ଶ୍ରୀମଦ୍ ଭାଗବତ ମହାପୁରାଣ
ଓଁ ନମୋ ଭଗବତେ ବାସୁଦେବାୟ
ଦ୍ବିତୀୟ ସ୍କନ୍ଧ
ଚତୁର୍ଥ ଅଧ୍ୟାୟ
ରାଜାଙ୍କର ସୃଷ୍ଟିବିଷୟକ ପ୍ରଶ୍ନ ଏବଂ ଶ୍ରୀ ଶୁକଦେବଙ୍କ ଦ୍ବାରା କଥାରମ୍ଭ
ସୂତ ଉବାଚ
ବୈୟାସକେରିତି
ବଚସ୍ତତ୍ତ୍ୱନିଶ୍ଚୟମାତ୍ମନଃ ।
ଉପଧାର୍ୟ ମତିଂ କୃଷ୍ଣେ ଔତ୍ତରେୟଃ ସତୀଂ
ବ୍ୟଧାତ୍ ॥ ୧॥
ସୂତ ମୁନି କହୁଛନ୍ତି – ଶୁକଦେବଙ୍କର
ବଚନ ଭଗବତ୍-ତତ୍ତ୍ବର ନିର୍ଣ୍ଣାୟକ ଥିଲା | ତାହା ଶ୍ରବଣ କରି ଉତ୍ତରାନନ୍ଦନ ରାଜା ପରୀକ୍ଷିତ
ନିଜର ଶୁଦ୍ଧ ବୁଦ୍ଧିକୁ ଅନନ୍ୟ ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ସମର୍ପିତ କରିଦେଲେ |
ଆତ୍ମଜାୟାସୁତାଗାରପଶୁଦ୍ରବିଣବନ୍ଧୁଷୁ ।
ରାଜ୍ୟେ ଚାବିକଲେ ନିତ୍ୟଂ ବିରୂଢାଂ
ମମତାଂ ଜହୌ ॥ ୨॥
ଶରୀର, ପତ୍ନୀ, ପୁତ୍ର, ମହଲ, ପଶୁ, ଧନ, ଭାଇ-ବନ୍ଧୁ ତଥା ନିଷ୍କଣ୍ଟକ ରାଜ୍ୟ
ପ୍ରତି ଅଭ୍ୟାସବଶତଃ ତାଙ୍କର ଦୃଢ ମମତା ହୋଇ ଯାଇଥିଲା | କ୍ଷଣକରେ ସେ ସେହି ମମତାକୁ ତ୍ୟାଗ
କରିଦେଲେ |
ପପ୍ରଚ୍ଛ ଚେମମେବାର୍ଥଂ ଯନ୍ମାଂ ପୃଚ୍ଛଥ
ସତ୍ତମାଃ ।
କୃଷ୍ଣାନୁଭାବଶ୍ରବଣେ ଶ୍ରଦ୍ଦଧାନୋ
ମହାମନାଃ ॥ ୩॥
ସଂସ୍ଥାଂ ବିଜ୍ଞାୟ ସନ୍ନ୍ୟସ୍ୟ କର୍ମ
ତ୍ରୈବର୍ଗିକଂ ଚ ଯତ୍ ।
ବାସୁଦେବେ ଭଗବତି ଆତ୍ମଭାବଂ ଦୃଢଂ ଗତଃ
॥ ୪॥
ହେ ଶୌନକାଦି ଋଷିଗଣ ! ମହାମନସ୍ବୀ
ପରୀକ୍ଷିତ ନିଜ ମୃତ୍ୟୁର ନିଶ୍ଚିତ ସମୟ ଜାଣିଥିଲେ | ସେଥିପାଇଁ ସେ ଧର୍ମ, ଅର୍ଥ, କାମ ସମ୍ବନ୍ଧିତ ସମସ୍ତ କର୍ମକୁ ତ୍ୟାଗ କରିଦେଲେ | ତଦନନ୍ତର ଭଗବାନ
ଶ୍ରୀକୃଷ୍ଣଙ୍କ ପ୍ରତି ସୁଦୃଢ ଆତ୍ମଭାବ ପ୍ରାପ୍ତ ହୋଇ ପରମ ଶ୍ରଦ୍ଧାର ସହିତ ସେ ଭଗବାନ
