ଶ୍ରୀମଦ୍ ଭାଗବତ ମହାପୁରାଣ
ଓଁ ନମୋ ଭଗବତେ ବାସୁଦେବାୟ
ଦ୍ବିତୀୟ ସ୍କନ୍ଧ
ତୃତୀୟ ଅଧ୍ୟାୟ
କାମନା ଅନୁସାରେ ବିଭିନ୍ନ ଦେବତାଙ୍କର ଉପାସନା ଏବଂ ଭଗବତ୍-ଭକ୍ତିର ପ୍ରାଧାନ୍ୟ ନିରୂପଣ
ଶ୍ରୀଶୁକ ଉବାଚ
ଏବମେତନ୍ନିଗଦିତଂ ପୃଷ୍ଟବାନ୍ ଯଦ୍ଭବାନ୍
ମମ ।
ନୃଣାଂ ଯନ୍ମ୍ରିୟମାଣାନାଂ ମନୁଷ୍ୟେଷୁ
ମନୀଷିଣାମ୍ ॥ ୧॥
ଶ୍ରୀ ଶୁକଦେବ କହୁଛନ୍ତି – ହେ
ପରୀକ୍ଷିତ ! ତୁମେ ମୋତେ ଯାହା ପଚାରି ଥିଲ, ମୃତ୍ୟୁକାଳରେ ବୁଦ୍ଧିମାନ ମନୁଷ୍ୟ କ’ଣ କରିବା ଉଚିତ୍, ତାହାର ଉତ୍ତର ମୁଁ ଦେଲି |
ବ୍ରହ୍ମବର୍ଚସକାମସ୍ତୁ ଯଜେତ ବ୍ରହ୍ମଣଃ
ପତିମ୍ ।
ଇନ୍ଦ୍ରମିନ୍ଦ୍ରିୟକାମସ୍ତୁ ପ୍ରଜାକାମଃ
ପ୍ରଜାପତୀନ୍ ॥ ୨॥
ଯେଉଁମାନେ ବ୍ରହ୍ମତେଜ ପ୍ରାପ୍ତ କରିବା
ପାଇଁ ଇଚ୍ଛୁକ, ସେମାନେ ବୃହଷ୍ପତିଙ୍କର; ଯେଉଁମାନେ ଇନ୍ଦ୍ରିୟମାନଙ୍କୁ ଅଧିକ
ଶକ୍ତିସମ୍ପନ୍ନ କରିବାକୁ ଇଚ୍ଛା କରନ୍ତି, ସେମାନେ ଇନ୍ଦ୍ରଙ୍କର; ଯେଉଁମାନେ
ସନ୍ତାନ ପ୍ରାପ୍ତିର ଲାଳସା ରଖିଥାଆନ୍ତି, ସେମାନେ ପ୍ରଜାପତିଙ୍କର ଉପାସନା କରିବା
ଆବଶ୍ୟକ |
ଦେବୀଂ ମାୟାଂ ତୁ ଶ୍ରୀକାମସ୍ତେଜସ୍କାମୋ
ବିଭାବସୁମ୍ ।
ବସୁକାମୋ ବସୂନ୍ ରୁଦ୍ରାନ୍
ବୀର୍ୟକାମୋଽଥ ବୀର୍ୟବାନ୍ ॥ ୩॥
ଯାହାର ଲକ୍ଷ୍ମୀ ଲୋଡା, ସେ ମାୟାଦେବୀଙ୍କର; ଯାହାର ତେଜ ଆବଶ୍ୟକ, ସେ ଅଗ୍ନିଦେବଙ୍କର; ଯାହାର ଧନ ଲୋଡା, ସେ ବସୁମାନଙ୍କର ଏବଂ ଯେଉଁ ପ୍ରଭାବଶାଳୀ ପୁରୁଷଙ୍କର ବୀର୍ଯ୍ୟ ଆବଶ୍ୟକ, ସେ ରୁଦ୍ରଙ୍କର ଉପାସନା କରିବା ଉଚିତ୍ |
ଅନ୍ନାଦ୍ୟକାମସ୍ତ୍ୱଦିତିଂ
ସ୍ୱର୍ଗକାମୋଽଦିତେଃ ସୁତାନ୍ ।
ବିଶ୍ୱାନ୍ ଦେବାନ୍ ରାଜ୍ୟକାମଃ
ସାଧ୍ୟାନ୍ ସଂସାଧକୋ ବିଶାମ୍ ॥ ୪॥
