ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ

ଦ୍ବିତୀୟ ସ୍କନ୍ଧ

ସପ୍ତମ ଅଧ୍ୟାୟ

ଭଗବାନଙ୍କ ଲୀଳାବତାରମାନଙ୍କର କଥା

 

ବ୍ରହ୍ମୋବାଚ

ଯତ୍ରୋଦ୍ୟତଃ କ୍ଷିତିତଲୋଦ୍ଧରଣାୟ ବିଭ୍ରତ୍-

କ୍ରୌଡୀଂ ତନୁଂ ସକଲୟଜ୍ଞମୟୀମନନ୍ତଃ ।

ଅନ୍ତର୍ମହାର୍ଣବ ଉପାଗତମାଦିଦୈତ୍ୟଂ

ତଂ ଦଂଷ୍ଟ୍ରୟାଦ୍ରିମିବ ବଜ୍ରଧରୋ ଦଦାର ॥ ୧॥

ବ୍ରହ୍ମା କହୁଛନ୍ତି – ପ୍ରଳୟ ଜଳରେ ବୁଡି ରହିଥିବା ପୃଥିବୀକୁ ଉଦ୍ଧାର କରିବା ନିମନ୍ତେ ଅନନ୍ତ ଭଗବାନ ସମସ୍ତ ଯଜ୍ଞମୟ ବରାହ-ଶରୀର ଗ୍ରହଣ କରିଥିଲେ | ଜଳ ଗର୍ଭରେ ହିଁ ଆଦିଦୈତ୍ୟ ହିରଣାକ୍ଷ ଲଢେଇ କରିବା ଉଦ୍ଦେଶ୍ୟରେ ତାଙ୍କ ସମ୍ମୁଖକୁ ଆସିଥିଲା | କିନ୍ତୁ ଇନ୍ଦ୍ର ଯେପରି ବଜ୍ର ଦ୍ବାରା ପର୍ବତମାନଙ୍କର ପକ୍ଷ କର୍ତ୍ତନ କରିଥିଲେ, ସେହିପରି ବରାହ ଭଗବାନ ନିଜ ଶୁଣ୍ଢ ଦ୍ବାରା ତାକୁ ଖଣ୍ଡ-ଖଣ୍ଡ କରିଦେଲେ |

ଜାତୋ ରୁଚେରଜନୟତ୍ସୁୟମାନ୍ ସୁୟଜ୍ଞ

ଆକୂତିସୂନୁରମରାନଥ ଦକ୍ଷିଣାୟାମ୍ ।

ଲୋକତ୍ରୟସ୍ୟ ମହତୀମହରଦ୍ୟଦାର୍ତିଂ

ସ୍ୱାୟମ୍ଭୁବେନ ମନୁନା ହରିରିତ୍ୟନୂକ୍ତଃ ॥ ୨॥

ତାପରେ ସେହି ପ୍ରଭୁ ରୁଚି ନାମକ ପ୍ରଜାପତିଙ୍କର ପତ୍ନୀ ଆକୂତିଙ୍କ ଗର୍ଭରୁ ସୁଯଜ୍ଞ ରୂପରେ ଅବତାର ଗ୍ରହଣ କଲେ | ସେହି ଅବତାରରେ ସେ ଦକ୍ଷିଣା ନାମ୍ନୀ ପତ୍ନୀଙ୍କ ଗର୍ଭରୁ ସୁଯମ ନାମକ ଦେବତାଙ୍କୁ ଉତ୍ପନ୍ନ କଲେ ଏବଂ ତ୍ରିଲୋକର ବହୁତ ବଡ ବଡ ସଂକଟ ହରଣ କଲେ | ସେଥିପାଇଁ ସ୍ବାୟମ୍ଭୁବ ମନୁ ତାଙ୍କୁ ‘ହରି ନାମରେ ସମ୍ବୋଧିତ କରିଥିଲେ |

ଜଜ୍ଞେ ଚ କର୍ଦମଗୃହେ ଦ୍ୱିଜ ଦେବହୂତ୍ୟାଂ

ସ୍ତ୍ରୀଭିଃ ସମଂ ନବଭିରାତ୍ମଗତିଂ ସ୍ୱମାତ୍ରେ ।

ଊଚେ ଯୟାଽଽତ୍ମଶମଲଂ ଗୁଣସଙ୍ଗପଙ୍କ-

ମସ୍ମିନ୍ୱିଧୂୟ କପିଲସ୍ୟ ଗତିଂ ପ୍ରପେଦେ ॥ ୩॥

ହେ ନାରଦ ! କର୍ଦମ ପ୍ରଜାପତିଙ୍କ ଘରେ ଦେବହୂତିଙ୍କ ଗର୍ଭରୁ ନଅ ଭଗିନୀଙ୍କ ସହିତ ଭଗବାନ କପିଳ ରୂପରେ ଅବତାର ଗ୍ରହଣ କଲେ | ସେ ନିଜ ମାତାଙ୍କୁ ସେହି ଆତ୍ମଜ୍ଞାନ ଉପଦେଶ ପ୍ରଦାନ କରିଥିଲେ ଯଦ୍ବାରା ସେହି ଜନ୍ମରେ ହିଁ ସେ ହୃଦୟର ସମସ୍ତ ମଳୀନତା – ତ୍ରିଗୁଣ ଆସକ୍ତିର ସମସ୍ତ କର୍ଦମକୁ ଧୌତ କରି କପିଳ ଭଗବାନଙ୍କର ବାସ୍ତବିକ ସ୍ଵରୂପକୁ ପ୍ରାପ୍ତ ହୋଇଯାଇ ଥିଲେ |

ଅତ୍ରେରପତ୍ୟମଭିକାଙ୍କ୍ଷତ ଆହ ତୁଷ୍ଟୋ

ଦତ୍ତୋ ମୟାହମିତି ଯଦ୍ଭଗବାନ୍ ସ ଦତ୍ତଃ ।

ଯତ୍ପାଦପଙ୍କଜପରାଗପବିତ୍ରଦେହା

ଯୋଗର୍ଦ୍ଧିମାପୁରୁଭୟୀଂ ଯଦୁହୈହୟାଦ୍ୟାଃ ॥ ୪॥

ମହର୍ଷି ଅତ୍ରି ଭଗବାନଙ୍କୁ ପୁତ୍ର ରୂପରେ ପ୍ରାପ୍ତ କରିବାକୁ ଇଚ୍ଛା କରିଥିଲେ | ତାଙ୍କ ପ୍ରତି ପ୍ରସନ୍ନ ହୋଇ ଭଗବାନ ତାଙ୍କୁ ଦିନେ କହିଲେ, “ମୁଁ ନିଜେ-ନିଜକୁ ତୁମକୁ ପ୍ରଦାନ କଲି |” ସେଥିପାଇଁ ସେହି ଅବତାରରେ ଭଗବାନଙ୍କର ନାମ ଦତ୍ତ (ଦତ୍ତାତ୍ରେୟ) ରଖାଗଲା | ତାଙ୍କ ଚରଣ-କମଳ-ପରାଗରେ ନିଜ ଶରୀରକୁ ପବିତ୍ର କରି ରାଜା ଯଦୁ ଏବଂ ସହସ୍ରାର୍ଜୁନ ଆଦି ଯୋଗର ଭୋଗ ଏବଂ ମୋକ୍ଷ ଉଭୟ ସିଦ୍ଧି ପ୍ରାପ୍ତ କରିଥିଲେ |

ତପ୍ତଂ ତପୋ ବିବିଧଲୋକସିସୃକ୍ଷୟା ମେ

ଆଦୌ ସନାତ୍ସ୍ୱତପସଃ ସ ଚତୁଃସନୋଽଭୂତ୍ ।

ପ୍ରାକ୍କଲ୍ପସମ୍ପ୍ଲବବିନଷ୍ଟମିହାତ୍ମତତ୍ତ୍ୱଂ

ସମ୍ୟଗ୍ଜଗାଦ ମୁନୟୋ ଯଦଚକ୍ଷତାତ୍ମନ୍ ॥ ୫॥

ହେ ନାରଦ ! ସୃଷ୍ଟିର ପ୍ରାରମ୍ଭରେ ମୁଁ ବିବିଧ ଲୋକ ରଚନା କରିବା ଇଚ୍ଛାରେ ତପସ୍ୟା କଲି | ମୋର ଅଖଣ୍ଡ ତପସ୍ୟାରେ ପ୍ରସନ୍ନ ହୋଇ ସେ ‘ତପ ଅର୍ଥବିଶିଷ୍ଟ ‘ସନ ନାମଯୁକ୍ତ ହୋଇ ସନକ, ସନନ୍ଦନ, ସନାତନ ଏବଂ ସନତ୍ କୁମାର ରୂପରେ ଅବତାର ଗ୍ରହଣ କଲେ | ଏହି ଅବତାରରେ ସେ ପ୍ରଳୟ ଯୋଗୁଁ ବିସ୍ମୃତ ହୋଇଯାଇଥିବା ପୂର୍ବ କଳ୍ପର ଆତ୍ମଜ୍ଞାନ ଉପଦେଶ ଋଷିମାନଙ୍କୁ ପ୍ରଦାନ କରିଥିଲେ, ଯଦ୍ବାରା ସେମାନେ ନିଜ ହୃଦୟରେ ପରମ ତତ୍ତ୍ବର ସାକ୍ଷାତକାର ତତ୍କାଳ କରିପାରିଲେ |

ଧର୍ମସ୍ୟ ଦକ୍ଷଦୁହିତର୍ୟଜନିଷ୍ଟ ମୂର୍ତ୍ୟାଂ

ନାରାୟଣୋ ନର ଇତି ସ୍ୱତପଃପ୍ରଭାବଃ ।

ଦୃଷ୍ଟ୍ୱାଽଽତ୍ମନୋ ଭଗବତୋ ନିୟମାବଲୋପଂ

ଦେବ୍ୟସ୍ତ୍ୱନଙ୍ଗପୃତନା ଘଟିତୁଂ ନ ଶେକୁଃ ॥ ୬॥

ଧର୍ମ-ପତ୍ନୀ ଦକ୍ଷକନ୍ୟା ମୂର୍ତ୍ତିଙ୍କ ଗର୍ଭରୁ ସେ ନର-ନାରାୟଣ ରୂପରେ ପ୍ରକଟ ହେଲେ | ତାଙ୍କ ତପସ୍ୟାର ପ୍ରଭାବ ତାଙ୍କ ପରି ଥିଲା | ଇନ୍ଦ୍ରଙ୍କ ଦ୍ବାରା ପ୍ରେରିତ କାମଦେବଙ୍କର ସେନା-ରୂପୀ ଅପ୍ସରାମାନେ ତାଙ୍କ ସମ୍ମୁଖକୁ ଯିବା ମାତ୍ରେ ନିଜର ସ୍ବଭାବ ହରାଇ ବସିଲେ | ନିଜର ହାବଭାବ ଦ୍ବାରା ସେମାନେ ସେହି ଆତ୍ମସ୍ବରୂପ ଭଗବାନଙ୍କ ତପସ୍ୟାରେ ବିଘ୍ନ ଉତ୍ପନ୍ନ କରିପାରିଲେ ନାହିଁ |

