ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ରଥର ସାରଥୀ ହୋଇଥିଲେ, ତାଙ୍କର ଦୂତ ହୋଇଥିଲେ, ଏପରି କି ତାଙ୍କର ଇଚ୍ଛା ଅନୁସାରେ କର୍ମ କରି ସେମାନଙ୍କର ସେବା କରୁଥିଲେ | ରାତିରେ ଶସ୍ତ୍ର ଧାରଣ କରି ବୀରାସନରେ ବସି ରହି ସେ ପାଣ୍ଡବମାନଙ୍କର ଯୁଦ୍ଧଶିବିରରେ ପହରା ଦେଉଥିଲେ, ସେମାନଙ୍କ ପଛେ ପଛେ ଚାଲୁଥିଲେ, ସ୍ତୁତି ତଥା ପ୍ରଣାମ କରୁଥିଲେ; କେବଳ ସେତିକି ନୁହେଁ, ନିଜ ପ୍ରେମୀ ଭକ୍ତ ପାଣ୍ଡବମାନଙ୍କ ଚରଣରେ ସେ ସାରା ଜଗତକୁ ଅବନତ କରିଦେଇ ଥିଲେ | ଏସବୁ ଶୁଣି ଭଗବାନ ଶ୍ରୀକୃଷ୍ଣଙ୍କର ଚରଣ-କମଳରେ ପରୀକ୍ଷିତଙ୍କର ଭକ୍ତି ଆହୁରି ବୃଦ୍ଧି ଲାଭ କରିଥିଲା |

ତସ୍ୟୈବଂ ବର୍ତମାନସ୍ୟ ପୂର୍ୱେଷାଂ ବୃତ୍ତିମନ୍ୱହମ୍ ।

ନାତିଦୂରେ କିଲାଶ୍ଚର୍ୟଂ ଯଦାସୀତ୍ତନ୍ନିବୋଧ ମେ ॥ ୧୭॥

ଏହିପରି ଭାବରେ ପାଣ୍ଡବମାନଙ୍କର ଆଚରଣ ଅନୁସରଣ କରି ରାଜା ପରୀକ୍ଷିତ ଦିନ-ଦିନ ଧରି ଦିଗବିଜୟ ଯାତ୍ରା କରି ଚାଲିଥିଲେ | ଦିନେ ତାଙ୍କ ଶିବିରଠାରୁ କିଛି ଦୂରରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା |

ଧର୍ମଃ ପଦୈକେନ ଚରନ୍ ବିଚ୍ଛାୟାମୁପଲଭ୍ୟ ଗାମ୍ ।

ପୃଚ୍ଛତି ସ୍ମାଶ୍ରୁବଦନାଂ ବିବତ୍ସାମିବ ମାତରମ୍ ॥ ୧୮॥

ବଳଦର ରୂପ ଧାରଣ କରି ଧର୍ମ ଗୋଟିଏ ପାଦରେ ଘୂରି ବୁଲୁଥିଲେ | ଗୋଟିଏ ସ୍ଥାନରେ ତାଙ୍କର ଗାଈ ରୂପଧାରୀ ପୃଥିବୀ ଦେବୀଙ୍କ ସହିତ ସାକ୍ଷାତକାର ହୋଇଗଲା | ପୁତ୍ରର ମୃତ୍ୟୁରେ ଦୁଃଖିନୀ ମାତା ପରି ତାଙ୍କ ନେତ୍ରରୁ ଅଶ୍ରୁଧାର ପ୍ରବାହିତ ହେବାରେ ଲାଗିଥିଲା | ତାଙ୍କର ଶରୀର ଶ୍ରୀହୀନ ହୋଇ ଯାଇଥିଲା | ଧର୍ମ ପୃଥିବୀଙ୍କୁ ପଚାରିଲେ -