ଶ୍ରୀକୃଷ୍ଣଙ୍କର ମହିମା ଶ୍ରବଣ ଉଦ୍ଦେଶ୍ୟରେ ଶୁକଦେବ ମୁନିଙ୍କୁ ଏହିପରି ପ୍ରଶ୍ନ କରିଥିଲେ, ଯାହା ଆପଣମାନେ ମୋ ଠାରୁ ଶୁଣିବାକୁ ଇଚ୍ଛା କରୁଛନ୍ତି |
ରାଜୋବାଚ
ସମୀଚୀନଂ ବଚୋ ବ୍ରହ୍ମନ୍ ସର୍ୱଜ୍ଞସ୍ୟ
ତବାନଘ ।
ତମୋ ବିଶୀର୍ୟତେ ମହ୍ୟଂ ହରେଃ କଥୟତଃ
କଥାମ୍ ॥ ୫॥
ପରୀକ୍ଷିତ ପଚାରିଲେ – ଭଗବତ୍-ସ୍ବରୂପ
ମୁନିବର ! ଆପଣ ପରମ ପବିତ୍ର ଏବଂ ସର୍ବଜ୍ଞ ଅଟନ୍ତି | ଆପଣ ଯାହା ସବୁ କହିଲେ, ତାହା ସତ୍ୟ ଏବଂ ଉଚିତ୍ ଅଟେ | ଆପଣଙ୍କଠାରୁ ମୁଁ ଯେତେ ବେଶୀ ଭଗବାନଙ୍କ କଥା ଶୁଣୁଛି,
ସେହି ଅନୁପାତରେ ମୋର ଅଜ୍ଞାନର ପରଦା ଅପସାରିତ ହେବାରେ ଲାଗିଛି |
ଭୂୟ ଏବ ବିବିତ୍ସାମି ଭଗବାନାତ୍ମମାୟଯା
।
ଯଥେଦଂ ସୃଜତେ ବିଶ୍ୱଂ
ଦୁର୍ୱିଭାବ୍ୟମଧୀଶ୍ୱରୈଃ ॥ ୬॥
ମୁଁ ଆପଣଙ୍କଠାରୁ ଆହୁରି ବି ଜାଣିବାକୁ
ଇଚ୍ଛା କରୁଛି ଯେ ଭଗବାନ ନିଜ ମାୟା ଶକ୍ତି ବଳରେ ସଂସାରର ସୃଷ୍ଟି କରନ୍ତି କିପରି | ଏହି
ସଂସାରର ରଚନା ତ ଏପରି ରହସ୍ୟମୟୀ ଯେ ବ୍ରହ୍ମାଦି ସମର୍ଥ ଲୋକପାଳମାନେ ମଧ୍ୟ ଏହାକୁ ବୁଝିବାକୁ
ଯାଇ ଭୁଲ୍ କରିବସନ୍ତି |
ଯଥା ଗୋପାୟତି ବିଭୁର୍ୟଥା ସଂୟଚ୍ଛତେ
ପୁନଃ ।
ଯାଂ ଯାଂ ଶକ୍ତିମୁପାଶ୍ରିତ୍ୟ
ପୁରୁଶକ୍ତିଃ ପରଃ ପୁମାନ୍ ।
ଆତ୍ମାନଂ କ୍ରୀଡୟନ୍ କ୍ରୀଡନ୍ କରୋତି
ବିକରୋତି ଚ ॥ ୭॥
ଭଗବାନ କିପରି ଭାବରେ ଏହି ବିଶ୍ବର
ରକ୍ଷା ଏବଂ ସଂହାର କରିଥାଆନ୍ତି ? ଅନନ୍ତଶକ୍ତି ପରମାତ୍ମା କେଉଁ କେଉଁ ଶକ୍ତିର ଆଶ୍ରୟ ଗ୍ରହଣ
କରି ନିଜକୁ ହିଁ ଖେଳଣା ରୂପରେ ବ୍ୟକ୍ତ କରି ତା ସହିତ ଖେଳୁଥାଆନ୍ତି ? ବାଳକମାନେ ଗଢୁଥିଵା
ବାଲିଘର ପରି ସେ ଏହି ବ୍ରହ୍ମାଣ୍ଡକୁ କିପରି ଗଢନ୍ତି ଏବଂ ଆଖି ପିଛୁଳାକେ ତାକୁ କିପରି ଭାଙ୍ଗି ଧୂଳିସାତ୍
କରିଦିଅନ୍ତି ?
