ଶ୍ରୀମଦ୍ ଭାଗବତ ମହାପୁରାଣ

ଓଁ ନମୋ ଭଗବତେ ବାସୁଦେବାୟ ॥

ତୃତୀୟ ସ୍କନ୍ଧ ॥

ତୃତୀୟ ଅଧ୍ୟାୟ

ଭଗବାନଙ୍କ ଅନ୍ୟ ଲୀଳାଚରିତ୍ରର ବର୍ଣ୍ଣନ

 

ଉଦ୍ଧବ ଉବାଚ

ତତଃ ସ ଆଗତ୍ୟ ପୁରଂ ସ୍ୱପିତ୍ରୋ-

ଶ୍ଚିକୀର୍ଷୟା ଶଂ ବଲଦେବସଂୟୁତଃ ।

ନିପାତ୍ୟ ତୁଙ୍ଗାଦ୍ରିପୁୟୂଥନାଥଂ

ହତଂ ବ୍ୟକର୍ଷଦ୍ୱ୍ୟସୁମୋଜସୋର୍ୱ୍ୟାମ୍ ॥ ୧॥

ଉଦ୍ଧବ କହୁଛନ୍ତି – ତଦନନ୍ତର ଶ୍ରୀକୃଷ୍ଣ ନିଜ ମାତା-ପିତା ଦେବକୀ-ବସୁଦେବଙ୍କୁ ସୁଖ ଦେବା ଇଚ୍ଛାରେ ବଳରାମଙ୍କ ସହିତ ମଥୁରାରେ ପହଞ୍ଚିଲେ ଏବଂ ସେଠାରେ ଶତ୍ରୁସମୁଦାୟର ସ୍ବାମୀ କଂସକୁ ସିଂହାସନରୁ ଭୂପତିତ କରି ତାର ପ୍ରାଣ ହରଣ କଲେ ତଥା ତାର ମୃତଶରୀରକୁ ଭୂମିରେ ଘୋଷାରି ଥିଲେ |

ସାନ୍ଦୀପନେଃ ସକୃତ୍ପ୍ରୋକ୍ତଂ ବ୍ରହ୍ମାଧୀତ୍ୟ ସବିସ୍ତରମ୍ ।

ତସ୍ମୈ ପ୍ରାଦାଦ୍ୱରଂ ପୁତ୍ରଂ ମୃତଂ ପଞ୍ଚଜନୋଦରାତ୍ ॥ ୨॥

ସାନ୍ଦୀପନି ମୁନିଙ୍କ ଦ୍ବାରା ଗୋଟିଏ ଥର ଉଚ୍ଚାରିତ ସମ୍ପୂର୍ଣ୍ଣ ବେଦ ଅଧ୍ୟୟନ କରି ଦକ୍ଷିଣା-ସ୍ବରୂପ ତାଙ୍କୁ ତାଙ୍କ ମୃତ ପୁତ୍ରର ଶରୀରକୁ ପଞ୍ଚଜନ ନାମକ ରାକ୍ଷସର ଉଦରରୁ (ଯମପୁରୀରୁ) ଉଦ୍ଧାର କରି ପ୍ରଦାନ କରିଥିଲେ |

