ଓଁ ନମୋ ଭଗବତେ ବାସୁଦେବାୟ ॥

ଶ୍ରୀମଦ୍ ଭାଗବତ ମହାପୁରାଣ

ପ୍ରଥମ ସ୍କନ୍ଧ

ଅଷ୍ଟାଦଶ ଅଧ୍ୟାୟ

ରାଜା ପରୀକ୍ଷିତଙ୍କୁ ଶୃଙ୍ଗୀଋଷିଙ୍କର ଅଭିଶାପ

 

ସୂତ ଉବାଚ

ଯୋ ବୈ ଦ୍ରୌଣ୍ୟସ୍ତ୍ରବିପ୍ଲୁଷ୍ଟୋ ନ ମାତୁରୁଦରେ ମୃତଃ ।

ଅନୁଗ୍ରହାଦ୍ଭଗବତଃ କୃଷ୍ଣସ୍ୟାଦ୍ଭୁତକର୍ମଣଃ ॥ ୧॥

ସୂତ ମୁନି କହୁଛନ୍ତି – ଅଦ୍ଭୁତକର୍ମା ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ମାତୃଗର୍ଭରେ ଅଶ୍ବତ୍ଥାମାଙ୍କର ବ୍ରହ୍ମାସ୍ତ୍ରର ପ୍ରଖର ତେଜରେ ଦଗ୍ଧ ହୋଇ ମଧ୍ୟ ପରୀକ୍ଷିତ ମୃତ୍ୟୁବରଣ କରି ନ ଥିଲେ |

ବ୍ରହ୍ମକୋପୋତ୍ଥିତାଦ୍ୟସ୍ତୁ ତକ୍ଷକାତ୍ପ୍ରାଣବିପ୍ଲବାତ୍ ।

ନ ସମ୍ମୁମୋହୋରୁଭୟାଦ୍ଭଗବତ୍ୟର୍ପିତାଶୟଃ ॥ ୨॥

ବ୍ରାହ୍ମଣଙ୍କ ଅଭିଶାପରୁ ତକ୍ଷକ ଯେତେବେଳେ ତାଙ୍କୁ ଦଂଶନ କରିବାକୁ ଆସିଥିଲା, ସେତେବେଳେ ମଧ୍ୟ ସେ ପ୍ରାଣନାଶର ମହାନ୍ ଭୟରେ ଭୟଭୀତ ହୋଇ ନ ଥିଲେ; କାରଣ ସେ ନିଜର ଚିତ୍ତକୁ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ସମର୍ପିତ କରିଦେଇ ଥିଲେ |

ଉତ୍ସୃଜ୍ୟ ସର୍ୱତଃ ସଙ୍ଗଂ ବିଜ୍ଞାତାଜିତସଂସ୍ଥିତିଃ ।

ବୈୟାସକେର୍ଜହୌ ଶିଷ୍ୟୋ ଗଙ୍ଗାୟାଂ ସ୍ୱଂ କଲେବରମ୍ ॥ ୩॥

ସେ ସବୁ ପ୍ରକାରର ଆସକ୍ତି ତ୍ୟାଗ କରିଦେଇ ଥିଲେ ଏବଂ ଗଙ୍ଗାନଦୀର ତଟଦେଶକୁ ଯାଇ ସେଠାରେ ଶ୍ରୀ ଶୁକଦେବ ମୁନିଙ୍କଠାରୁ ଉପଦେଶ ଗ୍ରହଣ କରିଥିଲେ | ଏହିପରି ଭାବରେ ଭଗବାନଙ୍କର ସ୍ବରୂପ ଉପଲବଧିରେ ସେ ଶରୀର ତ୍ୟାଗ କରିଥିଲେ |

ନୋତ୍ତମଶ୍ଲୋକବାର୍ତାନାଂ ଜୁଷତାଂ ତତ୍କଥାମୃତମ୍ ।

ସ୍ୟାତ୍ସମ୍ଭ୍ରମୋଽନ୍ତକାଲେଽପି ସ୍ମରତାଂ ତତ୍ପଦାମ୍ବୁଜମ୍ ॥ ୪॥

ଯେଉଁମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳାକଥାର ବ୍ୟାଖ୍ୟାନ କରନ୍ତି, ଯେଉଁମାନେ ସେହି କଥାମୃତ ନିରନ୍ତର ପାନ କରୁଥାଆନ୍ତି, ଏବଂ ଏହି ଉଭୟ ପ୍ରକାରର ସାଧନା ଦ୍ବାରା ତାଙ୍କ ଚରଣ-କମଳର ସର୍ବଦା ସ୍ମରଣ କରୁଥାଆନ୍ତି, ସେମାନେ ଅନ୍ତଃକାଳରେ ମଧ୍ୟ ମୋହଗ୍ରସ୍ତ ହୁଅନ୍ତି ନାହିଁ |

ତାବତ୍କଲିର୍ନ ପ୍ରଭବେତ୍ପ୍ରବିଷ୍ଟୋଽପୀହ ସର୍ୱତଃ ।

ଯାବଦୀଶୋ ମହାନୁର୍ୱ୍ୟାମାଭିମନ୍ୟବ ଏକରାଟ୍ ॥ ୫॥

ପୃଥିବୀପୃଷ୍ଠରେ ଯେତେଦିନ ଅଭିମନ୍ୟୁନନ୍ଦନ ମହାରାଜ ପରୀକ୍ଷିତ ସମ୍ରାଟ ଭାବରେ ରହିଥିଲେ, ସେତେଦିନ ଯାଏଁ ଚତୁର୍ଦ୍ଦିଗରେ ବ୍ୟାପ୍ତ ରହି ମଧ୍ୟ କଳିଯୁଗର କୌଣସି ପ୍ରଭାବ ନ ଥିଲା |

ଯସ୍ମିନ୍ନହନି ଯର୍ହ୍ୟେବ ଭଗବାନୁତ୍ସସର୍ଜ ଗାମ୍ ।

ତଦୈବେହାନୁବୃତ୍ତୋଽସାବଧର୍ମପ୍ରଭବଃ କଲିଃ ॥ ୬॥

ଏମିତି ଦେଖିବାକୁ ଗଲେ ତ ଯେଉଁ ଦିନ, ଯେଉଁ ମୁହୂର୍ତ୍ତରେ ଶ୍ରୀକୃଷ୍ଣ ପୃଥିବୀକୁ ପରିତ୍ୟାଗ କରିଥିଲେ, ସେହି ସମୟରେ ପୃଥିବୀରେ ଅଧର୍ମର ମୂଳ କାରଣ କଳିଯୁଗର ଆଗମନ ହୋଇଯାଇ ଥିଲା |

