ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ

ଦ୍ବିତୀୟ ସ୍କନ୍ଧ

ନବମ ଅଧ୍ୟାୟ

          ବ୍ରହ୍ମାଙ୍କର ଭଗବତ୍-ଧାମ ଦର୍ଶନ ଏବଂ ଭଗବାନଙ୍କ ଦ୍ବାରା ଚତୁଃଶ୍ଲୋକୀ ଭାଗବତ ଉପଦେଶ

 

ଶ୍ରୀଶୁକ ଉବାଚ

ଆତ୍ମମାୟାମୃତେ ରାଜନ୍ ପରସ୍ୟାନୁଭବାତ୍ମନଃ ।

ନ ଘଟେତାର୍ଥସମ୍ବନ୍ଧଃ ସ୍ୱପ୍ନଦ୍ରଷ୍ଟୁରିବାଞ୍ଜସା ॥ ୧॥

ଶ୍ରୀ ଶୁକଦେବ କହିଲେ – ହେ ପରୀକ୍ଷିତ ! ସ୍ବପ୍ନରେ ଦେଖୁଥିବା ପଦାର୍ଥ ସହିତ ଯେପରି ସ୍ବପ୍ନ ଦେଖୁଥିବା ବ୍ୟକ୍ତିଙ୍କର କୌଣସି ସମ୍ବନ୍ଧ ନ ଥାଏ, ସେହିପରି ଦେହାତୀତ ଅନୁଭବ-ରୂପ ଆତ୍ମାର ମାୟିକ ଦୃଶ୍ୟ ପଦାର୍ଥ ସହିତ କୌଣସି ସମ୍ବନ୍ଧ ରହି ପାରେ ନାହିଁ |

ବହୁରୂପ ଇବାଭାତି ମାୟଯା ବହୁରୂପୟା ।

ରମମାଣୋ ଗୁଣେଷ୍ୱସ୍ୟା ମମାହମିତି ମନ୍ୟତେ ॥ ୨॥

ବିବିଧ ରୂପଧାରୀ ମାୟା କାରଣରୁ ଏହା ବିବିଧ ରୂପଯୁକ୍ତ ପ୍ରତୀତ ହୋଇଥାଏ ଏବଂ ଯେତେବେଳେ ଏହା ମାୟାଗୁଣରେ ଆସକ୍ତ ହୋଇଯାଏ, ସେତେବେଳେ ‘ଏହା ମୋର ଅଟେ, ତାହା ତୁମର ଅଟେ – ଏହିପରି ଧାରଣା କରିବାରେ ଲାଗେ |

ଯର୍ହି ବାବ ମହିମ୍ନି ସ୍ୱେ ପରସ୍ମିନ୍ କାଲମାୟଯୋଃ ।

ରମେତ ଗତସମ୍ମୋହସ୍ତ୍ୟକ୍ତ୍ୱୋଦାସ୍ତେ ତଦୋଭୟମ୍ ॥ ୩॥

କିନ୍ତୁ ଯେତେବେଳେ ଏହା ଗୁଣକୁ କ୍ଷୁବ୍ଧ କରୁଥିବା କାଳ ଏବଂ ମୋହ-ଉତ୍ପନକାରୀ ମାୟା – ଉଭୟର ଅତୀତ ହୋଇ ନିଜ ଅନନ୍ତ ସ୍ବରୂପରେ ମୋହରହିତ ରମଣ କରିବାରେ ଲାଗେ -  ଆତ୍ମାରାମ ହୋଇଯାଏ, ସେତେବେଳେ ଏହା ‘ମୁଁ-ମୋର ଭାବକୁ ତ୍ୟାଗ କରି ପୂର୍ଣ୍ଣ ଉଦାସୀନ – ଗୁଣାତୀତ ହୋଇଯାଏ |

ଆତ୍ମତତ୍ତ୍ୱବିଶୁଦ୍ଧ୍ୟର୍ଥଂ ଯଦାହ ଭଗବାନ୍ ଋତମ୍ ।

ବ୍ରହ୍ମଣେ ଦର୍ଶୟନ୍ ରୂପମବ୍ୟଲୀକବ୍ରତାଦୃତଃ ॥ ୪॥

ବ୍ରହ୍ମାଙ୍କର ନିଷ୍କପଟ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ତାଙ୍କୁ ନିଜ ରୂପର ଦର୍ଶନ କରାଇଲେ ଏବଂ ଆତ୍ମତତ୍ତ୍ବର ଜ୍ଞାନ କରାଇବା ନିମନ୍ତେ ତାଙ୍କୁ ପରମ ସତ୍ୟ ପରମାର୍ଥ ବସ୍ତୁର ଉପଦେଶ ଦେଲେ |

ସ ଆଦିଦେବୋ ଜଗତାଂ ପରୋ ଗୁରୁଃ

ସ୍ୱଧିଷ୍ଣ୍ୟମାସ୍ଥାୟ ସିସୃକ୍ଷୟୈକ୍ଷତ ।

ତାଂ ନାଧ୍ୟଗଚ୍ଛଦ୍ଦୃଶମତ୍ର ସମ୍ମତାଂ

ପ୍ରପଞ୍ଚନିର୍ମାଣବିଧିର୍ୟଯା ଭବେତ୍ ॥ ୫॥

ତ୍ରିଲୋକର ପରମ ଗୁରୁ ଆଦିଦେବ ବ୍ରହ୍ମା ନିଜ ଜନ୍ମସ୍ଥାନ କମଳ ଉପରେ ବସି ସୃଷ୍ଟି କରିବା ଇଚ୍ଛାରେ ବିଚାର କରିବାରେ ଲାଗିଲେ | କିନ୍ତୁ ଯେଉଁ ଜ୍ଞାନଦୃଷ୍ଟି ସାହାଯ୍ୟରେ ସୃଷ୍ଟିର ନିର୍ମାଣ ହୋଇପାରିବ ଏବଂ ସୃଷ୍ଟି-ବ୍ୟାପାର ନିମନ୍ତେ ଯାହା ଅନିବାର୍ଯ୍ୟ ଅଟେ, ସେହି ଦୃଷ୍ଟି ତାଙ୍କୁ ପ୍ରାପ୍ତ ନ ଥିଲା |

ସ ଚିନ୍ତୟନ୍ ଦ୍ୱ୍ୟକ୍ଷରମେକଦାମ୍ଭସି

ଉପାଶୃଣୋଦ୍ଦ୍ୱିର୍ଗଦିତଂ ବଚୋ ବିଭୁଃ ।

ସ୍ପର୍ଶେଷୁ ଯତ୍ଷୋଡଶମେକବିଂଶଂ

ନିଷ୍କିଞ୍ଚନାନାଂ ନୃପ ଯଦ୍ଧନଂ ବିଦୁଃ ॥ ୬॥

ଏହିପରି ଚିନ୍ତାମଗ୍ନ ରହିଥିବା ବେଳେ ଦିନେ ସେ ପ୍ରଳୟ ସମୁଦ୍ରରେ ବ୍ୟଞ୍ଜନ ବର୍ଣ୍ଣର ଷୋଡଶ ଅକ୍ଷର ‘ତ ଏବଂ ଏକୋଇଶତମ ଅକ୍ଷର ‘ପ – ‘ତପ-ତପ’ ଦୁଇଥର ଶୁଣିବାକୁ ପାଇଲେ | ହେ ପରୀକ୍ଷିତ ! ମହାତ୍ମାମାନେ ଏହି ତପକୁ ହିଁ ତ୍ୟାଗୀମାନଙ୍କର ଧନ ମନେକରନ୍ତି |