ସମାହୁତା ଭୀଷ୍ମକକନ୍ୟଯା ଯେ

ଶ୍ରିୟଃ ସବର୍ଣେନ ବୁଭୂଷୟୈଷାମ୍ ।

ଗାନ୍ଧର୍ୱବୃତ୍ତ୍ୟା ମିଷତାଂ ସ୍ୱଭାଗଂ

ଜହ୍ରେ ପଦଂ ମୂର୍ଧ୍ନି ଦଧତ୍ସୁପର୍ଣଃ ॥ ୩॥

ଭୀଷ୍ମକନନ୍ଦିନୀ ରୁକ୍ମିଣୀଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ଅଥବା ରୁକ୍ମୀଙ୍କର ନିମନ୍ତ୍ରଣ କ୍ରମେ ତାଙ୍କ ସହିତ ବିବାହ କରିବା ପାଇଁ ଯେଉଁ ଶିଶୁପାଳ ଏବଂ ତାଙ୍କର ସହାୟକମାନେ ଆସିଥିଲେ, ସେମାନଙ୍କ ମସ୍ତକରେ ପାଦ ରଖି ଗାନ୍ଧର୍ବ ବିଧିରେ ବିବାହ କରିବା ଅଭିପ୍ରାୟରେ ସେ ନିଜ ନିତ୍ୟସଙ୍ଗିନୀ ରୁକ୍ମିଣୀଙ୍କୁ ଏପରି ଭାବରେ ହରଣ କରିଥିଲେ, ଯେପରି ଗରୁଡ଼ ଅମୃତ-କଳଶକୁ ହରଣ କରି ନେଇ ଆସିଥିଲେ |

କକୁଦ୍ମତୋଽବିଦ୍ଧନସୋ ଦମିତ୍ୱା

ସ୍ୱୟମ୍ବରେ ନାଗ୍ନଜିତୀମୁବାହ ।

ତଦ୍ଭଗ୍ନମାନାନପି ଗୃଧ୍ୟତୋଽଜ୍ଞାନ୍

ଜଘ୍ନେଽକ୍ଷତଃ ଶସ୍ତ୍ରଭୃତଃ ସ୍ୱଶସ୍ତ୍ରୈଃ ॥ ୪॥

ସ୍ବୟମ୍ବରରେ ସାତଟି ଷଣ୍ଢଙ୍କୁ ବଳଦରେ ପରିଣତ କରି ସେ ନଗ୍ନଜିତଙ୍କର କନ୍ୟା ସତ୍ୟାଙ୍କୁ ବିବାହ କରିଥିଲେ | ସେଥିରେ ନିଜକୁ ଅପମାନିତ ମନେ କରି ଯେଉଁ ମୂର୍ଖ ରାଜାମାନେ ଶସ୍ତ୍ର ଉତ୍ତୋଳନ କରି ରାଜକୁମାରୀଙ୍କୁ ଛଡାଇ ନେବାକୁ ଚେଷ୍ଟା କରିଥିଲେ, ଶ୍ରୀକୃଷ୍ଣ ସ୍ବୟଂ ଆହତ ନ ହୋଇ ନିଜ ଶସ୍ତ୍ରରେ ସେମାନଙ୍କୁ ହତ୍ୟା କରିଥିଲେ |

ପ୍ରିୟଂ ପ୍ରଭୁର୍ଗ୍ରାମ୍ୟ ଇବ ପ୍ରିୟାୟା

ବିଧିତ୍ସୁରାର୍ଚ୍ଛଦ୍ ଦ୍ୟୁତରୁଂ ଯଦର୍ଥେ ।

ବଜ୍ର୍ୟାଦ୍ରବତ୍ତଂ ସଗଣୋ ରୁଷାନ୍ଧଃ

କ୍ରୀଡାମୃଗୋ ନୂନମୟଂ ବଧୂନାମ୍ ॥ ୫॥

ବିଷୟୀ ପୁରୁଷମାନଙ୍କ ପରି ଲୀଳା କରିବାକୁ ଯାଇ ଭଗବାନ ନିଜ ପ୍ରାଣପ୍ରିୟା ସତ୍ୟଭାମାଙ୍କୁ ପ୍ରସନ୍ନ କରିବା ନିମନ୍ତେ ସ୍ବର୍ଗରୁ କଳ୍ପବୃକ୍ଷ ଉପାଡି ଆଣିଥିଲେ | ସେହି ସମୟରେ ନିଜ ପତ୍ନୀମାନଙ୍କର କ୍ରୀଡାମୃଗ ହୋଇ ରହିଥିବା ଇନ୍ଦ୍ର କ୍ରୋଧରେ ଅନ୍ଧ ହୋଇ ନିଜ ସୈନିକମାନଙ୍କ ସହିତ ତାଙ୍କ ଉପରେ ଆକ୍ରମଣ କରିଥିଲେ |

