ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ

ପ୍ରଥମ ସ୍କନ୍ଧ

ସପ୍ତଦଶ ଅଧ୍ୟାୟ

ମହାରାଜ ପରୀକ୍ଷିତଙ୍କ ଦ୍ବାରା କଳିଯୁଗର ଦମନ

 

ସୂତ ଉବାଚ

ତତ୍ର ଗୋମିଥୁନଂ ରାଜା ହନ୍ୟମାନମନାଥବତ୍

ଦଣ୍ଡହସ୍ତଂ ଚ ବୃଷଲଂ ଦଦୃଶେ ନୃପଲାଞ୍ଛନମ୍ ॥ ୧॥

ସୂତ ମୁନି କହୁଛନ୍ତି – ହେ ଶୌନକ ! ସେଠାରେ ପହଞ୍ଚି ରାଜା ପରୀକ୍ଷିତ ଦେଖିବାକୁ ପାଇଲେ ଯେ ରାଜବେଶଧାରୀ ଜଣେ ଶୂଦ୍ର ହାତରେ ଠେଙ୍ଗା ଧରି ଗାଈ-ବଳଦଙ୍କର ଏକ ଯୋଡିକୁ ଏପରି ପ୍ରହାର କରୁଛି, ଯେପରି କି ତାଙ୍କର କେହି ମାଲିକ ନାହାଁନ୍ତି |

ବୃଷଂ ମୃଣାଲଧବଲଂ ମେହନ୍ତମିବ ବିଭ୍ୟତମ୍ ।

ବେପମାନଂ ପଦୈକେନ ସୀଦନ୍ତଂ ଶୂଦ୍ରତାଡିତମ୍ ॥ ୨॥

କମଳ-ନାଡ ସଦୃଶ ଶ୍ବେତବର୍ଣ୍ଣର ବଳଦଟି ଗୋଟିଏ ପାଦରେ ଠିଆ ହୋଇ ଥରଥର କମ୍ପିବାରେ ଲାଗିଥିଲା ଏବଂ ଶୂଦ୍ରର ତାଡନାରେ ପୀଡିତ ଓ ଭୟଭୀତ ହୋଇ ମୂତ୍ର-ତ୍ୟାଗ କରିବାରେ ଲାଗିଥିଲା |

ଗାଂ ଚ ଧର୍ମଦୁଘାଂ ଦୀନାଂ ଭୃଶଂ ଶୂଦ୍ରପଦାହତାମ୍ ।

ବିବତ୍ସାଂ ସାଶ୍ରୁବଦନାଂ କ୍ଷାମାଂ ଯବସମିଚ୍ଛତୀମ୍ ॥ ୩॥

ଧର୍ମୋପଯୋଗୀ ଦୁଗ୍ଧ, ଘୃତ ଆଦି ହବିଷ୍ୟ ପଦାର୍ଥ ପ୍ରଦାନ କରୁଥିବା ଗାଈଟି ମଧ୍ୟ ସେହି ଶୂଦ୍ରର ବାରମ୍ବାର ପଦାଘାତରେ ଅତ୍ୟନ୍ତ ଦୀନ-ହୀନ ଦେଖାଯାଉ ଥିଲା | ସହଜରେ ତ ସେ ନିଜେ ଅତି ବେଶୀ ଦୁର୍ବଳ ଥିଲା, ତଦୁପରି ତାହାର ବାଛୁରୀ ମଧ୍ୟ ତା ପାଖରେ ନ ଥିଲା | ସେ ଭୋକିଲା ଥିଲା ଏବଂ ତା ଆଖିରୁ ଅଶ୍ରୁ ଝାରିବାରେ ଲାଗିଥିଲା |

ପପ୍ରଚ୍ଛ ରଥମାରୂଢଃ କାର୍ତସ୍ୱରପରିଚ୍ଛଦମ୍ ।

ମେଘଗମ୍ଭୀରୟା ବାଚା ସମାରୋପିତକାର୍ମୁକଃ ॥ ୪॥

ସ୍ବର୍ଣ୍ଣଜଟିତ ରଥରେ ବସି ରାଜା ପରୀକ୍ଷିତ ନିଜ ଧନୁରେ ତୀର ସଂଯୋଗ କରି ମେଘ ପରି ଗମ୍ଭୀର ବାଣୀରେ ସେହି ଶୂଦ୍ରକୁ ଆହ୍ବାନ କଲେ |

କସ୍ତ୍ୱଂ ମଚ୍ଛରଣେ ଲୋକେ ବଲାଦ୍ଧଂସ୍ୟବଲାନ୍ ବଲୀ ।

ନରଦେବୋଽସି ବେଷେଣ ନଟବତ୍କର୍ମଣାଦ୍ୱିଜଃ ॥ ୫॥

ତୁ କିଏ ରେ, ଯିଏ ବଳବାନ ହୋଇ ମଧ୍ୟ ମୋ ରାଜ୍ୟର ଦୁର୍ବଳ ପ୍ରାଣୀମାନଙ୍କୁ ମାରୁଛି ? ନଟ ପରି ତୁ ରାଜା ବେଶ ତ ଧାରଣ କରିଛୁ, କିନ୍ତୁ କର୍ମରେ ତୁ ଶୂଦ୍ର ମନେ ହେଉଛୁ |

କସ୍ତ୍ୱଂ କୃଷ୍ଣେ ଗତେ ଦୂରଂ ସହଗାଣ୍ଡୀବଧନ୍ୱନା ।

ଶୋଚ୍ୟୋଽସ୍ୟଶୋଚ୍ୟାନ୍ ରହସି ପ୍ରହରନ୍ ବଧମର୍ହସି ॥ ୬॥

ମୋର ପିତାମହ ଅର୍ଜୁନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ପରମ ଧାମକୁ ଗମନ କରିବା ପରେ ଏପରି ନିର୍ଜନ ସ୍ଥାନରେ ନିରପରାଧ ପ୍ରାଣୀଙ୍କୁ ପ୍ରହାର କରୁଥିବା କାରଣରୁ ତୁ ଅପରାଧୀ ଅଟୁ; ଅତଏବ ବଧ-ଯୋଗ୍ୟ ଅଟୁ |