କାମଂ ଦହନ୍ତି କୃତିନୋ ନନୁ ରୋଷଦୃଷ୍ଟ୍ୟା

ରୋଷଂ ଦହନ୍ତମୁତ ତେ ନ ଦହନ୍ତ୍ୟସହ୍ୟମ୍ ।

ସୋଽୟଂ ଯଦନ୍ତରମଲଂ ପ୍ରବିଶନ୍ ବିଭେତି

କାମଃ କଥଂ ନୁ ପୁନରସ୍ୟ ମନଃ ଶ୍ରୟେତ ॥ ୭॥

ହେ ନାରଦ ! ଶଂକର ଆଦି ମହାନ୍ ବିଭୂତି ନିଜ ରୋଷପୂର୍ଣ୍ଣ ଦୃଷ୍ଟିରେ କାମଦେବଙ୍କୁ ଭସ୍ମ କରିଦିଅନ୍ତି | କିନ୍ତୁ ନିଜେ-ନିଜକୁ ଦଗ୍ଧ କରୁଥିବା ଅସହ୍ୟ କ୍ରୋଧକୁ ସେମାନେ ଭସ୍ମ କରିପାରନ୍ତି ନାହିଁ | ସେହି କ୍ରୋଧ ନର-ନାରାୟଣଙ୍କ ନିର୍ମଳ ହୃଦୟରେ ପ୍ରବେଶ କରିବା ଚେଷ୍ଟାରେ ଥରଥର କମ୍ପିବାରେ ଲାଗେ | ତେଣୁ ତାଙ୍କ ହୃଦୟରେ କାମ ପ୍ରବେଶ କରନ୍ତା କିପରି |

ବିଦ୍ଧଃ ସପତ୍ନ୍ୟୁଦିତପତ୍ରିଭିରନ୍ତି ରାଜ୍ଞୋ

ବାଲୋଽପି ସନ୍ନୁପଗତସ୍ତପସେ ବନାନି ।

ତସ୍ମା ଅଦାଦ୍ଧ୍ରୁବଗତିଂ ଗୃଣତେ ପ୍ରସନ୍ନୋ

ଦିବ୍ୟାଃ ସ୍ତୁବନ୍ତି ମୁନୟୋ ଯଦୁପର୍ୟଧସ୍ତାତ୍ ॥ ୮॥

ନିଜ ପିତା ଉତ୍ତାନପାଦଙ୍କ ପାଖରେ ବସିଥିବା ପଞ୍ଚବର୍ଷୀୟ ବାଳକ ଧ୍ରୁବଙ୍କୁ ତାଙ୍କର ସାବତ ମା ସୁରୁଚି ନିଜ ବାକ୍ୟ-ବାଣରେ ବିଦ୍ଧ କରିଥିଲେ | ଅତି ଅଳ୍ପ ବୟସର ହୋଇ ମଧ୍ୟ ସେ ସେହି ଗ୍ଲାନିରେ ତପସ୍ୟା କରିବାକୁ ବଣକୁ ଚାଲିଗଲେ | ତାଙ୍କ ପ୍ରାର୍ଥନାରେ ପ୍ରସନ୍ନ ହୋଇ ଭଗବାନ ପ୍ରକଟ ହେଲେ ଏବଂ ବରଦାନ ସ୍ବରୂପ ଧ୍ରୁବଙ୍କୁ ସେ ଧ୍ରୁବପଦ ପ୍ରଦାନ କଲେ | ଆଜି ମଧ୍ୟ ମହର୍ଷିଗଣ ଧ୍ରୁବଙ୍କର ଉପର-ତଳେ ପ୍ରଦକ୍ଷଣ କରି ତାଙ୍କର ସ୍ତୁତି କରୁଛନ୍ତି |

ଯଦ୍ୱେନମୁତ୍ପଥଗତଂ ଦ୍ୱିଜବାକ୍ୟବଜ୍ର-

ବିପ୍ଲୁଷ୍ଟପୌରୁଷଭଗଂ ନିରୟେ ପତନ୍ତମ୍ ।

ତ୍ରାତ୍ୱାର୍ଥିତୋ ଜଗତି ପୁତ୍ରପଦଂ ଚ ଲେଭେ

ଦୁଗ୍ଧା ବସୂନି ବସୁଧା ସକଲାନି ଯେନ ॥ ୯॥

କୁମାର୍ଗଗାମୀ ବେନଙ୍କର ଐଶ୍ବର୍ଯ୍ୟ ଏବଂ ପୌରୁଷ ବ୍ରାହ୍ମଣମାନଙ୍କର ହୁଂକାରରୂପୀ ବଜ୍ର ଦ୍ବାରା ଜଳି ଭସ୍ମ ହୋଇ ଯାଇଥିଲା | ସେ ନର୍କକୁ ପତିତ ହେବାରେ ଲାଗିଲା | ଋଷିମାନଙ୍କର ପ୍ରାର୍ଥନା ସ୍ବୀକାର କରି ଭଗବାନ ତାର ଶରୀର ମନ୍ଥନରୁ ପୃଥୁ ରୂପରେ ଅବତରିତ ହେଲେ ଏବଂ ତାକୁ ନର୍କରୁ ଉଦ୍ଧାର କଲେ; ଏହିରୂପେ ସେ ‘ପୁତ୍ର ଶବ୍ଦକୁ ଚରିତାର୍ଥ କରିଥିଲେ | ସେହି ଅବତାରରେ ସେ ପୃଥିବୀକୁ ଗାଈ କରି ତାଠାରୁ ସମ୍ପୂର୍ଣ୍ଣ ଜଗତର ହିତାର୍ଥେ ସମସ୍ତ ବନସ୍ପତି ଦୋହନ କରିଥିଲେ |

ନାଭେରସାବୃଷଭ ଆସ ସୁଦେବିସୂନୁଃ

ଯୋ ବୈ ଚଚାର ସମଦୃଗ୍ଜଡୟୋଗଚର୍ୟାମ୍ ।

ଯତ୍ପାରମହଂସ୍ୟମୃଷୟଃ ପଦମାମନନ୍ତି

ସ୍ୱସ୍ଥଃ ପ୍ରଶାନ୍ତକରଣଃ ପରିମୁକ୍ତସଙ୍ଗଃ ॥ ୧୦॥

ରାଜା ନାଭିଙ୍କ ପତ୍ନୀ ସୁଦେବୀଙ୍କ ଗର୍ଭରୁ ଭଗବାନ ଋଷଭଦେବ ରୂପେ ଜନ୍ମ ଗ୍ରହଣ କରିଥିଲେ | ଏହି ଅବତାରରେ ସେ ପୂର୍ଣ୍ଣ ଆସକ୍ତିରହିତ ହୋଇ, ନିଜ ଇନ୍ଦ୍ରିୟ ଓ ମନକୁ ଅତ୍ୟନ୍ତ ଶାନ୍ତ କରି, ଏବଂ ନିଜ ସ୍ବରୂପରେ ସ୍ଥିତ ରହି ସମଦର୍ଶୀ ରୂପରେ ଜଡବତ୍ ଯୋଗଚର୍ଯ୍ୟା ଆଚରଣ କରିଥିଲେ | ମହର୍ଷିମାନେ ଏହି ସ୍ଥିତିକୁ ପରମହଂସପଦ ଅଥବା ଅବଧୂତଚର୍ଯ୍ୟା କହନ୍ତି |

ସତ୍ରେ ମମାସ ଭଗବାନ୍ ହୟଶୀରଷାଥୋ

ସାକ୍ଷାତ୍ସ ଯଜ୍ଞପୁରୁଷସ୍ତପନୀୟବର୍ଣଃ ।

ଛନ୍ଦୋମୟୋ ମଖମୟୋଽଖିଲଦେବତାଽଽତ୍ମା

ବାଚୋ ବଭୂବୁରୁଶତୀଃ ଶ୍ୱସତୋଽସ୍ୟ ନସ୍ତଃ ॥ ୧୧॥

ଏଥୁଅନ୍ତେ ସେହି ଯଜ୍ଞପୁରୁଷ ସ୍ବୟଂ ମୋ ଯଜ୍ଞରେ ସୁବର୍ଣ୍ଣ କାନ୍ତିଯୁକ୍ତ ହୟଗ୍ରୀବ ରୂପରେ ଅବତାର ଗ୍ରହଣ କଲେ | ଭଗବାନଙ୍କର ସେହି ବିଗ୍ରହ ବେଦମୟ, ଯଜ୍ଞମୟ ଏବଂ ସର୍ବଦେବମୟ ଅଟେ | ତାଙ୍କ ନାସିକାରୁ ହିଁ ଶ୍ବାସ ରୂପରେ ବେଦବାଣୀ ପ୍ରକଟ ଲାଭ କଲା |

ମତ୍ସ୍ୟୋ ଯୁଗାନ୍ତସମୟେ ମନୁନୋପଲବ୍ଧଃ

କ୍ଷୋଣୀମୟୋ ନିଖିଲଜୀବନିକାୟକେତଃ ।

ବିସ୍ରଂସିତାନୁରୁଭୟେ ସଲିଲେ ମୁଖାନ୍ମେ

ଆଦାୟ ତତ୍ର ବିଜହାର ହ ବେଦମାର୍ଗାନ୍ ॥ ୧୨॥

ଚାକ୍ଷୁଷ ମନ୍ବନ୍ତର ଅନ୍ତରେ ଭାବି ମନୁ ସତ୍ୟବ୍ରତ ମତ୍ସ୍ୟ ରୂପରେ ଭଗବାନଙ୍କୁ ପ୍ରାପ୍ତ କରିଥିଲେ | ସେହି ସମୟରେ ପୃଥ୍ବୀ-ରୂପ ନୌକାକୁ ଆଶ୍ରୟ ପ୍ରଦାନ କରି ସେ ହିଁ ସମସ୍ତ ଜୀବସମୁଦାୟର ଆଶ୍ରୟ ହୋଇଥିଲେ | ପ୍ରଳୟର ସେହି ଭୟଙ୍କର ଜଳରେ ମୋ ମୁଖରୁ ଖସି ପଡିଥିବା ବେଦକୁ ଧାରଣ କରି ସେ ସେହି ଜଳରେ ବିହାର କରୁଥିଲେ |

କ୍ଷୀରୋଦଧାବମରଦାନବୟୂଥପାନା-

ମୁନ୍ମଥ୍ନତାମମୃତଲବ୍ଧୟ ଆଦିଦେବଃ ।

ପୃଷ୍ଠେନ କଚ୍ଛପବପୁର୍ୱିଦଧାର ଗୋତ୍ରଂ

ନିଦ୍ରାକ୍ଷଣୋଽଦ୍ରିପରିବର୍ତକଷାଣକଣ୍ଡୂଃ ॥ ୧୩॥

ଯେତେବେଳେ ମୁଖ୍ୟ-ମୁଖ୍ୟ ଦେବତା ଏବଂ ଦାନବ ଅମୃତ ପ୍ରାପ୍ତି ନିମନ୍ତେ କ୍ଷୀରସାଗରକୁ ମନ୍ଥନ କରୁଥିଲେ, ସେତେବେଳେ ଭଗବାନ କଚ୍ଛପ ରୂପରେ ମନ୍ଦରାଚଳକୁ ନିଜ ପୃଷ୍ଠରେ ଧାରଣ କରିଥିଲେ | ସେହି ସମୟରେ ପର୍ବତ ଘୂର୍ଣ୍ଣନରେ ତାଙ୍କ ପୃଷ୍ଠଦେଶରେ ଯେଉଁ କ୍ଷତ ସୃଷ୍ଟି ହୋଇଥିଲା ତଦ୍ବାରା ପିଠିକୁଣ୍ଡିଆ କିଛି ମାତ୍ରାରେ ଶାନ୍ତ ହୋଇ ଯାଇଥିଲା ଏବଂ ସେ କିଛି କ୍ଷଣ ସୁଖନିଦ୍ରାରେ ଶୟନ କରିପାରି ଥିଲେ |