ସୁତଂ ମୃଧେ ଖଂ ବପୁଷା ଗ୍ରସନ୍ତଂ

ଦୃଷ୍ଟ୍ୱା ସୁନାଭୋନ୍ମଥିତଂ ଧରିତ୍ର୍ୟା ।

ଆମନ୍ତ୍ରିତସ୍ତତ୍ତନୟାୟ ଶେଷଂ

ଦତ୍ତ୍ୱା ତଦନ୍ତଃପୁରମାବିବେଶ ॥ ୬॥

ନିଜର ବିଶାଳ ବିରାଟକାୟ ବପୁରେ ଆକାଶକୁ ମଧ୍ୟ ଆଚ୍ଛାଦିତ କରିଥିବା ନିଜ ପୁତ୍ର ଭୌମାସୁରକୁ ଭଗବାନଙ୍କ ହସ୍ତରେ ମୃତ୍ୟୁବରଣ କରିଥିବା ଦେଖି ପୃଥ୍ବୀଦେବୀ ଯେତେବେଳେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ, ସେତେବେଳେ ଭଗବାନ ଭୌମାସୁରର ପୁତ୍ର ଭଗଦତ୍ତକୁ ତାର ଅବଶିଷ୍ଟ ଅର୍ଦ୍ଧେକ ରାଜ୍ୟ ପ୍ରଦାନ କରି ତାର ଅନ୍ତଃପୁରରେ ପ୍ରବେଶ କରିଥିଲେ |

ତତ୍ରାହୃତାସ୍ତା ନରଦେବକନ୍ୟାଃ

କୁଜେନ ଦୃଷ୍ଟ୍ୱା ହରିମାର୍ତବନ୍ଧୁମ୍ ।

ଉତ୍ଥାୟ ସଦ୍ୟୋ ଜଗୃହୁଃ ପ୍ରହର୍ଷ-

ବ୍ରୀଡାନୁରାଗପ୍ରହିତାବଲୋକୈଃ ॥ ୭॥

ସେଠାରେ ଭୌମାସୁର ଦ୍ବାରା ଅପହୃତା ବହୁତ ରାଜକନ୍ୟା ଥିଲେ | ଦୀନବନ୍ଧୁ ଶ୍ରୀକୃଷ୍ଣଚନ୍ଦ୍ରଙ୍କୁ ଦେଖିବା ମାତ୍ରେ ସେମାନେ ସମସ୍ତେ ଠିଆ ହୋଇଗଲେ ଏବଂ ଅତ୍ୟନ୍ତ ହର୍ଷ, ଲଜ୍ଜା ଏବଂ ପ୍ରେମପୂର୍ଣ୍ଣ ଚାହାଣୀରେ ସେମାନେ ତତ୍କାଳ ଭଗବାନଙ୍କୁ ପତିରୂପରେ ବରଣ କରିନେଲେ |

ଆସାଂ ମୁହୂର୍ତ ଏକସ୍ମିନ୍ନାନାଗାରେଷୁ ଯୋଷିତାମ୍ ।

ସବିଧଂ ଜଗୃହେ ପାଣୀନନୁରୂପଃ ସ୍ୱମାୟଯା ॥ ୮॥

ସେତେବେଳେ ଭଗବାନ ନିଜ ଯୋଗମାୟା ଶକ୍ତି ବଳରେ ସେହି ରମଣୀମାନଙ୍କ ଅନୁରୂପ ସେତିକି ରୂପ ଧାରଣ କରି, ସେମାନଙ୍କ ପାଇଁ ପୃଥକ-ପୃଥକ ମହଲର ବ୍ୟବସ୍ଥା କରି ଏକ ସମୟରେ ବିଧିବତ୍ ସମସ୍ତଙ୍କର ପାଣିଗ୍ରହଣ କଲେ |

ତାସ୍ୱପତ୍ୟାନ୍ୟଜନୟଦାତ୍ମତୁଲ୍ୟାନି ସର୍ୱତଃ ।

ଏକୈକସ୍ୟାଂ ଦଶ ଦଶ ପ୍ରକୃତେର୍ୱିବୁଭୂଷୟା ॥ ୯॥

ନିଜ ଲୀଳା ବିସ୍ତାର କରିବା ହେତୁ ସେ ପ୍ରତ୍ୟେକଙ୍କ ଗର୍ଭରୁ ସବୁ ଗୁଣରେ ନିଜ ସଦୃଶ ଦଶ-ଦଶ ପୁତ୍ର ଉତ୍ପନ୍ନ କରିଥିଲେ |