ନୂନଂ ଭଗବତୋ ବ୍ରହ୍ମନ୍
ହରେରଦ୍ଭୁତକର୍ମଣଃ ।
ଦୁର୍ୱିଭାବ୍ୟମିବାଭାତି କବିଭିଶ୍ଚାପି
ଚେଷ୍ଟିତମ୍ ॥ ୮॥
ଭଗବାନ ଶ୍ରୀହରିଙ୍କର ଲୀଳାବଳୀ ଅତ୍ୟନ୍ତ
ଅଦ୍ଭୁତ ଏବଂ ଅଚିନ୍ତ୍ୟ ଅଟେ | ଏହା ନିଃସନ୍ଦେହରେ କୁହାଯାଇ ପାରେ ଯେ ବଡ ବଡ ବିଦ୍ବାନମାନଙ୍କ
ପକ୍ଷରେ ମଧ୍ୟ ତାଙ୍କର ଲୀଳା ରହସ୍ୟକୁ ବୁଝିବା ଅତ୍ୟନ୍ତ କଠିନ ପ୍ରତୀତ ହୋଇଥାଏ |
ଯଥା ଗୁଣାଂସ୍ତୁ
ପ୍ରକୃତେର୍ୟୁଗପତ୍କ୍ରମଶୋଽପି ବା ।
ବିଭର୍ତି ଭୂରିଶସ୍ତ୍ୱେକଃ କୁର୍ୱନ୍
କର୍ମାଣି ଜନ୍ମଭିଃ ॥ ୯॥
ଭଗବାନ ତ ଏକ ହିଁ ଅଟନ୍ତି | ବହୁତ କିଛି
କରିବା ପାଇଁ ସେ ପୁରୁଷ ରୂପରେ ପ୍ରକୃତିର ବିଭିନ୍ନ ଗୁଣମାନଙ୍କୁ ଏକସଙ୍ଗେ ଧାରଣ କରନ୍ତି ଅଥବା
ଅନେକ ଅବତାର ଗ୍ରହଣ କରି ସେହି ସବୁ ଗୁଣକୁ କ୍ରମଶଃ ଧାରଣ କରିଥାଆନ୍ତି |
ବିଚିକିତ୍ସିତମେତନ୍ମେ ବ୍ରବୀତୁ ଭଗବାନ୍
ଯଥା ।
ଶାବ୍ଦେ ବ୍ରହ୍ମଣି ନିଷ୍ଣାତଃ
ପରସ୍ମିଂଶ୍ଚ ଭବାନ୍ ଖଲୁ ॥ ୧୦॥
ମୁନିବର ! ଆପଣ ଉଭୟ ବେଦ ଏବଂ
ବ୍ରହ୍ମତତ୍ତ୍ବର ପୂର୍ଣ୍ଣ ମର୍ମଜ୍ଞ ଅଟନ୍ତି | ତେଣୁ ଆପଣ ଦୟାକରି ମୋର ଏହି ସଂଶୟ ନିବାରଣ
କରନ୍ତୁ |
ସୂତ ଉବାଚ
ଇତ୍ୟୁପାମନ୍ତ୍ରିତୋ ରାଜ୍ଞା
ଗୁଣାନୁକଥନେ ହରେଃ ।
ହୃଷୀକେଶମନୁସ୍ମୃତ୍ୟ ପ୍ରତିବକ୍ତୁଂ
ପ୍ରଚକ୍ରମେ ॥ ୧୧॥
ସୂତ ମୁନି କହୁଛନ୍ତି – ଭଗବାନଙ୍କର
ଗୁଣଗଣ ବର୍ଣ୍ଣନା କରିବା ପାଇଁ ରାଜା ପରୀକ୍ଷିତଙ୍କର ପ୍ରାର୍ଥନା ଶୁଣି ଶ୍ରୀ ଶୁକଦେବ ଭଗବାନ
ଶ୍ରୀକୃଷ୍ଣଙ୍କର ବାରମ୍ବାର ସ୍ମରଣ କରି ନିଜ ପ୍ରବଚନ ଆରମ୍ଭ କଲେ |
ଶ୍ରୀଶୁକ ଉବାଚ
ନମଃ ପରସ୍ମୈ ପୁରୁଷାୟ ଭୂୟସେ
ସଦୁଦ୍ଭବସ୍ଥାନନିରୋଧଲୀଲୟା ।
ଗୃହୀତଶକ୍ତିତ୍ରିତୟାୟ ଦେହିନା-
ମନ୍ତର୍ଭବାୟାନୁପଲକ୍ଷ୍ୟବର୍ତ୍ମନେ ॥