ତ୍ୱଂ ବା ମୃଣାଲଧବଲଃ ପାଦୈର୍ନ୍ୟୂନଃ ପଦା ଚରନ୍ ।

ବୃଷରୂପେଣ କିଂ କଶ୍ଚିଦ୍ଦେବୋ ନଃ ପରିଖେଦୟନ୍ ॥ ୭॥

ପରୀକ୍ଷିତ ଧର୍ମଙ୍କୁ ପଚାରିଲେ – କମଳ-ନାଡ ପରି ଆପଣ ଶ୍ବେତବର୍ଣ୍ଣର ଅଟନ୍ତି | ତିନୋଟି ପାଦ ହରାଇ ଆପଣ ଗୋଟିଏ ପାଦରେ ବିଚରଣ କରୁଛନ୍ତି | ଏହା ଦେଖି ମୁଁ ବହୁତ କଷ୍ଟ ଅନୁଭବ କରୁଛି | ଆପଣ ବଳଦ ରୂପରେ କୌଣସି ଦେବତା ଅଟନ୍ତି କି ?

ନ ଜାତୁ କୌରବେନ୍ଦ୍ରାଣାଂ ଦୋର୍ଦଣ୍ଡପରିରମ୍ଭିତେ ।

ଭୂତଲେଽନୁପତନ୍ତ୍ୟସ୍ମିନ୍ ବିନା ତେ ପ୍ରାଣିନାଂ ଶୁଚଃ ॥ ୮॥

ବର୍ତ୍ତମାନ ଏହି ଭୂମଣ୍ଡଳ କୁରୁବଂଶୀ ନରପତିମାନଙ୍କର ବାହୁବଳରେ ସୁରକ୍ଷିତ ଅଟେ | ଏଠାରେ ଆପଣଙ୍କ ଅତିରିକ୍ତ ଅନ୍ୟ କୌଣସି ପ୍ରାଣୀଙ୍କ ଆଖିରୁ ଶୋକରେ ଅଶ୍ରୁ ନିର୍ଗତ ହେଉଥିବା ମୁଁ ଦେଖିପାରୁ ନାହିଁ |

ମା ସୌରଭେୟାନୁଶୁଚୋ ବ୍ୟେତୁ ତେ ବୃଷଲାଦ୍ଭୟମ୍ ।

ମା ରୋଦୀରମ୍ବ ଭଦ୍ରଂ ତେ ଖଲାନାଂ ମୟି ଶାସ୍ତରି ॥ ୯॥

ହେ ଧେନୁପୁତ୍ର ! ଏବେ ଆପଣ ଆଉ ଶୋକ କରନ୍ତୁ ନାହିଁ; ଏହି ଶୂଦ୍ର ପ୍ରତି ନିର୍ଭୟ ରହନ୍ତୁ | ହେ ଗୋମାତା ! ମୁଁ ଦୁଷ୍ଟକୁ ଦଣ୍ଡିତ କରିଥାଏ, ତେଣୁ ଆପଣ କାନ୍ଦନ୍ତୁ ନାହିଁ; ଆପଣଙ୍କର କଲ୍ୟାଣ ହେଉ |

ଯସ୍ୟ ରାଷ୍ଟ୍ରେ ପ୍ରଜାଃ ସର୍ୱାସ୍ତ୍ରସ୍ୟନ୍ତେ ସାଧ୍ୱ୍ୟସାଧୁଭିଃ ।

ତସ୍ୟ ମତ୍ତସ୍ୟ ନଶ୍ୟନ୍ତି କୀର୍ତିରାୟୁର୍ଭଗୋ ଗତିଃ ॥ ୧୦॥

ହେ ଦେବୀ ! ଯେଉଁ ରାଜାର ରାଜ୍ୟରେ ଦୁଷ୍ଟମାନଙ୍କର ଉପଦ୍ରବରେ ସମସ୍ତ ପ୍ରଜା ତ୍ରସ୍ତ ରହନ୍ତି, ସେହି ଉନ୍ମତ୍ତ ରାଜାର କୀର୍ତ୍ତି, ଆୟୁ, ଐଶ୍ବର୍ଯ୍ୟ ଏବଂ ପରଲୋକ ନଷ୍ଟ ହୋଇଯାଏ |

ଏଷ ରାଜ୍ଞାଂ ପରୋ ଧର୍ମୋ ହ୍ୟାର୍ତାନାମାର୍ତିନିଗ୍ରହଃ ।

ଅତ ଏନଂ ବଧିଷ୍ୟାମି ଭୂତଦ୍ରୁହମସତ୍ତମମ୍ ॥ ୧୧॥

ଦୁଃଖୀମାନଙ୍କର ଦୁଃଖ ଦୂର କରିବା ରାଜାର ପରମ ଧର୍ମ ଅଟେ | ଏହି ମହାଦୁଷ୍ଟ ପ୍ରାଣୀମାନଙ୍କୁ ପୀଡା ଦେଉଛି; ତେଣୁ ଏହି ମୁହୂର୍ତ୍ତରେ ମୁଁ ଏହାକୁ ହତ୍ୟା କରିବି |