ତ୍ରୈବିଷ୍ଟପୋରୁଭୟହା ସ ନୃସିଂହରୂପଂ

କୃତ୍ୱା ଭ୍ରମଦ୍ଭ୍ରୁକୁଟିଦଂଷ୍ଟ୍ରକରାଲବକ୍ତ୍ରମ୍ ।

ଦୈତ୍ୟେନ୍ଦ୍ରମାଶୁ ଗଦୟାଭିପତନ୍ତମାରା-

ଦୂରୌ ନିପାତ୍ୟ ବିଦଦାର ନଖୈଃ ସ୍ଫୁରନ୍ତମ୍ ॥ ୧୪॥

ଦେବତାମାନଙ୍କର ମହାନ୍ ଭୟ ଦୂର କରିବା ପାଇଁ ସେ ନୃସିଂହ ରୂପ ଧାରଣ କରିଥିଲେ | କ୍ରୋଧବିସ୍ଫାରିତ ଭୃକୁଟି ଏବଂ ତୀକ୍ଷ୍ଣ ଦନ୍ତ ଯୋଗୁଁ ତାଙ୍କର ମୁଖ ଅତ୍ୟନ୍ତ ଭୟାନକ ମନେ ହେଉଥିଲା | ତାଙ୍କୁ ଦେଖୁ ଦେଖୁ ହିରଣ୍ୟକଶିପୁ ହାତରେ ଗଦା ଧରି ତାଙ୍କ ଉପରକୁ ଲମ୍ପ ମାରିଲା | ଭଗବାନ ନୃସିଂହ ଦୂରରୁ ହିଁ ତାକୁ ଧରିନେଇ ନିଜ ଜଂଘ ଉପରେ ପକାଇ ଦେଲେ ଏବଂ ସେ ଛଟପଟ ହେଉଥିଲେ ମଧ୍ୟ ନଖରେ ତାର ଉଦରକୁ ବିଦୀର୍ଣ୍ଣ କରି ତାକୁ ବଧ କଲେ |

ଅନ୍ତଃସରସ୍ୟୁରୁବଲେନ ପଦେ ଗୃହୀତୋ

ଗ୍ରାହେଣ ଯୂଥପତିରମ୍ବୁଜହସ୍ତ ଆର୍ତଃ ।

ଆହେଦମାଦିପୁରୁଷାଖିଲଲୋକନାଥ

ତୀର୍ଥଶ୍ରବଃ ଶ୍ରବଣମଙ୍ଗଲନାମଧେୟ ॥ ୧୫॥

ବହୁତ ବଡ ସରୋବରରେ ମହାବଳୀ ଗ୍ରାହ ଗଜେନ୍ଦ୍ରର ପାଦକୁ ଗ୍ରାସ କରୁଥିଲା | ତା କବଳରୁ ମୁକ୍ତ ହେବାର ଚେଷ୍ଟାରେ ଥକିହାରି ଗଜେନ୍ଦ୍ର ଯେତେବେଳେ ନିଜକୁ ଅସହାୟ ଅନୁଭବ କଲା, ସେତେବେଳେ ସେ ନିଜ ଶୁଣ୍ଢରେ କମଳ ପୁଷ୍ପ ଧାରଣ କରି ଆର୍ତ୍ତ ସ୍ବରରେ ଭଗବାନଙ୍କୁ ଡାକିଲା – ହେ ଆଦିପୁରୁଷ ! ହେ ସମସ୍ତ ଲୋକର ସ୍ବାମୀ ! ହେ ଶ୍ରବଣମାତ୍ରେ କଲ୍ୟାଣକାରୀ !

ଶ୍ରୁତ୍ୱା ହରିସ୍ତମରଣାର୍ଥିନମପ୍ରମେୟ-

ଶ୍ଚକ୍ରାୟୁଧଃ ପତଗରାଜଭୁଜାଧିରୂଢଃ ।

ଚକ୍ରେଣ ନକ୍ରବଦନଂ ବିନିପାଟ୍ୟ ତସ୍ମା-

ଦ୍ଧସ୍ତେ ପ୍ରଗୃହ୍ୟ ଭଗବାନ୍ କୃପୟୋଜ୍ଜହାର ॥ ୧୬॥

ତାହାର ଆର୍ତ୍ତ ଚିତ୍କାର ଶୁଣି ଅନନ୍ତଶକ୍ତି ଭଗବାନ ଚକ୍ରପାଣି ଗରୁଡ଼ ପୃଷ୍ଠରେ ଆରୋହଣ କରି ସେଠାକୁ ଆସିଲେ ଏବଂ ନିଜ ଚକ୍ରରେ ଗ୍ରାହର ମସ୍ତକକୁ ଛିନ୍ନ କରିଦେଲେ | ଏହିପରି ଭାବରେ ଭଗବାନ ନିଜ ଶରଣାଗତ ଗଜେନ୍ଦ୍ରର ଶୁଣ୍ଢ ଧାରଣ କରି ତାକୁ ସେହି ବିପତ୍ତିରୁ ଉଦ୍ଧାର କରିଥିଲେ |

ଜ୍ୟାୟାନ୍ ଗୁଣୈରବରଜୋଽପ୍ୟଦିତେଃ ସୁତାନାଂ

ଲୋକାନ୍ ବିଚକ୍ରମ ଇମାନ୍ ଯଦଥାଧିୟଜ୍ଞଃ ।

କ୍ଷ୍ମାଂ ବାମନେନ ଜଗୃହେ ତ୍ରିପଦଚ୍ଛଲେନ

ଯାଚ୍ଞାମୃତେ ପଥି ଚରନ୍ ପ୍ରଭୁଭିର୍ନ ଚାଲ୍ୟଃ ॥ ୧୭॥

ଦେବୀ ଅଦିତିଙ୍କର ପୁତ୍ରମାନଙ୍କ ମଧ୍ୟରେ ଭଗବାନ ବାମନ ସବୁଠାରୁ କନିଷ୍ଠ ଥିଲେ, କିନ୍ତୁ ଗୁଣରେ ସେ ସମସ୍ତଙ୍କଠାରୁ ବଡ ଥିଲେ; କାରଣ ଏହି ଅବତାରରେ ବଳିର ସଂକଳ୍ପ ମାତ୍ରେ ଯଜ୍ଞପୁରୁଷ ଭଗବାନ ସମ୍ପୂର୍ଣ୍ଣ ପୃଥିବୀକୁ ନିଜ ଚରଣରେ ମାପି ନେଇଥିଲେ | ବାମନ ରୂପରେ ସେ ତିନି ପାଦ ଭୂମି ମାଗିବା ବାହାନାରେ ବଳିଠାରୁ ସମ୍ପୂର୍ଣ୍ଣ ପୃଥିବୀ ଛଡାଇ ନେଇଥିଲେ | କିନ୍ତୁ ଏହା ଦ୍ବାରା ସେ ସିଦ୍ଧ କରିଦେଇ ଥିଲେ ଯେ ସତ୍-ମାର୍ଗରେ ଚାଲୁଥିବା ପୁରୁଷଙ୍କୁ ସମର୍ଥ ପୁରୁଷମାନେ ମଧ୍ୟ କେବଳ ଯାଚନା ଅତିରିକ୍ତ ଅନ୍ୟ କୌଣସି ଉପାୟରେ ନିଜ ସ୍ଥାନରୁ ଚ୍ୟୁତ କରିପାରନ୍ତି ନାହିଁ, ଐଶ୍ବର୍ଯ୍ୟରୁ ଚ୍ୟୁତ କରିପାରନ୍ତି ନାହିଁ |

ନାର୍ଥୋ ବଲେରୟମୁରୁକ୍ରମପାଦଶୌଚ-

ମାପଃ ଶିଖାଧୃତବତୋ ବିବୁଧାଧିପତ୍ୟମ୍ ।

ଯୋ ବୈ ପ୍ରତିଶ୍ରୁତମୃତେ ନ ଚିକୀର୍ଷଦନ୍ୟ-

ଦାତ୍ମାନମଙ୍ଗ ସ ଶିରସା ହରୟେଽଭିମେନେ ॥ ୧୮॥

ଦୈତ୍ୟରାଜ ବଳି ନିଜ ମସ୍ତକରେ ସ୍ବୟଂ ବାମନଭଗବାନଙ୍କର ଚରଣାମୃତ ଧାରଣ କରିଥିଲେ | ଏହି ସ୍ଥିତିରେ ତାଙ୍କୁ ଦେବତାମାନଙ୍କର ରାଜା ଇନ୍ଦ୍ରଙ୍କର ଯେଉଁ ପଦବୀ ମିଳିଥିଲା, ତାହା ବଳିଙ୍କର ପୁରୁଷାର୍ଥ ନ ଥିଲା | ଗୁରୁ ଶୁକ୍ରାଚାର୍ଯ୍ୟଙ୍କର ବାରଣ ସତ୍ତ୍ବେ ସେ ନିଜ ପ୍ରତିଜ୍ଞା ଅତିରିକ୍ତ କିଛି କରିବାକୁ ପ୍ରସ୍ତୁତ ନ ଥିଲେ | ଏପରି କି, ଭଗବାନଙ୍କୁ ତୃତୀୟ ପାଦ ରଖିବା ପାଇଁ ଭୂମି ଦେବାକୁ ଯାଇ ସେ ନିଜର ମସ୍ତକକୁ ତାଙ୍କ ଚରଣରେ ରଖି ନିଜକୁ ଭଗବାନଙ୍କ ପ୍ରତି ସମର୍ପିତ କରିଦେଇ ଥିଲେ |

ତୁଭ୍ୟଂ ଚ ନାରଦ ଭୃଶଂ ଭଗବାନ୍ ବିବୃଦ୍ଧ-

ଭାବେନ ସାଧୁ ପରିତୁଷ୍ଟ ଉବାଚ ଯୋଗମ୍ ।

ଜ୍ଞାନଂ ଚ ଭାଗବତମାତ୍ମସତତ୍ତ୍ୱଦୀପଂ

ଯଦ୍ୱାସୁଦେବଶରଣା ବିଦୁରଞ୍ଜସୈବ ॥ ୧୯॥

ହେ ନାରଦ ! ତୁମର ପ୍ରେମଭାବରେ ପ୍ରସନ୍ନ ହୋଇ ଭଗବାନ ହଂସ ରୂପରେ ତୁମକୁ ଯୋଗ, ଜ୍ଞାନ ଏବଂ ଆତ୍ମତତ୍ତ୍ବକୁ ପ୍ରକାଶିତ କରୁଥିବା ଭାଗବତଧର୍ମର ଉପଦେଶ ପ୍ରଦାନ କରିଥିଲେ, ଯାହା କେବଳ ଭଗବାନଙ୍କର ଶରଣାଗତ ଭକ୍ତମାନଙ୍କୁ ସୁଗମତା ପୂର୍ବକ ପ୍ରାପ୍ତ ହୋଇଥାଏ |