୧୨॥
ଶ୍ରୀ ଶୁକଦେବ କହିଲେ – ସେହି
ପୁରୁଷୋତ୍ତମ ଭଗବାନଙ୍କର ଚରଣ-କମଳରେ ମୋର କୋଟି କୋଟି ପ୍ରଣାମ, ଯିଏ ସଂସାରର ଉତ୍ପତ୍ତି, ସ୍ଥିତି ଓ ପ୍ରଳୟ ଲୀଳା କରିବା
ନିମନ୍ତେ ସତ୍ତ୍ବ, ରଜ, ତଥା ତମୋଗୁଣରୂପ ତିନି ଶକ୍ତିକୁ ସ୍ବୀକାର କରି ବ୍ରହ୍ମା, ବିଷ୍ଣୁ ଏବଂ ଶଂକରଙ୍କର ରୂପ ଧାରଣ କରିଥାଆନ୍ତି; ଯିଏ ଚର-ଅଚର ସମସ୍ତ ପ୍ରାଣୀଙ୍କ ହୃଦୟରେ ଅନ୍ତର୍ଯ୍ୟାମୀ ରୂପରେ ବିରାଜମାନ; ଯାହାର ସ୍ବରୂପ ଉପଲବଧିର ମାର୍ଗ ବୁଦ୍ଧିର ବିଷୟ ନୁହେଁ; ଯିଏ ସ୍ବୟଂ ଅନନ୍ତ ଅଟନ୍ତି ତଥା ଯାହାର ମହିମା ମଧ୍ୟ ଅନନ୍ତ ଅଟେ |
ଭୂୟୋ ନମଃ ସଦ୍ୱୃଜିନଚ୍ଛିଦେଽସତା-
ମସମ୍ଭବାୟାଖିଲସତ୍ତ୍ୱମୂର୍ତୟେ ।
ପୁଂସାଂ ପୁନଃ ପାରମହଂସ୍ୟ ଆଶ୍ରମେ
ବ୍ୟବସ୍ଥିତାନାମନୁମୃଗ୍ୟଦାଶୁଷେ ॥ ୧୩॥
ମୁଁ ପୁନର୍ବାର ତାଙ୍କ ଚରଣରେ ବାରମ୍ବାର
ନମସ୍କାର କରୁଛି, ଯିଏ ସତ୍-ପୁରୁଷଙ୍କର ଦୁଃଖମୋଚନ କରି ତାଙ୍କୁ ପ୍ରେମଦାନ
କରିଥାଆନ୍ତି, ଦୁଷ୍ଟମାନଙ୍କର ସାଂସାରିକ ଅଭିବୃଦ୍ଧି ବ୍ୟାହତ କରି ସେମାନଙ୍କୁ
ମୁକ୍ତି ପ୍ରଦାନ କରିଥାଆନ୍ତି ତଥା ଯେଉଁମାନେ ପରମହଂସ ଅବସ୍ଥାରେ ସ୍ଥିତ, ସେମାନଙ୍କୁ ମଧ୍ୟ ସେ ତାଙ୍କର ଅଭୀଷ୍ଟ ପ୍ରଦାନ କରିଥାଆନ୍ତି; କାରଣ ଚର-ଅଚର ସମସ୍ତ
ପ୍ରାଣୀ ତାଙ୍କର ହିଁ ମୂର୍ତ୍ତି ଅଟନ୍ତି, ସେଥିପାଇଁ କାହା ପ୍ରତି ବି ସେ
ପକ୍ଷପାତ କରନ୍ତି ନାହିଁ |
ନମୋ ନମସ୍ତେଽସ୍ତ୍ୱୃଷଭାୟ ସାତ୍ୱତାଂ
ବିଦୂରକାଷ୍ଠାୟ ମୁହୁଃ କୁୟୋଗିନାମ୍ ।
ନିରସ୍ତସାମ୍ୟାତିଶୟେନ ରାଧସା
ସ୍ୱଧାମନି ବ୍ରହ୍ମଣି ରଂସ୍ୟତେ ନମଃ ॥
୧୪॥
ଯିଏ ଅତ୍ୟନ୍ତ ଭକ୍ତବତ୍ସଳ ଅଟନ୍ତି ଏବଂ
ହଠପୂର୍ବକ ଭକ୍ତିହୀନ ସାଧନର ଅବଲମ୍ବନ ଗ୍ରହଣ କରୁଥିବା ବ୍ୟକ୍ତି ଯାହାର ଛାୟା ସୁଦ୍ଧା ସ୍ପର୍ଶ
