ଶ୍ରୀମଦ୍ ଭାଗବତ ମହାପୁରାଣ
ଓଁ ନମୋ ଭଗବତେ ବାସୁଦେବାୟ
ଦ୍ବିତୀୟ ସ୍କନ୍ଧ
ଅଷ୍ଟମ ଅଧ୍ୟାୟ
ରାଜା ପରୀକ୍ଷିତଙ୍କର ବିବିଧ ପ୍ରଶ୍ନ
ରାଜୋବାଚ
ବ୍ରହ୍ମଣା ଚୋଦିତୋ ବ୍ରହ୍ମନ୍
ଗୁଣାଖ୍ୟାନେଽଗୁଣସ୍ୟ ଚ ।
ଯସ୍ମୈ ଯସ୍ମୈ ଯଥା ପ୍ରାହ ନାରଦୋ
ଦେବଦର୍ଶନଃ ॥ ୧॥
ଏତଦ୍ୱେଦିତୁମିଚ୍ଛାମି ତତ୍ତ୍ୱଂ
ବେଦବିଦାଂ ବର ।
ହରେରଦ୍ଭୁତବୀର୍ୟସ୍ୟ କଥା
ଲୋକସୁମଙ୍ଗଲାଃ ॥ ୨॥
ରାଜା ପରୀକ୍ଷିତ କହୁଛନ୍ତି – ହେ ଭଗବନ୍
! ଆପଣ ବେଦବେତ୍ତାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି | ମୁଁ ଆପଣଙ୍କଠାରୁ ଏହା ଜାଣିବାକୁ ଇଚ୍ଛା
କରୁଛି ଯେ ବ୍ରହ୍ମା ଯେତେବେଳେ ନିର୍ଗୁଣ ଭଗବାନଙ୍କର ଗୁଣର ବର୍ଣ୍ଣନା କରିବାକୁ ଦେବର୍ଷି
ନାରଦଙ୍କୁ ଆଦେଶ ଦେଲେ, ସେତେବେଳେ ସେ କାହାକୁ-କାହାକୁ
କେଉଁ-କେଉଁ ରୂପରେ ଉପଦେଶ ଦେଇଥିଲେ ? ଏକରେ ତ ଅଚିନ୍ତ୍ୟ ଶକ୍ତିମାନଙ୍କର ଆଶ୍ରୟ ଭଗବତ୍-କଥା
ଲୋକଙ୍କ ପାଇଁ ପରମ ମଙ୍ଗଳକାରୀ ଅଟେ, ଦୁଇରେ ସମସ୍ତଙ୍କୁ ଭଗବଦ୍-ଦର୍ଶନ
କରାଇବା ଦେବର୍ଷି ନାରଦଙ୍କର ସ୍ବଭାବ ଅଟେ | ଆପଣ ତାଙ୍କର କଥା ମୋତେ ଶୁଣାନ୍ତୁ |
କଥୟସ୍ୱ ମହାଭାଗ ଯଥାହମଖିଲାତ୍ମନି ।
କୃଷ୍ଣେ ନିବେଶ୍ୟ ନିଃସଙ୍ଗଂ
ମନସ୍ତ୍ୟକ୍ଷ୍ୟେ କଲେବରମ୍ ॥ ୩॥
ମହାଭାଗ୍ୟବାନ ଶୁକଦେବଜୀ ! ଆପଣ ମୋତେ
ଏପରି ଉପଦେଶ ପ୍ରଦାନ କରନ୍ତୁ ଯେ ମୁଁ ନିଜର ଆସକ୍ତିରହିତ ମନକୁ ସର୍ବାତ୍ମା ଭଗବାନ
ଶ୍ରୀକୃଷ୍ଣଙ୍କଠାରେ ତନ୍ମୟ ରଖି ଶରୀର ତ୍ୟାଗ କରେ |
ଶୃଣ୍ୱତଃ ଶ୍ରଦ୍ଧୟା ନିତ୍ୟଂ ଗୃଣତଶ୍ଚ
ସ୍ୱଚେଷ୍ଟିତମ୍ ।
କାଲେନ ନାତିଦୀର୍ଘେଣ ଭଗବାନ୍ ବିଶତେ
ହୃଦି ॥ ୪॥
ଯେଉଁମାନେ ଶ୍ରଦ୍ଧାପୂର୍ବକ ତାଙ୍କ ଲୀଳାମାନଙ୍କର
ନିତ୍ୟ ଶ୍ରବଣ ଏବଂ କଥନ କରନ୍ତି, ସେମାନଙ୍କ ହୃଦୟରେ ଭଗବାନ ତତ୍କାଳ ପ୍ରକଟ ହୋଇଯାଆନ୍ତି |
