ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ

ଦ୍ବିତୀୟ ସ୍କନ୍ଧ

    ଦ୍ବିତୀୟ ଅଧ୍ୟାୟ

   ଭଗବାନଙ୍କ ସ୍ଥୁଳ-ସୂକ୍ଷ୍ମ ରୂପର ଧାରଣା ତଥା କ୍ରମମୁକ୍ତି ଏବଂ ସଦ୍ଦ୍ୟୋମୁକ୍ତିର ବର୍ଣ୍ଣନା

 

ଶ୍ରୀଶୁକ ଉବାଚ

ଏବଂ ପୁରା ଧାରଣୟାଽଽତ୍ମୟୋନି-

ର୍ନଷ୍ଟାଂ ସ୍ମୃତିଂ ପ୍ରତ୍ୟବରୁଧ୍ୟ ତୁଷ୍ଟାତ୍ ।

ତଥା ସସର୍ଜେଦମମୋଘଦୃଷ୍ଟି-

ର୍ୟଥାପ୍ୟଯାତ୍ପ୍ରାଗ୍ୱ୍ୟବସାୟବୁଦ୍ଧିଃ ॥ ୧॥

ଶ୍ରୀ ଶୁକଦେବ କହୁଛନ୍ତି – ସୃଷ୍ଟିର ପ୍ରାରମ୍ଭରେ ଏହି ଧାରଣା ଦ୍ବାରା ପ୍ରସନ୍ନ କରାଇ ବ୍ରହ୍ମା ଭଗବାନଙ୍କଠାରୁ ସୃଷ୍ଟିବିଷୟକ ସ୍ମୃତି ପ୍ରାପ୍ତ କରିଥିଲେ, ଯାହା ପ୍ରଳୟକାଳରେ ବିଲୁପ୍ତ ହୋଇ ଯାଇଥିଲା | ତଦ୍ବାରା ତାଙ୍କର ଦୃଷ୍ଟି ଅମୋଘ ଏବଂ ବୁଦ୍ଧି ନିଶ୍ଚୟାତ୍ମିକା ହୋଇଗଲା ଏବଂ ସେ ଜଗତକୁ ପ୍ରଳୟ ପୂର୍ବରୁ ଯେପରି ଥିଲା, ଠିକ ସେହିପରି ଭାବରେ ରଚନା କଲେ |

ଶାବ୍ଦସ୍ୟ ହି ବ୍ରହ୍ମଣ ଏଷ ପନ୍ଥା

ଯନ୍ନାମଭିର୍ଧ୍ୟାୟତି ଧୀରପାର୍ଥୈଃ ।

ପରିଭ୍ରମଂସ୍ତତ୍ର ନ ବିନ୍ଦତେଽର୍ଥାନ୍

ମାୟାମୟେ ବାସନୟା ଶୟାନଃ ॥ ୨॥

ବେଦର ବର୍ଣ୍ଣନଶୈଳୀ ହିଁ ଏପରି ଅଟେ ଯେ ଲୋକମାନଙ୍କର ବୁଦ୍ଧି ସ୍ବର୍ଗ ଆଦି ନିରର୍ଥକ ପ୍ରାପ୍ତିର ଶୃଂଖଳରେ ଛନ୍ଦି ହୋଇଯାଏ | ଜୀବ ଅଳିକ ସୁଖବାସନାକୁ ନେଇ ଭ୍ରମିତ ହେବାରେ ଲାଗିଥାଏ | କିନ୍ତୁ ସେହି ମାୟାମୟ ଲୋକମାନଙ୍କରେ କେଉଁଠାରେ ବି ତାକୁ ବାସ୍ତବ ସୁଖର ପ୍ରାପ୍ତି ହୋଇ ନ ଥାଏ |

ଅତଃ କବିର୍ନାମସୁ ଯାବଦର୍ଥଃ

ସ୍ୟାଦପ୍ରମତ୍ତୋ ବ୍ୟବସାୟବୁଦ୍ଧିଃ ।

ସିଦ୍ଧେଽନ୍ୟଥାର୍ଥେ ନ ଯତେତ ତତ୍ର

ପରିଶ୍ରମଂ ତତ୍ର ସମୀକ୍ଷମାଣଃ ॥ ୩॥

ସେଥିପାଇଁ ବିଦ୍ବାନ୍ ପୁରୁଷ ସେହି ବିବିଧ ନାମଯୁକ୍ତ ପଦାର୍ଥର, କେବଳ ଯେତିକି ପ୍ରୟୋଜନ ସେତିକି ହିଁ ବ୍ୟବହାର କରିବା ଉଚିତ୍ | ନିଜର ବୁଦ୍ଧିକୁ ସେହି ସବୁ ବିଷୟର ଅସାରତା ସମ୍ପର୍କରେ ପରିପୂର୍ଣ୍ଣ ରଖିବା ଉଚିତ୍ ଏବଂ କ୍ଷଣକ ପାଇଁ ମଧ୍ୟ ସେହି ଦିଗରେ ଅସାବଧାନ ରହିବା ଉଚିତ୍ ନୁହେଁ |

ସତ୍ୟାଂ କ୍ଷିତୌ କିଂ କଶିପୋଃ ପ୍ରୟାସୈ-

ର୍ବାହୌ ସ୍ୱସିଦ୍ଧେ ହ୍ୟୁପବର୍ହଣୈଃ କିମ୍ ।

ସତ୍ୟଞ୍ଜଲୌ କିଂ ପୁରୁଧାନ୍ନପାତ୍ର୍ୟା

ଦିଗ୍ୱଲ୍କଲାଦୌ ସତି କିଂ ଦୁକୂଲୈଃ ॥ ୪॥

ଭୂଇଁରେ ଶୋଇବା ଦ୍ବାରା ଯଦି କାମ ଚଳିଯାଉଛି, ତେବେ ପଲଙ୍କର ପ୍ରୟୋଜନ କଣ ? ଭଗବାନଙ୍କ କୃପାରୁ ଯଦି ଆମକୁ ଦୁଇଟି ବାହୁ ମିଳିଛି, ତେବେ ତକିଆର ଆବଶ୍ୟକତା କଣ ? ଅଞ୍ଜଳିରେ ଯଦି କାମ ଚଳୁଛି, ତେବେ ଅନେକ ପାତ୍ର ସଂଗ୍ରହ କରିବା କାହିଁକି ? ବଲ୍କଳ ପରିଧାନ କରି ବା ବସ୍ତ୍ରହୀନ ରହି ଯଦି ଜୀବନ ଧାରଣ କରିହୁଏ, ତେବେ ବସ୍ତ୍ରର ଆବଶ୍ୟକତା କଣ ?

