ଶ୍ରୀମଦ୍ ଭାଗବତ ମହାପୁରାଣ
ଓଁ ନମୋ ଭଗବତେ ବାସୁଦେବାୟ
ଦ୍ବିତୀୟ ସ୍କନ୍ଧ
ଷଷ୍ଠ ଅଧ୍ୟାୟ
ବିରାଟସ୍ବରୂପର ବିଭୂତିମାନଙ୍କର ବର୍ଣ୍ଣନ
ବ୍ରହ୍ମୋବାଚ
ବାଚାଂ ବହ୍ନେର୍ମୁଖଂ କ୍ଷେତ୍ରଂ
ଛନ୍ଦସାଂ ସପ୍ତ ଧାତବଃ ।
ହବ୍ୟକବ୍ୟାମୃତାନ୍ନାନାଂ ଜିହ୍ୱା
ସର୍ୱରସସ୍ୟ ଚ ॥ ୧॥
ବ୍ରହ୍ମା କହୁଛନ୍ତି – ସେହି ବିରାଟ
ପୁରୁଷଙ୍କର ମୁଖରୁ ବାଣୀ ଏବଂ ତାହାର ଅଧିଷ୍ଠାତୃଦେବ ଅଗ୍ନି ଉତ୍ପନ୍ନ ହେଲେ | ସପ୍ତଛନ୍ଦ
ତାଙ୍କର ସପ୍ତଧାତୁରୁ ନିର୍ଗତ ହେଲେ | ମନୁଷ୍ୟ, ପିତୃପୁରୁଷ, ଏବଂ ଦେବତାମାନଙ୍କର ଭୋଜନଯୋଗ୍ୟ ଅମୃତମୟ ଅନ୍ନ, ସବୁ ପ୍ରକାରର ରସ, ରସନେନ୍ଦ୍ରିୟ ଏବଂ ତାହାର ଅଧିଷ୍ଠାତୃ
ଦେବତା ବରୁଣ ବିରାଟ ପୁରୁଷଙ୍କର ଜିହ୍ବାରୁ ଉତ୍ପନ୍ନ ହେଲେ |
ସର୍ୱାସୂନାଂ ଚ ବାୟୋଶ୍ଚ ତନ୍ନାସେ
ପରମାୟନେ ।
ଅଶ୍ୱିନୋରୋଷଧୀନାଂ ଚ ଘ୍ରାଣୋ
ମୋଦପ୍ରମୋଦୟୋଃ ॥ ୨॥
ତାଙ୍କ ନାସାରନ୍ଧ୍ରରୁ ପ୍ରାଣ, ଅପାନ, ବ୍ୟାନ, ଉଦାନ, ସମାନ ଆଦି ପଞ୍ଚପ୍ରାଣ ଏବଂ ବାୟୁ ତଥା
ଘ୍ରାଣେନ୍ଦ୍ରିୟରୁ ଅଶ୍ବିନୀକୁମାର, ସମସ୍ତ ଔଷଧି ଏବଂ ସାଧାରଣ ତଥା ବିଶେଷ
ଗନ୍ଧ ଉତ୍ପନ୍ନ ହେଲେ |
ରୂପାଣାଂ ତେଜସାଂ ଚକ୍ଷୁର୍ଦିବଃ
ସୂର୍ୟସ୍ୟ ଚାକ୍ଷିଣୀ ।
କର୍ଣୌ ଦିଶାଂ ଚ ତୀର୍ଥାନାଂ
ଶ୍ରୋତ୍ରମାକାଶଶବ୍ଦୟୋଃ ।
ତଦ୍ଗାତ୍ରଂ ବସ୍ତୁସାରାଣାଂ ସୌଭଗସ୍ୟ ଚ
ଭାଜନମ୍ ॥ ୩॥
ତାଙ୍କର ନେତ୍ରେନ୍ଦ୍ରିୟ ରୂପ ଏବଂ ତେଜର
ତଥା ନେତ୍ର-ଗୋଲକ ସ୍ବର୍ଗ ଏବଂ ସୂର୍ଯ୍ୟର ଜନ୍ମଭୂମି ଅଟେ | ସମସ୍ତ ଦିଶା, ଏବଂ ପବିତ୍ର ତୀର୍ଥ କାନରୁ ତଥା ଆକାଶ ଏବଂ ଶବ୍ଦ ଶ୍ରୋତ୍ରେନ୍ଦ୍ରିୟରୁ ଉତ୍ପନ୍ନ ହେଲେ |
ତାଙ୍କର ଶରୀର ସାଂସାରିକ ସବୁ ବସ୍ତୁର ସାରଭାଗ ତଥା ସୌନ୍ଦର୍ଯ୍ୟର ଭଣ୍ଡାର ଅଟେ |
ତ୍ୱଗସ୍ୟ ସ୍ପର୍ଶବାୟୋଶ୍ଚ ସର୍ୱମେଧସ୍ୟ
ଚୈବ ହି ।
ରୋମାଣ୍ୟୁଦ୍ଭିଜ୍ଜଜାତୀନାଂ ଯୈର୍ୱା
ଯଜ୍ଞସ୍ତୁ ସମ୍ଭୃତଃ ॥ ୪॥
ତାଙ୍କ ତ୍ବଚାରୁ ସ୍ପର୍ଶ ଏବଂ ବାୟୁ
ନିର୍ଗତ ହୁଅନ୍ତି, ରୋମମୂଳ ସମସ୍ତ ଉଦ୍ଭିଜ ପଦାର୍ଥର ଅଥବା
ସବୁକିଛି ଯଦ୍ବାରା ଯଜ୍ଞ ସମ୍ପନ୍ନ ହୋଇଥାଏ, ତାହାର ଜନ୍ମସ୍ଥାନ ଅଟେ |
କେଶଶ୍ମଶ୍ରୁନଖାନ୍ୟସ୍ୟ
ଶିଲାଲୋହାଭ୍ରବିଦ୍ୟୁତାମ୍ ।
ବାହବୋ ଲୋକପାଲାନାଂ ପ୍ରାୟଶଃ
କ୍ଷେମକର୍ମଣାମ୍ ॥ ୫॥
ତାଙ୍କର କେଶ, ଦାଢ଼ୀ, ନିଶ ଏବଂ ନଖରୁ ମେଘ, ବିଜୁଳି, ଶିଳା-ଲୌହ ଆଦି ଧାତୁ ତଥା ଭୁଜରୁ ସଂସାରକୁ ରକ୍ଷା କରୁଥିବା ପ୍ରାୟ ସବୁ ଲୋକପାଳ ପ୍ରକଟ