କାଲମାଗଧଶାଲ୍ୱାଦୀନନୀକୈ ରୁନ୍ଧତଃ ପୁରମ୍ ।

ଅଜୀଘନତ୍ସ୍ୱୟଂ ଦିବ୍ୟଂ ସ୍ୱପୁଂସାଂ ତେଜ ଆଦିଶତ୍ ॥ ୧୦॥

ଯେତେବେଳେ କାଳଯବନ, ଜରାସନ୍ଧ, ଶାଲ୍ବ ଆଦି ନିଜ ସେନା ସହିତ ମଥୁରା ଏବଂ ଦ୍ବାରିକାପୁରୀକୁ ଆକ୍ରମଣ କରିଥିଲେ, ସେତେବେଳେ ଭଗବାନ ନିଜଜନଙ୍କୁ ଅଲୌକିକ ଶକ୍ତି ପ୍ରଦାନ କରିବା ସହିତ ସ୍ବୟଂ ସେମାନଙ୍କୁ ମାରିଥିଲେ |

ଶମ୍ବରଂ ଦ୍ୱିବିଦଂ ବାଣଂ ମୁରଂ ବଲ୍ୱଲମେବ ଚ ।

ଅନ୍ୟାଂଶ୍ଚ ଦନ୍ତବକ୍ତ୍ରାଦୀନବଧୀତ୍କାଂଶ୍ଚ ଘାତୟତ୍ ॥ ୧୧॥

ଶମ୍ବର, ଦ୍ବିବିଦ, ବାଣାସୁର, ମୁର, ବଲ୍ବଳ ତଥା ଦନ୍ତବକ୍ତ୍ର ଆଦି ଅନ୍ୟ ଯୋଦ୍ଧାମାନଙ୍କ ମଧ୍ୟରୁ କାହାକୁ ସେ ସ୍ବୟଂ ମାରିଥିଲେ ତ କାହାକୁ ଅନ୍ୟମାନଙ୍କ ଦ୍ବାରା ମରାଇ ଥିଲେ |

ଅଥ ତେ ଭ୍ରାତୃପୁତ୍ରାଣାଂ ପକ୍ଷୟୋଃ ପତିତାନ୍ନୃପାନ୍ ।

ଚଚାଲ ଭୂଃ କୁରୁକ୍ଷେତ୍ରଂ ଯେଷାମାପତତାଂ ବଲୈଃ ॥ ୧୨॥

ତତ୍ ପଶ୍ଚାତ୍ ସେ ଆପଣଙ୍କର ଭ୍ରାତା ଧୃତରାଷ୍ଟ୍ର ଏବଂ ପାଣ୍ଡୁପୁତ୍ରଙ୍କ ପକ୍ଷ ଗ୍ରହଣ କରି ଯୁଦ୍ଧରେ ଯୋଗ ଦେଇଥିବା  ରାଜାମାନଙ୍କର ମଧ୍ୟ ସଂହାର କରିଥିଲେ, ଯେଉଁମାନେ ସେନାସହିତ କୁରୁକ୍ଷେତ୍ରରେ ପହଞ୍ଚିବା ମାତ୍ରେ ପୃଥିବୀ ଦୋଳାୟମାନ ହେବାରେ ଲାଗିଥିଲା |