ଚକ୍ରଂ ଚ ଦିକ୍ଷ୍ୱବିହତଂ ଦଶସୁ ସ୍ୱତେଜୋ

ମନ୍ୱନ୍ତରେଷୁ ମନୁବଂଶଧରୋ ବିଭର୍ତି ।

ଦୁଷ୍ଟେଷୁ ରାଜସୁ ଦମଂ ବ୍ୟଦଧାତ୍ସ୍ୱକୀର୍ତିଂ

ସତ୍ୟେ ତ୍ରିପୃଷ୍ଠ ଉଶତୀଂ ପ୍ରଥୟଂଶ୍ଚରିତ୍ରୈଃ ॥ ୨୦॥

ସ୍ବାୟମ୍ଭୂବ ଆଦି ମନ୍ବନ୍ତରମାନଙ୍କରେ ସେହି ଭଗବାନ ମନୁ ରୂପରେ ଅବତାର ଗ୍ରହଣ କରି ମନୁବଂଶକୁ ରକ୍ଷା କରିବା ସହିତ ଦଶ ଦିଶାରେ ନିଜର ସୁଦର୍ଶନ ଚକ୍ର ପରି ପ୍ରଚଣ୍ଡ ତେଜ ବିକିରଣ କରି ଅବାଧିତ ନିଷ୍କଣ୍ଟକ ରାଜତ୍ବ କରୁଥିଲେ | ତ୍ରିଲୋକ ଉପରେ ସତ୍ୟଲୋକ ପର୍ଯ୍ୟନ୍ତ ତାଙ୍କ ଚରିତ୍ରର କମନୀୟ କୀର୍ତ୍ତି ପ୍ରସାରିତ ହେଉଥିଲା ଏବଂ ସେହି ରୂପରେ ସେ ସମୟ-ସମୟରେ ପୃଥିବୀର ଭାରସ୍ବରୂପ ଦୁଷ୍ଟ ରାଜାମାନଙ୍କର ଦମନ ମଧ୍ୟ କରୁଥିଲେ |

ଧନ୍ୱନ୍ତରିଶ୍ଚ ଭଗବାନ୍ ସ୍ୱୟମେବ କୀର୍ତି-

ର୍ନାମ୍ନା ନୃଣାଂ ପୁରୁରୁଜାଂ ରୁଜ ଆଶୁ ହନ୍ତି ।

ଯଜ୍ଞେ ଚ ଭାଗମମୃତାୟୁରବାବରୁନ୍ଧ

ଆୟୁଷ୍ୟବେଦମନୁଶାସ୍ତ୍ୟବତୀର୍ୟ ଲୋକେ ॥ ୨୧॥

ସ୍ବନାମଧନ୍ୟ ଭଗବାନ ଧନ୍ବନ୍ତରୀ ନିଜ ନାମ ଦ୍ବାରା ହିଁ ବଡ ବଡ ରୋଗୀମାନଙ୍କୁ ତତ୍କାଳ ରୋଗମୁକ୍ତ କରି ଦେଉଥିଲେ | ସେ ଅମୃତ ପାନ କରାଇ ଦେବତାମାନଙ୍କୁ ଅମର କରିଦେଲେ ଏବଂ ଦୈତ୍ୟମାନଙ୍କ ଦ୍ବାରା ହରଣ କରାଯାଇଥିବା ସେମାନଙ୍କର ଯଜ୍ଞ-ଭାଗ ସେମାନଙ୍କୁ ପୁନର୍ବାର ପ୍ରଦାନ କରିଥିଲେ | ସେ ହିଁ ଅବତାର ଗ୍ରହଣ କରି ସଂସାରରେ ଆୟୁର୍ବେଦ ପ୍ରବର୍ତ୍ତନ କରିଥିଲେ |

କ୍ଷତ୍ରଂ କ୍ଷୟାୟ ବିଧିନୋପଭୃତଂ ମହାତ୍ମା

ବ୍ରହ୍ମଧ୍ରୁଗୁଜ୍ଝିତପଥଂ ନରକାର୍ତିଲିପ୍ସୁ ।

ଉଦ୍ଧନ୍ତ୍ୟସାବବନିକଣ୍ଟକମୁଗ୍ରବୀର୍ୟଃ

ତ୍ରିଃସପ୍ତକୃତ୍ୱ ଉରୁଧାରପରଶ୍ୱଧେନ ॥ ୨୨॥

ସଂସାରରେ ଦୈବବଶ ଯେତେବେଳେ ଆର୍ଯ୍ୟମର୍ଯ୍ୟାଦା ଉଲ୍ଲଂଘନକାରୀ ବ୍ରାହ୍ମଣଦ୍ରୋହୀ ନାରକୀୟ କ୍ଷତ୍ରିୟମାନଙ୍କର ବୃଦ୍ଧି ଘଟିଥିଲା ଏବଂ ସେମାନେ ପୃଥିବୀରେ କଣ୍ଟକ ସ୍ବରୂପ ବିସ୍ତାର ଲାଭ କରିଥିଲେ, ସେତେବେଳେ ଭଗବାନ ମହାପରାକ୍ରମୀ ପର୍ଶୁରାମ ରୂପରେ ଅବତୀର୍ଣ୍ଣ ହୋଇ ନିଜର ତୀକ୍ଷ୍ଣ ଧାରଯୁକ୍ତ ଫାର୍ଶାରେ ଏକୋଇଶ ଥର ସେମାନଙ୍କର ସଂହାର କରିଥିଲେ |

ଅସ୍ମତ୍ପ୍ରସାଦସୁମୁଖଃ କଲୟା କଲେଶ

ଇକ୍ଷ୍ୱାକୁବଂଶ ଅବତୀର୍ୟ ଗୁରୋର୍ନିଦେଶେ ।

ତିଷ୍ଠନ୍ ବନଂ ସଦୟିତାନୁଜ ଆବିବେଶ

ଯସ୍ମିନ୍ ବିରୁଧ୍ୟ ଦଶକନ୍ଧର ଆର୍ତିମାର୍ଚ୍ଛତ୍ ॥ ୨୩॥

ମାୟାପତି ଭଗବାନ ଆମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବାକୁ ଯାଇ ନିଜ କଳାରେ ଭରତ, ଶତ୍ରୁଘ୍ନ ଏବଂ ଲକ୍ଷ୍ମଣଙ୍କ ସହିତ ଶ୍ରୀରାମ ରୂପରେ ଈକ୍ଷ୍ୱାକୁଙ୍କ ବଂଶରେ ଅବତୀର୍ଣ୍ଣ ହେଲେ | ଏହି ଅବତାରରେ ପିତୃଆଜ୍ଞା ପାଳନ କରି ସେ ନିଜ ପତ୍ନୀ ଏବଂ କନିଷ୍ଠ ଭ୍ରାତାଙ୍କ ସହିତ ବନରେ ନିବାସ କଲେ | ସେହି ସମୟରେ ତାଙ୍କର ବିରୋଧ କରି ରାବଣ ତାଙ୍କ ହସ୍ତରେ ନିହତ ହୋଇଥିଲା |

ଯସ୍ମା ଅଦାଦୁଦଧିରୂଢଭୟାଙ୍ଗବେପୋ

ମାର୍ଗଂ ସପଦ୍ୟରିପୁରଂ ହରବଦ୍ଦିଧକ୍ଷୋଃ ।

ଦୂରେ ସୁହୃନ୍ମଥିତରୋଷସୁଶୋଣଦୃଷ୍ଟ୍ୟା

ତାତପ୍ୟମାନମକରୋରଗନକ୍ରଚକ୍ରଃ ॥ ୨୪॥

ତ୍ରିପୁର ବିମାନକୁ ଭସ୍ମୀଭୂତ କରିବାକୁ ଉଦ୍ୟତ ଶଂକର ଭଗବାନଙ୍କ ପରି ଭଗବାନ ରାମ ଯେତେବେଳେ ଶତ୍ରୁନଗରୀ ଲଙ୍କାକୁ ଭସ୍ମ କରିବା ଉଦ୍ଦେଶ୍ୟରେ ସମୁଦ୍ରତଟରେ ପହଞ୍ଚିଲେ, ସେତେବେଳେ ସୀତାଙ୍କ ବିୟୋଗରେ କ୍ରୋଧବଶ ତାଙ୍କର ଚକ୍ଷୁ ଏପରି ରକ୍ତବର୍ଣ୍ଣ ଧାରଣ କରିଥିଲା ଯେ ତାଙ୍କ ଦୃଷ୍ଟିରେ ସମୁଦ୍ରରେ ବାସ କରୁଥିବା କୁମ୍ଭୀର, ସର୍ପ ଆଦି ଜଳ ଜୀବ ଦଗ୍ଧିଭୂତ ହେବାରେ ଲାଗିଲେ ଏବଂ ଭୟରେ ଥରହର ହୋଇ ସମୁଦ୍ର ଅତି ଶୀଘ୍ର ତାଙ୍କୁ ମାର୍ଗ ପ୍ରଦାନ କରିଦେଲା |

ବକ୍ଷଃସ୍ଥଲସ୍ପର୍ଶରୁଗ୍ଣମହେନ୍ଦ୍ରବାହ-

ଦନ୍ତୈର୍ୱିଡମ୍ବିତକକୁବ୍ଜୁଷ ଊଢହାସମ୍ ।

ସଦ୍ୟୋଽସୁଭିଃ ସହ ବିନେଷ୍ୟତି ଦାରହର୍ତୁଃ

ବିସ୍ଫୂର୍ଜିତୈର୍ଧନୁଷ ଉଚ୍ଚରତୋଽଧିସୈନ୍ୟେ ॥ ୨୫॥

ରାବଣର କଠୋର ଛାତିରେ ମାଡ ହୋଇ ଇନ୍ଦ୍ରଙ୍କର ବାହନ ଐରାବତର ଦାନ୍ତ ଯେତେବେଳେ ଚୂର୍ଣ୍ଣ-ବିଚୂର୍ଣ୍ଣ ହୋଇ ଚତୁର୍ଦ୍ଦଗରେ ବିଛାଡି ହୋଇ ଯାଇଥିଲା ଏବଂ ତଦ୍ବାରା ଦିଶା-ବିଦିଶା ଶ୍ବେତବର୍ଣ୍ଣ ଧାରଣ କରିଥିଲା, ସେତେବେଳେ ଦିଗବିଜୟୀ ରାବଣ ଗର୍ବରେ ଫୁଲି ଉଚ୍ଚହାସ୍ୟ କରିବାରେ ଲାଗିଲା | ସେହି ରାବଣ ଯେତେବେଳେ ଶ୍ରୀରାମଚନ୍ଦ୍ରଙ୍କର ପତ୍ନୀ ସୀତାଦେବୀଙ୍କୁ ଚୋରାଇ ନେଇ ତାଙ୍କ ସହିତ ଯୁଦ୍ଧ କରିବାକୁ ଆସିଲା, ସେତେବେଳେ ଭଗବାନ ଶ୍ରୀରାମଙ୍କ ଧନୁଷ ଟଙ୍କାରରେ ହିଁ ତାର ପ୍ରାଣ ସହିତ ସବୁ ଗର୍ବ ତତ୍କାଳ ବିଲୀନ ହୋଇଯାଏ |