କରିପାରନ୍ତି ନାହିଁ, ଐଶ୍ବର୍ଯ୍ୟରେ କେହି ମଧ୍ୟ ଯାହାର
ସମତୁଲ୍ୟ ନୁହଁନ୍ତି, ତାଙ୍କଠାରୁ କେହି ଅଧିକ ହେବାର ତ
ପ୍ରଶ୍ନ ହିଁ ଉଠେନାହିଁ - ଏପରି ଐଶ୍ବର୍ଯ୍ୟଯୁକ୍ତ ହୋଇ ଯିଏ ନିରନ୍ତର ବ୍ରହ୍ମସ୍ବରୂପ ନିଜ
ଧାମରେ ବିହାର କରୁଥାଆନ୍ତି, ସେହି ଭଗବାନ ଶ୍ରୀକୃଷ୍ଣଙ୍କୁ ମୁଁ
ବାରମ୍ବାର ନମସ୍କାର କରୁଛି |
ଯତ୍କୀର୍ତନଂ ଯତ୍ସ୍ମରଣଂ ଯଦୀକ୍ଷଣଂ
ଯଦ୍ୱନ୍ଦନଂ ଯଚ୍ଛ୍ରବଣଂ ଯଦର୍ହଣମ୍ ।
ଲୋକସ୍ୟ ସଦ୍ୟୋ ବିଧୁନୋତି କଲ୍ମଷଂ
ତସ୍ମୈ ସୁଭଦ୍ରଶ୍ରବସେ ନମୋ ନମଃ ॥ ୧୫॥
ଯାହାର କୀର୍ତ୍ତନ, ସ୍ମରଣ, ଦର୍ଶନ, ବନ୍ଦନ, ଶ୍ରବଣ ଏବଂ ପୂଜନ ଜୀବର ପାପକୁ ତତ୍କାଳ ନଷ୍ଟ କରିଦିଏ, ସେହି ପୁଣ୍ୟକୀର୍ତ୍ତି ଭଗବାନ ଶ୍ରୀକୃଷ୍ଣଙ୍କୁ ମୋର ବାରମ୍ବାର ନମସ୍କାର |
ବିଚକ୍ଷଣା ଯଚ୍ଚରଣୋପସାଦନାତ୍
ସଙ୍ଗଂ ବ୍ୟୁଦସ୍ୟୋଭୟତୋଽନ୍ତରାତ୍ମନଃ ।
ବିନ୍ଦନ୍ତି ହି ବ୍ରହ୍ମଗତିଂ ଗତକ୍ଲମା-
ସ୍ତସ୍ମୈ ସୁଭଦ୍ରଶ୍ରବସେ ନମୋ ନମଃ ॥
୧୬॥
ବିବେକୀ ପୁରୁଷ ଯାହାର ଚରଣ-କମଳର ଶରଣ ଗ୍ରହଣ
କରି ନିଜ ହୃଦୟରୁ ଇହଲୋକ ଓ ପରଲୋକର ଆସକ୍ତିକୁ ଦୂର କରିଦେଇ ଥାଆନ୍ତି ଏବଂ ବିନା ପରିଶ୍ରମରେ
ବ୍ରହ୍ମପଦକୁ ପ୍ରାପ୍ତ କରିନେଇ ଥାଆନ୍ତି, ସେହି ମଙ୍ଗଳମୟ କୀର୍ତ୍ତିମାନ ଭଗବାନ
ଶ୍ରୀକୃଷ୍ଣଙ୍କୁ ଅନେକ ବାର ନମସ୍କାର |
ତପସ୍ୱିନୋ ଦାନପରା ଯଶସ୍ୱିନୋ
ମନସ୍ୱିନୋ ମନ୍ତ୍ରବିଦଃ ସୁମଙ୍ଗଲାଃ ।
କ୍ଷେମଂ ନ ବିନ୍ଦନ୍ତି ବିନା ଯଦର୍ପଣଂ
ତସ୍ମୈ ସୁଭଦ୍ରଶ୍ରବସେ ନମୋ ନମଃ ॥ ୧୭॥
ବଡ ବଡ ତପସ୍ବୀ, ଦାନୀ, ଯଶସ୍ବୀ, ମନସ୍ବୀ, ସଦାଚାରୀ, ମନ୍ତ୍ରବେତ୍ତା ଯେତେବେଳଯାଏଁ ନିଜର ସାଧନାକୁ ତଥା ନିଜକୁ ତାଙ୍କ