ହୁଅନ୍ତି |
ବିକ୍ରମୋ ଭୂର୍ଭୁବଃ ସ୍ୱଶ୍ଚ କ୍ଷେମସ୍ୟ
ଶରଣସ୍ୟ ଚ ।
ସର୍ୱକାମବରସ୍ୟାପି ହରେଶ୍ଚରଣ ଆସ୍ପଦମ୍
॥ ୬॥
ତାଙ୍କର ଚାଲିବା-ବୁଲିବା ଭୂଃ, ଭୁବଃ, ସ୍ବଃ – ତ୍ରିଲୋକର ଆଶ୍ରୟ ଅଟେ | ତାଙ୍କର ଚରଣକମଳ ପ୍ରାପ୍ତିର
ରକ୍ଷା କରିବା ସହିତ ଭୟକୁ ସମାପ୍ତ କରିଥାଏ ତଥା ସମସ୍ତ କାମନାର ପୂର୍ତ୍ତି କରିଥାଏ |
ଅପାଂ ବୀର୍ୟସ୍ୟ ସର୍ଗସ୍ୟ ପର୍ଜନ୍ୟସ୍ୟ
ପ୍ରଜାପତେଃ ।
ପୁଂସଃ ଶିଶ୍ନ ଉପସ୍ଥସ୍ତୁ
ପ୍ରଜାତ୍ୟାନନ୍ଦନିର୍ୱୃତେଃ ॥ ୭॥
ବିରାଟ ପୁରୁଷଙ୍କର ଲିଙ୍ଗ ଜଳ, ବୀର୍ଯ୍ୟ, ସୃଷ୍ଟି, ମେଘ, ଏବଂ ପ୍ରଜାପତିଙ୍କର ଆଧାର ଅଟେ ତଥା ତାଙ୍କର ଜନନେନ୍ଦ୍ରିୟ ମୈଥୁନଜନିତ ଆନନ୍ଦର ଉଦ୍ଗମ
ଅଟେ |
ପାୟୁର୍ୟମସ୍ୟ ମିତ୍ରସ୍ୟ ପରିମୋକ୍ଷସ୍ୟ
ନାରଦ ।
ହିଂସାୟା ନିରୃତେର୍ମୃତ୍ୟୋର୍ନିରୟସ୍ୟ
ଗୁଦଂ ସ୍ମୃତଃ ॥ ୮॥
ହେ ନାରଦ ! ବିରାଟ ପୁରୁଷଙ୍କର
ପାୟୁ-ଇନ୍ଦ୍ରିୟ ଯମ, ମିତ୍ର ଏବଂ ଗୁଦାଦ୍ବାର ହିଂସା, ନିଋତି, ମୃତ୍ୟୁ ଓ ନର୍କର ଉତ୍ପତ୍ତିସ୍ଥାନ ଅଟେ |
ପରାଭୂତେରଧର୍ମସ୍ୟ ତମସଶ୍ଚାପି ପଶ୍ଚିମଃ
।
ନାଡ୍ୟୋ ନଦନଦୀନାଂ ତୁ
ଗୋତ୍ରାଣାମସ୍ଥିସଂହତିଃ ॥ ୯॥
ତାଙ୍କ ପିଠିରୁ ପରାଜୟ, ଅଧର୍ମ ଓ ଅଜ୍ଞାନ; ଶିରା-ପ୍ରଶିରାରୁ ନଦ-ନଦୀ ଏବଂ ଅସ୍ଥିରୁ ପର୍ବତର ଉଦ୍ଭବ ହୋଇଛି |
ଅବ୍ୟକ୍ତରସସିନ୍ଧୂନାଂ ଭୂତାନାଂ
ନିଧନସ୍ୟ ଚ ।
ଉଦରଂ ବିଦିତଂ ପୁଂସୋ ହୃଦୟଂ ମନସଃ ପଦମ୍
॥ ୧୦॥
ତାଙ୍କର ଉଦରରେ ମୂଳ ପ୍ରକୃତି, ରସ ନାମକ ଧାତୁ ତଥା ସମୁଦ୍ର, ସମସ୍ତ ପ୍ରାଣୀ ଏବଂ ସେମାନଙ୍କର
ମୃତ୍ୟୁ ସମାହିତ ରହିଛି | ତାଙ୍କର ହୃଦୟ ହିଁ ମନର ଜନ୍ମଭୂମି ଅଟେ |
ଧର୍ମସ୍ୟ ମମ ତୁଭ୍ୟଂ ଚ କୁମାରାଣାଂ
ଭବସ୍ୟ ଚ ।
ବିଜ୍ଞାନସ୍ୟ ଚ ସତ୍ତ୍ୱସ୍ୟ ପରସ୍ୟାତ୍ମା
ପରାୟଣମ୍ ॥ ୧୧॥
ହେ ନାରଦ ! ମୁଁ, ତୁମେ, ଧର୍ମ, ସନକାଦି, ଶଂକର, ବିଜ୍ଞାନ ଏବଂ ଅନ୍ତଃକରଣ – ଏମାନେ ସମସ୍ତେ ତାଙ୍କ ଚିତ୍ତର ଆଶ୍ରିତ
ଅଟନ୍ତି |
ଅହଂ ଭବାନ୍ ଭବଶ୍ଚୈବ ତ ଇମେ
ମୁନୟୋଽଗ୍ରଜାଃ ।
ସୁରାସୁରନରା ନାଗାଃ ଖଗା ମୃଗସରୀସୃପାଃ
॥ ୧୨॥
ଗନ୍ଧର୍ୱାପ୍ସରସୋ ଯକ୍ଷା
ରକ୍ଷୋଭୂତଗଣୋରଗାଃ ।
ପଶବଃ ପିତରଃ ସିଦ୍ଧା ବିଦ୍ୟାଧ୍ରାଶ୍ଚାରଣା
ଦ୍ରୁମାଃ ॥ ୧୩॥
ଅନ୍ୟେ ଚ ବିବିଧା ଜୀବା ଜଲସ୍ଥଲନଭୌକସଃ
।
ଗ୍ରହର୍କ୍ଷକେତବସ୍ତାରାସ୍ତଡିତଃ
ସ୍ତନୟିତ୍ନବଃ ॥ ୧୪॥