ନାନୁଦ୍ୱେଷ୍ଟି କଲିଂ ସମ୍ରାଟ୍ ସାରଙ୍ଗ ଇବ ସାରଭୁକ୍ ।

କୁଶଲାନ୍ୟାଶୁ ସିଦ୍ଧ୍ୟନ୍ତି ନେତରାଣି କୃତାନି ଯତ୍ ॥ ୭॥

ରସଗ୍ରାହୀ ଭ୍ରମର ତୁଲ୍ୟ ସମ୍ରାଟ ପରୀକ୍ଷିତ କଳିଯୁଗ ପ୍ରତି କୌଣସି ଦ୍ବେଷଭାବ ରଖି ନ ଥିଲେ; କାରଣ ଏହାର ଏକ ବହୁତ ବଡ ଭଲ ଗୁଣ ମଧ୍ୟ ରହିଛି | ଏଥିରେ ପୁଣ୍ୟକର୍ମ ତ ସଂକଳ୍ପମାତ୍ରେ ଫଳୀଭୂତ ହୋଇଯାଏ, କିନ୍ତୁ ପାପକର୍ମର ଫଳ ଶରୀର ଦ୍ବାରା କରାଯିବା ପରେ ହିଁ ମିଳିଥାଏ; କେବଳ ସଂକଳ୍ପମାତ୍ରେ ମିଳି ନ ଥାଏ |

କିଂ ନୁ ବାଲେଷୁ ଶୂରେଣ କଲିନା ଧୀରଭୀରୁଣା ।

ଅପ୍ରମତ୍ତଃ ପ୍ରମତ୍ତେଷୁ ଯୋ ବୃକୋ ନୃଷୁ ବର୍ତତେ ॥ ୮॥

ଏହା ଅସଂଯତ ଅପରିପକ୍ବ ବାଳକମାନଙ୍କ ପାଇଁ ଆକ୍ରମକ ଗଧିଆ ପରି ହୋଇଥିବା ବେଳେ ଧୀର ଏବଂ ବୀର ପୁରୁଷଙ୍କ ପାଇଁ ଅତ୍ୟନ୍ତ ଭୀରୁ ଅଟେ | ପ୍ରମାଦୀ ମନୁଷ୍ୟଙ୍କୁ ନିଜର କବଳିତ କରିବା ଦିଗରେ ଏହା ଅତ୍ୟନ୍ତ ସାବଧାନ ରହିଥାଏ |

ଉପବର୍ଣିତମେତଦ୍ୱଃ ପୁଣ୍ୟଂ ପାରୀକ୍ଷିତଂ ମୟା ।

ବାସୁଦେବକଥୋପେତମାଖ୍ୟାନଂ ଯଦପୃଚ୍ଛତ ॥ ୯॥

ହେ ଶୌନକାଦି ଋଷିଗଣ ! ଆପଣମାନେ ପ୍ରଶ୍ନ କରିବା ପ୍ରକାରେ, ମୁଁ ଆପଣମାନଙ୍କୁ ଭଗବାନଙ୍କ ଲୀଳାକଥା ଅନ୍ତର୍ଗତ ରାଜା ପରୀକ୍ଷିତଙ୍କର ପବିତ୍ର ଚରିତ୍ର ଶୁଣାଇଲି |

ଯା ଯାଃ କଥା ଭଗବତଃ କଥନୀୟୋରୁକର୍ମଣଃ ।

ଗୁଣକର୍ମାଶ୍ରୟାଃ ପୁମ୍ଭିଃ ସଂସେବ୍ୟାସ୍ତା ବୁଭୂଷୁଭିଃ ॥ ୧୦॥

ଭଗବାନ ଶ୍ରୀକୃଷ୍ଣ କୀର୍ତ୍ତନ କରିବା-ଯୋଗ୍ୟ ଅନେକ ଲୀଳା କରିଥାଆନ୍ତି | ସେଥିପାଇଁ କଲ୍ୟାଣକାମୀ ପୁରୁଷ ତାଙ୍କର ଗୁଣ ଏବଂ ଲୀଳା ସମ୍ବନ୍ଧିତ ସମସ୍ତ କଥା ଶ୍ରବଣ କରିବା ଉଚିତ୍ |

ଋଷୟ ଊଚୁଃ

ସୂତ ଜୀବ ସମାଃ ସୌମ୍ୟ ଶାଶ୍ୱତୀର୍ୱିଶଦଂ ଯଶଃ ।

ଯସ୍ତ୍ୱଂ ଶଂସସି କୃଷ୍ଣସ୍ୟ ମର୍ତ୍ୟାନାମମୃତଂ ହି ନଃ ॥ ୧୧॥

ଋଷିମାନେ କହିଲେ – ହେ ସୌମ୍ୟସ୍ବଭାବ ସୂତ ମହାଶୟ ! ଆପଣ ଯୁଗ ଯୁଗ ଜୀବିତ ରହନ୍ତୁ; କାରଣ ଆମ୍ଭମାନଙ୍କ ପରି ମୃତ୍ୟୁ ପ୍ରବାହରେ ପତିତ ମନୁଷ୍ୟକୁ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କର ଅମୃତମୟୀ ଉଜ୍ଜ୍ବଳ କୀର୍ତ୍ତିର ଶ୍ରବଣ କରାଇ ଥାଆନ୍ତି |

କର୍ମଣ୍ୟସ୍ମିନ୍ନନାଶ୍ୱାସେ ଧୂମଧୂମ୍ରାତ୍ମନାଂ ଭବାନ୍ ।

ଆପାୟଯତି ଗୋବିନ୍ଦପାଦପଦ୍ମାସବଂ ମଧୁ ॥ ୧୨॥

ଯଜ୍ଞ କରି କରି ତାହାର ଧୂଆଁରେ ଆମ୍ଭମାନଙ୍କର ଶରୀର ଧୂମିଳ ହୋଇଯାଇଛି; ତଥାପି ଏହି କର୍ମରେ ଆମର ବିଶ୍ବାସ ନାହିଁ | ଅପର ପକ୍ଷରେ, ଆପଣ ତ ବର୍ତ୍ତମାନରେ ହିଁ ଭଗବାନ ଶ୍ରୀକୃଷ୍ଣଚନ୍ଦ୍ରଙ୍କ ଚରଣ-କମଳର ମାଦକ ଏବଂ ମଧୁର ମଧୁ ପାନ କରାଇ ଆମ୍ଭମାନଙ୍କୁ ତୃପ୍ତ କରୁଛନ୍ତି |

ତୁଲୟାମ ଲବେନାପି ନ ସ୍ୱର୍ଗଂ ନାପୁନର୍ଭବମ୍ ।

ଭଗବତ୍ସଙ୍ଗିସଙ୍ଗସ୍ୟ ମର୍ତ୍ୟାନାଂ କିମୁତାଶିଷଃ ॥ ୧୩॥

ଭଗବତ୍-ପ୍ରେମୀ ଭକ୍ତମାନଙ୍କର ନିମିଷକର ସତସଂଗ ସହିତ ସ୍ବର୍ଗ ଏବଂ ମୋକ୍ଷ ସୁଖ ମଧ୍ୟ ତୁଳନୀୟ ନୁହେଁ | ସେହି କ୍ଷେତ୍ରରେ ମନୁଷ୍ୟର ତୁଚ୍ଛ ସାଂସାରିକ ଭୋଗ କଥା କଣ କହିବା |