ଧର୍ମ ଉବାଚ

କଚ୍ଚିଦ୍ଭଦ୍ରେଽନାମୟମାତ୍ମନସ୍ତେ

ବିଚ୍ଛାୟାସି ମ୍ଲାୟତେଷନ୍ମୁଖେନ ।

ଆଲକ୍ଷୟେ ଭବତୀମନ୍ତରାଧିଂ

ଦୂରେ ବନ୍ଧୁଂ ଶୋଚସି କଞ୍ଚନାମ୍ବ ॥ ୧୯॥

ଧର୍ମ କହିଲେ – ହେ କଲ୍ୟାଣୀ ! ସବୁ କୁଶଳ ତ ? ତୁମର ମୁଖ କିଛି ମାତ୍ରାରେ ମଳୀନ ଦେଖାଯାଉଛି, ତୁମେ ଶ୍ରୀହୀନ ହୋଇଯାଇଛ; ମନେ ହେଉଛି, କିଛି ନା କିଛି ଦୁଃଖ ତୁମ ହୃଦୟରେ ନିଶ୍ଚିତ ଭାବରେ ରହିଛି | ତୁମର କେହି ସମ୍ବନ୍ଧୀ ଦୂର ଦେଶକୁ ଚାଲି ଯାଇଛନ୍ତି କି, ଯାହା ପାଇଁ ତୁମେ ଏତେ ବେଶୀ ଚିନ୍ତା କରୁଛ ?

ପାଦୈର୍ନ୍ୟୂନଂ ଶୋଚସି ମୈକପାଦ-

ମାତ୍ମାନଂ ବା ବୃଷଲୈର୍ଭୋକ୍ଷ୍ୟମାଣମ୍ ।

ଆହୋ ସୁରାଦୀନ୍ ହୃତୟଜ୍ଞଭାଗାନ୍

ପ୍ରଜା ଉତ ସ୍ୱିନ୍ମଘବତ୍ୟବର୍ଷତି ॥ ୨୦॥

ମୋର ତିନୋଟି ପାଦ ନଷ୍ଟ ହୋଇଯାଇଛି, ଏବେ ମାତ୍ର ଗୋଟିଏ ପାଦ ରହିଛି, ସେଥିପାଇଁ ତୁମେ ମୋର ଚିନ୍ତା କରୁନାହଁ ତ ? ସମ୍ଭବତଃ, ତୁମେ ନିଜ ବିଷୟରେ ଚିନ୍ତିତ ରହିଥିବ ଯେ ଏବେ ଶୂଦ୍ରମାନେ ତୁମ ଉପରେ ଶାସନ କରିବେ | ତୁମେ ସେହି ଦେବତାମାନଙ୍କୁ ନେଇ ଚିନ୍ତିତ ରହିଥିବ, ଯେଉଁମାନଙ୍କୁ ଏବେ ଯଜ୍ଞରେ ଆହୁତି ପ୍ରଦାନ କରାଯାଉ ନାହିଁ | ଅଥବା, ସେହି ପ୍ରଜାମାନଙ୍କ ପାଇଁ ଦୁଃଖିତ ହେଉଥିବ, ଯେଉଁମାନେ ବୃଷ୍ଟିପାତ ଅଭାବରେ ଅକାଳ ଦୁର୍ଭିକ୍ଷରେ ପୀଡିତ ହେଉଛନ୍ତି |