ଚରଣରେ ସମର୍ପିତ କରି ନ ଥାଆନ୍ତି, ସେତେବେଳଯାଏଁ ସେମାନଙ୍କର କଲ୍ୟାଣ
ପ୍ରାପ୍ତି ହୋଇ ନ ଥାଏ | ଯାହା ପ୍ରତି ଆତ୍ମସମର୍ପଣର ମହିମା ଏତେ ବେଶୀ ଅଟେ, ସେହି କଲ୍ୟାଣମୟ କୀର୍ତ୍ତିମାନ ଭଗବାନଙ୍କୁ ମୋର ବାରମ୍ବାର ନମସ୍କାର |
କିରାତହୂଣାନ୍ଧ୍ରପୁଲିନ୍ଦପୁଲ୍କସା
ଆଭୀରକଙ୍କା ଯବନାଃ ଖସାଦୟଃ ।
ଯେଽନ୍ୟେ ଚ ପାପା ଯଦପାଶ୍ରୟାଶ୍ରୟାଃ
ଶୁଧ୍ୟନ୍ତି ତସ୍ମୈ ପ୍ରଭବିଷ୍ଣବେ ନମଃ ॥
୧୮॥
କିରାତ, ହୂଣ, ଆନ୍ଧ୍ର, ପୁଲିନ୍ଦ, ପୁଲ୍କସ, ଆଭୀର, କଂକ, ଯବନ ଏବଂ ଖସ ଆଦି ନୀଚ ଜାତି ତଥା
ଅନ୍ୟ ପାପୀମାନେ ଯାହାର ଶରଣାଗତ ଭକ୍ତମାନଙ୍କର ଶରଣ ଗ୍ରହଣ କରିବା ଦ୍ବାରା ହିଁ ପବିତ୍ର ହୋଇଯାଆନ୍ତି, ସେହି ସର୍ବଶକ୍ତିମାନ ଭଗବାନଙ୍କୁ ମୋର ବାରମ୍ବାର ନମସ୍କାର |
ସ ଏଷ ଆତ୍ମାଽଽତ୍ମବତାମଧୀଶ୍ୱର-
ସ୍ତ୍ରୟୀମୟୋ ଧର୍ମମୟସ୍ତପୋମୟଃ ।
ଗତବ୍ୟଲୀକୈରଜଶଙ୍କରାଦିଭି-
ର୍ୱିତର୍କ୍ୟଲିଙ୍ଗୋ ଭଗବାନ୍
ପ୍ରସୀଦତାମ୍ ॥ ୧୯॥
ସେହି ଏକ ହିଁ ଭଗବାନ ଜ୍ଞାନୀମାନଙ୍କର
ଆତ୍ମା ଅଟନ୍ତି, ଭକ୍ତମାନଙ୍କର ସ୍ବାମୀ ଅଟନ୍ତି, | କର୍ମକାଣ୍ଡୀଙ୍କ ନିମନ୍ତେ ସେ ବେଦମୂର୍ତ୍ତି, ଧାର୍ମିକମାନଙ୍କ ନିମନ୍ତେ ଧର୍ମମୂର୍ତ୍ତି, ଏବଂ ତପସ୍ବୀମାନଙ୍କ ନିମନ୍ତେ ସେ ତପଃସ୍ବରୂପ ଅଟନ୍ତି | ବ୍ରହ୍ମା, ଶଂକର ଆଦି ବଡ ବଡ ବିଭୂତି ନିଜ ଶୁଦ୍ଧ ହୃଦୟରେ ତାଙ୍କ ସ୍ବରୂପର ଚିନ୍ତନ କରନ୍ତି ଏବଂ
ବିସ୍ମୟାଭିଭୂତ ହୋଇ ତାଙ୍କୁ ଚାହିଁ ରହିଥାଆନ୍ତି | ସେହି ଭଗବାନ ମୋ ଉପରେ ନିଜ
ଅନୁଗ୍ରହ-ପ୍ରସାଦ ବର୍ଷଣ କରନ୍ତୁ |
ଶ୍ରିୟଃ ପତିର୍ୟଜ୍ଞପତିଃ ପ୍ରଜାପତି-
ର୍ଧିୟାମ୍ପତିର୍ଲୋକପତିର୍ଧରାପତିଃ ।
ପତିର୍ଗତିଶ୍ଚାନ୍ଧକବୃଷ୍ଣିସାତ୍ୱତାଂ