ନିଶମ୍ୟ ତଦ୍ୱକ୍ତୃଦିଦୃକ୍ଷୟା ଦିଶୋ

ବିଲୋକ୍ୟ ତତ୍ରାନ୍ୟଦପଶ୍ୟମାନଃ ।

ସ୍ୱଧିଷ୍ଣ୍ୟମାସ୍ଥାୟ ବିମୃଶ୍ୟ ତଦ୍ଧିତଂ

ତପସ୍ୟୁପାଦିଷ୍ଟ ଇବାଦଧେ ମନଃ ॥ ୭॥

ଏହା ଶୁଣି ବ୍ରହ୍ମାଜୀ ବକ୍ତାଙ୍କୁ ଦେଖିବା ଅଭିଲାଷରେ ଚତୁର୍ଦ୍ଦିଗକୁ ଚାହିଁ ଦେଖିଲେ; କିନ୍ତୁ କୌଣସି ଦ୍ବିତୀୟ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଲେ ନାହିଁ | ସେ ନିଜ କମଳ ଆସନରେ ବସି ରହିଲେ ଏବଂ “ମୋତେ ତପସ୍ୟା କରିବା ନିମନ୍ତେ ପ୍ରତ୍ୟକ୍ଷ ଆଜ୍ଞା ମିଳିଛି, ଏଥିରେ ହିଁ ମୋର ହିତ ନିହିତ” – ଏପରି ନିଶ୍ଚୟ କରି ନିଜ ମନକୁ ତପସ୍ୟାରେ ଲଗାଇ ଦେଲେ |

ଦିବ୍ୟଂ ସହସ୍ରାବ୍ଦମମୋଘଦର୍ଶନୋ

ଜିତାନିଲାତ୍ମା ବିଜିତୋଭୟେନ୍ଦ୍ରିୟଃ ।

ଅତପ୍ୟତ ସ୍ମାଖିଲଲୋକତାପନଂ

ତପସ୍ତପୀୟାଂସ୍ତପତାଂ ସମାହିତଃ ॥ ୮॥

ତପସ୍ବୀମାନଙ୍କ ମଧ୍ୟରେ ବ୍ରହ୍ମାଜୀ ସର୍ବଶ୍ରେଷ୍ଠ ତପସ୍ବୀ ଅଟନ୍ତି | ତାଙ୍କର ଜ୍ଞାନ ଅମୋଘ ଅଟେ | ସେହି ସମୟରେ ସେ ଏକ ସହସ୍ର ଦିବ୍ୟ ବର୍ଷ ପର୍ଯ୍ୟନ୍ତ ଏକାଗ୍ର ଚିତ୍ତରେ ନିଜର ପ୍ରାଣ, ମନ, କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟକୁ ବଶୀଭୂତ କରି ଏପରି ତପସ୍ୟା କଲେ ଯେ ସେ ସମସ୍ତ ଲୋକକୁ ପ୍ରକାଶିତ କରିବାକୁ ସମର୍ଥ ହୋଇଗଲେ |

ତସ୍ମୈ ସ୍ୱଲୋକଂ ଭଗବାନ୍ ସଭାଜିତଃ

ସନ୍ଦର୍ଶୟାମାସ ପରଂ ନ ଯତ୍ପରମ୍ ।

ବ୍ୟପେତସଙ୍କ୍ଲେଶବିମୋହସାଧ୍ୱସଂ

ସ୍ୱଦୃଷ୍ଟବଦ୍ଭିଃ ପୁରୁଷୈରଭିଷ୍ଟୁତମ୍ ॥ ୯॥

ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ତାଙ୍କୁ ନିଜର ସେହି ଲୋକର ଦର୍ଶନ କରାଇଲେ, ଯାହା ସର୍ବଶ୍ରେଷ୍ଠ ଅଟେ ଏବଂ ଯାହା ଉପରେ ଅନ୍ୟ କୌଣସି ଲୋକ ନାହିଁ | ସେହି ଲୋକରେ କୌଣସି ପ୍ରକାରର କ୍ଲେଶ, ମୋହ ଏବଂ ଭୟ ନାହିଁ | ଯାହାକୁ ବି ଥରକ ପାଇଁ ସେହି ଲୋକ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି, ସେହି ଦେବତାମାନେ ବାରମ୍ବାର ତାର ସ୍ତୁତି କରୁଥାଆନ୍ତି |

ପ୍ରବର୍ତତେ ଯତ୍ର ରଜସ୍ତମସ୍ତୟୋଃ

ସତ୍ତ୍ୱଂ ଚ ମିଶ୍ରଂ ନ ଚ କାଲବିକ୍ରମଃ ।

ନ ଯତ୍ର ମାୟା କିମୁତାପରେ ହରେ-

ରନୁବ୍ରତା ଯତ୍ର ସୁରାସୁରାର୍ଚିତାଃ ॥ ୧୦॥

ସେଠାରେ ରଜୋଗୁଣ, ତମୋଗୁଣ ଏବଂ ସେମାନଙ୍କ ସହିତ ସଂଯୁକ୍ତ ସତ୍ତ୍ବଗୁଣ ନାହିଁ | କାଳର ସେଠାକୁ ପ୍ରବେଶ ନାହିଁ, ମାୟା ସେଠାରେ ପାଦ ସୁଦ୍ଧା ରଖିପାରେ ନାହିଁ; ତେଣୁ ମାୟାର ପୁତ୍ର-ପରିବାର ସେଠାକୁ ଯିବାର ତ ପ୍ରଶ୍ନ ହିଁ ଉଠେନାହିଁ | ସେଠାରେ ଭଗବାନଙ୍କର ସେହି ସବୁ ପାର୍ଷଦ ନିବାସ କରନ୍ତି, ଯାହାର ପୂଜନ ଦେବ ଏବଂ ଦାନବ ଉଭୟେ କରନ୍ତି |