ସକର୍ଣଦୁଃଶାସନସୌବଲାନାଂ

କୁମନ୍ତ୍ରପାକେନ ହତଶ୍ରିୟାୟୁଷମ୍ ।

ସୁୟୋଧନଂ ସାନୁଚରଂ ଶୟାନଂ

ଭଗ୍ନୋରୁମୁର୍ୱ୍ୟାଂ ନ ନନନ୍ଦ ପଶ୍ୟନ୍ ॥ ୧୩॥

କର୍ଣ୍ଣ, ଦୁଃଶାସନ ଏବଂ ଶକୁନିଙ୍କ କୁପରାମର୍ଶରେ ଯାହାର ଆୟୁ ଏବଂ ଶ୍ରୀ ନଷ୍ଟ ହୋଇ ଯାଇଥିଲା ତଥା ଭୀମସେନଙ୍କର ଗଦା ପ୍ରହାରରେ ଯାହାର ଜାନୁ ଭଙ୍ଗ ହୋଇଥିଲା, ସେହି ଦୁର୍ଯ୍ୟୋଧନକୁ ନିଜ ସାଥୀମାନଙ୍କ ସହିତ ଭୂଇଁରେ ପଡିଥିବା ଦେଖି ଭଗବାନ ପ୍ରସନ୍ନ ହୋଇପାରି ନ ଥିଲେ |

କିୟାନ୍ଭୁବୋଽୟଂ କ୍ଷପିତୋରୁଭାରୋ

ଯଦ୍ଦ୍ରୋଣଭୀଷ୍ମାର୍ଜୁନଭୀମମୂଲୈଃ ।

ଅଷ୍ଟାଦଶାକ୍ଷୌହିଣିକୋ ମଦଂଶୈ-

ରାସ୍ତେ ବଲଂ ଦୁର୍ୱିଷହଂ ଯଦୂନାମ୍ ॥ ୧୪॥

ସେ ଭାବିଲେ – ଦ୍ରୋଣ, ଭୀଷ୍ମ, ଅର୍ଜୁନ ଏବଂ ଭୀମସେନଙ୍କ ଦ୍ବାରା ଏହି ଅଠର ଅକ୍ଷୌହିଣୀ ସେନାର ବିପୁଳ ସଂହାର ହୋଇଗଲେ ମଧ୍ୟ ପୃଥିବୀର କେତେ ଭାର ଲାଘବ ହେବ ? ଏବେ ବି ମୋର ଅଂଶରୂପ ପ୍ରଦ୍ୟୁମ୍ନ ଆଦିଙ୍କ ବଳରେ ବଳୀୟାନ ଯାଦବମାନଙ୍କର ଦୁଃସହ ଦଳ ତିଷ୍ଠି ରହିଛି |

ମିଥୋ ଯଦୈଷାଂ ଭବିତା ବିବାଦୋ

ମଧ୍ୱାମଦାତାମ୍ରବିଲୋଚନାନାମ୍ ।

ନୈଷାଂ ବଧୋପାୟ ଇୟାନତୋଽନ୍ୟୋ

ମୟ୍ୟୁଦ୍ୟତେଽନ୍ତର୍ଦଧତେ ସ୍ୱୟଂ ସ୍ମ ॥ ୧୫॥

ଏମାନେ ଯେତେବେଳେ ମଧୁ-ପାନ କରି ଲାଲ-ଲାଲ ଆଖିରେ ଉନ୍ମତ୍ତ ପ୍ରାୟ ପରସ୍ପର ଲଢେଇ କରିବାରେ ଲାଗିବେ, ସେତେବେଳେ ହିଁ ଏମାନଙ୍କର ବିନାଶ ହେବ | ଏହା ବ୍ୟତିତ ଅନ୍ୟ କୌଣସି ଉପାୟ ନାହିଁ | ବାସ୍ତବରେ ମୋର ସଂକଳ୍ପ ମାତ୍ରେ ହିଁ ଏମାନେ ସ୍ବତଃ ଅନ୍ତର୍ଧ୍ୟାନ ହୋଇଯିବେ |

ଏବଂ ସଞ୍ଚିନ୍ତ୍ୟ ଭଗବାନ୍ସ୍ୱରାଜ୍ୟେ ସ୍ଥାପ୍ୟ ଧର୍ମଜମ୍ ।

ନନ୍ଦୟାମାସ ସୁହୃଦଃ ସାଧୂନାଂ ବର୍ତ୍ମ ଦର୍ଶୟନ୍ ॥ ୧୬॥

ଏହିପରି ଚିନ୍ତା କରି ଭଗବାନ ଯୁଧିଷ୍ଠିରଙ୍କୁ ତାଙ୍କର ପୈତୃକ ରାଜଗଦ୍ଦିରେ ବସାଇଲେ ଏବଂ ନିଜର ସବୁ ନିକଟ ସମ୍ବନ୍ଧୀମାନଙ୍କୁ ସତ୍-ପୁରୁଷଙ୍କର ମାର୍ଗ ଦର୍ଶନ କରାଇ ଆନନ୍ଦିତ କଲେ |