ଯେଉଁମାନେ ବହୁତ
ଅନ୍ନ ପ୍ରାପ୍ତ କରିବାକୁ ଇଚ୍ଛା କରନ୍ତି, ସେମାନେ ଅଦିତିଙ୍କର; ଯାହାର
ସ୍ବର୍ଗ-କାମନା ରହିଥାଏ ସେ ଅଦିତି-ପୁତ୍ର ଦେବତାମାନଙ୍କର; ଯାହାର ରାଜ୍ୟ ଅଭିଳାଷ ରହିଥାଏ, ସେ ବିଶ୍ବେଦେବାଙ୍କର; ଯିଏ ପ୍ରଜାମାନଙ୍କୁ ଅନୁକୂଳ ରଖିବାକୁ ଇଚ୍ଛା କରନ୍ତି, ସେ ସାଧ୍ୟ
ଦେବତାଙ୍କର ଆରାଧନା କରିବା ଆବଶ୍ୟକ |
ଆୟୁଷ୍କାମୋଽଶ୍ୱିନୌ ଦେବୌ ପୁଷ୍ଟିକାମ
ଇଲାଂ ଯଜେତ୍ ।
ପ୍ରତିଷ୍ଠାକାମଃ ପୁରୁଷୋ ରୋଦସୀ
ଲୋକମାତରୌ ॥ ୫॥
ଆୟୁ ଇଚ୍ଛାରେ
ଅଶ୍ବିନୀକୁମାରଙ୍କର, ପୁଷ୍ଟି ଇଚ୍ଛାରେ ପୃଥ୍ବୀଦେବୀଙ୍କର ଏବଂ
ପ୍ରତିଷ୍ଠା ଇଚ୍ଛାରେ ଲୋକମାତା ପୃଥିବୀ ଏବଂ ଆକାଶର ଉପାସନା କରାଯିବା ଆବଶ୍ୟକ |
ରୂପାଭିକାମୋ ଗନ୍ଧର୍ୱାନ୍
ସ୍ତ୍ରୀକାମୋଽପ୍ସର ଉର୍ୱଶୀମ୍ ।
ଆଧିପତ୍ୟକାମଃ ସର୍ୱେଷାଂ ଯଜେତ
ପରମେଷ୍ଠିନମ୍ ॥ ୬॥
ସୌନ୍ଦର୍ଯ୍ୟ ଇଚ୍ଛାରେ ଗନ୍ଧର୍ବଙ୍କର, ପତ୍ନୀ-ପ୍ରାପ୍ତି ଇଚ୍ଛାରେ ଉର୍ବଶୀ ଅପ୍ସରାଙ୍କର ଏବଂ ସମସ୍ତଙ୍କର ସ୍ବାମୀ ହେବା ଇଚ୍ଛାରେ
ବ୍ରହ୍ମାଙ୍କର ଆରାଧନା କରାଯିବା ଉଚିତ୍ |
ଯଜ୍ଞଂ ଯଜେଦ୍ୟଶସ୍କାମଃ କୋଶକାମଃ
ପ୍ରଚେତସମ୍ ।
ବିଦ୍ୟାକାମସ୍ତୁ ଗିରିଶଂ ଦାମ୍ପତ୍ୟାର୍ଥ
ଉମାଂ ସତୀମ୍ ॥ ୭॥
ଯଶକାମୀ ଯଜ୍ଞପୁରୁଷଙ୍କର, ସମ୍ପତ୍ତି
ଲାଳସାରେ ବରୁଣଙ୍କର, ବିଦ୍ୟାପ୍ରାପ୍ତିର ଆକାଂକ୍ଷାରେ ଭଗବାନ ଶଂକରଙ୍କର ଏବଂ ପତି-ପତ୍ନୀ
ମଧ୍ୟରେ ପରସ୍ପର ପ୍ରେମ ଅକ୍ଷୁର୍ଣ୍ଣ ରଖିବା ପାଇଁ ଦେବୀ ପାର୍ବତୀଙ୍କର ଉପାସନା କରିବା ଉଚିତ୍ |
ଧର୍ମାର୍ଥ ଉତ୍ତମଶ୍ଲୋକଂ ତନ୍ତୁଂ
ତନ୍ୱନ୍ ପିତୄନ୍ ଯଜେତ୍ ।
ରକ୍ଷାକାମଃ ପୁଣ୍ୟଜନାନୋଜସ୍କାମୋ