ଶ୍ୟାମାବଦାତାଃ ଶତପତ୍ରଲୋଚନାଃ

ପିଶଙ୍ଗବସ୍ତ୍ରାଃ ସୁରୁଚଃ ସୁପେଶସଃ ।

ସର୍ୱେ ଚତୁର୍ବାହବ ଉନ୍ମିଷନ୍ମଣି-

ପ୍ରବେକନିଷ୍କାଭରଣାଃ ସୁବର୍ଚସଃ ।

ପ୍ରବାଲବୈଦୂର୍ୟମୃଣାଲବର୍ଚସଃ

ପରିସ୍ଫୁରତ୍କୁଣ୍ଡଲମୌଲିମାଲିନଃ ॥ ୧୧॥

ସେମାନଙ୍କର ଉଜ୍ଜ୍ବଳ ଆଭାଯୁକ୍ତ ଶ୍ୟାମଳ ଶରୀର, ଶତଦଳ କମଳ ସଦୃଶ କୋମଳ ନେତ୍ର ଏବଂ ପୀତ ବସ୍ତ୍ରରେ ଶୋଭାୟମାନ ଅଙ୍ଗ-ଅଙ୍ଗରୁ ରାଶି ରାଶି ସୌନ୍ଦର୍ଯ୍ୟ ବିଚ୍ଛୁରିତ ହେଉଥାଏ | ସେମାନେ କୋମଳତାର ମୂର୍ତ୍ତି ଅଟନ୍ତି | ସମସ୍ତଙ୍କର ଚାରୋଟି-ଚାରୋଟି ଭୁଜ ରହିଛି | ସେମାନ ସ୍ବୟଂ ତ ଅତ୍ୟନ୍ତ ତେଜସ୍ବୀ ଅଟନ୍ତି, ତା ସହିତ ସେମାନେ ମଣିଜଟିତ ସୁବର୍ଣ୍ଣର ପ୍ରଭାମୟ ଆଭୂଷଣ ମଧ୍ୟ ଧାରଣ କରିଥାଆନ୍ତି | ସେମାନଙ୍କର ଛବି ପ୍ରବାଳ, ବୈଦୂର୍ଯ୍ୟମଣି ଓ କମଳର ଉଜ୍ଜ୍ବଳ ତନ୍ତୁ ସଦୃଶ ଅଟେ | ସେମାନଙ୍କର କର୍ଣ୍ଣରେ କୁଣ୍ଡଳ, ମସ୍ତକରେ ମୁକୁଟ, ଏବଂ କଣ୍ଠରେ ମାଳା ଶୋଭାୟମାନ |

ଭ୍ରାଜିଷ୍ଣୁଭିର୍ୟଃ ପରିତୋ ବିରାଜତେ

ଲସଦ୍ୱିମାନାବଲିଭିର୍ମହାତ୍ମନାମ୍ ।

ବିଦ୍ୟୋତମାନଃ ପ୍ରମଦୋତ୍ତମାଦ୍ୟୁଭିଃ

ସବିଦ୍ୟୁଦଭ୍ରାବଲିଭିର୍ୟଥା ନଭଃ ॥ ୧୨॥

ବିଦ୍ୟୁତଶୋଭିତ ବାଦଲରେ ଆକାଶ ଶୋଭାୟମାନ ହେବା ପରି ସେହି ଲୋକ ମନୋହର କାମିନୀମାନଙ୍କର କାନ୍ତିରେ ଯୁକ୍ତ ମହାତ୍ମାମାନଙ୍କର ଦିବ୍ୟ ତେଜୋମୟ ବିମାନରେ ସ୍ଥାନେ-ସ୍ଥାନେ ସୁଶୋଭିତ ହେଉଥାଏ |

ଶ୍ରୀର୍ୟତ୍ର ରୂପିଣ୍ୟୁରୁଗାୟପାଦୟୋଃ

କରୋତି ମାନଂ ବହୁଧା ବିଭୂତିଭିଃ ।

ପ୍ରେଙ୍ଖଂ ଶ୍ରିତା ଯା କୁସୁମାକରାନୁଗୈଃ

ବିଗୀୟମାନା ପ୍ରିୟକର୍ମ ଗାୟତୀ ॥ ୧୩॥

ସେହି ବୈକୁଣ୍ଠଲୋକରେ ଲକ୍ଷ୍ମୀଦେବୀ ସୁନ୍ଦର ରୂପ ଧାରଣ କରି ନିଜର ବିବିଧ ବିଭୂତିଙ୍କ ଦ୍ବାରା ଭଗବାନଙ୍କର ଅନେକ ପ୍ରକାରରେ ସେବା କରୁଥାଆନ୍ତି | ବେଳେ ବେଳେ ସେ ଯେତେବେଳେ ଝୁଲାରେ ବସି ନିଜ ପ୍ରିୟତମ ଭଗବାନଙ୍କର ଲୀଳାବଳୀ ଗାୟନ କରିବାରେ ଲାଗନ୍ତି, ସେତେବେଳେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ସୁରଭିରେ ଉନ୍ମତ୍ତ ହୋଇ ଭ୍ରମରମାନେ ସ୍ବୟଂ ଲକ୍ଷ୍ମୀଦେବୀଙ୍କର ଗୁଣଗାନ କରିବାରେ ଲାଗନ୍ତି |

ଦଦର୍ଶ ତତ୍ରାଖିଲସାତ୍ୱତାଂ ପତିଂ

ଶ୍ରିୟଃ ପତିଂ ଯଜ୍ଞପତିଂ ଜଗତ୍ପତିମ୍ ।

ସୁନନ୍ଦନନ୍ଦପ୍ରବଲାର୍ହଣାଦିଭିଃ

ସ୍ୱପାର୍ଷଦମୁଖ୍ୟୈଃ ପରିସେବିତଂ ବିଭୁମ୍ ॥ ୧୪॥

ବ୍ରହ୍ମାଜୀ ଦେଖିଲେ ଯେ ସେହି ଲୋକରେ ଭକ୍ତମାନଙ୍କର ରକ୍ଷକ ସ୍ବୟଂ ଲକ୍ଷ୍ମୀପତି, ଯଜ୍ଞପତି, ବିଶ୍ବପତି ଭଗବାନ ବିରାଜମାନ | ସୁନନ୍ଦ, ନନ୍ଦ, ପ୍ରବଳ, ଅର୍ହଣ ଆଦି ମୁଖ୍ୟ-ମୁଖ୍ୟ ପାର୍ଷଦଗଣ ସେହି ପ୍ରଭୁଙ୍କର ସେବାରେ ନିଯୁକ୍ତ ଅଛନ୍ତି |

ଭୃତ୍ୟପ୍ରସାଦାଭିମୁଖଂ ଦୃଗାସବଂ

ପ୍ରସନ୍ନହାସାରୁଣଲୋଚନାନନମ୍ ।

କିରୀଟିନଂ କୁଣ୍ଡଲିନଂ ଚତୁର୍ଭୁଜଂ

ପୀତାମ୍ବରଂ ବକ୍ଷସି ଲକ୍ଷିତଂ ଶ୍ରିୟା ॥ ୧୫॥

ତାଙ୍କର ମୁଖ-କମଳ ମଧୁର-ସ୍ମିତହାସ୍ୟଯୁକ୍ତ ରହିଛି | ଆଖିରେ ଲାଲ-ଲାଲ ରେଖା ପଡିଛି | ଅତ୍ୟନ୍ତ ମୋହକ ଏବଂ ମଧୁର ତାଙ୍କର ଚାହାଣୀ | ଦେଖିଲେ ମନେହେଉଛି, ସତେ ଯେମିତି ଏହି କ୍ଷଣି ସେ ନିଜ ପ୍ରେମୀ ଭକ୍ତମାନଙ୍କ ପାଖରେ ନିଜର ସର୍ବସ୍ବ ଅର୍ପଣ କରିଦେବେ | ତାଙ୍କ ମସ୍ତକରେ ମୁକୁଟ, କାନରେ କୁଣ୍ଡଳ, କାନ୍ଧରେ ପୀତାମ୍ବର ଝଲମଲ ହେଉଛି | ବକ୍ଷ ସ୍ଥଳରେ ଏକ ସୁବର୍ଣ୍ଣ ରେଖା ରୂପରେ ଲକ୍ଷ୍ମୀଦେବୀ ବିରାଜମାନ କରିଛନ୍ତି ଏବଂ ତାଙ୍କର ଚାରୋଟି ସୁନ୍ଦର-ସୁନ୍ଦର ଭୁଜ ରହିଛି |