କୋଽବୃଶ୍ଚତ୍ତବ ପାଦାଂସ୍ତ୍ରୀନ୍ ସୌରଭେୟ ଚତୁଷ୍ପଦ ।

ମା ଭୂବଂସ୍ତ୍ୱାଦୃଶା ରାଷ୍ଟ୍ରେ ରାଜ୍ଞାଂ କୃଷ୍ଣାନୁବର୍ତିନାମ୍ ॥ ୧୨॥

ହେ ସୁରଭିନନ୍ଦନ ! ଆପଣ ତ ଚତୁଷ୍ପଦ ପ୍ରାଣୀ ଅଟନ୍ତି; ଆପଣଙ୍କର ତିନୋଟି ପାଦ କିଏ କାଟିଲା ? ଶ୍ରୀକୃଷ୍ଣ-ଭକ୍ତ ରାଜାମାନଙ୍କର ରାଜ୍ୟରେ କୌଣସି ପ୍ରାଣୀ ଆପଣଙ୍କ ପରି ଦୁଃଖୀ ହେବା ଉଚିତ୍ ନୁହେଁ |

ଆଖ୍ୟାହି ବୃଷ ଭଦ୍ରଂ ବଃ ସାଧୂନାମକୃତାଗସାମ୍ ।

ଆତ୍ମବୈରୂପ୍ୟକର୍ତାରଂ ପାର୍ଥାନାଂ କୀର୍ତିଦୂଷଣମ୍ ॥ ୧୩॥

ହେ ବୃଷଭ ! ଆପଣଙ୍କର କଲ୍ୟାଣ ହେଉ | ମୋତେ କହନ୍ତୁ, ଆପଣଙ୍କ ପରି ନିରପରାଧ ସାଧୁଙ୍କର ଅଙ୍ଗ ଭଙ୍ଗ କରି କେଉଁ ଦୁଷ୍ଟ ପାଣ୍ଡବମାନଙ୍କର କୀର୍ତ୍ତିକୁ କଳଙ୍କିତ କରିଛି ?

ଜନେନାଗସ୍ୟଘଂ ଯୁଞ୍ଜନ୍ ସର୍ୱତୋଽସ୍ୟ ଚ ମଦ୍ଭୟମ୍ ।

ସାଧୂନାଂ ଭଦ୍ରମେବ ସ୍ୟାଦସାଧୁଦମନେ କୃତେ ॥ ୧୪॥

ନିରପରାଧ ପ୍ରାଣୀକୁ ଯିଏ କଷଣ ଦେଇଥାଏ, ସେ କେଉଁଠାରେ ବି ରହୁ, ମୋର ଭୟ ସର୍ବଦା ତାକୁ ଲାଗି ରହିବ | ଦୁଷ୍ଟଦମନ କରିବା ଦ୍ବାରା ସାଧୁମାନଙ୍କର କଲ୍ୟାଣ ସ୍ବତଃ ହୋଇଥାଏ |

ଅନାଗଃସ୍ୱିହ ଭୂତେଷୁ ଯ ଆଗସ୍କୃନ୍ନିରଙ୍କୁଶଃ ।

ଆହର୍ତାସ୍ମି ଭୁଜଂ ସାକ୍ଷାଦମର୍ତ୍ୟସ୍ୟାପି ସାଙ୍ଗଦମ୍ ॥ ୧୫॥

ଯେଉଁ ଉଦଣ୍ଡ ବ୍ୟକ୍ତି ନିରପରାଧ ପ୍ରାଣୀଙ୍କୁ ଦୁଃଖ ଦେଇଥାଏ, ସେ ସାକ୍ଷାତ୍ ଦେବତା ହୋଇଥାଆନ୍ତୁ ନା କାହିଁକି, ମୁଁ ତାଙ୍କର ବାଜୁବନ୍ଧ ବିଭୂଷିତ ଭୁଜକୁ କାଟିଦେବି |

ରାଜ୍ଞୋ ହି ପରମୋ ଧର୍ମଃ ସ୍ୱଧର୍ମସ୍ଥାନୁପାଲନମ୍ ।

ଶାସତୋଽନ୍ୟାନ୍ ଯଥାଶାସ୍ତ୍ରମନାପଦ୍ୟୁତ୍ପଥାନିହ ॥ ୧୬॥

ଆପତ୍ତିକାଳ ବିନା ମର୍ଯ୍ୟାଦା ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ପ୍ରତି ଶାସ୍ତ୍ରାନୁସାରେ ଦଣ୍ଡ ବିଧାନ କରି ଧର୍ମରେ ସ୍ଥିତ ବ୍ୟକ୍ତିମାନଙ୍କର ପାଳନ-ପୋଷଣ କରିବା ରାଜାମାନଙ୍କର ପରମ ଧର୍ମ ଅଟେ |

ଧର୍ମ ଉବାଚ

ଏତଦ୍ୱଃ ପାଣ୍ଡବେୟାନାଂ ଯୁକ୍ତମାର୍ତାଭୟଂ ବଚଃ ।

ଯେଷାଂ ଗୁଣଗଣୈଃ କୃଷ୍ଣୋ ଦୌତ୍ୟାଦୌ ଭଗବାନ୍ କୃତଃ ॥ ୧୭॥

ଧର୍ମ କହିଲେ – ହେ ରାଜନ୍ ! ଆପଣ ମହାରାଜ ପାଣ୍ଡୁଙ୍କର ବଂଶଜ ଅଟନ୍ତି | ଏପରି ଭାବରେ ଦୁଃଖୀମାନଙ୍କୁ ଆଶ୍ବାସନା ଦେବା ଆପଣଙ୍କର ସହଜାତ ଗୁଣ ଅଟେ; କାରଣ ଆପଣଙ୍କର ପୂର୍ବଜମାନଙ୍କର ଶ୍ରେଷ୍ଠ ଗୁଣ ତ ଭଗବାନ ଶ୍ରୀକୃଷ୍ଣଙ୍କୁ ସେମାନଙ୍କର ସାରଥୀ ଏବଂ ଦୂତ କରିଦେଇ ଥିଲା |