ଚୀରାଣି କିଂ ପଥି ନ ସନ୍ତି ଦିଶନ୍ତି ଭିକ୍ଷାଂ

ନୈବାଙ୍ଘ୍ରିପାଃ ପରଭୃତଃ ସରିତୋଽପ୍ୟଶୁଷ୍ୟନ୍ ।

ରୁଦ୍ଧା ଗୁହାଃ କିମଜିତୋଽବତି ନୋପସନ୍ନାନ୍

କସ୍ମାଦ୍ଭଜନ୍ତି କବୟୋ ଧନଦୁର୍ମଦାନ୍ଧାନ୍ ॥ ୫॥

ପରିଧାନ କରିବାକୁ ରାସ୍ତାରେ କଣ ଚିରା-ଫଟା ବସ୍ତ୍ର ମିଳୁନାହିଁ ? କ୍ଷୁଧା ନିବାରଣ ପାଇଁ ଅନ୍ୟମାନଙ୍କ ନିମନ୍ତେ ଶରୀର ଧାରଣ କରିଥିବା ବୃକ୍ଷ-ଲତା କଣ ଭିକ୍ଷା ରୂପେ ଫଳ-ପୁଷ୍ପ ପ୍ରଦାନ କରୁନାହାଁନ୍ତି ? ତୃଷା ନିବାରଣ କରିବାକୁ ନଦୀମାନେ କଣ ପୂରାପୁରି ଶୁଖି ଯାଇଛନ୍ତି ? ରହିବା ପାଇଁ ପାହାଡର ଗୁମ୍ଫାମାନଙ୍କୁ କଣ ବନ୍ଦ କରି ଦିଆଯାଇଛି ? ଆରେ ଭାଈ ! ଏସବୁ କିଛି ନ ଥାଉ, ଭଗବାନ କଣ ଆଉ ନିଜ ଶରଣାଗତର ରକ୍ଷା କରୁନାହାଁନ୍ତି ? ଏପରି ସ୍ଥିତିରେ ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ଧନ-ନିଶାରେ ଉନ୍ମତ୍ତ ଅହଂକାରୀ ଧନିକମାନଙ୍କର ଖୋସାମତି କାହିଁକି କରନ୍ତି ?

ଏବଂ ସ୍ୱଚିତ୍ତେ ସ୍ୱତ ଏବ ସିଦ୍ଧ

ଆତ୍ମା ପ୍ରିୟୋଽର୍ଥୋ ଭଗବାନନନ୍ତଃ ।

ତଂ ନିର୍ୱୃତୋ ନିୟତାର୍ଥୋ ଭଜେତ

ସଂସାରହେତୂପରମଶ୍ଚ ଯତ୍ର ॥ ୬॥

ଏହିପରି ଭାବରେ ବୈରାଗ୍ୟଯୁକ୍ତ ହୋଇଯିବା ପରେ ପ୍ରେମପୂର୍ବକ ଦୃଢନିଶ୍ଚୟ କରି ନିଜ ହୃଦୟରେ ନିତ୍ୟ ବିରାଜମାନ, ସ୍ବତଃସିଦ୍ଧ, ଆତ୍ମସ୍ବରୂପ, ପରମ ପ୍ରିୟତମ, ପରମ ସତ୍ୟ ସେହି ଅନନ୍ତ ଭଗବାନଙ୍କର ଭଜନ କରନ୍ତୁ; କାରଣ ତାଙ୍କର ଭଜନ କରିବା ଫଳରେ ଜନ୍ମ-ମୃତ୍ୟୁର ଚକ୍ରରେ ଘୂରାଉଥିବା ଅଜ୍ଞାନ ନଷ୍ଟ ହୋଇଯାଏ |

କସ୍ତାଂ ତ୍ୱନାଦୃତ୍ୟ ପରାନୁଚିନ୍ତା-

ମୃତେ ପଶୂନସତୀଂ ନାମ ଯୁଞ୍ଜ୍ୟାତ୍ ।

ପଶ୍ୟନ୍ ଜନଂ ପତିତଂ ବୈତରଣ୍ୟାଂ

ସ୍ୱକର୍ମଜାନ୍ ପରିତାପାଞ୍ଜୁଷାଣମ୍ ॥ ୭॥

ପଶୁମାନଙ୍କର କଥା ଭିନ୍ନ ଅଟେ; କିନ୍ତୁ ମନୁଷ୍ୟମାନଙ୍କ ମଧ୍ୟରେ ଏପରି କିଏ ଅଛି ଯିଏ ଲୋକଙ୍କୁ ଏହି ସଂସାର-ରୂପୀ ବୈତରଣୀରେ ପଡି ନିଜ କର୍ମଜନ୍ୟ ଦୁଃଖ ଭୋଗ କରୁଥିବା ଦେଖି ମଧ୍ୟ ଭଗବାନଙ୍କ ମଙ୍ଗଳମୟ ନାମର ଚିନ୍ତନ କରିବା ପରିବର୍ତ୍ତେ ଚିତ୍ତକୁ ଅସତ୍ ବିଷୟଭୋଗରେ ଭ୍ରମିତ ହେବାକୁ ଦେବ ?

କେଚିତ୍ସ୍ୱଦେହାନ୍ତର୍ହୃଦୟାବକାଶେ

ପ୍ରାଦେଶମାତ୍ରଂ ପୁରୁଷଂ ବସନ୍ତମ୍ ।

ଚତୁର୍ଭୁଜଂ କଞ୍ଜରଥାଙ୍ଗଶଙ୍ଖ-

ଗଦାଧରଂ ଧାରଣୟା ସ୍ମରନ୍ତି ॥ ୮॥

କେହି କେହି ସାଧକ ନିଜ ଶରୀରସ୍ଥ ହୃଦୟାକାଶରେ ବିରାଜମାନ ଭଗବାନଙ୍କର ପ୍ରାଦେଶମାତ୍ର ସ୍ବରୂପର ଧାରଣା କରନ୍ତି | ସେମାନେ ଭଗବାନଙ୍କର ଶଂଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥିବା ଚତୁର୍ଭୁଜ ରୂପର ଧ୍ୟାନ କରନ୍ତି |

ପ୍ରସନ୍ନବକ୍ତ୍ରଂ ନଲିନାୟତେକ୍ଷଣଂ

କଦମ୍ବକିଞ୍ଜଲ୍କପିଶଙ୍ଗବାସସମ୍ ।

ଲସନ୍ମହାରତ୍ନହିରଣ୍ମୟାଙ୍ଗଦଂ

ସ୍ଫୁରନ୍ମହାରତ୍ନକିରୀଟକୁଣ୍ଡଲମ୍ ॥ ୯॥

ତାଙ୍କର ମୁଖମଣ୍ଡଳ ପ୍ରସନ୍ନତାରେ ଉଜ୍ଜ୍ବଳ ଦେଖାଯାଉଛି | କମଳ ସଦୃଶ ବିଶାଳ ଏବଂ କୋମଳ ନେତ୍ର | ସେ କଦମ୍ବ ପୁଷ୍ପର କେଶର ରଙ୍ଗର ପୀତବସ୍ତ୍ର ଧାରଣ କରିଛନ୍ତି | ତାଙ୍କ ଭୁଜରେ ଶ୍ରେଷ୍ଠ ରତ୍ନଜଟିତ ସୁବର୍ଣ୍ଣ ବାଜୁବନ୍ଧ ଶୋଭାୟମାନ | ମସ୍ତକରେ ଶୋଭିତ ସୁନ୍ଦର ମୁକୁଟ ଏବଂ କର୍ଣ୍ଣରେ ଧାରଣ କରିଥିବା କୁଣ୍ଡଳ ବହୁମୂଲ୍ୟ ରତ୍ନଖଚିତ ହୋଇ ଝଲସି ଉଠୁଛି |