କୋ ନାମ ତୃପ୍ୟେଦ୍ରସବିତ୍କଥାୟାଂ

ମହତ୍ତମୈକାନ୍ତପରାୟଣସ୍ୟ ।

ନାନ୍ତଂ ଗୁଣାନାମଗୁଣସ୍ୟ ଜଗ୍ମୁ-

ର୍ୟୋଗେଶ୍ୱରା ଯେ ଭବପାଦ୍ମମୁଖ୍ୟାଃ ॥ ୧୪॥

ଏପରି କିଏ ରସ-ମର୍ମଜ୍ଞ ଥିବ, ଯିଏ ମହାପୁରୁଷମାନଙ୍କର ଏକମାତ୍ର ଜୀବନ-ସର୍ବସ୍ବ ଶ୍ରୀକୃଷ୍ଣଙ୍କର ଲୀଳା-କଥା ଶ୍ରବଣ କରି ତୃପ୍ତ ହେଉ ନ ଥିବ ? ସମସ୍ତ ପ୍ରାକୃତ ଗୁଣର ଅତୀତ ଭଗବାନଙ୍କର ଅଚିନ୍ତ୍ୟ ଅନନ୍ତ କଲ୍ୟାଣମୟ ଗୁଣଗଣର ଭେଦ ତ ବ୍ରହ୍ମା, ଶଂକର ଆଦି ବଡ ବଡ ଯୋଗେଶ୍ବରମାନେ ମଧ୍ୟ ପ୍ରାପ୍ତ କରିପାରନ୍ତି ନାହିଁ |

ତନ୍ନୋ ଭବାନ୍ ବୈ ଭଗବତ୍ପ୍ରଧାନୋ

ମହତ୍ତମୈକାନ୍ତପରାୟଣସ୍ୟ ।

ହରେରୁଦାରଂ ଚରିତଂ ବିଶୁଦ୍ଧଂ

ଶୁଶ୍ରୂଷତାଂ ନୋ ବିତନୋତୁ ବିଦ୍ୱନ୍ ॥ ୧୫॥

ହେ ବିଦ୍ବାନ୍ ! ଆପଣ ଭଗବାନଙ୍କୁ ହିଁ ନିଜ ଜୀବନର ଧ୍ରୁବତାରା ମାନନ୍ତି | ସେଥିପାଇଁ ଆମ୍ଭମାନଙ୍କ ପରି ଶ୍ରଦ୍ଧାଳୁ ଶ୍ରୋତାଙ୍କ ଶ୍ରବଣାର୍ଥେ ଆପଣ ସତ୍-ପୁରୁଷମାନଙ୍କର ଏକମାତ୍ର ଆଶ୍ରୟ ଭଗବାନଙ୍କର ଉଦାର ଏବଂ ବିଶୁଦ୍ଧ ଚରିତ୍ରର ବର୍ଣ୍ଣନା ବିସ୍ତାରପୂର୍ବକ କରନ୍ତୁ |

ସ ବୈ ମହାଭାଗବତଃ ପରୀକ୍ଷି-

ଦ୍ୟେନାପବର୍ଗାଖ୍ୟମଦଭ୍ରବୁଦ୍ଧିଃ ।

ଜ୍ଞାନେନ ବୈୟାସକିଶବ୍ଦିତେନ

ଭେଜେ ଖଗେନ୍ଦ୍ରଧ୍ୱଜପାଦମୂଲମ୍ ॥ ୧୬॥

ତନ୍ନଃ ପରଂ ପୁଣ୍ୟମସମ୍ବୃତାର୍ଥ-

ମାଖ୍ୟାନମତ୍ୟଦ୍ଭୁତୟୋଗନିଷ୍ଠମ୍ ।

ଆଖ୍ୟାହ୍ୟନନ୍ତାଚରିତୋପପନ୍ନଂ

ପାରୀକ୍ଷିତଂ ଭାଗବତାଭିରାମମ୍ ॥ ୧୭॥

ଭଗବାନଙ୍କର ପ୍ରେମୀ ଭକ୍ତ ମହାବୁଦ୍ଧିମାନ ପରୀକ୍ଷିତ ଶ୍ରୀ ଶୁକଦେବଙ୍କ ଦ୍ବାରା ଉପଦେଶିତ ଯେଉଁ ଜ୍ଞାନ ବଳରେ ମୋକ୍ଷସ୍ବରୂପ ଭଗବାନଙ୍କ ଚରଣ-କମଳ ପ୍ରାପ୍ତ କରିଥିଲେ, ଆପଣ କୃପା କରି ସେହି ଜ୍ଞାନ ଆମ୍ଭମାନଙ୍କୁ ଶୁଣାନ୍ତୁ | ଏତଦ୍ ବ୍ୟତିତ ପରୀକ୍ଷିତଙ୍କର ପରମ ପବିତ୍ର ଉପାଖ୍ୟାନର ମଧ୍ୟ ବର୍ଣ୍ଣନା କରନ୍ତୁ; କାରଣ ଶ୍ରୀ ଶୁକଦେବଙ୍କର ବକ୍ତବ୍ୟରେ କୌଣସି ବିଷୟ ଗୁପ୍ତ ରଖାଯାଇ ନ ଥିବ | ସେଥିରେ ଭଗବତ୍-ପ୍ରେମର ଅଦ୍ଭୁତ ଯୋଗନିଷ୍ଠାର ମଧ୍ୟ ନିରୂପଣ କରାଯାଇ ଥିବ | ପଦେ-ପଦେ ଭଗବାନଙ୍କ ଲୀଳାମାନଙ୍କର ବର୍ଣ୍ଣନା କରାଯାଇ ଥିବ | ଏହି ସବୁ ପ୍ରସଙ୍ଗ ଶ୍ରବଣରୁ ଭଗବାନଙ୍କର ପ୍ରେମୀ ଭକ୍ତମାନଙ୍କୁ ବହୁତ ରସ ମିଳିଥାଏ |

ସୂତ ଉବାଚ

ଅହୋ ବୟଂ ଜନ୍ମଭୃତୋଽଦ୍ୟ ହାସ୍ମ

ବୃଦ୍ଧାନୁବୃତ୍ତ୍ୟାପି ବିଲୋମଜାତାଃ ।

ଦୌଷ୍କୁଲ୍ୟମାଧିଂ ବିଧୁନୋତି ଶୀଘ୍ରଂ

ମହତ୍ତମାନାମଭିଧାନୟୋଗଃ ॥ ୧୮॥

ସୂତ ମୁନି କହୁଛନ୍ତି – ଆହା ! ବିଲୋମ ଜାତିରେ ଉତ୍ପନ୍ନ ହୋଇଥିଲେ ବି ମହାତ୍ମାମାନଙ୍କର ସେବା କରି ଆଜି ମୋର ଜନ୍ମ ସାର୍ଥକ ହୋଇଯାଇଛି | କାରଣ ମହାପୁରୁଷମାନଙ୍କ ସହିତ କେବଳ କଥାବାର୍ତ୍ତା କରିବା ଦ୍ବାରା ହିଁ ନୀଚ କୁଳରେ ଜାତ ହେବା ଜନିତ ମନୋବ୍ୟଥା ଅତି ଶୀଘ୍ର ଦୂର ହୋଇଯାଏ |