ନ ବୟଂ କ୍ଲେଶବୀଜାନି ଯତଃ ସ୍ୟୁଃ ପୁରୁଷର୍ଷଭ ।

ପୁରୁଷଂ ତଂ ବିଜାନୀମୋ ବାକ୍ୟଭେଦବିମୋହିତାଃ ॥ ୧୮॥

ହେ ନରେନ୍ଦ୍ର ! ଶାସ୍ତ୍ରର ବିଭିନ୍ନ ବଚନରେ ମୋହିତ ହୋଇ ଆମେ ସେହି ପୁରୁଷଙ୍କୁ ଜାଣି ନ ଥାଏ, ଯେଉଁ କାରଣରୁ କ୍ଲେଶ ଉତ୍ପନ୍ନ ହୋଇଥାଏ |

କେଚିଦ୍ୱିକଲ୍ପବସନା ଆହୁରାତ୍ମାନମାତ୍ମନଃ ।

ଦୈବମନ୍ୟେ ପରେ କର୍ମ ସ୍ୱଭାବମପରେ ପ୍ରଭୁମ୍ ॥ ୧୯॥

ଯେଉଁମାନେ କୌଣସି ପ୍ରକାରର ଦ୍ବୈତ ସ୍ବୀକାର କରନ୍ତି ନାହିଁ, ସେମାନେ ନିଜକୁ ହିଁ ନିଜ ଦୁଃଖର କାରଣ ମାନି ଥାଆନ୍ତି | କିଏ ପ୍ରାରବ୍ଧକୁ କାରଣ କହେ ତ କିଏ କର୍ମକୁ | କେହି କେହି ସ୍ବଭାବକୁ ତ ଅନ୍ୟ କେହି କେହି ଈଶ୍ବରଙ୍କୁ ଦୁଃଖର କାରଣ ମାନନ୍ତି |

ଅପ୍ରତର୍କ୍ୟାଦନିର୍ଦେଶ୍ୟାଦିତି କେଷ୍ୱପି ନିଶ୍ଚୟଃ ।

ଅତ୍ରାନୁରୂପଂ ରାଜର୍ଷେ ବିମୃଶ ସ୍ୱମନୀଷୟା ॥ ୨୦॥

କାହାର ଏପରି ଧାରଣା ଯେ ଦୁଃଖର କାରଣକୁ ତର୍କ ଦ୍ବାରା ସିଦ୍ଧ କରିହୁଏ ନାହିଁ, କି ବାଣୀ ଦ୍ବାରା ତାହାର ବ୍ୟାଖ୍ୟା କରିହୁଏ ନାହିଁ | ହେ ରାଜର୍ଷି ! ଏହି ସବୁ ମତ ମଧ୍ୟରୁ କେଉଁ ମତଟି ଯଥାର୍ଥ ଅଟେ, ତାହା ଆପଣ ନିଜ ବୁଦ୍ଧିରେ ବିଚାର କରନ୍ତୁ |

ସୂତ ଉବାଚ

ଏବଂ ଧର୍ମେ ପ୍ରବଦତି ସ ସମ୍ରାଡ୍-ଦ୍ୱିଜସତ୍ତମ ।

ସମାହିତେନ ମନସା ବିଖେଦଃ ପର୍ୟଚଷ୍ଟ ତମ୍ ॥ ୨୧॥

ସୂତ ମୁନି କହୁଛନ୍ତି – ହେ ଋଷିଶ୍ରେଷ୍ଠ ଶୌନକ ! ଧର୍ମଙ୍କର ଏହି ପ୍ରବଚନ ଶୁଣି ସମ୍ରାଟ ପରୀକ୍ଷିତ ଅତ୍ୟନ୍ତ ପ୍ରସନ୍ନ ହେଲେ; ତାଙ୍କର ସବୁ ଅଶାନ୍ତି ଦୂର ହୋଇଗଲା | ଶାନ୍ତଚିତ୍ତ ହୋଇ ସେ ଧର୍ମଙ୍କୁ କହିଲେ -

ରାଜୋବାଚ

ଧର୍ମଂ ବ୍ରବୀଷି ଧର୍ମଜ୍ଞ ଧର୍ମୋଽସି ବୃଷରୂପଧୃକ୍ ।

ଯଦଧର୍ମକୃତଃ ସ୍ଥାନଂ ସୂଚକସ୍ୟାପି ତଦ୍ଭବେତ୍ ॥ ୨୨॥

ରାଜା ପରୀକ୍ଷିତ କହିଲେ – ଧର୍ମତତ୍ତ୍ବର ଜ୍ଞାତା ହେ ବୃଷଭଦେବ ! ଆପଣ ଯେପରି ଭାବରେ ଧର୍ମର ଉପଦେଶ ପ୍ରଦାନ କଲେ, ଆପଣ ନିଶ୍ଚିତଭାବରେ ବୃଷଭ ରୂପରେ ସ୍ବୟଂ ଧର୍ମ ଅଟନ୍ତି | ଅଧର୍ମୀମାନଙ୍କୁ ଯେଉଁ ନର୍କ ଆଦି ଗତି ପ୍ରାପ୍ତ ହୋଇଥାଏ, ତାହା ପରନିନ୍ଦା କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ପ୍ରାପ୍ତ ହୋଇଥାଏ | ସେଥିପାଇଁ ବୋଧହୁଏ ଆପଣଙ୍କୁ କଷଣ ଦେଉଥିବା ବ୍ୟକ୍ତିର ନାମ ଆପଣ ପ୍ରକାଶ କଲେ ନାହିଁ |

ଅଥବା ଦେବମାୟାୟା ନୂନଂ ଗତିରଗୋଚରା ।

ଚେତସୋ ବଚସଶ୍ଚାପି ଭୂତାନାମିତି ନିଶ୍ଚୟଃ ॥ ୨୩॥

ଅଥବା ଏହି ସିଦ୍ଧାନ୍ତ ନିଶ୍ଚିତ ଯେ ପ୍ରାଣୀର ମନ ଏବଂ ବାଣୀ ଦ୍ବାରା ପରମେଶ୍ବରଙ୍କ ମାୟାର ସ୍ବରୂପ ନିରୂପଣ କରାଯାଇ ପାରିବ ନାହିଁ |