ଉନ୍ନିଦ୍ରହୃତ୍ପଙ୍କଜକର୍ଣିକାଲୟେ

ଯୋଗେଶ୍ୱରାସ୍ଥାପିତପାଦପଲ୍ଲବମ୍ ।

ଶ୍ରୀଲକ୍ଷ୍ମଣଂ କୌସ୍ତୁଭରତ୍ନକନ୍ଧର-

ମମ୍ଲାନଲକ୍ଷ୍ମ୍ୟା ବନମାଲୟାଽଽଚିତମ୍ ॥ ୧୦॥

ତାଙ୍କର ଚରଣ-କମଳ ଯୋଗେଶ୍ବରମାନଙ୍କର ପ୍ରଷ୍ଫୁଟିତ ହୃଦୟକମଳର କଣିକା ଉପରେ ବିରାଜିତ | ତାଙ୍କର ବକ୍ଷସ୍ଥଳରେ ଶ୍ରୀବତ୍ସ ଚିହ୍ନ ରୂପେ ଏକ ସୁନେଲି ରେଖା ଅଙ୍କିତ, ଗଳାରେ କୌସ୍ତୁଭମଣି ଝୁଲି ରହିଛି ଏବଂ ବକ୍ଷଦେଶରେ ସେ ଅମଳୀନ ବନମାଳ ଧାରଣ କରିଛନ୍ତି |

ବିଭୂଷିତଂ ମେଖଲୟାଙ୍ଗୁଲୀୟକୈ-

ର୍ମହାଧନୈର୍ନୂପୁରକଙ୍କଣାଦିଭିଃ ।

ସ୍ନିଗ୍ଧାମଲାକୁଞ୍ଚିତନୀଲକୁନ୍ତଲୈ-

ର୍ୱିରୋଚମାନାନନହାସପେଶଲମ୍ ॥ ୧୧॥

ସେ କଟିଦେଶରେ କମରବନ୍ଧ, ଅଙ୍ଗୁଳିରେ ବହୁମୂଲ୍ୟ ଅଙ୍ଗୁଷ୍ଠି, ଚରଣରେ ନୂପୁର ଏବଂ ହସ୍ତରେ କଙ୍କଣ ଆଦି ଆଭୂଷଣ ଧାରଣ କରିଛନ୍ତି | ତାଙ୍କ କେଶର ଅଳକ ଅତିଶୟ ଘନ, କୁଞ୍ଚିତ, ନିର୍ମଳ ନୀଳ ବର୍ଣ୍ଣର ଅଟେ | ମୃଦୁ ମନ୍ଦ ହାସ୍ୟରେ ତାଙ୍କର ମୁଖ-କମଳ ପ୍ରଫୁଲ୍ଲିତ |

ଅଦୀନଲୀଲାହସିତେକ୍ଷଣୋଲ୍ଲସ-

ଦ୍ଭ୍ରୂଭଙ୍ଗସଂସୂଚିତଭୂର୍ୟନୁଗ୍ରହମ୍ ।

ଈକ୍ଷେତ ଚିନ୍ତାମୟମେନମୀଶ୍ୱରଂ

ଯାବନ୍ମନୋ ଧାରଣୟାବତିଷ୍ଠତେ ॥ ୧୨॥

ଲୀଳାପୂର୍ଣ୍ଣ ଉନ୍ମୁକ୍ତ ହାସ୍ୟ ଏବଂ କଟାକ୍ଷରେ ଶୋଭାୟମାନ ତାଙ୍କର ଭୃକୁଟି ଦ୍ବାରା ସେ ଭକ୍ତଜନଙ୍କ ଉପରେ ଅନନ୍ତ ଅନୁଗ୍ରହ ବର୍ଷା କରୁଛନ୍ତି | ମନ ଏହି ଧାରଣାରେ ସ୍ଥିର ନ ହେବା ଯାଏଁ ବାରମ୍ବାର ଚିନ୍ତନରେ ଭଗବାନଙ୍କର ଏହି ସ୍ଵରୂପକୁ ଦେଖିବାର ଚେଷ୍ଟା କରିବା ଉଚିତ୍ |

ଏକୈକଶୋଽଙ୍ଗାନି ଧିୟାନୁଭାବୟେତ୍-

ପାଦାଦି ଯାବଦ୍ଧସିତଂ ଗଦାଭୃତଃ ।

ଜିତଂ ଜିତଂ ସ୍ଥାନମପୋହ୍ୟ ଧାରୟେତ୍

ପରଂ ପରଂ ଶୁଦ୍ଧ୍ୟତି ଧୀର୍ୟଥା ଯଥା ॥ ୧୩॥

ଭଗବାନଙ୍କର ଚରଣ-କମଳରୁ ଆରମ୍ଭ କରି ତାଙ୍କର ମୃଦୁମନ୍ଦ-ହାସ୍ୟଯୁକ୍ତ ମୁଖ-କମଳ ପର୍ଯ୍ୟନ୍ତ ଗୋଟି-ଗୋଟି କରି ସମସ୍ତ ଅଙ୍ଗର ଧାରଣା ବୁଦ୍ଧି ଦ୍ବାରା କରାଯିବା ଉଚିତ୍ | ତଦ୍ବାରା ବୁଦ୍ଧି ଶୁଦ୍ଧ ହେବାରେ ଲାଗିବ ଏବଂ ତଦନୁଯାୟୀ ଚିତ୍ତ ମଧ୍ୟ କ୍ରମଶଃ ସ୍ଥିର ହେବାରେ ଲାଗିବ | ଗୋଟିଏ ଅଙ୍ଗର ଧ୍ୟାନ ପରିପୂର୍ଣ୍ଣ ହୋଇଯିବା ପରେ ଅନ୍ୟ ଅଙ୍ଗର ଧ୍ୟାନ କରିବା ଉଚିତ୍ |

ଯାବନ୍ନ ଜାୟେତ ପରାବରେଽସ୍ମିନ୍

ବିଶ୍ୱେଶ୍ୱରେ ଦ୍ରଷ୍ଟରି ଭକ୍ତିୟୋଗଃ ।

ତାବତ୍ସ୍ଥବୀୟଃ ପୁରୁଷସ୍ୟ ରୂପଂ

କ୍ରିୟାବସାନେ ପ୍ରୟତଃ ସ୍ମରେତ ॥ ୧୪॥

ବିଶ୍ବେଶ୍ବର ଭଗବାନ ଦୃଶ୍ୟ ନୁହଁନ୍ତି, ଦ୍ରଷ୍ଟା ଅଟନ୍ତି | ସଗୁଣ ଓ ନିର୍ଗୁଣ ଉଭୟ ତାଙ୍କର ହିଁ ସ୍ବରୂପ ଅଟେ | ତାଙ୍କ ପ୍ରତି ଅନନ୍ୟ ପ୍ରେମମୟ ଭକ୍ତିଯୋଗ ସ୍ଥାପିତ ନ ହେବା ଯାଏଁ, ସାଧକ ନିତ୍ୟ ନିୟମିତ ଭାବରେ ନିଜର କର୍ମ ସମ୍ପାଦନ କରିବା ପରେ ଏକାଗ୍ରତା ପୂର୍ବକ ଭଗବାନଙ୍କର ଏହି ସ୍ଥୁଳ ରୂପର ଚିନ୍ତନ କରିବା ଆବଶ୍ୟକ |