କୁତଃ ପୁନର୍ଗୃଣତୋ ନାମ ତସ୍ୟ

ମହତ୍ତମୈକାନ୍ତପରାୟଣସ୍ୟ ।

ଯୋଽନନ୍ତଶକ୍ତିର୍ଭଗବାନନନ୍ତୋ

ମହଦ୍ଗୁଣତ୍ୱାଦ୍ୟମନନ୍ତମାହୁଃ ॥ ୧୯॥

ସେପରି ସ୍ଥଳେ ଯେଉଁମାନେ ସତ୍-ପୁରୁଷମାନଙ୍କର ଏକମାତ୍ର ଆଶ୍ରୟ ଭଗବାନଙ୍କର ନାମ ଗ୍ରହଣ କରୁଥାଆନ୍ତି, ସେମାନଙ୍କ କଥା କଣ କହିବା | ଭଗବାନଙ୍କର ଶକ୍ତି ଅନନ୍ତ ଅଟେ, ସେ ସ୍ବୟଂ ମଧ୍ୟ ଅନନ୍ତ ଅଟନ୍ତି | ବାସ୍ତବରେ ତାଙ୍କ ଗୁଣାବଳୀର ଅନନ୍ତତା ଯୋଗୁଁ ହିଁ ତାଙ୍କୁ ଅନନ୍ତ କୁହାଯାଇ ଥାଏ |

ଏତାବତାଲଂ ନନୁ ସୂଚିତେନ

ଗୁଣୈରସାମ୍ୟାନତିଶାୟନସ୍ୟ ।

ହିତ୍ୱେତରାନ୍ ପ୍ରାର୍ଥୟତୋ ବିଭୂତି-

ର୍ୟସ୍ୟାଙ୍ଘ୍ରିରେଣୁଂ ଜୁଷତେଽନଭୀପ୍ସୋଃ ॥ ୨୦॥

ଭଗବାନଙ୍କ ଗୁଣର ସମାନତା ଯେଉଁଠି କେହି କରିପାରନ୍ତି ନାହିଁ, ସେଇଠି ଗୁଣରେ ତାଙ୍କଠାରୁ ଅଧିକ କିଏ ଅବା ହୋଇପାରିବ ? ତାଙ୍କ ଗୁଣର ବିଶେଷତ୍ବ ବୁଝିବା ପାଇଁ କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ ଲକ୍ଷ୍ମୀଦେବୀ, ତାଙ୍କୁ ପ୍ରାପ୍ତ କରିବାକୁ ପ୍ରାର୍ଥନା କରୁଥିବା ବ୍ରହ୍ମାଦି ଦେବତାଙ୍କୁ ଉପେକ୍ଷା କରି, ଭଗବାନଙ୍କର ଅନିଚ୍ଛା ସତ୍ତ୍ବେ ତାଙ୍କ ଚରଣ-ରଜର ସେବନ କରୁଥାଆନ୍ତି |

ଅଥାପି ଯତ୍ପାଦନଖାବସୃଷ୍ଟଂ

ଜଗଦ୍ୱିରିଞ୍ଚୋପହୃତାର୍ହଣାମ୍ଭଃ ।

ସେଶଂ ପୁନାତ୍ୟନ୍ୟତମୋ ମୁକୁନ୍ଦା-

ତ୍କୋ ନାମ ଲୋକେ ଭଗବତ୍ପଦାର୍ଥଃ ॥ ୨୧॥

ଭଗବାନଙ୍କର ଚରଣ ପ୍ରକ୍ଷାଳନ ନିମନ୍ତେ ବ୍ରହ୍ମା ଯେଉଁ ଜଳ ସମର୍ପିତ କରିଥିଲେ, ସେହି ଜଳ ଭଗବାନଙ୍କର ଚରଣ-ନଖରୁ ନିଃସୃତ ହୋଇ ଗଙ୍ଗା ରୂପେ ପ୍ରବାହିତ ହେଉଛି | ଏହି ଜଳ ମହାଦେବଙ୍କ ସମେତ ସମ୍ପୂର୍ଣ୍ଣ ଜଗତକୁ ପବିତ୍ର କରିବାରେ ଲାଗିଛି | ସେପରି ସ୍ଥିତିରେ ତ୍ରିଭୁବନରେ ଶ୍ରୀକୃଷ୍ଣଙ୍କ ଅତିରିକ୍ତ ‘ଭଗବାନ ଶବ୍ଦର ପ୍ରୟୋଗ ଅନ୍ୟ କାହା ଉଦ୍ଦେଶ୍ୟରେ ଅବା କରାଯିବ |

ଯତ୍ରାନୁରକ୍ତାଃ ସହସୈବ ଧୀରା

ବ୍ୟପୋହ୍ୟ ଦେହାଦିଷୁ ସଙ୍ଗମୂଢମ୍ ।

ବ୍ରଜନ୍ତି ତତ୍ପାରମହଂସ୍ୟମନ୍ତ୍ୟଂ

ଯସ୍ମିନ୍ନହିଂସୋପଶମଃ ସ୍ୱଧର୍ମଃ ॥ ୨୨॥

ତାଙ୍କର ପ୍ରେମ ପ୍ରାପ୍ତ କରି ଧୀର ପୁରୁଷ ବିନା ଦ୍ବିଧାରେ ଶରୀର-ଗୃହ ଆଦି ସବୁ ପ୍ରକାରର ଆସକ୍ତିକୁ ତ୍ୟାଗ କରିଦିଅନ୍ତି ଏବଂ ସେହି ଅନ୍ତିମ ପରମହଂସ ଅବସ୍ଥାକୁ ସ୍ବୀକାର କରିନିଅନ୍ତି, ଯେଉଁ ଅବସ୍ଥାରେ କାହାକୁ କଷ୍ଟ ନ ଦେବା ଏବଂ ସବୁ ଦିଗରୁ କ୍ଷାନ୍ତ ହୋଇଯିବା ହିଁ ସ୍ବଧର୍ମ ରୂପେ ପରିଗଣିତ ହୋଇଥାଏ |

ଅହଂ ହି ପୃଷ୍ଟୋଽର୍ୟମଣୋ ଭବଦ୍ଭି-

ରାଚକ୍ଷ ଆତ୍ମାବଗମୋଽତ୍ର ଯାବାନ୍ ।

ନଭଃ ପତନ୍ତ୍ୟାତ୍ମସମଂ ପତତ୍ତ୍ରିଣ-

ସ୍ତଥା ସମଂ ବିଷ୍ଣୁଗତିଂ ବିପଶ୍ଚିତଃ ॥ ୨୩॥

ହେ ସୂର୍ଯ୍ୟଙ୍କ ସଦୃଶ ଦୀପ୍ତିମାନ ମହାତ୍ମାଗଣ ! ଆପଣମାନେ ମୋତେ ଯାହା ପଚାରି ଥିଲେ, ମୋ ବୁଦ୍ଧି ଅନୁସାରେ ମୁଁ ତାହା ଆପଣମାନଙ୍କୁ ଶୁଣାଇଛି | ପକ୍ଷୀମାନେ ଯେପରି ନିଜ ନିଜର ଶକ୍ତି ଅନୁସାରେ ଆକାଶରେ ଉଡିଥାଆନ୍ତି, ସେହିପରି ବିଦ୍ବାନମାନେ ମଧ୍ୟ ନିଜ ବୁଦ୍ଧି ଅନୁସାରେ ଶ୍ରୀକୃଷ୍ଣଙ୍କ ଲୀଳାର ବର୍ଣ୍ଣନା କରିଥାଆନ୍ତି |