ଉତ୍ତରାୟାଂ ଧୃତଃ ପୂରୋର୍ୱଂଶଃ ସାଧ୍ୱଭିମନ୍ୟୁନା ।

ସ ବୈ ଦ୍ରୌଣ୍ୟସ୍ତ୍ରସଞ୍ଚ୍ଛିନ୍ନଃ ପୁନର୍ଭଗବତା ଧୃତଃ ॥ ୧୭॥

ଉତ୍ତରାଙ୍କ ଗର୍ଭରେ ଅଭିମନ୍ୟୁ ପୁରୁବଂଶର ଯେଉଁ ବୀଜ ସ୍ଥାପନ କରିଥିଲେ, ତାହା ତ ଅଶ୍ବତ୍ଥାମାଙ୍କର ବ୍ରହ୍ମାସ୍ତ୍ର ଦ୍ବାରା ନଷ୍ଟ-ପ୍ରାୟ ହୋଇଯାଇଥିଲା; କିନ୍ତୁ ଭଗବାନ ତାହାକୁ ଜୀବିତ କରିଦେଇ ଥିଲେ |

ଅୟାଜୟଦ୍ଧର୍ମସୁତମଶ୍ୱମେଧୈସ୍ତ୍ରିଭିର୍ୱିଭୁଃ ।

ସୋଽପି କ୍ଷ୍ମାମନୁଜୈ ରକ୍ଷନ୍ ରେମେ କୃଷ୍ଣମନୁବ୍ରତଃ ॥ ୧୮॥

ଧର୍ମରାଜ ଯୁଧିଷ୍ଠିରଙ୍କ ଦ୍ବାରା ସେ ତିନୋଟି ଅଶ୍ବମେଧ ଯଜ୍ଞ କରାଇ ଥିଲେ ଏବଂ ଯୁଧିଷ୍ଠିର ମଧ୍ୟ ଶ୍ରୀକୃଷ୍ଣଙ୍କର ଅନୁଗାମୀ ହୋଇ ନିଜ ଭାଇମାନଙ୍କ ସହାୟତାରେ ପୃଥିବୀର ରକ୍ଷା କରି ଆନନ୍ଦରେ ରହିଥିଲେ |

ଭଗବାନପି ବିଶ୍ୱାତ୍ମା ଲୋକବେଦପଥାନୁଗଃ ।

କାମାନ୍ ସିଷେବେ ଦ୍ୱାର୍ୱତ୍ୟାମସକ୍ତଃ ସାଙ୍ଖ୍ୟମାସ୍ଥିତଃ ॥ ୧୯॥

ବିଶ୍ବାତ୍ମା ଶ୍ରୀ ଭଗବାନ ଦ୍ବାରିକାପୁରୀରେ ଅବସ୍ଥାନ କରି ଲୌକିକ-ବୈଦିକ ମର୍ଯ୍ୟାଦା ପାଳନ କରିବା ସହିତ ସବୁ ପ୍ରକାରର ବୈଭବ ଭୋଗ କରିଥିଲେ, କିନ୍ତୁ ସାଂଖ୍ୟଯୋଗର ସ୍ଥାପନା କରିବାକୁ ଯାଇ ତହିଁରେ କେବେ ଆସକ୍ତ ହୋଇ ନ ଥିଲେ |