ମରୁଦ୍ଗଣାନ୍ ॥ ୮॥
ଧର୍ମ ଉପାର୍ଜନ କରିବା ପାଇଁ ବିଷ୍ଣୁ
ଭଗବାନଙ୍କର, ବଂଶ ପରମ୍ପରା ରକ୍ଷା ନିମନ୍ତେ ପିତୃପୁରୁଷଙ୍କର, ବାଧା ଅତିକ୍ରମ କରିବା ପାଇଁ
ଯକ୍ଷମାନଙ୍କର ଏବଂ ବଳବାନ୍ ହେବା ପାଇଁ ମରୁତଗଣଙ୍କର ଆରାଧନା କରିବା ଉଚିତ୍ |
ରାଜ୍ୟକାମୋ ମନୂନ୍ ଦେବାନ୍ ନିରୃତିଂ
ତ୍ୱଭିଚରନ୍ ଯଜେତ୍ ।
କାମକାମୋ ଯଜେତ୍ସୋମମକାମଃ ପୁରୁଷଂ ପରମ୍
॥ ୯॥
ରାଜ୍ୟପ୍ରାପ୍ତି ନିମନ୍ତେ ମନ୍ବନ୍ତର
ଅଧିପତିଙ୍କର, ଅଭିଚାର ନିମନ୍ତେ ନିଋତିଙ୍କର, ଭୋଗ ପ୍ରାପ୍ତି ନିମନ୍ତେ ଚନ୍ଦ୍ରମାଙ୍କର ଏବଂ
ନିଷ୍କାମତା ପ୍ରାପ୍ତ କରିବା ନିମନ୍ତେ ପରମ ପୁରୁଷ ନାରାୟଣଙ୍କର ଭଜନ କରିବା ଉଚିତ୍ |
ଅକାମଃ ସର୍ୱକାମୋ ବା ମୋକ୍ଷକାମ ଉଦାରଧୀଃ ।
ତୀବ୍ରେଣ ଭକ୍ତିୟୋଗେନ ଯଜେତ ପୁରୁଷଂ ପରମ୍ ॥ ୧୦॥
ଏତଦ୍ ବ୍ୟତିତ, ବୁଦ୍ଧିମାନ ପୁରୁଷ – ନିଷ୍କାମ
ହୁଅନ୍ତୁ, ସମସ୍ତ କାମନାରେ ଯୁକ୍ତ ହୁଅନ୍ତୁ ଅଥବା
ମୋକ୍ଷ ଅଭିଳାଷୀ ହୁଅନ୍ତୁ – ତୀବ୍ର ଭକ୍ତିଯୋଗରେ ସେ ଏକମାତ୍ର ପୁରୁଷୋତ୍ତମ ଭଗବାନଙ୍କର ହିଁ
ଆରାଧନା କରିବା ଆବଶ୍ୟକ |
ଏତାବାନେବ ଯଜତାମିହ ନିଃଶ୍ରେୟସୋଦୟଃ ।
ଭଗବତ୍ୟଚଲୋ ଭାବୋ ଯଦ୍ଭାଗବତସଙ୍ଗତଃ ॥
୧୧॥
ଯେତେ ଉପାସକ ଅଛନ୍ତି, ସମସ୍ତଙ୍କର ସର୍ବାଧିକ ହିତ ଏଥିରେ ନିହିତ ଯେ ସେମାନେ ଭଗବାନଙ୍କ ପ୍ରେମୀ ଭକ୍ତମାନଙ୍କର
ସଙ୍ଗତି ଲାଭ କରି ଭଗବାନଙ୍କ ପ୍ରତି ଅବିଚଳ ପ୍ରେମ ପ୍ରାପ୍ତ କରିନେବେ |
ଜ୍ଞାନଂ ଯଦା
ପ୍ରତିନିବୃତ୍ତଗୁଣୋର୍ମିଚକ୍ର-
ମାତ୍ମପ୍ରସାଦ ଉତ ଯତ୍ର ଗୁଣେଷ୍ୱସଙ୍ଗଃ
।
କୈବଲ୍ୟସମ୍ମତପଥସ୍ତ୍ୱଥ ଭକ୍ତିୟୋଗଃ
କୋ ନିର୍ୱୃତୋ ହରିକଥାସୁ ରତିଂ ନ
କୁର୍ୟାତ୍ ॥ ୧୨॥