ଏକଦା ଧନୁରୁଦ୍ୟମ୍ୟ ବିଚରନ୍ ମୃଗୟାଂ ବନେ ।

ମୃଗାନନୁଗତଃ ଶ୍ରାନ୍ତଃ କ୍ଷୁଧିତସ୍ତୃଷିତୋ ଭୃଶମ୍ ॥ ୨୪॥

ଏକଦା ଧନୁ-ଶର ହାତରେ ଧରି ପରୀକ୍ଷିତ ଶିକାର କରିବା ପାଇଁ ବନକୁ ଯାଇଥିଲେ | ସେଠାରେ ହରିଣର ପଶ୍ଚାତଧାବନ କରି ସେ କ୍ଲାନ୍ତ ହୋଇଗଲେ ଏବଂ ତାଙ୍କୁ ପ୍ରବଳ କ୍ଷୁଧା ଏବଂ ତୃଷା ମଧ୍ୟ ଅନୁଭୂତ ହେଲା |

ଜଲାଶୟମଚକ୍ଷାଣଃ ପ୍ରବିବେଶ ତମାଶ୍ରମମ୍ ।

ଦଦର୍ଶ ମୁନିମାସୀନଂ ଶାନ୍ତଂ ମୀଲିତଲୋଚନମ୍ ॥ ୨୫॥

ଆଖ-ପାଖରେ ଯେତେବେଳେ କୌଣସି ଜଳାଶୟ ତାଙ୍କୁ ଦୃଷ୍ଟିଗୋଚର ହେଲାନାହିଁ, ସେ ନିକଟବର୍ତ୍ତୀ ଏକ ଋଷି-ଆଶ୍ରମରେ ପ୍ରବେଶ କଲେ | ସେ ଦେଖିଲେ ସେଠାରେ ଜଣେ ମୁନି ଆଖି ମୁଦି ଶାନ୍ତଭାବରେ ଆସନରେ ଉପବେଶନ କରିଛନ୍ତି |

ପ୍ରତିରୁଦ୍ଧେନ୍ଦ୍ରିୟପ୍ରାଣମନୋବୁଦ୍ଧିମୁପାରତମ୍ ।

ସ୍ଥାନତ୍ରୟାତ୍ପରଂ ପ୍ରାପ୍ତଂ ବ୍ରହ୍ମଭୂତମବିକ୍ରିୟମ୍ ॥ ୨୬॥

ଇନ୍ଦ୍ରିୟ, ପ୍ରାଣ, ମନ ଓ ବୁଦ୍ଧିକୁ ନିରୁଦ୍ଧ କରି ସେ ସାଂସାରିକ ଜଗତର ଉର୍ଦ୍ଧ୍ବକୁ ଉଠି ଯାଇଥିଲେ | ସେ ଜାଗ୍ରତ, ସ୍ବପ୍ନ, ସୁଷୁପ୍ତି – ଏହି ତିନୋଟି ଅବସ୍ଥାରୁ ରହିତ ହୋଇ ନିର୍ବିକାର ବ୍ରହ୍ମରୂପ ତୁରୀୟ ପଦରେ ସ୍ଥିତ ଥିଲେ |

ବିପ୍ରକୀର୍ଣଜଟାଚ୍ଛନ୍ନଂ ରୌରବେଣାଜିନେନ ଚ ।

ବିଶୁଷ୍ୟତ୍ତାଲୁରୁଦକଂ ତଥାଭୂତମୟାଚତ ॥ ୨୭॥

ତାଙ୍କର ଶରୀର ବିକ୍ଷିପ୍ତ ଜଟାଜୁଟ ଏବଂ କୃଷ୍ଣ ମୃଗଚର୍ମରେ ଆବୃତ ଥିଲା | ତାଙ୍କୁ ଏପରି ଅବସ୍ଥାରେ ଦେଖି ମଧ୍ୟ ରାଜା ପରୀକ୍ଷିତ ତାଙ୍କଠାରୁ ଜଳ ମାଗିଲେ, କାରଣ ଅତ୍ୟଧିକ ତୃଷାରେ ତାଙ୍କର ଗଳା ଶୁଷ୍କ ହୋଇ ଯାଉଥିଲା |

ଅଲବ୍ଧତୃଣଭୂମ୍ୟାଦିରସମ୍ପ୍ରାପ୍ତାର୍ଘ୍ୟସୂନୃତଃ ।

ଅବଜ୍ଞାତମିବାତ୍ମାନଂ ମନ୍ୟମାନଶ୍ଚୁକୋପ ହ ॥ ୨୮॥

ରାଜାଙ୍କୁ ଯେତେବେଳେ ସେଠାରେ ବସିବା ପାଇଁ ତୃଣାସନଟିଏ ମଧ୍ୟ ମିଳିଲା ନାହିଁ; ଅର୍ଘ୍ୟଏବଂ ଆଦରପୂର୍ଣ୍ଣ ସମ୍ଭାଷଣ କଥା ତେଣିକି ଥାଉ, କେହି ତାଙ୍କୁ ଭୂମି ଉପରେ ବସିବା ପାଇଁ ମଧ୍ୟ କହିଲେ ନାହିଁ, ନିଜକୁ ଅପମାନିତ ମନେ କରି ରାଜା କ୍ରୋଧର ବଶୀଭୂତ ହୋଇଗଲେ |

ଅଭୂତପୂର୍ୱଃ ସହସା କ୍ଷୁତ୍ତୃଟ୍ଭ୍ୟାମର୍ଦିତାତ୍ମନଃ ।

ବ୍ରାହ୍ମଣଂ ପ୍ରତ୍ୟଭୂଦ୍ବ୍ରହ୍ମନ୍ ମତ୍ସରୋ ମନ୍ୟୁରେବ ଚ ॥ ୨୯॥

ହେ ଶୌନକ ! ରାଜା ସେତେବେଳେ କ୍ଷୁଧା ଏବଂ ତୃଷାରେ ଆତୁର ଥିଲେ, ସେଥିପାଇଁ ବ୍ରାହ୍ମଣଙ୍କ ପ୍ରତି ତାଙ୍କ ମନରେ ଦ୍ବେଷ ଏବଂ କ୍ରୋଧ ଜାତ ହେଲା | ଏପରି ଘଟଣା ତାଙ୍କ ଜୀବନକାଳରେ ପ୍ରଥମ ଥର ଘଟିଥିଲା |

ସ ତୁ ବ୍ରହ୍ମଋଷେରଂସେ ଗତାସୁମୁରଗଂ ରୁଷା ।

ବିନିର୍ଗଚ୍ଛନ୍ ଧନୁଷ୍କୋଟ୍ୟା ନିଧାୟ ପୁରମାଗମତ୍ ॥ ୩୦॥

ସେଠାରୁ ଫେରିବା ବେଳେ ସେ କ୍ରୋଧାବେଶରେ ଗୋଟିଏ ମୃତ ସାପକୁ ନିଜ ଧନୁର ଅଗ୍ରଭାଗରେ ଉଠାଇ ଋଷିଙ୍କ ଗଳାରେ ପକାଇ ଦେଲେ ଏବଂ ନିଜ ରାଜଧାନୀକୁ ଫେରି ଆସିଲେ |