ପ୍ରବିଷ୍ଟଃ କର୍ଣରନ୍ଧ୍ରେଣ ସ୍ୱାନାଂ
ଭାବସରୋରୁହମ୍ ।
ଧୁନୋତି ଶମଲଂ କୃଷ୍ଣଃ ସଲିଲସ୍ୟ ଯଥା
ଶରତ୍ ॥ ୫॥
କର୍ଣ୍ଣରନ୍ଧ୍ର ମଧ୍ୟ ଦେଇ ଯାଇ ଶ୍ରୀକୃଷ୍ଣ
ନିଜ ଭକ୍ତମାନଙ୍କର ଭାବମୟ ହୃଦୟକମଳରେ ଉପବେଶନ କରନ୍ତି ଏବଂ ଶରତ ଋତୁ ଜଳକୁ ପ୍ରଦୂଷଣ ମୁକ୍ତ
କରିଦେବା ପରି ସେ ଭକ୍ତ ମନର ମଳୀନତା ନଷ୍ଟ କରିଦିଅନ୍ତି |
ଧୌତାତ୍ମା ପୁରୁଷଃ କୃଷ୍ଣପାଦମୂଲଂ ନ
ମୁଞ୍ଚତି ।
ମୁକ୍ତସର୍ୱପରିକ୍ଲେଶଃ ପାନ୍ଥଃ ସ୍ୱଶରଣଂ
ଯଥା ॥ ୬॥
ମାର୍ଗରେ ସମସ୍ତ କ୍ଲେଶକୁ ଅତିକ୍ରମ କରି
ଘରକୁ ଫେରୁଥିବା ପଥିକ ଯେପରି ନିଜ ଘରକୁ ଛାଡି ନ ଥାଆନ୍ତି, ସେହିପରି ଯେଉଁମାନଙ୍କର ହୃଦୟ ଶୁଦ୍ଧ ହୋଇଯାଇ ଥାଏ, ସେମାନେ ଶ୍ରୀକୃଷ୍ଣଙ୍କର ଚରଣକମଳକୁ କ୍ଷଣକ ପାଇଁ ମଧ୍ୟ ତ୍ୟାଗ କରନ୍ତି ନାହିଁ |
ଯଦଧାତୁମତୋ ବ୍ରହ୍ମନ୍ ଦେହାରମ୍ଭୋଽସ୍ୟ
ଧାତୁଭିଃ ।
ଯଦୃଚ୍ଛୟା ହେତୁନା ବା ଭବନ୍ତୋ ଜାନତେ
ଯଥା ॥ ୭॥
ଭଗବନ୍ ! ଜୀବର ପଂଚଭୂତ ସହିତ କୌଣସି
ସମ୍ବନ୍ଧ ନାହିଁ, ଅଥଚ ତା’ର ଶରୀର ପଂଚଭୂତରେ ଗଢା ହୋଇଥାଏ |
ସ୍ବଭାବତଃ ଏପରି ହୋଇଥାଏ ଅଥବା କୌଣସି କାରଣବଶତଃ – ଆପଣ ଏହାର ମର୍ମ ପୂର୍ଣ୍ଣରୀତିରେ ଜାଣନ୍ତି
|
ଆସୀଦ୍ୟଦୁଦରାତ୍ପଦ୍ମଂ
ଲୋକସଂସ୍ଥାନଲକ୍ଷଣମ୍ ।
ଯାବାନୟଂ ବୈ ପୁରୁଷ ଇୟତ୍ତାବୟବୈଃ
ପୃଥକ୍ ।
ତାବାନସାବିତି ପ୍ରୋକ୍ତଃ
ସଂସ୍ଥାବୟବବାନିବ ॥ ୮॥
ଆପଣ କହିଥିଲେ, ଭଗବାନଙ୍କ ନାଭିରୁ ସେହି କମଳ ପ୍ରକଟ ହେଲା, ଯହିଁରେ ସମ୍ପୂର୍ଣ୍ଣ ଲୋକର ରଚନା ହେଲା | ଏହି ଜୀବ ନିଜର ସୀମିତ ଅବୟବଠାରୁ ଯେପରି
ବିଚ୍ଛିନ୍ନ ଅଟେ, ସେହିପରି ଆପଣ ପରମାତ୍ମାଙ୍କୁ ମଧ୍ୟ ତାଙ୍କର ସୀମିତ ଅବୟବଠାରୁ
ସ୍ବତନ୍ତ୍ର ଭାବରେ ବର୍ଣ୍ଣନା କରିଛନ୍ତି | ଏହା କିପରି ଅଟେ ?