ଏପରି ମହାପୁରୁଷଙ୍କର ସତସଂଗରେ
ଭଗବାନଙ୍କର ଲୀଳା-କଥାର ଯେଉଁ ଚର୍ଚ୍ଚା ହେଉଥାଏ, ତଦ୍ବାରା ସେହି ଦୁର୍ଲଭ ଜ୍ଞାନର ପ୍ରାପ୍ତି ହୋଇଥାଏ, ଯାହା ଦ୍ବାରା ସଂସାର-ସାଗରର ତ୍ରିଗୁଣମୟୀ ତରଙ୍ଗମାଳାର ଆଘାତ ଶାନ୍ତ
ହୋଇଯାଏ, ହୃଦୟ ଶୁଦ୍ଧ ହୋଇ ଆନନ୍ଦର ଅନୁଭବ ହେବାରେ ଲାଗେ, ଇନ୍ଦ୍ରିୟମାନଙ୍କର ବିଷୟ-ଆସକ୍ତି ସମାପ୍ତ ହୋଇଯାଏ, ଏବଂ କୈବଲ୍ୟମୋକ୍ଷର ସର୍ବସମ୍ମତ ମାର୍ଗ ଭକ୍ତିଯୋଗ ପ୍ରାପ୍ତ ହୋଇଯାଏ |
ଶୌନକ ଉବାଚ
ଇତ୍ୟଭିବ୍ୟାହୃତଂ ରାଜା ନିଶମ୍ୟ
ଭରତର୍ଷଭଃ ।
କିମନ୍ୟତ୍ପୃଷ୍ଟବାନ୍ ଭୂୟୋ
ବୈୟାସକିମୃଷିଂ କବିମ୍ ॥ ୧୩॥
ଶୌନକ ପଚାରୁଛନ୍ତି – ହେ ସୂତ ମହାଶୟ ! ଶୁକଦେବଙ୍କର
ଉପଦେଶ ଶୁଣିବା ପରେ ରାଜା ପରୀକ୍ଷିତ ତାଙ୍କୁ ଆଉ କ’ଣ ପଚାରି ଥିଲେ ? ସେ ତ ସର୍ବଜ୍ଞ ହୋଇଥିବା ସହିତ ମଧୁର ବର୍ଣ୍ଣନ କରିବାରେ ଅତ୍ୟଧିକ ନିପୁଣ
ଥିଲେ |
ଏତଚ୍ଛୁଶ୍ରୂଷତାଂ ବିଦ୍ୱନ୍ ସୂତ
ନୋଽର୍ହସି ଭାଷିତୁମ୍ ।
କଥା ହରିକଥୋଦର୍କାଃ ସତାଂ ସ୍ୟୁଃ ସଦସି
ଧ୍ରୁବମ୍ ॥ ୧୪॥
ହେ ସୂତଜୀ ! ଆପଣ ତ ସବୁକିଛି ଜାଣନ୍ତି,
ସେମାନଙ୍କର ସେହି କଥୋପକଥନ ଆମ୍ଭେମାନେ ଅତ୍ୟନ୍ତ ପ୍ରେମର ସହିତ ଶୁଣିବାକୁ ଇଚ୍ଛା କରୁଛୁ | ଆପଣ
କୃପା କରି ଆମକୁ ତାହା ଶୁଣାନ୍ତୁ; କାରଣ ସନ୍ଥମାନଙ୍କର ସଭାରେ ଏପରି ସବୁ ବିଷୟର ଆଲୋଚନା ହୁଏ, ଯାହାର ପର୍ଯ୍ୟବସାନ ଭଗବାନଙ୍କର ରସମୟୀ ଲୀଳା-କଥାରେ ହିଁ ହୋଇଥାଏ |
ସ ବୈ ଭାଗବତୋ ରାଜା ପାଣ୍ଡବେୟୋ ମହାରଥଃ
।
ବାଲକ୍ରୀଡନକୈଃ କ୍ରୀଡନ୍ କୃଷ୍ଣକ୍ରୀଡାଂ
ଯ ଆଦଦେ ॥ ୧୫॥
ପାଣ୍ଡୁନନ୍ଦନ ମହାରଥୀ ରାଜା ପରୀକ୍ଷିତ