ଏଷ କିଂ ନିଭୃତାଶେଷକରଣୋ ମୀଲିତେକ୍ଷଣଃ ।

ମୃଷାସମାଧିରାହୋସ୍ୱିତ୍କିଂ ନୁ ସ୍ୟାତ୍କ୍ଷତ୍ରବନ୍ଧୁଭିଃ ॥ ୩୧॥

ତାଙ୍କ ମନରେ ଏହି ଭାବନା ଆସିଥିଲା ଯେ ଋଷିଜଣକ ନେତ୍ର ବନ୍ଦ କରି ଯେପରି ଭାବରେ ବସିଛନ୍ତି, ବାସ୍ତବରେ ସେ କଣ ନିଜର ସମସ୍ତ ଇନ୍ଦ୍ରିୟବୃତ୍ତିକୁ ନିରୋଧ କରି ନେଇଛନ୍ତି ଅଥବା ‘ଏହି ରାଜାମାନଙ୍କଠାରେ ମୋର କି ପ୍ରୟୋଜନ’, ଏହି ଭାବନାରେ ଆଖି ବନ୍ଦ କରି ସମାଧିର ବାହାନା କରୁଛନ୍ତି |

ତସ୍ୟ ପୁତ୍ରୋଽତିତେଜସ୍ୱୀ ବିହରନ୍ ବାଲକୋଽର୍ଭକୈଃ ।

ରାଜ୍ଞାଘଂ ପ୍ରାପିତଂ ତାତଂ ଶ୍ରୁତ୍ୱା ତତ୍ରେଦମବ୍ରବୀତ୍ ॥ ୩୨॥

ଶମୀକ ମୁନିଙ୍କର ପୁତ୍ର ଅତ୍ୟନ୍ତ ତେଜସ୍ବୀ ଥିଲେ | ନିକଟରେ ଅନ୍ୟ ଋଷିକୁମାରମାନଙ୍କ ସହିତ ସେ ଖେଳୁଥିଲେ | ସେ ଯେତେବେଳେ ଜାଣିବାକୁ ପାଇଲେ ଯେ ରାଜା ତାଙ୍କ ପିତାଙ୍କ ପ୍ରତି ଏପରି ଦୁର୍ବ୍ୟବହାର କରିଛନ୍ତି, ସେତେବେଳେ ସେ କହିଲେ -

ଅହୋ ଅଧର୍ମଃ ପାଲାନାଂ ପୀବ୍ନାଂ ବଲିଭୁଜାମିବ ।

ସ୍ୱାମିନ୍ୟଘଂ ଯଦ୍ଦାସାନାଂ ଦ୍ୱାରପାନାଂ ଶୁନାମିବ ॥ ୩୩॥

ନରପତି ବୋଲାଉଥିବା ଏହି ରାଜାମାନେ ଉଚ୍ଛିଷ୍ଟଭୋଜୀ କାକ ସଦୃଶ ଅଟନ୍ତି; ମଦୋନ୍ମତ୍ତ ହୋଇ ଏମାନେ କେତେ ଅନ୍ୟାୟ କରିବାରେ ଲାଗିଛନ୍ତି !! ବ୍ରାହ୍ମଣମାନଙ୍କର ଦାସ ହୋଇ ମଧ୍ୟ ଦ୍ବାରଦେଶରେ ପହରା ଦେଉଥିବା କୁକୁର ପରି ଏମାନେ ନିଜ ସ୍ବାମୀଙ୍କର ହିଁ ତିରସ୍କାର କରୁଛନ୍ତି |

ବ୍ରାହ୍ମଣୈଃ କ୍ଷତ୍ରବନ୍ଧୁର୍ହି ଗୃହପାଲୋ ନିରୂପିତଃ ।

ସ କଥଂ ତଦ୍ଗୃହେ ଦ୍ୱାଃସ୍ଥଃ ସଭାଣ୍ଡଂ ଭୋକ୍ତୁମର୍ହତି ॥ ୩୪॥

ବ୍ରାହ୍ମଣମାନେ କ୍ଷତ୍ରୀୟମାନଙ୍କୁ ନିଜର ଦ୍ବାରପାଳ ଭାବରେ ନିଯୁକ୍ତ କରିଛନ୍ତି | ଦ୍ବାରଦେଶରେ ରହି ସେମାନେ ନିଜ ସ୍ବାମୀଙ୍କୁ ରକ୍ଷା କରିବା ଉଚିତ୍, ଘର ଭିତରେ ପଶି ନିଜ ସ୍ବାମୀଙ୍କ ବାସନରେ ଖାଇବାର ଅଧିକାର ତାଙ୍କର ନାହିଁ |

କୃଷ୍ଣେ ଗତେ ଭଗବତି ଶାସ୍ତର୍ୟୁତ୍ପଥଗାମିନାମ୍ ।

ତଦ୍ଭିନ୍ନସେତୂନଦ୍ୟାହଂ ଶାସ୍ମି ପଶ୍ୟତ ମେ ବଲମ୍ ॥ ୩୫॥

ଭଗବାନ ଶ୍ରୀକୃଷ୍ଣ ପରମ ଧାମକୁ ଗମନ କରିବା ପରେ ବିପଥଗାମୀ ହୋଇଯାଇ ଥିବା ଏହି ମର୍ଯ୍ୟାଦା ଲଂଘନକାରୀ ଶାସକମାନଙ୍କୁ ଆଜି ମୁଁ ଦଣ୍ଡ ଦେବି | ମୋର ତପୋବଳକୁ ଦେଖ !

ଇତ୍ୟୁକ୍ତ୍ୱା ରୋଷତାମ୍ରାକ୍ଷୋ ବୟସ୍ୟାନ୍ ଋଷିବାଲକଃ ।

କୌଶିକ୍ୟାପ ଉପସ୍ପୃଶ୍ୟ ବାଗ୍ୱଜ୍ରଂ ବିସସର୍ଜ ହ ॥ ୩୬॥

ନିଜ ସାଥୀ ବାଳକଙ୍କୁ ଏପରି କହି, କ୍ରୋଧରେ ରକ୍ତବର୍ଣ୍ଣ ଧାରଣ କରିଥିବା ନେତ୍ରଯୁକ୍ତ ସେହି ଋଷିକୁମାର କୌଶିକୀ ନଦୀ-ଜଳରେ ଆଚମନ କରି ନିଜର ବାଣୀରୂପୀ ବଜ୍ର ପ୍ରୟୋଗ କଲେ |

ଇତି ଲଙ୍ଘିତମର୍ୟାଦଂ ତକ୍ଷକଃ ସପ୍ତମେଽହନି ।

ଦଙ୍କ୍ଷ୍ୟତି ସ୍ମ କୁଲାଙ୍ଗାରଂ ଚୋଦିତୋ ମେ ତତଦ୍ରୁହମ୍ ॥ ୩୭॥

କୁଳାଙ୍ଗାର ପରୀକ୍ଷିତ ମୋ ପିତାଙ୍କର ଅପମାନ କରି ମର୍ଯାଦା ଉଲ୍ଲଂଘନ କରିଛି, ସେଥିପାଇଁ ମୋ ପ୍ରେରଣାରେ ଆଜିଠାରୁ ସପ୍ତମ ଦିବସରେ ତାକୁ ତକ୍ଷକ ସର୍ପ ଦଂଶନ କରିବ |

ତତୋଽଭ୍ୟେତ୍ୟାଶ୍ରମଂ ବାଲୋ ଗଲେ ସର୍ପକଲେବରମ୍ ।

ପିତରଂ ବୀକ୍ଷ୍ୟ ଦୁଃଖାର୍ତୋ ମୁକ୍ତକଣ୍ଠୋ ରୁରୋଦ ହ ॥ ୩୮॥

ଏହାପରେ ସେହି ବାଳକ ନିଜ ଆଶ୍ରମକୁ ଆସିଲା ଏବଂ ପିତାଙ୍କ ଗଳାରେ ସାପକୁ ଦେଖି ଅତିଶୟ ଦୁଃଖରେ ଉଚ୍ଚ ସ୍ବରରେ କ୍ରନ୍ଦନ କରିବାରେ ଲାଗିଲା |