ତପଃ ଶୌଚଂ ଦୟା ସତ୍ୟମିତି ପାଦାଃ କୃତେ କୃତାଃ ।

ଅଧର୍ମାଂଶୈସ୍ତ୍ରୟୋ ଭଗ୍ନାଃ ସ୍ମୟସଙ୍ଗମଦୈସ୍ତବ ॥ ୨୪॥

ହେ ଧର୍ମଦେବ ! ସତ୍ୟଯୁଗରେ ଆପଣଙ୍କର ଚାରୋଟି ଚରଣ ଥିଲା – ତପ, ପବିତ୍ରତା, ଦୟା ଏବଂ ସତ୍ୟ | ଏହି ସମୟରେ ଅଧର୍ମର ଅଂଶ ଗର୍ବ, ଆସକ୍ତି ଏବଂ ମଦ ଦ୍ବାରା ଆପଣଙ୍କର ତିନୋଟି ଚରଣ ନଷ୍ଟ ହୋଇଯାଇଛି |

ଇଦାନୀଂ ଧର୍ମ ପାଦସ୍ତେ ସତ୍ୟଂ ନିର୍ୱର୍ତୟେଦ୍ୟତଃ ।

ତଂ ଜିଘୃକ୍ଷତ୍ୟଧର୍ମୋଽୟମନୃତେନୈଧିତଃ କଲିଃ ॥ ୨୫॥

ଏବେ ଆପଣଙ୍କର ଚତୁର୍ଥ ଚରଣ ଭାବରେ କେବଳ ସତ୍ୟ ହିଁ ଅବଶିଷ୍ଟ ରହିଛି | ତାହା ବଳରେ ଆପଣ ଜୀବିତ ରହିଛନ୍ତି | ଅସତ୍ୟରେ ପରିପୁଷ୍ଟ ଏହି ଅଧର୍ମ-ରୂପ କଳିଯୁଗ ତାହାକୁ ମଧ୍ୟ ଗ୍ରାସ କରିବାକୁ ଇଚ୍ଛା କରୁଛି |

ଇୟଂ ଚ ଭୂମିର୍ଭଗବତା ନ୍ୟାସିତୋରୁଭରା ସତୀ ।

ଶ୍ରୀମଦ୍ଭିସ୍ତତ୍ପଦନ୍ୟାସୈଃ ସର୍ୱତଃ କୃତକୌତୁକା ॥ ୨୬॥

ଏହି ଗୋମାତା ସାକ୍ଷାତ ପୃଥିବୀ ଅଟନ୍ତି | ବହୁତ ଭାରି ବୋଝରୁ ଭଗବାନ ଏହାକୁ ମୁକ୍ତ କରି ଦେଇଥିଲେ ଏବଂ ତାଙ୍କର ରାଶି-ରାଶି ସୌନ୍ଦର୍ଯ୍ୟ ବିକିରଣ କରୁଥିବା ଚରଣ-ଚିହ୍ନରେ ସର୍ବତ୍ର ଏହା ଉତ୍ସବମୟୀ ହୋଇ ଉଠିଥିଲା |

ଶୋଚତ୍ୟଶ୍ରୁକଲା ସାଧ୍ୱୀ ଦୁର୍ଭଗେବୋଜ୍ଝିତାଧୁନା ।

ଅବ୍ରହ୍ମଣ୍ୟା ନୃପବ୍ୟାଜାଃ ଶୂଦ୍ରା ଭୋକ୍ଷ୍ୟନ୍ତି ମାମିତି ॥ ୨୭॥

ଏବେ ସେ ତାଙ୍କଠାରୁ ବିଚ୍ୟୁତ ହୋଇଯାଇଛନ୍ତି | ସାଧ୍ବୀ ଅଭାଗିନୀ ସଦୃଶ ନେତ୍ରରେ ଅଶ୍ରୁ ଭରି ସେ ଏବେ ଆତଙ୍କିତ ରହିଛନ୍ତି ଯେ ରାଜା ବେଶରେ ବ୍ରାହ୍ମଣଦ୍ରୋହୀ ଶୂଦ୍ରମାନେ ଏବେ ମୋତେ ଭୋଗ କରିବେ |

ଇତି ଧର୍ମଂ ମହୀଂ ଚୈବ ସାନ୍ତ୍ୱୟିତ୍ୱା ମହାରଥଃ ।

ନିଶାତମାଦଦେ ଖଡ୍ଗଂ କଲୟେଽଧର୍ମହେତବେ ॥ ୨୮॥

ଏହିପରି ଭାବରେ ମହାରଥୀ ପରୀକ୍ଷିତ ଉଭୟ ଧର୍ମ ଏବଂ ପୃଥିବୀମାତାଙ୍କୁ ସାନ୍ତ୍ବନା ଦେଲେ | ତତ୍ପଶ୍ଚାତ୍ ସେ ଅଧର୍ମର କାରଣରୂପ କଳିଯୁଗକୁ ମାରିବା ପାଇଁ ନିଜର ତୀକ୍ଷ୍ଣ ତରବାରୀ ଉତ୍ତୋଳନ କଲେ |