ସର୍ୱଂ ପୁରୁଷ ଏବେଦଂ ଭୂତଂ ଭବ୍ୟଂ
ଭବଚ୍ଚ ଯତ୍ ।
ତେନେଦମାବୃତଂ ବିଶ୍ୱଂ
ବିତସ୍ତିମଧିତିଷ୍ଠତି ॥ ୧୫॥
ଆଉ କେତେ ଅବା କହିବି, ମୁଁ, ତୁମେ, ତୁମର ଜ୍ୟେଷ୍ଠ ଭ୍ରାତା ସନକାଦି, ଶଂକର, ଦେବତା, ଦୈତ୍ୟ, ମନୁଷ୍ୟ, ନାଗ, ପକ୍ଷୀ, ମୃଗ, ସରୀସୃପ, ଗନ୍ଧର୍ବ, ଅପ୍ସରା, ଯକ୍ଷ, ରାକ୍ଷସ, ଭୂତ-ପ୍ରେତ, ସର୍ପ, ପଶୁ, ପିତୃପୁରୁଷ, ସିଦ୍ଧ, ବିଦ୍ୟାଧର, ଚାରଣ, ବୃକ୍ଷ, ଏବଂ ନଭ-ଜଳ-ସ୍ଥଳରେ ରହୁଥିବା ନାନାଦି
ପ୍ରକାର ଜୀବ, ଗ୍ରହ, ନକ୍ଷତ୍ର, କେତୁ (ଲଞ୍ଜାତାରା), ତାରା, ବିଜୁଳି, ବାଦଲ – ଏମାନେ ସମସ୍ତେ ବିରାଟ ପୁରୁଷ ହିଁ ଅଟନ୍ତି | ଏହି
ସମ୍ପୂର୍ଣ୍ଣ ବିଶ୍ବ – ଯାହାକିଛି କେବେ ଥିଲା, ଏବେ ଅଛି ଏବଂ ଆଗକୁ ରହିବ – ସବୁକିଛି
ସେହି ବିରାଟ ପୁରୁଷଙ୍କ ଦ୍ବାରା ଆବୃତ | ତଥାପି ସମ୍ପୂର୍ଣ୍ଣ ବିଶ୍ବ ତାଙ୍କ ଗର୍ଭରେ କେବଳ ଦଶ
ଅଙ୍ଗୁଳ ପରିମାଣରେ ହିଁ ସ୍ଥିତ ଅଟେ |
ସ୍ୱଧିଷ୍ଣ୍ୟଂ ପ୍ରତପନ୍ ପ୍ରାଣୋ ବହିଶ୍ଚ
ପ୍ରତପତ୍ୟସୌ ।
ଏବଂ ବିରାଜଂ ପ୍ରତପଂସ୍ତପତ୍ୟନ୍ତର୍ବହିଃ
ପୁମାନ୍ ॥ ୧୬॥
ସୂର୍ଯ୍ୟ ଯେପରି ନିଜ ମଣ୍ଡଳକୁ
ପ୍ରକାଶିତ କରିବା ସହିତ ବାହାରେ ମଧ୍ୟ ପ୍ରକାଶ ପରିବ୍ୟାପ୍ତ କରିଥାଆନ୍ତି, ସେହିପରି ପୁରାଣପୁରୁଷ ପରମାତ୍ମା ମଧ୍ୟ ସମ୍ପୂର୍ଣ୍ଣ ବିରାଟ ବିଗ୍ରହକୁ ପ୍ରକାଶିତ କରି
ତାହାର ବାହାରେ-ଭିତରେ ସର୍ବତ୍ର ଏକରସ ପ୍ରକାଶିତ ହୋଇଥାଆନ୍ତି |
ସୋଽମୃତସ୍ୟାଭୟସ୍ୟେଶୋ ମର୍ତ୍ୟମନ୍ନଂ
ଯଦତ୍ୟଗାତ୍ ।
ମହିମୈଷ ତତୋ ବ୍ରହ୍ମନ୍ ପୁରୁଷସ୍ୟ
ଦୁରତ୍ୟଯଃ ॥ ୧୭॥
ହେ ମୁନିବର ! ଯାହା କିଛି ମନୁଷ୍ୟର
କ୍ରିୟା ଏବଂ ସଂକଳ୍ପରୁ ସୃଷ୍ଟ, ସେ ତାହାର ଉର୍ଦ୍ଧ୍ବରେ ଅଟନ୍ତି | ସେ
ଅମୃତ ଏବଂ ଅଭୟପଦ (ମୋକ୍ଷ)ର ସ୍ବାମୀ ଅଟନ୍ତି | ସେହି କାରଣରୁ କେହି ମଧ୍ୟ ତାଙ୍କର ମହିମାକୁ
ଭେଦ କରିପାରନ୍ତି ନାହିଁ |
ପାଦେଷୁ ସର୍ୱଭୂତାନି ପୁଂସଃ ସ୍ଥିତିପଦୋ
ବିଦୁଃ ।
ଅମୃତଂ କ୍ଷେମମଭୟଂ ତ୍ରିମୂର୍ଧ୍ନୋଽଧାୟି
ମୂର୍ଧସୁ ॥ ୧୮॥
ସମ୍ପୂର୍ଣ୍ଣ ଲୋକ ଭଗବାନଙ୍କର ଏକ ପାଦରେ
ସ୍ଥିତ ଅଟେ ଏବଂ ସେହି ଅଂଶମାତ୍ର ଲୋକରେ ସମସ୍ତ ପ୍ରାଣୀ ନିବାସ କରନ୍ତି | ଭୂର୍ଲୋକ, ଭୁବର୍ଲୋକ, ସ୍ବର୍ଲୋକ ଉପରେ ମହଲୋକ ରହିଛି | ତା ଉପରକୁ ମଧ୍ୟ ଜନ, ତପ ଏବଂ ସତ୍ୟଲୋକ ରହିଛି ଯାହା ଯଥାକ୍ରମେ ଅମୃତ, କ୍ଷେମ ଏବଂ ଅଭୟର ନିତ୍ୟ-ନିବାସ ଅଟେ |