ଅଜଃ ସୃଜତି ଭୂତାନି ଭୂତାତ୍ମା
ଯଦନୁଗ୍ରହାତ୍ ।
ଦଦୃଶେ ଯେନ ତଦ୍ରୂପଂ
ନାଭିପଦ୍ମସମୁଦ୍ଭବଃ ॥ ୯॥
ସ ଚାପି ଯତ୍ର ପୁରୁଷୋ
ବିଶ୍ୱସ୍ଥିତ୍ୟୁଦ୍ଭବାପ୍ୟଯଃ ।
ମୁକ୍ତ୍ୱାଽଽତ୍ମମାୟାଂ ମାୟେଶଃ ଶେତେ
ସର୍ୱଗୁହାଶୟଃ ॥ ୧୦॥
ଯାହାର କୃପାରେ ସର୍ବଭୂତମୟ ବ୍ରହ୍ମାଜୀ
ପ୍ରାଣୀସମୁଦାୟର ସୃଷ୍ଟି କରନ୍ତି, ତାଙ୍କର ନାଭିକମଳରୁ ଉତ୍ପନ୍ନ ହୋଇ ଯିଏ ତାଙ୍କ କୃପାରୁ ହିଁ ତାଙ୍କର ଦର୍ଶନ ଲାଭ କରିପାରି
ଥିଲେ, ସଂସାରର ସୃଷ୍ଟି-ସ୍ଥିତି-ପ୍ରଳୟର ହେତୁ ସେହି ସର୍ବାନ୍ତର୍ଯ୍ୟାମୀ
ମାୟାପତି ପରମ ପୁରୁଷ ପରମାତ୍ମା ନିଜ ମାୟାକୁ ତ୍ୟାଗ କରି କେଉଁ ରୂପରେ କାହା ଉପରେ ଶୟନ କରନ୍ତି
?
ପୁରୁଷାବୟବୈର୍ଲୋକାଃ ସପାଲାଃ
ପୂର୍ୱକଲ୍ପିତାଃ ।
ଲୋକୈରମୁଷ୍ୟାବୟବାଃ ସପାଲୈରିତି
ଶୁଶ୍ରୁମ ॥ ୧୧॥
ପ୍ରଥମେ ଆପଣ କହିଥିଲେ, ବିରାଟ ପୁରୁଷଙ୍କର ଅଙ୍ଗରୁ ଲୋକ ଏବଂ ଲୋକପାଳମାନଙ୍କର ରଚନା ହୋଇଛି | ତାପରେ ଆପଣ ଏହା
ମଧ୍ୟ କହିଲେ ଯେ ଲୋକ ଏବଂ ଲୋକପାଳ ରୂପରେ ତାଙ୍କ ଅଙ୍ଗର କଳ୍ପନା ହୋଇଛି | ଏହି ଉଭୟ ପ୍ରକାର
ବକ୍ତବ୍ୟର ତାତ୍ପର୍ଯ୍ୟ କ’ଣ ?
ଯାବାନ୍ କଲ୍ପୋ ବିକଲ୍ପୋ ବା ଯଥା
କାଲୋଽନୁମୀୟତେ ।
ଭୂତଭବ୍ୟଭବଚ୍ଛବ୍ଦ ଆୟୁର୍ମାନଂ ଚ
ଯତ୍ସତଃ ॥ ୧୨॥
ମହାକଳ୍ପ ଏବଂ ତା’ ଅନ୍ତର୍ଗତ ଅବାନ୍ତର କଳ୍ପର ସଂଖ୍ୟା କେତେ ? ଭୂତ, ଭବିଷ୍ୟତ ଏବଂ ବର୍ତ୍ତମାନ କାଳର ଅନୁମାନ କିପରି ଭାବରେ କରାଯାଇ ଥାଏ ? ସ୍ଥୁଳ
ଦେହାଭିମାନୀ ମନୁଷ୍ୟର ଆୟୁ କ’ଣ ନିର୍ଧାରିତ ଅଟେ ?