ସ୍ନିଗ୍ଦ୍ଧସ୍ମିତାବଲୋକେନ ବାଚା ପୀୟୂଷକଲ୍ପୟା ।

ଚରିତ୍ରେଣାନବଦ୍ୟେନ ଶ୍ରୀନିକେତେନ ଚାତ୍ମନା ॥ ୨୦॥

ଇମଂ ଲୋକମମୁଂ ଚୈବ ରମୟନ୍ ସୁତରାଂ ଯଦୂନ୍ ।

ରେମେ କ୍ଷଣଦୟା ଦତ୍ତକ୍ଷଣସ୍ତ୍ରୀକ୍ଷଣସୌହୃଦଃ ॥ ୨୧॥

ମଧୁର ସ୍ମିତହାସ୍ୟ, ସ୍ନେହମୟୀ ଚାହାଣୀ, ସୁଧାମୟୀ ବାଣୀ, ନିର୍ମଳ ଚରିତ୍ର ତଥା ସମସ୍ତ ଶୋଭା-ସୌନ୍ଦର୍ଯ୍ୟର ନିବାସ ନିଜ ଶ୍ରୀବିଗ୍ରହ ଦ୍ବାରା ସେ ଲୋକ-ପରଲୋକ, ବିଶେଷତଃ ଯାଦବମାନଙ୍କୁ ଆନନ୍ଦିତ କରିଥିଲେ | ପୁନଶ୍ଚ, ରାତ୍ରୀକାଳରେ କ୍ଷଣିକ ଅନୁରାଗଯୁକ୍ତ ହୋଇ ସେ ନିଜ ପତ୍ନୀମାନଙ୍କ ସହିତ ସମୟୋଚିତ ବିହାର କରି ସେମାନଙ୍କୁ ମଧ୍ୟ ସୁଖ ପ୍ରଦାନ କରିଥିଲେ |

ତସ୍ୟୈବଂ ରମମାଣସ୍ୟ ସମ୍ବତ୍ସରଗଣାନ୍ ବହୂନ୍ ।

ଗୃହମେଧେଷୁ ଯୋଗେଷୁ ବିରାଗଃ ସମଜାୟତ ॥ ୨୨॥

ବହୁତ ବର୍ଷ ଏହିପରି ବିହାର କରି କରି ତାଙ୍କର ଗୃହସ୍ଥ-ଆଶ୍ରମ-ସମ୍ବନ୍ଧୀ ଭୋଗ-ସାମଗ୍ରୀ ପ୍ରତି ବୈରାଗ୍ୟ ଜାତ ହେଲା |

ଦୈବାଧୀନେଷୁ କାମେଷୁ ଦୈବାଧୀନଃ ସ୍ୱୟଂ ପୁମାନ୍ ।

କୋ ବିଶ୍ରମ୍ଭେତ ଯୋଗେନ ଯୋଗେଶ୍ୱରମନୁବ୍ରତଃ ॥ ୨୩॥

ସମସ୍ତ ଭୋଗ-ସାମଗ୍ରୀ ଈଶ୍ବରଙ୍କର ଅଧୀନସ୍ତ ଅଟେ ଏବଂ ଜୀବ ମଧ୍ୟ ତାଙ୍କର ଅଧୀନସ୍ତ ଅଟେ | ଯୋଗେଶ୍ବର ଭଗବାନ ଶ୍ରୀକୃଷ୍ଣଙ୍କର ଯେତେବେଳେ ସମସ୍ତ ଭୋଗ-ସାମଗ୍ରୀ ପ୍ରତି ବୈରାଗ୍ୟ ଆସିଗଲା, ସେତେବେଳେ ଭକ୍ତିଯୋଗ ଦ୍ବାରା ତାଙ୍କର ଅନୁଗମନ କରୁଥିବା ଭକ୍ତମାନେ ସେହି ସବୁ ବିଷୟରେ ଆସକ୍ତ ରହନ୍ତେ କିପରି ?

ପୁର୍ୟାଂ କଦାଚିତ୍କ୍ରୀଡଦ୍ଭିର୍ୟଦୁଭୋଜକୁମାରକୈଃ ।

କୋପିତା ମୁନୟଃ ଶେପୁର୍ଭଗବନ୍ମତକୋବିଦାଃ ॥ ୨୪॥

ଏକଦା ଦ୍ବାରିକାପୁରୀରେ କ୍ରୀଡା କରୁଥିବା ସମୟରେ ଯଦୁବଂଶୀ ଏବଂ ଭୋଜବଂଶୀ ବାଳକମାନେ ଖେଳରେ-ଖେଳରେ କେତେଜଣ ମୁନୀଶ୍ବରଙ୍କର ଅପମାନ କରିଦେଇ ଥିଲେ | ସେତେବେଳେ ଯାଦବକୁଳର ନାଶ ହିଁ ଭଗବାନଙ୍କର ଅଭୀଷ୍ଟ ଅଟେ – ଏହା ଉପଲବଧି କରି ସେହି ଋଷିମାନେ ବାଳକମାନଙ୍କୁ ଶାପ ଦେଇଥିଲେ |