ପାଦାସ୍ତ୍ରୟୋ ବହିଶ୍ଚାସନ୍ନପ୍ରଜାନାଂ ଯ
ଆଶ୍ରମାଃ ।
ଅନ୍ତସ୍ତ୍ରିଲୋକ୍ୟାସ୍ତ୍ୱପରୋ
ଗୃହମେଧୋଽବୃହଦ୍ୱ୍ରତଃ ॥ ୧୯॥
ଜନ, ତପ ଏବଂ ସତ୍ୟ – ଏହି ତିନି ଲୋକରେ ବ୍ରହ୍ମଚାରୀ, ବାନପ୍ରସ୍ଥୀ ଏବଂ ସନ୍ୟାସୀ ନିବାସ କରନ୍ତି | ଦୀର୍ଘକାଳୀନ ବ୍ରହ୍ମଚର୍ଯ୍ୟରହିତ
ଗୃହସ୍ଥମାନେ ଭୂଲୋକ, ଭୁବର୍ଲୋକ ଏବଂ ସ୍ବର୍ଲୋକ ଅନ୍ତର୍ଗତ
ହିଁ ନିବାସ କରନ୍ତି |
ସୃତୀ ବିଚକ୍ରମେ ବିଷ୍ୱଙ୍ ସାଶନାନଶନେ
ଉଭେ ।
ଯଦବିଦ୍ୟା ଚ ବିଦ୍ୟା ଚ
ପୁରୁଷସ୍ତୂଭୟାଶ୍ରୟଃ ॥ ୨୦॥
ଶାସ୍ତ୍ରରେ ଦୁଇଟି ମାର୍ଗ ନିର୍ଦ୍ଦେଶ
କରାଯାଇଛି – ଗୋଟିଏ ଅବିଦ୍ୟା-ରୂପ କର୍ମ ମାର୍ଗ, ଯାହା ସକାମ ପୁରୁଷଙ୍କ ନିମନ୍ତେ ଅଟେ ଏବଂ ଅନ୍ୟଟି ଉପାସନାରୂପ ବିଦ୍ୟାମାର୍ଗ, ଯାହା ନିଷ୍କାମ ଉପାସକମାନଙ୍କ ନିମନ୍ତେ ଅଟେ | ଉଭୟ ମାର୍ଗ ମଧ୍ୟରୁ କୌଣସି ଗୋଟିଏର ଆଶ୍ରୟ
ଗ୍ରହଣ କରି ମନୁଷ୍ୟ ଭୋଗ ପ୍ରାପ୍ତ କରାଉଥିବା ଦକ୍ଷିଣମାର୍ଗରେ ଅଥବା ମୋକ୍ଷ ପ୍ରାପ୍ତ କରାଉଥିବା
ଉତ୍ତରମାର୍ଗରେ ଯାତ୍ରା କରିଥାଏ | ପୁରୁଷୋତ୍ତମ ଭଗବାନ ଉଭୟର ଆଧାରଭୂତ ଅଟନ୍ତି |
ଯସ୍ମାଦଣ୍ଡଂ ବିରାଡ୍ଜଜ୍ଞେ
ଭୂତେନ୍ଦ୍ରିୟଗୁଣାତ୍ମକଃ ।
ତଦ୍ଦ୍ରବ୍ୟମତ୍ୟଗାଦ୍ୱିଶ୍ୱଂ ଗୋଭିଃ
ସୂର୍ୟ ଇବାତପନ୍ ॥ ୨୧॥
ଯେପରି ସୂର୍ଯ୍ୟ ନିଜ କିରଣ ଦ୍ବାରା
ସମସ୍ତଙ୍କୁ ପ୍ରକାଶିତ କରି ମଧ୍ୟ ସମସ୍ତଙ୍କଠାରୁ ପୃଥକ ଅଟନ୍ତି, ସେହିପରି ଯେଉଁ ପରମାତ୍ମାଙ୍କଠାରୁ ଏହି ଅଣ୍ଡ ଏବଂ ପଞ୍ଚଭୂତ, ଏକାଦଶ ଇନ୍ଦ୍ରିୟ, ଏବଂ ଗୁଣମୟ ବିରାଟର ଉତ୍ପତ୍ତି ହୋଇଛି –
ସେହି ପ୍ରଭୁ ଏହି ସମସ୍ତ ବସ୍ତୁ ଭିତରେ ଏବଂ ସେହି ସବୁ ବସ୍ତୁ ରୂପରେ ରହି ମଧ୍ୟ ସେମାନଙ୍କଠାରୁ
ବହୁତ ଉପରେ |
ଯଦାସ୍ୟ ନାଭ୍ୟାନ୍ନଲିନାଦହମାସଂ
ମହାତ୍ମନଃ ।
ନାବିଦଂ ଯଜ୍ଞସମ୍ଭାରାନ୍
ପୁରୁଷାବୟବାଦୃତେ ॥ ୨୨॥
ଏହି ବିରାଟ ପୁରୁଷଙ୍କର ନାଭି-କମଳରୁ
ଯେତେବେଳେ ମୋର ଜନ୍ମ ହେଲା, ସେତେବେଳେ ସେହି ପୁରୁଷଙ୍କର ଅଙ୍ଗ
ବ୍ୟତିତ ଯଜ୍ଞର ସାମଗ୍ରୀ ଭାବରେ ମୋତେ ଆଉ କିଛି ମିଳିଲା ନାହିଁ |
ତେଷୁ ଯଜ୍ଞସ୍ୟ ପଶବଃ ସବନସ୍ପତୟଃ କୁଶାଃ
।
ଇଦଂ ଚ ଦେବୟଜନଂ କାଲଶ୍ଚୋରୁଗୁଣାନ୍ୱିତଃ
॥ ୨୩॥
ସେତେବେଳେ ମୁଁ ତାଙ୍କର ଅଙ୍ଗରେ ହିଁ
ଯଜ୍ଞର ପଶୁ, ସ୍ତମ୍ଭ, କୁଶ, ଯଜ୍ଞଭୂମି, ଏବଂ ଯଜ୍ଞଯୋଗ୍ୟ ଉତ୍ତମ କାଳର କଳ୍ପନା କଲି |
ବସ୍ତୂନ୍ୟୋଷଧୟଃ ସ୍ନେହା ରସଲୋହମୃଦୋ
ଜଲମ୍ ।
ଋଚୋ ଯଜୂଂଷି ସାମାନି ଚାତୁର୍ହୋତ୍ରଂ ଚ