ଅଧ୍ୟର୍ହଣୀୟାସନମାସ୍ଥିତଂ ପରଂ

ବୃତଂ ଚତୁଃଷୋଡଶପଞ୍ଚଶକ୍ତିଭିଃ ।

ଯୁକ୍ତଂ ଭଗୈଃ ସ୍ୱୈରିତରତ୍ର ଚାଧ୍ରୁବୈଃ

ସ୍ୱ ଏବ ଧାମନ୍ ରମମାଣମୀଶ୍ୱରମ୍ ॥ ୧୬॥

ସେ ଏକ ସର୍ବୋତ୍ତମ ବହୁମୂଲ୍ୟ ଆସନରେ ବିରାଜମାନ କରିଛନ୍ତି | ପୁରୁଷ, ପ୍ରକୃତି, ମହତ୍ତତ୍ତ୍ବ, ଅହଂକାର, ମନ, ଦଶ ଇନ୍ଦ୍ରିୟ, ଶବ୍ଦାଦି ପଞ୍ଚ ତନ୍ମାତ୍ରା ଏବଂ ପଞ୍ଚଭୂତ – ଏହି ପଚିଶଟି ତତ୍ତ୍ବ ମୂର୍ତ୍ତିମାନ ହୋଇ ତାଙ୍କ ଚତୁର୍ଦ୍ଦିଗରେ ଦଣ୍ଡାୟମାନ ଅଛନ୍ତି | ସମଗ୍ର ଐଶ୍ବର୍ଯ୍ୟ, ଧର୍ମ, କୀର୍ତ୍ତି, ଶ୍ରୀ, ଜ୍ଞାନ ଏବଂ ବୈରାଗ୍ୟ – ଏହି ଛଅଟି ନିତ୍ୟସିଦ୍ଧ ସ୍ବରୂପଭୂତ ଶକ୍ତିରେ ସେ ସର୍ବଦା ଯୁକ୍ତ ରହନ୍ତି | ତାଙ୍କ ଅତିରିକ୍ତ ଅନ୍ୟ କୌଣସି ସ୍ଥାନରେ ବି ଏମାନେ ନିତ୍ୟ ରୂପରେ ନିବାସ କରନ୍ତି ନାହିଁ | ସେହି ସର୍ବେଶ୍ବର ପ୍ରଭୁ ନିଜର ନିତ୍ୟ ଆନନ୍ଦମୟ ସ୍ବରୂପରେ ହିଁ ନିତ୍ୟ-ନିରନ୍ତର ନିମଗ୍ନ ରହନ୍ତି |

ତଦ୍ଦର୍ଶନାହ୍ଲାଦପରିପ୍ଲୁତାନ୍ତରୋ

ହୃଷ୍ୟତ୍ତନୁଃ ପ୍ରେମଭରାଶ୍ରୁଲୋଚନଃ ।

ନନାମ ପାଦାମ୍ବୁଜମସ୍ୟ ବିଶ୍ୱସୃଗ୍-

ଯତ୍ପାରମହଂସ୍ୟେନ ପଥାଧିଗମ୍ୟତେ ॥ ୧୭॥

ତାଙ୍କର ଦର୍ଶନ କରିବା ମାତ୍ରେ ବ୍ରହ୍ମାଜୀଙ୍କର ହୃଦୟ ଆନନ୍ଦ ଉଦ୍ରେକରେ ପରିପୂର୍ଣ୍ଣ ହୋଇଗଲା | ଶରୀର ପୁଲକିତ ହୋଇ ଉଠିଲା ଏବଂ ନେତ୍ରରେ ପ୍ରେମାଶ୍ରୁ ଉଦବେଳିତ ହେବାରେ ଲାଗିଲା | ଭଗବାନଙ୍କର ଚରଣ-କମଳ, ଯାହା ପରମହଂସମାନଙ୍କୁ ନିବୃତ୍ତିମାର୍ଗରେ ପ୍ରାପ୍ତ ହୋଇଥାଏ, ସେହି ଚରଣରେ ସିର ଅବନତ କରି ବ୍ରହ୍ମା ପ୍ରଣାମ କଲେ |  

ତଂ ପ୍ରୀୟମାଣଂ ସମୁପସ୍ଥିତଂ ତଦା

ପ୍ରଜାବିସର୍ଗେ ନିଜଶାସନାର୍ହଣମ୍ ।

ବଭାଷ ଈଷତ୍ସ୍ମିତଶୋଚିଷା ଗିରା

ପ୍ରିୟଃ ପ୍ରିୟଂ ପ୍ରୀତମନାଃ କରେ ସ୍ପୃଶନ୍ ॥ ୧୮॥

ନିଜ ପ୍ରିୟ ବ୍ରହ୍ମାଙ୍କୁ ଏହିପରି ପ୍ରେମ ଓ ଆନନ୍ଦରେ ନିମଗ୍ନ, ଶରଣାଗତ ଏବଂ ପ୍ରଜା-ସୃଷ୍ଟି ନିମନ୍ତେ ଆଦେଶ ପ୍ରାପ୍ତ କରିବାକୁ ଯୋଗ୍ୟ ଭାବରେ ଦେଖି, ଭଗବାନ ବହୁତ ପ୍ରସନ୍ନ ହେଲେ | ସେ ବ୍ରହ୍ମାଙ୍କୁ ଅଭିନନ୍ଦିତ କରି ସ୍ମିତହାସ୍ୟ ଅଳଂକୃତ ବାଣୀରେ ଏହିପରି କହିଲେ -

ଶ୍ରୀଭଗବାନୁବାଚ

ତ୍ୱୟାହଂ ତୋଷିତଃ ସମ୍ୟଗ୍ୱେଦଗର୍ଭ ସିସୃକ୍ଷୟା ।

ଚିରଂ ଭୃତେନ ତପସା ଦୁସ୍ତୋଷଃ କୂଟୟୋଗିନାମ୍ ॥ ୧୯॥

ଶ୍ରୀଭଗବାନ କହିଲେ – ହେ ବ୍ରହ୍ମା ! ତୁମ ହୃଦୟରେ ହିଁ ସମସ୍ତ ବେଦଜ୍ଞାନ ବିଦ୍ୟମାନ | ସୃଷ୍ଟିରଚନା ଇଚ୍ଛାରେ ତୁମେ ଚିରକାଳ ତପସ୍ୟା କରି ମୋତେ ପୂର୍ଣ୍ଣ ସନ୍ତୁଷ୍ଟ କରିଦେଇଛ | ମନରେ କପଟ ରଖି ଯୋଗସାଧନା କରୁଥିବା ବ୍ୟକ୍ତି ମୋତେ କେବେ ପ୍ରସନ୍ନ କରିପାରନ୍ତି ନାହିଁ |