ସ୍ଥିରଂ ସୁଖଂ ଚାସନମାସ୍ଥିତୋ ଯତି-

ର୍ୟଦା ଜିହାସୁରିମମଙ୍ଗ ଲୋକମ୍ ।

କାଲେ ଚ ଦେଶେ ଚ ମନୋ ନ ସଜ୍ଜୟେତ୍

ପ୍ରାଣାନ୍ ନିୟଚ୍ଛେନ୍ମନସା ଜିତାସୁଃ ॥ ୧୫॥

ହେ ପରୀକ୍ଷିତ ! ଯୋଗୀ ପୁରୁଷ ଯେତେବେଳେ ଏହି ମନୁଷ୍ୟ-ଲୋକକୁ ତ୍ୟାଗ କରିବାକୁ ଇଚ୍ଛା କରିବେ, ସେତେବେଳେ ସେମାନେ ନିଜର ମନକୁ ଦେଶ ଓ କାଳରେ ସଂଯୁକ୍ତ ରଖିବା ଅନୁଚିତ୍ | ସୁଖପୂର୍ବକ ସ୍ଥିର ଆସନରେ ଉପବେଶନ କରି ସେମାନେ ପ୍ରାଣକୁ ଜୟ କରିବା ସହିତ ମନ ଦ୍ବାରା ଇନ୍ଦ୍ରିୟମାନଙ୍କୁ ସଂଯମିତ କରିବା ଆବଶ୍ୟକ |

ମନଃ ସ୍ୱବୁଧ୍ୟାମଲୟା ନିୟମ୍ୟ

କ୍ଷେତ୍ରଜ୍ଞ ଏତାଂ ନିନୟେତ୍ତମାତ୍ମନି ।

ଆତ୍ମାନମାତ୍ମନ୍ୟବରୁଧ୍ୟ ଧୀରୋ

ଲବ୍ଧୋପଶାନ୍ତିର୍ୱିରମେତ କୃତ୍ୟାତ୍ ॥ ୧୬॥

ତଦନନ୍ତର ନିଜ ନିର୍ମଳ ବୁଦ୍ଧି ଦ୍ବାରା ମନକୁ ନିୟନ୍ତ୍ରିତ କରି ମନ ସହିତ ବୁଦ୍ଧିକୁ କ୍ଷେତ୍ରଜ୍ଞଙ୍କଠାରେ, ଏବଂ କ୍ଷେତ୍ରଜ୍ଞଙ୍କୁ ଅନ୍ତରାତ୍ମାରେ ଲୀନ କରିଦେବେ | ତତ୍ପଶ୍ଚାତ୍ ଅନ୍ତରାତ୍ମାକୁ ପରମାତ୍ମାଙ୍କଠାରେ ଲୀନ କରି ଧୀର ପୁରୁଷ ସେହି ପରମ ଶାନ୍ତିମୟ ଅବସ୍ଥାରେ ସ୍ଥିତ ହୋଇଯିବେ | ତାପରେ ତାଙ୍କ ପାଇଁ କୌଣସି କର୍ତ୍ତବ୍ୟ ବାକି ରହିବ ନାହିଁ |

ନ ଯତ୍ର କାଲୋଽନିମିଷାଂ ପରଃ ପ୍ରଭୁଃ

କୁତୋ ନୁ ଦେବା ଜଗତାଂ ଯ ଈଶିରେ ।

ନ ଯତ୍ର ସତ୍ତ୍ୱଂ ନ ରଜସ୍ତମଶ୍ଚ

ନ ବୈ ବିକାରୋ ନ ମହାନ୍ ପ୍ରଧାନମ୍ ॥ ୧୭॥

ଏହି ଅବସ୍ଥାରେ ସତ୍ତ୍ବଗୁଣ ମଧ୍ୟ ନ ଥାଏ; ତେଣୁ ରଜୋଗୁଣ ଏବଂ ତମୋଗୁଣ କଥା କଣ କହିବା | ଅହଂକାର, ମହତ୍ତତ୍ତ୍ବ ଏବଂ ପ୍ରକୃତିର ମଧ୍ୟ ସେଠାରେ ଅସ୍ତିତ୍ବ ନ ଥାଏ | ସେହି ସ୍ଥିତିରେ ଯେହେତୁ ଦେବତାମାନଙ୍କର ନିୟାମକ କାଳର ମଧ୍ୟ ପ୍ରବେଶ ନ ଥାଏ, ସେଠାରେ ଦେବତା ଏବଂ ସେମାନଙ୍କର ଅଧୀନସ୍ଥ ପ୍ରାଣୀମାନେ କିପରି ରହିବେ ?

ପରଂ ପଦଂ ବୈଷ୍ଣବମାମନନ୍ତି ତଦ୍-

ଯନ୍ନେତି ନେତୀତ୍ୟତଦୁତ୍ସିସୃକ୍ଷବଃ ।

ବିସୃଜ୍ୟ ଦୌରାତ୍ମ୍ୟମନନ୍ୟସୌହୃଦା

ହୃଦୋପଗୁହ୍ୟାର୍ହପଦଂ ପଦେ ପଦେ ॥ ୧୮॥

ଯୋଗୀମାନେ ‘ଏହା ନୁହେଁ, ଏହା ନୁହେଁ କହି ପରମାତ୍ମାଙ୍କଠାରୁ ଭିନ୍ନ ପଦାର୍ଥକୁ ତ୍ୟାଗ କରିବାକୁ ଇଚ୍ଛା କରିଥାଆନ୍ତି ଏବଂ ଶରୀର ତଥା ଶରୀର-ସମ୍ବନ୍ଧିତ ପଦାର୍ଥ ପ୍ରତି ଆତ୍ମବୁଦ୍ଧି ତ୍ୟାଗ କରି ହୃଦୟରେ ନିରନ୍ତର ଭଗବାନଙ୍କର ଯେଉଁ ପରମ ପୂଜ୍ୟ ସ୍ବରୂପର ଆଲିଙ୍ଗନ କରି ଅନନ୍ୟ ପ୍ରେମରେ ପରିପୂର୍ଣ୍ଣ ରହିଥାଆନ୍ତି, ତାହା ହିଁ ଭଗବାନ ବିଷ୍ଣୁଙ୍କର ପରମ ପଦ ଅଟେ | ଏହି ବିଷୟରେ ସମସ୍ତ ଶାସ୍ତ୍ର ସମ୍ମତ ଅଟନ୍ତି |