ସତ୍ତମ ॥ ୨୪॥
ନାମଧେୟାନି ମନ୍ତ୍ରାଶ୍ଚ ଦକ୍ଷିଣାଶ୍ଚ
ବ୍ରତାନି ଚ ।
ଦେବତାନୁକ୍ରମଃ କଲ୍ପଃ
ସଙ୍କଲ୍ପସ୍ତନ୍ତ୍ରମେବ ଚ ॥ ୨୫॥
ଗତୟୋ ମତୟଃ ଶ୍ରଦ୍ଧା ପ୍ରାୟଶ୍ଚିତ୍ତଂ
ସମର୍ପଣମ୍ ।
ପୁରୁଷାବୟବୈରେତେ ସମ୍ଭାରାଃ ସମ୍ଭୃତା
ମୟା ॥ ୨୬॥
ହେ ଋଷିଶ୍ରେଷ୍ଠ ! ଯଜ୍ଞ ନିମନ୍ତେ
ଆବଶ୍ୟକୀୟ ପାତ୍ର ଆଦି ବସ୍ତୁ, ଯଅ, ଧାନ ଆଦି ଶସ୍ୟ, ଘୃତ ଆଦି ସ୍ନେହସାର ପଦାର୍ଥ, ଷଡରସ, ଲୌହ, ମାଟି, ଜଳ, ଋକ୍-ଯଜୁଃ-ସାମ ଚାତୁର୍ହୋତ୍ର, ଯଜ୍ଞର ନାମ, ମନ୍ତ୍ର, ଦକ୍ଷିଣା, ବ୍ରତ, ଦେବତାମାନଙ୍କର ନାମ, ପଦ୍ଧତିଗ୍ରନ୍ଥ, ସଂକଳ୍ପ, ତନ୍ତ୍ର (ଅନୁଷ୍ଠାନ ରୀତି), ଗତି, ମତି, ଶ୍ରଦ୍ଧା, ପ୍ରାୟଶ୍ଚିତ ଏବଂ ସମର୍ପଣ – ଏହି ସବୁ ଯଜ୍ଞ-ସାମଗ୍ରୀ ମୁଁ ବିରାଟ
ପୁରୁଷଙ୍କର ଅଙ୍ଗରୁ ହିଁ ଏକତ୍ରିତ କରିଥିଲି |
ଇତି ସମ୍ଭୃତସମ୍ଭାରଃ ପୁରୁଷାବୟବୈରହମ୍
।
ତମେବ ପୁରୁଷଂ ଯଜ୍ଞଂ
ତେନୈବାୟଜମୀଶ୍ୱରମ୍ ॥ ୨୭॥
ଏହିପରି ଭାବରେ ବିରାଟ ପୁରୁଷଙ୍କର
ଅଙ୍ଗରୁ ହିଁ ସମସ୍ତ ସାମଗ୍ରୀ ସଂଗ୍ରହ କରି ମୁଁ ଯଜ୍ଞ ଦ୍ବାରା ସେହି ଯଜ୍ଞସ୍ବରୂପ
ପରମାତ୍ମାଙ୍କର ଯଜନ କଲି |
ତତସ୍ତେ ଭ୍ରାତର ଇମେ ପ୍ରଜାନାଂ ପତୟୋ
ନବ ।
ଅୟଜନ୍ ବ୍ୟକ୍ତମବ୍ୟକ୍ତଂ ପୁରୁଷଂ
ସୁସମାହିତାଃ ॥ ୨୮॥
ତଦନନ୍ତର ତୁମର ଜ୍ୟେଷ୍ଠ ଭ୍ରାତ ନଅ
ପ୍ରଜାପତି ନିଜ ଚିତ୍ତକୁ ପୂର୍ଣ୍ଣ ସମାହିତ କରି ବିରାଟ ଏବଂ ଅନ୍ତର୍ଯ୍ୟାମୀ ରୂପରେ ସ୍ଥିତ ସେହି
ପରମ ପୁରୁଷଙ୍କର ଆରାଧନା କଲେ |
ତତଶ୍ଚ ମନବଃ କାଲେ ଈଜିରେ ଋଷୟୋଽପରେ ।
ପିତରୋ ବିବୁଧା ଦୈତ୍ୟା ମନୁଷ୍ୟାଃ
କ୍ରତୁଭିର୍ୱିଭୁମ୍ ॥ ୨୯॥
ତତ୍ପଶ୍ଚାତ୍ ସମୟକ୍ରମେ ମନୁ, ଋଷି, ପିତୃପୁରୁଷ, ଦେବତା, ଦୈତ୍ୟ ଏବଂ ମନୁଷ୍ୟ ଯଜ୍ଞ ଦ୍ବାରା ଭଗବାନଙ୍କର ଆରାଧନା କଲେ |
ନାରାୟଣେ ଭଗବତି ତଦିଦଂ ବିଶ୍ୱମାହିତମ୍
।
ଗୃହୀତମାୟୋରୁଗୁଣଃ ସର୍ଗାଦାବଗୁଣଃ
ସ୍ୱତଃ ॥ ୩୦॥
ହେ ନାରଦ ! ଏହି ସମ୍ପୂର୍ଣ୍ଣ ବିଶ୍ବ
ସେହି ଭଗବାନ ନାରାୟଣଙ୍କଠାରେ ସ୍ଥିତ ଅଟେ, ଯିଏ ସ୍ବୟଂ ପ୍ରାକୃତ ଗୁଣରହିତ
ହୋଇଥିଲେ ବି ସୃଷ୍ଟିର ପ୍ରାରମ୍ଭରେ ମାୟା ଦ୍ବାରା ଅନେକାନେକ ଗୁଣ ଗ୍ରହଣ କରିଥାଆନ୍ତି |
ସୃଜାମି ତନ୍ନିୟୁକ୍ତୋଽହଂ ହରୋ ହରତି
ତଦ୍ୱଶଃ ।
ବିଶ୍ୱଂ ପୁରୁଷରୂପେଣ ପରିପାତି
ତ୍ରିଶକ୍ତିଧୃକ୍ ॥ ୩୧॥
ତାଙ୍କଠାରୁ ପ୍ରେରଣା ପ୍ରାପ୍ତ କରି ମୁଁ