କାଲସ୍ୟାନୁଗତିର୍ୟା ତୁ ଲକ୍ଷ୍ୟତେଽଣ୍ୱୀ
ବୃହତ୍ୟପି ।
ଯାବତ୍ୟଃ କର୍ମଗତୟୋ
ଯାଦୃଶୀର୍ଦ୍ୱିଜସତ୍ତମ ॥ ୧୩॥
ହେ ବ୍ରାହ୍ମଣଶ୍ରେଷ୍ଠ ! କାଳର ତ୍ରୁଟି
ଆଦି ସୂକ୍ଷ୍ମ ଗତି ଏବଂ ବର୍ଷ ଆଦି ସ୍ଥୁଳ ଗତି କିପରି ଜାଣିହୁଏ ? ବିବିଧ କର୍ମ ଦ୍ବାରା ଜୀବର କେଉଁ
ଏବଂ କିପରି ଗତି ପ୍ରାପ୍ତ ହୋଇଥାଏ ?
ଯସ୍ମିନ୍ କର୍ମସମାବାୟୋ ଯଥା
ଯେନୋପଗୃହ୍ୟତେ ।
ଗୁଣାନାଂ ଗୁଣିନାଂ ଚୈବ
ପରିଣାମମଭୀପ୍ସତାମ୍ ॥ ୧୪॥
ଦେବତା, ମନୁଷ୍ୟ ଆଦି ଯୋନି ସତ୍ତ୍ବ, ରଜ, ତମ – ଏହି ତ୍ରିଗୁଣର ଫଳସ୍ବରୂପ ପ୍ରାପ୍ତ ହୋଇଥାଏ | ଏହାର କାମନା କରୁଥିବା ଜୀବମାନଙ୍କ
ମଧ୍ୟରୁ କିଏ କେଉଁ ଯୋନି ପ୍ରାପ୍ତ କରିବା ନିମନ୍ତେ କେଉଁ-କେଉଁ ପ୍ରକାରର କର୍ମ ସ୍ବୀକାର
କରିଥାଆନ୍ତି ?
ଭୂପାତାଲକକୁବ୍ୱ୍ୟୋମ
ଗ୍ରହନକ୍ଷତ୍ରଭୂଭୃତାମ୍ ।
ସରିତ୍ସମୁଦ୍ରଦ୍ୱୀପାନାଂ
ସମ୍ଭବଶ୍ଚୈତଦୋକସାମ୍ ॥ ୧୫॥
ପୃଥିବୀ, ପାତାଳ, ଦିଶା, ଆକାଶ, ଗ୍ରହ, ନକ୍ଷତ୍ର, ପର୍ବତ, ନଦୀ, ସମୁଦ୍ର, ଦ୍ବୀପ ଏବଂ ସେଥିରେ ବାସ କରୁଥିବା
ଜୀବମାନଙ୍କର ଉତ୍ପତ୍ତି କିପରି ହୁଏ ?