ଇତ୍ଥଂ ମୁନିସ୍ତୂପରମେଦ୍ୱ୍ୟବସ୍ଥିତୋ

ବିଜ୍ଞାନଦୃଗ୍ୱୀର୍ୟସୁରନ୍ଧିତାଶୟଃ ।

ସ୍ୱପାର୍ଷ୍ଣିନାଽଽପୀଡ୍ୟ ଗୁଦଂ ତତୋଽନିଲଂ

ସ୍ଥାନେଷୁ ଷଟ୍ସୂନ୍ନମୟେଜ୍ଜିତକ୍ଲମଃ ॥ ୧୯॥

ଜ୍ଞାନଦୃଷ୍ଟି ବଳରେ ଯାହାର ଚିତ୍ତର ବାସନା ନଷ୍ଟ ହୋଇଯାଇଛି, ସେହି ବ୍ରହ୍ମନିଷ୍ଠ ଯୋଗୀ ଏହିପରି ଭାବରେ ନିଜ ଶରୀର ତ୍ୟାଗ କରିବା ଉଚିତ୍ | ପ୍ରଥମେ ଗୋଇଠିରେ ନିଜ ନିତମ୍ବକୁ ଦବାଇ ସ୍ଥିର ରହିବେ ଏବଂ ତାପରେ ବିଚଳିତ ନ ହୋଇ ପ୍ରାଣବାୟୁକୁ ଷଡଚକ୍ରଭେଦନ ରୀତିରେ କ୍ରମଶଃ ଉର୍ଦ୍ଧ୍ବକୁ ଉତ୍ତୋଳିତ କରିବେ |

ନାଭ୍ୟାଂ ସ୍ଥିତଂ ହୃଦ୍ୟଧିରୋପ୍ୟତସ୍ମା-

ଦୁଦାନଗତ୍ୟୋରସି ତଂ ନୟେନ୍ମୁନିଃ ।

ତତୋଽନୁସନ୍ଧାୟ ଧିୟା ମନସ୍ୱୀ

ସ୍ୱତାଲୁମୂଲଂ ଶନକୈର୍ନୟେତ ॥ ୨୦॥

ମନସ୍ବୀ ଯୋଗୀମାନେ ନାଭିଚକ୍ର ମଣିପୂରକରେ ସ୍ଥିତ ବାୟୁକୁ ହୃଦୟଚକ୍ର ଅନାହତରେ, ସେଠାରୁ ଉଦାନବାୟୁ ଦ୍ବାରା ବକ୍ଷ-ସ୍ଥଳ ଉପରେ ସ୍ଥିତ ବିଶୁଦ୍ଧ ଚକ୍ରରେ, ତାପରେ ସେହି ବାୟୁକୁ ଧୀରେ ଧୀରେ ତାଳୁମୂଳରେ (ବିଶୁଦ୍ଧ ଚକ୍ରର ଅଗ୍ରଭାଗ) ଚଢ଼ାଇବା ଆବଶ୍ୟକ |

ତସ୍ମାଦ୍ଭ୍ରୁବୋରନ୍ତରମୁନ୍ନୟେତ

ନିରୁଦ୍ଧସପ୍ତାୟତନୋଽନପେକ୍ଷଃ ।

ସ୍ଥିତ୍ୱା ମୁହୂର୍ତାର୍ଧମକୁଣ୍ଠଦୃଷ୍ଟି-

ର୍ନିର୍ଭିଦ୍ୟ ମୂର୍ଧନ୍ ବିସୃଜେତ୍ପରଂ ଗତଃ ॥ ୨୧॥

ତଦନନ୍ତର ଦୁଇ ଆଖି, ଦୁଇ କାନ, ଦୁଇ ନାସାରନ୍ଧ୍ର, ଏବଂ ମୁଖ – ଏହି ସାତଟି ଛିଦ୍ରକୁ ଅବରୁଦ୍ଧ କରି ତାଳୁମୂଳରେ ସ୍ଥିତ ବାୟୁକୁ ଦୁଇ ଭ୍ରୁଲତା ମଧ୍ୟସ୍ଥ ଆଜ୍ଞାଚକ୍ରକୁ ନେଇଯିବେ | ଯଦି କୌଣସି ଲୋକକୁ ଯିବାର ଇଚ୍ଛା ନ ଥାଏ, ତେବେ ଅର୍ଦ୍ଧଘଡି ବାୟୁକୁ ସେହିଠାରେ ରୋକି ସ୍ଥିର ଲକ୍ଷ୍ୟ ସହିତ ତାକୁ ସହସ୍ରାରକୁ ନେଇ ପରମାତ୍ମାଙ୍କ ଠାରେ ସ୍ଥିତ ହୋଇଯିବେ | ତତ୍ପଶ୍ଚାତ୍ ବ୍ରହ୍ମରନ୍ଧ୍ରକୁ ଭେଦ କରି ଶରୀର-ଇନ୍ଦ୍ରିୟାଦି ତ୍ୟାଗ କରିବେ |

ଯଦି ପ୍ରୟାସ୍ୟନ୍ ନୃପ ପାରମେଷ୍ଠ୍ୟଂ

ବୈହାୟସାନାମୁତ ଯଦ୍ୱିହାରମ୍ ।

ଅଷ୍ଟାଧିପତ୍ୟଂ ଗୁଣସନ୍ନିବାୟେ

ସହୈବ ଗଚ୍ଛେନ୍ମନସେନ୍ଦ୍ରିୟୈଶ୍ଚ ॥ ୨୨॥

ହେ ପରୀକ୍ଷିତ ! କୌଣସି ଯୋଗୀଙ୍କର ଯଦି ଏପରି ଇଚ୍ଛା ରହିଥାଏ ଯେ ସେ ବ୍ରହ୍ମଲୋକକୁ ଯିବେ, ଅଷ୍ଟସିଦ୍ଧି ପ୍ରାପ୍ତ କରି ଆକାଶଚାରୀ ସିଦ୍ଧି ସହିତ ବିହାର କରିବେ, ଅଥବା ତ୍ରିଗୁଣମୟ ବ୍ରହ୍ମାଣ୍ଡ ଅନ୍ତର୍ଗତ ଯେ କୌଣସି ପ୍ରଦେଶରେ ବିଚରଣ କରିବେ, ତେବେ ସେ ମନ ଏବଂ ଇନ୍ଦ୍ରିୟଙ୍କୁ ସଙ୍ଗରେ ନେଇ ଶରୀର ତ୍ୟାଗ କରିବା ଆବଶ୍ୟକ |

ଯୋଗେଶ୍ୱରାଣାଂ ଗତିମାହୁରନ୍ତ-

ର୍ବହିସ୍ତ୍ରିଲୋକ୍ୟାଃ ପବନାନ୍ତରାତ୍ମନାମ୍ ।

ନ କର୍ମଭିସ୍ତାଂ ଗତିମାପ୍ନୁବନ୍ତି

ବିଦ୍ୟାତପୋୟୋଗସମାଧିଭାଜାମ୍ ॥ ୨୩॥

ଯୋଗୀମାନଙ୍କର ଶରୀର ବାୟୁ ପରି ସୂକ୍ଷ୍ମ ହୋଇଥାଏ | ଉପାସନା, ତପସ୍ୟା, ଯୋଗ ଏବଂ ଜ୍ଞାନର ସେବନ କରୁଥିବା ଯୋଗୀମାନଙ୍କୁ ତ୍ରିଲୋକର ବାହାରେ-ଭିତରେ ସର୍ବତ୍ର ସ୍ବଚ୍ଛନ୍ଦ ବିଚରଣ କରିବାର ଅଧିକାର ପ୍ରାପ୍ତ ଅଟେ | ଏହିପରି ସ୍ବଚ୍ଛନ୍ଦ ବିଚରଣ କେବଳ କର୍ମ-ଧର୍ମ ପାଳନ କରିବା ଦ୍ବାରା ସମ୍ଭବ ହୋଇ ନ ଥାଏ |