ଅରକ୍ଷ୍ୟମାଣାଃ ସ୍ତ୍ରିୟ ଉର୍ୱି ବାଲାନ୍

ଶୋଚସ୍ୟଥୋ ପୁରୁଷାଦୈରିବାର୍ତାନ୍ ।

ବାଚଂ ଦେବୀଂ ବ୍ରହ୍ମକୁଲେ କୁକର୍ମ-

ଣ୍ୟବ୍ରହ୍ମଣ୍ୟେ ରାଜକୁଲେ କୁଲାଗ୍ର୍ୟାନ୍ ॥ ୨୧॥

ହେ ଦେବୀ ! ତୁମେ ରାକ୍ଷସ ପ୍ରକୃତିର ମନୁଷ୍ୟମାନଙ୍କ ଦ୍ବାରା ନିର୍ଯ୍ୟାତିତ ଅରକ୍ଷିତ ସ୍ତ୍ରୀ ଏବଂ ଆର୍ତ୍ତବାଳକଙ୍କ ପାଇଁ ଶୋକ କରୁଅଛ କି ? ସମ୍ଭବତଃ ତୁମେ ଏଥିପାଇଁ ଦୁଃଖିତ ହେଉଥିବ ଯେ ବିଦ୍ୟା ଏବେ କୁକର୍ମୀ ବ୍ରାହ୍ମଣମାନଙ୍କର ଅଧିକାରକୁ ଚାଲିଯାଇଛି ଏବଂ ବ୍ରାହ୍ମଣମାନେ ବିପ୍ରଦ୍ରୋହୀ ରାଜାମାନଙ୍କର ସେବା କରିବାରେ ଲାଗିଛନ୍ତି |

କିଂ କ୍ଷତ୍ରବନ୍ଧୂନ୍ କଲିନୋପସୃଷ୍ଟାନ୍

ରାଷ୍ଟ୍ରାଣି ବା ତୈରବରୋପିତାନି ।

ଇତସ୍ତତୋ ବାଶନପାନବାସଃ

ସ୍ନାନବ୍ୟବାୟୋନ୍ମୁଖଜୀବଲୋକମ୍ ॥ ୨୨॥

ଆଜିକାଲିର ନାମ-ମାତ୍ର ରାଜାମାନେ ତ ଷୋଳଅଣା କଳିଯୁଗୀ ହୋଇ ନିରର୍ଥକ ବଡ ବଡ ଦେଶମାନଙ୍କୁ ଉଜାଡି ଦେଉଛନ୍ତି | ତୁମେ ସେହି ରାଜା ବା ଦେଶମାନଙ୍କ ପାଇଁ ଶୋକ କରୁଛ କି ? ଆଜିର ଜନତା ଭୋଜନ-ପାନ, ବସ୍ତ୍ର, ସ୍ନାନ, ସ୍ତ୍ରୀ-ସହବାସ ଆଦିରେ ଶାସ୍ତ୍ରୀୟ ନିୟମ ପାଳନ ନ କରି ସ୍ବେଚ୍ଛାଚାରୀ ହୋଇ ଯାଇଛନ୍ତି; ତୁମେ ସେମାନଙ୍କ ପାଇଁ ଦୁଃଖ କରୁଛ କି ?

ଯଦ୍ୱାମ୍ବ ତେ ଭୂରିଭରାବତାର-

କୃତାବତାରସ୍ୟ ହରେର୍ଧରିତ୍ରି ।

ଅନ୍ତର୍ହିତସ୍ୟ ସ୍ମରତୀ ବିସୃଷ୍ଟା

କର୍ମାଣି ନିର୍ୱାଣବିଲମ୍ବିତାନି ॥ ୨୩॥

ହେ ଧରଣୀ ମାତା ! ଏବେ ମୁଁ ବୁଝିପାରୁଛି ଯେ ନିଶ୍ଚିତଭାବରେ ତୁମର ଭଗବାନ ଶ୍ରୀକୃଷ୍ଣଙ୍କର କଥା ମନେପଡୁଛି; କାରଣ ସେ ତୁମର ଭାର ହରଣ କରିବା ପାଇଁ ହିଁ ଅବତାର ଗ୍ରହଣ କରିଥିଲେ ଏବଂ ଧରାଧାମରେ ଏପରି ସବୁ ଲୀଳା କରିଥିଲେ ଯାହା ମୋକ୍ଷର ଅବଲମ୍ବନ ଅଟେ | ଏବେ ସେ ଲୀଳା ସମ୍ବରଣ କରିଥିବା କାରଣରୁ ତାଙ୍କ ଦ୍ବାରା ପରିତ୍ୟକ୍ତା ହୋଇ ତୁମେ ଦୁଃଖିତ ହେଉଅଛ |