ଭୂମେଃ ସୁରେତରବରୂଥବିମର୍ଦିତାୟାଃ

କ୍ଲେଶବ୍ୟଯାୟ କଲୟା ସିତକୃଷ୍ଣକେଶଃ ।

ଜାତଃ କରିଷ୍ୟତି ଜନାନୁପଲକ୍ଷ୍ୟମାର୍ଗଃ

କର୍ମାଣି ଚାତ୍ମମହିମୋପନିବନ୍ଧନାନି ॥ ୨୬॥

ଯେତେବେଳେ ଦଳ-ଦଳ ହୋଇ ଦୈତ୍ୟମାନେ ପୃଥିବୀକୁ ଧର୍ଷଣ କରିବାରେ ଲାଗିବେ, ସେତେବେଳେ ପୃଥିବୀର ଭାର ହରଣ କରିବା ପାଇଁ ଭଗବାନ ନିଜ ଶ୍ବେତ ଏବଂ କୃଷ୍ଣ କେଶରୁ ବଳରାମ ଏବଂ ଶ୍ରୀକୃଷ୍ଣ ରୂପରେ କଳାବତାର ଗ୍ରହଣ କରିବେ | ସେ ନିଜର ମହିମାକୁ ପ୍ରକଟ କରୁଥିବା ଏପରି ଅଦ୍ଭୁତ ଚରିତ୍ରର ବିସ୍ତାର କରିବେ ଯେ ସଂସାରର ମନୁଷ୍ୟ ତାଙ୍କର ଲୀଳା ରହସ୍ୟକୁ ଆଦୌ ବୁଝିପାରିବେ ନାହିଁ |

ତୋକେନ ଜୀବହରଣଂ ଯଦୁଲୂକିକାୟାଃ

ତ୍ରୈମାସିକସ୍ୟ ଚ ପଦା ଶକଟୋଽପବୃତ୍ତଃ ।

ଯଦ୍ରିଙ୍ଗତାନ୍ତରଗତେନ ଦିବିସ୍ପୃଶୋର୍ୱା

ଉନ୍ମୂଲନଂ ତ୍ୱିତରଥାର୍ଜୁନୟୋର୍ନ ଭାବ୍ୟମ୍ ॥ ୨୭॥

ଶୈଶବରେ ହିଁ ପୂତନାର ପ୍ରାଣ ହରଣ କରିବା, ତୃତୀୟ ମାସରେ ପାଦ ଛାଟି ବିଶାଳକାୟ ଶକଟକୁ ଓଲଟାଇ ଚୂର୍ଣ୍ଣ କରିଦେବା, ଗୁରୁଣ୍ଡି ଗୁରୁଣ୍ଡି ଗଗନଚୁମ୍ବୀ ଯାମଳାର୍ଜୁନ ବୃକ୍ଷ ମଧ୍ୟଭାଗରେ ପ୍ରବେଶ କରି ତାହାକୁ ଭୂପତିତ କରିବା – ଏସବୁ ଏପରି କର୍ମ ଅଟେ, ଯାହାକୁ ଭଗବାନଙ୍କ ବ୍ୟତିତ ଅନ୍ୟ କେହି କରିପାରିବେ ନାହିଁ |

ଯଦ୍ୱୈ ବ୍ରଜେ ବ୍ରଜପଶୂନ୍ ବିଷତୋୟପୀତାନ୍

ପାଲାଂସ୍ତ୍ୱଜୀବୟଦନୁଗ୍ରହଦୃଷ୍ଟିବୃଷ୍ଟ୍ୟା ।

ତଚ୍ଛୁଦ୍ଧୟେଽତିବିଷବୀର୍ୟବିଲୋଲଜିହ୍ୱ-

ମୁଚ୍ଚାଟୟିଷ୍ୟଦୁରଗଂ ବିହରନ୍ ହ୍ରଦିନ୍ୟାମ୍ ॥ ୨୮॥

କାଳିଆନାଗର ବିଷରେ ଦୂଷିତ ଯମୁନା-ଜଳ ପାନ କରି ଯେତେବେଳେ ବ୍ରଜର ଗୋଧନ ଏବଂ ଗୋପାଳ ବାଳକମାନେ ମୃତ୍ୟୁବରଣ କରୁଥିବେ, ସେତେବେଳେ ସେ ନିଜର ସୁଧାମୟୀ କୃପା-ଦୃଷ୍ଟି ବର୍ଷଣ କରି ସେମାନଙ୍କୁ ଜୀବିତ କରିବେ ଏବଂ ଯମୁନା-ଜଳକୁ ଶୁଦ୍ଧ କରିବା ନିମନ୍ତେ ତହିଁରେ ବିହାର କରି ବିଷ ଉଦଗାର କରୁଥିବା କାଳିଆନାଗକୁ ସେଠାରୁ ବିତାଡିତ କରିଦେବେ |

ତତ୍କର୍ମ ଦିବ୍ୟମିବ ଯନ୍ନିଶି ନିଃଶୟାନଂ

ଦାବାଗ୍ନିନା ଶୁଚିବନେ ପରିଦହ୍ୟମାନେ ।

ଉନ୍ନେଷ୍ୟତି ବ୍ରଜମତୋଽବସିତାନ୍ତକାଲଂ

ନେତ୍ରେ ପିଧାୟ୍ୟ ସବଲୋଽନଧିଗମ୍ୟବୀର୍ୟଃ ॥ ୨୯॥

ସେହି ଦିନ ରାତ୍ରୀକାଳରେ ଯେତେବେଳେ ସମସ୍ତେ ଯମୁନା-ତଟରେ ଶୋଇ ଯାଇଥିବେ ଏବଂ ଦାବାନଳରେ ଆଖ-ପାଖ ସମଗ୍ର ବନ ଦଗ୍ଧ ହେବାରେ ଲାଗିବ, ବ୍ରଜବାସୀଙ୍କର ପ୍ରାଣ ସଂକଟାପନ୍ନ ଦେଖି ସେ ବଳରାମଙ୍କ ସହିତ ସେମାନଙ୍କୁ ସୁପ୍ତ ଅବସ୍ଥାରେ ହିଁ ଅଗ୍ନି ଦାଉରୁ ରକ୍ଷା କରିବେ | ତାଙ୍କର ସେହି ଲୀଳା ମଧ୍ୟ ଅଲୌକିକ ଅଟେ | ତାଙ୍କର ଶକ୍ତି ଅଚିନ୍ତ୍ୟ ଅଟେ |

ଗୃହ୍ଣୀତ ଯଦ୍ୟଦୁପବନ୍ଧମମୁଷ୍ୟ ମାତା

ଶୁଲ୍ବଂ ସୁତସ୍ୟ ନ ତୁ ତତ୍ତଦମୁଷ୍ୟ ମାତି ।

ଯଜ୍ଜୃମ୍ଭତୋଽସ୍ୟ ବଦନେ ଭୁବନାନି ଗୋପୀ

ସମ୍ବୀକ୍ଷ୍ୟ ଶଙ୍କିତମନାଃ ପ୍ରତିବୋଧିତାଽଽସୀତ୍ ॥ ୩୦॥

ତାଙ୍କ ମା ତାଙ୍କୁ ବାନ୍ଧିବା ପାଇଁ ଯେତେ ଅଧିକ ରସିର ଉପଯୋଗ କଲେ ମଧ୍ୟ ତାହା ତାଙ୍କର ଉଦରକୁ ଆବୃତ କରିବାକୁ ଯଥେଷ୍ଟ ହେବନାହିଁ, ଦୁଇ ଅଙ୍ଗୁଳି ଛୋଟ ପଡିବ | ହାଇ ମାରୁଥିବା ସମୟରେ ଶ୍ରୀକୃଷ୍ଣଙ୍କ ମୁଖରେ ଚୌଦ ଭୁବନ ଦର୍ଶନ କରି ପ୍ରଥମେ ତ ଯଶୋଦା ଭୟଭୀତ ହୋଇ ଉଠିବେ, କିନ୍ତୁ ପରେ ସେ ନିଜକୁ ସମ୍ଭାଳି ନେବେ |

ନନ୍ଦଂ ଚ ମୋକ୍ଷ୍ୟତି ଭୟାଦ୍ୱରୁଣସ୍ୟ ପାଶା-

ଦ୍ଗୋପାନ୍ ବିଲେଷୁ ପିହିତାନ୍ ମୟସୂନୁନା ଚ ।

ଅହ୍ନ୍ୟାପୃତଂ ନିଶି ଶୟାନମତିଶ୍ରମେଣ

ଲୋକଂ ବିକୁଣ୍ଠମୁପନେଷ୍ୟତି ଗୋକୁଲଂ ସ୍ମ ॥ ୩୧॥

ସେ ନନ୍ଦବାବାଙ୍କୁ ଅଜଗର ଭୟରୁ ଏବଂ ବରୁଣ-ପାଶରୁ ମୁକ୍ତ କରିବେ | ମୟ ଦାନବର ପୁତ୍ର ବୌମାସୁର ଯେତେବେଳେ ଗୋପବାଳକମାନଙ୍କୁ ପର୍ବତ-ଗୁମ୍ଫାରେ ବନ୍ଦ କରି ରଖିଥିବ, ସେତେବେଳେ ସେ ସେମାନଙ୍କୁ ମଧ୍ୟ ସେଠାରୁ ମୁକ୍ତ କରିବେ | ଗୋକୁଳବାସୀ, ଯେଉଁମାନେ ସାରା ଦିନ ନିଜ କାମ-ଧନ୍ଦାରେ ବ୍ୟସ୍ତ ରହୁଥିବେ ଏବଂ କ୍ଲାନ୍ତ ହୋଇ ରାତିରେ ଶୋଇ ଯାଉଥିବେ, ସେମାନେ ସାଧନହୀନ ହୋଇଥିଲେ ବି ଭଗବାନ ତାଙ୍କୁ ନିଜ ପରମଧାମରେ ସ୍ଥାନ ଦେବେ |