ବୈଶ୍ୱାନରଂ ଯାତି ବିହାୟସା ଗତଃ

ସୁଷୁମ୍ଣୟା ବ୍ରହ୍ମପଥେନ ଶୋଚିଷା ।

ବିଧୂତକଲ୍କୋଽଥ ହରେରୁଦସ୍ତାତ୍

ପ୍ରୟାତି ଚକ୍ରଂ ନୃପ ଶୈଶୁମାରମ୍ ॥ ୨୪॥

ହେ ପରୀକ୍ଷିତ ! ଯୋଗୀମାନେ ଯେତେବେଳେ ଜ୍ୟୋତିର୍ମୟ ମାର୍ଗ ସୁଷୁମ୍ଣା ଦ୍ବାରା ବ୍ରହ୍ମଲୋକ ଅଭିମୁଖରେ ପ୍ରସ୍ଥାନ କରିଥାଆନ୍ତି, ସେତେବେଳେ ସର୍ବପ୍ରଥମେ ଆକାଶମାର୍ଗରେ ସେମାନେ ଅଗ୍ନିଲୋକକୁ ଯାଆନ୍ତି | ସେଠାରେ ସେମାନଙ୍କର ଅବଶିଷ୍ଟ ମଳୀନତା ଜଳି ଭସ୍ମ ହୋଇଯାଏ | ତାପରେ ସେଠାରୁ ଉର୍ଦ୍ଧ୍ବ ସେମାନେ ଭଗବାନ ଶ୍ରୀହରିଙ୍କର ଶିଶୁମାର ନାମକ ଜ୍ୟୋତିର୍ମୟ ଚକ୍ରରେ ପହଞ୍ଚନ୍ତି |

ତଦ୍ୱିଶ୍ୱନାଭିଂ ତ୍ୱତିବର୍ତ୍ୟ ବିଷ୍ଣୋ-

ରଣୀୟସା ବିରଜେନାତ୍ମନୈକଃ ।

ନମସ୍କୃତଂ ବ୍ରହ୍ମବିଦାମୁପୈତି

କଲ୍ପାୟୁଷୋ ଯଦ୍ୱିବୁଧା ରମନ୍ତେ ॥ ୨୫॥

ଭଗବାନ ବିଷ୍ଣୁଙ୍କର ଏହି ଶିଶୁମାର ଚକ୍ର ବିଶ୍ବବ୍ରହ୍ମାଣ୍ଡ ଭ୍ରମଣର କେନ୍ଦ୍ର ଅଟେ | ତାହା ଅତିକ୍ରମଣ କରି ଅତ୍ୟନ୍ତ ସୂକ୍ଷ୍ମ ଏବଂ ନିର୍ମଳ ଶରୀରରେ ଯୋଗୀ ଏକାକୀ ମହଲୋକକୁ ଯାଆନ୍ତି | ସେହି ଲୋକ ବ୍ରହ୍ମବେତ୍ତାଙ୍କ ଦ୍ବାରା ମଧ୍ୟ ବନ୍ଦିତ ଅଟେ ଏବଂ ସେଠାରେ ଏକ କଳ୍ପଯାଏଁ ଜୀବିତ ରହୁଥିବା ଦେବତାମାନେ ବିହାର କରୁଥାଆନ୍ତି |

ଅଥୋ ଅନନ୍ତସ୍ୟ ମୁଖାନଲେନ

ଦନ୍ଦହ୍ୟମାନଂ ସ ନିରୀକ୍ଷ୍ୟ ବିଶ୍ୱମ୍ ।

ନିର୍ୟାତି ସିଦ୍ଧେଶ୍ୱରୟୁଷ୍ଟଧିଷ୍ଣ୍ୟଂ

ଯଦ୍ଦ୍ୱୈପରାର୍ଧ୍ୟଂ ତଦୁ ପାରମେଷ୍ଠ୍ୟମ୍ ॥ ୨୬॥

ତାପରେ ଯେତେବେଳେ ପ୍ରଳୟ କାଳ ଆଗତ ହୋଇଥାଏ, ଅଧଃସ୍ତରରେ ଥିବା ଲୋକମାନଙ୍କୁ ଶେଷଦେବଙ୍କ ମୁଖ-ଉଦଗାରିତ ଅଗ୍ନିରେ ଭସ୍ମ ହୋଇ ଯାଉଥିବା ଦେଖି ସେମାନେ ବ୍ରହ୍ମଲୋକକୁ ଚାଲି ଯାଆନ୍ତି | ବ୍ରହ୍ମଲୋକରେ ବଡ ବଡ ସିଦ୍ଧେଶ୍ବରମାନେ ବିମାନରେ ନିବାସ କରୁଥାଆନ୍ତି | ବ୍ରହ୍ମାଙ୍କର ଆୟୁ ତୁଲ୍ୟ ବ୍ରହ୍ମଲୋକର ଆୟୁ ମଧ୍ୟ ଦୁଇ ପରାର୍ଦ୍ଧ ଅଟେ |

ନ ଯତ୍ର ଶୋକୋ ନ ଜରା ନ ମୃତ୍ୟୁ-

ର୍ନାର୍ତିର୍ନଚୋଦ୍ୱେଗ ଋତେ କୁତଶ୍ଚିତ୍ ।

ଯଚ୍ଚିତ୍ତତୋଽଦଃ କୃପୟାନିଦମ୍ବିଦାଂ

ଦୁରନ୍ତଦୁଃଖପ୍ରଭବାନୁଦର୍ଶନାତ୍ ॥ ୨୭॥

ସେଠାରେ ଶୋକ ନାହିଁ କି ଦୁଃଖ ନାହିଁ, ବାର୍ଦ୍ଧକ୍ୟ ନାହିଁ କି ମୃତ୍ୟୁ ନାହିଁ | ଅତଏବ ସେଠାରେ କୌଣସି ପ୍ରକାରର ଉଦ୍ବେଗ ବା ଭୟ ରହିବାର ତ ପ୍ରଶ୍ନ ହିଁ ଉଠେନାହିଁ | ଦୁଃଖ କହିଲେ ସେଠାରେ କେବଳ ଏହି ଦୁଃଖ ରହିଥାଏ ଯେ ଯେଉଁମାନେ ଏହି ପରମପଦକୁ ପ୍ରାପ୍ତ କରିପାରି ନାହାଁନ୍ତି, ଜନ୍ମମୃତ୍ୟୁମୟ ସେମାନେ ଯେଉଁ ଘୋର ସଂକଟରେ ପଡିଥାଆନ୍ତି, ତାହା ଦେଖି ଦୟାବଶତଃ ବ୍ରହ୍ମଲୋକ ନିବାସୀମାନଙ୍କର ମନ ବ୍ୟଥିତ ହେଉଥାଏ |