ଇଦଂ ମମାଚକ୍ଷ୍ୱ ତବାଧିମୂଲଂ

ବସୁନ୍ଧରେ ଯେନ ବିକର୍ଶିତାସି ।

କାଲେନ ବା ତେ ବଲିନାଂ ବଲୀୟସା

ସୁରାର୍ଚିତଂ କିଂ ହୃତମମ୍ବ ସୌଭଗମ୍ ॥ ୨୪॥

ହେ ଦେବୀ ! ତୁମେ ତ ଧନ-ରତ୍ନର ଭଣ୍ଡାର ଅଟ | ତୁମେ ନିଜ କ୍ଲେଶର କାରଣ, ଯେଉଁଥିପାଇଁ ତୁମେ ଏତେ ଦୁର୍ବଳ ହୋଇଯାଇଛ, ମୋତେ କୁହ | ଯାହା ଜଣାପଡୁଛି, ବଡ ବଡ ବଳବାନମାନଙ୍କୁ ପରାସ୍ତ କରି ପାରୁଥିବା କାଳ, ଦେବତାମାନଙ୍କର ବନ୍ଦନୀୟ ତୁମର ସୌଭାଗ୍ୟ ହରଣ କରିନେଇଛି |

ଧରଣ୍ୟୁବାଚ

ଭବାନ୍ ହି ବେଦ ତତ୍ସର୍ୱଂ ଯନ୍ମାଂ ଧର୍ମାନୁପୃଚ୍ଛସି ।

ଚତୁର୍ଭିର୍ୱର୍ତସେ ଯେନ ପାଦୈର୍ଲୋକସୁଖାବହୈଃ ॥ ୨୫॥

ସତ୍ୟଂ ଶୌଚଂ ଦୟା କ୍ଷାନ୍ତିସ୍ତ୍ୟାଗଃ ସନ୍ତୋଷ ଆର୍ଜବମ୍ ।

ଶମୋ ଦମସ୍ତପଃ ସାମ୍ୟଂ ତିତିକ୍ଷୋପରତିଃ ଶ୍ରୁତମ୍ ॥ ୨୬॥

ଜ୍ଞାନଂ ବିରକ୍ତିରୈଶ୍ୱର୍ୟଂ ଶୌର୍ୟଂ ତେଜୋ ବଲଂ ସ୍ମୃତିଃ ।

ସ୍ୱାତନ୍ତ୍ର୍ୟଂ କୌଶଲଂ କାନ୍ତିର୍ଧୈର୍ୟଂ ମାର୍ଦବମେବ ଚ ॥ ୨୭॥

ପ୍ରାଗଲ୍ଭ୍ୟଂ ପ୍ରଶ୍ରୟଃ ଶୀଲଂ ସହ ଓଜୋ ବଲଂ ଭଗଃ ।

ଗାମ୍ଭୀର୍ୟଂ ସ୍ଥୈର୍ୟମାସ୍ତିକ୍ୟଂ କୀର୍ତିର୍ମାନୋଽନହଙ୍କୃତିଃ ॥ ୨୮॥

ଏତେ ଚାନ୍ୟେ ଚ ଭଗବନ୍ ନିତ୍ୟା ଯତ୍ର ମହାଗୁଣାଃ ।

ପ୍ରାର୍ଥ୍ୟା ମହତ୍ତ୍ୱମିଚ୍ଛଦ୍ଭିର୍ନ ବିୟନ୍ତି ସ୍ମ କର୍ହିଚିତ୍ ॥ ୨୯॥

ତେନାହଂ ଗୁଣପାତ୍ରେଣ ଶ୍ରୀନିବାସେନ ସାମ୍ପ୍ରତମ୍ ।

ଶୋଚାମି ରହିତଂ ଲୋକଂ ପାପ୍ମନା କଲିନେକ୍ଷିତମ୍ ॥ ୩୦॥