ଏହି ସଂସାରର ରଚନା କରିଥାଏ | ତାଙ୍କର ଅଧୀନସ୍ତ ରହି ରୁଦ୍ର ସଂସାରର ସଂହାର କରିଥାଆନ୍ତି ଏବଂ
ସେ ସ୍ବୟଂ ହିଁ ବିଷ୍ଣୁ ରୂପରେ ସଂସାରର ପାଳନ କରୁଥାଆନ୍ତି | ସେଥିପାଇଁ ସେ ସତ୍ତ୍ବ, ରଜ, ତମ ତିନି ଗୁଣକୁ ସ୍ବୀକାର କରିନେଇ ଥାଆନ୍ତି |
ଇତି ତେଽଭିହିତଂ ତାତ ଯଥେଦମନୁପୃଚ୍ଛସି
।
ନାନ୍ୟଦ୍ଭଗବତଃ କିଞ୍ଚିଦ୍ଭାବ୍ୟଂ
ସଦସଦାତ୍ମକମ୍ ॥ ୩୨॥
ପୁତ୍ର ନାରଦ ! ତୁମେ ଯାହା ପଚାରି ଥିଲ, ମୁଁ ତାହାର ଉତ୍ତର ଦେଲି | ତାତ୍ପର୍ଯ୍ୟ ଏହା ଯେ ଭାବ-ଅଭାବ, କାର୍ଯ୍ୟ-କାରଣ ରୂପରେ ଏପରି କୌଣସି ବି ବସ୍ତୁ ନାହିଁ ଯାହା ଭଗବାନଙ୍କଠାରୁ ଭିନ୍ନ ଅଟେ |
ନ ଭାରତୀ ମେଽଙ୍ଗ ମୃଷୋପଲକ୍ଷ୍ୟତେ
ନ ବୈ କ୍ୱଚିନ୍ମେ ମନସୋ ମୃଷା ଗତିଃ ।
ନ ମେ ହୃଷୀକାଣି ପତନ୍ତ୍ୟସତ୍ପଥେ
ଯନ୍ମେ ହୃଦୌତ୍କଣ୍ଠ୍ୟବତା ଧୃତୋ ହରିଃ ॥
୩୩॥
ପ୍ରିୟ ନାରଦ ! ମୁଁ ପ୍ରେମପୂର୍ଣ୍ଣ
ଉତ୍କଣ୍ଠିତ ହୃଦୟରେ ଭଗବାନଙ୍କ ସ୍ମରଣରେ ମଗ୍ନ ରହିଥାଏ, ସେଥିପାଇଁ ମୋର ବାଣୀ କେବେ ଅସତ୍ୟ ହୁଏନାହିଁ, ମୋର ମନ କେବେ ଅସତ୍ୟ ସଂକଳ୍ପ କରେନାହିଁ ଏବଂ ମୋର ଇନ୍ଦ୍ରିୟମାନେ କେବେ ମର୍ଯ୍ୟାଦା
ଉଲ୍ଲଂଘନ କରି କୁମାର୍ଗରେ ଯାଆନ୍ତି ନାହିଁ |
ସୋଽହଂ ସମାମ୍ନାୟମୟସ୍ତପୋମୟଃ
ପ୍ରଜାପତୀନାମଭିବନ୍ଦିତଃ ପତିଃ ।
ଆସ୍ଥାୟ ଯୋଗଂ ନିପୁଣଂ ସମାହିତଃ
ତଂ ନାଧ୍ୟଗଚ୍ଛଂ ଯତ ଆତ୍ମସମ୍ଭବଃ ॥ ୩୪॥
ମୁଁ ବେଦମୂର୍ତ୍ତି ଅଟେ, ମୋର ଜୀବନ ତପସ୍ୟାମୟ ଅଟେ, ବଡ ବଡ ପ୍ରଜାପତି ମୋର ବନ୍ଦନା
କରୁଥାଆନ୍ତି; ମୁଁ ସେମାନଙ୍କର ସ୍ବାମୀ ଅଟେ | ପ୍ରଥମେ ମୁଁ ଅତ୍ୟନ୍ତ ନିଷ୍ଠାରେ
ଯୋଗର ସର୍ବାଙ୍ଗ ଅନୁଷ୍ଠାନ କରୁଥିଲି, କିନ୍ତୁ ତଦ୍ବାରା ମୁଁ ନିଜର ମୂଳକାରଣ
ପରମାତ୍ମାଙ୍କର ସ୍ଵରୂପକୁ ଜାଣି ପାରିଲି ନାହିଁ |
ନତୋଽସ୍ମ୍ୟହଂ ତଚ୍ଚରଣଂ ସମୀୟୁଷାଂ
ଭବଚ୍ଛିଦଂ ସ୍ୱସ୍ତ୍ୟଯନଂ ସୁମଙ୍ଗଲମ୍ ।
ଯୋ ହ୍ୟାତ୍ମମାୟାବିଭବଂ ସ୍ମ ପର୍ୟଗାତ୍
ଯଥା ନଭଃ ସ୍ୱାନ୍ତମଥାପରେ କୁତଃ ॥ ୩୫॥
ମୁଁ ତ ପରମ ମଙ୍ଗଳମୟ ଏବଂ ଶରଣାଗତ
ଭକ୍ତକୁ ଜନ୍ମ-ମୃତ୍ୟୁର ଚକ୍ରରୁ ମୁକ୍ତ କରୁଥିବା ପରମ କଲ୍ୟାଣସ୍ବରୂପ ଭଗବାନଙ୍କ ଚରଣର ହିଁ
ବନ୍ଦନା କରୁଛି | ତାଙ୍କ ମାୟାର ଶକ୍ତି ଅପାର; ଆକାଶ ଯେପରି ନିଜର ଅନ୍ତକୁ ଜାଣି ନ
ଥାଏ, ସେହିପରି ସେ ମଧ୍ୟ ନିଜ ମହିମାର ବିସ୍ତୃତିକୁ ଜାଣନ୍ତି ନାହିଁ |
ତେଣୁ ଅନ୍ୟମାନେ ଅବା ତାଙ୍କୁ ଜାଣିବେ କିପରି ?