ବରଂ ବରୟ ଭଦ୍ରଂ ତେ ବରେଶଂ ମାଭିବାଞ୍ଛିତମ୍ ।

ବ୍ରହ୍ମଞ୍ଛ୍ରେୟଃପରିଶ୍ରାମଃ ପୁଂସୋ ମଦ୍ଦର୍ଶନାବଧିଃ ॥ ୨୦॥

ତୁମର କଲ୍ୟାଣ ହେଉ | ତୁମର ଯାହା ବି ଅଭିଳାଷ ଅଛି, ତଦନୁଯାୟୀ ମୋ ଠାରୁ ବର ମାଗିନିଅ, କାରଣ ମୁଁ ଅଭିଳଷିତ ବର ଦେବାରେ ସମର୍ଥ ଅଟେ | ହେ ବ୍ରହ୍ମା ! ଜୀବର ସମସ୍ତ କଲ୍ୟାଣକାରୀ ସାଧନର ପର୍ଯ୍ୟାବସାନ ମୋ ଦର୍ଶନରେ ହିଁ ହୋଇଯାଏ |

ମନୀଷିତାନୁଭାବୋଽୟଂ ମମ ଲୋକାବଲୋକନମ୍ ।

ଯଦୁପଶ୍ରୁତ୍ୟ ରହସି ଚକର୍ଥ ପରମଂ ତପଃ ॥ ୨୧॥

ତୁମେ ମୋର ଦର୍ଶନ କରିବା ପୂର୍ବରୁ ଶୂନ୍ୟ ଜଳରୁ ମୋର ବାଣୀ ଶୁଣି ଏପରି ଘୋର ତପସ୍ୟା କଲ, ଯାହାର ଫଳସ୍ବରୂପ ମୋ ଇଚ୍ଛାରେ ହିଁ ତୁମକୁ ମୋ ଦିବ୍ୟ ଲୋକର ଦର୍ଶନ ପ୍ରାପ୍ତ ହେଲା |

ପ୍ରତ୍ୟାଦିଷ୍ଟଂ ମୟା ତତ୍ର ତ୍ୱୟି କର୍ମବିମୋହିତେ ।

ତପୋ ମେ ହୃଦୟଂ ସାକ୍ଷାଦାତ୍ମାହଂ ତପସୋଽନଘ ॥ ୨୨॥

ସେହି ସମୟରେ ତୁମେ ସୃଷ୍ଟିରଚନା କରିବାକୁ ଯାଇ କିଂକର୍ତ୍ତବ୍ୟବିମୂଢ଼ ହୋଇ ଯାଇଥିଲ | ସେଥିପାଇଁ ମୁଁ ତୁମକୁ ତପସ୍ୟା କରିବାକୁ ଆଦେଶ ଦେଇଥିଲି; କାରଣ ହେ ନିଷ୍ପାପ ବ୍ରହ୍ମା ! ତପସ୍ୟା ମୋର ହୃଦୟ ଅଟେ ଏବଂ ମୁଁ ସ୍ବୟଂ ତପସ୍ୟାର ଆତ୍ମା ଅଟେ |

ସୃଜାମି ତପସୈବେଦଂ ଗ୍ରସାମି ତପସା ପୁନଃ ।

ବିଭର୍ମି ତପସା ବିଶ୍ୱଂ ବୀର୍ୟଂ ମେ ଦୁଶ୍ଚରଂ ତପଃ ॥ ୨୩॥

ତପସ୍ୟା ଦ୍ବାରା ହିଁ ମୁଁ ଏହି ସଂସାରର ସୃଷ୍ଟି କରିଥାଏ, ତପସ୍ୟା ଦ୍ବାରା ହିଁ ଏହାର ଧାରଣ-ପୋଷଣ କରିଥାଏ ଏବଂ ସେହି ତପସ୍ୟା ଦ୍ବାରା ହିଁ ମୁଁ ଏହାକୁ ନିଜ ମଧ୍ୟରେ ଲୀନ କରିଦେଇ ଥାଏ |

ବ୍ରହ୍ମୋବାଚ

ଭଗବନ୍ ସର୍ୱଭୂତାନାମଧ୍ୟକ୍ଷୋଽବସ୍ଥିତୋ ଗୁହାମ୍ ।

ବେଦ ହ୍ୟପ୍ରତିରୁଦ୍ଧେନ ପ୍ରଜ୍ଞାନେନ ଚିକୀର୍ଷିତମ୍ ॥ ୨୪॥

ବ୍ରହ୍ମା କହୁଛନ୍ତି – ଭଗବନ୍ ! ଆପଣ ସବୁ ପ୍ରାଣୀଙ୍କ ଅନ୍ତଃକରଣରେ ସାକ୍ଷୀ ରୂପରେ ବିରାଜମାନ କରିଛନ୍ତି | ତେଣୁ ମୁଁ କଣ କରିବାକୁ ଇଚ୍ଛା କରୁଛି, ନିଜର ଅପ୍ରତିହତ ଜ୍ଞାନ ଦ୍ବାରା ଆପଣ ତାହା ଜାଣନ୍ତି |

ତଥାପି ନାଥମାନସ୍ୟ ନାଥ ନାଥୟ ନାଥିତମ୍ ।

ପରାବରେ ଯଥା ରୂପେ ଜାନୀୟାଂ ତେ ତ୍ୱରୂପିଣଃ ॥ ୨୫॥

ହେ ନାଥ ! ଆପଣ କୃପା କରି ମୋ ପରି ଯାଚକର ଏହି ମାଗୁଣି ଘେନା କରନ୍ତୁ ଯେପରି କି ମୁଁ ଆପଣଙ୍କର ସଗୁଣ ଏବଂ ନିର୍ଗୁଣ ଉଭୟ ରୂପକୁ ବୁଝିପାରିବି |

ଯଥାଽଽତ୍ମମାୟାୟୋଗେନ ନାନାଶକ୍ତ୍ୟୁପବୃଂହିତମ୍ ।

ବିଲୁମ୍ପନ୍ ବିସୃଜନ୍ ଗୃହ୍ଣନ୍ ବିଭ୍ରଦାତ୍ମାନମାତ୍ମନା ॥ ୨୬॥

କ୍ରୀଡସ୍ୟମୋଘସଙ୍କଲ୍ପ ଊର୍ଣନାଭିର୍ୟଥୋର୍ଣୁତେ ।

ତଥା ତଦ୍ୱିଷୟାଂ ଧେହି ମନୀଷାଂ ମୟି ମାଧବ ॥ ୨୭॥

ଆପଣ ମାୟାର ସ୍ବାମୀ ଅଟନ୍ତି, ଆପଣଙ୍କର କୌଣସି ସଂକଳ୍ପ କେବେ ବି ବ୍ୟର୍ଥ ଯାଏନାହିଁ | ବୁଢିଆଣି ନିଜ ମୁହଁରୁ ଜାଲ କାଢି ତା ଉପରେ କ୍ରୀଡା କରୁଥାଏ ଏବଂ ପୁଣି ଦିନେ ତାହାକୁ ନିଜ ଭିତରେ ଲୀନ କରିଦିଏ | ସେହିପରି ଆପଣ ନିଜ ମାୟାର ଆଶ୍ରୟ ଗ୍ରହଣ କରି ଏହି ବିବିଧ ଶକ୍ତିସମ୍ପନ୍ନ ଜଗତର ଉତ୍ପତ୍ତି, ପାଳନ ଏବଂ ସଂହାର କରିବା ନିମନ୍ତେ ନିଜକୁ ହିଁ ଅନେକ ରୂପରେ ପ୍ରକଟ କରି କ୍ରୀଡା କରିଥାଆନ୍ତି | ଏସବୁ ଆପଣ କିପରି କରନ୍ତି – ତାହାର ମର୍ମ ମୁଁ ଯେପରି ଜାଣିପାରିବି, ସେହି ଜ୍ଞାନ ମୋତେ ପ୍ରଦାନ କରନ୍ତୁ |