ଧରଣୀ କହିଲେ – ହେ ଧର୍ମ ! ତୁମେ ମୋତେ ଯାହା ସବୁ ପଚାରୁ ଅଛ, ତୁମେ ସ୍ବୟଂ ସେହି ସବୁ ବିଷୟ ଜାଣ | ଯେଉଁ ଭଗବାନଙ୍କ ସହାୟତାରେ ତୁମେ ସମ୍ପୂର୍ଣ୍ଣ ସଂସାରକୁ ସୁଖ ପ୍ରଦାନ କରୁଥିବା ନିଜ ଚରଣ-ଚତୁଷ୍ଟରେ ଯୁକ୍ତ ଥିଲ; ଯିଏ ସତ୍ୟ, ପବିତ୍ରତା, ଦୟା, କ୍ଷମା, ତ୍ୟାଗ, ସନ୍ତୋଷ, ସରଳତା, ଶମ, ଦମ, ତପ, ସମତା, ତିତିକ୍ଷା, ଉପରତି, ଶାସ୍ତ୍ରବିଚାର, ଜ୍ଞାନ, ବୈରାଗ୍ୟ, ଐଶ୍ବର୍ଯ୍ୟ, ବୀରତା, ତେଜ, ବଳ, ସ୍ମୃତି, ସ୍ବତନ୍ତ୍ରତା, କୌଶଳ, କାନ୍ତି, ଧୈର୍ଯ୍ୟ, କୋମଳତା, ନିର୍ଭୀକତା, ବିନୟ, ଶୀଳ, ସାହସ, ଉତ୍ସାହ, ବଳ, ସୌଭାଗ୍ୟ, ଗମ୍ଭୀରତା, ସ୍ଥିରତା, ଆସ୍ତିକତା, କୀର୍ତ୍ତି, ଗୌରବ ଏବଂ ନିରହଂକାରତା – ଏହିପରି ଅଣଚାଳିଶ ଅପ୍ରାକୃତ ଗୁଣର ଅଧିଷ୍ଠାନ ଅଟନ୍ତି; ତଥା ମହତ୍ତ୍ବାକାଂକ୍ଷୀ ପୁରୁଷମାନଙ୍କର ବାଞ୍ଛିତ (ଶରଣାଗତବତ୍ସଳତା ଆଦି) ଅନେକ ମହାନ୍ ଗୁଣ ସେବା ଉପଲକ୍ଷରେ ଯାହାଙ୍କଠାରେ ନିତ୍ୟ-ନିରନ୍ତର ନିବାସ କରୁଥାଆନ୍ତି, କ୍ଷଣକ ପାଇଁ ମଧ୍ୟ ତାଙ୍କଠାରୁ ପୃଥକ୍ ହୁଅନ୍ତି ନାହିଁ – ସେହି ସମସ୍ତ ଗୁଣର ଆଶ୍ରୟ, ସୌନ୍ଦର୍ଯ୍ୟର ଅଧିଷ୍ଠାନ ଭଗବାନ ଶ୍ରୀକୃଷ୍ଣ ଏବେ ଏହି ଭୂଲୋକରେ ନିଜର ଲୀଳା ସମ୍ବରଣ କରି ନେଇଛନ୍ତି ଏବଂ ଏହି ସଂସାର ବର୍ତ୍ତମାନ କଳିଯୁଗର କୁଦୃଷ୍ଟିର ଶୀକାର ହୋଇଯାଇଛି | ଏହା ଦେଖି ମୁଁ ଅତ୍ୟନ୍ତ ଶୋକାକୁଳ ହୋଇ ଯାଇଛି |

ଆତ୍ମାନଂ ଚାନୁଶୋଚାମି ଭବନ୍ତଂ ଚାମରୋତ୍ତମମ୍ ।

ଦେବାନୃଷୀନ୍ ପିତୄନ୍ ସାଧୂନ୍ ସର୍ୱାନ୍ ବର୍ଣାଂସ୍ତଥାଶ୍ରମାନ୍ ॥ ୩୧॥

ନିଜ ପାଇଁ, ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ ତୁମ ପାଇଁ, ଦେବତା, ପିତୃପୁରୁଷ, ଋଷି, ସାଧୁ ଏବଂ ସମସ୍ତ ବର୍ଣ୍ଣ ତଥା ଆଶ୍ରମର ମନୁଷ୍ୟମାନଙ୍କ ପାଇଁ ଶୋକଗ୍ରସ୍ତ ହୋଇ ଉଠିଛି |