ନାହଂ ନ ଯୂୟଂ ଯଦୃତାଂ ଗତିଂ ବିଦୁ-
ର୍ନ ବାମଦେବଃ କିମୁତାପରେ ସୁରାଃ ।
ତନ୍ମାୟଯା ମୋହିତବୁଦ୍ଧୟସ୍ତ୍ୱିଦଂ
ବିନିର୍ମିତଂ ଚାତ୍ମସମଂ ବିଚକ୍ଷ୍ମହେ ॥
୩୬॥
ମୁଁ, ତୁମ୍ଭମାନଙ୍କ ପରି ମୋର
ପୁତ୍ରମାନେ, ଏବଂ ଭଗବାନ ଶଂକର ମଧ୍ୟ ଯାହାର ସତ୍ୟସ୍ଵରୂପକୁ ଜାଣନ୍ତି ନାହିଁ, ତାଙ୍କୁ ଅନ୍ୟ ଦେବତାମାନେ ଭଲା କିପରି ଜାଣିପାରିବେ | ଆମେ ସମସ୍ତେ ତାଙ୍କ ସ୍ବରୂପ
ବିସ୍ତାରରେ ଏପରି ମୋହିତ ହୋଇଯାଇଛେ ଯେ ତାଙ୍କ ଦ୍ବାରା ରଚିତ ମାୟା ଜଗତକୁ ମଧ୍ୟ ଯଥାର୍ଥରେ
ବୁଝିପାରେ ନାହିଁ; ନିଜ ନିଜ ବୁଦ୍ଧି ଅନୁସାରେ କେବଳ ଯାହା
ଅନୁମାନ କରିଥାଏ |
ଯସ୍ୟାବତାରକର୍ମାଣି ଗାୟନ୍ତି
ହ୍ୟସ୍ମଦାଦୟଃ ।
ନ ଯଂ ବିଦନ୍ତି ତତ୍ତ୍ୱେନ ତସ୍ମୈ ଭଗବତେ
ନମଃ ॥ ୩୭॥
ଆମ୍ଭେମାନେ କେବଳ ତାଙ୍କର
ଅବତାର-ଲୀଳାମାନଙ୍କର ଗାନ କରିଥାଏ, ତତ୍ତ୍ବତଃ ତାଙ୍କୁ ଜାଣି ନ ଥାଏ – ସେହି ଭଗବାନଙ୍କର ଶ୍ରୀଚରଣରେ ମୁଁ ନମସ୍କାର କରୁଛି |
ସ ଏଷ ଆଦ୍ୟଃ ପୁରୁଷଃ କଲ୍ପେ କଲ୍ପେ ସୃଜତ୍ୟଜଃ
।
ଆତ୍ମାଽଽତ୍ମନ୍ୟାତ୍ମନାଽଽତ୍ମାନଂ
ସଂୟଚ୍ଛତି ଚ ପାତି ଚ ॥ ୩୮॥
ସେ ଅଜନ୍ମା ଏବଂ ପୁରୁଷୋତ୍ତମ ଅଟନ୍ତି |
ପ୍ରତ୍ୟେକ କଳ୍ପରେ ସେ ନିଜେ-ନିଜ ଭିତରେ ନିଜେ-ନିଜକୁ ସୃଷ୍ଟି କରନ୍ତି, ରକ୍ଷା କରନ୍ତି ଏବଂ ସଂହାର ବି କରିଥାଆନ୍ତି |
ବିଶୁଦ୍ଧଂ କେବଲଂ ଜ୍ଞାନଂ ପ୍ରତ୍ୟକ୍
ସମ୍ୟଗବସ୍ଥିତମ୍ ।
ସତ୍ୟଂ ପୂର୍ଣମନାଦ୍ୟନ୍ତଂ ନିର୍ଗୁଣଂ
ନିତ୍ୟମଦ୍ୱୟମ୍ ॥ ୩୯॥
ତାଙ୍କଠାରେ ମାୟାର କିଂଚିତ୍ ବି ସ୍ପର୍ଶ
ନାହିଁ, ସେ କେବଳ ଜ୍ଞାନସ୍ବରୂପ ଅଟନ୍ତି ଏବଂ ଅନ୍ତରାତ୍ମା ରୂପରେ ଏକରସ
ସ୍ଥିତ ଅଟନ୍ତି | ସେ ତ୍ରିକାଳରେ ସତ୍ୟ ଏବଂ ପରିପୂର୍ଣ୍ଣ ଅଟନ୍ତି; ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ | ସେ ତ୍ରିଗୁଣ-ରହିତ, ସନାତନ ଏବଂ ଅଦ୍ବିତୀୟ ଅଟନ୍ତି |
ଋଷେ ବିଦନ୍ତି ମୁନୟଃ
ପ୍ରଶାନ୍ତାତ୍ମେନ୍ଦ୍ରିୟାଶୟାଃ ।
ଯଦା ତଦେବାସତ୍ତର୍କୈସ୍ତିରୋଧୀୟେତ
ବିପ୍ଲୁତମ୍ ॥ ୪୦॥
ହେ ନାରଦ ! ମହାତ୍ମାମାନେ ନିଜର
ଅନ୍ତଃକରଣ, ଇନ୍ଦ୍ରିୟ ଏବଂ ଶରୀରକୁ ଶାନ୍ତ ରଖି ତାଙ୍କର ସାକ୍ଷାତକାର
କରିଥାଆନ୍ତି | କିନ୍ତୁ ଅସତ୍ ପୁରୁଷଙ୍କ ଦ୍ବାରା କୁତର୍କର ଜାଲରେ ଯେତେବେଳେ ତାଙ୍କୁ ଆବୃତ
କରିଦିଆ ଯାଏ, ସେତେବେଳେ ତାଙ୍କର ଦର୍ଶନ ହୋଇ ନ ଥାଏ |
ଆଦ୍ୟୋଽବତାରଃ ପୁରୁଷଃ ପରସ୍ୟ
କାଲଃ ସ୍ୱଭାବଃ ସଦସନ୍ମନଶ୍ଚ ।
ଦ୍ରବ୍ୟଂ ବିକାରୋ ଗୁଣ ଇନ୍ଦ୍ରିୟାଣି
ବିରାଟ୍ ସ୍ୱରାଟ୍ ସ୍ଥାସ୍ନୁ ଚରିଷ୍ଣୁ
ଭୂମ୍ନଃ ॥ ୪୧॥
ପରମାତ୍ମାଙ୍କର ପ୍ରଥମ ଅବତାର ବିରାଟ