ଗୋପୈର୍ମଖେ ପ୍ରତିହତେ ବ୍ରଜବିପ୍ଲବାୟ

ଦେବେଽଭିବର୍ଷତି ପଶୂନ୍ କୃପୟା ରିରକ୍ଷୁଃ ।

ଧର୍ତୋଚ୍ଛିଲୀନ୍ଧ୍ରମିବ ସପ୍ତଦିନାନି ସପ୍ତ-

ବର୍ଷୋ ମହୀଧ୍ରମନଘୈକକରେ ସଲୀଲମ୍ ॥ ୩୨॥

ହେ ନିଷ୍ପାପ ନାରଦ ! ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଗୋପମାନେ ଯେତେବେଳେ ଇନ୍ଦ୍ରଙ୍କର ପୂଜା କରିବା ବନ୍ଦ କରିଦେବେ, ସେତେବେଳେ ଇନ୍ଦ୍ର ବ୍ରଜଭୂମିକୁ ନାଶ କରିବା ଉଦ୍ଦେଶ୍ୟରେ ଚତୁର୍ଦ୍ଦିଗରୁ ମୂଷଳଧାର ବର୍ଷା କରିବାରେ ଲାଗିବେ | ବ୍ରଜଜନ ତଥା ପଶୁମାନଙ୍କୁ ସେଥିରୁ ରକ୍ଷା କରିବା ପାଇଁ ଭଗବାନ କୃପାପରବଶ ହୋଇ ସାତ ବର୍ଷ ବୟସରେ ହିଁ ଖେଳରେ-ଖେଳରେ ଗୋବର୍ଦ୍ଧନ ପର୍ବତକୁ ଗୋଟିଏ ହାତରେ ଛତ୍ର ରୂପରେ ସାତ ଦିନ ଯାଏଁ ଧାରଣ କରିବେ |

କ୍ରୀଡନ୍ ବନେ ନିଶି ନିଶାକରରଶ୍ମିଗୌର୍ୟାଂ

ରାସୋନ୍ମୁଖଃ କଲପଦାୟତମୂର୍ଚ୍ଛିତେନ ।

ଉଦ୍ଦୀପିତସ୍ମରରୁଜାଂ ବ୍ରଜଭୃଦ୍ୱଧୂନାଂ

ହର୍ତୁର୍ହରିଷ୍ୟତି ଶିରୋ ଧନଦାନୁଗସ୍ୟ ॥ ୩୩॥

ବୃନ୍ଦାବନରେ ବିହାର କରୁଥିବା ସମୟରେ ରାତ୍ରୀକାଳରେ ଯେତେବେଳେ ଚନ୍ଦ୍ରମାର ଉଜ୍ଜ୍ବଳ ଚାନ୍ଦିନୀ ଚତୁର୍ଦ୍ଦିଗରେ ବିଚ୍ଛୁରିତ ହେଉଥିବ, ସେ ରାସ କରିବା ଇଚ୍ଛାରେ ନିଜ ମୁରଲୀରେ ମଧୁର ସଙ୍ଗୀତର ସୁଦୀର୍ଘ ତାନ ଆଳାପ କରିବେ | ସେଥିରେ ପ୍ରେମବିବଶ ହୋଇ ଗୋପୀମାନେ ତାଙ୍କ ପାଖକୁ ଧାଇଁ ଆସୁଥିବା ସମୟରେ କୁବେରଙ୍କର ସେବକ ଶଂଖଚୂଡ ଯେତେବେଳେ ସେମାନଙ୍କୁ ହରଣ କରିବ, ସେତେବେଳେ ଭଗବାନ ତାର ସିର ଛେଦନ କରିବେ |

ଯେ ଚ ପ୍ରଲମ୍ବଖରଦର୍ଦୁରକେଶ୍ୟରିଷ୍ଟ-

ମଲ୍ଲେଭକଂସୟବନାଃ କୁଜପୌଣ୍ଡ୍ରକାଦ୍ୟାଃ ।

ଅନ୍ୟେ ଚ ଶାଲ୍ୱକପିବଲ୍ୱଲଦନ୍ତବକ୍ତ୍ର-

ସପ୍ତୋକ୍ଷଶମ୍ବରବିଦୂରଥରୁକ୍ମିମୁଖ୍ୟାଃ ॥ ୩୪॥

ଯେ ବା ମୃଧେ ସମିତିଶାଲିନ ଆତ୍ତଚାପାଃ

କାମ୍ବୋଜମତ୍ସ୍ୟକୁରୁସୃଞ୍ଜୟକୈକୟାଦ୍ୟାଃ ।

ଯାସ୍ୟନ୍ତ୍ୟଦର୍ଶନମଲଂ ବଲପାର୍ଥଭୀମ-

ବ୍ୟାଜାହ୍ୱୟେନ ହରିଣା ନିଲୟଂ ତଦୀୟମ୍ ॥ ୩୫॥

ତା ସହିତ ପ୍ରଳମ୍ବାସୁର, ଧେନୁକାସୁର, ବକାସୁର, କେଶୀ, ଅରିଷ୍ଟାସୁର, ଆଦି ଦୈତ୍ୟ, ଚାଣୂର ଆଦି ମଲ୍ଲଯୋଦ୍ଧା, କୁବଳୟାପୀଡ ହାତୀ, କଂସ, କାଳଯବନ, ଭୌମାସୁର, ମିଥ୍ୟାବାସୁଦେବ, ଶାଲ୍ବ, ଦ୍ବିବିଦ ବାନର, ବଲ୍ବଳ, ଦନ୍ତବକ୍ତ୍ର, ରାଜା ନଗ୍ରଜିତଙ୍କର ସାତଟି ବଳଦ, ଶମ୍ବରାସୁର, ବିଦୂରଥ ଏବଂ ରୁକ୍ମୀ ଆଦି ତଥା କାମ୍ବୋଜ, ମତ୍ସ୍ୟ, କୁରୁ, କୈକେୟ, ଏବଂ ସୃଞ୍ଜୟ ଆଦି ଦେଶର ରାଜା ଏବଂ ଯେ କୌଣସି ଯୋଦ୍ଧା ଯିଏ ଧନୁଶର ଧାରଣ କରି ଯୁଦ୍ଧକ୍ଷେତ୍ରରେ ସମ୍ମୁଖକୁ ଆସିବେ, ସେମାନଙ୍କୁ ବଳରାମ, ଭୀମସେନ, ଅର୍ଜୁନ ଆଦି ନାମରେ ସ୍ବୟଂ ଭଗବାନ ହିଁ ନିଧନ କରି ନିଜ ଧାମକୁ ପ୍ରସ୍ଥାନ କରିବେ |

କାଲେନ ମୀଲିତଧିୟାମବମୃଶ୍ୟ ନୄଣାଂ

ସ୍ତୋକାୟୁଷାଂ ସ୍ୱନିଗମୋ ବତ ଦୂରପାରଃ ।

ଆବିର୍ହିତସ୍ତ୍ୱନୁୟୁଗଂ ସ ହି ସତ୍ୟବତ୍ୟାଂ

ବେଦଦ୍ରୁମଂ ବିଟପଶୋ ବିଭଜିଷ୍ୟତି ସ୍ମ ॥ ୩୬॥

ସମୟ ଚକ୍ରର ଆବର୍ତ୍ତନରେ ଯେତେବେଳେ ମନୁଷ୍ୟର ବୁଦ୍ଧି କ୍ଷୟ ହେବାରେ ଲାଗେ, ଆୟୁ ମଧ୍ୟ କ୍ଷୀଣ ହୋଇଯାଏ, ଭଗବାନ ଦେଖନ୍ତି ଏମାନେ ଏବେ ମୋର ତତ୍ତ୍ବ ନିର୍ଣ୍ଣାୟକ ବେଦବାଣୀକୁ ବୁଝିବାକୁ ଅସମର୍ଥ ହୋଇ ଯାଇଛନ୍ତି | ସେତେବେଳେ ପ୍ରତ୍ୟେକ କଳ୍ପରେ ଭଗବାନ ସତ୍ୟବତୀଙ୍କ ଗର୍ଭରୁ ବ୍ୟାସ ରୂପରେ ପ୍ରକଟ ହୋଇ ବେଦରୂପୀ ବୃକ୍ଷକୁ ବିଭିନ୍ନ ଶାଖାରେ ବିଭାଜିତ କରିଥାଆନ୍ତି |

ଦେବଦ୍ୱିଷାଂ ନିଗମବର୍ତ୍ମନି ନିଷ୍ଠିତାନାଂ

ପୂର୍ଭିର୍ମୟେନ ବିହିତାଭିରଦୃଶ୍ୟତୂର୍ଭିଃ ।

ଲୋକାନ୍ ଘ୍ନତାଂ ମତିବିମୋହମତିପ୍ରଲୋଭଂ

ବେଷଂ ବିଧାୟ ବହୁ ଭାଷ୍ୟତ ଔପଧର୍ମ୍ୟମ୍ ॥ ୩୭॥

ଦେବତାମାନଙ୍କର ଶତ୍ରୁ ଦୈତ୍ୟମାନେ ମଧ୍ୟ ବେଦମାର୍ଗର ଅବଲମ୍ବନ ଗ୍ରହଣ କରି ମୟଦାନବ ଦ୍ବାରା ନିର୍ମିତ ଅଦୃଶ୍ୟ ବେଗଯୁକ୍ତ ନଗରୀରେ ରହି ଲୋକମାନଙ୍କର ସତ୍ୟନାଶ କରିବାରେ ଲାଗିବେ | ସେତେବେଳେ ଭଗବାନ ଲୋକଙ୍କ ବୁଦ୍ଧିରେ ମୋହ ଏବଂ ଅତିଶୟ ଲୋଭ ଉତ୍ପନ୍ନକାରୀ ବେଶ ଧାରଣ କରି ବୁଦ୍ଧ ରୂପରେ ଅନେକ ଉପଧର୍ମର ଉପଦେଶ ଦେବେ |

ଯର୍ହ୍ୟାଲୟେଷ୍ୱପି ସତାଂ ନ ହରେଃ କଥାଃ ସ୍ୟୁଃ

ପାଖଣ୍ଡିନୋ ଦ୍ୱିଜଜନା ବୃଷଲା ନୃଦେବାଃ ।

ସ୍ୱାହା ସ୍ୱଧା ବଷଡିତି ସ୍ମ ଗିରୋ ନ ଯତ୍ର

ଶାସ୍ତା ଭବିଷ୍ୟତି କଲେର୍ଭଗବାନ୍ ଯୁଗାନ୍ତେ ॥ ୩୮॥

କଳିଯୁଗର ଶେଷଭାଗରେ ଯେତେବେଳେ ସତ୍-ପୁରୁଷଙ୍କ ପ୍ରାଙ୍ଗଣରେ ମଧ୍ୟ ଭଗବତ୍-କଥା ଅନୁଷ୍ଠାନରେ ବିଘ୍ନ ଉତ୍ପନ୍ନ ହେବାରେ ଲାଗିବ; ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ କପଟୀ ହୋଇଯିବେ ଏବଂ ଶୂଦ୍ର ରାଜା ଭାବରେ ଶାସନ କରିବେ; ଏପରି କି କେଉଁଠାରୁ ମଧ୍ୟ ଦେବତା ଓ ପିତୃପୁରୁଷଙ୍କର ଯଜ୍ଞ-ଶ୍ରାଦ୍ଧ ସୂଚକ ‘ସ୍ବାହା, ‘ସ୍ବଧା, ‘ବଷଟକାର’ ଇତ୍ୟାଦିର ଧ୍ବନି ଶୁଣିବାକୁ ମିଳିବ ନାହିଁ, ସେତେବେଳେ କଳିଯୁଗକୁ ଦମନ କରିବା ପାଇଁ ଭଗବାନ କଲ୍କି ଅବତାର ଗ୍ରହଣ କରିବେ |