ବହୁତ ବଡ ଭଗବତ୍-ଭକ୍ତ ଥିଲେ | ବାଲ୍ୟାବସ୍ଥାରେ ଖେଳଣା ଧରି ଖେଳୁଥିବା ସମୟରେ ମଧ୍ୟ ସେ
ଶ୍ରୀକୃଷ୍ଣଲୀଳାର ରସ ଆସ୍ବାଦନ କରୁଥିଲେ |
ବୈୟାସକିଶ୍ଚ ଭଗବାନ୍ ବାସୁଦେବପରାୟଣଃ ।
ଉରୁଗାୟଗୁଣୋଦାରାଃ ସତାଂ ସ୍ୟୁର୍ହି
ସମାଗମେ ॥ ୧୬॥
ଭଗବନ୍ମୟ ଶ୍ରୀ ଶୁକଦେବ ମୁନି ମଧ୍ୟ ଜନ୍ମରୁ
ଭଗବତ୍ ପରାୟଣ ଥିଲେ | ଏପରି ସନ୍ଥଙ୍କର ସତସଂଗରେ ଭଗବାନଙ୍କର ମଙ୍ଗଳମୟ ଗୁଣମାନଙ୍କର ଦିବ୍ୟ
ଚର୍ଚ୍ଚା ନିଶ୍ଚିତ ଭାବରେ ହୋଇଥିବ |
ଆୟୁର୍ହରତି ବୈ ପୁଂସାମୁଦ୍ୟନ୍ନସ୍ତଂ ଚ
ଯନ୍ନସୌ ।
ତସ୍ୟର୍ତେ ଯତ୍କ୍ଷଣୋ ନୀତ
ଉତ୍ତମଶ୍ଲୋକବାର୍ତୟା ॥ ୧୭॥
ଯେଉଁମାନଙ୍କର ସମୟ ଭଗବାନ
ଶ୍ରୀକୃଷ୍ଣଙ୍କର ଗୁଣଗାନ ଅଥବା ଶ୍ରବଣରେ ବ୍ୟତୀତ ହୋଇଥାଏ, ସେମାନଙ୍କ ଅତିରିକ୍ତ ଅନ୍ୟ ସମସ୍ତଙ୍କର ଆୟୁ ବୃଥାରେ ଅତିବାହିତ ହେଉଥାଏ | ପ୍ରତିଦିନ
ସୂର୍ଯ୍ୟଦେବଙ୍କର ଉଦୟ ଏବଂ ଅସ୍ତ କ୍ରମରେ ସେମାନଙ୍କର ଆୟୁ କ୍ଷୟ ହେବାରେ ଲାଗିଥାଏ |
ତରବଃ କିଂ ନ ଜୀବନ୍ତି ଭସ୍ତ୍ରାଃ କିଂ ନ
ଶ୍ୱସନ୍ତ୍ୟୁତ ।
ନ ଖାଦନ୍ତି ନ ମେହନ୍ତି କିଂ
ଗ୍ରାମପଶବୋଽପରେ ॥ ୧୮॥
ବୃକ୍ଷମାନେ କ’ଣ ଜୀବନ ଧାରଣ କରନ୍ତି ନାହିଁ ? କମାରର ଫୁଙ୍କନଳା କ’ଣ ଶ୍ବାସ ଗ୍ରହଣ କରେ ନାହିଁ ? ମନୁଷ୍ୟ-ପଶୁ ପରି ଗ୍ରାମର ଅନ୍ୟ ପାଳିତ ପଶୁମାନେ କ’ଣ ଭୋଜନ-ପାନ ବା ମୈଥୁନ ଆଦି କରନ୍ତି ନାହିଁ ?
ଶ୍ୱବିଡ୍ୱରାହୋଷ୍ଟ୍ରଖରୈଃ ସଂସ୍ତୁତଃ
ପୁରୁଷଃ ପଶୁଃ ।
ନ ଯତ୍କର୍ଣପଥୋପେତୋ ଜାତୁ ନାମ
ଗଦାଗ୍ରଜଃ ॥ ୧୯॥
ଯାହା କାନରେ ଭଗବାନ ଶ୍ରୀକୃଷ୍ଣଙ୍କର
ଲୀଳା-କଥା କେବେ ବି ପଡିନାହିଁ, ସେପରି ମନୁଷ୍ୟ କୁକୁର, ଘୁଷୁରି, ଓଟ ବା ଗଧଙ୍କଠାରୁ କିପରି ଭାବରେ ଉନ୍ନତ ଅଟନ୍ତି ?