ତଂ ଜିଘାଂସୁମଭିପ୍ରେତ୍ୟ ବିହାୟ ନୃପଲାଞ୍ଛନମ୍ ।

ତତ୍ପାଦମୂଲଂ ଶିରସା ସମଗାଦ୍ଭୟବିହ୍ୱଲଃ ॥ ୨୯॥

କଳିଯୁଗ ଅନୁମାନ କରିନେଲା ଯେ ଇଏ ତ ଏବେ ମୋତେ ମାରିବାକୁ ଇଚ୍ଛା କରୁଛନ୍ତି | ସେ ଅତି ଶୀଘ୍ର ନିଜର ରାଜଚିହ୍ନ ଉତାରି ଦେଇ ରାଜାଙ୍କ ଚରଣରେ ନିଜ ମସ୍ତକ ରଖିଦେଲା |

ପତିତଂ ପାଦୟୋର୍ୱୀରଃ କୃପୟା ଦୀନବତ୍ସଲଃ ।

ଶରଣ୍ୟୋ ନାବଧୀଚ୍ଛ୍ଲୋକ୍ୟ ଆହ ଚେଦଂ ହସନ୍ନିବ ॥ ୩୦॥

ପରୀକ୍ଷିତ ଅତ୍ୟନ୍ତ ଯଶସ୍ବୀ, ଦୀନବତ୍ସଳ ଏବଂ ଶରଣାଗତରକ୍ଷକ ଥିଲେ | କଳିଯୁଗକୁ ତାଙ୍କ ପାଦତଳେ ପଡିଥିବା ଦେଖି ସେ କୃପାପୂର୍ବକ ତାକୁ ମାରିଲେ ନାହିଁ, ବରଂ ହସି କରି ତାକୁ କହିଲେ -

ରାଜୋବାଚ

ନ ତେ ଗୁଡାକେଶୟଶୋଧରାଣାଂ

ବଦ୍ଧାଞ୍ଜଲେର୍ୱୈ ଭୟମସ୍ତି କିଞ୍ଚିତ୍ ।

ନ ବର୍ତିତବ୍ୟଂ ଭବତା କଥଞ୍ଚନ

କ୍ଷେତ୍ରେ ମଦୀୟେ ତ୍ୱମଧର୍ମବନ୍ଧୁଃ ॥ ୩୧॥

ପରୀକ୍ଷିତ କହିଲେ – ତୁ ଯେହେତୁ ହାତ ଯୋଡି ଶରଣ ଭିକ୍ଷା କରୁଛୁ, ଅର୍ଜୁନଙ୍କର ଯଶସ୍ବୀ ବଂଶରେ ଉତ୍ପନ୍ନ କୌଣସି ବୀରଙ୍କ ପ୍ରତି ତୋର ଆଉ ଭୟ ନାହିଁ | କିନ୍ତୁ ତୁ ଅଧର୍ମର ସହାୟକ ଅଟୁ, ସେଥିପାଇଁ ମୋ ରାଜ୍ୟରେ ତୁ ଆଦୌ ରହିପାରିବୁ ନାହିଁ |

ତ୍ୱାଂ ବର୍ତମାନଂ ନରଦେବଦେହେ-

ଷ୍ୱନୁପ୍ରବୃତ୍ତୋଽୟମଧର୍ମପୂଗଃ ।

ଲୋଭୋଽନୃତଂ ଚୌର୍ୟମନାର୍ୟମଂହୋ

ଜ୍ୟେଷ୍ଠା ଚ ମାୟା କଲହଶ୍ଚ ଦମ୍ଭଃ ॥ ୩୨॥

ରାଜାମାନଙ୍କର ଶରୀରରେ ତୁ ରହିବାରୁ ହିଁ ଲୋଭ, ମିଥ୍ୟାଚାର, ଚୋରୀ, ଦୁଷ୍ଟତା, ସ୍ବଧର୍ମତ୍ୟାଗ, ଦରିଦ୍ରତା, କପଟ, କଳହ, ଦମ୍ଭ ଏବଂ ଅନ୍ୟ ଅନେକ ପ୍ରକାରର ପାପାଚାର ସେମାନଙ୍କ ଠାରେ ବୃଦ୍ଧି ଲାଭ କରିଛି |

ନ ବର୍ତିତବ୍ୟଂ ତଦଧର୍ମବନ୍ଧୋ

ଧର୍ମେଣ ସତ୍ୟେନ ଚ ବର୍ତିତବ୍ୟେ ।

ବ୍ରହ୍ମାବର୍ତେ ଯତ୍ର ଯଜନ୍ତି ଯଜ୍ଞୈ-

ର୍ୟଜ୍ଞେଶ୍ୱରଂ ଯଜ୍ଞବିତାନବିଜ୍ଞାଃ ॥ ୩୩॥

ତେଣୁ ହେ ଅଧର୍ମ-ସାଥୀ ! ତୁ କ୍ଷଣ କାଳ ମଧ୍ୟ ଏହି ବ୍ରହ୍ମାବର୍ତ୍ତରେ ରହନାହିଁ; କାରଣ ଏହା ଧର୍ମ ଏବଂ ସତ୍ୟର ନିବାସସ୍ଥାନ ଅଟେ | ଏହି କ୍ଷେତ୍ରରେ ଯଜ୍ଞବିଧିର ଜ୍ଞାତା ମହାତ୍ମାମାନେ ଯଜ୍ଞ ଦ୍ବାରା ଯଜ୍ଞପୁରୁଷ ଭଗବାନଙ୍କର ଆରାଧନା କରୁଥାଆନ୍ତି |