ତତୋ ବିଶେଷଂ ପ୍ରତିପଦ୍ୟ ନିର୍ଭୟ-

ସ୍ତେନାତ୍ମନାପୋଽନଲମୂର୍ତିରତ୍ୱରନ୍ ।

ଜ୍ୟୋତିର୍ମୟୋ ବାୟୁମୁପେତ୍ୟ କାଲେ

ବାୟ୍ୱାତ୍ମନା ଖଂ ବୃହଦାତ୍ମଲିଙ୍ଗମ୍ ॥ ୨୮॥

ସତ୍ୟଲୋକରେ ପହଞ୍ଚିବା ପରେ ଯୋଗୀ ନିର୍ଭୟ ହୋଇ ନିଜର ସୂକ୍ଷ୍ମ ଶରୀରକୁ ପୃଥିବୀରେ ମିଳିତ କରିଦିଏ | ତାପରେ ଧୀରେ ଧୀରେ ସେ ସପ୍ତ ଆବରଣ ଭେଦ କରିଥାଏ | ପୃଥିବୀ ରୂପରେ ଜଳକୁ ଏବଂ ଜଳରୂପରେ ଅଗ୍ନିମୟ ଆବରଣକୁ ପ୍ରାପ୍ତ ହୋଇ ସେ ଜ୍ୟୋତିରୂପରେ ବାୟୁରୂପ ଆବରଣକୁ ପ୍ରାପ୍ତ ହୋଇଥାଆନ୍ତି ଏବଂ ସେଠାରୁ କ୍ରମଶଃ ବ୍ରହ୍ମଙ୍କର ଅନନ୍ତତା ବୋଧ କରାଉଥିବା ଆକାଶରୂପ ଆବରଣକୁ ପ୍ରାପ୍ତ କରିଥାଆନ୍ତି |

ଘ୍ରାଣେନ ଗନ୍ଧଂ ରସନେନ ବୈ ରସଂ

ରୂପଂ ଚ ଦୃଷ୍ଟ୍ୟା ଶ୍ୱସନଂ ତ୍ୱଚୈବ ।

ଶ୍ରୋତ୍ରେଣ ଚୋପେତ୍ୟ ନଭୋଗୁଣତ୍ୱଂ

ପ୍ରାଣେନ ଚାକୂତିମୁପୈତି ଯୋଗୀ ॥ ୨୯॥

ଏହିପରି ଭାବରେ ସ୍ଥୁଳ ଆବରଣକୁ ଅତିକ୍ରମ କରୁଥିବା ସମୟରେ ତାଙ୍କର ଇନ୍ଦ୍ରିୟମାନେ ମଧ୍ୟ ନିଜ ନିଜର ସୂକ୍ଷ୍ମ ଅଧିଷ୍ଥାନରେ ଲୀନ ହେବାରେ ଲାଗନ୍ତି | ଘ୍ରାଣେନ୍ଦ୍ରିୟ ଗନ୍ଧ ତନ୍ମାତ୍ରରେ, ରସନା ରସ ତନ୍ମାତ୍ରାରେ, ନେତ୍ର ରୂପ ତନ୍ମାତ୍ରାରେ, ତ୍ବଚା ସ୍ପର୍ଶ ତନ୍ମାତ୍ରାରେ, ଶ୍ରୋତ୍ର ଶବ୍ଦ ତନ୍ମାତ୍ରାରେ ଏବଂ କର୍ମେନ୍ଦ୍ରିୟମାନେ ନିଜ ନିଜ କ୍ରିୟାଶକ୍ତିରେ ମିଳିତ ହୋଇ ନିଜ-ନିଜର ସୂକ୍ଷ୍ମ ସ୍ଵରୂପକୁ ପ୍ରାପ୍ତ ହୋଇଯାଆନ୍ତି |

ସ ଭୂତସୂକ୍ଷ୍ମେନ୍ଦ୍ରିୟସନ୍ନିକର୍ଷଂ

ମନୋମୟଂ ଦେବମୟଂ ବିକାର୍ୟମ୍ ।

ସଂସାଦ୍ୟ ଗତ୍ୟା ସହ ତେନ ଯାତି

ବିଜ୍ଞାନତତ୍ତ୍ୱଂ ଗୁଣସନ୍ନିରୋଧମ୍ ॥ ୩୦॥

ଏହିରୂପେ ଯୋଗୀ ପଞ୍ଚଭୌତିକ ସ୍ଥୁଳ-ସୂକ୍ଷ୍ମ ଆବରଣକୁ ଅତିକ୍ରମ କରି ଅହଂକାରରେ ପ୍ରବେଶ କରନ୍ତି | ସେଠାରେ ସେ ସୂକ୍ଷ୍ମଭୂତଙ୍କୁ ତାମସିକ ଅହଂକାରରେ, ଇନ୍ଦ୍ରିୟମାନଙ୍କୁ ରାଜସିକ ଅହଂକାରରେ ତଥା ମନ ଏବଂ ଇନ୍ଦ୍ରିୟମାନଙ୍କର ଅଧିଷ୍ଠାତା ଦେବତାମାନଙ୍କୁ ସାତ୍ତ୍ବିକ ଅହଂକାରରେ ଲୀନ କରିଦିଅନ୍ତି | ଏହା ପରେ ଲୟରୂପ ଗତି ଦ୍ବାରା ଅହଂକାର ସହିତ ମହତ୍ ତତ୍ତ୍ବରେ ପ୍ରବେଶ କରି ପରିଶେଷରେ ସମସ୍ତ ଗୁଣମାନଙ୍କର ଲୟସ୍ଥାନ ପ୍ରକୃତିରୂପ ଆବରଣରେ ମିଳିତ ହୋଇଯାଆନ୍ତି |

ତେନାତ୍ମନାଽଽତ୍ମାନମୁପୈତି ଶାନ୍ତ-

ମାନନ୍ଦମାନନ୍ଦମୟୋଽବସାନେ ।

ଏତାଂ ଗତିଂ ଭାଗବତୀଂ ଗତୋ ଯଃ

ସ ବୈ ପୁନର୍ନେହ ବିଷଜ୍ଜତେଽଙ୍ଗ ॥ ୩୧॥

ହେ ପରୀକ୍ଷିତ ! ମହାପ୍ରଳୟ କାଳରେ ପ୍ରକୃତିରୂପ ଆବରଣ ମଧ୍ୟ ଲୟ ହୋଇ ଯାଉଥିବାରୁ ସେହି ଯୋଗୀ ସ୍ବୟଂ ଆନନ୍ଦସ୍ବରୂପ ହୋଇ ନିଜ ନିରାବରଣ ରୂପରେ ଆନନ୍ଦସ୍ବରୂପ ଶାନ୍ତ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଯାଆନ୍ତି | ଏହି ଭଗବନ୍ମୟୀ ଗତିକୁ ପ୍ରାପ୍ତ କରି ସେହି ଯୋଗୀ ପୁନର୍ବାର ଏହି ସଂସାରକୁ ଆସନ୍ତି ନାହିଁ |