ବିଲେ ବତୋରୁକ୍ରମବିକ୍ରମାନ୍ ଯେ
ନ ଶୃଣ୍ୱତଃ କର୍ଣପୁଟେ ନରସ୍ୟ ।
ଜିହ୍ୱାସତୀ ଦାର୍ଦୁରିକେବ ସୂତ
ନ ଚୋପଗାୟତ୍ୟୁରୁଗାୟଗାଥାଃ ॥ ୨୦॥
ହେ ସୂତଜୀ ! ଯେଉଁ ମନୁଷ୍ୟ ଭଗବାନ
ଶ୍ରୀକୃଷ୍ଣଙ୍କର କଥା ଶ୍ରବଣ କରନ୍ତି ନାହିଁ, ସେମାନଙ୍କର କାନ ଗର୍ତ୍ତ ସଦୃଶ ଅଟେ |
ଯେଉଁ ଜିହ୍ବା ଭଗବାନଙ୍କ ଲୀଳା ଗାନ କରେନାହିଁ, ତାହା କେବଳ ବେଙ୍ଗ ପରି ରଡି କରୁଥାଏ; ତାହା ଥାଇ ନ ଥିବା ପରି ଅଟେ |
ଭାରଃ ପରଂ ପଟ୍ଟକିରୀଟଜୁଷ୍ଟ-
ମପ୍ୟୁତ୍ତମାଙ୍ଗଂ ନ ନମେନ୍ମୁକୁନ୍ଦମ୍ ।
ଶାବୌ କରୌ ନୋ କୁରୁତଃ ସପର୍ୟାଂ
ହରେର୍ଲସତ୍କାଞ୍ଚନକଙ୍କଣୌ ବା ॥ ୨୧॥
ଯେଉଁ ମସ୍ତକ କେବେ ଭଗବାନ
ଶ୍ରୀକୃଷ୍ଣଙ୍କ ଚରଣରେ ଅବନତ ହୁଏନାହିଁ, ତାହା ରେଶମ ବସ୍ତ୍ରରେ ସୁସଜ୍ଜିତ ଏବଂ
ମୁକୁଟରେ ସୁଶୋଭିତ ହୋଇ ମଧ୍ୟ ଭାର ସଦୃଶ ଅଟେ | ଯେଉଁ ହାତ ଭଗବାନଙ୍କର ସେବା-ପୂଜା କରେନାହିଁ, ତାହା ସୁବର୍ଣ୍ଣ କଙ୍କଣରେ ଭୂଷିତ ହୋଇ ମଧ୍ୟ ଶବର ହାତ ସଦୃଶ ଅଟେ |
ବର୍ହାୟିତେ ତେ ନୟନେ ନରାଣାଂ
ଲିଙ୍ଗାନି ବିଷ୍ଣୋର୍ନ ନିରୀକ୍ଷତୋ ଯେ ।
ପାଦୌ ନୃଣାଂ ତୌ ଦ୍ରୁମଜନ୍ମଭାଜୌ
କ୍ଷେତ୍ରାଣି ନାନୁବ୍ରଜତୋ ହରେର୍ୟୌ ॥
୨୨॥
ଯେଉଁ ଆଖି ଭଗବାନଙ୍କର ସ୍ମୃତି
ଉଦ୍ରେକକାରୀ ମୂର୍ତ୍ତି, ତୀର୍ଥ, ନଦୀ ଆଦିର ଦର୍ଶନ କରେନାହିଁ, ତାହା ମୟୂର ପୁଚ୍ଛରେ ଚିତ୍ରିତ ଆଖି
ଚିହ୍ନ ପରି ନିରର୍ଥକ ଅଟେ | ମନୁଷ୍ୟର ସେହି ପାଦ ଚାଲିବାକୁ ସକ୍ଷମ ହୋଇଥିଲେ ବି ସ୍ଥାବର ବୃକ୍ଷ
ପରି ଅଟେ, ଯଦି ତାହା ଭଗବାନଙ୍କର ଲୀଳାସ୍ଥଳୀକୁ ଯାତ୍ରା କରୁ ନ ଥାଏ |
ଜୀବଞ୍ଛବୋ ଭାଗବତାଙ୍ଘ୍ରିରେଣୁଂ
ନ ଜାତୁ ମର୍ତ୍ୟୋଽଭିଲଭେତ ଯସ୍ତୁ ।