ସ ବା ଆଙ୍ଗିରସୋ ବ୍ରହ୍ମନ୍ ଶ୍ରୁତ୍ୱା ସୁତବିଲାପନମ୍ ।

ଉନ୍ମୀଲ୍ୟ ଶନକୈର୍ନେତ୍ରେ ଦୃଷ୍ଟ୍ୱା ସ୍ୱାଂସେ ମୃତୋରଗମ୍ ॥ ୩୯॥

ହେ ବିପ୍ରବର ଶୌନକ | ନିଜ ପୁତ୍ରର କ୍ରନ୍ଦନ-ଚିତ୍କାର ଶୁଣି ଶମୀକ ମୁନି ଧୀରେ ଧୀରେ ନିଜ ଆଖି ଖୋଲିଲେ ଏବଂ ଦେଖିବାକୁ ପାଇଲେ ଯେ ତାଙ୍କ ଗଳାରେ ଏକ ମୃତ ସର୍ପ ପଡିଛି |

ବିସୃଜ୍ୟ ତଂ ଚ ପପ୍ରଚ୍ଛ ବତ୍ସ କସ୍ମାଦ୍ଧି ରୋଦିଷି ।

କେନ ବା ତେ ପ୍ରତିକୃତମିତ୍ୟୁକ୍ତଃ ସ ନ୍ୟବେଦୟତ୍ ॥ ୪୦॥

ତାକୁ ଫିଙ୍ଗିଦେଇ ସେ ନିଜ ପୁତ୍ରକୁ ପଚାରିଲେ – ପୁତ୍ର ! ତୁମେ କାନ୍ଦୁଛ କାହିଁକି ? କିଏ ତୁମର ଅପକାର କଲା ? ପିତାଙ୍କର ପ୍ରଶ୍ନ ଶୁଣି ବାଳକଟି ତାଙ୍କୁ ସବୁ କଥା କହିଦେଲା |

ନିଶମ୍ୟ ଶପ୍ତମତଦର୍ହଂ ନରେନ୍ଦ୍ରଂ

ସ ବ୍ରାହ୍ମଣୋ ନାତ୍ମଜମଭ୍ୟନନ୍ଦତ୍ ।

ଅହୋ ବତାଂହୋ ମହଦଦ୍ୟ ତେ କୃତ-

ମଲ୍ପୀୟସି ଦ୍ରୋହ ଉରୁର୍ଦମୋ ଧୃତଃ ॥ ୪୧॥

ରାଜାଙ୍କୁ ଅଭିଶାପ ଦେଇଥିବା ଜାଣି ବ୍ରହ୍ମର୍ଷି ଶମୀକ ନିଜ ପୁତ୍ରର ପ୍ରଶଂସା କଲେ ନାହିଁ | ତାଙ୍କ ଦୃଷ୍ଟିରେ ପରୀକ୍ଷିତ ଅଭିଶାପର ଯୋଗ୍ୟ ନ ଥିଲେ | ସେ କହିଲେ – ହେ ମୂର୍ଖ ବାଳକ ! ତୁମେ ବହୁତ ବଡ ପାପ କରିଛ | ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ତାଙ୍କର ସାମାନ୍ୟ ଭୁଲ୍ ପାଇଁ ତୁମେ ତାଙ୍କୁ ଏତେ ବଡ ଦଣ୍ଡ ଦେଲ |

ନ ବୈ ନୃଭିର୍ନରଦେବଂ ପରାଖ୍ୟଂ

ସମ୍ମାତୁମର୍ହସ୍ୟବିପକ୍ୱବୁଦ୍ଧେ ।

ଯତ୍ତେଜସା ଦୁର୍ୱିଷହେଣ ଗୁପ୍ତା

ବିନ୍ଦନ୍ତି ଭଦ୍ରାଣ୍ୟକୁତୋଭୟାଃ ପ୍ରଜାଃ ॥ ୪୨॥

ତୁମର ବୁଦ୍ଧି ଏବେ ଅପରିପକ୍ବ ରହିଛି | ଭଗବତ୍-ସ୍ବରୂପ ରାଜାମାନଙ୍କୁ ତୁମେ ସାଧାରଣ ମନୁଷ୍ୟ ମନେକରିବା ଉଚିତ୍ ନୁହେଁ; କାରଣ ସେହି ରାଜାମାନଙ୍କର ଦୁର୍ବିସହ ତେଜରେ ସୁରକ୍ଷିତ ଏବଂ ନିର୍ଭୟ ରହି ପ୍ରଜାମାନେ ନିଜର କଲ୍ୟାଣ ସାଧନ କରିଥାଆନ୍ତି |

ଅଲକ୍ଷ୍ୟମାଣେ ନରଦେବନାମ୍ନି

ରଥାଙ୍ଗପାଣାବୟମଙ୍ଗ ଲୋକଃ ।

ତଦା ହି ଚୌରପ୍ରଚୁରୋ ବିନଙ୍କ୍ଷ୍ୟ-

ତ୍ୟରକ୍ଷ୍ୟମାଣୋଽବିବରୂଥବତ୍କ୍ଷଣାତ୍ ॥ ୪୩॥

ରାଜା ରୂପରେ ଭଗବାନ ଯଦି ପୃଥିବୀ ପୃଷ୍ଠରେ ଦୃଶ୍ୟ ନ ହେବେ, ତେବେ ସଂସାରରେ ଚୋରମାନଙ୍କର ଉପଦ୍ରବ ବୃଦ୍ଧି ଲାଭ କରିବ ଏବଂ ଅରକ୍ଷିତ ମେଷମାନଙ୍କ ପରି ସମସ୍ତେ କ୍ଷଣକରେ ନାଶ ହୋଇଯିବେ |

ତଦଦ୍ୟ ନଃ ପାପମୁପୈତ୍ୟନନ୍ୱୟଂ

ଯନ୍ନଷ୍ଟନାଥସ୍ୟ ବସୋର୍ୱିଲୁମ୍ପକାତ୍ ।

ପରସ୍ପରଂ ଘ୍ନନ୍ତି ଶପନ୍ତି ବୃଞ୍ଜତେ

ପଶୂନ୍ ସ୍ତ୍ରିୟୋଽର୍ଥାନ୍ ପୁରୁଦସ୍ୟବୋ ଜନାଃ ॥ ୪୪॥

ରାଜା ନଷ୍ଟ ହୋଇଗଲେ ଧନ ଆଦି ଚୋରୀ କରି ଚୋରମାନେ ଯେଉଁ ପାପ ଅର୍ଜନ କରିଥାଆନ୍ତି, ସେହି ଚୋରୀରେ ଆମେ ସମ୍ପୃକ୍ତ ନ ଥିଲେ ବି ପାପରେ ଆମେ ଭାଗୀଦାର ହେବା | ରାଜା ନ ରହିଲେ ଲୁଣ୍ଠନକାରୀଙ୍କର ସଂଖ୍ୟା ବଢିବ, ସେମାନେ ପଶୁ, ସ୍ତ୍ରୀ ଏବଂ ଧନ-ସମ୍ପତ୍ତି ଆଦି ଲୁଣ୍ଠନ କରିବେ; ଲୋକେ ପରସ୍ପର ମଧ୍ୟରେ ମାଡପିଟା ଏବଂ ଗାଳିଗୁଲ୍ଲଜ କରିବେ |