ପ୍ରମାଣମଣ୍ଡକୋଶସ୍ୟ
ବାହ୍ୟାଭ୍ୟନ୍ତରଭେଦତଃ ।
ମହତାଂ ଚାନୁଚରିତଂ
ବର୍ଣାଶ୍ରମବିନିଶ୍ଚୟଃ ॥ ୧୬॥
ବ୍ରହ୍ମାଣ୍ଡର ପରିମାଣ – ଉଭୟ ବାହାର
ଏବଂ ଭିତର କେତେ, ତାହା କୁହନ୍ତୁ | ତା’ ସହିତ ମହାପୁରୁଷମାନଙ୍କର ଚରିତ୍ର, ବର୍ଣ୍ଣାଶ୍ରମ ଭେଦ ଏବଂ ସେମାନଙ୍କ
ଧର୍ମର ନିରୂପଣ କରନ୍ତୁ |
ଯୁଗାନି ଯୁଗମାନଂ ଚ ଧର୍ମୋ ଯଶ୍ଚ ଯୁଗେ
ଯୁଗେ ।
ଅବତାରାନୁଚରିତଂ ଯଦାଶ୍ଚର୍ୟତମଂ ହରେଃ ॥
୧୭॥
ଯୁଗର ଭେଦ, ସେମାନଙ୍କର ଅବଧି ଏବଂ ସେମାନଙ୍କର ଭିନ୍ନ ଭିନ୍ନ ଧର୍ମର ବର୍ଣ୍ଣନା କରିବା ସହିତ
ଭଗବାନଙ୍କର ବିଭିନ୍ନ ଅବତାରର ପରମ ଆଶ୍ଚର୍ଯ୍ୟମୟ ଚରିତ୍ରର ମଧ୍ୟ ବର୍ଣ୍ଣନା କରନ୍ତୁ |
ନୃଣାଂ ସାଧାରଣୋ ଧର୍ମଃ ସବିଶେଷଶ୍ଚ
ଯାଦୃଶଃ ।
ଶ୍ରେଣୀନାଂ ରାଜର୍ଷୀଣାଂ ଚ ଧର୍ମଃ
କୃଚ୍ଛ୍ରେଷୁ ଜୀବତାମ୍ ॥ ୧୮॥
ମନୁଷ୍ୟର ସାଧାରଣ ଧର୍ମ ଏବଂ ବିଶେଷ
ଧର୍ମ କ’ଣ-କ’ଣ ଅଟେ ? ବିଭିନ୍ନ ବୃତ୍ତିଧାରୀ ଲୋକ, ରାଜର୍ଷି ଏବଂ ବିପତ୍ତିରେ ପଡିଥିବା ଲୋକମାନଙ୍କର ଧର୍ମ ବିଷୟରେ ଉପଦେଶ ଦିଅନ୍ତୁ |
ତତ୍ତ୍ୱାନାଂ ପରିସଙ୍ଖ୍ୟାନଂ ଲକ୍ଷଣଂ
ହେତୁଲକ୍ଷଣମ୍ ।
ପୁରୁଷାରାଧନବିଧିର୍ୟୋଗସ୍ୟାଧ୍ୟାତ୍ମିକସ୍ୟ
ଚ ॥ ୧୯॥
ତତ୍ତ୍ବମାନଙ୍କର ସଂଖ୍ୟା କେତେ,
ସେମାନଙ୍କର ସ୍ବରୂପ ଏବଂ ଲକ୍ଷଣ କ’ଣ ? ଭଗବାନଙ୍କର ଆରାଧନା ଏବଂ
ଅଧ୍ୟାତ୍ମଯୋଗର ବିଧି କ’ଣ ?
ଯୋଗେଶ୍ୱରୈଶ୍ୱର୍ୟଗତିର୍ଲିଙ୍ଗଭଙ୍ଗସ୍ତୁ
ଯୋଗିନାମ୍ ।
ବେଦୋପବେଦଧର୍ମାଣାମିତିହାସପୁରାଣୟୋଃ ॥
୨୦॥
ଯୋଗେଶ୍ବରମାନଙ୍କୁ କେଉଁ-କେଉଁ
ଐଶ୍ବର୍ଯ୍ୟ ପ୍ରାପ୍ତ ଅଟେ ଏବଂ ଅନ୍ତତଃ ସେମାନଙ୍କୁ କେଉଁ ଗତି ପ୍ରାପ୍ତ ହୋଇଥାଏ ?
ଯୋଗୀମାନଙ୍କର ଲିଙ୍ଗଶରୀର ଭଙ୍ଗ ହୁଏ କିପରି ? ବେଦ, ଉପବେଦ, ଧର୍ମଶାସ୍ତ୍ର, ଇତିହାସ, ପୁରାଣର ସ୍ବରୂପ ଏବଂ ତାତ୍ପର୍ଯ୍ୟ କ’ଣ ?
ସମ୍ପ୍ଲବଃ ସର୍ୱଭୂତାନାଂ ବିକ୍ରମଃ
ପ୍ରତିସଙ୍କ୍ରମଃ ।
ଇଷ୍ଟାପୂର୍ତସ୍ୟ କାମ୍ୟାନାଂ
ତ୍ରିବର୍ଗସ୍ୟ ଚ ଯୋ ବିଧିଃ ॥ ୨୧॥
ପ୍ରାଣୀମାନଙ୍କର ଉତ୍ପତ୍ତି, ସ୍ଥିତି ଏବଂ ପ୍ରଳୟ କିପରି ହୁଏ ? ବାମ୍ଫି, କୂପ ଖନନ ଆଦି ସ୍ମାର୍ତ୍ତକର୍ମ, ଯଜ୍ଞ-ଯାଗାଦି ବୈଦିକ କର୍ମ, କାମ୍ୟ କର୍ମ ତଥା ଧର୍ମ-ଅର୍ଥ-କାମ ଆଦି
ପୁରୁଷାର୍ଥ ପ୍ରାପ୍ତିର ସାଧନା ବିଧି କ’ଣ ?