ସର୍ଗେ ତପୋଽହମୃଷୟୋ ନବ ଯେ ପ୍ରଜେଶାଃ

ସ୍ଥାନେ ଚ ଧର୍ମମଖମନ୍ୱମରାବନୀଶାଃ ।

ଅନ୍ତେ ତ୍ୱଧର୍ମହରମନ୍ୟୁବଶାସୁରାଦ୍ୟା

ମାୟାବିଭୂତୟ ଇମାଃ ପୁରୁଶକ୍ତିଭାଜଃ ॥ ୩୯॥

ଯେତେବେଳେ ସଂସାର ରଚନା କରିବାର ସମୟ ଆସିଥାଏ, ସେତେବେଳେ ତପସ୍ୟା, ନଅ ପ୍ରଜାପତି, ମରୀଚି ଆଦି ଋଷି ଏବଂ ମୋ ରୂପରେ; ସୃଷ୍ଟି ରକ୍ଷା କରିବାର ସମୟ ଆସିଲେ, ଧର୍ମ, ବିଷ୍ଣୁ, ମନୁ, ଦେବତା, ଏବଂ ରାଜା ରୂପରେ ତଥା ସୃଷ୍ଟିର ପ୍ରଳୟ ସମୟ ଆଗତ ହେଲେ, ଅଧର୍ମ, ରୁଦ୍ର, କ୍ରୋଧାବେଶ ନାମକ ସର୍ପ ଏବଂ ଦୈତ୍ୟ ଆଦିଙ୍କ ରୂପରେ ସର୍ବଶକ୍ତିମାନ ଭଗବାନଙ୍କର ମାୟା-ବିଭୂତିମାନେ ପ୍ରକଟ ହୁଅନ୍ତି |

ବିଷ୍ଣୋର୍ନୁ ବୀର୍ୟଗଣନାଂ କତମୋଽର୍ହତୀହ

ଯଃ ପାର୍ଥିବାନ୍ୟପି କବିର୍ୱିମମେ ରଜାଂସି ।

ଚସ୍କମ୍ଭ ଯଃ ସ୍ୱରହସାସ୍ଖଲତା ତ୍ରିପୃଷ୍ଠଂ

ଯସ୍ମାତ୍ତ୍ରିସାମ୍ୟସଦନାଦୁରୁକମ୍ପୟାନମ୍ ॥ ୪୦॥

ନିଜ ପ୍ରତିଭା ବଳରେ ପୃଥିବୀର ପ୍ରତ୍ୟେକ ଧୂଳିକଣର ଗଣନା କିଏ କରି ପାରୁଥିଲେ ମଧ୍ୟ ସଂସାରର କୌଣସି ପୁରୁଷ ଭଗବାନଙ୍କ ଶକ୍ତିର ଗଣନା କରିପାରିବେ ନାହିଁ | ତ୍ରିବିକ୍ରମ ଅବତାର ଗ୍ରହଣ କରି ସେ ଯେତେବେଳେ ତ୍ରିଲୋକର ମାପ କରୁଥିଲେ, ସେତେବେଳେ ତାଙ୍କ ଚରଣର ଅଦମ୍ୟ ବେଗରେ ପ୍ରକୃତିରୂପ ଅନ୍ତିମ ଆବରଣ ଠାରୁ ଆରମ୍ଭ କରି ସତ୍ୟଲୋକ ପର୍ଯ୍ୟନ୍ତ ସମଗ୍ର ବ୍ରହ୍ମାଣ୍ଡ ଥରି ଉଠିଲା ଏବଂ ସେତେବେଳେ ଭଗବାନ ନିଜ ଶକ୍ତିରେ ତାହାକୁ ସ୍ଥିର ରଖିଥିଲେ |

ନାନ୍ତଂ ବିଦାମ୍ୟହମମୀ ମୁନୟୋଽଗ୍ରଜାସ୍ତେ

ମାୟାବଲସ୍ୟ ପୁରୁଷସ୍ୟ କୁତୋଽପରେ ଯେ ।

ଗାୟନ୍ ଗୁଣାନ୍ ଦଶଶତାନନ ଆଦିଦେବଃ

ଶେଷୋଽଧୁନାପି ସମବସ୍ୟତି ନାସ୍ୟ ପାରମ୍ ॥ ୪୧॥

ସମସ୍ତ ସୃଷ୍ଟିର ରଚନା ଏବଂ ସଂହାର କରୁଥିବା ମାୟା ତାଙ୍କର ଏକ ଶକ୍ତି ଅଟେ | ଏହିପରି ଅନନ୍ତ ଶକ୍ତିମାନଙ୍କର ଆଶ୍ରୟ ତାଙ୍କର ସ୍ଵରୂପକୁ ମୁଁ ଜାଣେନାହିଁ କି ତୁମର ଜ୍ୟେଷ୍ଠ ଭ୍ରାତା ସନକାଦି ଜାଣନ୍ତି ନାହିଁ; ସେଠାରେ ଅନ୍ୟମାନଙ୍କର କଥା କଣ କହିବା | ଆଦିଦେବ ଭଗବାନ ଶେଷ ସହସ୍ର ମୁଖରେ ତାଙ୍କର ଗୁଣଗାନ କରିବାରେ ଲାଗିଛନ୍ତି, କିନ୍ତୁ ସେ ଏବେ ମଧ୍ୟ ତାହାର ଅନ୍ତର କଳ୍ପନା କରିପାରି ନାହାଁନ୍ତି |

ଯେଷାଂ ସ ଏବ ଭଗବାନ୍ ଦୟଯେଦନନ୍ତଃ

ସର୍ୱାତ୍ମନାଽଽଶ୍ରିତପଦୋ ଯଦି ନିର୍ୱ୍ୟଲୀକମ୍ ।

ତେ ଦୁସ୍ତରାମତିତରନ୍ତି ଚ ଦେବମାୟାଂ

ନୈଷାଂ ମମାହମିତି ଧୀଃ ଶ୍ୱଶୃଗାଲଭକ୍ଷ୍ୟେ ॥ ୪୨॥

ନିଷ୍କପଟ ଭାବରେ ଯେଉଁମାନେ ନିଜର ସର୍ବସ୍ବ ତଥା ନିଜକୁ ତାଙ୍କ ଚରଣ-କମଳରେ ଅର୍ପଣ କରିଦିଅନ୍ତି, ଅନନ୍ତ ଭଗବାନ ସେମାନଙ୍କ ପ୍ରତି ହିଁ ଦୟା କରିଥାଆନ୍ତି ଏବଂ ତାଙ୍କ ଦୟାର ପାତ୍ର ହିଁ ତାଙ୍କ ଦୁସ୍ତର ମାୟାର ସ୍ଵରୂପକୁ ଜାଣି ତାହାକୁ ଅତିକ୍ରମ କରି ଯାଆନ୍ତି | ବାସ୍ତବରେ ସେପରି ପୁରୁଷ ହିଁ କୁକୁର-ଶୃଗାଳଙ୍କର ଭୋଜନ ରୂପ ନିଜର ତଥା ନିଜ ପୁତ୍ରାଦିଙ୍କର ଶରୀରରେ ‘ଏହା ମୋର, ତାହା ତୁମର ଏପରି ଭାବ ରଖନ୍ତି ନାହିଁ |

ବେଦାହମଙ୍ଗ ପରମସ୍ୟ ହି ଯୋଗମାୟାଂ

ଯୂୟଂ ଭବଶ୍ଚ ଭଗବାନଥ ଦୈତ୍ୟବର୍ୟଃ ।

ପତ୍ନୀ ମନୋଃ ସ ଚ ମନୁଶ୍ଚ ତଦାତ୍ମଜାଶ୍ଚ

ପ୍ରାଚୀନବର୍ହିରୃଭୁରଙ୍ଗ ଉତ ଧ୍ରୁବଶ୍ଚ ॥ ୪୩॥

ପ୍ରିୟ ନାରଦ ! ପରମ ପୁରୁଷଙ୍କର ଯୋଗମାୟାକୁ ମୁଁ ଜାଣେ ତଥା ତୁମ୍ଭେମାନେ, ଭଗବାନ ଶଂକର, ଦୈତ୍ୟକୁଳଭୂଷଣ ପ୍ରହଲ୍ଲାଦ, ଶତରୂପା, ମନୁ, ମନୁପୁତ୍ର ପ୍ରିୟବ୍ରତ ଆଦି, ପ୍ରାଚୀନବର୍ହି, ଋଭୁ ଏବଂ ଧ୍ରୁବ ମଧ୍ୟ ଜାଣନ୍ତି |

ଇକ୍ଷ୍ୱାକୁରୈଲମୁଚୁକୁନ୍ଦବିଦେହଗାଧି-

ରଘ୍ୱମ୍ବରୀଷସଗରା ଗୟନାହୁଷାଦ୍ୟାଃ ।

ମାନ୍ଧାତ୍ରଲର୍କଶତଧନ୍ୱନୁରନ୍ତିଦେବା

ଦେବବ୍ରତୋ ବଲିରମୂର୍ତ୍ତରୟୋ ଦିଲୀପଃ ॥ ୪୪॥

ସୌଭର୍ୟୁତଙ୍କଶିବିଦେବଲପିପ୍ପଲାଦ-

ସାରସ୍ୱତୋଦ୍ଧବପରାଶରଭୂରିଷେଣାଃ ।

ଯେଽନ୍ୟେ ବିଭୀଷଣହନୂମଦୁପେନ୍ଦ୍ରଦତ୍ତ-

ପାର୍ଥାର୍ଷ୍ଟିଷେଣବିଦୁରଶ୍ରୁତଦେବବର୍ୟାଃ ॥ ୪୫॥

ଏତଦ୍ ବ୍ୟତିତ ଇକ୍ଷ୍ୱାକୁ, ପୁରୂରବା, ମୁଚୁକୁନ୍ଦ, ଜନକ, ଗାଧି, ରଘୁ, ଅମ୍ବରୀଷ, ସଗର, ଗୟ, ଯଯାତି ଆଦି ତଥା ମାନ୍ଧାତା, ଅଳର୍କ, ଶତଧନ୍ବା, ଅନୁ, ରନ୍ତିଦେବ, ଭୀଷ୍ମ, ବଳି ଅମୂର୍ତ୍ତରୟ, ଦିଲୀପ, ସୌଭରି, ଉତ୍ତଙ୍ଗ, ଶିବି, ଦେବଳ, ପିପ୍ପଳାଦ, ସାରସ୍ବତ, ଉଦ୍ଧବ, ପରାଶର, ଭୂରିଷେଣ, ଏବଂ ବିଭୀଷଣ, ହନୁମାନ, ଶୁକଦେବ, ଅର୍ଜୁନ, ଆର୍ଷ୍ଟିଷେଣ, ବିଦୁର ଏବଂ ଶ୍ରୁତଦେବ ଆଦି ମହାତ୍ମାମାନେ ମଧ୍ୟ ଜାଣନ୍ତି |