ଭଗବଚ୍ଛିକ୍ଷିତମହଂ କରବାଣି ହ୍ୟତନ୍ଦ୍ରିତଃ ।

ନେହମାନଃ ପ୍ରଜାସର୍ଗଂ ବଧ୍ୟେୟଂ ଯଦନୁଗ୍ରହାତ୍ ॥ ୨୮॥

ଆପଣ ମୋ ପ୍ରତି ଏପରି କୃପା କରନ୍ତୁ ଯେ ମୁଁ ସଜାଗ ରହି ସାବଧାନ ସହକାରେ ଆପଣଙ୍କର ଆଜ୍ଞା ପାଳନ କରିପାରିବି ଏବଂ ସୃଷ୍ଟି ରଚନା କରୁଥିବା ସମୟରେ ମଧ୍ୟ କର୍ତ୍ତାପଣ ଆଦି ଅଭିମାନରୁ ମୁକ୍ତ ରହିବି |

ଯାବତ୍ସଖା ସଖ୍ୟୁରିବେଶ ତେ କୃତଃ

ପ୍ରଜାବିସର୍ଗେ ବିଭଜାମି ଭୋ ଜନମ୍ ।

ଅବିକ୍ଲବସ୍ତେ ପରିକର୍ମଣି ସ୍ଥିତୋ

ମା ମେ ସମୁନ୍ନଦ୍ଧମଦୋଽଜମାନିନଃ ॥ ୨୯॥

ହେ ପ୍ରଭୁ ! ଆପଣ ଜଣେ ମିତ୍ର ପରି ମୋର ହସ୍ତ ଧାରଣ କରି ମୋତେ ମିତ୍ର ରୂପରେ ସ୍ବୀକାର କରିଛନ୍ତି | ତେଣୁ, ଯେତେବେଳେ ମୁଁ ସୃଷ୍ଟିରଚନା ସେବାରେ ନିଯୁକ୍ତ ରହି ସାବଧାନପୂର୍ବକ ପୂର୍ବସୃଷ୍ଟିର ଗୁଣ-କର୍ମ ଅନୁସାରେ ଜୀବମାନଙ୍କର ବିଭାଜନ କରିବାରେ ଲାଗିବି, ସେତେବେଳେ ନିଜକୁ ଜନ୍ମ-କର୍ମ ଆଦିରୁ ସ୍ବତନ୍ତ୍ର ମନେ କରି ମୋ ହୃଦୟରେ ପ୍ରବଳ ଅଭିମାନ ଜାତ ନ ହେଉ |

ଶ୍ରୀଭଗବାନୁବାଚ

ଜ୍ଞାନଂ ପରମଗୁହ୍ୟଂ ମେ ଯଦ୍ୱିଜ୍ଞାନସମନ୍ୱିତମ୍ ।

ସରହସ୍ୟଂ ତଦଙ୍ଗଂ ଚ ଗୃହାଣ ଗଦିତଂ ମୟା ॥ ୩୦॥

ଶ୍ରୀଭଗବାନ କହିଲେ – ହେ ବ୍ରହ୍ମା ! ଅନୁଭବ, ପ୍ରେମାଭକ୍ତି ଏବଂ ସାଧନରେ ଯୁକ୍ତ ଅତ୍ୟନ୍ତ ଗୋପନୀୟ ନିଜ ସ୍ବରୂପର ଜ୍ଞାନ ମୁଁ ତୁମକୁ ପ୍ରଦାନ କରୁଛି, ତୁମେ ତାହା ଗ୍ରହଣ କର |

ଯାବାନହଂ ଯଥାଭାବୋ ଯଦ୍ରୂପଗୁଣକର୍ମକଃ ।

ତଥୈବ ତତ୍ତ୍ୱବିଜ୍ଞାନମସ୍ତୁ ତେ ମଦନୁଗ୍ରହାତ୍ ॥ ୩୧॥

ମୋର ଯେତେ ସବୁ ବିସ୍ତାର ରହିଛି, ଯେତେ ଲକ୍ଷଣ ରହିଛି, ଯେତେ ଏବଂ ଯେପରି ରୂପ, ଗୁଣ ଏବଂ ଲୀଳା ରହିଛି, ମୋ କୃପାରୁ ତୁମେ ତାହାର ତତ୍ତ୍ବକୁ ଠିକ ସେହିପରି ଭାବେ ଅନୁଭବ କର |

ଅହମେବାସମେବାଗ୍ରେ ନାନ୍ୟଦ୍ୟତ୍ସଦସତ୍ପରମ୍ ।

ପଶ୍ଚାଦହଂ ଯଦେତଚ୍ଚ ଯୋଽବଶିଷ୍ୟେତ ସୋଽସ୍ମ୍ୟହମ୍ ॥ ୩୨॥

ସୃଷ୍ଟି ପୂର୍ବରୁ କେବଳ ମୁଁ ହିଁ ମୁଁ ଥିଲି | ମୋ ଅତିରିକ୍ତ କୌଣସି ସ୍ଥୁଳ ବା ସୂକ୍ଷ୍ମ ତତ୍ତ୍ବ ବା ସେମାନଙ୍କର ଉଭୟର କାରଣ ଅଜ୍ଞାନ ନ ଥିଲା | ଯେତେବେଳେ ସୃଷ୍ଟି ନ ଥିଲା, ସେତେବେଳେ କେବଳ ମୁଁ ହିଁ ମୁଁ ଥିଲି; ବର୍ତ୍ତମାନ ସୃଷ୍ଟି ରୂପରେ ଯାହା କିଛି ପ୍ରତୀତ ହେଉଛି, ତାହା ମଧ୍ୟ ମୁଁ ଅଟେ ଏବଂ ଶେଷରେ ଯାହାକିଛି ଅବଶିଷ୍ଟ ରହିବ, ତାହା ମଧ୍ୟ ମୁଁ ହିଁ ଅଟେ |