ପ୍ରସୀଦତାଂ ମେ ଭଗବାନ୍ ସତାଂ ପତିଃ ॥
୨୦॥
ଯିଏ ସମସ୍ତ ସମ୍ପଦର ସ୍ବାମିନୀ
ଲକ୍ଷ୍ମୀଦେବୀଙ୍କର ପତି ଅଟନ୍ତି, ସମସ୍ତ ଯଜ୍ଞର ଭୋକ୍ତା ଓ ଫଳଦାତା
ଅଟନ୍ତି, ପ୍ରଜାରକ୍ଷକ, ସର୍ବାନ୍ତର୍ଯ୍ୟାମୀ ଏବଂ ସମସ୍ତ ଲୋକର
ପାଳନକର୍ତ୍ତା ଅଟନ୍ତି ତଥା ପୃଥ୍ବୀଦେବୀଙ୍କର ସ୍ବାମୀ ଅଟନ୍ତି; ଯିଏ ଯଦୁବଂଶରେ ପ୍ରକଟ ହୋଇ ଅନ୍ଧକ, ବୃଷ୍ଣି ଏବଂ ଯଦୁବଂଶୀମାନଙ୍କର ରକ୍ଷା କରିଥିଲେ, ତଥା ଯିଏ ସେମାନଙ୍କର ଏକମାତ୍ର ଆଶ୍ରୟ ଅଟନ୍ତି, ସେହି ଭକ୍ତବତ୍ସଳ, ସନ୍ଥଜନଙ୍କର ସର୍ବସ୍ବ ଭଗବାନ ଶ୍ରୀକୃଷ୍ଣ ମୋ ପ୍ରତି ପ୍ରସନ୍ନ
ହୁଅନ୍ତୁ |
ଯଦଙ୍ଘ୍ର୍ୟଭିଧ୍ୟାନସମାଧିଧୌତୟା
ଧିୟାନୁପଶ୍ୟନ୍ତି ହି ତତ୍ତ୍ୱମାତ୍ମନଃ ।
ବଦନ୍ତି ଚୈତତ୍କବୟୋ ଯଥାରୁଚଂ
ସ ମେ ମୁକୁନ୍ଦୋ ଭଗବାନ୍ ପ୍ରସୀଦତାମ୍ ॥
୨୧॥
ବିଦ୍ବାନ ପୁରୁଷ ଯାହାର ଚରଣ-କମଳର
ଚିନ୍ତନରୂପ ସମାଧି ଦ୍ବାରା ଶୁଦ୍ଧ ହୋଇଥିବା ବୁଦ୍ଧିରେ ଆତ୍ମତତ୍ତ୍ବର ସାକ୍ଷାତ୍କାର କରନ୍ତି
ତଥା ତାଙ୍କର ଦର୍ଶନ କରିବା ପରେ ନିଜ ନିଜ ମତି ଓ ରୁଚି ଅନୁସାରେ ଯାହାର ସ୍ବରୂପର ବର୍ଣ୍ଣନ
କରିବାରେ ଲାଗନ୍ତି, ସେହି ପ୍ରେମ ଏବଂ ମୁକ୍ତି ବିତରଣକାରୀ
ଭଗବାନ ଶ୍ରୀକୃଷ୍ଣ ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ |
ପ୍ରଚୋଦିତା ଯେନ ପୁରା ସରସ୍ୱତୀ
ବିତନ୍ୱତାଜସ୍ୟ ସତୀଂ ସ୍ମୃତିଂ ହୃଦି ।
ସ୍ୱଲକ୍ଷଣା ପ୍ରାଦୁରଭୂତ୍କିଲାସ୍ୟତଃ
ସ ମେ ଋଷୀଣାମୃଷଭଃ ପ୍ରସୀଦତାମ୍ ॥ ୨୨॥
ଯିଏ ସୃଷ୍ଟି କାଳରେ ବ୍ରହ୍ମାଙ୍କ
ହୃଦୟରେ ପୂର୍ବକଳ୍ପର ସ୍ମୃତି ଉଜାଗର କରିବା ନିମନ୍ତେ ଜ୍ଞାନର ଅଧିଷ୍ଠାତ୍ରୀ ଦେବୀଙ୍କୁ