ପୁରୁଷ ଅଟନ୍ତି; ଏତଦ୍ ବ୍ୟତିତ କାଳ, ସ୍ବଭାବ, କାର୍ଯ୍ୟ, କାରଣ, ମନ, ପଞ୍ଚଭୂତ, ଅହଂକାର, ତ୍ରିଗୁଣ, ଇନ୍ଦ୍ରିୟ, ବ୍ରହ୍ମାଣ୍ଡ-ଶରୀର, ଶରୀର-ଅଭିମାନୀ ସ୍ଥାବର ଏବଂ ଜଙ୍ଗମ
ଜୀବ – ଏମାନେ ସମସ୍ତେ ସେହି ଅନନ୍ତ ଭଗବାନଙ୍କର ହିଁ ରୂପ ଅଟନ୍ତି |
ଅହଂ ଭବୋ ଯଜ୍ଞ ଇମେ ପ୍ରଜେଶା
ଦକ୍ଷାଦୟୋ ଯେ ଭବଦାଦୟଶ୍ଚ ।
ସ୍ୱର୍ଲୋକପାଲାଃ ଖଗଲୋକପାଲା
ନୃଲୋକପାଲାସ୍ତଲଲୋକପାଲାଃ ॥ ୪୨॥
ଗନ୍ଧର୍ୱବିଦ୍ୟାଧରଚାରଣେଶା
ଯେ ଯକ୍ଷରକ୍ଷୋରଗନାଗନାଥାଃ ।
ଯେ ବା ଋଷୀଣାମୃଷଭାଃ ପିତୄଣାଂ
ଦୈତ୍ୟେନ୍ଦ୍ରସିଦ୍ଧେଶ୍ୱରଦାନବେନ୍ଦ୍ରାଃ
।
ଅନ୍ୟେ ଚ ଯେ ପ୍ରେତପିଶାଚଭୂତ-
କୂଷ୍ମାଣ୍ଡୟାଦୋମୃଗପକ୍ଷ୍ୟଧୀଶାଃ ॥ ୪୩॥
ଯତ୍କିଞ୍ଚ ଲୋକେ ଭଗବନ୍ ମହସ୍ୱ-
ଦୋଜଃସହସ୍ୱଦ୍ବଲବତ୍କ୍ଷମାବତ୍ ।
ଶ୍ରୀହ୍ରୀବିଭୂତ୍ୟାତ୍ମବଦଦ୍ଭୁତାର୍ଣଂ
ତତ୍ତ୍ୱଂ ପରଂ ରୂପବଦସ୍ୱରୂପମ୍ ॥ ୪୪॥
ମୁଁ, ଶଂକର, ବିଷ୍ଣୁ, ଦକ୍ଷ ଆଦି ପ୍ରଜାପତି, ତୁମେ ଏବଂ ତୁମ ପରି ଅନ୍ୟ ଭକ୍ତଜନ, ସ୍ବର୍ଗଲୋକର ରକ୍ଷକ, ପକ୍ଷୀମାନଙ୍କର ରାଜା, ମନୁଷ୍ୟଲୋକର ରାଜା, ନିମ୍ନଲୋକର ରାଜା; ଗନ୍ଧର୍ବ, ବିଦ୍ୟାଧର, ଚାରଣମାନଙ୍କର ଅଧିନାୟକ; ଯକ୍ଷ, ରାକ୍ଷସ, ସର୍ପ ଏବଂ ନାଗମାନଙ୍କର ସ୍ବାମୀ; ମହର୍ଷି, ପିତୃପତି, ଦୈତ୍ୟେନ୍ଦ୍ର, ସିଦ୍ଧେଶ୍ବର, ଦାନବରାଜ; ତାଛଡା ପ୍ରେତ-ପିଶାଚ, ଭୂତ-କୁଷ୍ମାଣ୍ଡ, ଜଳ-ଜନ୍ତୁ, ମୃଗ ଏବଂ ପକ୍ଷୀମାନଙ୍କର ସ୍ବାମୀ; ଏବଂ ସଂସାରରେ ଅନ୍ୟ ଯେତେ ବସ୍ତୁ ଐଶ୍ବର୍ଯ୍ୟ, ତେଜ, ଇନ୍ଦ୍ରିୟବଳ, ମନୋବଳ, ଶରୀରବଳ ବା କ୍ଷମାରେ ଯୁକ୍ତ
ଅଟନ୍ତି; ଏବଂ ଯେତେ ବସ୍ତୁ ଅଦ୍ଭୁତ ବର୍ଣ୍ଣାବଳୀ, ରୂପବାନ୍ ବା ଅରୂପ ଅଟନ୍ତି
– ସେମାନେ ସମସ୍ତେ ପରମତତ୍ତ୍ବମୟ ଭଗବତ୍-ସ୍ବରୂପ ହିଁ ଅଟନ୍ତି |
ପ୍ରାଧାନ୍ୟତୋ ଯାନ୍ ଋଷ ଆମନନ୍ତି
ଲୀଲାବତାରାନ୍ ପୁରୁଷସ୍ୟ ଭୂମ୍ନଃ ।
ଆପୀୟତାଂ କର୍ଣକଷାୟଶୋଷା-
ନନୁକ୍ରମିଷ୍ୟେ ତ ଇମାନ୍ ସୁପେଶାନ୍ ॥
୪୫॥
ହେ ନାରଦ ! ଏତଦ୍ ବ୍ୟତିତ ପରମ ପୁରୁଷ
ପରମାତ୍ମାଙ୍କର ପରମ ପବିତ୍ର ଏବଂ ପ୍ରଧାନ-ପ୍ରଧାନ ଲୀଳାବତାର ମଧ୍ୟ ଶାସ୍ତ୍ରରେ ବର୍ଣ୍ଣିତ |
ସେସବୁର ବର୍ଣ୍ଣନା ମୁଁ କ୍ରମଶଃ କରୁଛି | ତାଙ୍କର ଚରିତ୍ର ଶ୍ରବଣ କରିବାକୁ ଅତ୍ୟନ୍ତ ମଧୁର ଏବଂ
ତାହା ଶ୍ରବଣେନ୍ଦ୍ରିୟର ଦୋଷ ଦୂର କରିଥାଏ | ତୁମେ ସାବଧାନ ସହକାରେ ତାହାର ରସ ଆସ୍ବାଦନ କର |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ
ପାରମହଂସ୍ୟାଂ
ସଂହିତାୟାଂ ଦ୍ୱିତୀୟସ୍କନ୍ଧେ
ଷଷ୍ଠୋଽଧ୍ୟାୟଃ ॥ ୬॥

Comments
Post a Comment