ବ୍ରହ୍ମାଦୟୋ ବହୁତିଥଂ ଯଦପାଙ୍ଗମୋକ୍ଷ-

କାମାସ୍ତପଃ ସମଚରନ୍ ଭଗବତ୍ପ୍ରପନ୍ନାଃ ।

ସା ଶ୍ରୀଃ ସ୍ୱବାସମରବିନ୍ଦବନଂ ବିହାୟ

ଯତ୍ପାଦସୌଭଗମଲଂ ଭଜତେଽନୁରକ୍ତା ॥ ୩୨॥

ତସ୍ୟାହମବ୍ଜକୁଲିଶାଙ୍କୁଶକେତୁକେତୈଃ

ଶ୍ରୀମତ୍ପଦୈର୍ଭଗବତଃ ସମଲଙ୍କୃତାଙ୍ଗୀ ।

ତ୍ରୀନତ୍ୟରୋଚ ଉପଲଭ୍ୟ ତତୋ ବିଭୂତିଂ

ଲୋକାନ୍ ସ ମାଂ ବ୍ୟସୃଜଦୁତ୍ସ୍ମୟତୀଂ ତଦନ୍ତେ ॥ ୩୩॥

ଯାହାର କୃପାକଟାକ୍ଷ ପ୍ରାପ୍ତ କରିବା ନିମନ୍ତେ ବ୍ରହ୍ମା ଆଦି ଦେବଗଣ ଭଗବାନଙ୍କର ଶରଣାଗତ ହୋଇ ବହୁ କାଳ ତପସ୍ୟା କରିଥାଆନ୍ତି, ସେହି ଲକ୍ଷ୍ମୀଦେବୀ ନିଜ ନିବାସସ୍ଥାନ କମଳବନ ପରିତ୍ୟାଗ କରି ପ୍ରେମପୂର୍ବକ ଯାହାର ଚରଣ-କମଳର ଛତ୍ରଛାୟାର ସେବନ କରୁଥାଆନ୍ତି, ସେହି ଭଗବାନଙ୍କର କମଳ, ବଜ୍ର, ଅଂକୁଶ, ଧ୍ବଜା ଆଦି ଚିହ୍ନଯୁକ୍ତ ଶ୍ରୀଚରଣରେ ବିଭୂଷିତ ହୋଇ ମୋତେ ମହାନ୍ ବୈଭବ ପ୍ରାପ୍ତ ହୋଇଥିଲା ଏବଂ ତ୍ରିଲୋକରେ ମୋର ଶୋଭା ପ୍ରଶଂସିତ ହୋଇଥିଲା | କିନ୍ତୁ ଏବେ ମୋର ସୌଭାଗ୍ୟର ଅନ୍ତ ଘଟିଛି; ମୋ ପରି ଅଭାଗିନୀକୁ ଭଗବାନ ତ୍ୟାଗ କରି ଦେଇଛନ୍ତି | ସମ୍ଭବତଃ, ନିଜର ସୌଭାଗ୍ୟକୁ ନେଇ ମୋର ଗର୍ବ ହୋଇଗଲା ଏବଂ ସେଥିପାଇଁ ଭଗବାନ ମୋତେ ତ୍ୟାଗ କରି ଦଣ୍ଡିତ କରିଛନ୍ତି |