ତତଃ କତିପୟୈର୍ମାସୈର୍ୱୃଷ୍ଣିଭୋଜାନ୍ଧକାଦୟଃ ।

ଯୟୁଃ ପ୍ରଭାସଂ ସଂହୃଷ୍ଟା ରଥୈର୍ଦେବବିମୋହିତାଃ ॥ ୨୫॥

ଏହାର କିଛି ଦିନ ପରେ ସଂଯୋଗବଶ ବୃଷ୍ନି, ଭୋଜ ଏବଂ ଅନ୍ଧକବଂଶୀ ଯାଦବମାନେ ଅତ୍ୟନ୍ତ ହର୍ଷରେ ରଥ ଚଢି ପ୍ରଭାସକ୍ଷେତ୍ରକୁ ଗମନ କଲେ |

ତତ୍ର ସ୍ନାତ୍ୱା ପିତୄନ୍ ଦେବାନ୍ ଋଷୀଂଶ୍ଚୈବ ତଦମ୍ଭସା ।

ତର୍ପୟିତ୍ୱାଥ ବିପ୍ରେଭ୍ୟୋ ଗାବୋ ବହୁଗୁଣା ଦଦୁଃ ॥ ୨୬॥

ସେଠାରେ ସ୍ନାନ କରି ସେମାନେ ସେହି ଜଳରେ ପିତୃପୁରୁଷ, ଦେବତା ଓ ଋଷିମାନଙ୍କର ତର୍ପଣ କଲେ ତଥା ବ୍ରାହ୍ମଣମାନଙ୍କୁ ଶ୍ରେଷ୍ଠ ଗାଭୀ ଦାନ କଲେ |

ହିରଣ୍ୟଂ ରଜତଂ ଶୟ୍ୟାଂ ବାସାଂସ୍ୟଜିନକମ୍ବଲାନ୍ ।

ଯାନଂ ରଥାନିଭାନ୍କନ୍ୟା ଧରାଂ ବୃତ୍ତିକରୀମପି ॥ ୨୭॥

ଅନ୍ନଂ ଚୋରୁରସଂ ତେଭ୍ୟୋ ଦତ୍ତ୍ୱା ଭଗବଦର୍ପଣମ୍ ।

ଗୋବିପ୍ରାର୍ଥାସବଃ ଶୂରାଃ ପ୍ରଣେମୁର୍ଭୁବି ମୂର୍ଧଭିଃ ॥ ୨୮॥

ଏତଦ୍ ବ୍ୟତିତ ସେମାନେ ସୁନା, ରୂପା, ଶଯ୍ୟା, ବସ୍ତ୍ର, ମୃଗଚର୍ମ, କମ୍ବଳ, ପାଲିଙ୍କି, ରଥ, ହାତୀ, କନ୍ୟା, ଏବଂ ଜୀବିକା ଉପଯୋଗୀ ଭୂମି ତଥା ନାନା ପ୍ରକାରର ସରସ ଅନ୍ନ ମଧ୍ୟ ଭଗବଦର୍ପଣ ପୂର୍ବକ ବ୍ରାହ୍ମଣମାନଙ୍କୁ ପ୍ରଦାନ କଲେ | ତତ୍ ପଶ୍ଚାତ୍ ଗୌ-ବ୍ରାହ୍ମଣଙ୍କ ପାଇଁ ପ୍ରାଣ ଧାରଣ କରିଥିବା ସେହି ବୀରମାନେ ମସ୍ତକ ଅବନତ କରି ପୃଥିବୀକୁ ପ୍ରଣାମ କଲେ |

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେବିଦୁରୋଦ୍ଧବସମ୍ବାଦେ ତୃତୀୟୋଽଧ୍ୟାୟଃ ॥ ୩॥

Comments

Popular posts from this blog