ତେ ବୈ ବିଦନ୍ତ୍ୟତିତରନ୍ତି ଚ ଦେବମାୟାଂ

ସ୍ତ୍ରୀଶୂଦ୍ରହୂଣଶବରା ଅପି ପାପଜୀବାଃ ।

ଯଦ୍ୟଦ୍ଭୁତକ୍ରମପରାୟଣଶୀଲଶିକ୍ଷା-

ସ୍ତିର୍ୟଗ୍ଜନା ଅପି କିମୁ ଶ୍ରୁତଧାରଣା ଯେ ॥ ୪୬॥

ଯେଉଁମାନଙ୍କୁ ଭଗବାନଙ୍କର ପ୍ରେମୀ ଭକ୍ତମାନଙ୍କ ପରି ସ୍ବଭାବ ବିକଶିତ କରିବାର ଶିକ୍ଷା ପ୍ରାପ୍ତ ହୋଇଥାଏ, ସେହି ସ୍ତ୍ରୀ, ଶୂଦ୍ର, ହୂଣ, ଭୀଲ ଏବଂ ପାପବଶତଃ ପଶୁ-ପକ୍ଷୀ ଯୋନିରେ ରହୁଥିବା ଜୀବମାନେ ମଧ୍ୟ ଭଗବାନଙ୍କ ମାୟାର ସ୍ଵରୂପକୁ ଜାଣିପାରନ୍ତି ଏବଂ ସବୁଦିନ ପାଇଁ ସଂସାର-ସାଗରରୁ ପାର ହୋଇଯାଆନ୍ତି | ସେ କ୍ଷେତ୍ରରେ ଯେଉଁମାନେ ବୈଦିକ ସଦାଚାର ପାଳନ କରନ୍ତି, ସେମାନଙ୍କ ବିଷୟରେ ଅବା କଣ କୁହାଯିବ |

ଶଶ୍ୱତ୍ପ୍ରଶାନ୍ତମଭୟଂ ପ୍ରତିବୋଧମାତ୍ରଂ

ଶୁଦ୍ଧଂ ସମଂ ସଦସତଃ ପରମାତ୍ମତତ୍ତ୍ୱମ୍ ।

ଶବ୍ଦୋ ନ ଯତ୍ର ପୁରୁକାରକବାନ୍ କ୍ରିୟାର୍ଥୋ

ମାୟା ପରୈତ୍ୟଭିମୁଖେ ଚ ବିଲଜ୍ଜମାନା ॥ ୪୭॥

ପରମାତ୍ମାଙ୍କର ବାସ୍ତବିକ ସ୍ବରୂପ ଏକରସ, ଶାନ୍ତ, ଅଭୟ ଏବଂ କେବଳ ଜ୍ଞାନସ୍ବରୂପ ଅଟେ | ସେଥିରେ ମାୟାର ବିକାର ନ ଥାଏ କି ସ୍ବୟଂ ତାଙ୍କ ଦ୍ବାରା ରଚିତ ବିଷମତା ମଧ୍ୟ ନ ଥାଏ | ସେ ସତ୍ ଏବଂ ଅସତ୍ ଉଭୟର ଉପରେ | କୌଣସି ବୈଦିକ ଅଥବା ଲୌକିକ ଶବ୍ଦର ସେଠାକୁ ଗତି ନାହିଁ | ଅନେକ ପ୍ରକାରର ସାଧନା ଦ୍ବାରା ସମ୍ପାଦିତ କର୍ମର ଫଳ ମଧ୍ୟ ସେଠାରେ ପହଞ୍ଚାଇ ପାରନ୍ତି ନାହିଁ | ଆଉ କଣ କହିବା, ସ୍ବୟଂ ମାୟା ମଧ୍ୟ ତାଙ୍କ ସମ୍ମୁଖକୁ ଯାଇପାରେ ନାହିଁ, ଲଜ୍ଜାରେ ସେଠାରୁ ଧାଇଁ ପଳାଏ |

ତଦ୍ୱୈ ପଦଂ ଭଗବତଃ ପରମସ୍ୟ ପୁଂସୋ

ବ୍ରହ୍ମେତି ଯଦ୍ୱିଦୁରଜସ୍ରସୁଖଂ ବିଶୋକମ୍ ।

ସଧ୍ର୍ୟଙ୍ ନିୟମ୍ୟ ଯତୟୋ ଯମକର୍ତହେତିଂ

ଜହ୍ୟୁଃ ସ୍ୱରାଡିବ ନିପାନଖନିତ୍ରମିନ୍ଦ୍ରଃ ॥ ୪୮॥

ପରମ ପୁରୁଷ ଭଗବାନଙ୍କର ତାହା ହିଁ ପରମପଦ ଅଟେ | ମହାତ୍ମାମାନେ ଶୋକରହିତ ଅନନ୍ତ ଆନନ୍ଦସ୍ବରୂପ ବ୍ରହ୍ମ ରୂପରେ ତାହାର ସାକ୍ଷାତକାର କରିଥାଆନ୍ତି | ସଂଯମଶୀଳ ପୁରୁଷ ସେଥିରେ ନିଜ ମନକୁ ସମାହିତ କରି ସ୍ଥିତ ହୋଇଯାଆନ୍ତି | ଇନ୍ଦ୍ର ଯେପରି ସ୍ବୟଂ ମେଘ-ରୂପ ହୋଇଥିବା କାରଣରୁ କୂପ ଖନନ କରିବା ପାଇଁ ନିଜ ପାଖରେ କୋଦାଳ ରଖନ୍ତି ନାହିଁ, ସେହିପରି ସେମାନେ ଭେଦନାଶକାରୀ ଜ୍ଞାନ-ସାଧନକୁ ମଧ୍ୟ ତ୍ୟାଗ କରିଦେଇ ଥାଆନ୍ତି |

ସ ଶ୍ରେୟସାମପି ବିଭୁର୍ଭଗବାନ୍ ଯତୋଽସ୍ୟ

ଭାବସ୍ୱଭାବବିହିତସ୍ୟ ସତଃ ପ୍ରସିଦ୍ଧିଃ ।

ଦେହେ ସ୍ୱଧାତୁବିଗମେଽନୁବିଶୀର୍ୟମାଣେ

ବ୍ୟୋମେବ ତତ୍ର ପୁରୁଷୋ ନ ବିଶୀର୍ୟତେଽଜଃ ॥ ୪୯॥

ସମସ୍ତ କର୍ମର ଫଳ ଭଗବାନ ହିଁ ପ୍ରଦାନ କରନ୍ତି; କାରଣ ନିଜ ସ୍ବଭାବ ଅନୁସାରେ ମନୁଷ୍ୟ ଯେଉଁ ଶୁଭକର୍ମ କରିଥାଏ, ତାହା ତାଙ୍କ ପ୍ରେରଣାରେ ହୋଇଥାଏ | ଏହି ଶରୀରରେ ବିଦ୍ୟମାନ ପଂଚଭୂତ ପୃଥକ୍ ପୃଥକ୍ ହୋଇଯିବା ଫଳରେ ଯଦିଓ ଶରୀର ନଷ୍ଟ ହୋଇଯାଏ, ତଥାପି ସେଥିରେ ନିବାସ କରୁଥିବା ଅଜନ୍ମା ପୁରୁଷ ଆକାଶ ତୁଲ୍ୟ ନଷ୍ଟ ହୁଅନ୍ତି ନାହିଁ |

ସୋଽୟଂ ତେଽଭିହିତସ୍ତାତ ଭଗବାନ୍ ବିଶ୍ୱଭାବନଃ ।

ସମାସେନ ହରେର୍ନାନ୍ୟଦନ୍ୟସ୍ମାତ୍ସଦସଚ୍ଚ ଯତ୍ ॥ ୫୦॥

ପୁତ୍ର ନାରଦ ! ସଂକଳ୍ପ ମାତ୍ରେ ବିଶ୍ବ ରଚନା କରୁଥିବା ଷଡୈଶ୍ବର୍ଯ୍ୟସମ୍ପନ୍ନ ଶ୍ରୀହରିଙ୍କ କଥା ମୁଁ ତୁମ ସମ୍ମୁଖରେ ସଂକ୍ଷେପତଃ ବର୍ଣ୍ଣନା କଲି | ଯାହାକିଛି କାର୍ଯ୍ୟ-କାରଣ, ଭାବ-ଅଭାବ ରହିଛି, ସେସବୁ ଭଗବାନଙ୍କଠାରୁ ଭିନ୍ନ ନୁହଁନ୍ତି | ତଥାପି ଭଗବାନ ତ ସେମାନଙ୍କଠାରୁ ପୃଥକ୍ ହିଁ ଅଟନ୍ତି |

ଇଦଂ ଭାଗବତଂ ନାମ ଯନ୍ମେ ଭଗବତୋଦିତମ୍ ।

ସଙ୍ଗ୍ରହୋଽୟଂ ବିଭୂତୀନାଂ ତ୍ୱମେତଦ୍ୱିପୁଲୀକୁରୁ ॥ ୫୧॥

ଭଗବାନ ମୋତେ ଯେଉଁ ଉପଦେଶ ପ୍ରଦାନ କରିଥିଲେ, ତାହା ଏହି ‘ଭାଗବତ ଅଟେ | ଏଥିରେ ଭଗବାନଙ୍କ ବିଭୂତିମାନଙ୍କର ସଂକ୍ଷିପ୍ତ ବର୍ଣ୍ଣନା ଅଛି | ତୁମେ ଏହାର ବିସ୍ତାର କର |

ଯଥା ହରୌ ଭଗବତି ନୃଣାଂ ଭକ୍ତିର୍ଭବିଷ୍ୟତି ।

ସର୍ୱାତ୍ମନ୍ୟଖିଲାଧାରେ ଇତି ସଙ୍କଲ୍ପ୍ୟ ବର୍ଣୟ ॥ ୫୨॥

ସର୍ବାଶ୍ରୟ ସର୍ବସ୍ବରୂପ ଭଗବାନ ଶ୍ରୀହରିଙ୍କଠାରେ ଲୋକଙ୍କର ଯେପରି ପ୍ରେମମୟୀ ଭକ୍ତି ଜାତ ହେବ, ସେହିପରି ନିଶ୍ଚୟ କରି ଏହାର ବର୍ଣ୍ଣନା କର |

ମାୟାଂ ବର୍ଣୟତୋଽମୁଷ୍ୟ ଈଶ୍ୱରସ୍ୟାନୁମୋଦତଃ ।

ଶୃଣ୍ୱତଃ ଶ୍ରଦ୍ଧୟା ନିତ୍ୟଂ ମାୟଯାଽଽତ୍ମା ନ ମୁହ୍ୟତି ॥ ୫୩॥

ଯେଉଁ ପୁରୁଷ ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି ମାୟାର ବର୍ଣ୍ଣନା ବା ଅନ୍ୟମାନଙ୍କ ଦ୍ବାରା କରାଯାଉଥିବା ବର୍ଣ୍ଣନର ଅନୁମୋଦନ କରନ୍ତି ଅଥବା ଶ୍ରଦ୍ଧାର ସହିତ ତାର ନିତ୍ୟ ଶ୍ରବଣ କରନ୍ତି, ସେମାନଙ୍କର ଚିତ୍ତ ମାୟାରେ କେବେ ବି ମୋହିତ ହୋଇ ନ ଥାଏ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦ୍ୱିତୀୟସ୍କନ୍ଧେ ବ୍ରହ୍ମନାରଦସମ୍ବାଦେ ସପ୍ତମୋଽଧ୍ୟାୟଃ ॥ ୭॥

Comments

Popular posts from this blog