ପ୍ରେରିତ କରିଥିଲେ ଏବଂ ସେ ନିଜ ଅଙ୍ଗ ସହିତ ବେଦ ରୂପରେ ତାଙ୍କ ମୁଖରୁ ପ୍ରକଟ ହୋଇଥିଲେ, ଜ୍ଞାନର ମୂଳକାରଣ ସେହି ଭଗବାନ କୃପା କରି ମୋ ହୃଦୟରେ ପ୍ରକଟ ହୁଅନ୍ତୁ |
ଭୂତୈର୍ମହଦ୍ଭିର୍ୟ ଇମାଃ ପୁରୋ ବିଭୁ-
ର୍ନିର୍ମାୟ ଶେତେ ଯଦମୂଷୁ ପୂରୁଷଃ ।
ଭୁଙ୍କ୍ତେ ଗୁଣାନ୍ ଷୋଡଶ ଷୋଡଶାତ୍ମକଃ
ସୋଽଲଙ୍କୃଷୀଷ୍ଟ ଭଗବାନ୍ ବଚାଂସି ମେ ॥
୨୩॥
ଭଗବାନ ହିଁ ପଞ୍ଚମହାଭୂତ ଦ୍ବାରା ଏହି
ଶରୀରର ନିର୍ମାଣ କରି ଜୀବରୂପରେ ତନ୍ମଧ୍ୟରେ ଶୟନ କରିଥାଆନ୍ତି | ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ
କର୍ମେନ୍ଦ୍ରିୟ, ପଞ୍ଚ ପ୍ରାଣ ଏବଂ ଏକ ମନ – ଏହି ଷୋଳ କଳାରେ ଯୁକ୍ତ ହୋଇ ସେ ଷୋଳ ବିଷୟର ଭୋଗ
କରୁଥାଆନ୍ତି | ସେହି ସର୍ବଭୂତମୟ ଭଗବାନ ମୋର ବାଣୀକୁ ନିଜ ଗୁଣରେ ଅଳଂକୃତ କରନ୍ତୁ |
ନମସ୍ତସ୍ମୈ ଭଗବତେ ବାସୁଦେବାୟ ବେଧସେ ।
ପପୁର୍ଜ୍ଞାନମୟଂ ସୌମ୍ୟା
ଯନ୍ମୁଖାମ୍ବୁରୁହାସବମ୍ ॥ ୨୪॥
ସଂତ ପୁରୁଷ ଯାହାର ମୁଖକମଳରୁ ମକରନ୍ଦ
ସଦୃଶ ଝରୁଥିବା ଜ୍ଞାନମୟୀ ସୁଧାକୁ ପାନ କରିବାରେ ଲାଗିଥାଆନ୍ତି, ସେହି ବାସୁଦେବ-ଅବତାର ସର୍ବଜ୍ଞ ଭଗବାନ ବ୍ୟାସଙ୍କ ଚରଣରେ ମୋର ବାରମ୍ବାର ନମସ୍କାର |
ଏତଦେବାତ୍ମଭୂ ରାଜନ୍ ନାରଦାୟ
ବିପୃଚ୍ଛତେ ।
ବେଦଗର୍ଭୋଽଭ୍ୟଧାତ୍ସାକ୍ଷାଦ୍ୟଦାହ
ହରିରାତ୍ମନଃ ॥ ୨୫॥
ହେ ପରୀକ୍ଷିତ ! ନାରଦମୁନିଙ୍କ ପ୍ରଶ୍ନର
ଉତ୍ତରରେ ବେଦଗର୍ଭ ସ୍ବୟମ୍ଭୂ ବ୍ରହ୍ମା ଏହା କହିଥିଲେ, ଯାହାର ଉପଦେଶ ତାଙ୍କୁ ସ୍ବୟଂ ଭଗବାନ ନାରାୟଣ ପ୍ରଦାନ କରିଥିଲେ |
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ
ପାରମହଂସ୍ୟାଂ
ସଂହିତାୟାଂ ଦ୍ୱିତୀୟସ୍କନ୍ଧେ
ଚତୁର୍ଥୋଽଧ୍ୟାୟଃ ॥ ୪॥

Comments
Post a Comment