ଋତେଽର୍ଥଂ ଯତ୍ପ୍ରତୀୟେତ ନ ପ୍ରତୀୟେତ ଚାତ୍ମନି ।

ତଦ୍ୱିଦ୍ୟାଦାତ୍ମନୋ ମାୟାଂ ଯଥାଭାସୋ ଯଥା ତମଃ ॥ ୩୩॥

ବାସ୍ତବରେ ନ ଥାଇ ମଧ୍ୟ ମୋ ଅତିରିକ୍ତ ଯାହାକିଛି ଅନିର୍ବଚନୀୟ ବସ୍ତୁ ପରମାତ୍ମାଙ୍କଠାରେ ଦୁଇଟି ଚନ୍ଦ୍ର ସଦୃଶ ମିଥ୍ୟା ହିଁ ପ୍ରତୀତ ହୋଇଥାଏ ଏବଂ ବିଦ୍ୟମାନ ଥାଇ ମଧ୍ୟ ଆକାଶର ନକ୍ଷତ୍ରମଣ୍ଡଳରେ ରାହୁ ସଦୃଶ ଯହିଁରେ ମୋର ପ୍ରତୀତି ହୋଇ ନ ଥାଏ, ତାହାକୁ ମୋର ମାୟା ଭାବରେ ଜାଣ |

ଯଥା ମହାନ୍ତି ଭୂତାନି ଭୂତେଷୂଚ୍ଚାବଚେଷ୍ୱନୁ ।

ପ୍ରବିଷ୍ଟାନ୍ୟପ୍ରବିଷ୍ଟାନି ତଥା ତେଷୁ ନ ତେଷ୍ୱହମ୍ ॥ ୩୪॥

ପ୍ରାଣୀମାନଙ୍କର ପଂଚଭୂତରଚିତ ଛୋଟ-ବଡ ଶରୀରରେ ଯେପରି ଆକାଶାଦି ପଂଚ ମହାଭୂତ ସେହି ଶରୀରର କାର୍ଯ୍ୟରୂପରେ ନିର୍ମିତ ହୋଇଥିବା କାରଣରୁ ପ୍ରବେଶ ମଧ୍ୟ କରିଥାଆନ୍ତି ଏବଂ ପୂର୍ବରୁ ହିଁ ସେହି ସ୍ଥାନ ଏବଂ ରୂପରେ କାରଣ ଭାବରେ ବିଦ୍ୟମାନ ରହିଥିବା କାରଣରୁ ପ୍ରବେଶ କରି ନ ଥାଆନ୍ତି, ସେହିପରି ସେହି ପ୍ରାଣୀମାନଙ୍କୁ ଶରୀର ଦୃଷ୍ଟିରେ ଦେଖିଲେ ମୁଁ ସେମାନଙ୍କ ମଧ୍ୟରେ ଆତ୍ମା ରୂପରେ ପ୍ରବେଶ କରିଥାଏ ଏବଂ ଆତ୍ମଦୃଷ୍ଟିରେ ଦେଖିଲେ ନିଜ ଅତିରିକ୍ତ ଅନ୍ୟ କୌଣସି ବସ୍ତୁ ନ ଥିବା ଯୋଗୁଁ ମୁଁ ସେମାନଙ୍କ ମଧ୍ୟରେ ପ୍ରବିଷ୍ଟ ମଧ୍ୟ ନୁହେଁ |

ଏତାବଦେବ ଜିଜ୍ଞାସ୍ୟଂ ତତ୍ତ୍ୱଜିଜ୍ଞାସୁନାଽଽତ୍ମନଃ ।

ଅନ୍ୱୟବ୍ୟତିରେକାଭ୍ୟାଂ ଯତ୍ସ୍ୟାତ୍ସର୍ୱତ୍ର ସର୍ୱଦା ॥ ୩୫॥

ଏହା ବ୍ରହ୍ମ ନୁହେଁ, ଏହା ବ୍ରହ୍ମ ନୁହେଁ – ଏହିପରି ନିଷେଧ ପଦ୍ଧତିରେ ଏବଂ ଏହା ବ୍ରହ୍ମ ଅଟେ, ଏହା ବ୍ରହ୍ମ ଅଟେ – ଏହି ଅନ୍ବୟ ପଦ୍ଧତିରେ ଏହା ସିଦ୍ଧ ହୋଇଥାଏ ଯେ ସର୍ବାତୀତ ଏବଂ ସର୍ବସ୍ବରୂପ ଭଗବାନ ହିଁ ସର୍ବଦା ଓ ସର୍ବତ୍ର ସ୍ଥିତ ଅଟନ୍ତି, ସେ ହିଁ ବାସ୍ତବିକ ତତ୍ତ୍ବ ଅଟନ୍ତି | ଯେଉଁମାନେ ଆତ୍ମା ଏବଂ ପରମାତ୍ମା ତତ୍ତ୍ବ ବିଷୟରେ ଜାଣିବାକୁ ଇଚ୍ଛା କରନ୍ତି, ସେମାନେ କେବଳ ଏତିକି ଜାଣି ରଖିବା ଆବଶ୍ୟକ |

ଏତନ୍ମତଂ ସମାତିଷ୍ଠ ପରମେଣ ସମାଧିନା ।

ଭବାନ୍ କଲ୍ପବିକଲ୍ପେଷୁ ନ ବିମୁହ୍ୟତି କର୍ହିଚିତ୍ ॥ ୩୬॥

ହେ ବ୍ରହ୍ମାଜୀ ! ତୁମେ ଅବିଚଳ ସମାଧି ଦ୍ବାରା ମୋର ଏହି ସିଦ୍ଧାନ୍ତରେ ପୂର୍ଣ୍ଣ ନିଷ୍ଠା ପ୍ରାପ୍ତ କର | ତଦ୍ବାରା କଳ୍ପ-କଳ୍ପ ଧରି ବିବିଧ ପ୍ରକାରର ସୃଷ୍ଟି ରଚନା କରି ମଧ୍ୟ ତୁମେ ମୋହଗ୍ରସ୍ତ ହେବ ନାହିଁ |

ଶ୍ରୀଶୁକ ଉବାଚ

ସମ୍ପ୍ରଦିଶ୍ୟୈବମଜନୋ ଜନାନାଂ ପରମେଷ୍ଠିନମ୍ ।

ପଶ୍ୟତସ୍ତସ୍ୟ ତଦ୍ରୂପମାତ୍ମନୋ ନ୍ୟରୁଣଦ୍ଧରିଃ ॥ ୩୭॥

ଶ୍ରୀ ଶୁକଦେବ କହୁଛନ୍ତି – ଲୋକପିତାମହ ବ୍ରହ୍ମାଙ୍କୁ ଏହିପରି ଉପଦେଶ ଦେଇ ଅଜନ୍ମା ଭଗବାନ ଆଖି ପିଛୁଳାକେ ନିଜର ସେହି ରୂପକୁ ଅଦୃଶ୍ୟ କରିଦେଲେ |