ଏତେ ସୃତୀ ତେ ନୃପ ବେଦଗୀତେ

ତ୍ୱୟାଭିପୃଷ୍ଟେ ହ ସନାତନେ ଚ ।

ଯେ ବୈ ପୁରା ବ୍ରହ୍ମଣ ଆହ ପୃଷ୍ଟ

ଆରାଧିତୋ ଭଗବାନ୍ ବାସୁଦେବଃ ॥ ୩୨॥

ହେ ପରୀକ୍ଷିତ ! ତୁମେ ମୋତେ ଯାହା ପଚାରି ଥିଲ, ତାହାର ଉତ୍ତରରେ ମୁଁ ବେଦୋକ୍ତ ଦ୍ବିବିଧ ସନାତନ ମାର୍ଗ ସଦ୍ୟୋମୁକ୍ତି ଏବଂ କ୍ରମମୁକ୍ତିର ବର୍ଣ୍ଣନା କଲି | ପୂର୍ବରୁ ବ୍ରହ୍ମାଜୀ ଯେତେବେଳେ ଭଗବାନ ବାସୁଦେବଙ୍କର ଆରାଧନା କରି ତାଙ୍କୁ ଏହିପରି ପ୍ରଶ୍ନ କରିଥିଲେ, ସେତେବେଳେ ଭଗବାନ ତାଙ୍କୁ ଏହି ଦୁଇଟି ମାର୍ଗ ବିଷୟରେ କହିଥିଲେ |

ନ ହ୍ୟତୋଽନ୍ୟଃ ଶିବଃ ପନ୍ଥା ବିଶତଃ ସଂସୃତାବିହ ।

ବାସୁଦେବେ ଭଗବତି ଭକ୍ତିୟୋଗୋ ଯତୋ ଭବେତ୍ ॥ ୩୩॥

ସଂସାର-ଚକ୍ରରେ ଘୂରି ବୁଲୁଥିବା ମନୁଷ୍ୟ ନିମନ୍ତେ, ଯେଉଁ ସାଧନ ଦ୍ବାରା ସେ ଭଗବାନ ଶ୍ରୀକୃଷ୍ଣଙ୍କର ଅନନ୍ୟ ପ୍ରେମମୟୀ ଭକ୍ତି ପ୍ରାପ୍ତ କରିପାରିବ, ତା’ ବ୍ୟତିତ ଅନ୍ୟ କୌଣସି କଲ୍ୟାଣକାରୀ ମାର୍ଗ ନାହିଁ |

ଭଗବାନ୍ ବ୍ରହ୍ମ କାର୍ତ୍ସ୍ନ୍ୟେନ ତ୍ରିରନ୍ୱୀକ୍ଷ୍ୟ ମନୀଷୟା ।

ତଦଧ୍ୟବସ୍ୟତ୍କୂଟସ୍ଥୋ ରତିରାତ୍ମନ୍ ଯତୋ ଭବେତ୍ ॥ ୩୪॥

ଭଗବାନ୍ ବ୍ରହ୍ମା ଏକାଗ୍ର ଚିତ୍ତରେ ତିନି ଥର ସମ୍ପୂର୍ଣ୍ଣ ବେଦର ଅନୁଶୀଳନ କରି ନିଜ ବୁଦ୍ଧିରେ ଏହା ନିର୍ଣ୍ଣୟ କଲେ ଯେ ଯାହା ଦ୍ବାରା ସର୍ବାତ୍ମା ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଅନନ୍ୟ ପ୍ରାପ୍ତ ହୋଇଥାଏ, ତାହା ହିଁ ସର୍ବଶ୍ରେଷ୍ଠ ଧର୍ମ ଅଟେ |

ଭଗବାନ୍ ସର୍ୱଭୂତେଷୁ ଲକ୍ଷିତଃ ସ୍ୱାତ୍ମନା ହରିଃ ।

ଦୃଶ୍ୟୈର୍ବୁଦ୍ଧ୍ୟାଦିଭିର୍ଦ୍ରଷ୍ଟା ଲକ୍ଷଣୈରନୁମାପକୈଃ ॥ ୩୫॥

ସମସ୍ତ ଚର-ଅଚର ପ୍ରାଣୀମାନଙ୍କଠାରେ ଆତ୍ମାରୂପରେ ଭଗବାନ ଶ୍ରୀକୃଷ୍ଣ ହିଁ ଲକ୍ଷିତ ହୋଇଥାଆନ୍ତି | ବୁଦ୍ଧି ଆଦି ସମସ୍ତ ଦୃଶ୍ୟ ପଦାର୍ଥ ତାଙ୍କର ଅନୁମାନ କରାଉଥିବା ଲକ୍ଷଣ ଅଟନ୍ତି; ସେ ସମସ୍ତଙ୍କର ସାକ୍ଷୀ ଏକମାତ୍ର ଦ୍ରଷ୍ଟା ଅଟନ୍ତି |

ତସ୍ମାତ୍ସର୍ୱାତ୍ମନା ରାଜନ୍ ହରିଃ ସର୍ୱତ୍ର ସର୍ୱଦା ।

ଶ୍ରୋତବ୍ୟଃ କୀର୍ତିତବ୍ୟଶ୍ଚ ସ୍ମର୍ତବ୍ୟୋ ଭଗବାନ୍ ନୃଣାମ୍ ॥ ୩୬॥

ସେଥିପାଇଁ ହେ ପରୀକ୍ଷିତ ! ମନୁଷ୍ୟ ସବୁ ସମୟରେ, ସବୁ ସ୍ଥିତିରେ, ନିଜର ସମ୍ପୂର୍ଣ୍ଣ ଶକ୍ତି ବିନିଯୋଗ କରି ଭଗବାନ ଶ୍ରୀହରିଙ୍କର ହିଁ ଶ୍ରବଣ, କୀର୍ତ୍ତନ ଏବଂ ସ୍ମରଣ କରିବା ଆବଶ୍ୟକ |

ପିବନ୍ତି ଯେ ଭଗବତ ଆତ୍ମନଃ ସତାଂ

କଥାମୃତଂ ଶ୍ରବଣପୁଟେଷୁ ସମ୍ଭୃତମ୍ ।

ପୁନନ୍ତି ତେ ବିଷୟବିଦୂଷିତାଶୟଂ

ବ୍ରଜନ୍ତି ତଚ୍ଚରଣସରୋରୁହାନ୍ତିକମ୍ ॥ ୩୭॥

ହେ ରାଜନ୍ ! ସନ୍ଥ ମହାପୁରୁଷମାନେ ଆତ୍ମସ୍ବରୂପ ଭଗବାନଙ୍କ କଥାର ମଧୁର ଅମୃତ ବିତରଣ କରିବାରେ ଲାଗିଥାଆନ୍ତି | ଯେଉଁମାନେ ନିଜର କାନକୁ ଦନା କରି ତାହା ପାନ କରିଥାଆନ୍ତି, ସେମାନଙ୍କ ହୃଦୟରୁ ବିଷୟର ବିଷାକ୍ତ ପ୍ରଭାବ କ୍ଷୟୀଭୂତ ହୋଇ ହୃଦୟ ଶୁଦ୍ଧ ହୋଇଯାଏ ଏବଂ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ-କମଳର ସନ୍ନିଧି ପ୍ରାପ୍ତ କରିନିଅନ୍ତି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦ୍ୱିତୀୟସ୍କନ୍ଧେ ପୁରୁଷସଂସ୍ଥାବର୍ଣନଂ ନାମ ଦ୍ୱିତୀୟୋଽଧ୍ୟାୟଃ ॥ ୨॥

 

Comments

Popular posts from this blog