ଯୋ ବୈ ମମାତିଭରମାସୁରବଂଶରାଜ୍ଞା-

ମକ୍ଷୌହିଣୀଶତମପାନୁଦଦାତ୍ମତନ୍ତ୍ରଃ ।

ତ୍ୱାଂ ଦୁଃସ୍ଥମୂନପଦମାତ୍ମନି ପୌରୁଷେଣ

ସମ୍ପାଦୟନ୍ ଯଦୁଷୁ ରମ୍ୟମବିଭ୍ରଦଙ୍ଗମ୍ ॥ ୩୪॥

ତୁମର ତିନୋଟି ଚରଣ ଉଣା ହୋଇଯିବାରୁ ମନେ-ମନେ ତୁମେ ଦୁଃଖିତ ହେଉଛ | ନିଜ ପୁରୁଷାର୍ଥ ବଳରେ ତୁମକୁ ନିଜ ଭିତରେ ପୁନର୍ବାର ସମସ୍ତ ଅଙ୍ଗରେ ପରିପୂର୍ଣ୍ଣ ଏବଂ ସ୍ବସ୍ଥ କରି ସେ ଅତ୍ୟନ୍ତ ରମଣୀୟ ଶ୍ୟାମସୁନ୍ଦର ରୂପରେ ଯଦୁବଂଶରେ ପ୍ରକଟ ହୋଇଥିଲେ | ଅସୁରବଂଶୀ ରାଜାମାନଙ୍କର ଶତ-ସହସ୍ର ଅକ୍ଷୌହିଣୀ ସେନା ରୂପରେ ଯେଉଁ ଭୀଷଣ ଭାରରେ ମୁଁ ପୀଡିତ ହେଉଥିଲି, ସେ ତାହାକୁ ନଷ୍ଟ କରିଦେଲେ; କାରଣ ସେ ପରମ ସ୍ବତନ୍ତ୍ର ଅଟନ୍ତି |

କା ବା ସହେତ ବିରହଂ ପୁରୁଷୋତ୍ତମସ୍ୟ

ପ୍ରେମାବଲୋକରୁଚିରସ୍ମିତବଲ୍ଗୁଜଲ୍ପୈଃ ।

ସ୍ଥୈର୍ୟଂ ସମାନମହରନ୍ମଧୁମାନିନୀନାଂ

ରୋମୋତ୍ସବୋ ମମ ଯଦଙ୍ଘ୍ରିବିଟଙ୍କିତାୟାଃ ॥ ୩୫॥

ଯିଏ ନିଜର ପ୍ରେମପୂର୍ଣ୍ଣ କଟାକ୍ଷ, ମନୋହର ସ୍ମିତହାସ୍ୟ ଏବଂ ସୁମଧୁର ବାଣୀରେ ସତ୍ୟଭାମା ଆଦି ମାନିନୀମାନଙ୍କର ମାନ ସହିତ ଧୈର୍ଯ୍ୟକୁ ମଧ୍ୟ ହରଣ କରି ନେଉଥିଲେ; ଯାହାର ଚରଣ-କମଳର ସ୍ପର୍ଶରେ ମୁଁ ନିରନ୍ତର ଆନନ୍ଦରେ ପୁଲକିତ ରହୁଥିଲି, ସେହି ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କର ବିରହକୁ ଭଲା କିଏ ସହ୍ୟ କରିପାରିବ ?

ତୟୋରେବଂ କଥୟତୋଃ ପୃଥିବୀଧର୍ମୟୋସ୍ତଦା ।

ପରୀକ୍ଷିନ୍ନାମ ରାଜର୍ଷିଃ ପ୍ରାପ୍ତଃ ପ୍ରାଚୀଂ ସରସ୍ୱତୀମ୍ ॥ ୩୬॥

ଧର୍ମ ଓ ପୃଥିବୀ ପରସ୍ପର ସହିତ ଏହିପରି ବାର୍ତ୍ତାଳାପ କରୁଥିବା ସମୟରେ ରାଜର୍ଷି ପରୀକ୍ଷିତ ପୂର୍ବବାହିନୀ ସରସ୍ବତୀ ନଦୀର ତଟଦେଶରେ ଆସି ପହଞ୍ଚିଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ପୃଥ୍ୱୀଧର୍ମସମ୍ବାଦୋ ନାମ ଷୋଡଶୋଽଧ୍ୟାୟଃ ॥ ୧୬॥

Comments

Popular posts from this blog