ଯଶ୍ଚାନୁଶାୟିନାଂ ସର୍ଗଃ ପାଖଣ୍ଡସ୍ୟ ଚ
ସମ୍ଭବଃ ।
ଆତ୍ମନୋ ବନ୍ଧମୋକ୍ଷୌ ଚ ବ୍ୟବସ୍ଥାନଂ
ସ୍ୱରୂପତଃ ॥ ୨୨॥
ପ୍ରଳୟ ଉପରାନ୍ତେ ଯେଉଁ ଜୀବ ପ୍ରକୃତିରେ
ଲୀନ ରହିଥାଆନ୍ତି, ସେମାନଙ୍କର ପୁନରୁତ୍ପତ୍ତି କିପରି ହୁଏ
? ପାଖଣ୍ଡର ଉତ୍ପତ୍ତି କିପରି ହୁଏ ? ଆତ୍ମାର ବନ୍ଧନ-ମୋକ୍ଷର ସ୍ବରୂପ କ’ଣ ଏବଂ ତାହା ନିଜ ସ୍ବରୂପରେ ସ୍ଥିତ ରହିଥାଏ କିପରି ?
ଯଥାଽଽତ୍ମତନ୍ତ୍ରୋ ଭଗବାନ୍
ବିକ୍ରୀଡତ୍ୟାତ୍ମମାୟଯା ।
ବିସୃଜ୍ୟ ବା ଯଥା ମାୟାମୁଦାସ୍ତେ
ସାକ୍ଷିବଦ୍ୱିଭୁଃ ॥ ୨୩॥
ଭଗବାନ ତ ପରମ ସ୍ବତନ୍ତ୍ର ଅଟନ୍ତି | ସେ
ନିଜ ମାୟାରେ କିପରି ଭାବରେ କ୍ରୀଡା କରନ୍ତି ଏବଂ ତାକୁ ଛାଡି ସାକ୍ଷୀ ସଦୃଶ ଉଦାସୀନ କିପରି
ହୋଇଯାଆନ୍ତି ?
ସର୍ୱମେତଚ୍ଚ ଭଗବନ୍ ପୃଚ୍ଛତେ
ମେଽନୁପୂର୍ୱଶଃ ।
ତତ୍ତ୍ୱତୋଽର୍ହସ୍ୟୁଦାହର୍ତୁଂ
ପ୍ରପନ୍ନାୟ ମହାମୁନେ ॥ ୨୪॥
ଭଗବନ୍ ! ମୁଁ ଏହିସବୁ ପ୍ରଶ୍ନ ଆପଣଙ୍କୁ
ପଚାରୁଛି | ହେ ମହାମୁନି ! ମୁଁ ଆପଣଙ୍କର ଶରଣାଗତ ଅଟେ; କୃପା କରି ଆପଣ କ୍ରମଶଃ ଏହାର ତାତ୍ତ୍ବିକ ନିରୂପଣ କରନ୍ତୁ |
ଅତ୍ର ପ୍ରମାଣଂ ହି ଭବାନ୍ ପରମେଷ୍ଠୀ
ଯଥାଽଽତ୍ମଭୂଃ ।
ପରେ ଚେହାନୁତିଷ୍ଠନ୍ତି ପୂର୍ୱେଷାଂ
ପୂର୍ୱଜୈଃ କୃତମ୍ ॥ ୨୫॥
ଏହି ବିଷୟରେ ଆପଣ ସ୍ବୟମ୍ଭୂ
ବ୍ରହ୍ମାଙ୍କ ପରି ପରମ ପ୍ରମାଣ ଅଟନ୍ତି | ଅନ୍ୟମାନେ ତ କେବଳ ନିଜର ପୂର୍ବପରମ୍ପରାରେ ଶୁଣିଥିବା
କଥାର ହିଁ ଅନୁଷ୍ଠାନ କରିଥାଆନ୍ତି |
ନ ମେଽସବଃ ପରାୟନ୍ତି
ବ୍ରହ୍ମନ୍ନନଶନାଦମୀ ।
ପିବତୋଽଚ୍ୟୁତପୀୟୂଷମନ୍ୟତ୍ର
କୁପିତାଦ୍ଦ୍ୱିଜାତ୍ ॥ ୨୬॥