ତଦାଽଽର୍ୟଧର୍ମଶ୍ଚ ବିଲୀୟତେ ନୃଣାଂ

ବର୍ଣାଶ୍ରମାଚାରୟୁତସ୍ତ୍ରୟୀମୟଃ ।

ତତୋଽର୍ଥକାମାଭିନିବେଶିତାତ୍ମନାଂ

ଶୁନାଂ କପୀନାମିବ ବର୍ଣସଙ୍କରଃ ॥ ୪୫॥

ସେହି ସମୟରେ ମନୁଷ୍ୟର ବର୍ଣ୍ଣାଶ୍ରମ-ଆଚାରଯୁକ୍ତ ବୈଦିକ ଆର୍ଯ୍ୟଧର୍ମ ଲୋପ ପାଇଯାଏ, ଅର୍ଥ-ଲୋଭ ଏବଂ କାମ-ବାସନାରେ ବିବଶ ହୋଇ ଲୋକେ କୁକୁର ଏବଂ ମାଙ୍କଡମାନଙ୍କ ପରି ବର୍ଣ୍ଣସଙ୍କର ହୋଇଯାଆନ୍ତି |

ଧର୍ମପାଲୋ ନରପତିଃ ସ ତୁ ସମ୍ରାଟ୍ବୃହଚ୍ଛ୍ରବାଃ ।

ସାକ୍ଷାନ୍ମହାଭାଗବତୋ ରାଜର୍ଷିର୍ହୟମେଧୟାଟ୍ ।

କ୍ଷୁତ୍ତୃଟ୍ ଶ୍ରମୟୁତୋ ଦୀନୋ ନୈବାସ୍ମଚ୍ଛାପମର୍ହତି ॥ ୪୬॥

ସମ୍ରାଟ ପରୀକ୍ଷିତ ତ ଅତ୍ୟନ୍ତ ଯଶସ୍ବୀ ଏବଂ ଧର୍ମଧୁରନ୍ଧର ରାଜା ଅଟନ୍ତି | ସେ ଅନେକ ଅଶ୍ବମେଧ ଯଜ୍ଞର ଅନୁଷ୍ଠାନ କରିଛନ୍ତି; ସର୍ବୋପରି ସେ ଭଗବାନଙ୍କର ପରମ ପ୍ରିୟ ଭକ୍ତ ଅଟନ୍ତି | କ୍ଷୁଧା ଏବଂ ତୃଷାରେ ଆତୁର ହୋଇ ସେହି ରାଜର୍ଷି ଆମ ଆଶ୍ରମକୁ ଆସିଥିଲେ; ଅତଏବ ସେ କଦାପି ଅଭିଶାପର ଯୋଗ୍ୟ ନୁହଁନ୍ତି |

ଅପାପେଷୁ ସ୍ୱଭୃତ୍ୟେଷୁ ବାଲେନାପକ୍ୱବୁଦ୍ଧିନା ।

ପାପଂ କୃତଂ ତଦ୍ଭଗବାନ୍ ସର୍ୱାତ୍ମା କ୍ଷନ୍ତୁମର୍ହତି ॥ ୪୭॥

ଏହି ନିର୍ବୋଧ ବାଳକ ଆମର ନିଷ୍ପାପ ଏବଂ ସେବକ ରାଜାଙ୍କ ପ୍ରତି ଅପରାଧ କରିଛନ୍ତି, ସର୍ବାତ୍ମା ଭଗବାନ କୃପା କରି ତାଙ୍କୁ କ୍ଷମା କରନ୍ତୁ |

ତିରସ୍କୃତା ବିପ୍ରଲବ୍ଧାଃ ଶପ୍ତାଃ କ୍ଷିପ୍ତା ହତା ଅପି ।

ନାସ୍ୟ ତତ୍ପ୍ରତିକୁର୍ୱନ୍ତି ତଦ୍ଭକ୍ତାଃ ପ୍ରଭବୋଽପି ହି ॥ ୪୮॥

ଭଗବାନଙ୍କର ଭକ୍ତମାନଙ୍କଠାରେ ମଧ୍ୟ ପ୍ରତିଶୋଧ ନେବାର ଶକ୍ତି ରହିଛି | କିନ୍ତୁ ସେମାନେ ଅନ୍ୟ ଦ୍ବାରା କରାଯାଇ ଥିବା ଅପମାନ, ଧୋଖାବାଜୀ, ଗାଳିଗୁଲ୍ଲଜ, ଆକ୍ଷେପ, ମାଡପିଟା ଆଦିର କୌଣସି ପ୍ରତିଶୋଧ ନିଅନ୍ତି ନାହିଁ |

ଇତି ପୁତ୍ରକୃତାଘେନ ସୋଽନୁତପ୍ତୋ ମହାମୁନିଃ ।

ସ୍ୱୟଂ ବିପ୍ରକୃତୋ ରାଜ୍ଞା ନୈବାଘଂ ତଦଚିନ୍ତୟତ୍ ॥ ୪୯॥

ନିଜ ପୁତ୍ରର ଅପରାଧକୁ ନେଇ ଶମୀକ ମୁନି ଅତ୍ୟଧିକ ପଶ୍ଚାତାପ କରିଥିଲେ | ରାଜା ପରୀକ୍ଷିତ ତାଙ୍କର ଯେପରି ଭାବରେ ଅପମାନ କରିଥିଲେ, ତାହା ପ୍ରତି ସେ ଆଦୌ ଧ୍ୟାନ ଦେଇ ନ ଥିଲେ |

ପ୍ରାୟଶଃ ସାଧବୋ ଲୋକେ ପରୈର୍ଦ୍ୱନ୍ଦ୍ୱେଷୁ ଯୋଜିତାଃ ।

ନ ବ୍ୟଥନ୍ତି ନ ହୃଷ୍ୟନ୍ତି ଯତ ଆତ୍ମାଗୁଣାଶ୍ରୟଃ ॥ ୫୦॥

ମହାତ୍ମାମାନଙ୍କର ସ୍ବଭାବ ହିଁ ଏପରି ଅଟେ | ସଂସାରରେ ଅନ୍ୟମାନେ ସେମାନଙ୍କୁ ଯେଉଁ ସୁଖ-ଦୁଃଖର ଦ୍ବନ୍ଦ୍ବରେ ପକାଇ ଥାଆନ୍ତି, ତଦ୍ବାରା ସେମାନେ ପ୍ରାୟତଃ ହର୍ଷିତ ବା ବ୍ୟଥିତ ହୁଅନ୍ତି ନାହିଁ; କାରଣ ଆତ୍ମାର ସ୍ବରୂପ ତ ସର୍ବଥା ଗୁଣାତୀତ ଅଟେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପ୍ରଥମସ୍କନ୍ଧେ ବିପ୍ରଶାପୋପଲମ୍ଭନଂ ନାମାଷ୍ଟାଦଶୋଽଧ୍ୟାୟଃ ॥ ୧୮॥

 

Comments

Popular posts from this blog