ଅନ୍ତର୍ହିତେନ୍ଦ୍ରିୟାର୍ଥାୟ ହରୟେ ବିହିତାଞ୍ଜଲିଃ ।

ସର୍ୱଭୂତମୟୋ ବିଶ୍ୱଂ ସସର୍ଜେଦଂ ସ ପୂର୍ୱବତ୍ ॥ ୩୮॥

ସର୍ବଭୂତସ୍ବରୂପ ବ୍ରହ୍ମାଜୀ ଯେତେବେଳେ ଦେଖିଲେ ଯେ ଭଗବାନ ନିଜର ଇନ୍ଦ୍ରିୟଗୋଚର ସ୍ଵରୂପକୁ ତାଙ୍କ ନେତ୍ର ସମ୍ମୁଖରୁ ହଟାଇ ନେଇଛନ୍ତି, ସେତେବେଳେ ସେ ତାଙ୍କୁ ଅଞ୍ଜଳି ବାନ୍ଧି ପ୍ରଣାମ କଲେ ଏବଂ ପୂର୍ବ କଳ୍ପରେ ସୃଷ୍ଟି ଯେପରି ଥିଲା ସେହିପରି ଭାବରେ ବିଶ୍ବ ରଚନା କରିବାରେ ଲାଗିଲେ |

ପ୍ରଜାପତିର୍ଧର୍ମପତିରେକଦା ନିୟମାନ୍ ଯମାନ୍ ।

ଭଦ୍ରଂ ପ୍ରଜାନାମନ୍ୱିଚ୍ଛନ୍ନାତିଷ୍ଠତ୍ସ୍ୱାର୍ଥକାମ୍ୟଯା ॥ ୩୯॥

ଏକଦା ଧର୍ମପତି-ପ୍ରଜାପତି ବ୍ରହ୍ମା, କିପରି ସମସ୍ତ ଜନତାଙ୍କର କଲ୍ୟାଣ ହେବ, ନିଜର ସେହି ସ୍ବାର୍ଥ ପୂର୍ତ୍ତି ନିମନ୍ତେ ବିଧିପୂର୍ବକ ଯମ-ନିୟମ ଧାରଣ କଲେ |

ତଂ ନାରଦଃ ପ୍ରିୟତମୋ ରିକ୍ଥାଦାନାମନୁବ୍ରତଃ ।

ଶୁଶ୍ରୂଷମାଣଃ ଶୀଲେନ ପ୍ରଶ୍ରୟେଣ ଦମେନ ଚ ॥ ୪୦॥

ମାୟାଂ ବିବିଦିଷନ୍ ବିଷ୍ଣୋର୍ମାୟେଶସ୍ୟ ମହାମୁନିଃ ।

ମହାଭାଗବତୋ ରାଜନ୍ ପିତରଂ ପର୍ୟତୋଷୟତ୍ ॥ ୪୧॥

ସେହି ସମୟରେ ତାଙ୍କର ପୁତ୍ରମାନଙ୍କ ମଧ୍ୟରେ ସର୍ବାଧିକ ପ୍ରିୟ ପୁତ୍ର ପରମ ଭକ୍ତ ଦେବର୍ଷି ନାରଦ ମାୟାପତି ଭଗବାନଙ୍କର ମାୟା ତତ୍ତ୍ବକୁ ଜାଣିବା ଇଚ୍ଛାରେ ବହୁତ ସଂଯମ, ବିନୟ ଏବଂ ସୌମ୍ୟତାର ସହିତ ଅନୁଗତ ହୋଇ ତାଙ୍କର ସେବା କରି ବ୍ରହ୍ମାଜୀଙ୍କୁ ସନ୍ତୁଷ୍ଟ କରିନେଲେ |

ତୁଷ୍ଟଂ ନିଶାମ୍ୟ ପିତରଂ ଲୋକାନାଂ ପ୍ରପିତାମହମ୍ ।

ଦେବର୍ଷିଃ ପରିପପ୍ରଚ୍ଛ ଭବାନ୍ ଯନ୍ମାନୁପୃଚ୍ଛତି ॥ ୪୨॥

ହେ ପରୀକ୍ଷିତ ! ଦେବର୍ଷି ନାରଦ ଯେତେବେଳେ ଦେଖିଲେ ଲୋକପିତାମହ ମୋର ପିତାଜୀ ମୋ ଉପରେ ଅତ୍ୟନ୍ତ ପ୍ରସନ୍ନ ଅଟନ୍ତି, ସେତେବେଳେ ସେ ତାଙ୍କୁ ଏହିସବୁ ପ୍ରଶ୍ନ ପଚାରି ଥିଲେ, ଯାହା ତୁମେ ମୋତେ ଆଜି ପଚାରୁଛ |

ତସ୍ମା ଇଦଂ ଭାଗବତଂ ପୁରାଣଂ ଦଶଲକ୍ଷଣମ୍ ।

ପ୍ରୋକ୍ତଂ ଭଗବତା ପ୍ରାହ ପ୍ରୀତଃ ପୁତ୍ରାୟ ଭୂତକୃତ୍ ॥ ୪୩॥

ତାଙ୍କର ସେହି ପ୍ରଶ୍ନରେ ବ୍ରହ୍ମାଜୀ ଆହୁରି ଅଧିକ ପ୍ରସନ୍ନ ହେଲେ | ତାପରେ ସେ ନିଜ ପୁତ୍ର ନାରଦଙ୍କୁ ଏହି ଦଶ ଲକ୍ଷଣ ବିଶିଷ୍ଟ ଭାଗବତ ଶୁଣାଇ ଥିଲେ, ଯାହାର ଉପଦେଶ ସ୍ବୟଂ ଭଗବାନ ତାଙ୍କୁ ଦେଇଥିଲେ |

ନାରଦଃ ପ୍ରାହ ମୁନୟେ ସରସ୍ୱତ୍ୟାସ୍ତଟେ ନୃପ ।

ଧ୍ୟାୟତେ ବ୍ରହ୍ମ ପରମଂ ବ୍ୟାସାୟାମିତତେଜସେ ॥ ୪୪॥

ଯେଉଁ ସମୟରେ ମୋର ପରମ ତେଜସ୍ବୀ ପିତା ସରସ୍ବତୀ ନଦୀ ତୀରରେ ବସି ପରମାତ୍ମାଙ୍କ ଧ୍ୟାନରେ ମଗ୍ନ ଥିଲେ, ସେତେବେଳେ ଦେବର୍ଷି ନାରଦ ଏହି ଭାଗବତ ତାଙ୍କୁ ଶୁଣାଇ ଥିଲେ |

ଯଦୁତାହଂ ତ୍ୱୟା ପୃଷ୍ଟୋ ବୈରାଜାତ୍ପୁରୁଷାଦିଦମ୍ ।

ଯଥାଽଽସୀତ୍ତଦୁପାଖ୍ୟାସ୍ୟେ ପ୍ରଶ୍ନାନନ୍ୟାଂଶ୍ଚ କୃତ୍ସ୍ନଶଃ ॥ ୪୫॥

ତୁମେ ଆଜି ମୋତେ ଯେଉଁ ପ୍ରଶ୍ନ ପଚାରିଲ ଯେ ବିରାଟପୁରୁଷଙ୍କଠାରୁ ଏହି ସଂସାରର ଉତ୍ପତ୍ତି କିପରି ହେଲା ଏବଂ ଆହୁରି ଅନେକ ପ୍ରଶ୍ନ, ତାହାର ଉତ୍ତର ମୁଁ ଏହି ଭାଗବତ ପୁରାଣ ରୂପରେ ଦେଉଛି |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଦ୍ୱିତୀୟସ୍କନ୍ଧେ ନବମୋଽଧ୍ୟାୟଃ ॥ ୯॥

Comments

Popular posts from this blog