ବ୍ରହ୍ମନ୍ ! ଆପଣ ମୋର କ୍ଷୁଧା-ତୃଷାର
ଚିନ୍ତା କରନ୍ତୁ ନାହିଁ | ମୋର ପ୍ରାଣ କୁପିତ ବ୍ରାହ୍ମଣଙ୍କ ଶାପ ଅତିରିକ୍ତ ଅନ୍ୟ କୌଣସି
କାରଣରୁ ଯିବ ନାହିଁ; କାରଣ ମୁଁ ଆପଣଙ୍କ ମୁଖାରବିନ୍ଦରୁ ନିଃସୃତ ଭଗବାନଙ୍କର ଅମୃତମୟୀ
ଲୀଳା-କଥାର ପାନ କରୁଛି |
ସୂତ ଉବାଚ
ସ ଉପାମନ୍ତ୍ରିତୋ ରାଜ୍ଞା କଥାୟାମିତି
ସତ୍ପତେଃ ।
ବ୍ରହ୍ମରାତୋ ଭୃଶଂ ପ୍ରୀତୋ
ବିଷ୍ଣୁରାତେନ ସଂସଦି ॥ ୨୭॥
ସୂତ ମୁନି କହୁଛନ୍ତି – ହେ ଶୌନକାଦି
ଋଷିଗଣ ! ସନ୍ଥମାନଙ୍କର ସଭାରେ ରାଜା ପରୀକ୍ଷିତ ଯେତେବେଳେ ଭଗବାନଙ୍କର ଲୀଳା-କଥା ଶୁଣାଇବା
ନିମନ୍ତେ ଏହିପରି ଭାବରେ ପ୍ରାର୍ଥନା କଲେ, ସେତେବେଳେ ଶ୍ରୀ ଶୁକଦେବମୁନି ଅତ୍ୟନ୍ତ
ପ୍ରସନ୍ନ ହେଲେ |
ପ୍ରାହ ଭାଗବତଂ ନାମ ପୁରାଣଂ
ବ୍ରହ୍ମସମ୍ମିତମ୍ ।
ବ୍ରହ୍ମଣେ ଭଗବତ୍ପ୍ରୋକ୍ତଂ ବ୍ରହ୍ମକଲ୍ପ
ଉପାଗତେ ॥ ୨୮॥
ସେ ତାଙ୍କୁ ସେହି ବେଦତୁଲ୍ୟ ଶ୍ରୀମଦ୍
ଭାଗବତ ମହାପୁରାଣ ଶୁଣାଇଲେ, ଯାହା ବ୍ରାହ୍ମକଳ୍ପ ଆରମ୍ଭରେ ସ୍ବୟଂ ଭଗବାନ ବ୍ରହ୍ମାଙ୍କୁ ଶୁଣାଇ
ଥିଲେ |
ଯଦ୍ୟତ୍ପରୀକ୍ଷିଦୃଷଭଃ
ପାଣ୍ଡୂନାମନୁପୃଚ୍ଛତି ।
ଆନୁପୂର୍ୱ୍ୟେଣ
ତତ୍ସର୍ୱମାଖ୍ୟାତୁମୁପଚକ୍ରମେ ॥ ୨୯॥
ପାଣ୍ଡୁବଂଶଶିରୋମଣି ପରୀକ୍ଷିତ ତାଙ୍କୁ
ଯାହା ଯାହା ପ୍ରଶ୍ନ ପଚାରିଥିଲେ, ସେ ସେହିସବୁର ଉତ୍ତର କ୍ରମଶଃ ଦେବାରେ
ଲାଗିଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ
ପାରମହଂସ୍ୟାଂ
ସଂହିତାୟାଂ ଦ୍ୱିତୀୟସ୍କନ୍ଧେ
ପ୍ରଶ୍ନବିଧିର୍ନାମାଷ୍ଟମୋଽଧ୍ୟାୟଃ ॥ ୮॥

Comments
Post a Comment