ଯସ୍ମିନ୍ ହରିର୍ଭଗବାନିଜ୍ୟମାନ

ଇଜ୍ୟାମୂର୍ତିର୍ୟଜତାଂ ଶଂ ତନୋତି ।

କାମାନମୋଘାନ୍ ସ୍ଥିରଜଙ୍ଗମାନା-

ମନ୍ତର୍ବହିର୍ୱାୟୁରିବୈଷ ଆତ୍ମା ॥ ୩୪॥

ଏହି ଦେଶରେ ଭଗବାନ ଶ୍ରୀହରି ଯଜ୍ଞ ରୂପରେ ନିବାସ କରନ୍ତି, ଯଜ୍ଞ ଦ୍ବାରା ତାଙ୍କର ପୂଜା କରାଯାଏ ଏବଂ ଯଜ୍ଞ କରୁଥିବା ବ୍ୟକ୍ତିର ସେ କଲ୍ୟାଣ କରନ୍ତି | ସେହି ସର୍ବାତ୍ମା ଭଗବାନ ବାୟୁ ସଦୃଶ ସମସ୍ତ ଜୀବଙ୍କର ଭିତରେ ବାହାରେ ଏକରସ ସ୍ଥିତ ରହି ସେମାନଙ୍କର କାମନା ପୂର୍ଣ୍ଣ କରିଥାଆନ୍ତି |

ସୂତ ଉବାଚ

ପରୀକ୍ଷିତୈବମାଦିଷ୍ଟଃ ସ କଲିର୍ଜାତବେପଥୁଃ ।

ତମୁଦ୍ୟତାସିମାହେଦଂ ଦଣ୍ଡପାଣିମିବୋଦ୍ୟତମ୍ ॥ ୩୫॥

ସୂତ ମୁନି କହୁଛନ୍ତି – ପରୀକ୍ଷିତଙ୍କର ଏପରି ଆଜ୍ଞା ଶୁଣି ଭୟରେ କଳିଯୁଗ ଶିହରି ଉଠିଲା | ତରବାରୀ ହାତରେ ଧରି ଯମରାଜଙ୍କ ପରି ତାକୁ ମାରିବାକୁ ଉଦ୍ୟତ ପରୀକ୍ଷିତଙ୍କୁ ସେ କହିଲା |

କଲିରୁବାଚ

ଯତ୍ର କ୍ୱଚନ ବତ୍ସ୍ୟାମି ସାର୍ୱଭୌମ ତବାଜ୍ଞୟା ।

ଲକ୍ଷୟେ ତତ୍ର ତତ୍ରାପି ତ୍ୱାମାତ୍ତେଷୁଶରାସନମ୍ ॥ ୩୬॥

କଳିଯୁଗ କହିଲା – ହେ ସାର୍ବଭୌମ ସମ୍ରାଟ ! ଆପଣଙ୍କର ଆଜ୍ଞା ଶୁଣି ମୁଁ ଯେଉଁଠାରେ ରହିବା ପାଇଁ ବିଚାର କରୁଛି, ସେଠାରେ ମୁଁ ଦେଖୁଛି ଆପଣ ଧନୁଶର ହାତରେ ଧରି ଠିଆ ହୋଇଛନ୍ତି |

ତନ୍ମେ ଧର୍ମଭୃତାଂ ଶ୍ରେଷ୍ଠ ସ୍ଥାନଂ ନିର୍ଦେଷ୍ଟୁମର୍ହସି ।

ଯତ୍ରୈବ ନିୟତୋ ବତ୍ସ୍ୟ ଆତିଷ୍ଠଂସ୍ତେଽନୁଶାସନମ୍ ॥ ୩୭॥

ହେ ଧାର୍ମିକ ଶିରୋମଣି ! ଆପଣ ମୋ ପାଇଁ ଏପରି ଏକ ସ୍ଥାନ ନିଶ୍ଚିତ କରନ୍ତୁ, ଯେଉଁଠାରେ ମୁଁ ସ୍ଥିର ହୋଇ ରହିପାରିବି |

ସୂତ ଉବାଚ

ଅଭ୍ୟର୍ଥିତସ୍ତଦା ତସ୍ମୈ ସ୍ଥାନାନି କଲୟେ ଦଦୌ ।

ଦ୍ୟୂତଂ ପାନଂ ସ୍ତ୍ରିୟଃ ସୂନା ଯତ୍ରାଧର୍ମଶ୍ଚତୁର୍ୱିଧଃ ॥ ୩୮॥

ସୂତ ମୁନି କହୁଛନ୍ତି – କଳିଯୁଗର ପ୍ରାର୍ଥନା ସ୍ବୀକାର କରି ରାଜା ପରୀକ୍ଷିତ ତାହାକୁ ରହିବା ପାଇଁ ଚାରୋଟି ସ୍ଥାନ ଦେଲେ – ଜୁଆ, ମଦ୍ୟପାନ, ସ୍ତ୍ରୀ-ସଙ୍ଗ, ଏବଂ ହିଂସା | ଏହି ସ୍ଥାନମାନଙ୍କରେ ଯଥାକ୍ରମେ ଅସତ୍ୟ, ମଦ, ଆସକ୍ତି ଏବଂ ନିର୍ଦୟତା – ଏହି ଚାରି ପ୍ରକାରର ଅଧର୍ମ ନିବାସ କରିବାରେ ଲାଗିଲେ |

ପୁନଶ୍ଚ ଯାଚମାନାୟ ଜାତରୂପମଦାତ୍ପ୍ରଭୁଃ ।

ତତୋଽନୃତଂ ମଦଂ କାମଂ ରଜୋ ବୈରଂ ଚ ପଞ୍ଚମମ୍ ॥ ୩୯॥

କଳିଯୁଗ ଅନ୍ୟ ଏକ ସ୍ଥାନ ମାଗିବାରୁ ସମର୍ଥ ରାଜା ପରୀକ୍ଷିତ ‘ସୁବର୍ଣ୍ଣ’କୁ ଅନ୍ୟ ଏକ ସ୍ଥାନ ଭାବରେ ତାହାକୁ ପ୍ରଦାନ କଲେ | ଏହିପରି ଭାବରେ କଳିଯୁଗକୁ ରହିବା ପାଇଁ ପାଞ୍ଚଟି ସ୍ଥାନ ମିଳିଗଲା – ମିଥ୍ୟା, ମଦ, କାମ, ବୈର ଏବଂ ରଜୋଗୁଣ |