ଶ୍ରୀବିଷ୍ଣୁପଦ୍ୟା ମନୁଜସ୍ତୁଲସ୍ୟାଃ
ଶ୍ୱସଞ୍ଛବୋ ଯସ୍ତୁ ନ ବେଦ ଗନ୍ଧମ୍ ॥
୨୩॥
ଯେଉଁ ମନୁଷ୍ୟ ନିଜ ମସ୍ତକରେ
ଭଗବତ୍-ପ୍ରେମୀ ସନ୍ଥମାନଙ୍କର ଚରଣଧୂଳି ଲଗାନ୍ତି ନାହିଁ, ସେ ଜୀବିତ ହୋଇ ମଧ୍ୟ ଶବ ତୁଲ୍ୟ ଅଟନ୍ତି | ଯେଉଁ ବ୍ୟକ୍ତି ଭଗବାନଙ୍କ ଚରଣରେ ଅର୍ପିତ
ତୁଳସୀର ସୁଗନ୍ଧ ଗ୍ରହଣ କରି କୃତକୃତ୍ୟ ହୁଅନ୍ତି ନାହିଁ, ସେ ଶ୍ବାସ ଗ୍ରହଣ କରୁଥିଲେ ବି ଶ୍ବାସରହିତ ଶବ ଅଟନ୍ତି |
ଯଦ୍ଗୃହ୍ୟମାଣୈର୍ହରିନାମଧେୟୈଃ ।
ନ ବିକ୍ରିୟେତାଥ ଯଦା ବିକାରୋ
ନେତ୍ରେ ଜଲଂ ଗାତ୍ରରୁହେଷୁ ହର୍ଷଃ ॥ ୨୪॥
ହେ ସୂତ ମହାଶୟ ! ତାହା ହୃଦୟ ନୁହେଁ, ଲୌହ ଅଟେ, ଯାହା ଭଗବାନଙ୍କ ମଙ୍ଗଳମୟ ନାମର ଶ୍ରବଣ-କୀର୍ତ୍ତନରେ ଦ୍ରବୀଭୂତ ହୋଇ ତାଙ୍କ ଆଡକୁ
ପ୍ରବାହିତ ହୋଇ ନ ଥାଏ | ହୃଦୟ ଦ୍ରବିତ ହେଲେ, ନେତ୍ରରେ ଅଶ୍ରୁର ଉଦବେଳନ ହୁଏ ଏବଂ ଶରୀର
ରୋମାଞ୍ଚିତ ହୋଇ ଉଠେ |
ଅଥାଭିଧେହ୍ୟଙ୍ଗ ମନୋଽନୁକୂଲଂ
ପ୍ରଭାଷସେ ଭାଗବତପ୍ରଧାନଃ ।
ଯଦାହ ବୈୟାସକିରାତ୍ମବିଦ୍ୟା-
ବିଶାରଦୋ ନୃପତିଂ ସାଧୁ ପୃଷ୍ଟଃ ॥ ୨୫॥
ପ୍ରିୟ ସୂତଜୀ ! ଆପଣଙ୍କର ବାଣୀ ଆମ
ହୃଦୟକୁ ମଧୁରତାରେ ଭରି ଦେଉଛି | ସେଥିପାଇଁ ପରୀକ୍ଷିତଙ୍କର ସୁନ୍ଦର ପ୍ରଶ୍ନର ଉତ୍ତର ଦେବାକୁ
ଯାଇ ଭଗବାନଙ୍କର ପରମ ଭକ୍ତ, ଆତ୍ମବିଦ୍ୟା-ବିଶାରଦ ଶ୍ରୀ ଶୁକଦେବ
ତାଙ୍କୁ କ’ଣ କହିଲେ, ସେହି ସମ୍ବାଦ କୃପା କରି ଆପଣ
ଆମ୍ଭମାନଙ୍କୁ ଶୁଣାନ୍ତୁ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ
ପାରମହଂସ୍ୟାଂ
ସଂହିତାୟାଂ ଦ୍ୱିତୀୟସ୍କନ୍ଧେ
ତୃତୀୟୋଽଧ୍ୟାୟଃ ॥ ୩॥

Comments
Post a Comment