ଅମୂନି ପଞ୍ଚ ସ୍ଥାନାନି ହ୍ୟଧର୍ମପ୍ରଭବଃ କଲିଃ ।

ଔତ୍ତରେୟେଣ ଦତ୍ତାନି ନ୍ୟବସତ୍ତନ୍ନିଦେଶକୃତ୍ ॥ ୪୦॥

ପରୀକ୍ଷିତଙ୍କ ଦ୍ବାରା ପ୍ରଦତ୍ତ ଏହି ପାଞ୍ଚଟି ସ୍ଥାନରେ ଅଧର୍ମର ମୂଳ କାରଣ କଳି ତାଙ୍କର ଆଜ୍ଞା ପାଳନ କରି ନିବାସ କରିବାରେ ଲାଗିଲା |

ଅଥୈତାନି ନ ସେବେତ ବୁଭୂଷୁଃ ପୁରୁଷଃ କ୍ୱଚିତ୍ ।

ବିଶେଷତୋ ଧର୍ମଶୀଲୋ ରାଜା ଲୋକପତିର୍ଗୁରୁଃ ॥ ୪୧॥

ସେଥିପାଇଁ ଆତ୍ମକଲ୍ୟାଣକାମୀ ପୁରୁଷ ଏହି ସବୁ ସ୍ଥାନକୁ ଯିବା ଉଚିତ୍ ନୁହେଁ | ବିଶେଷତଃ ଧାର୍ମିକ ରାଜା, ପ୍ରଜାବର୍ଗଙ୍କର ହିତକାରୀ ନେତା, ଏବଂ ଧର୍ମ ଉପଦେଷ୍ଟା ଗୁରୁମାନେ ତ ଅତ୍ୟନ୍ତ ସାବଧାନ ପୂର୍ବକ ଏହି ସବୁ ସ୍ଥାନ ବର୍ଜନ କରିବା ଆବଶ୍ୟକ |

ବୃଷସ୍ୟ ନଷ୍ଟାଂସ୍ତ୍ରୀନ୍ ପାଦାନ୍ ତପଃ ଶୌଚଂ ଦୟାମିତି ।

ପ୍ରତିସନ୍ଦଧ ଆଶ୍ୱାସ୍ୟ ମହୀଂ ଚ ସମବର୍ଧୟତ୍ ॥ ୪୨॥

ଏହାପରେ ରାଜା ପରୀକ୍ଷିତ ବୃଷଭ-ରୂପୀ ଧର୍ମଙ୍କର ତପସ୍ୟା, ଶୌଚ, ଦୟା ଆଦି ତିନୋଟି ଚରଣ ଯୋଡି ଦେଲେ ଏବଂ ପୃଥିବୀମାତାଙ୍କୁ ଆଶ୍ବାସନା ଦେଇ ତାଙ୍କର ସମ୍ବର୍ଦ୍ଧନା କଲେ |

ସ ଏଷ ଏତର୍ହ୍ୟଧ୍ୟାସ୍ତ ଆସନଂ ପାର୍ଥିବୋଚିତମ୍ ।

ପିତାମହେନୋପନ୍ୟସ୍ତଂ ରାଜ୍ଞାରଣ୍ୟଂ ବିବିକ୍ଷତା ॥ ୪୩॥

ସେହି ମହାରାଜା ପରୀକ୍ଷିତ ବର୍ତ୍ତମାନ ରାଜସିଂହାସନରେ ବିରାଜମାନ କରିଛନ୍ତି, ଯେଉଁ ସିଂହାସନ ତାଙ୍କର ପିତାମହ ମହାରାଜ ଯୁଧିଷ୍ଠିର ବନକୁ ଯିବା ପୂର୍ବରୁ ତାଙ୍କୁ ଅର୍ପଣ କରିଥିଲେ |

ଆସ୍ତେଽଧୁନା ସ ରାଜର୍ଷିଃ କୌରବେନ୍ଦ୍ରଶ୍ରିୟୋଲ୍ଲସନ୍ ।

ଗଜାହ୍ୱୟେ ମହାଭାଗଶ୍ଚକ୍ରବର୍ତୀ ବୃହଚ୍ଛ୍ରବାଃ ॥ ୪୪॥

ସେହି ପରମ ଯଶସ୍ବୀ ସୌଭାଗ୍ୟଭାଜନ ଚକ୍ରବର୍ତ୍ତୀ ସମ୍ରାଟ ରାଜର୍ଷି ପରୀକ୍ଷିତ ବର୍ତ୍ତମାନ ହସ୍ତୀନାପୁରରେ କୌରବ-କୁଳର ରାଜ୍ୟଲକ୍ଷ୍ମୀରେ ଶୋଭାୟମାନ |

ଇତ୍ଥମ୍ଭୂତାନୁଭାବୋଽୟମଭିମନ୍ୟୁସୁତୋ ନୃପଃ ।

ଯସ୍ୟ ପାଲୟତଃ କ୍ଷୋଣୀଂ ଯୂୟଂ ସତ୍ରାୟ ଦୀକ୍ଷିତାଃ ॥ ୪୫॥

ଅଭିମନ୍ୟୁନନ୍ଦନ ରାଜା ପରୀକ୍ଷିତ ବାସ୍ତବରେ ଏପରି ପ୍ରଭାବଶାଳୀ ଅଟନ୍ତି ଯେ ତାଙ୍କର ଶାସନକାଳରେ ଆପଣମାନେ ଏହି ଦୀର୍ଘକାଳୀନ ଯଜ୍ଞ ନିମନ୍ତେ ଦୀକ୍ଷିତ ହୋଇଛନ୍ତି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ କଲିନିଗ୍ରହୋ ନାମ ସପ୍ତଦଶୋଽଧ୍ୟାୟଃ ॥ ୧୭॥

 

Comments

Popular posts from this blog